ମୋ ଅନୁଭୂତିରେ ଜଗନ୍ନାଥ

ଭାବ ବିନୋଦିଆ ଠାକୁର ବହୁ ବର୍ଷ ପରେ ମୋତେ ସ୍ବପ୍ନାଦେଶ କଲେ, ‘ତୁ ମତେ ଭୁଲିଗଲୁଣି। ମୋ ରଥ ଯାତ୍ରାକୁ ଆସେ। ମତେ ଦେଖା ଦେଏ।

କେଶବ ଚନ୍ଦ୍ର ନାୟକ

ମୋ ଜନ୍ମ ଗଞ୍ଜାମ ଜିଲାର ପୁରୁଣା ଘୁମୁସର ଗଡ଼ରେ। ଏହା ଅଧୁନା ଜୟନ୍ତୀ ଗଡ଼ ନାମରେ ପରିଚିତ।ଏଠାରେ ଭଞ୍ଜ କୀର୍ତ୍ତିରାଜି ସଦୃଶ ବିଦ୍ୟମାନ ଜଗନ୍ନାଥ ମନ୍ଦିର। ତତ୍‌ସଂଲଗ୍ନ ମହାଦେବ ମନ୍ଦିର। ଦକ୍ଷିଣ ଦିଗରେ ମା’ କନକ ଦୁର୍ଗା ମନ୍ଦିର, ଯାହା କି ଭଞ୍ଜ ରାଜବଂଶଙ୍କ ଇଷ୍ଟଦେବୀ। ଏହି ଇଷ୍ଟଦେବୀଙ୍କ ପୂଜକ ଭାବେ ଡେଙ୍ଗାପଦର ଗ୍ରାମର ନିର୍ଦ୍ଦିଷ୍ଟ ବ୍ରାହ୍ମଣ ଲୋକେ ପୂଜା କରନ୍ତି। ମା’ ପ୍ରତ୍ୟକ୍ଷ ଦେବୀ। ଯିଏ ଯାହା ମାନସିକ କରେ, ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଠାରେ ପୌଷ ପୂର୍ଣ୍ଣମାରେ ପତ୍ରିବୋଦା ପଡ଼େ। ଆଖ ପାଖ ଗ୍ରାମର ଯେକୌଣସି ଘରେ ନବଜାତ ଶିଶୁ ଜନ୍ମ ଗ୍ରହଣ କଲେ, ମା’ଙ୍କ ସମୀପରେ ବାଳ ପଡ଼େ। ବେଳେ ବେଳେ ଛାଗଳ, କୁକୁଡ଼ା ବଳି ମଧ୍ୟ ପଡ଼େ।
ଭଞ୍ଜ ବଂଶଙ୍କ ଏଠାରେ ଉଆସ ନାହିଁ। ଗାଁ’ର ଜଗନ୍ନାଥ ଓ ଶିବ ମନ୍ଦିର ପୂଜକ ଭାବେ ଜୟନ୍ତୀ ଗଡ଼ର ବ୍ରାହ୍ମଣ ପୂଜକମାନେ ପୂଜା କରନ୍ତି। ଗାଁ’ର ଚତୁର୍ଦିଗରେ ଗଡ଼ ଖାଇ। ସ୍ଥାନୀୟ ଲୋକେ ଜଳି ବୋଲି କହିଥାନ୍ତି।ନିକଟରେ ପ୍ରବାହିତ ସର ନାଳ ରହିଛି। ଏହି ନାଳର ଜଳ କାଳିଆମ୍ବା ନାଳରେ ମିଶି ବଡ଼ ନଦୀରେ ପ୍ରବାହିତ। ବଡ଼ ନଦୀଟି ଋଷିକୂଲ୍ୟା ନଦୀରେ ସଂଗମ ହୋଇଛି। ଗାଁ’ର ପୂର୍ବ ଦିଗରେ ପୁଷ୍କରିଣୀଟିଏ ରହିଛି। ସ୍ନାନ ତର୍ପଣ ହୁଏ। ଗାଁ ର ଦୁଇ ପାର୍ଶ୍ବରେ ନଡ଼ିଆ ଗଛ ଧାଡ଼ି ଧାଡ଼ି।ଆମ୍ବ ବଗିଚାରେ ପୂର୍ଣ୍ଣ ଛୋଟିଆ ଗାଁ ଟି ସବୁଜିମାର ବଳୟରେ ସୁଶୋଭିତ।
ଗାଁ ର ପଶ୍ଚିମରେ ବରପଲ୍ଲୀ। ଏଠାରେ କୌଣସି ମନ୍ଦିର ନାହିଁ। ଏ ଗାଁ’ର ଲୋକମାନେ ଜୟନ୍ତୀ ଗଡ଼ରେ ଥିବା ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରନ୍ତି। ବରପଲ୍ଲୀଟି ଗଡ଼ର ପ୍ରବେଶ ଦ୍ଵାର। ଏଠାରେ ଉଚ୍ଚ ଭୂମି ରହିଥିବାରୁ ଏହାକୁ ଗୁମ୍ମା କୁହାଯାଏ। ଗୁମ୍ମା+ସରର ମିଶ୍ରଣରେ ଗୁମ୍ମାସରରୁ ଗୁମାସର (ଘୁମୁସର) ନାମରେ ନାମିତ। ଏହା ସମସ୍ତ ଗଡ଼ଠାରୁ ସର୍ବ ପ୍ରାଚୀନ। ପରବର୍ତ୍ତୀ ସମୟରେ କୁଲାଡ଼ଗଡ ସ୍ଥାପନ ଏବଂ ରାଜବଂଶର ଦାୟାଦମାନଙ୍କ ଶାସନ ସମଗ୍ର ଘୁମୁସର ରାଜ୍ୟରେ ଖ୍ୟାତି ଅର୍ଜନ କଲା।

ବରପଲ୍ଲୀରୁ ଘୁମୁସର ଗଡ଼ (ଜୟନ୍ତୀ ଗଡ଼) ମାତ୍ର ଅଧା କିଲୋମିଟର ଦୁରତ୍ଵ। ଉଭୟ ପାର୍ଶ୍ବରେ ତାଳ ଗଛ। ବର୍ଷା ଋତୁରେ ସର୍ବତ୍ର ଜଳମୟ। ଗ୍ରୀଷ୍ମ ଋତୁରେ ଗାଁ’ଟି ଭଲ ଶୀତଳ ଲାଗେ। ବସନ୍ତ ଋତୁରେ ଆମ୍ବ ବଉଳ ମହକେ। କୋକିଳ ଆସି ମିଠା ମିଠା କୁହୁ ତାନ କରେ। ଶୀତ ଋତୁରେ ଭାରି ଶୀତ ଅନୁଭୂତ ହୁଏ। ଗାଁ’ରେ ପଚାଶ, ଷାଠିଏ ଘର। ସବୁ ସରଳ ମଣିଷ। ଆଧ୍ୟାତ୍ମିକ ପରିବେଶରେ ପଲ୍ଲୀ ଜୀବନ ଗତିଶୀଳ। ସକାଳ ସନ୍ଧ୍ୟା ରେ ମନ୍ଦିରରେ ଆରତୀ ହୁଏ।ଘଣ୍ଟ ମର୍ଦ୍ଦଳ ବାଜେ। ବାର ମାସରେ ତେର ପର୍ବ ପାଳିତ ହୁଏ। ଗାଁ ର ଆଚାଣ୍ଡଳ ବ୍ରାହ୍ମଣ ଧାର୍ମିକ ଭାବଧାରାରେ ଉଦ୍‌ବୁଦ୍ଧ।
ମୋ ମା’ ବଡ଼ ଧର୍ମପରାୟଣା ନାରୀ। ସବୁ ଓଷା ବ୍ରତ ପାଳେ। ମୋତେ ପାଞ୍ଚ ବର୍ଷ ହେଲା ପରେ ମୋ ମା’ ଗାଁ ଚାଟଶାଳୀରେ ନାଁ ଲେଖାଇଥିଲା। ଚାଟଶାଳୀଟି ଗାଁ ଦାଣ୍ଡର ମଝିରେ ଥିଲା। ଏହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରାଥମିକ ବିଦ୍ୟାଳୟ ଭାବରେରେ ନାମିତ ଥିଲା। ଚାଳ ଘର। ମାଟି କାନ୍ଥ। ଶନିବାର ଆସିଲେ, ଗୋବରରେ ଛାତ୍ରଛାତ୍ରୀମାନେ ଲିପାପୋଛା କରନ୍ତି। ସେଠାରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିଲା।
ଦ୍ବିତୀୟ ଶ୍ରେଣୀରେ ପଢ଼ିଲା ବେଳେ ମୋ ମା’ ଛୋଟ ଛୋଟ ଚଟି ବହି ଆଣିଦେଲା। କୋଇଲି ଗୋପିଭାଷା, ଶୋବ୍ଯାରାଣି ଶୋକ, ଲକ୍ଷ୍ମଣ ଶକ୍ତି ଭେଦ, ଭଜନ, ଜଣାଣ, ଲକ୍ଷ୍ମୀପୁରାଣ ଇତ୍ୟାଦି। ଗୀତ ବୋଲିବାର ଢଙ୍ଗ, ରାଗ ମୋ ମା’ ମତେ ଶିଖାଉ ଥାଏ। ମୁଁ ଖନେଇ ଖନେଇ ଗାଏ। ଆଗେ ଆଗେ ଯୁକ୍ତାକ୍ଷର ପଢ଼ିବା ବଡ଼ କଷ୍ଟ ହେଉଥିଲା। ମୋ ମା’ ମତେ ଆନୁମାନିକ ଯେଉଁ ଶବ୍ଦଟି କହୁଥିଲା, ତାହା ଠିକ୍ ଥିଲା। ଧୀରେ ଧୀରେ ମୋର ଶବ୍ଦ ଜ୍ଞାନ ବୃଦ୍ଧି ପାଇଲା। ପରେ ପରେ ଭାଗବତ, ରାମାୟଣ, ହରିବଂଶ, ଶୈବପୁରାଣ, ପଦ୍ମପୁରାଣ, ଯମ ପୁରାଣ ଇତ୍ୟାଦି ପଠନରେ ଅଭ୍ୟସ୍ତ ହେଲି। ସନ୍ଧ୍ୟା ହେଲେ ବାରଣ୍ତାରେ ବସି କିରୋସିନି ଦୀପ ଜାଳି ପୁରାଣ ପାଠ କରିବା ନିତି ଦିନିଆ କାମ। ପୁରାଣ ଶୁଣିବାକୁ ଆମ ଦାଣ୍ଡ ଦୁଆରେ ବୁଢ଼ା ବୁଢ଼ୀଙ୍କ ଆଗମନ। ଯେଉଁ ଦିନ ପୁରାଣ ପଠନ କୌଣସି କାରଣରୁ ବନ୍ଦ ହୁଏ, ଲୋକମାନେ ନୈରାଶ୍ୟରେ ଫେରିଯାଆନ୍ତି। ମୋ ଜୀବନଟା ଶୈଶବରୁ ଏକ ଆଧ୍ୟାତ୍ମିକ ପରିବେଶରେ ବିତିଛି। ଜଗନ୍ନାଥଙ୍କୁ ଆରାଧ୍ୟ ଦେଵତା ବୋଲି ବିବେଚନା କରେ। ଆମ ଗାଁ’ରେ ପ୍ରତି ବର୍ଷ ରଥଯାତ୍ରା ଅନୁଷ୍ଠିତ ହୁଏ। ମନ ଭରି ପତିତପାବନ ଠାକୁରଙ୍କୁ ଆରାଧନା କରେ। ମନର ଦୁଃଖ ଜଣାଏ। ପ୍ରାୟ ସମୟରେ ଠାକୁର ସ୍ବପ୍ନରେ ଦର୍ଶନ ଦିଅନ୍ତି। ମୋ ସହ କଥାବାର୍ତ୍ତା ହୁଅନ୍ତି। ତାଙ୍କ ଦିବ୍ଯ ରୂପ ଦର୍ଶନ କରି କୃତାର୍ଥ ମଣେ। କୌଣସି ବିପଦ ଆପଦ ପଡ଼ିଲେ ଜଗନ୍ନାଥଙ୍କୁ ସ୍ମରଣ କରେ। ଜଗନ୍ନାଥଙ୍କ ଦୟାରୁ ଯେତେବେଳେ ବିପଦ ଆସେ ପ୍ରଭୁ କୃପାସିନ୍ଧୁଙ୍କ ଅପାର କରୁଣାରୁ ସ୍ମରଣ ମାତ୍ରକେ ସବୁ ବିପଦ ଖଣ୍ଡନ ହୋଇଯାଏ।

ଧୀରେ ବଡ଼ ହେଲି। ପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରି କହିଲି – ପ୍ରଭୁ ମତେ କିଛି ଦରକାର ନାହିଁ, କେବଳ ମୁଁ ଜଣେ କବି ହେବାକୁ ଚାହେଁ। କାଳକ୍ରମେ ମୁଁ ଭଜନ ଜଣାଣ ଲେଖିବା ଆରମ୍ଭ କଲି। କନକ ଦୁର୍ଗାଙ୍କ ଉପରେ ଆଧାରିତ ଜନଶ୍ରୁତିକୁ ଭିତ୍ତି କରି ଏକ କାବ୍ୟ ରଚନା କଲି, ‘ବହୁ ରୂପି ମା କନକ ଦୁର୍ଗା’। ବହିଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କଲା ଏବଂ ମୋ ନାଁ ସ୍ଥାନୀୟ ଅଞ୍ଚଳରେ ଭାରି ଚର୍ଚ୍ଚା ହେଲା। ପରେ ଅର୍ଥାତ୍ ୧୯୯୪ ମସିହାରେ ସ୍ଥାନୀୟ ଯୁବକମାନଙ୍କୁ ନେଇ ଏକ ନାଟକ ମଞ୍ଚସ୍ଥ କରିବା ପାଇଁ ସ୍ଥିର କରାଗଲା। ମୁଁ ଏକ ନାଟକ ରଚନା କଲି ‘ମଧ୍ୟାହ୍ନରେ ସକାଳ’। ଗାଁ’ରେ ଦୁଇ ଦିନ ମଞ୍ଚସ୍ଥ ହେଲାପରେ ଗୋବରା ଗାଆଁ ଓ ଏବଂ ଆମ ଗାଆଁର କଳାକାରମାନେ ମିଶି ନିମିନା ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେଠାରେ ପୁରସ୍କାର ପାଇଥିଲେ ଆମ ଗାଆଁର ଯୁବକମାନେ। ଜୀବନରେ ପ୍ରଥମେ ନାଟ୍ୟକାର ଭାବେ ଆମ ଗାଁର ଗର୍ବ ଗୌରବକୁ ସମଗ୍ର ଅଞ୍ଚଳରେ ପରିଚୟ ପ୍ରଦାନ କରିବାରେ ମୋ ଭୂମିକା ସ୍ମରଣରେ ରହିଗଲା। ଆମ ଗାଁ’ରେ କେବେ ନାଟକ ମଞ୍ଚସ୍ଥ ହୋଇ ନଥିଲା, ଆଖପାଖ ଗାଁ ରେ କେବଳ ଶୀତ ଦିନେ ବା ଗ୍ରୀଷ୍ମ ଅବକାଶରେ ସ୍ଥାନୀୟ ଯୁବକମାନେ ମିଳିମିଶି ନାଟକ ମଞ୍ଚସ୍ଥ କରୁଥଲେ। କିନ୍ତୁ ମୁଁ ପ୍ରଥମ ଯୁବକ ଥିଲି ଯିଏକି ଆମ ଗାଁର ଯୁବକମାନଙ୍କୁ ନେଇ ନାଟକ ମଞ୍ଚସ୍ଥ କରିବାରେ ସକ୍ଷମ ହୋଇଥିଲି। ଜଗନ୍ନାଥଙ୍କ ଅପାର କରୁଣା ରୁ ନାଟକ ରଚନା କରିବାରେ ବା ମଞ୍ଚସ୍ଥ କରିବାରେ ଅସୁବିଧା ହେଲା ନାହିଁ। ଭଗବାନଙ୍କ କୃପାରୁ ସବୁ ଅସୁବିଧା, ବାଧା ବିଘ୍ନ ଦୂର ହୋଇଥିଲା। ଯେଉଁମାନେ ଟାହିଟାପରା କରୁଥିଲେ ଯେ- ଏହି ନାଟକ ମଞ୍ଚସ୍ଥ ହୋଇ ପାରିବ ନାହିଁ, ଜଗନ୍ନାଥଙ୍କ ଦୟାରୁ ଏହି ନାଟକ ମଞ୍ଚସ୍ଥ ହେଲା। ଆମ ଗାଁ’ର ପ୍ରଶଂସା ସୁଦୂର ପ୍ରସାରୀ ହେଲା।
ଜଗନ୍ନାଥଙ୍କ ଉପରେ ମୋର ପ୍ରଗାଢ଼ ବିଶ୍ବାସ ଥିଲା। ପୁରୀ ଯିବା ପାଇଁ ମନରେ ପ୍ରବଳ ଇଛା ଜାଗ୍ରତ ହେଲା। ପ୍ରଭୁଙ୍କୁ ଦର୍ଶନ ପାଇଁ ଅନ୍ତରରେ ସର୍ବଦା ଚିନ୍ତା କରୁଥିଲି। ସେ ଅନ୍ତର୍ଯ୍ୟାମୀ ଠାକୁର। ମୋ ଅନ୍ତର କଥା ଜାଣିଲେ। ମୁଁ ପୁରୀ ଗମନ କଲି।ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ତିନି ବର୍ଷ (ଅର୍ଥାତ୍ ୧୯୮୭, ୧୯୮୮, ୧୯୮୯) ପୁରୀରେ ରହଣୀ କଲି। ସବୁ ଦିନ ବଡ଼ ଦେଉଳକୁ ଯାଇ ତିନି ଠାକୁରଙ୍କୁ ଦର୍ଶନ କରି ଆତ୍ମତୃପ୍ତି ପାଏ। ପୁରୀ ରହଣୀ ସମୟରେ କିଛି ବିପଦର ସମ୍ମୁଖୀନ ହୋଇଥିଲି, ତେବେ ଜଗନ୍ନାଥଙ୍କ କୃପାରୁ ବିପଦ ଟଳିଯାଇଥିଲା। ସେହିପରି ରାଉରକେଲାରେ ଥିଲା ବେଳେ ବିପଦର ସମ୍ମୁଖୀନ ହୋଇଥିଲି, ଚକାଡୋଳାଙ୍କ ଦୟାରୁ ବିପଦ ଟଳିଗଲା। ଭାଗବତରେ କୁହାଯାଇଛି-“ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ।”
୧୯୯୨ ମସିହାରେ ମୋ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଭାରି ଖରାପ ଥିଲା। ବଞ୍ଚିବା ଆଶା ଶୂନ୍ୟ ଥିଲା। ମୋ ବାପାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି କରାଗଲା। ପେଟରେ ଅଲ୍‌ସର ହେବା ଯୋଗୁଁ ଅସ୍ତ୍ରୋପଚାର କରାଗଲା। ବାପା କହିଲେ – ‘ମୁଁ ଆଉ ବଞ୍ଚିବି ନାହିଁ।’ ଜଗନ୍ନାଥଙ୍କୁ ଆକୁଳ ନିବେଦନ କଲି; କହିଲି, ହେ ପ୍ରଭୁ, ମୋ ବାପାଙ୍କୁ ଏ ମହାବିପଦରୁ ଉଦ୍ଧାର କର। ପାଖରେ ଯାହା ଅର୍ଥ ଥିଲା ସରିଗଲା, ଧାର କରଜ ଗୁଡ଼ାଏ ହେଲା। ଶେଷରେ ପ୍ରଭୁଙ୍କ କୃପାରୁ ମୋ ବାପା ସୁସ୍ଥ ହୋଇ ଘରକୁ ଫେରିଲେ। ଏଡ଼େ ବଡ଼ ବିପଦରୁ ଉଦ୍ଧାର କରିଥିଲେ ଜଗନ୍ନାଥ। ମୁଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଭରସା କରିଛି। ତାଙ୍କ ଦୟାରୁ ଚାଲିଛି ମୋ ଟିକି ସଂସାର।

ଗତ ୨୦୨୨ରେ ରଥ ଯାତ୍ରା ସମୟରେ ପୁରୀ ଯାଇ ଜଗନ୍ନାଥଙ୍କୁ ରଥରେ ଦର୍ଶନ କରି ଆସିଲି। ଭାବ ବିନୋଦିଆ ଠାକୁର ବହୁ ବର୍ଷ ପରେ ମୋତେ ସ୍ବପ୍ନାଦେଶ କଲେ, ‘ତୁ ମତେ ଭୁଲିଗଲୁଣି। ମୋ ରଥ ଯାତ୍ରାକୁ ଆସେ। ମତେ ଦେଖା ଦେଏ।’ ମୁଁ ସକଳ କାମ ଛାଡ଼ି, ସକଳ ଜଞ୍ଜାଳ ଭୁଲି ଜଗାଙ୍କୁ ଦର୍ଶନ କଲି। ମୋ ଆଖିରୁ ଆନନ୍ଦାଶ୍ରୁ ବିଗଳିତ ହୋଇଗଲା। ବହୁ ବର୍ଷ ପରେ ଏ ମହାମିଳନ। ମୁଁ ନିଜକୁ ଧନ୍ୟ ମନେକଲି। ଜଗା ମୋତେ ଡ଼ାକିଲେ। ସେ ଲୀଳାମୟ ଠାକୁର। ତାଙ୍କ ଲୀଳା କିଏ ବୁଝିପାରେ ! ପୁରୀ ବେଳାଭୂମିରେ ବସି ସମୁଦ୍ରରେ ସୌନ୍ଦର୍ଯ୍ୟକୁ ଉପଲବ୍ଧି କଲି। ତାଙ୍କ କୃପାରୁ ଏହି ଅକିଞ୍ଚନ ଜଣେ କବି, ଲେଖକ ଓ ସାମ୍ବାଦିକ ଭାବେ ପରିଚୟ ଲାଭ କରିପାରିଛି। ତାଙ୍କ କୃପାରୁ ବର୍ତ୍ତମାନ ୫୩ଟି ଭଜନ ସମ୍ବଳିତ ‘ଦାରୁବ୍ରହ୍ମ’ ନାମକ ମୋ’ର ଏକ ପୁସ୍ତକ ପ୍ରକାଶ ଅପେକ୍ଷାରେ। ତାଙ୍କର ଅପାର କୃପାରୁ ମାଲକାନଗିରିରେ ରଥ ଯାତ୍ରା ସମୟରେ ମୋତେ ଜଗନ୍ନାଥ ସଂସ୍କୃତି ଉପରେ ଧାରା ବିବରଣୀ ଦେବାର ସୁଯୋଗ ମିଳିବାରୁ ମୁଁ ନିଜକୁ ଧନ୍ୟ ମଣୁଛି।
ଗତ ଡିସେମ୍ବର ୧୩ ତାରିଖରେ ଗୋଦାବରୀ ଘାଟ ନିକଟସ୍ଥ ପର୍ଣ୍ଣଶାଲା ଯାଇଥିଲି। ଯେଉଁଠି ପତ୍ର କୁଡ଼ିଆରେ ମା’ଜାନକୀ ରହିଥିଲେ। ସ୍ବର୍ଣ୍ଣ ମୃଗକୁ ଧରିବା ପାଇଁ ପ୍ରଭୁ ଶ୍ରୀରାମଙ୍କ ସହ ଭାଇ ଲକ୍ଷ୍ମଣ ଗଲା ପରେ ଏହିଠାରେ ରାବଣ ମାୟା ଯତି ବେଶ ହୋଇ ମା ସୀତାଙ୍କୁ ଅପହରଣ କରି ନେଇଥିଲେ ବୋଲି ବିଶ୍ଵାସ କରାଯାଏ। ସେହି ପୂଣ୍ୟ ସ୍ଥାନକୁ ଯିବା ପାଇଁ ବହୁ ଦିନରୁ ଆଶା, ଅଭିଳାଷ ଥିଲା। ଜଗନ୍ନାଥ ମହାପ୍ରଭୁ ସ୍ବପ୍ନରେ କହିଲେ, “ତୋ ଆଶା ପୂରଣ ହେବ। ଅଳ୍ପ ଦିନ ପରେ ସେହି ସ୍ଥାନଟିକୁ ଯାଇ ଦର୍ଶନ କରିବୁ।” ସତରେ ମୋ ଆଶା ସାକାର ହେଲା।
ଆଜି ତା’ଙ୍କୁ ଭରସା କରି ବଞ୍ଚିଛି। ବିଘ୍ନ ବିନାଶ ହରି। କରୁଣା ବାରିଧି ପ୍ରଭୁ ଲୀଳାମୟ ଠାକୁର। ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *