ଦିବ୍ୟ ଅନୁଭୂତି

ଲେଖକ ନିଜର ବାସ୍ତବ ଜୀବନରେ ଅନୁଭବିଥିବା ଶ୍ରୀ ଜଗନ୍ନାଥଙ୍କର ଦିବ୍ୟ ଅନୁଭୂତି ସମୂହକୁ ନେଇ ରଚନା କରିଛନ୍ତି ଆଲୋଚ୍ୟ ପୁସ୍ତକଟି। ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀ ଭାବରେ ତାଙ୍କୁ ଏକଦା ପୁରୀ ଶ୍ରୀନ୍ଦିରର କାର୍ଯ୍ୟାଳୟରେ ସେବା ପ୍ରଦାନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। ସେହି ସମୟରେ ସେ ଅଙ୍ଗେ ନିଭାଇଥିବା କେତେକ ଚମତ୍କାରୀ ଘଟଣାରୁ ବଡ଼ଦିଅଁଙ୍କର ଅପରୂପ ମହିମାର ନିଦର୍ଶନ ମିଳିପାରିଥିଲା। ଏହି ଘଟଣାମାନଙ୍କୁ ଏଠାରେ ନିତାନ୍ତ ସରଳ ଶୈଳୀରେ ଉପସ୍ଥାପନା କରିଛନ୍ତି ଲେଖକ। ପୁସ୍ତକଟିର ପ୍ରଥମ ସଂସ୍କରଣଟି ପୂର୍ବରୁ ପ୍ରକାଶ ପାଇ ପାଠକମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହେବାପରେ ଏବେ ଏହାର ଦ୍ୱିତୀୟ ସଂସ୍କରଣ ମୁକ୍ତିଲାଭ କରିଛି।
ନିଜର ବାଲ୍ୟକାଳରେ ପ୍ରାପ୍ତ ହୋଇଥିବା ଅଲୌକିକ ବିଭୁ କୃପାର ଦୃଷ୍ଟାନ୍ତଠାରୁ ଆରମ୍ଭ କରି ଚାକିରୀରୁ ଅବସର ନେବାର ପରବର୍ତ୍ତୀ ସମୟର କେତେକ ଘଟଣାକୁ ଏଥିରେ ସନ୍ନିବିଷ୍ଟ ଅଧ୍ୟାୟଗୁଡ଼ିକରେ ଏକ ହୃଦୟଗ୍ରାହୀ ସ୍ୱରୂପ ଦେଇଛନ୍ତି ସ୍ୱର୍ଗତ ପଣ୍ଡା। ତେବେ ଏଥିମଧ୍ୟରୁ ଅଧିକାଂଶ ରଚନା ସେ ଶ୍ରୀମନ୍ଦିରରେ ନିୟୋଜିତ ଥିବା ସମୟର ଅନୁଭବ ଉପରେ ଆଧାରିତ।
ପୁସ୍ତକଟିରେ ବର୍ଣ୍ଣିତ କେତେକ ପ୍ରକରଣ ମଧ୍ୟରୁ କେଇଟି ଆମର ବିଶେଷ ଭାବରେ ଦୃଷ୍ଟି ଆକର୍ଷଣ କରେ। ୧୯୯୬ ମସିହାର ସେହିପରି ଏକ ଘଟଣା। ସେତେବେଳେ ରଥ ଉପରେ ବୋଲାଯାଉଥିବା ଡାହୁକ ଗୀତର ପ୍ରତିବାଦ କରି ଲେଖକ ଏକ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଏହି ପ୍ରଥା ବନ୍ଦ ନହୋଇଛି ସେହି ପର୍ଯ୍ୟନ୍ତ ସେ ପୁରୀ ଯିବେନାହିଁ। ଏହି ମର୍ମରେ ସେ ‘ରଥଯାତ୍ରା ମୁଁ ଯିବିନି’ ଶୀର୍ଷକରେ ଏକ କବିତା ମଧ୍ୟ ଲେଖିପକାଇଥିଲେ। କିନ୍ତୁ ଶ୍ରୀ ଜଗନ୍ନାଥଙ୍କ ବିଧାନ ଥିଲା ବିଚିତ୍ର। ଦୁଇବର୍ଷ ପରେ ତାଙ୍କର ବଦଳି ଆଦେଶ ଆସିଲା ଶ୍ରୀ ମନ୍ଦିରକୁ, ଏବଂ ସଂଯୋଗ ବଶତଃ ସେ ପୁରୀରେ ନିଜ ଦାୟିତ୍ୱରେ ଯୋଗ ଦେବା ପୂର୍ବରୁ ହିଁ ସରକାର ରଥଯାତ୍ରାରେ ଡାହୁକ ଗୀତର ପ୍ରଥା ବନ୍ଦ କରିବା ପାଇଁ ଏକ ଆଦେଶନାମା ଜାରି କରିଥିଲେ। ଏହି ଅନୁଭୂତିଟିକୁ ବର୍ଣ୍ଣନା କରିବାକୁ ଯାଇ ଲେଖକ କହିଛନ୍ତି-“ମନେ ପଡିଗଲା – ‘ରଥଯାତ୍ରା ମୁଁ ଯିବିନି’ – କବିତାର ଦାମ୍ଭିକତା। ମୋ ଦମ୍ଭକୁ ଭାଙ୍ଗି ଦେଇଥିଲେ ପ୍ରଭୋ ଜଗନ୍ନାଥ।”
ସେହିପରି ସେ ଶ୍ରୀ ମନ୍ଦିର କାର୍ଯ୍ୟାଳୟର ଦାୟିତ୍ୱରେ ଥିବାବଳେ ଏକଦା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଆୟୋଜନ ପାଇଁ ମନ୍ଦିର ପାଣ୍ଠିରେ ଆବଶ୍ୟକ ମୁତାବକ ଅର୍ଥ ଉପଲବ୍ଧ ନଥିବାରୁ ଗୁରୁତର ସଂକଟ ସୃଷ୍ଟି ହୋଇଥିଲା। ଏହି ପରିସ୍ଥିତିରୁ ମୁକୁଳିବା ପାଇଁ କେତେକେ ତା’ଙ୍କୁ ବ୍ୟାଙ୍କରୁ ଋଣ ଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ। ମନ୍ଦିରକୁ ବ୍ୟାଙ୍କରୁ ଋଣ ନେବା ଭଳି ବିଡ଼ମ୍ବନାରୁ ମୁକୁଳାଇବା ପାଇଁ ଚିନ୍ତାଗ୍ରସ୍ତ ହୋଇ ସେ ବଡ଼ ଦେଉଳ ଭିତରକୁ ଯାଇ ଦିଅଁଙ୍କ ପାଖରେ ହାତଯୋଡି ମାଗୁଣି କରିଥିଲେ। ବିସ୍ମୟକର ଭାବରେ ସେହିଦିନ ହିଁ ଅଳ୍ପ ସମୟ ଭିତରେ ଦୁଇଜଣ ଭଦ୍ର ଲୋକ ଅପ୍ରତ୍ୟାଶିତ ଭାବରେ ମନ୍ଦିର କାର୍ଯ୍ୟାଳୟକୁ ଆସି ଜଗନ୍ନାଥଙ୍କ ନାମରେ ଥିବା ଜମିର ନିଲାମ ବାବଦ ଅର୍ଥ ପଇଠ କରିବାପାଇଁ ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ଛବିଶ ଲକ୍ଷ ଟଙ୍କା ଜମା କରିଥିଲେ।
ଏହିଭଳି ଅନେକ ଅନନ୍ୟ ଅନୁଭୂତିରେ ଗରିମାମୟ ହୋଇଛି ପୁସ୍ତକଟି। ଏଥିରେ ସ୍ଥାନୀତ ଶ୍ରୀ ପତିତପାବନଙ୍କ ମହିମାର ବାସ୍ତବ ନିଦର୍ଶନମାନ ଏକୁଁ ଆରେକ ବଳି ବିହ୍ୱଳ କରିଦିଏ ପାଠକର ମନକୁ।

  • ନିହାର ଶତପଥୀ

Leave a Reply

Your email address will not be published. Required fields are marked *