ଅମାନିଆ କଥା

  • ସାହିତ୍ୟ -ପ୍ରାଣା ସ୍ବର୍ଗତା ନିରୁପମା ଆଚାର୍ଯ୍ୟଙ୍କ ପ୍ରତି ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।
ଅଜୟ ମହାଲା

ସେ ଥିଲେ ଦରଦୀ ହୃଦୟା ସୁଶ୍ରୀ ନିରୁପମା ଆଚାର୍ଯ୍ୟ । ଗତ ୩୦ ଅକ୍ଟୋବର ୨୦୨୨ ତାରିଖରେ, ମାତ୍ର ୫୪ ବର୍ଷ ବୟସରେ ସେ ଇହଲୋକରୁ ବିଦାୟ ନେଇଛନ୍ତି। ଜଣେ ସମର୍ପିତ ପାଠିକା ଭାବରେ ସେ ଓଡିଆ ସାରସ୍ବତ ସୃଷ୍ଟିଗୁଡିକୁ ମନଭରି ଉପଭୋଗ କରିବା ସଙ୍ଗେସଙ୍ଗେ ସାହିତ୍ଯ-ସ୍ରଷ୍ଟାମାନଙ୍କୁ ଉତ୍ସାହିତ କରୁଥିଲେ। ସେ ମଧ୍ୟ ରଚନା କରିଥିଲେ ପ୍ରାୟ ପାଞ୍ଚ ଗୋଟି ପୁସ୍ତକ।
ଏହି ଦୀର୍ଘ ରଚନାଟି ଜରିଆରେ ତାଙ୍କ ପ୍ରତି ନିଜ ହୃଦୟର ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି, ଆମ ସମୟର ବିଶିଷ୍ଟ କବି ତଥା ଉପନ୍ୟାସକାର ଶ୍ରୀ ଅଜୟ ମହାଲା ।
ସୁଶ୍ରୀ ନିରୁପମା ଆଚାର୍ଯ୍ୟ (୧୯୬୬ – ୨୦୨୨)

ରାଜ୍ୟର ରାଜଧାନୀରେ ବହିମେଳା ଚାଲୁଥିବା ବେଳେ ମୁଁ ଗୋଟିଏ ଅସାଧାରଣ ବହିରଙ୍କୁଣୀ ପାଠିକା-ଲେଖିକାଙ୍କ ବିଷୟରେ ଲେଖି ବସିଛି। ପ୍ରାୟ ବର୍ଷେ ତଳେ ମୋର ମେଗାଷ୍ଟୋରୀ ‘ଲୀନାର ବାହାଘର’ କିଛି ଅଂଶ ଫେସବୁକରେ ପଢିଲା ପରେ ସେହି ଲେଖିକା ଭିତରର ପାଠିକା ଜଣକ କାହାଣୀଟିରେ ଆଗକୁ କଣ ହେଲା ସେ ନେଇ ଉତ୍ସାହିତ ହୋଇ ସାରିଥିଲେ। ବାର୍ତ୍ତାଳାପ ସମୟରେ ସୀତାଙ୍କ ସୁନା ହରିଣୀ ପାଇବା ଜିଦ୍ ପରି ଜିଦ୍ କରି କହିଦେଲେ, “ମୋର ଏହି ବହିଟି ନିହାତି ଦରକାର।” କିନ୍ତୁ ମୁଁ ଅସହାୟ ଥିଲି । ମେଗାଷ୍ଟୋରୀଟିକୁ ଏତେ ଶୀଘ୍ର ପୁସ୍ତକର କଳେବର ଦେବା ସହଜ ନୁହଁ ବୋଲି କହିଲି। ପୁସ୍ତକ କରି ବସିଲେ ତାହା ହଜାର ପୃଷ୍ଠାରୁ ଅଧିକ ହୋଇଯିବ ବୋଲି ତାର ଏକମାତ୍ର କାରଣ ବୋଲି ସୂଚାଇ ଦେଲି।

ଆଜିକାଲି କାହାର ବହି ପ୍ରତି ଏତେ ଆକର୍ଷଣ ଯେ ଥାଇପାରେ ଏହି ପରି ପ୍ରଶ୍ନଟିଏ ମତେ ଘେରୁ ଘେରୁ ଲେଖିକା ଜଣକ କହି ପକାଇଲେ, “ବହି ମୋ ପାଇଁ ସମ୍ପଦ। ଯେତେ ବହି ରହିବ ମୁଁ ନିଜକୁ ସେତେ ସମ୍ପଦଶାଳୀ ଭାବିବି।” ଏତକ କହିଲାବେଳେ ସେ ମାତ୍ର କେଇଦିନ ତଳେ ନିଜେ କିଣି ଏକାଠି କରିଥିବା ପୁସ୍ତକ ଗୁଡିକ ଆଡକୁ ମୋର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେଗୁଡ଼ିକର ଫୋଟୋ ମୋ ପାଖକୁ ପ୍ରେଷିତ କଲେ।

ନିର୍ଭୁଲ ଭାବେ ମୂଳତଃ ସେ ଜଣେ ପାଠିକା – ମତେ ଏତିକି ହୃଦୟଙ୍ଗମ କରାଇବା ପରେ ଲେଖିକାଜଣକ ଏଥର ନିଜର ଲେଖକୀୟ ଉପଲବ୍ଧି ବିଷୟରେ ଜଣାଇବାକୁ ଅଳ୍ପ କିଛି ଲେଖି ଜଣାଇଲେ। ସେ ଦୁଃଖବୋଳା କଣ୍ଠରେ କହିଲେ – “ଗାଁ ରେ ରହୁଛି। ତେଣୁ ସୁଯୋଗ ପାଇଲିନି ଆଗକୁ ବଢିବାକୁ ….ନାଟକ ୪/୫ଟି ମଞ୍ଚସ୍ଥ ହେଇଛି ପାଣ୍ତୁଲିପିରୁ …ବହି ୪/୫ ଖଣ୍ତ କରିଛି।”

ଆହା..ହା..ହା .. ତାଙ୍କର କି ବିନୟ ଭାବ ! ଏତିକି ଉପଲବ୍ଧି କଣ କମ୍ ହେଲାଣି ? ଏ ତ ମୋ ସାଙ୍ଗ ଗିରୀଶର ସେହି ହାସ୍ୟ ଉଦ୍ଦୀପକ ଟିପ୍ପଣୀ ପରି। କୌଣସି ପର୍ବପର୍ବାଣୀ ପଡ଼ିଥିଲେ ସାଙ୍ଗ ଗିରୀଶ ନାଟକୀୟତା ସହ ମୁହଁ ଶୁଖାଇ କହେ, “ମୁଁ ଆଜି ଉପବାସ କରିଛି।” ତାକୁ କିଛି ପଚାରିବା ଆଗରୁ ସେ ପୁଣି କହି ଚାଲେ – “ସକାଳେ କେବଳ ପଚାଶ ଗ୍ରାମ୍ କାଜୁ ସହ ଗୋଟିଏ ଗିଲାସ ଲସ୍ସୀ ପିଇଥିଲି …. ଦଶଟା ବେଳେ ଚାରି ପାଞ୍ଚଟା କଦଳୀ ..ଆଉ ବେଶୀ କିଛି ନୁହେଁ ମ ! ପିଲାମାନେ ବ୍ରେଡ଼ ଟୋଷ୍ଟ ସେକିଲା ବେଳେ ଦୁଇ ଖଣ୍ଡ ପ୍ଲେଟରେ ରଖି ମୋ ଆଡ଼କୁ ପେଲି ଦେଇଥିଲେ, ଯାହା ଦେଲେ ସେତିକିରେ ସନ୍ତୁଷ୍ଟ ..ମୁଁ ଆଉ ମାଗି ନ ଥିଲି .. ହଁ, ହଁ, ହଁ ମିଛ କହିବିନି …ଦିନ ଦୁଇଟା ବେଳେ ଗୋଟିଏ ଛୋଟ ତାଟିଆରେ ଦୁଇ ତାଟିଆ କ୍ଷୀରି ଟିକେ ଯାହା ପିଇଥିଲି – ସେଥିରେ କଣ କାହାର ପେଟ ପୂରେ ? ଶେଷରେ ସଞ୍ଜ ଚା’ …..ତା ପରେ ଯାଇ ଉପବାସ ଭାଙ୍ଗିଲି।”

ଏ ସବୁ କଥା ମୁଁ ଲେଖିକା ନିରୂପମା ଆଚାର୍ଯ୍ୟଙ୍କ ବିଷୟରେ କହୁଛି। ତାଙ୍କ ସହ ମୋର ସେଦିନ ମିତ୍ରତାର ପ୍ରଥମ ଦିନ ଥିଲା। ଯେଉଁଠି ଦୁଇପକ୍ଷ ଭିତରେ ମିତ୍ରତା ଆରମ୍ଭ ହେବାକୁ ଥାଏ, ତାହା ସେମିତି ସେମିତି ହୋଇ ଯାଏ ନାହିଁ। ସେଠି ଅନ୍ତତଃ ଗୋଟିଏ ପକ୍ଷ ବାସ୍ତବିକ ପରିଚୟ ପୂର୍ବରୁ ମନ ଭିତରେ ହେବାକୁ ଯାଉଥିବା ମିତ୍ରତାକୁ ସ୍ଵୀକାର କରି ସାରିଥାଏ। ସେଥିପାଇଁ ସମ୍ପର୍କର ପୋଲ ତିଆରି ହେବାକୁ ଡେରି ଲାଗେ ନାହିଁ। ସେମିତି କିଛି ହୋଇଥିଲା ନିରୂପମା ଆଚାର୍ଯ୍ୟଙ୍କ ସହ ମୋର ମିତ୍ରତାର ।

ଯେତେବେଳେ ତାଙ୍କ ତରଫରୁ ବନ୍ଧୁତା ଅନୁରୋଧ ଆସିଲା, ତାଙ୍କ ସହିତ ସମ୍ଭାଷଣ କରିବା ପୂର୍ବରୁ ଆଗେ ତାଙ୍କର ଫେସବୁକ ପ୍ରୋଫାଇଲ ପଢ଼ି ନେଇଥିଲି। ବହୁତ ସୁନ୍ଦର, ମାର୍ଜିତ ଲେଖାରେ ତାଙ୍କର ଟାଇମଲାଇନ ଭର୍ତ୍ତି ହୋଇଥିଲା। ସେତେବେଳକୁ ତାଙ୍କର ଚାରି ପାଞ୍ଚଟି ବହି ପ୍ରକାଶିତ ହୋଇ ସାରିଥିଲା। ଗୋଟିଏ ବହି ତ କେବଳ ବନାନର ଶୁଦ୍ଧି ଆଉ ଅଶୁଦ୍ଧି ଉପରେ ଲେଖା ଯାଇଥିଲା ବୋଲି ଜାଣିଲି। ମେସେଞ୍ଜରରେ ମୋର “ସ୍ୱାଗତମ୍” ମେସେଜର ପ୍ରତ୍ୟୁତ୍ତରରେ ଯେତେବେଳେ ତାଙ୍କର “ଜୟ ଶ୍ରୀଜଗନ୍ନାଥ” ମେସେଜ ଆସିଲା, ମୁଁ ଭଏସ୍ ମେସେଜରେ ଦୁଇ ବୁନ୍ଦା ଚାଟୁକାରିତା ଛିଞ୍ଚି ଦେଇ କହିଲି, “ମତେ ଏଥର କଥାବାର୍ତ୍ତା ସମୟରେ ଅଧିକ ସାବଧାନ ହେବାକୁ ପଡ଼ିବ। ବନାନ ଶୁଦ୍ଧି ଅଶୁଦ୍ଧି ଉପରେ ବହି ଲେଖିଥିବା କେହି ଜଣେ ବିଦୁଷିଙ୍କ ସହ ମୁଁ ମିତ୍ରତା କରିବାକୁ ଯାଉଛି !” ଆଉ ସେ ବି ତାର ତୁରନ୍ତ ଜବାବ ଦେଇ କହିଥିଲେ, “ଆରେ ନା ! …. ଆପଣଙ୍କର ପ୍ରତି ଗଳ୍ପ ମୁଁ ପଢେ। ସମୟ ଅଭାବରୁ କପି-ପେଷ୍ଟ କରି ରଖେ। ରାତିରେ ପଢେ କେତେକ ଗାଳ୍ପିକଙ୍କୁ।” କଥୋପକଥନରୁ ଯାହା ଜାଣିଲି, ମୋ ଗଳ୍ପ ଯୋଗୁଁ ହିଁ ସେ ମୋ ଆଡ଼କୁ ଟାଣି ହୋଇ ଆସିଥିଲେ। ମୁଁ ଫେସବୁକରେ ପୋଷ୍ଟ କରିଥିବା “ଲୀନାର ବାହାଘର”ର ସମସ୍ତ ପାର୍ଟ ପଢି ସାରିଥିଲେ ଓ ଅନ୍ୟ ପାର୍ଟଗୁଡ଼ିକୁ ମଧ୍ୟ ପଢିବାକୁ ଚାହୁଁଥିଲେ। (ମୁଁ ସମୟାଭାବ କାରଣରୁ ଲୀନାର ବାହାଘରର ବାକି ଅଂଶ ଗୁଡ଼ିକ ଆଜି ଯାଏଁ ପୋଷ୍ଟ କରି ପାରି ନାହିଁ )। ମୋ ସହ କଥୋପକଥନ ସମୟରେ ମଝିରେ ମଝିରେ ମେସେଞ୍ଜରରେ ମେସେଜ ଆସିବା ବ୍ୟାହତ ହେଉଥିବା କାରଣରୁ କାଳେ ମୁଁ ଏହାକୁ ତାଙ୍କର ଅନ୍ୟମନସ୍କତା ବୋଲି ଭାବି ବସିବି ସେଥିପାଇଁ ସେ ଲେଖି ଦେଉଥିଲେ …” ଏଠାରେ ଗାଆଁରେ ନେଟ ସ୍ଲୋ।”

ମୁଁ ହସିଥିଲି ଓ ତାର ଜବାବରେ କହିଥିଲି …”ମୁଁ ତ ସେହିପରି ଗାଆଁରେ ମିତ୍ରଟିଏ ଚାହୁଁଥିଲି, ଯେଉଁଠି ନେଟ ସ୍ଲୋ ହୋଇଥିବ, ଚିଠି ପହଞ୍ଚିବା ପାଇଁ ପନ୍ଦରଦିନ ଲାଗୁଥିବ ..ଆଉ ଯେଉଁଠି ପହଞ୍ଚିବା ପାଇଁ ନାଆରେ ନଦୀ ପାର ହେବାକୁ ପଡ଼ୁଥିବ!”

ପ୍ରକୃତରେ ସେମିତି କିଛି ଭୌଗୋଳିକ ସ୍ଥିତିରେ ନିରୁପମା ଆଚାର୍ଯ୍ୟଙ୍କ ଗାଆଁ ଥିଲା। କେଉଁଠି ରହନ୍ତି ବୋଲି ପଚାରିବାରୁ ସେ ନିଜେ ଲେଖିଥିଲେ – ଜଗତସିଂହପୁର ନାଉଗାଁ ନିକଟ ଦେବୀନଦୀ ତଟଦେଶରେ ..। ପାରସ୍ପରିକ ଆସ୍ଥାକୁ ସୁଦୃଢ଼ କରିବାକୁ ସେଦିନ ଏତିକି ପ୍ରାରମ୍ଭିକ କଥାବାର୍ତ୍ତା ଯଥେଷ୍ଟ ଥିଲା। ଆଜି ବହିଟିଏ ସେଠିକି ପଠାଇଲେ ଦେବୀନଦୀର ତଟରେ ସେହି ଦେବୀ ମିଳିବେ ନାହିଁ। ‘ଲୀନାର ବାହାଘର’ର ବାକି ଅଂଶ ପଢିବା ପାଇଁ ଉଦଗ୍ରୀବ ଆତ୍ମାଟି ବାଟ କାଟି ଯେଉଁ ସ୍ବର୍ଗୀୟ ଠିକଣାକୁ ଚାଲି ଯାଇଛି, ସେହି ଠିକଣାରେ ଭବିଷ୍ୟତରେ ମୁଦ୍ରିତ ବହିଟିଏ ପଠାଇ ହେବ? ବିଶ୍ୱାସ ହେଉନାହିଁ, ସାହିତ୍ୟକୁ ପ୍ରାଣଠାରୁ ଅଧିକ ଆବେଗରେ ନିଜ ହୃଦୟରେ ଅନବରତ ଚାପି ଧରିଥିବା ନିରୂପମା ଆଚାର୍ଯ୍ୟ ଆଜି ଆମ ଭିତରେ ନାହାଁନ୍ତି ବୋଲି। ଭୁବନେଶ୍ବରର ପୁସ୍ତକମେଳାରେ ଏହିପରି ଅନେକ ନିରୁପମାଙ୍କ ଛାଇ ଭିଡ଼ ଭିତରେ ଛାଇ ହୋଇ ଚାଲୁଥିବେ ବୋଲି ବିଶ୍ଵାସ। ସେଥିପାଇଁ ତ ମୁଁ ମେସେଞ୍ଜରରେ ଆମ ଦୁହିଁଙ୍କ ଭିତରେ ହୋଇଥବା ଚାଟିଂକୁ ବାରମ୍ବାର ଦେଖି ବସୁଛି !

ଚାଟିଂ ସମୟରେ ଆତ୍ମପରିଚୟକୁ ଆଉ ଟିକେ ବିସ୍ତୃତ କରିବାକୁ ଯାଇ ନିରୂପମା ନିଜ ବିଷୟରେ ଦୁଇଧାଡ଼ି ବି କହିଥିଲେ – “ଡକ୍ଟର ସଂଜୟ ହାତୀଙ୍କ ଉପନ୍ଯାସ ‘ଶ୍ବେତପଦ୍ମା’ର ମୁଖବନ୍ଧ ଲେଖିବାର ସୁଯୋଗ ପାଇଥିଲି …ଡକ୍ଟର ନୃସିଂହ ଷଢଙ୍ଗୀଙ୍କର ସନେଟ୍ ର ସମୀକ୍ଷା କରିଛି।” ମୁଁ ବୁଝୁଥିଲି, ମୋତେ ପ୍ରଭାବିତ କରିବାକୁ ଅଥବା କୌଣସି ସ୍ୱାର୍ଥସିଦ୍ଧି ଉଦ୍ଦେଶ୍ୟରେ ସେ ଏପରି କହୁ ନ ଥିଲେ। ବେଳେବେଳେ କଳାର ସାଧକସାଧିକାଙ୍କୁ ନିଜ ବିଷୟରେ ବି କହିବା ଆବଶ୍ୟକ ପଡ଼ି ଯାଇଥାଏ। ନିରୂପମାଙ୍କ ବକ୍ତବ୍ୟରେ ଆତ୍ମବଡ଼ିମାର ଚିହ୍ନ ନ ଥିଲା। ସେ ଶ୍ରମକୁ ସୁଯୋଗ ମାନି ନେଉଥିଲେ। ଗୋଟିଏ ଦିବ୍ୟ ସ୍ୱାର୍ଥପରତାରେ ମୁଁ ବି ମୋ ପାଇଁ ଏହା ଗୋଟିଏ ସୁଯୋଗ ଭାବି ବସିଲି। ‘ମାୟ ଫେଭ’ ଉପନ୍ୟାସ ହାତରେ ଧରି ଉଠାଇଥିବା ନିଜର ଫୋଟୋଟିଏ ମେସେଞ୍ଜରରେ ପୋଷ୍ଟ କରି ପଚାରିଥିଲି – ମୋର ଏହି ଉପନ୍ୟାସଟି ସମୀକ୍ଷା କରିବେ ତ?

ତାଙ୍କର ଉତ୍ତର ଥିଲା – “ପଢିଲେ ଚେଷ୍ଟା କରିବି।”

ଏଇ ତିନୋଟି ଶବ୍ଦର ଉତ୍ତର ଲେଖିକା ନିରୂପମାଙ୍କୁ ପରିଭାଷିତ କରିଦିଏ। ମୋ ପୁସ୍ତକର ସମୀକ୍ଷା ପାଇଁ ସମ୍ମତି ତ ଦେଲେ କିନ୍ତୁ ଏଥିପାଇଁ ଭାଷାରେ କୌଣସି ଦାମ୍ଭିକ ପ୍ରତିଶ୍ରୁତି ନ ଥିଲା । ମୋର ବିଶ୍ୱାସ ଥିଲା, ମୋର ‘ମାୟ ଫେଭ୍’ ଉପନ୍ୟାସ ନିଶ୍ଚୟ ତାଙ୍କୁ ପ୍ରଭାବିତ କରିବ । ମୁଁ କେବଳ ଜାଣିବାକୁ ଚାହୁଁଥିଲି, ସେ ଯେଉଁ ଟିପ୍ପଣୀ କରିବେ ତାହାର ସ୍ୱରୂପ କିପରି ହେବ। ତାହା ନିଶ୍ଚୟ ଅନୁଧ୍ୟାନ ଯୋଗ୍ୟ ହେବ !

ଆମ ଭିତରେ ଅନେକ କଥା ହେଲା । ପରସ୍ପରକୁ ନିଜ ନିଜର କବିତା ଆଦାନ ପ୍ରଦାନ କଲୁ। ସେ ଲେଖିଲେ ..

ତୁମେ ପ୍ରୀତିର ଅମର ଗୀତିର
ମୁଗ୍ଧ ମଞ୍ଜୁଳ ଭାଷା
ତୁମ ସଂଗୀତର ସ୍ବର ଲହର ମୁଁ
ସା ରେ ଗା ମା ପା ଧା ନି ସା ।

ମୁଁ ଗୋଟିଏ ଚାଟୁକାରସୁଲଭ ଶବ୍ଦରେ ଜବାବ ଦେଲି:

ତମ ଚାହାଣୀଟା ପରମାଣୁ ବୋମା
ହୃଦୟ ମୋ ହିରୋସିମା
କେବେ ରାଜିନାମା କେବେ ସାରେଗାମା
ସତେ ତମେ ନିରୁପମା

ଜଣେ ଲେଖକର ଶ୍ରେଷ୍ଠତ୍ଵ ସହ ନିଜର ମନକଥା ଯୋଡି ସେ କହିଲେ,
“ଲେଖକର ମନଟି ଅନ୍ଯଠୁ ନିଆରା। କିଛି ଅନୁଭବକୁ ଆପଣାର କରି ଆଉ ନିଜର ଭାବନାରେ ରୂପଦେଇ ଆଗେଇଯାଏ ଆଗକୁ। ସେଇ ତାର ସୃଜନ ପଥର ପାଥେୟ। …ଜୀବନ ଯେତିକି ଦିଏ ତା ଠାରୁ କାହିଁ କେତେଗୁଣ ଅଧିକ ନିଏ। ସ୍ବଳ୍ପ ପ୍ରାପ୍ତିରେ କେବଳ ଲେଖକ ଟିଏ ସନ୍ତୁଷ୍ଟ ରହିପାରେ। ତା ନିଜସ୍ବ ଭାବନାର ସାମ୍ରାଜ୍ଯରେ ସେ ସମ୍ରାଟ୍।”

ସେହି ଅନୁରୂପ ଭାବନା ମୁଁ ମାୟ ଫେଭ୍ ଉପନ୍ୟାସରେ ଲେଖିଥିଲି ଯାହା ନିମ୍ନରୂପେ ତାଙ୍କୁ ଜଣାଇଲି।

“ଲେଖକ ଜଣେ ସାଧାରଣ ମଣିଷ ଠାରୁ ଏକଦମ ନିଆରା। ସେ ତୁମର ଉଠିବା,ବସିବା ଆଉ ଟିକିନିଖି ସବୁକଥା ଏକ ଅନ୍ୟ ଆଖିରେ ଦେଖିବେ , ଯାହା ସାଧାରଣ ମନୁଷ୍ୟ ପାଇଁ ଅପରିକଳ୍ପନୀୟ। ତୁମର ଭଲ ପାଇବାକୁ ଜୀବନ୍ତ ଭାବରେ ବର୍ଣ୍ଣନା କରିବେ। ତୁମର ସକାଳ ସଞ୍ଜ କେବଳ ସମୟର ଧରା ବନ୍ଧା ଘଟଣା ହେବନି। କୁହୁକ ଲାଗିଯିବ ପ୍ରତିଟି କଥାରେ। ତୁମର କାମନା, ବାସନା, ପ୍ରେମ ଆଉ ପ୍ରଶଂସାକୁ ସୁନ୍ଦର ଭାବରେ ଲିପିବଦ୍ଧ କରିଦେବେ ତାଙ୍କ କାହାଣୀରେ। ତୁମର ପୋଷାକ, ଖାଦ୍ୟ, ପାନୀୟ, ସାଙ୍ଗସାଥି, ବାଲ୍ୟକାଳ, ପସନ୍ଦ, ଅପସନ୍ଦ ତୁମ ଭାବନା, କଳ୍ପନା, ସ୍ମୃତି ଆଉ ସବୁକିଛି ଲେଖିଦେଇ ଯିବେ କାଗଜରେ, ସ୍ୟାହିରେ …ଯୁଗ ଯୁଗ ପାଇଁ ସମୟ ବକ୍ଷରେ।”

ଆମ ଦୁହିଁଙ୍କ ମନ ମିଶୁଥିଲା । ତା ପରେ ଆମେ ନିଜ ନିଜ ଅନୁପଲବ୍ଧି ବିଷୟରେ ଘୋଷଣାନାମା କରି ବସିଲୁ। ସେ କହିଲେ, “ମୁଁ ନିଜକୁ ଲେଖକ ବୋଲି ଆଦୌ ଭାବି ପାରେନି। ବିଶାଳସମୁଦ୍ରରୁ ବିନ୍ଦୁଟିଏ ବି ସଂଗ୍ରହ କରିପାରିନି।”

ମୋ ବିଷୟରେ କହିବାକୁ ଯାଇ ମୁଁ ବି ଅନୁରୂପ ମତ ଦେଇଥିଲି …

“ଭଞ୍ଜ ନୁହେଁ ମୁଁ କବି ମଞ୍ଜ ନୁହେଁ ମୁଁ
ରୁଚି ନାହିଁ କାର ପିଛା କରିବାରେ
ଖଞ୍ଜ ନୁହେଁ ମୁଁ ଦହଗଞ୍ଜ ନୁହେଁ ମୁଁ
ଚାଲି ପାରେ ନିଜ ଇଚ୍ଛା ଅନୁସାରେ”

ମୁଁ ମୋର ପୂର୍ବରଚିତ ସନେଟଟିଏ ଦେଲି :

ଶବ୍ଦର ସନେଟ – ୧
(କୃତଜ୍ଞତା)

ଆଖିରେ ଆଖିକୁ ମିଳାଇ ଶିଖିଲି ସେ ପ୍ରଥମ ସମ୍ମୋହନ
କହୁ କହୁ କେବେ ଶିଖିଲି ଜାଣେନା ପ୍ରେମର ମୁଁ ଉଚ୍ଚାରଣ
ଶିଖାଇଲ କେବେ ହୃଦୟର ଭାଷା ନିରବେ ପ୍ରେମର ସଂଜ୍ଞା
ନ ଜାଣେ କେବେ ମୁଁ କରି ବସିଲି ଏ ସାହିତ୍ୟ ସୃଷ୍ଟି ପ୍ରତିଜ୍ଞା

ଭାବିଥିଲି ଦିନେ ଡାଳେ ଡାଳେ ମୋର ଫୁଟି ଆସୁଥିବ କଢ଼
ଆସିବ ସେ କେଉଁ ଅଜଣା ଆକାଶୁ କୁଆ ପଥରର ମାଡ଼
ଅବଶ ପାଦରେ ଚାଲିବି ତୋ ପାଇଁ ଯେତେ ବି ଥାଏ ମୁଁ ଥକି
ଲେଖିବି ତୋ ଲାଗି କବିତା ସେଦିନ ଗର୍ବରେ ମୁଣ୍ଡ ଟେକି

ରାସ୍ତା କଡର କୃଷ୍ଣଚୁଡା ମୁଁ ଗୋ ପ୍ରିୟା ତୁମେ ଏ କି କଲ ?
ପତ୍ର ଝଡାଇ ଡାଳେ ଡାଳେ ମୋର ଫୁଟିଗଲା ନାଲି ଫୁଲ
କୃତଜ୍ଞତା ମୋର ସମୟ ଥାଉ ଗୋ ନେବ ଅଞ୍ଚଳେ ଟେକି
କେଜାଣି କେ ଦିନ କବିତା ମଝିରେ କଲମ ଯିବ ଅଟକି

କିଏ କହୁଥିବ ଗୋଟିଏ ଯୁଗର ହେଲା ଆଜି ଅବସାନ
ମୁଁ ଜାଣେ ତୁ ଏକା କାନ୍ଦି ମନାଇବୁ ଶବ୍ଦର ଶେଷ ଦିନ।”

ମୁଁ ସନେଟ ଦେଲି ତ ସେ ଦେଲେ ଗଜଲଟିଏ।

ରାତି ତୁ ଶୋଇଯା ଗହନ ନିଦରେ
ମୁଁ ପାରୁ ନାହିଁ ଶୋଇ ….
କେହି ଜଣେ ଦୂରେ ତା ଦୁଆର ଖୋଲି
ରହିଛି ମୋ ବାଟ ଚାହିଁ ..

ଏହି ଗଜଲକୁ ତାଙ୍କର ଜଣେ ବନ୍ଧୁ ଭାରତୀ ଭୁଷଣ ପଟ୍ଟନାୟକ ହାରମୋନିୟମ ସହ ଗାଇଥିଲେ। ତାହାର ଅଡିଓ କ୍ଲିପ ଦେଇଥିଲେ ମୋତେ ଶୁଣିବାକୁ। ମୁଁ ତ୍ୱରିତ ରୁଚି ଦେଖାଇ ନ ଥିଲି। ସେ ଜାଣି ପାରି କହିଥିଲେ, “ସମୟ ସୁବିଧା ଦେଖି ଶୁଣିବେ। ନିରୋଳାରେ ଗଜଲ୍ ଭଲଲାଗେ,ବ୍ଯସ୍ତତା ଭିତରେ ନୁହେଁ।”

ବୋଧେ ଏହା ସତ ଥିଲା। ମୁଁ ବ୍ୟସ୍ତତା ଭିତରେ ଗଜ଼ଲଟିକୁ ଶୁଣିଥିଲି ଆଉ ମୋତେ ବିଶେଷ ଭଲ ଲାଗି ନ ଥିଲା। କିନ୍ତୁ ଏହି ଗଜ଼ଲଟି ତାଙ୍କର ପ୍ରିୟ ଥିଲା। ସେ ମତେ କେଇ ଦିନ ରୋକି ଯାଇ ପଚାରିଥିଲେ,

“ଗଜ଼ଲ ଟି ଶୁଣିଲେ କି?

ମୁଁ ତାଙ୍କୁ ଏକ ପ୍ରକାର ନିରାଶ କରିଲା ପରି ଭାଷାରେ କହିଥିଲି, “ଗାୟକ କଣ୍ଠ ଥରାଇ ଗାଇଛନ୍ତି “
ବିଚରା ନିରୁପମା ପରେ ନିଜର ଗଜ଼ଲ ସପକ୍ଷରେ ଅଧିକ କିଛି କହି ନ ଥିଲେ।

ସାହିତ୍ୟକୁ ନେଇ ଆମ ଦୁହିଁଙ୍କ ଭିତରେ ଚର୍ଚ୍ଚା ଚାଲୁଥିବା ସମୟରେ ମୋ ବ୍ୟକ୍ତିତ୍ୱର ଆକଳନ କିପରି କରି ବସିଥିଲେ, ମୁଁ ଜାଣିନି। କିନ୍ତୁ ନିଶ୍ଚିତ ରୂପେ ସେ ମୋତେ ସାହିତ୍ୟଠୁଁ ଭିନ୍ନ ଆଉ ଏକ ଧରାତଳରେ ପାଉଥିଲେ। ମୋ ଚାରିପଟରେ ବେଢ଼ି ଆସୁଥିବା ଧୂମପଟଳ ସଫା କରିବାକୁ ଯାଇ ପଚାରିଲେ, “ଡକ୍ଟର ଦିଗରାଜ ବ୍ରହ୍ମାଙ୍କୁ ଜାଣନ୍ତି ?”

ମୁଁ ନିରବ ରହିଲି। ସତରେ ଡକ୍ଟର ଦିଗରାଜ ବ୍ରହ୍ମାଙ୍କ ବିଷୟରେ ମୁଁ କିଛି ଜାଣି ନ ଥିଲି।

ଏ ବିଷୟରେ ମୁଁ କିଛି କହିବା ପୂର୍ବରୁ ଆଉ ଗୋଟିଏ ଲେଖକଙ୍କ ଫୋଟୋ ମେସେଞ୍ଜରରେ ପୋଷ୍ଟ କଲେ ଓ ଚିହ୍ନାଇ ଦେଇ କହିଲେ, “ଇଏ ପଦ୍ମଜ ପାଳ ..କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ ।”

ମୁଁ ପଦ୍ମଜ ପାଳଙ୍କ ବିଷୟରେ ବି ଜାଣି ନ ଥିଲି। ନିରବ ରହିଲି … କିନ୍ତୁ ମୁଁ ନିରୂପମାଙ୍କ ଗାମ୍ଭୀର୍ଯ୍ୟକୁ ପଢି ସାରିଥିଲି। ସେ ଏପରି କରି ସାହିତ୍ୟ ସହ ମୋର ସଂଶ୍ଲିଷ୍ଟତା ମାପିବାକୁ ଚାହୁଁଥିଲେ। ମୁଁ ସାହିତ୍ୟ ଭିତରେ ଥିଲେ ବି ଗୋଟିଏ ନୈଷ୍ଠିକ ସାହିତ୍ୟିକର ସମର୍ପଣ ଭାବ ମୋ ଭିତରେ ନ ଥିଲା। ମୋର ପୂର୍ବ ପ୍ରଶ୍ନରୁ ଜନ୍ମ ନେଇଥିବା ମୋର ନିରବତା ଅଧିକ ଦୀର୍ଘ ପ୍ରତୀତ ହେବା ପୂର୍ବରୁ ମୁଁ ସଫେଇ ଦେବା ଢଙ୍ଗରେ କହିଥିଲି, “ମୁଁ ଅଧିକାଂଶ ଲେଖକଙ୍କୁ ଜାଣିନି ଓ ଅନେକ ଭଲ ଲେଖା ପଢିନି ବି।”

ଅପର ପକ୍ଷରେ ନିରୂପମା ସାହିତ୍ୟ ପ୍ରତି ସମର୍ପିତା ଥିଲେ । ନ ହେଲେ ମେସେଞ୍ଜରରେ କିଏ ଏପରି ଭାବେ ଗମ୍ଭୀର ସାହିତ୍ୟ ଚର୍ଚ୍ଚା କରେ ? ସେ ସାମ୍ପ୍ରତିକ ସାହିତ୍ୟକୁ ନେଇ ଅନେକ କଥା ଜାଣିଥିଲେ । ମୁଁ ଠିକ ଓଲଟା ଥିଲି । ସାହିତ୍ୟିକ କୃତି ଓ ସ୍ରଷ୍ଟାମାନଙ୍କ ବିଷୟରେ ମୋର ସର୍ବନିମ୍ନ ଜ୍ଞାନ ବି ନ ଥିଲା । ସେହି ମୁହୂର୍ତ୍ତରେ ଲାଗୁଥିଲା, ଆଜି ତୋଫାନର ବେଗ ନେଇ ଆସିଥିବା ଏହି ଲେଖିକା ମୋ ପାଇଁ ଘୂର୍ଣ୍ଣିଝଡ ହୋଇଥିବେ ଯଦି? ତାଙ୍କ ଆଗରେ ଆବିଷ୍କୃତ ହେବା ପୂର୍ବରୁ ଦୁବଘାସ ପରି ନଇଁ ଯାଇ କହିଥିଲି – “ମୋର ବିଶେଷ କିଛି ଶବ୍ଦଜ୍ଞାନ ନାହିଁ । ମୁଁ ଶହେ ଦେଢ଼ ଶହ ଶବ୍ଦକୁ ଏପଟ ସେପଟ କରି ପାଠକଙ୍କୁ ଭ୍ରମିତ କରୁଛି ଯାହା।”

ନିରୁପମାଙ୍କ ସହ ପ୍ରଥମ ଦିନର ଏହି ବାର୍ତ୍ତାଳାପ ଦିନ ମୁଁ ମୋର ସମସ୍ତ ମେସେଜକୁ ଯଥା ସମ୍ଭବ ବ୍ୟାକରଣଦୋଷମୁକ୍ତ କରି ଛାଡୁଥିଲି । ଯେତେବେଳେ ରାତ୍ରି ବିଦାୟର ବେଳା ଆସିଲା, ମୁଁ ଶୁଭରାତ୍ରୀ ନ ଲେଖି ଶୁଭରାତ୍ରି ଲେଖିଲି। ସେ କିନ୍ତୁ କହିଲେ, “ଦୁଇଟା ଠିକ ବୋଲି କହୁଛନ୍ତି। ଉଚ୍ଚାରଣ ଦୃଷ୍ଟିରୁ ତ୍ରି ଠିକ୍। …ଶବ୍ଦକୋଷରେ ଉଭୟ ଠିକ”

ଫେସବୁକରେ ବ୍ୟାକରଣକୁ ନେଇ ଅନେକ ଅଯାଚିତ ପରାମର୍ଶ ମିଳୁଥିବାର ଦୃଷ୍ଟାନ୍ତ ଅଛି। ବନାନ ଅଶୁଦ୍ଧିକୁ ନେଇ ସେ ତାଙ୍କ ସହ ଘଟିଥିବା ଗୋଟିଏ ଘଟଣା କହିଲେ – “ଜଣେ ଫେସବୁକରେ ଜଣଙ୍କ ବନାନ ଉପରେ ଭୁଲ ଦର୍ଶାଇ ଲେଖିଥିଲେ, “କିଛି ତୃଟି ରହୁଛି ” ତାହା ଦେଖି ନିରୁପମା ତୁରନ୍ତ ଲେଖି ଦେଇଥିଲେ, “ଆପଣଙ୍କ ତୃଟିରେ ତ୍ରୁଟି ରହିଲା ..”

ମତେ ଲକ୍ଷ୍ୟ କରି କହିଲେ ,”ସଠିକ ଲେଖିବା ଠିକ ନୁହେଁ। ଠିକ ଲେଖିବା ଠିକ।”
ଆମ ଦୁହିଁଙ୍କ ଭିତରେ ଏବେ ବାର୍ତ୍ତା ବିନିମୟ ଟିକିଏ ଅଧିକ ହେଲା। ଆମେ ଦୁହେଁ ଲେଖକ ଭାବରେ ପାରସ୍ପରିକ ସମ୍ମାନ ଓ ସଦ୍ଭାବ ସହ କଥା ହେଉଥିଲୁ। କିନ୍ତୁ ଶବ୍ଦ ସହ ମାଙ୍କଡ଼ାମି ନ କରି ମୁଁ କେଉଁଠି ରହିପାରେ?

ନିରୂପମା ଆଚାର୍ଯ୍ୟଙ୍କୁ ମୁଁ ତାଙ୍କ ସଂକ୍ଷିପ୍ତ ନାଆଁ “ନିଆ” ବା “ନିଆଁ” ନାଆଁ ଦେଇ ସମ୍ବୋଧନ କଲି।

ସେ ଅଜୟ ମାହାଲା କୁ “ଅମା” କରିଦେଲେ । ମୁଁ ନିଜକୁ ଅମା ଅନ୍ଧାର ମାନି ନେଲି ଆଉ ତାକୁ ନିଆଁ । ଏମିତି କଥାରେ କଥାରେ ଅମା ଆଉ ନିଆ ମିଶି ସାହିତ୍ୟିକ ବନ୍ଧୁତ୍ୱର ଅମାନିଆ ପୋଲଟିଏ ଗଢ଼ି ଦେଲୁ । ମୁଁ ତାଙ୍କ ଆଗରେ ନିଜକୁ ପ୍ରଦର୍ଶିତ କରି ସାରିଥିଲି । ନିତିଦିନିଆ ସାହିତ୍ୟସାଧନାକୁ ଏମିତି ବି ରୋଚକ ଓ ରୋମାଞ୍ଚକ କରା ଯାଇପାରେ – ସେ ଅନୁଭବ କରି ସାରିଥିଲେ । “ବାପ୍ ରେ ଏତେ ଗୁଣ !!😮😮” ଲେଖି ଗୋଲାପ ଫୁଲ ଆଉ ହୃଦୟର ଇମୋଜି ସହ ପୋଷ୍ଟ କଲେ । ସଦ୍ୟଲବ୍ଧ ବନ୍ଧୁତ୍ୱକୁ ନେଇ ନିଜର ରୋମାଂଚିତ ଭାବକୁ ଲେଖିଦେଲେ ଏହି ପ୍ରଥମ ସ୍ୱାଗତ ଗୀତିରେ …

“ଅମା ଯେତେବେଳେ ଚକ୍ ମକ୍ କରେ
ନିଆ ବି ଲାଜେଇ ଯାଏ
ସତେକି ହୃଦୟ ଲଭି ପରାଜୟ
କିଞ୍ଚିତେ ବିସ୍ମିତ ହୁଏ !!!!

ଛାଇ ଆଲୁଅର ସଂପର୍କ କି ନୁହେଁ
ପାରସ୍ପାରିକର ଶ୍ରଦ୍ଧା
ଅମାଜ୍ଯୋତି ପାଖେ ନିଆଁ ହାରିଗଲେ
ନାହିଁ କିଛି ଅସୁବିଧା !!!

ତମେ ବହୁମୁଖୀ ସାଧନର ସିଦ୍ଧି
ମୁଁ ମାତ୍ର ଖଦ୍ଯୋତ ସମ
କେମିତି ବା କୁହ ହେବି ତୁମ ସରି
ନୁହେଁ ମାୟା ନୁହେଁ ଭ୍ରମ ।।

ବନ୍ଧୁ ତୁମ ପାଇଁ ସାଇତି ରଖିଛି
ନିରୁତା ହୃଦୟ ପ୍ରୀତି
ଦୂରେ ଦୂରେ ଥାଇ ଶୁଭ ମନାସୁଛି
ଗୁଞ୍ଜରି ଉଠୁ ଖ୍ଯାତି।

ଯଶସ୍ବୀ ହୁଅ 🌹🌹”

ୟା ଭିତରେ କିଛି ଦିନ ବିତିଗଲା।

ଅଗଷ୍ଟ ୬, ୨୦୨୨ ଦିନ ଦେଢ଼ଟା ସମୟରେ ମୋ ସହ ପରବର୍ତ୍ତୀ ବାର୍ତ୍ତାଳାପ କରିବାର ପ୍ରଚେଷ୍ଟା କରିଥିଲେ ଥିଲେ ନିରୁପମା। ଆଜି ଯଦି କେହି ହିସାବ କରି ବସେ ସେ ଜାଣି ପାରିବ, ସେତେବେଳକୁ ତାଙ୍କର ଆୟୁଷ ଅଢେ଼ଇମାସ ପାଖାପାଖି ବଞ୍ଚିଥିଲା ମାତ୍ର। ….ସେତେବେଳକୁ ତାଙ୍କ ପାଖକୁ ପଠାଇଥିବା ‘ମାୟ ଫେଭ୍’ ବହି ସେ ପାଇ ସାରିଥିଲେ।

ତାଙ୍କଠୁଁ ଏହି ସଂକ୍ଷିପ୍ତ ମେସେଜଟି ଆସିଥିଲା

👌 😢
“ଲେଖନୀକୁ ସହସ୍ରବାର ପ୍ରଣାମ।”

ମୁଁ ତୁରନ୍ତ ଏହି ମେସେଜ ଦେଖି ନ ଥିଲି। ଯଦି ତୁରନ୍ତ ଦେଖିଥାନ୍ତି ବି ମୋତେ ବୁଝିବାକୁ କଷ୍ଟ ହୋଇଥାନ୍ତା, ନିରୁପମାଙ୍କ ପରି ଚିହ୍ନରା ଲେଖକ-ପାଠକଙ୍କଠାରୁ ହଠାତ ଏହି ପ୍ରଶଂସାବାକ୍ୟ ଆସିବାର ଉଚିତ କାରଣ କଣ ଜାଣିବା ପାଇଁ। ଏହା ବି ଆଶ୍ଚର୍ଯ୍ୟ ଲାଗୁଥିଲା, “ବାଃ ବାଃ ସହ ଆଖିର ଲୁହ”କୁ ପାଇ। ନିରୁପମା 👌 😢ସୁଖକର ଇମୋଜି ସହ ଦୁଃଖର ଇମୋଜି ମିଶାଇଲେ କାହିଁକି ? ଏହା ତାଙ୍କ ଆନନ୍ଦାଶ୍ରୁ ଥିଲା ? ନା ତାଙ୍କ ଭିତରର ସଞ୍ଚିତ ବେଦନା?

ଏହି ମେସେଜ ପଠାଇବାର ଠିକ ବାର ମିନିଟ ପରେ ୧.୪୨ ସମୟରେ କବିତାଟିଏ ଆସିଲା ମୋ ଉପନ୍ୟାସ ମାୟ ଫେଭ୍ କୁ ନେଇ …

ପ୍ରେମର ଏଯେଉଁ ମୁଗ୍ଧ ଅନୁଭବ
କେମିତି ଜାଣିଲ କୁହ
ମାୟଫେଭ୍ ମୋର ଜଣାଇବ ଥରେ
ଆଖିରୁ ଝରୁଛି ଲୁହ।।

ଏ କାହା କାହାଣୀ ଦେଇଛ ବଖାଣି
ହେଉବା ଚମ୍ପା ଟଗର
ପ୍ରତିଟି ବାକ୍ଯରେ ନିର୍ବିଘ୍ନେ କରିଛି
ନିଜକୁ ମୁଁ ଆବିଷ୍କାର ।।

ଅଦେଖା ପ୍ରେମର ନିବିଡ଼ ଛୁଆଁରେ
ପୃଷ୍ଠା କରୁଛି ଈର୍ଷ୍ଯା
ଅମାନିଆ ମନ ମୟୁରୀ ଖୋଜୁଛି
ଆଖିଆକାଶର ବର୍ଷା ।।

ଗଳ୍ପ ନୁହେଁ ଏ ସ୍ବଳ୍ପ କଳ୍ପନା
ତଳ୍ପ ତିନ୍ତାଇ ଦିଏ….
ଗଭୀର ପ୍ରେମର ଏ ସନ୍ଧିସ୍ବାକ୍ଷର
ପୂର୍ଣ୍ଣ ସମର୍ପଣ ଇଏ ।।

ବହୁତ ବହୁତ ବହୁତ ………..❤❤

ତାଙ୍କର ଏଡ଼େ ସୁନ୍ଦର କବିତାର ଜବାବ ମୁଁ ଏକପଦୀଟିଏରେ ଦେଲି

ନିରୀହ ନିରୁ ତ ପଚାରେ ନିରୁତା ପ୍ରେମର
ଏହି କାହାଣୀ
ନୀର ଭିଜା ଋତୁ ରାତି ରୀତି ରତି
କିପରି ଦେବି ବଖାଣି?

ସେ ‘ମାୟ ଫେଭ୍’ ପଢି ଖୁସି ଆଉ ଦୁଃଖରେ ଭିଜିଥିଲେ ଆଉ ନାଚିଥିଲେ ଯେପରି। ମତେ ସନ୍ଦେଶରେ ଲେଖିଲେ, “ଆପଣଙ୍କର ପ୍ରତିଟି ଉପନ୍ଯାସ ପଢିବାକୁ ଚାହେଁ “

ମୁଁ ମଜାରେ ଲେଖିଦେଲି,
“ଉପନ୍ୟାସ ଦୁଇଟି
ମାୟ ଫେଭ୍
ଆଉ …
ମୁଁ ନିଜେ “

“ମୁଁ ନିଜେ” ଲେଖି ମୁଁ ଗର୍ବିତ ଠାଣିଟିଏ ଦେଇଥିଲି ମାତ୍ର। ଏହି ଅପାଙ୍କ୍ତେୟ ଲେଖକର ଜୀବନକୁ ଉପନ୍ୟାସ ଭାବି ପଢିବା ପାଇଁ ଅନ୍ୟ ଏକ ଲେଖିକାକୁ ଚାଟୁଳ ଆମନ୍ତ୍ରଣ ଥିଲା ..। ସେ “ମୁଁ ନିଜେ”କୁ ନିଜର ଅମାୟିକ ସରଳ ବିଶ୍ୱାସରେ ଗୋଟିଏ ଉପନ୍ୟାସର ନାଆଁ ହୋଇଥିବ ବୋଲି ଭାବି ବସିଲେ ଆଉ ଲେଖିଦେଲେ,

“ମୁଁ ନିଜେ ପଠାଇବାକୁ ଅନୁରୋଧ।”

ମୁଁ ହସିଲି। ନିରବ ରହିଲି। ପୁଣି ହସିଲି। ତାଙ୍କୁ ଶଙ୍କା ହେଲା। ସେ ଲେଖିଲେ,

” ମଜାକ୍ ନୁହେଁ। ସତରେ ‘ମୁଁ ନିଜେ’ ଲେଖିଛନ୍ତି ନା ଲେଖିବେ ? ଯଦି ସରିଥାଏ ପଠାଇବେ ନ ସରିଥିଲେ ଲେଖିବାକୁ ଅନୁରୋଧ।”

ପୁସ୍ତିକାଟିଏ
ନାୟିକାସିଏ
ପୃଷ୍ଠା ଖୋଲି କିଏ ଦେଖିଛି

ଉପରୁ ସେମିତି
ପଢି ହୁଏ ସିଏ
ପ୍ରେମ ବର୍ଣ୍ଣ ଯିଏ ପଢ଼ିଛି

ପୁସ୍ତିକାର ଅଛି
ନଖ ଓ ନାସିକା
ଉର୍ମିଳ କେଶ ବିନ୍ୟାସ

ମଣିଷକୁ ଯଦି
କେହି ପଢିପାରେ
ଲୋଡ଼ା ନାହିଁ ଉପନ୍ୟାସ

ସେ ମୋ କବିତାର ମର୍ମ ବୁଝିଲେ ଆଉ ଲେଖିଲେ,

“ହଁ ଠିକ କହିଲେ।ମଣିଷର ମନକୁ ପଢିବା ସବୁଠାରୁ ବଡ କଥା।ବିଶେଷ କରି ପୁରୁଷହୋଇ ନାରୀମନକୁ ବୁଝି ତା ପ୍ରେମର ଗଭୀରତାରେ ବୁଡ ପକାଇ ପ୍ରକାଶ କରିବା ବହୁ କଷ୍ଟସାଧ୍ଯ।ଯାହା ଆପଣ କରିପାରିଛନ୍ତି।” ଏହା ସାହିତ୍ୟ ଚର୍ଚ୍ଚାକୁ ନେଇ ନିରୁପମାଙ୍କର ମୋ ସହ ଶେଷ ବାର୍ତ୍ତାଳାପ ଥିଲା। ତା ପରେ ଅଗଷ୍ଟ ପନ୍ଦରକୁ ନିଜ ଫୋଟୋ ଉପରେ ତିରଙ୍ଗାର୍ ଷ୍ଟିକର ଲଗାଇ ଫୋଟୋଟିଏ ପଠାଇ ଲେଖିଥିଲେ, “Happy Independence Day.”

ମୁଁ ଫୋଟୋ ଦେଖି ଲେଖିଲି, “ବାଃ , Aap ko bhi Happy Independence Day.”

ଅନୁରୂପ ହିନ୍ଦୀରେ ଜବାବ ଦେଇ ସେ କହିଲେ, “ଶୁକ୍ରିୟା ସାର୍ !”

ମୁଁ ତାଙ୍କୁ ଖୁସି କରାଇବା ପାଇଁ ମୋ ନିଜ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ସ୍ୱାଧୀନତା ଦିବସ ଆୟୋଜନର ଦୁଇ ତିନୋଟି ଚିତ୍ର ପଠାଇଲି। ସେଥିରେ ନୀଳ ଆକାଶକୁ ପଛରେ ରଖି ଉଡୁଥିବା ସୁନ୍ଦର ତ୍ରିରଙ୍ଗାର ଚିତ୍ର ବି ଥିଲା ଚିତ୍ରଗୁଡିକ ଦେଖି ଦେଶପ୍ରେମ ଭାବରେ ଜୁଡୁବୁଡ଼ୁ
ସ୍ୱଗତୋକ୍ତିଟିଏ ଯେମିତି ବାହାରି ଗଲା ତାଙ୍କଠୁଁ – “ଆମର ଗର୍ବ କଲାପରି ଗୋଟିଏ ଯାହା କେବଳ ତ୍ରିରଙ୍ଗା “

ମୁଁ ଛୋଟ ‘ହଁ’ ଟିଏ ମାରିଲି। ସେ କିନ୍ତୁ କହି ଚାଲିଲେ, “ଭାଷଣବାଜି ରେ କଣ ଅଛି ? ତ୍ରିରଙ୍ଗା ଉପହସିତ ହେଉଛି…ଯଦି ଦେହ ଭଲଥାଏ ତେବେ କାଲି ଏ ବିଷୟରେ ଲେଖିବି।”

ଉପରୋକ୍ତ ବାକ୍ୟରୁ ଜଣା ଯାଏ ସେ ଅସୁସ୍ଥ ଥିଲେ। କିନ୍ତୁ ମୋର ତାଙ୍କର ଦେହ ଆଉ ସ୍ୱାସ୍ଥକୁ ନେଇ ଗମ୍ଭୀର ହେବାର କୌଣସି କାରଣ ନ ଥିଲା। ମୁଁ ସର୍ଦ୍ଦି କାଶ ପରି କିଛି ମାମୁଲି ସମସ୍ୟା ଥିବ ବୋଲି ମାନି ନେଇଥିଲି।

ମୁଁ ସେହିଦିନ ସ୍ୱାଧୀନତା ଦିବସକୁ ନେଇ ଆଉ କେତୋଟି ଫୋଟୋ ପଠାଇଲି। ଅନ୍ୟ ପର୍ବ ପର୍ବାଣି ପରି ଜୟପୁର ସହରକୁ ସ୍ୱାଧୀନତା ଦିବସରେ ସଜାଯାଏ; ରାତିରେ ସରକାରୀ ଅଟ୍ଟାଳିକା ଗୁଡିକରେ ସୁନ୍ଦର ଆଲୋକ ସଜା ଦେଖିବାକୁ ମିଳେ। ମୁଁ ପୂର୍ବ ରାତ୍ରିରେ ଅଫିସରୁ ଘରକୁ ଫେରିବାବେଳେ ଚଳନ୍ତା କାରରୁ ଅନେକ ଫୋଟୋ ଉଠାଇଥିଲି। ପଠାଇଥିବା ଫୋଟୋଗୁଡିକ ଅତ୍ୟନ୍ତ ଆକର୍ଷକ ଥିଲା। ତାର ଜବାବରେ ନିରୁପମା ମାତ୍ର ଗୋଟିଏ ଫୋଟୋ ମୋ ପାଖକୁ ପଠାଇଲେ। ଫୋଟୋରେ ତାଙ୍କ ପାଖକୁ ଲାଗି ହାତରେ ତ୍ରିରଙ୍ଗା ଧରି ବାଳକଟିଏ ଠିଆ ହୋଇଥିଲା। ଫୋଟୋ ସହ ମେସେଜଟିଏ ଆସିଥିଲା – ‘ଅସୁସ୍ଥ ହେତୁ ଘରେ ଅଛି। କିନ୍ତୁ ତ୍ରିରଙ୍ଗାର ମୋହ ଛାଡି ପାରିନି’

ମୁଁ କେବଳ “ହଁ” ମାରିଲି ତା କଥାରେ ।

ସାହିତ୍ୟକୁ ଛାଡ଼ିଦେଲେ ଆମେ କେବେ ବି ଅନ୍ୟକଥା ହୋଇନାହୁଁ। ତାଙ୍କ ପାଖରେ ଜାତୀୟ ପତାକା ଧରି ଛିଡ଼ା ହୋଇଥିବା ପିଲାଟି କିଏ ଥିଲା ବୋଲି ମୁଁ ପଚାରି ନ ଥିଲି। ମୁଁ ତାଙ୍କ ଭିତରେ ଦୁଇଟି କଥା ଦେଖି ପାରୁଥିଲି – ତାଙ୍କର ଗହନ ପୀଡା ସହ ଦେଶପ୍ରେମ। ଅସୁସ୍ଥତା ବୋଧେ ବେଶି ଥିଲା ଯାହା ସେ ନିଜ ଭିତରେ ଚାପି ଧରିଥିଲେ। ସେଦିନ ସେ ପ୍ରଥମ ଥର ପାଇଁ ନିଜ ତରଫରୁ ଖୋଲି କହିଲେ –

“Central disk …Right shoulder bone damage…ଅସମ୍ଭବ ଯନ୍ତ୍ରଣା ଭୋଗୁଛି।
ଗୋଟିଏ ମାସ ଆଗରୁ ଡକ୍ଟର ହାଡରେ ଦୁଇଜାଗା ଇଞ୍ଜେକ୍ସନ ଦେଇଥିଲେ ..କିଛି ସୁଫଳ ନାହିଁ”

ମୋ ପାଟିରୁ ବାହାରି ପଡ଼ିଲା, “ଓ ହୋ !”

ପଛକୁ ପଛ ଆଉ ଗୋଟିଏ ସନ୍ଦେଶ – “Lungs ବି affected ..ଫୁଲିକି ରହୁଛି। ଡକ୍ଟର କାଲି ଦେଖିବେ …ଯାହା ହେବ …”

କାର୍ଯ୍ୟବ୍ୟସ୍ତତା ଭିତରେ ବୁଡ଼ିରହିଥିବା ମଣିଷ ପାଇଁ ସମୟ କଙ୍ଗାରୁଟିଏ ହୋଇ ଡେଇଁ ଡେଇଁ ଚାଲେ। କୋଡିଏ ଦିନର ବ୍ୟବଧାନ ପରେ ସେପ୍ଟେମ୍ବର ୩ ତାରିଖ ଦିନ ପ୍ରଥମେ “ଜୟ ଜଗନ୍ନାଥ 🙏” ଲେଖି ତା ସହ ଗ୍ରାଫିକ ଡିଜାଇନ ହୋଇଥିବା କବିତାଟିଏ ପଠାଇଲେ। ମୁଁ ଏତେ ଧ୍ୟାନ ଦେଇ ପଢି ନ ଥିଲି କବିତାଟିକୁ । ସେହି କବିତାଟି ମୋତେ ଭଲ ଲାଗିଲା କି ଖରାପ ଲାଗିଲା ସେତକ କହିବାକୁ ସମୟ ଥିଲା।

ସମୟ କଙ୍ଗାରୁର ଡେଇଁଲା ଏବେ ଗୋଟିଏ ମାସ ଆଉ ଛଅଦିନର ବ୍ୟବଧାନ ନେଇ। ଅକ୍ଟୋବର ୯ ତାରିଖ ଦିନ ମୋ ମେସେଞ୍ଜରରେ ଛୋଟ ଉତ୍କଟ ତୀବ୍ର ମେସେଜଟିଏ ଆସିଥିଲା –

“ମୁଁ କ୍ୟାନ୍ସର ପୀଡ଼ିତା। ଟ୍ରିଟମେଣ୍ଟ ଚାଲିଛି।”

ଏ ବାକ୍ୟଗୁଡିକରେ ବି ନିରୁପମାଙ୍କର ଏକ ସମୟରେ ଦୁଇଟି ଭାବ ଫୁଟାଇବାର ସେହି ପୁରୁଣା ଶୈଳୀ। ଏଥର ‘ବାଃ ବାଃ ସହ ଆଖିର ଲୁହ’ ବା ‘ଗହନ ପୀଡା ସହ ଦେଶପ୍ରେମ” ନ ଥିଲା। ଏଥର ଥିଲା ବନ୍ଧୁଙ୍କୁ ନିଜ ସ୍ୱାସ୍ଥ୍ୟର ଭୟାବହ ସ୍ଥିତି ବିଷୟରେ ସୂଚନା ଦେବାସହ ତାଙ୍କୁ ମ୍ରିୟମାଣ ହେବାରୁ ବଞ୍ଚାଇବା ପାଇଁ “ଟ୍ରିଟମେଣ୍ଟ ଚାଲିଛି” ପରି କ୍ଷୁଦ୍ର ବାକ୍ୟଟିଏ। ଛାନିଆପଣ ଲାଘବ କରିବା ପାଇଁ ସେତକ କଥା ଥିଲା।

ମୁଁ ବି ତାଙ୍କର ଏହି ଗମ୍ଭୀର ସମସ୍ୟାକୁ ଢାଙ୍କି ରଖିଥିବା ଆଶ୍ୱାସନା ଟିକକରେ ଭଳିଗଲି ଓ ଜବାବରେ ଲେଖିଥିଲି, “ଭଗବାନ ଜଲଦି ଭଲ କରି ଦିଅନ୍ତୁ!”

ଏଥର ସମୟର କଙ୍ଗାରୁ ତାର ଶେଷ ଡିଆଁ ମାରି ସାରିଥିଲା – ନିରୁପମାଙ୍କର ଜୀବନର ଶେଷ ଦୈର୍ଘ୍ୟ ଅତିକ୍ରମ କରି। ମନେ ପଡ଼ିଗଲା ମୁଁ ଲେଖିଥିବା ଶବ୍ଦର ସନେଟର ସେହି ଭାଗଟି ….

“କୃତଜ୍ଞତା ମୋର ସମୟ ଥାଉ ଗୋ ନେବ ଅଞ୍ଚଳେ ଟେକି
କେଜାଣି କେ ଦିନ କବିତା ମଝିରେ କଲମ ଯିବ ଅଟକି
କିଏ କହୁଥିବ ଗୋଟିଏ ଯୁଗର ହେଲା ଆଜି ଅବସାନ
ମୁଁ ଜାଣେ ତୁ ଏକା କାନ୍ଦି ମନାଇବୁ ଶବ୍ଦର ଶେଷ ଦିନ”

କିନ୍ତୁ ଏ କଣ ଦେଖୁଛି ମୁଁ ? କବିତାଟିର ଟିପ୍ପଣୀ ଦେବାକୁ ଯାଇ ତୁମେ ତାକୁ ପରିବର୍ତ୍ତିତ କରି ଲେଖିଦେଇଥିଲ –

“ମୁଁ ଜାଣେ ତୁମେ କାନ୍ଦି ମନାଇବ ଶବ୍ଦର ଶେଷଦିନ …..
ଲେଖାଟି ଅନନ୍ୟ।”

ମୋ କବିତାର ଶେଷ ପଂକ୍ତିରେ ଶବ୍ଦର ପରିବର୍ତ୍ତନ କଣ ଜାଣିଶୁଣି କରିଥିଲ …? ନତୁବା ନିୟତି ତୁମ ହାତରେ ଏହି କଠୋର ସତ୍ୟଟି ଲେଖାଇ ଦେଇଥିଲା । ଲେଖିଥିଲି ମୁଁ …ଆଉ ଅଙ୍ଗୀକାର କରିନେଲ ତୁମେ । ନିଜକୁ ନିଜେ ଶବ୍ଦର ସିକନ୍ଦର ଭାବୁଥିବା ଅପାଙ୍କ୍ତେୟ ଲୋକଟିର ଆଖିରେ ଲୁହ ଦେଇ ଚାଲିଗଲ । କବିତା ସତ୍ୟ ହେଲା …

ନିରୁପମାଙ୍କୁ ସାହିତ୍ୟର ଜୀବନ୍ତ ପ୍ରତିମାଟିଏ ରୂପେ ମୁଁ ଦେଖିଥିଲି। ସେ ସାହିତ୍ୟର ମୂର୍ତ୍ତିମନ୍ତ ସାଧିକା ଥିଲେ। ଗୋଟିଏ ଫେସବୁକ ମେସେଞ୍ଜର ଏକାଉଣ୍ଟର ଦୁଇ ପାର୍ଶ୍ଵରେ ଦୁଇ ଜଣ ମାଲିକ ଥାଆନ୍ତି। ଯେମିତି ମୁଁ ପଢ଼ୁଥିବା ଏହି ଏକାଉଣ୍ଟର ମାଲିକ ସିଏ ଆଉ ମୁଁ। ସେ ଆଉ ନାହାଁନ୍ତି। ତାଙ୍କ ବିନା ଅନୁମତିରେ ମୁଁ ଏ ସବୁ ଅନ୍ୟ ପାଠକ ପାଠିକା ମାନଙ୍କ ସମ୍ମୁଖରେ ମୋ ସହ କାଟିଥିବା କେଇ ମିନିଟର କଥା ଲେଖି ଦେଉଛି, ଗୋଟିଏ ସଚ୍ଚା ସାହିତ୍ୟସାଧିକା ବିଷୟରେ ଅନ୍ୟମାନଙ୍କୁ ଜଣାଇବା ପାଇଁ କେବଳ। କିନ୍ତୁ ମେସେଞ୍ଜର ବହିର୍ଭୁତ ତାର ଦୁନିଆଁ କେତେ ବଡ଼ କିଏ ଜାଣେ? ନିରୁପମାଙ୍କ ମନ ପେଟିରିରେ କେତେ କଥା ଯେ କଥା ଅକୁହା ରହିଗଲା କିଏ ଜାଣେ? ତାଙ୍କ ବିଷୟରେ ଯେଉଁ ଦୁଇପଦ ଭଲ କଥା ଲେଖୁଛି, ମୁଁ ଜାଣେ ତାକୁ ନେଇ ମତେ ଧନ୍ୟବାଦ ଜଣାଇବାକୁ ତାଙ୍କ ତରଫରୁ ଦୁଇପଦ ଆସିବ ନାହିଁ। ମୋର ଖୋଲା ପ୍ରଶଂସା କରିବା ପାଇଁ ନିରୁପମା ଆଜି ନାହାଁନ୍ତି।

କଣ ପାଇଁ ତା’ ହେଲେ ଏହି ଲେଖା ମୋର? ଏହି ଲେଖାର ପାଠିକାଙ୍କ ପାଖରୁ ବାଃ ବାଃ ଶୁଣିବା ପାଇଁ? ନା ନା ନା। ମୁଁ ଜାଣେ, ଲେଖକ ଆଉ ଲେଖିକାଙ୍କ ଦୁର୍ଗତି। ଜୀବନ ସହ ନିଜକୁ କେତେ ଜଡ଼ିତ କରି ପାରନ୍ତି ସେମାନେ ? ସ୍ରଷ୍ଟା ବୋଲି ସେମାନଙ୍କୁ ଆଉ କିଏ ପ୍ରମାଣ ପତ୍ର ଦେବ, ଅନେକ ତ ଏହି ଆଶାରେ ରହୁଛନ୍ତି। ବନ୍ଧୁ ହୋଇ ବି ବନ୍ଧୁ ବା ବାନ୍ଧବୀ ଲେଖିଥିବା ବହିଟିଏ କିଣିବା ଦୂର କଥା, ମୁହଁ ଖୋଲି ଦୁଇପଦ ପ୍ରଶଂସା କରି ଦେବାର ମଧୁର ଇଚ୍ଛା ନାହିଁ। ପଦ ପଦବୀ, ପୁରସ୍କାର ଆଉ ମାନ୍ୟତାକୁ ଛିଃ କରି ଦେଇ ଜୀବନ ଭିତରକୁ ଥରେ ତ ଡେଇଁ ପଡ଼ିବାର ସୁନ୍ଦର ସାହସ ନାହିଁ!

ନିରୁପମା ସମସ୍ତଙ୍କଠୁଁ ଅଲଗା ଥିଲେ। ସେଥିପାଇଁ ତ ସିଏ ଚାଲିଗଲା ପରେ ତାଙ୍କର ମେସେଞ୍ଜର ଏକାଉଣ୍ଟ ଖେଳେଇ ଦେଖୁଛି ..ଆଉ ଭୁବନେଶ୍ୱରର ପୁସ୍ତକମେଳାରେ ତାର ଛାଇ ପାଖେ ପାଖେ ଚାଲୁଥିବାର ଅନୁଭବ କରୁଛି।

ଏଥର ରହିଲା ମୋର ସ୍ୱାର୍ଥରଞ୍ଜିତ ସେହି ଇଚ୍ଛାଟି – ନିରୁପମା “ମାୟ ଫେଭ୍” ଉପନ୍ୟାସଟିର ସମୀକ୍ଷା ଲେଖିବେ। ଭାବିଲା ପରେ ଜାଣିଲି ସେଟା ବି ଅଧୁରା ରହିନି। ଏବେ ବୁଝୁଛି ମାୟ ଫେଭ୍ ଉପରେ ଲେଖିଥିବା କବିତାଟି ହିଁ ତାର ସମୀକ୍ଷା। ତାକୁ ଆଉ ଥରେ ପଢିବା ସହ ଅକ୍ଟୋବର ୯ କୁ ନିରୁପମା ପଠାଇଥିବା ଗ୍ରାଫିକ ଡିଜାଇନର କବିତା ଯାହାକୁ ମୁଁ ମନ ଦେଇ ପଢି ନ ଥିଲି, ସେହି ଶେଷ କବିତାଟିକୁ ଏବେ ମନ ଦେଇ ଦେଖୁଛି। ଏବେ ତ କାହିଁ ସେଇଟା ମତେ ତାଙ୍କର ସର୍ବୋତ୍କୃଷ୍ଟ କବିତା ପରି ଲାଗୁଛି। ସେଥିରେ ହୋଇଥିବା ହସ୍ତାକ୍ଷରରୁ ତାଙ୍କ ନାଆଁ “ଚିନୁ” ବୋଲି ଜାଣି ପାରୁଛି । ତାହା କେବଳ ମୋ ପାଖକୁ ନିରୁପମା ପଠାଇଥିବା ଶେଷ କବିତା ନ ଥିଲା, ସେଥିରେ ଯେମିତି ପ୍ରଚ୍ଛନ୍ନ ଥିଲା ଜୀବନର ଚିରନ୍ତନ ସତ୍ୟଟିଏ। ସେଥିରେ ଲିପିବଦ୍ଧ ଥିଲା ଲକ୍ଷେ ଲକ୍ଷ ନିରୁପମାଙ୍କ ଆତ୍ମକାହାଣୀ, ମାତ୍ର କେତୋଟି ଶବ୍ଦରେ …

ସତ ଜଳେ ନିତି
ଅମୁହାଁ ଦେଉଳେ
ନୀରବ ଅଶ୍ରୁ ଢାଳି

ମିଛର ଆଲୋକ
ଶିଖା ପ୍ରକଟୁଛି
ଆଶାର ଦୀପରେ ଜଳି

କିଏ ବା ବୁଝିବ
ଜଳିବା ଜାଳିବା
ନୁହଁଇ ତ ଏକା କଥା

ନିର୍ଦ୍ଦୟ ସମୟ
ଦାୟରେ ଚାଲେ ମୁଁ
ବାହାନାରେ ଟେକି ମଥା

ନିରୁପମା ଜୀବିତ ଥିଲାବେଳେ ତାର ଯେଉଁ ଗଜ଼ଲଟିକୁ ମୁଁ ପ୍ରତ୍ୟାଖ୍ୟାନ କରି ଦେଇଥିଲି, ଆଜି ତାକୁ ପୁଣି ଥରେ ଶୁଣିଲି। ଏତେ ମଧୁରତା ଆଉ ଉଦାସ ଭାବ ସେହି ଗଜ଼ଲରେ କେଉଁଠୁ ଆସିଲା? ନିରୁପମା ସେହି ଗଜ଼ଲଟି ମତେ ଶୁଣାଇବାକୁ ଚାହୁଁଥିଲେ ଗୋଟିଏ ସଫଳ ଗୀତର ସାବାସୀ ନେବା ପାଇଁ ନୁହେଁ। ସେ ନିଜର ହୃଦୟ ପ୍ରଦେଶର ବିଜନତା ଆଉ ଆତ୍ମସ୍ୱର ସହ ମୋତେ ପରିଚିତ କରାଇବାକୁ ଚାହୁଁଥିଲେ। ମୁଁ ମୋର ବେଖାତିରପଣ ଯୋଗୁଁ କେହିଜଣେ ଚାଲିଯିବା ପୂର୍ବରୁ ତାଙ୍କୁ ଚିହ୍ନି ପାରିଲି ନାହିଁ। କିନ୍ତୁ ଆଜି ଗଜ଼ଲର ପ୍ରତିଟି ଶବ୍ଦ ଏମିତି ସ୍ପଷ୍ଟ ହୋଇ ଫୁଟି ଉଠୁଛନ୍ତି କିପରି ?

ରାତି ତୁ ଶୋଇଯା ଗହନ ନିଦରେ
ମୁଁ ପାରୁ ନାହିଁ ଶୋଇ ….
କେହି ଜଣେ ଦୂରେ ତା ଦୁଆର ଖୋଲି
ରହିଛି ମୋ ବାଟ ଚାହିଁ ..

ବାଟ ଚାହିଁ ବସିଥିବା କେହି ଜଣକ କିଏ? ଲୁହରେ ଜୁଡୁବୁଡ଼ୁ ଆଖିରେ ଭାବି ବସିଲେ ଦିଶିଯାଏ କେହି ଜଣେ ଅନ୍ତରଙ୍ଗ ବନ୍ଧୁ। ବୁଝି ହୁଏନା ..ସିଏ ନା ମୁଁ।

One thought on “ଅମାନିଆ କଥା

  1. ଲେଖାଟି ବହୁତ ହୃଦୟସ୍ପର୍ଶୀ ହୋଇଛି ।

Leave a Reply

Your email address will not be published. Required fields are marked *