ମୁଁ ଓଡ଼ିଆ କହୁଛି

ଓଃ, ଏତକ ଓଡ଼ିଆରେ କହିଥିଲେ କ’ଣ ଚଳିନଥାନ୍ତା ! ତମେ କେତେ ବଦଳିଗଲଣି।

ଡା. ଅଭୟ ଦାଶ

(କବିଙ୍କ ପଢ଼ାଘର। ଟେବୁଲ ଚୌକି ସଜାହୋଇଛି। କମ୍ପ୍ୟୁଟରରେ ଟାଇପ୍ କରିବାକୁ ଚେଷ୍ଟା କରୁଛନ୍ତି।
ନେପଥ୍ୟରୁ …)
କଣ ଗୁଡ଼ାଏ ଲେଖୁଛ?

କବି – କିଏ? କିଏ ତୁମେ ଅଶରୀରୀ?
ଓଡ଼ିଆ – ହୁଁ ! ଅଶରୀରୀ? ଅଶରୀରୀ ନୁହେଁ, ମୁଁ ତୁମ ଓଡ଼ିଆ ଭାଷା। ତୁମରି ମନ ମସ୍ତିଷ୍କରେ ବସାବାନ୍ଧି ରହିଛି ଅନେକ ଦିନରୁ।
ଓଡ଼ିଆ – ଲେଖ କଣ ଲେଖୁଛ, ଲେଖିଚାଲ !
କବି – କବିତା ! କବିତା ଲେଖିବାକୁ ଚେଷ୍ଟା କରି ହାରିଯାଉଛି। ଶବ୍ଦମାନେ ଧରା ଦେଉନାହାନ୍ତି, କବିତା ମୋ ଠାରୁ ଦୂରେଇଯାଉଛି!
ଓଡ଼ିଆ – କିଛି ନୂଆ ଅନୁଭବ ନେଇ, ଲେଖିଚାଲ। ମୁଁ ଅଛି ତୁମ ସାଙ୍ଗରେ।
କବି – ହଁ ଅନୁଭବ ତ ଅନେକ ! ହେଲେ ମୋ ଭାବନାକୁ ବାଟମାରଣା କରିନେଉଛି ଏ ଯାନ୍ତ୍ରିକ ସଭ୍ୟତା। ଲେଖିବାକୁ ଚାହୁଁଛି କଣ? ଲେଖୁଛି କଣ? ସନ୍ଦେହ ଅବିଶ୍ବାସ, ମୋତେ ପାଗଳ କରିଦେବନାହିଁ ତ?
(ମୋବାଇଲ ଘଣ୍ଟି ସହ ସୋସିଆଲ ମେଡିଆର ପ୍ରବେଶ।)
ଓଡ଼ିଆ – ଆପଣ ! ଆପଣ ଏଠି?
ସୋସିଆଲ – ହଁ ଆଜ୍ଞା ! ଆମେ ସବୁଠେଇଁ।
କବି – କିଏ? କିଏ ଆପଣ?
ଓଡ଼ିଆ – ସୋସିଆଲ ମେଡିଆ ଆଜ୍ଞା। ଏମାନେ ହେଲେ ଗୁଜବ ବଜାରର ହୋଲ୍ ସେଲ୍ ବ୍ୟବସାୟୀ।
କବି – ହଁ ଏମାନଙ୍କ ହାତରେ ସମସ୍ତ ପ୍ରଚାର ମାଧ୍ୟମର କଣ୍ଟ୍ରୋଲ। ମୁହୂର୍ତ୍ତରେ କେଉଁ କଥା ନେଇ କେଉଁଠି ଥୋଇଦେବେ।
ଓଡ଼ିଆ – ଓଡ଼ିଆ ମରିବାକୁ ରେଡ଼ି ହୋଇ ଚାହିଁଛି ବୋଲି ପ୍ରଚାର କରି ଏକ ଭୟର ବାତାବରଣ ସୃଷ୍ଟି କରିବା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଆଜିକାଲି।
କବି – ତାହାରି ସୁବିଧା ନେଇ ଏ ଯନ୍ତ୍ରଗୁଡ଼ା ଆମ କଥା ମାନିବାକୁ ନାରାଜ। ଆମେ କ ଲେଖିଲେ ସିଏ ଲେଖୁଛନ୍ତି ବ। ଆମେ ଲେଖକେ ବଦନାମ।
ମେଡିଆ – ସାର୍ ଆମେ ତ କହିବୁ ! ଆପଣଙ୍କ ବେପାର ଆପଣ ବୁଝିବେ ନା ଆଉ କିଏ ଦେଖିବ?
ଓଡ଼ିଆ – ମନେ ଅଛି କି, କି ଦିନ ଆମେ ନ ଦେଖିଛୁଁ! କେତେ ପୁତନା ଆମକୁ ବିଷାକ୍ତ ଖିର ଖୁଆଇ ହତ୍ୟା କରିବା ଆଶା ପୋଷଣ କରିଥିଲେ। ପାରି ନାହାନ୍ତି। ଆଜି ସିଏ ଅଛନ୍ତି, ଆମେ ବି ଅଛୁଁ।
କବି – କବିତାମାନେ ଧରା ଦେଉ ନ ଥିବା କ୍ଷୋଭର ବିଷୟ।
ଓଡ଼ିଆ – କିଛି କ୍ଷୋଭ ନାହିଁ ଆଜ୍ଞା! ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ସାରଳା ଦାସଙ୍କଠାରୁ ବ୍ରଜନାଥ ବଡଜେନା, ସଚି ରାଉତରାଏ, ରମାକାନ୍ତ ରଥ, ଅକ୍ଷୟ ମହାନ୍ତି ପର୍ଯ୍ୟନ୍ତ ମୁଁ ସମସ୍ତଙ୍କ ସହ ହାତ ମିଳାଇ ଚାଲିଆସିଛି। କାଲି ଥିଲି ଭିନ୍ନ ରୂପରେ, ଆଜି ଅଛି ଅନ୍ୟ ରୂପରେ।
ମେଡିଆ – ଲେଖିଚାଲ କବି। ଆମେ ଅଛୁଁ ନା ! ମାର୍କେଟିଂ ଦାୟିତ୍ୱ ଆମର। କଣ କହୁଛନ୍ତି ଓଡ଼ିଆ?
ଓଡ଼ିଆ – ଠିକ୍ କଥା ! ଲେଖିଚାଲ ଆମେ ଅଛୁ। ହମ୍ ହୈ ନା !
କବି – ଓଃ,ଏତକ ଓଡ଼ିଆରେ କହିଥିଲେ କ’ଣ ଚଳିନଥା’ନ୍ତା! ତମେ କେତେ ବଦଳିଗଲଣି।
ଓଡ଼ିଆ – କବି, ତମେ ବି ବଦଳିଯାଅନା!
କବି – ବଦଳିଯିବି? ହେ, ପ୍ରଭୁ!
(କବି କମ୍ପ୍ୟୁଟର ଛାଡି କଲମ କାମୁଡ଼ି ବସିଛନ୍ତି।)
(ମଞ୍ଚ ଅନ୍ଧାର)
(ମ୍ୟୁଜିକ୍ – “ଯେ ଜାତି ବୋଇତ ଭସାଏ ସାତ ସମୁଦର ତେର ନଈରେ, ସେ ଜାତିକୁ ହତଭାଗା ବୋଲି ଏଡ଼େ ଛାତି କାର ଯିବ କହି ରେ?”)

One thought on “ମୁଁ ଓଡ଼ିଆ କହୁଛି

Leave a Reply

Your email address will not be published. Required fields are marked *