ସର୍ବଗିଳା ଆଆଁ

କାଳର ସର୍ବଗିଳା ଆଆଁ, ଲିଭାଇ ଦିଏ ସବୁ ନାଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ନ ଥାଇ ଜୀବନାନୁରାଗ
କଥାକୁ କହିବାର ବାଗ
ବୋଲାଏ ଯେଉଁଠି କବିତା
ସେଠାରେ ଲୋଡ଼ା ନିରବତା

ସାହିତ୍ୟ ସେବା ନାମ ନେଇ
ଯେ ଯାହା ଇଚ୍ଛା କରିଦେଇ
ଯାଆଂତି ଏ ଭୂଇଁରେ ଖସି
ସଭିଏଁ ପ୍ରସିଦ୍ଧି-ପ୍ରୟାସୀ

କବିଂକ ଅତି ଯଶ-ପ୍ରୀତି
ଯୋଗୁଁ ହୁଏ ଭାଷାର କ୍ଷତି
ଅଧିକ ବଚନ ବିଳାସୀ
ସ୍ବକଂଠେ ଭାଷା ଦିଏ ନାଶି

ସାହିତ୍ୟ ଏବେ ବି ବାଚିକ
ହେବାରୁ ଅନେକ ଲେଖକ
ଯୋଡ଼ି ନ ଜାଣଂତି ଅକ୍ଷର
ସର୍ବଦା ହୁଅଂତି ମୁଖର

ଏପରି ଲେଖକଂକ ଗୋଷ୍ଠୀ
କରେ ଯାହା କିଛି ବି ସୃଷ୍ଟି
ତହିଁରେ ଭାବର ଅଭାବ
ଲୋକେ କରଂତି ଅନୁଭବ

ଲେଖକେ ଏକ ଠାବେ ରୁଂଡ
ହୋଇ କରିଲେ ପାଟିତୁଂଡ
ତାହା ବୋଲାଏ ଆଲୋଚନା
ଭାଷା ସମ୍ମାନ ହୁଏ ଊଣା

କାଳର ସର୍ବଗିଳା ଆଆଁ
ଲିଭାଇ ଦିଏ ସବୁ ନାଆଁ
କେହି ତ ନୋହୁଁ ଚିରଂଜୀବୀ
ସର୍ବେ ଏ ସତ୍ୟ ଅନୁଭବୀ

ଉତ୍‌ଥାନ ବେଳକୁ ଆନଂଦ
ପତନ ବେଳକୁ ବିଷାଦ
ଅନୁଭବ କରିଲେ ବ୍ୟକ୍ତି
ବୁଝିବା ସେ ହିଁ ମୂଢ଼ମତି

ଉଦୟ ସଂଗେ ଯୋଡ଼ା ଅସ୍ତ
ଦୁହିଂକୁ କରିଲେ ସ୍ବାଗତ
ଜୀବନ ହୁଏ ସୁଖମୟ
ଚିଂତିଲେ ଘଟେ କାଳ କ୍ଷୟ

Leave a Reply

Your email address will not be published. Required fields are marked *