ସାର୍ଟ

ଲୋକ କହିବେ ଅମୁକ ରାଉତ ପୁଅ ଛିଣ୍ଡା ଡ୍ରେସ୍ ପିନ୍ଧିକି ଯାଉଛି। ମୋତେ କେତେ ଖରାପ ଲାଗିବ କହିଲୁ?

ରବିନାରାୟଣ ଦାଶ

ବାପା ଭୀଷଣ ବିରକ୍ତ ହେଲେ। ଏମିତିଆ ପୁରୁଣା, ରଙ୍ଗଛଡ଼ା ଡ୍ରେସ୍ ପିନ୍ଧିକି ୟୁନିଭର୍ସିଟିକୁ ଯିବୁ? ବାଟରେ ଲୋକ ଦେଖିଲେ କ’ଣ କହିବେ?
ସୌରଭ ପ୍ରତିବାଦ କଲା, “ରଙ୍ଗଛଡ଼ା ଡ୍ରେସ୍ କାହିଁକି ହେବ, ଗତବର୍ଷର ସାର୍ଟଟା। ବେଶ ଭଲ ଦେଖାଯାଉଛି। ତା’ ଛଡ଼ା ଲୋକେ କ’ଣ କହିବେ ସେଥିରେ ମୋର କ’ଣ ଗଲା?”


ବାପା କୃତ୍ରିମ ରାଗ ଦେଖାଇଲେ – ତୋତେ ସିନା କେହି କିଛି କହିବେ ନାହିଁ, ହେଲେ ମୋର ନାଁ ପଡ଼ିବ ନା ନାହିଁ। ଲୋକ କହିବେ ଅମୁକ ରାଉତ ପୁଅ ଛିଣ୍ଡା ଡ୍ରେସ୍ ପିନ୍ଧିକି ଯାଉଛି। ମୋତେ କେତେ ଖରାପ ଲାଗିବ କହିଲୁ?
– କେହି କିଛି କହିବେ ନାହିଁ ବାପା। ପ୍ରଥମ କଥା ହେଉଛି ଏଇଟା ଛିଣ୍ଡା ଡ୍ରେସ୍ ନୁହେଁ। ଫଟା ସାର୍ଟ ପିନ୍ଧିିକି ଯିବି ମୋତେ କ’ଣ ଲାଜ ମାଡ଼ିବ ନାହିଁ କି? ସାର୍ଟଟା ଭଲ ଅଛି, ସେଇଥିପାଇଁ ପିନ୍ଧୁଛି।
– ଫଟା ନ ହେଲେ ବି ପୁରୁଣା ଡ୍ରେସ୍‌ଟା ନା। ୟୁନିର୍ଭସିଟିକୁ ପ୍ରଥମ ଥର ପାଇଁ ଯିବୁ, ନୂଆ ଚକାଚକ ଡ୍ରେସ୍‌ରେ ଯିବୁ ନା। ପୁରୁଣା ଫଟା ସାର୍ଟ ଦେଖିଲେ ମୋତେ ବିରକ୍ତ ଲାଗେ। ତୋର ତ ସେହି ପୁରୁଣା ମାପ। ତୁ ନ ଆଣିଲେ ନାହିଁ ମୁଁ ବସ୍‌ଷ୍ଟାଣ୍ଡ ବଜାରକୁ ଯାଉଛି ହେଲେ ନୂଆ ଡ୍ରେସ୍ ନେଇ ଆସିବି।
ସୌରଭର ବାରଣ ସତ୍ତ୍ୱେ ବାପା ସାର୍ଟ ଖଣ୍ଡେ ପିନ୍ଧି ଲୁନା ଷ୍ଟାର୍ଟ କଲେ।
ଦୂରରୁ ବି ସୌରଭକୁ ସ୍ପଷ୍ଟ ଦେଖାଯାଉଥିଲା, ବାପାଙ୍କ ସାର୍ଟର କାଖପାଖଟା ପୂରା ଫାଟିଯାଇଛି।

( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଏପ୍ରିଲ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )

2 thoughts on “ସାର୍ଟ

  1. ସବୁ ବାପାମାନେ ଏମିତି, ତେଣୁ କଥାରେ ଅଛି – ପୁଅରେ ତୁ ବାପା ହେଲେ ଜାଣିବୁ। ଅନେକ ସମୟରେ ଅନେକ ବାପା ନିଜ ପୁଅମାନଙ୍କୁ ଏହିଭଳି କହିଥାନ୍ତି। ଚମତ୍କାର ଲେଖା। ଛୋଟ ଲେଖା କିନ୍ତୁ ବାର୍ତ୍ତା ବହୁତ ବଡ଼ ।

Leave a Reply

Your email address will not be published. Required fields are marked *