ସଉକ

ଏଡ଼େ ବଡ଼ ଆଲୋକିତ କୋଠରିର ସମ୍ପୂର୍ଣ୍ଣ ରାଜୁତି ପାଇ ବି ବହିଗୁଡ଼ିକ ଜମା ଖୁସି ନୁହନ୍ତି।

ଆରାଧନା ମିଶ୍ର

ଦୁଇ ମହଲା କୋଠାଟିଏ। ଆଖପାଖରେ ତିନି ଚାରି ମହଲାର କୋଠାସବୁ। ଆଉ କୋଠା ଆଗରେ ଇତସ୍ତତଃ ହେଇ ଚୁପ୍‌ଚାପ୍ ଅପେକ୍ଷା କରୁଥିବା ଦାମୀ କାରମାନଙ୍କୁ ଦେଖିଲେ ସ୍ପଷ୍ଟ ହେଇଯାଏ ଏଇଟା ଗୋଟିଏ ବିତ୍ତଶାଳୀ ଲୋକଙ୍କ ନିବାସ ଅଞ୍ଚଳ। ଧାଡ଼ିକୁ ଧାଡ଼ି ପୁରୁଣା ବିଶାଳ ଝଙ୍କାଳିଆ ଗଛସବୁ ପାଇଁ ଜାଗାଟିର ପରିବେଶ ଥଣ୍ଡା। ସେଇ ଦୁଇ ମହଲା କୋଠାର ଉପର ମହଲାରେ ବଡ଼ ବଡ଼ କାଚ ଝରକା ଥାଇ ଆଲୋକିତ କୋଠରିଟି ହେଉଛି ଘର ମାଲିକଙ୍କ ପାଠାଗାର। ଉପର ମହଲାର ଅଧା ଜାଗା ନେଇଛି ସେ ବହିର କୋଠରି। ପାଞ୍ଚଟି କାନ୍ଥ ଆଲ୍‌ମାରିରେ ଖୁନ୍ଦାଖୁନ୍ଦି ହେଇ ବହି ଭରିଛନ୍ତି। ଟେବୁଲ୍ ସାରା ବହି। ଏମିତିକି ଦୁଇଟା ଯାକ ଚେଆର ଉପରେ ବି କିଛି କିଛି ବହି। ଆଲ୍‌ମାରିର ପାର୍ଶ୍ୱରେ ବି ଚଟାଣ ଉପରେ କିଛି ବହି ଥାକ ଥାକ ହେଇ ରହିଛନ୍ତି।

କିନ୍ତୁ ଏଡ଼େ ବଡ଼ ଆଲୋକିତ କୋଠରିର ସମ୍ପୂର୍ଣ୍ଣ ରାଜୁତି ପାଇ ବି ବହିଗୁଡ଼ିକ ଜମା ଖୁସି ନୁହନ୍ତି। ତାଙ୍କ ଉପରେ ଧୂଳିର ଆସ୍ତରଣ ବେଶ୍ ଜମି ଆସିଲାଣି। ମାଲିକ ଆଗ ପରି ଆଉ ଏ କୋଠରିକୁ ବାରମ୍ବାର ପଶି ଆସୁନାହାନ୍ତି। ସେ କାମ କରୁଥିବା ଟୋକାଟା ବି ତ ଝଡ଼ାଝଡ଼ି କରିବାକୁ କେବେଠୁ ଆସୁନି। ସେଇ ଗ୍ରୀଷ୍ମଦିନର ଅପରାହ୍ଣରେ ଯେବେ ପଶ୍ଚିମପଟ ଝରକା ଦେଇ ତେରଛା ଖରାଟା, ଆମେରିକାରୁ ଏଇ କେତେ ମାସ ତଳେ ଆସିଥିବା ବହି ଥାକ ଉପରେ ପଡ଼ିଲା, ଗୋଟିଏ ବହି ସେଥିରୁ ଚିତ୍କାର କରି ଉଠିଲା, ‘ମୁଁ ବୁଝି ପାରୁନି -ଆମକୁ ସେଇଠୁ ଆଣି ଏଠି ଏମିତି ଖରାରେ ସିଝେଇବା ମାନେ କଣ!’ ସେ ଥାକର ସବୁଠୁ ତଳ ବହି କହିଲା, ‘ଆଉ ଫ୍ଲାଇଟ୍‌ରେ ପୂରା ଆମେରିକାରୁ ଦିଲ୍ଲୀ ଯାଏଁ ଯେତେବେଳେ ମାଲିକର କୋଳରେ ବସି ଆସିଲୁ, ଭାରି ତ କୁରୁଳୁଥିଲୁ। ଆମେ ତ ହେଣ୍ଡ୍ ବେଗ୍‌ରେ ପଡ଼ିଥିଲୁ।’ ଜାପାନ୍‌ରୁ ଆସି ଟେବୁଲ୍ ଉପରେ ଧୂଳି ତଳେ ଅଣନିଃଶ୍ୱାସୀ ହେଇ ଯାଉଥିବା ଆଉ ଏକ କବିତା ବହି କହିଲା, ‘ଆରେ! ଏଇଟା ଆମ ମାଲିକଙ୍କ ଗୋଟେ ସଉକ। ପଢ଼ ନ ପଢ଼, ଆଣି ଗଦାଅ।’ ଇଂଲଣ୍ଡରୁ ଆସିଥିବା ଆଉ ଗୋଟେ ମୋଟା ବହି ଆଲମାରି ଭିତରୁ କହିଲା, ‘ପଛ କଥା ଭାବନି ଭାଇ -କିଛି ଲାଭ ନାହିଁ। ଏଠିକାର ଗରମ ଆଉ ଧୂଳି ଅସହ୍ୟ ସତେ!’ ଆଉ ଗୋଟିଏ ଆଲମାରିର ତଳ ଥାକରୁ ‘ହିଟ୍ ଏଣ୍ଡ୍ ଡଷ୍ଟ୍‌’ ବଡ଼ ପାଟିରେ କହିଲା, ‘ମୋର ଲୋକପ୍ରିୟତା ଆଉ କୋଉଥିପାଇଁ! ଏ ଭାରତରେ ଖାଲି ଏଇୟା ପରା ! ସେଥିପାଇଁ ତ ମାଲିକ ଖରାଦିନ ହେଲେ ନୈନିତାଲ ଡିଆଁ ମାରନ୍ତି।’ ଗୋଟିଏ ସଦ୍ୟ ଆସିଥିବା ଦର୍ଶନ ଶାସ୍ତ୍ରର ବହି କହିଲା, ‘ତେବେ ଆମକୁ ସେଠିକୁ ନିଅନ୍ତି କାହିଁକି? ମୁଁ ତ ବିଲ୍‌କୁଲ୍ ଖୋଲା ବି ହେଇନି!’
ଅନ୍ୟ କେତେ ବହି ହସି ଉଠିଲେ ଏ କଥା ଶୁଣି। ଜଣେ କହିଲା, ‘ଆରେ ! ଆମେ ଅଧିକାଂଶ କୋଉ ଖୋଲା ହେଇଛୁ! ବହିମେଳାରୁ ଆସି ଏଠି ପଡ଼ିଛୁ।’ ଆଉ ଗୋଟେ ଗଳ୍ପ ସଂକଳନ ପାଳିଆ ଧରିଲା, ‘ଏଠି ଶଢ଼ୁଛୁଁ’। ଗୋଟିଏ କୃଷି ସମ୍ବନ୍ଧୀୟ ବହି କହିଲା, ‘ମାଲିକିଆଣୀ ଭାରି ରାଗନ୍ତି ମାଲିକଙ୍କ ଏଇ ଅଭ୍ୟାସ ପାଇଁ। ସେଥିପାଇଁ ତ ଅନେକଙ୍କୁ ମାଲିକ ଆଣି ଏଠି ଚୁପ୍‌ଚାପ୍ ରଖି ଦିଅନ୍ତି -ତା’ପରେ ଭୁଲି ଯାଆନ୍ତି।’ ପ୍ରବନ୍ଧରେ ଭରା ବହିଟା ବିରକ୍ତ ହେଇ କହିଲା, ‘ଏଇଟା କି କଥା ! ପଢ଼ିବନି ତ ଗଦେଇବ କାହିଁକି ହୋ!’ ଆଲମାରି ଭିତରୁ ବହିଟିଏ କହିଲା, ‘ସଉକ – ଏଇଟା ଗୋଟିଏ ସଉକ।’ ସାମ୍ୟବାଦ ବିଷୟରେ ଲେଖାଥିବା ବହି କହିଲା, ‘ସେଥିପାଇଁ ତ ମୁଁ କହେ ଧନବାନ୍ ବ୍ୟକ୍ତି ଏ ସମାଜରେ ଅଯଥା।’
ସମସ୍ତେ ଚୁପ୍ ହେଇଗଲେ – ଗରମ ଓ ଧୂଳିରେ ଅଣନିଃଶ୍ୱାସୀ ହେଇ ଯାଉଥିଲେ। ଟେବୁଲ୍ ଉପରେ ପଡ଼ିଥିବା ଭବିଷ୍ୟବାଣୀର ବହିଟିଏ କହିଲା, ‘କିନ୍ତୁ ଆମର ଭବିଷ୍ୟତ କ’ଣ ? ମାଲିକଙ୍କ ଆମ ପ୍ରତି ଆଉ ଆଗ୍ରହ ନାହିଁ। ଛୁଆ ଦୁହେଁ ତାଙ୍କର ବିଦେଶରେ। ଆମେ କ’ଣ ଏଇଠି ଏମିତି ପଡ଼ିରହିବା?’ ବଗିଚା ବିଷୟବସ୍ତୁ ନେଇ ଲେଖା ହେଇଥିବା ବହିଟି ଜୋରରେ ପାଟିକରି କହିଲା, ‘ନା! ନା! ମୁଁ ବାହାରକୁ ଯିବି। ଖୋଲା ପବନରେ ସବୁଜ ଗଛଲତା, ରାତିରେ ଚନ୍ଦ୍ର ତାରା ଦେଖିବି। ମୁଁ ବାହାରକୁ ଯିବି।’ ଭଗବଦ୍‌ଗୀତା ଜିଭ କାମୁଡ଼ି କହିଲା, ‘ସେମିତି କହନା। ଦିନର ଗୋଟିଏ ଗୋଟିଏ ମୁହୂର୍ତ୍ତ ଥାଏ, ତେବେ ଯାହା କହିଲେ ସତ ହେଇଯାଏ। ତୁ ଯାହା କହୁଛୁ, ଆମ ପାଇଁ ଭୟାନକ ହେଇପାରେ। ବରଂ ଚୁପ୍‌ଚାପ୍ ଏଠି ପଡ଼ି ରହିବା ଭଲ।’ ସମସ୍ତେ ଶୁଣିଲେ, କିଏ ବୁଝିଲା କିଏ ନାଇଁ।
ହଠାତ୍ କବାଟଟା ଖୋଲିଗଲା। ଦିଇଟି ଅଜଣା ଲୋକ ପଶି ଆସିଲେ। ଜଣେ କହିଲା, ‘ଏତେ ବହି! ଏଇତ ଦୁଇ ଟ୍ରକ୍ ହେବନା କ’ଣ ! ସେ ତ ଏଠି ଘର ବିକିଦେଇ ପାହାଡ଼ ଉପରେ ଘର କଲେ, ଏବେ ଆମକୁ ଏ ବହି ସହ ଯାହା କସରତ କରିବାକୁ ହେବ!’ ଆରଲୋକଟି କହିଲା, ‘ମୁଁ ଗୋଟିଏ ପୁରୁଣା ବହି ବିକୁଥିବା ଦୋକାନୀକୁ ଜାଣେ। ତାକୁ କହିଲେ ଆସି ନେଇଯିବ। ଟିକିଏ ରିହାତି ଦେଇଦେବ।’ ପ୍ରଥମ ବ୍ୟକ୍ତି ମୁଣ୍ଡ ଟୁଙ୍ଗାରିଲା।
ସବୁ ବହି ବଗିଚା ବିଷୟବସ୍ତୁର ବହିକୁ ଅନେଇଲେ। ବହିଟି କଳାକାଠ ପରି ଦିଶୁଥିଲା। ତା’ ପାଖରେ ଭଗବଦ୍‌ଗୀତା ନିର୍ବିକାର ଦୃଷ୍ଟିରେ ଝରକା ବାହାରେ ଜମି ଆସୁଥିବା ଅନ୍ଧାରକୁ ଦେଖୁଥିଲା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

2 thoughts on “ସଉକ

  1. ପୁରୁଣା ବହି ଦୋକାନ ପର୍ଯ୍ୟନ୍ତ ଗଲେ। କବାଡିବାଲାଟା ବାକି ରହିଗଲା।

  2. ସତରେ ବହିର ସଉକକୁ ନେଇ ଏମିତି ଗୋଟେ ଲେଖା ଲେଖାଯାଇପାରେ ? ମୁଁ ଏହା କେବେ ଭାବି ନଥିଲି। ମୋତେ ଲାଗୁଛି ଲେଖିକାଙ୍କ ଏହା ଗୋଟିଏ ସତ ଘଟଣା ଉପରେ ଆଧାରିତ ଏକ କଥା ବୋଧହୁଏ ହୋଇଥିବ। ସେ ଯାହା ହେଉ ବହିମାନେ ମଧ୍ୟ କଥାବାର୍ତ୍ତା କରନ୍ତି ଓ ସେମାନେ ମଧ୍ୟ ମଣିଷମାନଙ୍କ ପରି ସ୍ୱପ୍ନ ବା କଳ୍ଫନା କରିପାରନ୍ତି ଓ ତାହା ମଧ୍ୟ ସତ ହୋଇପାରେ। ଚମତ୍କାର ରଚନା। ଆଉଥରେ ଲେଖିକାଙ୍କ ଲେଖାକୁ ଅନେକ ଅନେକ ଧନ୍ୟବାଦ। ଏହା ଏକ ପ୍ରତିନିଧିଶ୍ରେଣୀୟ ଲେଖା ହେଲେ ମଧ୍ୟ ଲେଖାଟି ବେଶ୍‌ ଜୀବନ୍ତ ଓ ମାର୍ମିକ। ଲେଖାଟି ଏଠାରେ ପ୍ରକାଶିତ କରିଥିବାରୁ ସମ୍ପାଦକଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *