ଓଡ଼ିଆ ପୁଅର ବିଜନେସ୍ ମଡେଲ୍

ମୃତ୍ୟୁଟା ହେଲା ବହୁତ ପାୱାରଫୁଲ୍ ଇଭେଣ୍ଟ ।

ଡାକ୍ତର ଅଭୟ ଦାଶ

ଓଡ଼ିଆ ମାନେ ନୌବାଣିଜ୍ୟରେ ଧୁରନ୍ଧର ଥିବା ଆମେ ଶୁଣିଆସିଛୁ। ତଅପୋଇର କାହାଣୀ ସହ ଖୁଦୁରୁକୁଣି ଓଷା ଆମ ସଂସ୍କୃତିର ଏକ ଜ୍ଜ୍ୱଳନ୍ତ ଚିତ୍ରଣ ବୋଲି କହିପାରନ୍ତି। ଆମ ସାଧବ ପୁଅମାନେ ଘର ଛାଡି ମାସ ମାସ ଧରି ପାଲଟଣା ଜାହାଜରେ ବିଦେଶ ଯାତ୍ରା କରୁଥିଲେ, ବିଜନେସ୍ କାମରେ। ମାନେ, ଟ୍ରେଡିଂ କାମରେ। ଏଠିକା ମାଲ ସେଠି, ସେଠିକା ମାଲ ଏଠି। ଏହି ଥିଲା ବ୍ୟବସାୟ। ପର ଦେଶରେ ନିଜକୁ ବଞ୍ଚାଇ, ସେ ଦେଶର ଖାଦ୍ୟ ପାନୀୟକୁ ଆପଣାର କରି ଚଳିବାକୁ ହେଉଥିବ। ଜାହାଜକୁ କୁଳରେ ଲଗାଇ ସହର ଜନପଦ ମଧ୍ୟରେ ବୁଲିବାକୁ ହୋଇଥିବ। ନିଜକୁ ବଞ୍ଚାଇବାର ମୁଳ ହେଲା ପେଟ। ରୋଷେଇ କରିବା ସବୁ ସମୟରେ ସମ୍ଭବ ହୋଇ ପାରୁ ନଥିଲେ, ବଜାର ଉପରେ ନିର୍ଭର କରିବାକୁ ହେଉଥିବ।
ଖାଦ୍ୟ ପଦାର୍ଥ ଯୋଗାଉଥିବା ଦୋକାନକୁ ହୋଟେଲ କହୁଥିବେ ବୋଲି ଆମେ ଅନୁମାନ କରୁଥିଲୁ। ଆମେ ଛୋଟ ଥିଲାବେଳେ ହୋଟେଲର ଯେଉଁ ଅବୟବ ଦେଖିଛୁ ଆମ ବିରିଡି ହାଟରେ, ଗୋଟିଏ ଚାଳିଆ ଘରେ ବାଉଁଶ ଖୁଣ୍ଟ ଉପରେ ଗୋଟାଏ ଟିଣ ପଟା ଉପରେ ଚୁନ କି ଚକ୍ ଖଡିରେ ଲେଖାଥିବ ଠାକୁର ଠାକୁରାଣୀ ଯଥା ନୀଳକଣ୍ଠ, ଜଗନ୍ନାଥ, ମଙ୍ଗଳା, ନାରାୟଣୀ ଅବା ଅନ୍ନପୂର୍ଣା ହୋଟଲ। ସେଇଥିରୁ ଆମେ ବୁଝିଯାଉ ଏଠି ବରା, ପିଆଜି, ପୁରି, ତରକାରୀ, ରସଗୋଲା ,ଛେନା ଗଜା, ଆଦି ସହ ଭାତ, ଡାଲି, ତରକାରୀ, ମାଛଭଜା ଆଦି ମିଳିବ। ହାଟରେ ବରା ତରକାରୀ ଖାଇ ଆସିଲେ ଜେଜେ ବାପା ପଚାରନ୍ତି, କଣ ଖାଇଲୁ? ବରା ସାଙ୍ଗକୁ ତରକାରୀ କହିଲେ କହନ୍ତି, ବାହ୍ମୁଣ କଣ ବାହାର ଲୋକଙ୍କ ହାତରୁ ତରକାରୀ ଖାଆନ୍ତି? ଆଉ ଖାଇବୁନି। ବରା ସାଙ୍ଗକୁ ରସଗୋଲା ଖାଇବୁ। ହଉ ହେଲା ରସଗୋଲା ବି ଚଳିବ, ଆଉ ଅଧିକ ଚାରେଣା ପଇସା, ଜେଜେଙ୍କ ଠାରୁ ଆଦାୟ କରୁ। ସହରକୁ ଗଲା ବେଳକୁ କଟକର ସାଉଥ ଇଣ୍ଡିଆନ୍ ହୋଟେଲ , ବକ୍ସି ବଜାରର କାଳିକା ହୋଟେଲ, ମେଡିକାଲ ଛକର ଜୟଦୁର୍ଗା ହୋଟେଲ, ସବୁଠେଇଁ ଭାତ ଡାଲି ମାଛ ମାଂସ ତରକାରୀ ଦୋଶା, ଇଡଲି, ଉପମା ସହ ପରିଚିତ ହେଲୁ।

ବଡ ସହର ମହାନଗରରେ ବଡ ହୋଟେଲ କଥା ଅଲଗା। ସେଠି ରାତି ହୁଏନି। ରାତି ମାନେ ସେ ହୋଟେଲମାନେ ପ୍ରାଣବନ୍ତ ହୋଇ ଉତ୍ସବ ମୁଖର ହୋଇ ଉଠନ୍ତି। କେଉଁଠି, “ସାଗର ସେ ସୁରାହି ଟକରାଏ, ବାଦଲ କୋ ପସିନା ଆ ଯାଏ” ଗୀତ୍, ଗଜଲ୍, କଥକ ‘ଘୁଙ୍ଗରୁକି ଆୱାଜ’ରେ ମତୱାଲା ହୋଇ ଉଠେ ହୋଟେଲର ଅ଼ଂଶ ବିଶେଷ, ତ ଆଉ କେଉଁଠି ଶୁଣାଯାଏ ସାହାନାଇ ଧୁନ୍ ସହ “ଯଥା ରାବଣସ୍ୟ ମନ୍ଦୋଦରୀ!” ହୋଟେଲମାନେ ନିଜ ନିଜର ବାନକ୍ବେଟ୍ ହଲ୍ ର ବିଜ୍ଞାପନ ଦେବାକୁ ଯାଇ ପ୍ରଚାର କରନ୍ତି, “ବି ଏ ଗେଷ୍ଟ ଇନ୍ ୟୋର୍ ଡଟର୍ସ ମ୍ୟାରେଜ୍” – ନିଜ କନ୍ୟାର ବିବାହରେ ଅତିଥି ହୁଅନ୍ତୁ। ସବୁ ଟେନ୍ସନ ଆମ ଉପରେ ଛାଡି ଦିଅନ୍ତୁ। ବ୍ୟାଣ୍ଡ ବାଜା, ବରାତ୍, ସଙ୍ଗୀତ, ମେହନ୍ଦି, ଘୋଡି, ପଣ୍ଡିତ, ଭୋଜି, କକଟେଲ୍ ଠାରୁ ଆରମ୍ଭ କରି ଝିଅ ବିଦା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଆମର। କନ୍ୟା ବିଦାୟ ସମୟରେ ଆପଣଙ୍କ ଆଖିରୁ ଲୁହ ବୋହିବା ଦରକାର ନ ପଡିପାରେ। ସେ ସମସ୍ତ ଦାୟିତ୍ୱ ଆମର। ଆମ ପାଖରେ ନେସନାଲ ସ୍କୁଲ ଅଫ୍ ଡ୍ରାମାର ପାଶ୍-ଆଉଟ୍ ଅଛନ୍ତି, ଆବଶ୍ୟକ ସ୍ଥଳେ ବାପ ମା ରୋଲ୍ ବି ସେମାନେ କରିନେବେ। ଆମର ଏତେଦିନର ହୋଟେଲ ବ୍ୟବସାୟରେ ଅନୁଭବରୁ ଯାହା ବୁଝିଛୁ, ଭୋଜି ସରିଗଲେ ବନ୍ଧୁ ପରିଜନ ଖାଇ ପିଇ ଲୁଗା ପ୍ୟାକେଟ୍ ସହ ଘରକୁ ଟିଫିନ୍ କ୍ୟାରିଅର ଟି ସମ୍ଭାଳି ବିଦାୟ ନିଅନ୍ତି । ଆପଣଙ୍କୁ ଧରାଇଥିବା ଲଫାପା ଗୁଡିକୁ ସମ୍ଭାଳିବା ଅସମ୍ଭବ ହେଲେ ଆମେ ତାହା ଆମର ସେଫ୍ଟି ଲକରରେ ରଖି ଜଉ ମୁଦ ଦେଇ ରଖିଦେଇ ପାରୁ। ତାହା ଇନ୍କମ୍ ଟ୍ୟାକ୍ସ ବାଲାଙ୍କୁ ଲୁଚାଇ ମିନି ନୋଟ୍ ଭେଣ୍ଡିଙ୍ଗ୍ ମେସିନରେ ଗଣିବା ଦାୟିତ୍ୱ ଆମର। ମାନେ ବାହାଘର ମ୍ୟାନେଜମେଣ୍ଟ ର ହୋଲିଷ୍ଟିକ୍ ପ୍ୟାକେଜ ଆମ ପାଖରେ ଉପଲବ୍ଧ।
ଆମର ‘ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେଶନ୍’ ଗହନ ଅଧ୍ୟୟନ ପରେ ଯାହା ଅନୁଭବ କଲେ, ତା’ଙ୍କ କହିବା କଥା, ମଣିଷ ଜୀବନର ଭାଇଟାଲ ଇଭେଣ୍ଟ ଯଥା, “ବାର୍ଥ, ଡେଥ୍, ମ୍ୟାରେଜ୍, ଡାଇଭର୍ସ”କୁ ନେଇ ହୋଟେଲ ମାନଙ୍କୁ ସଶକ୍ତ କରିବାକୁ ହେବ । ଡେଥ୍ ଓ ଡାଇଭର୍ସ ଏ ଦୁଇଟି ଵିଭାଗରେ ହୋଟେଲ ମାନଙ୍କ ଅବଦାନ ଟିକିଏ ଦୁର୍ବଳ। ସେଥିପାଇଁ ‘ଅଭୟାନନ୍ଦ ଫାଉଣ୍ଡେଶନ୍’ର ଆର୍ ଆଣ୍ଡ ଡି ଉଇଙ୍ଗ ହୋଟେଲମାନଙ୍କ ଷ୍ଟାଟସ୍ ‘ଫାଇଭ୍ ଷ୍ଟାର’ରୁ ‘ସେଭେନ୍ ଆଣ୍ଡ ହାଫ୍ ଷ୍ଟାର୍’କୁ ଅପଗ୍ରେଡ୍ କରିବାକୁ ସ୍ପେସ୍ ଏଜ୍ ଟେକ୍ନିକ୍ ବ୍ୟବହାର କରି ଯେଉଁ ଚମକପ୍ରଦ ଫର୍ମାଟ ଡିଜାଇନ୍ କରିଛନ୍ତି ତାହା ଏନ୍.ଆର୍ ଆଇ ମାନଙ୍କୁ ସୁହାଇବ ବୋଲି ଆଶା କରାଯାଏ! ବହୁତ ସ୍କୋପ୍ ଅଛି ଏ ବିଜନେସରେ। ବାର୍ଥଡେ, କାନଫୋଡା, ବ୍ରତଘର ସବୁ ଜନ୍ମ ସମ୍ବନ୍ଧୀୟ ଇଭେଣ୍ଟ ସାଙ୍ଗକୁ ବିବାହ ଆଦି ସଂସ୍କାରରେ ପ୍ରବଳ ଅଭିଜ୍ଞତା ଅର୍ଜନ କଲାପରେ ବାକି ଦିଇଟା ଭାଇଟାଲ ଇଭେଣ୍ଟ ଉପରେ କାମ ଚାଲିଛି ।

ପ୍ରଥମେ ଛାଡପତ୍ର ଇଭେଣ୍ଟ କଥା ଦେଖାଯାଉ। ଆମ ଅନୁଭବ କହେ, ସେଗୁଡା ଯେମିତି ଆଇନର ରକ୍ଷକ ସାଜିଥିବା କୃଷ୍ଣ ବର୍ଣ୍ଣ ଅଙ୍ଗବସ୍ତ୍ର ପରିହିତ ଆଇନ-ବ୍ୟବସାୟୀମାନେ ମାରି ନେଇ ସିଧା ଯାଇ କୋର୍ଟରେ ପହଞ୍ଚାଇ ଦେଉଛନ୍ତି। ସେଥିରେ ବିଶେଷ ଲାଭ ନାହିଁ। ଲାଷ୍ଟ ଟା ମୃତ୍ୟୁ। ବହୁତ ପାୱାରଫୁଲ୍ ଇଭେଣ୍ଟ , “ଜାତସ୍ୟ ହି ଧୃବଃ ମୃତ୍ୟୁଃ,” କେଉଁ କାଳର ବ୍ୟବସ୍ଥା ଇଏ । ଆମ ଫର୍ମାଟ୍ ଅନୁସାରେ ହସ୍ପିଟାଲ ରୁ ସ୍ୱର୍ଗଦ୍ବାର ପର୍ଯ୍ୟନ୍ତ ଟ୍ରାନ୍ସପୋଟେସନ, ଫ୍ଲୋରାଲ୍, ଡେକୋରେସନ୍ , ଫ୍ଲୋରାଲ ଟ୍ରିବ୍ୟୁଟ୍ , ଭିଆଇପି ଫ୍ଲୋରାଲ୍ ଟ୍ରିବ୍ୟୁଟ, କ୍ରେମେସନ – ଯେଉଁ ପ୍ରକାର ଚାହିଁବେ ଚନ୍ଦନ କାଷ୍ଠ ଶଯ୍ୟା ବିଶିଷ୍ଟ , ସାଧାରଣ କାଠ, ଇଲେକ୍ଟ୍ରିକ୍ ଚୁଲା, ସି.ଏନ୍.ଜି ଚୁଲା, ଦେଶୀ ଘିଅ, ଓମ୍ ଫେଡ୍ ଘିଅ, ଡାଲଡା ଟାଇପ୍ ସବୁ ପକେଟକୁ ସୁଟ୍ କଲାପରି ବଜେଟ ମଡେଲ, ଭିଆଇପି ମଡେଲ,ଏନ୍ ଆର୍ ଆଇ ମଡେଲ୍ କ୍ରେମେସନ, କ୍ରନ୍ଦନ ରୋଳ ଏଫେକ୍ଟ, ଛାତି ପିଟି କାନ୍ଦୁଥିବା ତୃତୀୟ ଲିଙ୍ଗି ସମାବେଶ ମଧ୍ୟରେ ମହାଯାତ୍ରା ସମ୍ପନ୍ନ କରିବା ଦାୟିତ୍ୱ ଆମର। ସେହିଦିନ ଆମ ଆମ ହୋଟେଲର ପତାକା ହାଫ୍ ମାଷ୍ଟ ରହିବ ଚବିଶ ଘଣ୍ଟା। ବାକି ଅସ୍ଥି ବିସର୍ଜନ ସହ ମାସିକ ଶ୍ରାଦ୍ଧ ଅପ୍ସନାଲ୍। ଏ ସମସ୍ତ ସର୍ଭିସ ପାଇଁ ଭିନ୍ନ ଭିନ୍ନ ଦେୟ ସ୍ଥିରୀକୃତ ହୋଇଛି ଯାହା ସମୟ କ୍ରମେ ପରିବର୍ତ୍ତନ ହୋଇପାରେ ।
କିଛି ସନ୍ଦେହ ଆସିବା ସ୍ବାଭାବିକ । ସନ୍ଦେହ ମୋଚନ ପାଇଁ ସ୍ବାମୀ ଅଭୟାନନ୍ଦ ହୋଟେଲ କନସଲ୍ଟାନ୍ସି ସର୍ଭିସର ଚବିଶ ବିଭକ୍ତ ସାତ ଟୋଲଫ୍ରି ନମ୍ବର ବ୍ୟବହାର କରି ପାରନ୍ତି। ଆମର ଓଭରସିଜ୍ ସର୍ଭିସ୍ ଜମା ବନ୍ଦ ହୁଏ ନାହିଁ । ଆମର ସମ୍ମାନନୀୟ ଏଷ୍ଟିମଡ୍ ଗ୍ରାହକଙ୍କ ପାଇଁ ଆମେ ସଦା ତତ୍ପର । ସେବାର ସୁବିଧା ଦେଇ ଖୁସି କରାଇବେ ।

3 thoughts on “ଓଡ଼ିଆ ପୁଅର ବିଜନେସ୍ ମଡେଲ୍

  1. ଖୁବ୍ ସୁନ୍ଦର୍ ଉପସ୍ଥାପନା । ବହୁତ୍ ଭଲ ଲାଗିଲା ।

Leave a Reply

Your email address will not be published. Required fields are marked *