ଓଡ଼ିଶାର ବ୍ୟଙ୍ଗକବି

ଜ୍ୟୋତି ଶଙ୍କର ପଣ୍ଡା ‘ହୟାତ’

କ୍ଲରିହ୍ୟୁ ହେଉଛି ଏକ ଚାରି ଧାଡ଼ିଆ ଖିଆଲି ବା ହାଲୁକା କବିତା ଯାହାକି ଜଣେ ବ୍ୟକ୍ତିବିଶେଷଙ୍କୁ ଆଧାର କରି ଲେଖା ଯାଇଥାଏ। ଏଥିରେ କିଛି କୌତୁକ ଓ ବ୍ୟଂଗର ଉପାଦାନ ମଧ୍ୟ ଥାଏ। ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଇଂରାଜୀ ସାହିତ୍ୟରେ ଏହି ଧରଣର କବିତାର ଉଦ୍ଭବ ଘଟାଇଥିଲେ ଏଡ଼ମଣ୍ଡ୍ କ୍ଲରିହ୍ୟୁ ବେଣ୍ଟଲେ। ଗତ କିଛି ବର୍ଷ ଧରି ଓଡ଼ିଆ ଭାଷାରେ ମଧ୍ୟ ଅନେକ କ୍ଲରିହ୍ୟୁ ରଚିତ ହୋଇଛି।

୧. ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର

ଥିଲେ ଜଣେ ଯଦୁମଣି
ଥିଲେ ଗମାତର ଖଣି
ଲେଖୁଥିଲେ ଯେବେ ସେ କବିତା
ବିନା ଝଡେ ଉଡୁଥିଲା ଛତା ।

୨. ବ୍ରଜନାଥ ବଡ଼ଜେନା

ଥିଲେ ଜଣେ ବଡ଼ଜେନା
ଖାଉଥିଲେ ଖାଲି ଛେନା
ଲେଖିଲେ ସମର ତରଙ୍ଗ
ସିଫ୍ଟ ହୋଇଗଲେ ବାରଙ୍ଗ।

୩. ବ୍ୟାସକବି ଫକୀରମୋହନ ସେନାପତି

ଥିଲେ ଜଣେ କବି ବ୍ୟାସ
କରିଲେ ସାହିତ୍ୟ ଚାଷ
କଳିହୁଡୀ ଭାର୍ଯ୍ୟା ପାଇଲେ
ଧୋତି ହାତେ ଧରି ଧାଇଁଲେ।

୪. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଥିଲେ ଜଣେ କାନ୍ତକବି
କାତର ମାତର ଛବି
ହନୁ ପରି ହୁଙ୍କାରିଲେ
ଚମ୍ପୁ ଉଲଟେଇ ଦେଲେ।

୫. ଫତୁରାନନ୍ଦ

ଗାଳ୍ପିକ ଫତୁରାନନ୍ଦ
ଗପରେ ବାନ୍ଧନ୍ତି ଛନ୍ଦ
କରନ୍ତି ଏମନ୍ତ ହେରେସା
ପାଠକ ହୁଏ ଲୋକହସା ।

୬. ମାଧବ ଚନ୍ଦ୍ର ଶତପଥୀ

ବାବୁ ମାଧ ଶତପଥୀ
ଚଷମା ସାଥିରେ ପ୍ରୀତି
ଚଉକି,ଚଷମା ନିଜର
ବାକି ସବୁ ଲୋକ ତ ପର ।

୭. କବି ଏମାରକେଆର

କବିଶ୍ରୀ ଏମାରକେଆର
ବାର୍ଦ୍ଧକ୍ୟେ ଯୌବନ ଜୁଆର
ଖୋଜନ୍ତି ଚମେଲି, ମଲ୍ଲୀ
କାହିଁ ମୋ ଅନାରକଲୀ ।

୮. ବ୍ୟଙ୍ଗାଚାର୍ଯ୍ୟ ରାଧୁ ମିଶ୍ର

ବାବୁ ଆମ ମିଶ୍ର ରାଧୁ
ଗାଧୁ କୁହ କି ଅଗାଧୁ
ସିଏ ହରିବୋଲ ବୋଲି ବୋଲି
ଏକ ହାତେ ମାରିଥାନ୍ତି ତାଳି।

୯. ସ୍ୱର୍ଗତ ମନମାଷ୍ଟ୍ରେ

କବିବର ମନମାଷ୍ଟରେ
କହିଲେ ଦିନେ ସେ କଷ୍ଟରେ
କେନ୍ତା କହେମି ହୋ ଦାଦା
ଟଙ୍କା କମ୍, ଗୀତ ଜ୍ୟାଦା ।

୧୦. ଅଧ୍ୟାପକ ରମାକାନ୍ତ ମିଶ୍ର

ଷଣ୍ଢକବି ରମାକାନ୍ତ
ମାରନ୍ତି ଏମିତି କାତ
ଗଣ୍ଡ ହୁଏ ଖଣ୍ଡ ଖଣ୍ଡ
ବ୍ୟଙ୍ଗେ ନେତା ନବଖଣ୍ଡ ‌।

୧୧. କବି ସତ୍ୟାନାଶ

ବାବୁ ଆମ ସତ୍ୟାନାଶ
ମୁଖେ ମୁଚୁକୁନ୍ଦ ହସ
ଦେଖାଇ ଦାନ୍ତ ଦି ଧାଡ଼ି
ଖୋଲନ୍ତି କବିତା ଭାଡ଼ି।

୧୨. ଜ୍ଞାନ ହୋତା

ବ୍ୟଙ୍ଗବୀର ଜ୍ଞାନ ହୋତା
ଶିଳାବତୀ ଶିଳବଟା
ଏମନ୍ତ ତାଙ୍କର ଜ୍ଞାନ
ଶୁଣି ଠିଆ ହୁଏ କାନ ।

୧୩. ଡ଼. ରମାକାନ୍ତ ମହାପାତ୍ର

ମହାପାତ୍ର ରମାକାନ୍ତ
ଚଉତିଶା ଛାନ୍ଦ ଗୀତ
ନାକ ପରେ ଗୀତ ଲେଖି
ତୁଣ୍ଡି ବାନ୍ଧି ଦେଲେ ବିକି।

୧୪. ପ୍ରିୟବ୍ରତ ପଣ୍ଡା

କବି ପ୍ରିୟବ୍ରତ ପଣ୍ଡା
ପିଅନ୍ତିନି ଜମା ଥଣ୍ଡା
ଗରମ ଗରମ ତିଅଣ
ଆନନ୍ଦେ କରନ୍ତି ସେବନ ।

୧୫. ଡ଼. ଦେବାଶିଷ ମହାପାତ୍ର

ମହାପାତ୍ର ଦେବାଶିଷ
ଛାଡ଼ି ଅଇଲେ ବିଦେଶ
ଦେଶୀ ସାହିତ୍ୟରେ ମନ
ବିଷୟ ଭାଷା ବିଜ୍ଞାନ ।

3 thoughts on “ଓଡ଼ିଶାର ବ୍ୟଙ୍ଗକବି

Leave a Reply

Your email address will not be published. Required fields are marked *