ବସ୍ତ୍ରହରଣ

“ପାଞ୍ଚାଳୀ ମୁଁ , ଆପଣଙ୍କ ସମନ ପାଇ ଆସିଅଛି ଧାଇଁ ଧାଇଁ।”

ଡାକ୍ତର ଅଭୟ ଦାଶ

(ଇ.ଡି ଅଫିସ୍। ଡାଇରେକ୍ଟର ମହୋଦୟ ଓ ଅଫିସର ଦୁଃଶାସନ ବାବୁ ବସିଛନ୍ତି। ପାଞ୍ଚାଳୀଙ୍କ ପ୍ରବେଶ।)

ପାଞ୍ଚାଳୀ – ନମସ୍କାର ମହାଭାଗ ।
ଡାଇରେକ୍ଟର – (ପାଞ୍ଚାଳୀଙ୍କୁ ଚାହିଁ) ଆପଣ?
ପାଞ୍ଚାଳୀ – ପାଞ୍ଚାଳୀ ମୁଁ, ଆପଣଙ୍କ ସମନ ପାଇ ଆସିଛି ଧାଇଁ ଧାଇଁ।
ଡାଇରେକ୍ଟର – ଆମ ପାଖରେ ମିଳିଥିବା ସାକ୍ଷ୍ୟ ପ୍ରମାଣରୁ ଜଣାଯାଏ, ଆପଣଙ୍କର ଆୟବହିର୍ଭୁତ ସମ୍ପତ୍ତିର ଯଥେଷ୍ଟ ସଂଧାନ ମିଳିଛି; ଯାହା ଆପଣଙ୍କ ମାଟିତଳ ସମ୍ପର୍କ, ମାନେ ଅଣ୍ଡରଗ୍ରାଉଣ୍ଡ କନେକ୍ସନ ଉପରେ ସନ୍ଦେହ ଉଜାଗର କରିଛି। ଆପଣ ନିଜ ପକ୍ଷରୁ କି ସଫେଇ ଦେବେ?
ପାଞ୍ଚାଳୀ – ଜୀବନରେ କାହାକୁ ସଫେଇ ଦେବା ମୋର ଅଭ୍ୟାସ ନୁହେଁ।
ଦୁଃଶାସନ – ସଫେଇ ତ ଦେବାକୁ ହେବ; ଯାହା ସରକାରୀ ସାକ୍ଷୀ ସତ୍ୟାର୍ପଣ କରିଛନ୍ତି ।
ପାଞ୍ଚାଳୀ – କଣ ଭାବିଛନ୍ତି କି ଆପଣ? କି ପୁଲିସ ଚାକିରି କଲେ ଯେ, ଆପଣ ସତରେ ଦୁଃଶାସନ ହୋଇଗଲେ ! ଦ୍ରୌପଦୀର ବସ୍ତ୍ରହରଣ କରିଦେବେ, ଏ ଭରା ଇ.ଡି ସଭାରେ?
ଡାଇରେକ୍ଟର – ଶୁଣନ୍ତୁ ମାଡାମ୍ ! ସିଧା କଥା ଏ ଟଙ୍କା, ଏ ବସ୍ତ୍ର, କାଞ୍ଜିଭରମ୍ , ବନାରସୀ , ବରହମପୁରୀ ପାଟ ସବୁ ଆସିଲା କେଉଁଠୁ?
ଦୁଃଶାସନ – ଏ ସମସ୍ତ ଶାଢ଼ୀ ଜବତ କରାଯାଇ ତାହାର ମୂଲ୍ୟାଙ୍କନ କରାଯିବାରୁ ଏହା ଅନ୍ୟୁନ ସତର କୋଟି ଟଙ୍କାର ଅନୁମାନ କରାଯାଏ।
ଡାଇରେକ୍ଟର – ଧୈର୍ଯ୍ୟ ଧର ଦୁଃଶାସନ । ମାଡାମଙ୍କ ପୁରା ଫାଇଲ ପେସ୍ କର। ସମସ୍ତ କନ୍ଫିସକେଟେଡ୍ ଗୁଡ୍ସ ପ୍ରସ୍ତୁତ କର କୋର୍ଟ ସମ୍ମୁଖରେ।
ଦୁଃଶାସନ – ମାଡାମ୍ ଆପଣ ନିଜେ ଚେକ୍ କରି ଦେଖିନିଅନ୍ତୁ। ଆପଣଙ୍କ ଆଗରେ ଗଣିସାରି ଆମେ ସିଲ୍ କରିବୁ।
ଡାଇରେକ୍ଟର – ଦେଖନ୍ତୁ ଆପଣଙ୍କ ବିରୁଦ୍ଧରେ ଆସିଥିବା ଆରୋପ ଅନେକ। ମାନ୍ୟବର କୋର୍ଟ ଚାହାନ୍ତି, ଶୀଘ୍ର ରିପୋର୍ଟ ଦେବାକୁ ହେବ।
ପାଞ୍ଚାଳୀ – ଆପଣ ଜାଣି ଜାଣି ଜଣେ ମହିଳାର ଚରିତ୍ର ହନନ କରୁଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବି। ମହିଳା କମିଶନକୁ ଘୋଷାଡିବି। ଜଣେ ମହିଳାଙ୍କ ପ୍ରତି ଅସଦବ୍ୟବହାର! ଦ୍ରୌପଦୀର ବସ୍ତ୍ର ହରଣ ହେଉଛି, ଅଥଚ ଏ ସରକାର ହୋଇଛନ୍ତି ନୀରବଦ୍ରଷ୍ଟା ।
ଦୁଃଶାସନ – ମାଡାମ୍ ସେଥିପାଇଁ କହୁଛୁ , ଆପଣ ଚେକ୍ କରିନିଅନ୍ତୁ କେତେଖଣ୍ଡ ବସ୍ତ୍ର ଅଛି। କେତେଖଣ୍ଡ ବସ୍ତ୍ରହରଣ ହୋଇଛି?

(ପତ୍ରକାରଙ୍କ ପ୍ରବେଶ )
ପତ୍ରକାର – (ଡାଇରେକ୍ଟରଙ୍କୁ ଚାହିଁ) ଆମେ ଶୁଣିବାକୁ ପାଇଲୁ ଆପଣଙ୍କ ଅଫିସରେ ଜଣେ ମହିଳାଙ୍କ ବସ୍ତ୍ରହରଣ ହୋଇଛି । ଆଶା ଆପଣମାନେ ମହାଭାରତ ସିରିୟଲ ଦେଖିଛନ୍ତି? ବସ୍ତ୍ରହରଣର ରାଜନୈତିକ ଫଳାଫଳ ଯାହାହୁଏ ଆପଣ ଜାଣନ୍ତି?
ଡାଇରେକ୍ଟର – ଆଜ୍ଞା ! ୟୁ ଆର୍ ଟକିଂ ଟୁ ଡାଇରେକ୍ଟର, ଇ.ଡି। ଏପରି ମିଛ ଆରୋପକୁ ଆପଣମାନେ ପ୍ରଶ୍ରୟ ଦେବା ଉଚିତ କି? ବିହେବ୍ ରେସ୍ପନସିବ୍ଲି।
ଦୁଃଶାସନ – ଦେଖନ୍ତୁ ଆଜ୍ଞା, ଆମେ ଯଦି ତାଙ୍କ ବସ୍ତ୍ର ହରଣ କରି ଥାଆନ୍ତୁ ସି.ସି.ଟି.ଭି ଫୁଟେଜ୍ ଦେଖନ୍ତୁ। ମାଡାମ୍ କହିବା କଥା ତାଙ୍କର ପାଞ୍ଚ କୋଟି ଟଙ୍କାର ଶାଢୀ ତହଖାନାରୁ ହରଣ ହୋଇଯାଇଛି।
(ଅଡିଆନ୍ସ କୁ ଚାହିଁ )
ପତ୍ରକାର – ସରିଗଲା ! ଏ ଷ୍ଟୋରୀରେ ମଜା କାହିଁ? ଟିକିଏ ମୋଲେଷ୍ଟେସନ୍ ସିନ୍ କ୍ରିଏଟ୍ କରି ପାରିଲେନି ! କି ବେପାର ଚାଲିବ ଏଥିରେ? ଛାଡ ! କି ଯୋଗ ରେ ରାତି ପାହିଥିଲା।
(ମଞ୍ଚ ଅନ୍ଧାର )

ଦ୍ବିତୀୟ ଦୃଶ୍ୟ

କୋର୍ଟ ରୁମ୍। ବସିଛନ୍ତି ଜଜ୍ ସାହେବ।

ଜଜ୍ – ଅର୍ଡର ଅର୍ଡର ! କୋର୍ଟ କାର୍ଯ୍ୟ ଆରମ୍ଭ ହେଉ।
ପବ୍ଲିକ ପ୍ରସିକ୍ୟୁଟର – ମି ଲର୍ଡ୍ ଆଜିର ପ୍ରଥମ କେଶ୍ ପାଞ୍ଚାଳୀ ଦେବୀ ଭର୍ସେସ୍ ଷ୍ଟେଟ୍ ଅଫ୍ ଓଡ଼ିଶା।
ଜଜ୍ – (ପାଞ୍ଚାଳୀଙ୍କ ଓକିଲ ଆଡକୁ ଚାହିଁ ) ୟେସ୍ ପ୍ରୋସିଡ୍ ।
ଓକିଲ – ମି ଲର୍ଡ, ମୋ ମହକିଲ ମାଡାମ୍ ପାଞ୍ଚାଳୀ ଜଣେ ଆଭିଜାତ୍ୟ ସମ୍ପନ୍ନ ମହିଳା, ଯାହାଙ୍କର ରାଜନୀତିରେ ଦଖଲ ଅଛି । ଷ୍ଟେଟ୍ ସ୍ପନସର୍ଡ ମେଡିଆ ହାଉସ୍ ମାନଙ୍କ ଦାଉରେ ସିଏ ବାହାରେ ମୁହଁ ଦେଖାଇବାକୁ ଅକ୍ଷମ ।
ଜଜ୍ – କଣ ହେଲା? କାହିଁକି ଅକ୍ଷମ?
ଓକିଲ – ମେଡିଆ, ପ୍ରଚାର ମାଧ୍ୟମ ସମସ୍ତେ କହନ୍ତି ତାଙ୍କର ବସ୍ତ୍ରହରଣ ହୋଇଛି। “ମହାଭାରତ ସିରିୟଲ ଦ୍ରୌପଦୀ ଚିରହରଣ ସିନ୍” ଦ୍ରଷ୍ଟବ୍ୟ !
ସରକାରୀ ଓକିଲ – ମିଲର୍ଡ୍ ପାଞ୍ଚାଳୀ ଦେବୀ ନିଜର ରାଜନୈତିକ କ୍ଷମତାର ଅପବ୍ୟବହାର କରି, ମାଟିତଳିଆ, ମାନେ ଅଣ୍ଡରଗ୍ରାଉଣ୍ଡ କନେକସନ ଯୋଗୁ ସ୍ଥାବର ଅସ୍ଥାବର ସହ, ଫରେନ୍ ଲିକର, କଣ୍ଟ୍ରାବାଣ୍ଡ ସହ ସତର କୋଟି ଟଙ୍କାର ଶାଢ଼ୀ ରଖିଥିବା ଇ.ଡି, ସି.ବି.ଆଇଙ୍କ ନଜରକୁ ଆସିଛି ।
ଜଜ୍ – ପ୍ରୋସିଡ୍
ଓକିଲ – ଅବ୍ଜେକ୍ସନ ୟୋର ଅନର ।
ଜଜ୍ – ଅବଜେକ୍ସନ ସସ୍ଟେଣ୍ଡ୍ ।
ଓକିଲ – ସରକାରୀ ମେଡିଆ ମୋ ମହକିଲଙ୍କ ବସ୍ତ୍ରହରଣକୁ ଦ୍ରୌପଦୀ ବସ୍ତ୍ରହରଣ ରୂପଦେଇ ପ୍ରଚାର କରନ୍ତି, ଯାହା ମୋ ଦେଶର ମା ଭଉଣୀଙ୍କ ମାନ ସମ୍ମାନ ଉପରେ ଆଞ୍ଚ ଆଣିଛି। ଏହା ପାର୍ଲିଆମେଣ୍ଟର ବିଶେଷାଧିକାର କମିଟି ନିକଟରେ ଉପସ୍ଥାପନ କରାଯାଇ ସମୁଚିତ କାର୍ଯ୍ୟଗ୍ରହଣ କରାଯାଉ।
ସରକାରୀ ଓକିଲ – ମି ଲର୍ଡ ! ପାଞ୍ଚାଳୀ ଦେବୀ ରାଜନୈତିକ ଲାଭପାଇଁ ଏପ୍ରକାର ପ୍ରଚାରର ସୁତ୍ରପାତ କରାଇଥିବା ସି.ବି.ଆଇ, ଇ.ଡି ସୁତ୍ରରୁ ଜଣାଯାଇଛି, ଓ ସେ ନିଜ ନାମର ଫାଇଦା ଉଠାଇବାକୁଯାଇ ପାଞ୍ଚାଳୀ ସ୍ଲାସ୍ ଦ୍ରୌପଦୀକୁ ବ୍ୟବହାର କରିଛନ୍ତି।
ଜଜ୍ – ଏଇଟା ତ ବୁଝିଲୁ । ସେ ବସ୍ତ୍ର ହରଣ ସପକ୍ଷ ବିପକ୍ଷରେ ଆପଣଙ୍କ ନିକଟରେ କିଛି ତର୍କ ଅଛିକି? ଏହା ଏକ ସମ୍ବେଦନଶୀଳ ପ୍ରଶ୍ନ ହୋଇଥିବାରୁ ସି.ବି.ଆଇ ରିପୋର୍ଟ କୋର୍ଟରେ ପ୍ରସ୍ତୁତ କରାଯାଉ।
ସରକାରୀ ଓକିଲ – ମି ଲର୍ଡ୍ ସମସ୍ତ ରିପୋର୍ଟ ଆମର ହସ୍ତଗତ ହୋଇଛି। ପାଞ୍ଚାଳୀଙ୍କର କହିବା କଥା, ତାଙ୍କର ପାଞ୍ଚ କୋଟି ଟଙ୍କାର ଶାଢ଼ୀ ଚୋରି ହୋଇ ଯାଇଛି, ଯାହାକୁ ଆମ ବିରୋଧୀ ମେଡିଆ ବସ୍ତ୍ର ହରଣ ଆଖ୍ୟାଦେଇ, “ଦ୍ରୌପଦୀ ର ବସ୍ତ୍ର ହରଣ” ରୂପେ ପ୍ରଚାର କରିଛନ୍ତି। ସେଥିରେ ଅଗ୍ରଣୀ ଭୁମୀକା ନେଇଥିବା, “ବକବାସ୍ ଟିଭି”କୁ ବ୍ଲାକଲିଷ୍ଟ କରିବାକୁ ନିର୍ଦ୍ଦେଶ ଜାରି କରିବାକୁ ମାନ୍ୟବର କୋର୍ଟ ଙ୍କୁ ଅନୁରୋଧ କରାଯାଉଛି।
(ଜଜ୍ ଫାଇଲରେ କାଗଜ ଓଲଟାଇ, ଉପରକୁ ଚାହିଁ)
ଜଜ୍ – ଉଭୟ ପକ୍ଷରୁ ଓକିଲ, ସି.ବି.ଆଇ, ଇ.ଡି ଙ୍କ ରିପୋର୍ଟ ଅନୁଧ୍ୟାନ କରି,କୋର୍ଟ ଶକ୍ତ ଟିପ୍ପଣୀସହ ବକବାସ୍ ଟିଭିକୁ ବ୍ଲାକଲିଷ୍ଟ କରିବା ସହ ପାଞ୍ଚାଳୀଙ୍କୁ ମିଛ ମକଦମା ପାଇଁ ପଚାଶହଜାର ଟଙ୍କା ଜୋରିମାନା ଓ ଛଅ ମାସ ସିମ୍ପଲ ଇମ୍ପ୍ରିଜିନ୍ମେଣ୍ଟ ଆଦେଶ ଦେଉଛି। ପାଞ୍ଚାଳୀ ଚାହିଁଲେ ନିଜର ନାମ ପରିବର୍ତ୍ତନ କରି ପାରନ୍ତି। ଆଜି ପାଇଁ କୋର୍ଟ ମୁଲତବି ରହିଲା।
(ଜଜ୍ ଉଠିଲେ। )

ମଞ୍ଚ ଅନ୍ଧାର।
ମ୍ୟୁଜିକ୍: ଏତ କଳିକାଳ ରୀତି ବିପରୀତ ଭାଇରେ …

3 thoughts on “ବସ୍ତ୍ରହରଣ

  1. ଧନ୍ୟ କହିବା ଡ. ଅଭୟ ଦାଶ ଙ୍କୁ। କେଉଁଠୁ ଯଦି ସାମ୍ପ୍ରତିକ ବିଷୟରେ ସାମାନ୍ୟତମ ଖବର ମିଳିଛି ତ, କଲମ ତାଙ୍କର ଚାଲିଲା। ବ୍ୟଙ୍ଗ ରଚନା ଓ ନାଟକ ଲେଖିବାରେ ସେ ସିଦ୍ଧହସ୍ତ।
    ଧନ୍ୟବାଦ ଅଭୟ। ଲେଖିଚାଲନ୍ତୁ।

Leave a Reply

Your email address will not be published. Required fields are marked *