ଅତି-ହେତୁବାଦୀଙ୍କ ପ୍ରତି

  • ଗତ ଅକ୍ଟୋବର ୨୫ ତାରିଖ ପବିତ୍ର ସୂର୍ଯ୍ୟୋପରାଗ ଅବସରକୁ କିଛି ତଥାକଥିତ ହେତୁବାଦୀ ଚିକେନ ବିରିୟାନୀ ଖାଇ ମନାଇଥିବାର ସମ୍ବାଦ ଉପରେ କବି ଅଜୟ ମହାଲା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏହି ସନେଟ୍ ମାଧ୍ୟମରେ ।
ଅଜୟ ମହାଲା

ନିଶ୍ୱାସକୁ ନେଇ ନୁହେଁ ଭାଇ ମୁଁ ତ ବିଶ୍ୱାସକୁ ନେଇ ଜୀଏଁ
ଗଙ୍ଗାକୁ ମାଆ ମାନି ନେଇ ହୃଦେ ପବିତ୍ର ଜଳକୁ ଛୁଏଁ
ଅନ୍ଧବିଶ୍ୱାସର ଛାଇତଳେ ଜୀଏଁ ବନ୍ଧକ ମୁଁ ସଭ୍ୟତାର
ରନ୍ଧ୍ର ରନ୍ଧ୍ର ଭରା ମାଟିର ମହକ ଗନ୍ଧ ତା ଭବ୍ୟତାର

ଭାଙ୍ଗି ପାର ତୁମେ ମଣିଷସମାଜ ଦଙ୍ଗା ବି ପାର କରି
ବାନ୍ଧି ପାରିବ ଅଦୃଶ୍ୟ ସୂତ୍ରେ କେବେ ତୁମେ ଜଗା ପରି ?
କହି ପାର ମୋତେ ମୂର୍ଖ ଅଜ୍ଞାନୀ କହିପାର ସଭ୍ୟ ନୁହେଁ
ବାଛି ଜାଣେନା ଗୋ ଗୋଟେଇନିଏ ଯା’ ସହଜଲଭ୍ୟ ନୁହେଁ

ପତି ପତ୍ନୀଙ୍କ ବିରହ କଳହ ସମ୍ପର୍କର ବ୍ୟବଧାନ
ରଖ ତୁମ ତର୍କ ନର୍କ କାନୁନ ଛାଡ଼ପତ୍ର ସମାଧାନ
ପଢିନାହିଁ ସତ ଶାସ୍ତ୍ର ପୁରାଣ ଅବା ଯେତେ ବଡ଼ ପୋଥି
ଏ ଅନ୍ଧବିଶ୍ୱାସ ଶିଖାଇଛି ମୋତେ ସେ ମୋ ସାତଜନ୍ମ ସାଥି

ମାଆ ମମତାର ରହସ୍ୟକୁ ନେଇ ଯଦି ହୁଏ ଝିଙ୍କା ଟଣା
କହି ସାରିଦେବ ତାହା ମାତ୍ର ଥିଲା ଜୈବିକ ଦୁର୍ଘଟଣା ?

4 thoughts on “ଅତି-ହେତୁବାଦୀଙ୍କ ପ୍ରତି

  1. ଯାହାଙ୍କର ଧର୍ମ ଓ ପରମ୍ପରା ପ୍ରତି ବିଶ୍ବାସ ନାହିଁ ସେପରି ବିଧର୍ମୀମାନଙ୍କୁ ସମାଜ କିପରି ବିଶ୍ବାସ କରିବ? ତେଣୁ ଅଜୟ ବାବୁଙ୍କ ଏହି ସନେଟ୍ ପଢି ସେହି ବିରିୟାନୀ ଖାଇଥିବା ଲୋକମାନଙ୍କର ମନରେ ଯଦି କିଛିଟା ପରିବର୍ତ୍ତନ ହୁଏ ତାହା ହେଲେ ସମାଜ ପାଇଁ ସେମାନେ ସହାୟକ ହେବେ।

  2. ସେମାନଙ୍କୁ ଭଲ ଲାଗିଲା, ସେମାନେ ଖାଇଲେ, ତୁମେ କମେଟ କରିବାକୁ କିଏ ? କିନ୍ତୁ ଏମାନେ କେବଳ ହିନ୍ଦୁତ୍ବ ବିରୋଧରେ ଯାହା ଇଛା ତାହା କହି ପାରିବେ, ଅନ୍ଯ ଧର୍ମ ବିରୋଧରେ କହି ପାରିବାର ସାହସ ସେମାନଙ୍କ ପାଖରେ ନାହିଁ। କାରଣ ସେମାନେ ଧର୍ମନିରପେକ୍ଷବାଦୀ, ହେତୁବାଦୀ। ଅନ୍ଯ ଧର୍ମ ବିରୋଧରେ କହିଲେ ତାଙ୍କର ଧର୍ମ ନିରପେକ୍ଷତାର ଛବି ନଷ୍ଟ ହୋଇ ଯିବ।

  3. କାଉ ଅତି ବୁଦ୍ଧିଆ ହେଲେ ଯାହା ହୁଏ ଚୀନର ଅବସ୍ଥା ସେୟା ହେଲା -କାରଣ ଚୀନ କରୋନା ଭୁତାଣୁ ଅନ୍ଯମାନଙ୍କର ବିନାଶ ପାଇଁ ସୃଷ୍ଟି କରୁଥିଲା। ହେତୁବାଦୀମାନେ ଅନ୍ଯକୁ ଆଇନା ଦେଖାଇବା ପୂର୍ବରୁ ନିଜ ପରିବାରକୁ ଆଗେ ଏହି ବିଷୟ ବୁଝାଇଥିଲେ ଭଲ ହୋଇଥାନ୍ତା।

  4. ଆଜି ବି ବିରିଆନି ଖାଇବା ସହିତ ଅନ୍ୟ କିଛି ବି ଖାଇଛନ୍ତି ।

Leave a Reply

Your email address will not be published. Required fields are marked *