ହ୍ବାଟସଆପ୍ ବନ୍ଧୁ

ହ୍ବାଟସଆପ୍ ସଖାମାନଙ୍କ ମଧ୍ୟରେ ପଞ୍ଝାଏ ଛଦ୍ମ ଧର୍ମପ୍ରାଣିଆ ଅଛନ୍ତି,ଏମିତି ଗୀତା କୁ ବ୍ୟାଖ୍ୟା କରିଦେବେ ଯେ ଆପଣ ଭାବିବେ ଇଏ ତ୍ରିକାଳଦର୍ଶୀ, ତ୍ରିଦଣ୍ଡିସ୍ବାମୀ ମହାରାଜ।

ଡା. ଅଭୟ ଦାଶ

ମୋବାଇଲ ଫୋନ ଆସିଲା ଦିନୁ ଅନେକ ଗ୍ରୁପ୍ ବଜାରକୁ ଆସିଲେ, ସୋସିଆଲ ମେଡିଆ ନାଆଁରେ, ସେଇ “ତୁଣ୍ଡ ବାଇଦ ସହସ୍ର କୋଶ” ନ୍ୟାୟରେ। “କୁଆ ଉଡିଗଲେ ଛୁଆ ଉଡିଗଲା” ପରି ସମ୍ବେଦନଶୀଳ ସମ୍ବାଦ ପହଞ୍ଚିଗଲା କାନ ପାଖରେ; ମାନେ ଗସିପ୍ ଗୁଜବ ରୁପରେ। ସବୁ ଯେ ସତ, ସେମିତି କିଛି ମାନେ ନାହିଁ। ଜଣେ ଜଣେ ଲୋକ ଏକାଧିକ ଗ୍ରୁପ୍ ର ମେମ୍ବର। ସେଇ ଏକା ଗୁଜବ ବା ରିଉମର ଗସିପ୍-ସମ୍ବାଦର ଟି-ସାର୍ଟ୍ ପିନ୍ଧି ଉଭାହୁଏ ପ୍ରତ୍ୟେକ କୋଣରେ। କିଛି ବିଶ୍ବାସ ହୁଏ, କିଛି ଅବିଶ୍ବାସ ହେଲେବି କିଛି କରି ହୁଏନି। ଭୁଲିଯିବାକୁ ହୁଏ। ମନେରଖି ଅବା କି କାର୍ଯ୍ୟର? ସେଥିପାଇଁ ଏ ମୋବାଇଲ କମ୍ପାନୀ, ମୋବାଇଲ ଭିତରେ ଅଳିଆ ଡବାର ବ୍ୟବସ୍ଥା କରିଛି। ଆପଣ ଏଠୁ ଆଣି ସେଠି ଛାଡିଦେଲେ। ତାଙ୍କୁ ସତ ଭଳି ଲାଗିଲା, ୟାଙ୍କୁ ମିଛ ଭଳି। ମାନେ ସେଇ, “ମୋତେ ସତ ତୁମକୁ ମିଛ” ନ୍ୟାୟ ର ପ୍ରୟୋଗ !


କେତେ ପ୍ରକାର ମେସେଜ୍ ଆସେ, ଯାହାକୁ ବାଛିବାରେ କେତେଦୁର ସଫଳ ହୋଇପାରିବ ଆମର ‘ଅଭୟ ଦାଶ ରିସର୍ଚ୍ଚ ଫାଉଣ୍ଡେଶନ୍’। ଗୋଟିଏ ଦଳ ଅଛନ୍ତି ଖାଲି ଗୁଡମର୍ଣିଙ୍ଗ୍, ଇଭିନିଙ୍ଗ୍ ନାଇଟ୍ ମେସେଜ ଛାଡି ଚାଲିଥିବେ। ଏମାନେ ନନ୍-ଭିରୁଲେଣ୍ଟ ଟାଇପ୍, ବିଷାକ୍ତ ନୁହନ୍ତି, ସରଳ ସ୍ନେହୀ ଭଲ ମଣିଷ, କହି ପାରନ୍ତି। ଆଉ ଗୋଟାଏ ଦଳ ଅଛନ୍ତି ଛଦ୍ମ ସଚ୍ଚରିତ୍ର ସିଉଡୋ-ମୋରାଲିଷ୍ଟ ଗୋଷ୍ଠୀର ହୋଇପାରନ୍ତି। ପଞ୍ଝାଏ ସିଉଡୋ-ନେସନାଲ ଓଡିଆ ଓଡିଆ ହୋଇ କାନ ଅତଡା ପକେଇବେ। ଯେମିତି ଖାଲି ଓଡିଆଗୁଡା ଦେଶଟାକୁ ଟେକି ଧରିଛନ୍ତି ! ଯେତେ ଓଡିଆ ଟିକିଏ ଭଲ ପୋଷ୍ଟରେ ଅଛନ୍ତି ସମସ୍ତଙ୍କ ନାଁ ସେମାନଙ୍କ ମୁଖସ୍ତ।
ଆଉ ଗୋଟାଏ ଦଳ ଅଛନ୍ତି ତା’ଙ୍କୁ ସବୁ ଗନ୍ଧ। ଏଇଟା ଚୋର, ସେଇଟା ଖରାପ। ଆମେ ଯାହା କହିଲେ ଭୁଲ, ସିଏ ଯାହା କହିବେ ଠିକ୍। ଯଦିଓ ଦୁହିଁଙ୍କ ମୁଖ୍ୟ ସ୍ରୋତ ବା ସୋର୍ସ୍ ସେଇ ଫରୁଆର୍ଡେଡ୍ ମେସେଜ । ଏଠା ମାଲ ସେଠି, ସେଠା ମାଲ ଏଠି। ମାନେ ଟ୍ରେଡିଂ। ଗୋଟାଏ ଦଳ ଅଛନ୍ତି ଅନ୍ୟକୁ ନିଚା ଦେଖେଇବାରେ, ବଚନବଦ୍ଧ । ପ୍ରଶ୍ନ କରିବେ , ଆପଣ କେଉଁଠୁ ଜାଣିଲେ ? ଉତ୍ତର, ଆପଣ ଯେଉଁଠୁ ଆଣିଲେ ! କଥା କଟାକଟି ଯେ, ଯେମିତି ବିକ୍ରମାଦିତ୍ୟ ରାଜସଭା। ପଞ୍ଝାଏ ଅଛନ୍ତି ତାଙ୍କୁ ଖାଲି ତୁମେ ସୁନ୍ଦର, ତୁମ ସର୍ବାଙ୍ଗ ସୁନ୍ଦର କହୁଥିଲେ ଖୁସି। ନହେଲେ ବିଷୋଦ୍ଗାର ଯେ ନକହ ! ମାନେ ୟାଙ୍କରି କଥାରେ ଯେମିତି ଦେଶ ଚାଲିଛି ଆଉ ଚାଲିବା କଥା। ଏଗୁଡା ଗୋଟାଏ ଗୋଟାଏ ଦଳର ଛତ୍ରପତି ବୋଲି ଭାବିନିଅନ୍ତି ନିଜକୁ।
ହ୍ବାଟସଆପ୍ ସଖା ମାନଙ୍କ ମଧ୍ୟରେ ପଞ୍ଝାଏ ଛଦ୍ମ ଧର୍ମପ୍ରାଣିଆ ଅଛନ୍ତି,ଏମିତି ଗୀତା କୁ ବ୍ୟାଖ୍ୟା କରିଦେବେ ଯେ ଆପଣ ଭାବିବେ ଇଏ ତ୍ରିକାଳଦର୍ଶୀ, ତ୍ରିଦଣ୍ଡିସ୍ବାମୀ ମହାରାଜ। ଏଠୁ ସେଠୁ ଉଠେଇ ପଠେଇ, “ଜ୍ଞାତାପଣେ ପତାକା ବାନ୍ଧିଛ ହେ।” ହ୍ବାଟସଆପ୍ ସଖା ମାନଙ୍କୁ ନିରୀକ୍ଷଣ କଲେ ଜାଣିବେ, ଆତ୍ମୀୟତା ସେମିତି, ସେମିତି। ବାକି ସବୁ ଯେମିତି ସେମିତି। ଆଉ ଦଳେ ଅଛନ୍ତି କାହାର ମଡା ମୃତିକିଆରେ ସବୁଠାରୁ ଛୋଟ ମେସେଜ ଇଂରାଜୀର ତିନୋଟି ଅକ୍ଷର ‘ଆର଼ ଆଇ ପି’ ଲେଖି ଛାଡିଦେବେ। ସେଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ, ଦିବଙ୍ଗତ ବ୍ୟକ୍ତି ବାବୁ କି ମାଆଙ୍କର ଖାସ୍ ପରିଚିତ ନୁହନ୍ତି। ‘ନୋବଲ୍ ସୋଲ୍’ , ‘ଅଶ୍ରୁପୂର୍ଣ ଶ୍ରଦ୍ଧାଞ୍ଜଳି’ ଆଦି ଲୋକ ଦେଖାଣିଆ ଆପଣା-ପଣର ନିଦର୍ଶନ ହୋଇଥାଏ ଅନେକ କ୍ଷେତ୍ରରେ। ସମସ୍ତ ସଖାମାନଙ୍କ ନିମନ୍ତ୍ରଣ ପତ୍ର ଏପଟ ସେପଟ କରିବା କାମ ହ୍ବାଟସ ଆପ୍ ର। ଏକ ସମ୍ବାଦ ସରବରାହ କେନ୍ଦ୍ର, ଏ ହ୍ବାଟସଆପ୍।

3 thoughts on “ହ୍ବାଟସଆପ୍ ବନ୍ଧୁ

  1. ମହାଶୟ, ଆପଣଙ୍କ ଲେଖା ଟି ମଧ୍ୟ ସେମିତି ସେମିତି। ଭାରି ବଢିଆ।

Leave a Reply

Your email address will not be published. Required fields are marked *