ଧର୍ମ ଚାଉଳ

ସମସ୍ତଙ୍କ ନାମରେ ଧର୍ମଚାଉଳ ପଡ଼ିବ ପାଣିରେ। ଚାରି ଦିନ ହେଲା ବାପାଙ୍କ କୁର୍‌ତା ପକେଟରୁ ପଇସା ଚୋରି ହେଉଛି।

ଆରତୀ ସାହୁ

ଆମେ ଚାରି ଭାଇ ଭଉଣୀ କାକାଙ୍କୁ ଘେରି ବସିଥାଉଁ। କାକା ସିଦ୍ଧମୁନି ମୁଦ୍ରାରେ ଗମ୍ଭୀର ହୋଇ ବସିଥାନ୍ତି। ବାଡ଼ି ପିଣ୍ଡାର ପକ୍କା ଚଟ୍ଟାଣରେ ଆମ ମାନଙ୍କ ମଝିରେ ଥୁଆ ହେଇଥାଏ କଂସା ବେଲାଟିଏ। ବେଲାର ଚାରିପଟେ ଚାରିଟା କୁସୁମି ରଙ୍ଗର ରଙ୍ଗଣୀ ଫୁଲ। ସେଥିରେ ଛଳଛଳ ଥଣ୍ଡା ପାଣି, ଆମ ମାନ୍ଧାତା ଅମଳର କୂଅର ପାଣି। କାକା ଆଦେଶ ଦେଲେ ଭାଇକୁ,
-‌ “ଯାଆ ଦେଖେଇଁ , ଅଭାଙ୍ଗା ଉଆ ଚାଉଳ ମୁଠେଇ ନେଇ ଆଏ , ଘମ ଭିତ୍‌ରୁ। ଆଜ୍ ସବୁ ଫଇସଲା ହେଇଯିବ।”
ଆଆଆରେଏଏଏ !! ବାଘର୍ ଘରେ ମିରିଗର୍ ନାଟ୍?
ଭାଇ ଚୁପଚାପ ଉଠିଗଲେ ଚାଉଳ ଆଣିବା ପାଇଁ। ମୋ ଛାତି ସେତେବେଳେ ଦାଉଁ ଦାଉଁ ଉଠୁଥାଏ ପଡୁଥାଏ। ଛାତି ଭିତରେ ସତେ ଯେମିତି କିଏ ଢେଙ୍କି କୁଟୁଛି ଅବା କମାର ଶାଳରେ କମାରର ଧୌଁକନୀ (ଧୁଙ୍କୁଣୀ) ଚାଲିଛି,
ଦୁମ୍ ଦୁମ୍ ଦୁମ୍ !!!
ଚାଉଳ ମୁଠେ ଆଣି ଭାଇ ରଖିଦେଲେ ବେଲା ପାଖରେ। ଧର୍ମ ଚାଉଳ। ସମସ୍ତଙ୍କ ନାମରେ ଧର୍ମଚାଉଳ ପଡ଼ିବ ପାଣିରେ। ଚୋର ଧରା ପଡ଼ିଯିବ। ଛାଏଁଛାଏଁ।
ଚାରି ଦିନ ହେଲା ବାପାଙ୍କ କୁର୍‌ତା ପକେଟରୁ ପଇସା ଚୋରି ହେଉଛି। ବାପା କଚେରୀରୁ ଆସି କୁର୍‌ତା ଟାଙ୍ଗି ଦିଅନ୍ତି ଅନ୍ଧାର୍ ଘର ଖୁଣ୍ଟିରେ। କୋଉ ଛଟକ୍‌ରେ କିଏ ସେ ତାଙ୍କ ପକେଟରୁ ନିତି ପଇସା ଚୋରେଇ ନେଉଛି। ଆଜି ତ ଅତି ଆଉ ସୀମାପାର୍ ହେଇଗଲା। ରୋଜ ଚାରିଣୀ ଆଠେଣୀ ଯାଉଥିଲା, ଆଜି ଦିଟଙ୍କା ଚୋରି ଗଲା, ଏଡ଼େ ସାହସ !!


ଆମେ ଚାରି ଭାଇ ଭଉଣୀ ଯାକ ଥରୁଥାଉଁ। ଭନି ଉପରେ ଅବଶ୍ୟ ସନ୍ଦେହ କରିବା ବେକାର। ସେ ତ ଛନ୍ଦ କପଟ ଜାଣି ନଥିବା ଭେକ୍‌ଲି କନ୍ଦିଜାଡି଼ ଝିଅଟାଏ। ଜଡ଼ାରେ ହଁ , ଜାଡି଼ରେ ହଁ।
ବଡ଼ଭାଇ ଆଉ ଚୋରି? କେମିତି ଅଡୁଆ ଖାପଛଡ଼ା ଲାଗୁଥାଏ କଥାଟା। ଏଇ ସାନ ଭାଇଟା ଓଲିଆ , ବାଆଁରା। ସବୁବେଳେ ଚୁଲିରେ ବସିଥିବା କ୍ଷୀରରୁ ହଳଦିଆ ପଡ଼ି ଯାଇଥିବା ଚକ୍‌ଳି ପିଠା ବହଳର ସର ଖାଇଦିଏ। ବେଳେବେଳେ ମୁଁ ମଧ୍ୟ ଭାଗ ବସାଏ ତା ଚୋରି ମାଲ୍ ଉପରେ, ନହେଲେ ବ୍ଲାକ୍‌ମେଲ୍, ହୁଁ ଟି।
ମାଆ ପଚାରେ ,
-‌ “ହେଁ ଗୋ କୁନି, ଦୁଧସର କିଏ ଖାଇଲା ଗୋ। ଏଇ ସାନ୍ ବାବୁ ନି ଖାଇଥିବ ବୋଧେ।”
ସାଙ୍ଗେ ସାଙ୍ଗେ ଭାଇର ହାଜିର ଜବାବ,
-‌ “ମୁଇଁ କେତେବେଳେ ଖାଇଲି? ସେଇ କାଳିଆ ବିଲେଇଟା ଆସିକରି ଖାଇଥିବ।”
ମୁଁ ଶୁଣ୍ଢିର ସାକ୍ଷୀ ମାତାଲ; କୁହେ,
-‌ “ହଁ ଗୋ ମାଆ , ମୁଇଁ ଦେଖିଛେଇଁ ପରା। ଉଣ୍ଡି ଉଣ୍ଡି କିରି ଆସିଥିଲା ସେଇ ଭୁଆ ବିଲେଇଟା।”
ତା ମାନେ, ଚୋରୀ ପାଇଁ ମୋତେ ବି ସନ୍ଦେହ କରା ଯାଇ ପାରେ। ଆଉ ମୋର ନିଜର ମର୍ମ ନିଜକୁ ଖାଉଥାଏ। ତେବେ ମୁଁ ତ ମାତ୍ର ଦୁଇଦିନ ପଇସା ନେଇଥିଲି ବାପାଙ୍କ ପକେଟରୁ। ଦିନେ ଚାରିଣୀଟିଏ , ଆଉ ଦିନେ ଆଠେଣୀ ଟିଏ। ସାନଭାଇ ବି ବଡ଼ ଜୋରରେ କହୁଥାଏ ସେ ନେଇନି ବୋଲି । ବଡ଼ଭାଇ ଗୁମ୍ ମାରି ବସି ଥାଆନ୍ତି। ସେ ସବୁବେଳେ ସେମିତି। କୋଉ ଦୁନିଆରେ ଡୁବି ଥାଆନ୍ତି କେଜାଣି। ସଂସାର ବାହାର ତାଙ୍କର ବ୍ୟବହାର । ଆମେ ତ ତାଙ୍କୁ ବିବେକାନନ୍ଦ କହୁଁ। ସତରେ ସେ ବହି ଭିତରେ ଏମିତି ପଶି ଯାଆନ୍ତି ଯେ ତାଙ୍କର ହୋଶ୍ ରହେ ନାହିଁ। ଯେଉଁ ବହି ପଢ଼ିବା ପାଇଁ ଆମର ଚାରିଦିନ ଲାଗେ ସେ ଚାରିଘଣ୍ଟାରେ ସାରନ୍ତି। ଆମୂଳଚୂଳ ଶୁଣେଇ ବି ଦିଅନ୍ତି। ତାଙ୍କର ବହିର ଦୁନିଆରୁ ବାହାରିବାକୁ ଫୁରସତ ନଥାଏ। ଖାଉ ଖାଉ ତରକାରୀ ଗିନାରେ ହାତ ନ ପୁରେଇ ଭୁଇଁ ଅଣ୍ଡାଳନ୍ତି। କଣ ଖାଇଛନ୍ତି ପଚାରିଲେ କହି ପାରନ୍ତି ନାହିଁ। ହେଲେ ଗଣିତ, ବିଜ୍ଞାନ, ସାହିତ୍ୟ ଯାହା ପଚାରିଲେ ଫଟାଫଟ୍ ଉତ୍ତର। ସିଏ ସତରେ ବିବେକାନନ୍ଦ। ନରେନ୍ଦ୍ର ତାଙ୍କ ନାମ।
ପ୍ରଥମ ଚାଉଳ ପକେଇଲେ କାକା, ପାଣିରେ।
-‌ “ଧର୍ମ, ଧର୍ମ, କହ ନରେନ୍ଦ୍ର ଚୁରୀ କରିଛି କି?”
ଜଣାଥିଲା। ଧର୍ମଚାଉଳ ବୁଡ଼ିଯିବ । ଭାଇ ଏ ଦୋଷରୁ ଖଲାସ୍। ଆଉ? ସେ ଖାଲି ବସିଥିଲେ ନା। ତାଙ୍କୁ ତୁଚ୍ଛାରେ ସନ୍ଦେହ କରିବା କଥା ନା।
ହେଲେ କାକା ହେଉଛନ୍ତି ସମ୍ପୂର୍ଣ୍ଣ ନିରପେକ୍ଷ। ତାଙ୍କ ଆଖିରେ ସମସ୍ତେ ସମାନ।
ଦ୍ଵିତୀୟ ଧର୍ମ ଚାଉଳ, ହରେନ୍ଦ୍ର।
ଟୁପୁସ୍ , ଆଶ୍ଚର୍ଯ୍ୟ ! ଇଏ ବି ବୁଡ଼ିବଲା। ତା ମାନେ…… ସାନଭାଇ ବି ନିର୍ଦୋଷ? ସାନଭାଇ ସିନା କ୍ଷୀର ସର, ଆଚାର, ଆରିସାପିଠା ଇତ୍ୟାଦି ଖାଇବା ଚିଜ ଚୋରି କରନ୍ତି , ହେଲେ ପଇସା? ପଇସା ଆମଘରୁ କେବେ ଚୋରି ହେଇନାହିଁ। ମୁଁ ହିଁ ବୋଧେ ଅୟମାରମ୍ଭ କଲି। ଛିଃ , ନିଜ ଉପରେ ରାଗ ଆସିଲା। ଭୟରେ ଆହୁରି ଜୁଡୁସୁଡୁ ହେଇ ଯାଉଥାଏ ମୁଁ। କି କଣ୍ଢେଇ ଲୋଭ କେଜାଣି, ସେହି ବିଜୁଳି କହିଲା ବୋଲି ନା , ତିନିଟା ଚାରେଣୀ ଦେଲେ ସେ ମୋତେ ଚିନାମାଟି କଣ୍ଢେଇଟା ଦେବ। ସେହି କଣ୍ଢେଇଟା ଆଣି କଚାଡି ଦେବାକୁ ଇଚ୍ଛା ହେଉଥିଲା। ବଡ଼ ଉସୁପୁସୁ ହେଇ ବସିଥାଏ ମୁଁ।
ଧର୍ମ ଚାଉଳ, ବଡ଼କୁନି !!!
ଏଇଟା ନିଶ୍ଚେ ଭାସିବ ତ। ମୋର ଛାତି ଫାଟିଯିବା ଉପରେ। ବାହାରେ ଏତେ ଖରା ଅଥଚ ମୁଁ ଥରିଲିଣି ପୁଷ୍‌ମାସିଆ ଶୀତ ପରି।
ଟୁପୁସ୍ ,
ହେଁ? ଏଇଟା ବି ବୁଡ଼ିଗଲା? ମୋର ନିଶ୍ଵାସରେ ନିଶ୍ଵାସ ଆସିଲା। ଆଃ, ଠାକୁରେ ମୁଁ କାଲି ଶହେ ଆଠ୍ ମୁଣ୍ଡିଆ ମାରିବି। ତେବେ ବୁଡ଼ିଲା କାହିଁକି? ଚୋରୀ ତ ମୁଁ କରିଛି ଦୁଇଦିନ। ଏତିକି ତର୍ଜମା କରିବା ଆଗରୁ ଭନି(ସାନ ଭଉଣୀ) ଭେଁ କିନା କାନ୍ଦି ଉଠିଲା।
-‌ “କାକା ଗୋ, ଏ କାକା, ମୋର୍ ନାମ୍‌ରେ ଧର୍ମ ଚାଉଳ ପକାଅ ନାଇଁ ଗୋ କାକା। ଚୁରି ମୁଇଁ କରିଛେଇଁ ଗୋ। ଅଢ଼େଇ ଟଙ୍କା। ମୋର ସାଙ୍ଗ ପୁରୁଣିର ଅଙ୍କ ବହି ନାଇଁନି। ତାର୍ ବାପାର୍ ପଇସା ବି ନାଇଁନି। ସିଏ ରୋଜ୍ ହାଣ୍ଟଉଛି, ରୋଜ୍ ମାଡ଼୍ ଖାଉଛି ଅଙ୍କ ମାଷ୍ଟର୍ ପାଖରୁ। ତାର୍ ପାଇଁ ବହି କିଣବାର୍ ନାଗି ମୁଁ ବାପାର୍ ଜେବ୍‌ରୁ ପଇସା ନେଇଥିଲି। ଆଉ କେଭେ ଏମ୍‌ତି କରବି ନାଇଁ ଗୋ କାକା।”
ଲୁହ ଛେପ ଏକାକାର କରି କାନ୍ଦୁରା ସ୍ଵରରେ କହି ଲାଗିଥାଏ ସେ। ମୋର ଭନି। ଆମର ସାନକୁନି। ମୋର ଇଆଡେ ବାରଣ୍ଡା ଦିକଡ଼ା ହେଲାଣି।
ମୁଁ ତା କାନ୍ଦ ଜମା ସହି ପାରେ ନାହିଁ। କେହି ସହି ପାରୁ ନାହିଁ। ବଡ଼ ଗେହ୍ଲେଇ ସେ ଆମ ଘରର। କୋଡ଼ପୋଛା। ମୁଁ ତାକୁ କୁଣ୍ଢେଇ ଧରିଲି।
-‌ “କାନ୍ଦ୍ ନାଇଁ ଗୋ ଭନି। ଗୁଟେଇ ଚାରଣୀ ଆଉ ଗୁଟେଇ ଆଠଣୀ ମୁଇଁ ବି ନେଇଥିଲି। କାକା ଗୋ, ମୋତେ ବି ମାର।”
କାକା କିନ୍ତୁ କାହାକୁ ବି ମାରି ନଥିଲେ। ସେ ଆମ ଚାରି ଭାଇ ଭଉଣୀଙ୍କୁ ତାଙ୍କର ଲମ୍ବା ଗାନ୍ଧୀମାର୍କା ହାତରେ ଆଙ୍କୁଡେ଼ଇ ଧରିଥିଲେ। ତାଙ୍କ ଆଖିରୁ କେଜାଣି ଲୁହ ଦିଟୋପା ମୋର ଗାଲରେ ପଡ଼ିଲା କି କଣ? ଓଦା ଓଦା ଲାଗିଲା ଗାଲଟା।
ଆଉ ଆମଘରୁ କେବେ ଚୋରି ହେଇନାହିଁ। ପୁରୁଣି ପାଇଁ କିନ୍ତୁ ଫି ବର୍ଷ କାକା ବହିଖାତା କିଣି ଦେଉଥିଲେ।


ଲେଖିକାଙ୍କର ଜନ୍ମସ୍ଥାନ ବିଚ୍ଛିନ୍ନାଞ୍ଚଳର ଷଢେ଼ଇକଳା ଜିଲ୍ଲାରେ। ତାଙ୍କର ଆଦ୍ୟ ଜୀବନ ମଧ୍ୟ ବିତିଛି ସେଠାରେ। ତେଣୁ ଏହି ଅନୁଭୂତି ବୃତ୍ତାନ୍ତରେ ଥିବା କଥୋପକଥନରେ ଷଢ଼େଇକଳିଆ ଭାଷାର ପ୍ରୟୋଗ ହୋଇଛି। ସମ୍ପାଦକ

3 thoughts on “ଧର୍ମ ଚାଉଳ

  1. ବାଃ, ଚମତ୍କାର ଢଙ୍ଗରେ ଉପସ୍ଥାପିତ ହୋଇଛି। ଆଖି ତଳକୁ ତଳ ପହଁରି ପହଁରି ଗଲା ଯେମିତି। ଖୁବ୍ ପ୍ରଭାବଶାଳୀ ଓ ଏହାର ଗୁଣବତ୍ତା ମଧ୍ୟ ଅନନ୍ୟ।

  2. ଅନ୍ତରଙ୍ଗ ଅନୁଭୂତି, ଖୁବ ମର୍ମସ୍ପର୍ଶୀ

Leave a Reply

Your email address will not be published. Required fields are marked *