କବିଙ୍କର ପ୍ଲେସମେଣ୍ଟ୍

  • କଵିମାନେ କୁଆଡେ ସ୍ୱର ଉତ୍ତୋଳନ କରିଛନ୍ତି, ବେକାରୀ ବିରୁଦ୍ଧରେ ! ଆମ ସମୟର ବିଶିଷ୍ଟ ରମ୍ୟରଚନାକାର ଅଭୟ ଦାଶଙ୍କ କଲମରୁ ଏକ ନିରୁତା ବ୍ୟଙ୍ଗ।
ଡାକ୍ତର ଅଭୟ ଦାଶ

ଆମ ଓଡିଶା କଥା ଆଜ୍ଞା! ଶୁଣିଲୁ ‘ସାହିତ୍ୟ ଚର୍ଚ୍ଚା ୟୁନିଭର୍ସିଟି’ର ପାଶ ଆଉଟ୍ କବିମାନେ କୁଆଡେ ସ୍ୱର ଉତ୍ତୋଳନ କରିଛନ୍ତି, ବେକାରୀ ବିରୁଦ୍ଧରେ। ମଲା ! ଇଏ କୋଉ ନୂଆ କଥାକି? ରାହୁଲ ଗାନ୍ଧୀ ତ ସେଇକଥା କହୁଛନ୍ତି। ବିହାରରେ ତ କେତେ ନିୟୁତ ଦେଇଦେବେ କହିଲେଣି। କେଜେରିୱାଲ ବି ସେଇକଥା କହୁଛନ୍ତି। ଆମେ ଜାଣିଛୁ, ଜାଣିଛୁ କଣ, ସ୍କୁଲରେ ଯାହା ପଢିଥିଲୁ, ଭାରତରେ, ମାନେ ଆମ ଦେଶରେ କୁଆଡେ ପ୍ରଧାନମନ୍ତ୍ରୀ ପଦ ଗୋଟାଏ! କି କଥା ଇଏ? ଏତେବଡ ଦେଶ, ଏତେ ଗୁଡାଏ ବେକାର ! ସେଥିରେ ପୁଣି ଗୋଟିଏ ପ୍ରଧାନମନ୍ତ୍ରୀ! ଏମିତି କ’ଣ ଦେଶ ଚାଲେ? ବାଲାସାହେବ, ନାଇଁ ଭୁଲ ହେଇଗଲା, ବାବାସାହେବ , ସମ୍ବିଧାନ ଲେଖିବା ସମୟରେ ଭାବିଥିଲେ ସିନା ହୋଇ ଥାଆନ୍ତା? ସେ ଯାହାହେଉ, ଏ ଶ.. ଅଭୟ ଦାଶଟାର ପ୍ରକୃତି ଖରାପ, ଶ.. ପଲିଟିକ୍ସ କରୁଛି! କଵିଙ୍କ ସମସ୍ୟା, ସିଏ ପୁଣି ଆଇ.ଏସ.ଆଇ ମାନ୍ୟତା ପ୍ରାପ୍ତ ସାହିତ୍ୟ ଚର୍ଚ୍ଚିଆ କବି! ତାଙ୍କୁ ନେଇ ପଲିଟିକାଲ ମାଇଲେଜ୍? ଚାଲବେ, ନିହାର ଶତପଥିକୁ ଘେରାଉ କରିବା! କାଇଁ ସେ କ’ଣ କଲାକି? ତୁମକୁ ଟ୍ରେନିଙ୍ଗ ଦେଇ ବଜାରକୁ ଛାଡିଲା, ତାର ଦୋଷ କଣ ମ? “ଆଜ୍ଞା କହନ୍ତୁନି, ସେ ତ ମନେ ମନେ ପାଟଶାହାଣି!”

ନିହାରବାବୁଙ୍କ ପାଖକୁ ଫୋନ୍ ଆସିଲା, ତା’ଙ୍କୁ ପାଟଶାଣୀ ସାରେ ଡକାଇଛନ୍ତି । କଥା କଣ? ଏ ଖବରକାଗଜ ବାଲା ମସଲା ଦେଇ ଲେଖି ଦେଇଛନ୍ତି ଯେ ଓଡ଼ିଶାରେ କବି-ମଡକ। କାଲିଯାଏ କହୁଥିଲେ ପାଠକ ଅକାଳ, ଆଜି ନୁଆ କାହାଣୀ। ମଝିରେ ପଶିଲେ କବି ପାଟଶାଣୀ। ତାଙ୍କୁ ତ ଆପଣମାନେ ସମସ୍ତେ ଜାଣନ୍ତି। ଇନଷ୍ଟାଣ୍ଟ୍ କବି ଆଜ୍ଞା! କବିତାରେ କଥା କହନ୍ତି। ଆପଣ ଯଦି କହିଲେ “ବରଗଛ” ସେଇଥି୍ରୁ ବାହାର କରିଦେଵେ “ବ ରୁ ବିଶ୍ୱ, ର ରୁ ରବି ମାନେ ସୁର୍ଯ୍ୟ, ଗ ରୁ ଗଗନ ମାନେ ଆକାଶ, ଛ ରୁ ଛାୟା ମାନେ ବିଜୁବାବୁ ହେଲେ ବିଶ୍ୱର ସୁର୍ଯ୍ୟ। ଆମେ ସବୁ ତାଙ୍କ ଛା଼ୟା ତଳେ ଠିଆ ହୋଇଛୁ। ସିଏ ଆକାଶରେ ରହି ଛାୟା ପ୍ରଦାନ କରୁଛନ୍ତି!” କିଏ ଯଦି ପଚାରିଦେଲା, “ସୁର୍ଯ୍ୟ କ’ଣ ଛାୟା ଦିଏ?” ସାଙ୍ଗେ ସାଙ୍ଗେ ଉତ୍ତର ମିଳିବ, “ଛା ରୁ ଛାତି ୟା ରୁ ୟାମିତ୍ର ମାନେ ଛାତିର ୟାମିତ୍ର ଦୋଷ ହଟିଯାଏ, ବିଜୁ ବାବୁଙ୍କ ନାମ ମାତ୍ରେ।” ଯେତେ ସରକାରୀ ବେସରକାରୀ ଫଟୋ ଦେଖିବେ ଗେରୁ ବସ୍ତ୍ର, ଦାଢି, ହାତରେ ଖଣ୍ଡେ ବାଡି। ସେ ବାଡିଖଣ୍ଡିକ ତାଙ୍କୁ ଯୋଗବଳରେ ବିଶ୍ବାମିତ୍ରଙ୍କ ଠାରୁ ପ୍ରାପ୍ତ ହୋଇଥିଲା! କହନ୍ତି ତାଙ୍କ ପାଖଲୋକେ। ଏ କବିମାନଙ୍କୁ କେହି ପଇସାଟିକରେ ନ ପଚାରିବାରୁ ଏମାନେ ପାଟଶାଣୀଙ୍କୁ ଧରିଛନ୍ତି । ପାଟଶାଣୀ ସାହିତ୍ୟ ଚର୍ଚ୍ଚା ଅଫିସ ରେ ପହଞ୍ଚି ନିହାରବାବୁଙ୍କ ସହ ଭେଟି, ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇବାରୁ, ସି.ଏମ୍ ପଚାରିଲେ, “ହ୍ବାଟ୍ସ୍ ଦ ମ୍ୟାଟର?” ଭାବନ୍ତୁ ନାହିଁ ,ସାର୍ ଓଡିଆ ଜାଣି ନାହାନ୍ତି! ଏ ସବୁ ବିରୋଧୀଙ୍କ ପ୍ରଚାର। ସେଥିପାଇଁ ସାର୍ ସବୁ ଶୁଣିସାରି ପଚାରିଲେ, “ହ୍ବାଟ ଇଜ୍ କାବି?” ପାଟଶାଣୀ କହିଲେ, “ପୋଏଟ୍।” ସିଏ କଣ ଜାଣି ନାହାନ୍ତି? ପାଟଶାଣୀ ଆଉ ନିହାରବାବୁଙ୍କୁ ଇମ୍ପୋଟାନ୍ସ ଦେବାକୁ ଏପରି ପ୍ରଶ୍ନ କରିଥିଲେ। ସିଏ ଜାଣନ୍ତି ଏ ଓଡିଆ ଗୁଡାଙ୍କୁ ଆଙ୍ଗୁଠି ଦେଖେଇଲେ, ବାହା ଯାଏ ଗିଳିଯିବେ ! ସେଥିପାଇଁ ବାରିପଦାକୁ ବାଡିପଡା, କଳାହାଣ୍ଡିକୁ କାଲାହାଣ୍ଡି କହନ୍ତି। ‘ନୀରବ ଝଡ’ ସିନେମାର ଡାଇରେକ୍ଟରଙ୍କୁ ସମ୍ମାନ ଦେବାକୁ ଯାଇ ‘ନୀରଵ ଝାଡା’ର ଡାଇରେକ୍ଟର ବୋଲି କହିଥିଲେ। ପଲିଟିକ୍ସ !
ନିହାରବାବୁ ଫେରାଦ ହେଲେ, “ସାର୍ ଆମ ସାହିତ୍ୟ ଚର୍ଚ୍ଚା କମ୍ପାନୀରେ ଆମେ ୟାଙ୍କୁ ଟ୍ରେନିଙ୍ଗ୍ ଦେଇ କବି ପଦବାଚ୍ୟ କରି ରାସ୍ତାରେ ଠିଆ କଲୁ। ଆମେ ତ କେଉଁଠି କହିନାହୁଁ ୟାଙ୍କୁ କ୍ୟାମ୍ପସ ସିଲେକ୍ସନ କରେଇ ଦେବୁ। ଆଗରୁ କହିଛୁ, ଆୱାର୍ଡ ନୋ ଗ୍ୟାରେଣ୍ଟି। ମୋତେ କହୁଛନ୍ତି ଶଳା!” ସି.ଏମ୍ କହିଲେ, “ଗୁଡ୍ ! ଏଁ ! ଗୁଡ୍ !” ପାଟଶାଣୀ ବୁଝାଇ ଦେଲେ ଆଗ ନିହାର ବାବୁଙ୍କୁ, “ଆରେ ଏମିତି ହୁଏ। ଆମେ ତ ଡକ୍ଟର ଶ୍ରୀରାମ ଦାଶଙ୍କୁ କହୁଥିଲୁ, ଶଳା କ’ଣ ପଢେଇଲା ମ ! କିଛି ଭାବିବାର ନାହିଁ! ଓଡିଆର ଏ ଶଳା ଶବ୍ଦ ଇଂଲିସ୍ ର ସାର୍ ସଙ୍ଗେ ସମାନ। ଚିଫ୍ ମିନିଷ୍ଟର ପଚାରିଲେ, “ହ୍ବାଟ ଶାଲା?” ପାଟଶାଣୀ କହିଲେ, “ବ୍ରଦର-ଇନ୍-ଲ। ଇନ୍ ଓଡିଆ ଟୁ ଟାଇପ୍ ବ୍ରଦର-ଇନ୍-ଲ ସାର୍। ଭିଣେଇ ସିନିୟର ବ୍ରଦର-ଇନ୍-ଲ। ସିଷ୍ଟର୍ସ ହଜବ୍ୟାଣ୍ଡ୍। ଜୁନିୟର ବ୍ରଦର-ଇନ୍-ଲ ଇଜ୍ ଶଳା। ୱାଇଫସ୍ ବ୍ରଦର।”
“ଗୁଡ୍! ଉଇ ସୁଡ୍ ପୁଟ ଅପ୍ ଇନ୍ ଦି କ୍ୟାବିନେଟ ମିଟିଂ ଟୁ ରେକୋଗନାଇଜ ଶଳା ଆଜ୍ ଏ ରେସ୍ପେକ୍ଟେବୁଲ ଟର୍ମ ଇନ୍ ଓଡିଆ ଲାଙ୍ଗୁଏଜ୍।” ଏହା ଶୁଣି ପାଟଶାଣୀ କହିଲେ, “ସାର୍ ସେ ପୋଏଟ୍ ଙ୍କ ପ୍ରୋବ୍ଲେମ?” “ହ୍ବାଟ୍ ପ୍ରୋବ୍ଲେମ୍?” “ସାର୍ ଲେଡିସ୍ ପୋଏଟ୍ ଙ୍କୁ ଆଙ୍ଗନବାଡି ୱାର୍କର ଓ ମେଲ ପୋଏଟ୍ ଙ୍କୁ ସୋସିଆଲ ୱାର୍କର ପୋଷ୍ଟ। କବିତା ଯେତେ ଲେଖିବେ ଲେଖନ୍ତୁ।” ତହୁଁ ସାର୍ ନିହାର ବାବୁଙ୍କ ସହ ଅନ୍ୟ ମାନଙ୍କୁ ଚାହିଁ କହିଲେ,”ଆପନ ମାନେ ଖୁସି ତ? ମୁଁ ଖୁସି !” ଆଲୋଚନା ଶେଷ ହେଲା । ‘ସାହିତ୍ୟ ଚର୍ଚ୍ଚା’କୁ ଶୁଭେଚ୍ଛା ଜଣାଇଲେ ସି.ଏମ୍। ନିହାରବାବୁ ଏକବାରେ କୃତକୃତ୍ୟ। ମାତ୍ର କେତେଟାଙ୍କ ଦିହରେ ଗଲା ନି ! ଆମେ ଓଡିଆ ଟି !

4 thoughts on “କବିଙ୍କର ପ୍ଲେସମେଣ୍ଟ୍

  1. ଲାଗୁଛି, ଓଡ଼ିଆରେ ବ୍ୟଙ୍ଗର ଏକ ଉଚ୍ଚ ଷ୍ଟାଣ୍ଡାର୍ଡ ପ୍ରସ୍ତୁତ କରିଦେଲେ ଅଭୟ ଦାଶେ। ସାହିତ୍ୟ ଚର୍ଚ୍ଚାର ସଂପାଦକଙ୍କୁ ନେଇ ବ୍ୟଙ୍ଗ ! ତାହା ବି ସାହିତ୍ୟ ଚର୍ଚ୍ଚାର ପୃଷ୍ଠାରେ ବିନା ଦ୍ବିଧାରେ ପ୍ରକାଶିତ ହୋଇଛି। ମନେହେଉଛି ସତେ ଯେମିତି ଓଡିଶାଟା ପଞ୍ଜାବ ଭଳି ହୋଇଗଲା, ହାସ୍ୟରସକୁ ଏମିତି ଖୋଲାମନରେ ଗ୍ରହଣ କରିବାରେ।

  2. ‘ନୀରବ ଝାଡା’ ପାଖରେ ହସରେ ଫାଟି ପଡିଲି ! ସୁନ୍ଦର ବ୍ୟଙ୍ଗ !

    1. ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା ସାର୍ ।ବହୁତ ଭଲ ଲାଗିଲା 🙏

Leave a Reply

Your email address will not be published. Required fields are marked *