ପ୍ରମତ୍ତ ସନ୍ଥ ବଳରାମ ଦାସ

  • ସନ୍ଥ ବଳରାମ ଦାସ ଥିଲେ ଯୋଗଜନ୍ମା ପୁଣ୍ୟ ପୁରୁଷ।
ସୁଷମା ପରିଜା

ପଞ୍ଚଦଶ ଶତାବ୍ଦୀରେ ଓଡିଶାର ଜଗନ୍ନାଥ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ସାରା ଭାରତରେ କରିଥିଲେ ଆମର ପୂଜ୍ୟ ପଞ୍ଚସଖା ଶ୍ରୀ ଅଚ୍ୟୁତାନନ୍ଦ ଦାସ, ଶ୍ରୀ ଯଶୋବନ୍ତ ଦାସ, ଶ୍ରୀ ଶିଶୁ ଅନନ୍ତ ଦାସ, ଶ୍ରୀ ଜଗନ୍ନାଥ ଦାସ ଏବଂ ଶ୍ରୀ ବଳରାମ ଦାସ। ପଞ୍ଚସଖା ଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ହେଉଛନ୍ତି ସନ୍ଥ ବଳରାମ ଦାସ ସର୍ବାଗ୍ରେ ସେ ହିଁ ପୁରୁଷୋତ୍ତମ ଧାମରେ ପାଦ ଦେଇଥିଲେ। ଅନ୍ୟ ଚାରିଜଣ ପରବର୍ତ୍ତୀ ସମୟରେ ଆସି ତାଙ୍କ ସହିତ ମିଳିତ ହୋଇଥିଲେ।

ସନ୍ଥ ବଳରାମ ଦାସ ଥିଲେ ଯୋଗଜନ୍ମା ପୁଣ୍ୟ ପୁରୁଷ। ତତ୍କାଳୀନ କୁସଂସ୍କାର ଗ୍ରସ୍ତ ସମାଜରେ ସଂସ୍କାର ଆଣିବା ପାଇଁ ସେ ରଚନା କରି ଯାଇଛନ୍ତି ଅନେକ ଗୁଡିଏ ଗ୍ରନ୍ଥ ଯେମିତି କି “ବିରାଟ ଗୀତା” ଯହିଁରେ ସେ ମହାଭାରତର ଗୀତା ସଦୃଶ ଜୀବନଧାରଣର ମାନ ଶିକ୍ଷା ଦେଇଛନ୍ତି ଗୀତ ଛଳରେ। ତାଙ୍କ ରଚିତ “ଲକ୍ଷ୍ମୀ ପୁରାଣ”ରେ ସେ ଜାତି ପ୍ରଥାର ବିରୋଧ କରିବା ସହିତ ନାରୀ ଶକ୍ତିର ମହତ୍ତ୍ୱ ପ୍ରତିପାଦିତ କରିଛନ୍ତି। ନାରୀ ନିର୍ଯ୍ୟାତନାର କୁପରିଣାମ ଦର୍ଶାଇବା କରିବା ସହିତ ନାରୀଙ୍କୁ ନିଜର କର୍ତ୍ତବ୍ୟ ବିଷୟରେ ମଧ୍ୟ ସଚେତନ କରାଇଛନ୍ତି। “ବ୍ରହ୍ମାଣ୍ଡ ଭୂଗୋଳ” ରେ ସେ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ର ଦର୍ଶନ କରି ବ୍ରହ୍ମ ଏକାକ୍ଷର ମନ୍ତ୍ର ର ମହିମା ବୁଝାଇଛନ୍ତି। “ଭାବ ସମୁଦ୍ର” ରେ ମଣିଷକୁ ଭାବର ସମୁଦ୍ର ମଧ୍ୟରେ ଲୀନ ହୋଇ ପ୍ରଭୁକୃପା ଲାଭ କରିବାର ବାଟ ମଧ୍ୟ ଦେଖାଇଛନ୍ତି। ସନ୍ଥ ବଳରାମ ଦାସଙ୍କ ଲେଖା ଗୁଡିକ ମୁଖ୍ୟତଃ ସେ ସମୟରେ ଓଡିଶା କୁ କବଳିତ କରି ରଖିଥିବା ଜାତିପ୍ରଥା, କୁସଂସ୍କାର, ସାମାଜିକ ଅସାମଞ୍ଜସ୍ୟ ଇତ୍ୟାଦିକୁ ଦୂର କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଜଣାଯାଏ।

ଜଣେ ତତ୍ତ୍ୱଜ୍ଞ ଏବଂ ମୁକ୍ତ ବିଚାରଧାରା ର ସନ୍ଥ ହିସାବରେ ଭକ୍ତ ବଳରାମ ଦାସ ଅଗ୍ରଗଣ୍ୟ। “ଭାବ ସମୁଦ୍ର”, “ବଟ ଅବକାଶ”, “ଭକ୍ତି ଚନ୍ଦ୍ରିକା”, “ବ୍ରହ୍ମାଣ୍ଡ ଭୂଗୋଳ”, “ବିରାଟ ଗୀତା”, “ଗୁପ୍ତ ଗୀତା”, “ଭବିଷ୍ୟତ ମାଳିକା” ଏବଂ “ଶରୀର ତତ୍ତ୍ୱ”, “ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ” ଇତ୍ୟାଦି ତାଙ୍କର ଏକ ଶହ ଆଠଟି କୃତି ରହିଛି। ତହିଁରୁ ତାଙ୍କ ଦ୍ୱାରା ଲିଖିତ “ଜଗମୋହନ ରାମାୟଣ” ବା ଦାଣ୍ଡି ରାମାୟଣ, “ଶ୍ରୀମହାଲକ୍ଷ୍ମୀ ପୁରାଣ” ବା “ମାଣବସା କଥା” ଓଡିଶା ର ଘରେ ଘରେ ପ୍ରଚଳିତ।

ଏହି ସନ୍ଥ ଙ୍କର ସଠିକ ଜନ୍ମ , ମୃତ୍ୟୁ ବର୍ଷ ବିଷୟରେ ଅନେକ ବାଦାନୁବାଦ ରହିଥିଲେ ମଧ୍ୟ ଅଚ୍ୟୁତାନନ୍ଦଙ୍କ ଲିଖିତ “ଉଦୟ ଗୀତା” ରୁ ଜଣାଯାଏ ଯେ .ଗଜପତି ମହାରାଜ ଶ୍ରୀଶ୍ରୀ ପ୍ରତାପରୁଦ୍ର ଦେବଙ୍କ ରାଜୁତି ସମୟରେ ଚଉଦଶହ ବୟାଅଶୀ ମସିହାରେ ପୁରୀ ନିକଟସ୍ଥ ଗୋପ ବ୍ଲକ୍ ର ସମଗରା ଗ୍ରାମର ବେଦପୁର ଶାସନ ର ଏକ ଦରିଦ୍ର ଶୂଦ୍ର ପରିବାରରେ ପବିତ୍ର ଫାଲଗୁନ ମାସର ଦଶମୀ ତିଥି (ଦୋଳ ଦଶମୀ) ରେ ଜନ୍ମଗ୍ରହଣ କରିଥିଲେ ବଳରାମ ଦାସ।

ତାଙ୍କ ଜୀବନୀରୁ ଜଣାଯାଏ ଯେ ତାଙ୍କର ପିତା ଶ୍ରୀସୋମନାଥ ମହାପାତ୍ର ଏବଂ ମାତା ଶ୍ରୀମତୀ ମହାମାୟା ଦେବୀ ଦୀର୍ଘକାଳ ଧରି ସନ୍ତାନ ସୁଖରୁ ବଞ୍ଚିତ ଥିବା କାରଣରୁ ସେହି ଗ୍ରାମରେ ଅବସ୍ଥିତ ପ୍ରଭୁ ବେଲେଶ୍ୱରଙ୍କର ମନ୍ଦିର ରେ ଏକୋଇଶି ଦିନ କାଳ ଅଧିଆ ପଡି ନିର୍ଜଳା ଉପବାସ ରେ ଆରାଧନା କରିଥିଲେ। ପ୍ରଭୁ ବେଲେଶ୍ୱରଙ୍କ କରୁଣାରୁ ତାଙ୍କର ପୁତ୍ର ସନ୍ତାନ ଟିଏ ହେଲାପରେ ସେହି ପ୍ରଭୁ ବେଲେଶ୍ୱର ଙ୍କର ନାମ ଅନୁସାରେ ତା’ର ନାମ ଦେଇଥିଲେ ବଳରାମ। ଶ୍ରଦ୍ଧାରେ ଡାକୁଥିଲେ “ବଳି” ବୋଲି। ମହାଦେବଙ୍କ ଆଶୀର୍ବାଦ ରୁ ଜନ୍ମ ଦେଇଥିବାରୁ ଅନେକ ଅଲୌକିକ ଘଟଣା ସବୁ ଘଟିଥିଲା ବାଳୁତ ବଳି ଙ୍କ ଜୀବନରେ। ଥରେ ତାଙ୍କ ମାଆ ତାଙ୍କୁ ତେଲ ହଳଦୀ ଲଗାଇ ଘର ଅଗଣା ରେ ଶୁଆଇ ଦେଇ ଘର ଭିତରକୁ କୌଣସି କାମରେ ଯାଇଥିଲେ, ଫେରିବା ବେଳକୁ ଦେଖନ୍ତି ତ ବାଳୁତ ବଳି ର ମୁଣ୍ଡ ଉପରକୁ ଛାଇ କରି ଜଗି ରହିଛି ନାଗ ସାପଟିଏ, ବଳି ତା’ର ଲାଞ୍ଜ କୁ ଧରି ଆନନ୍ଦ ରେ ଖେଳୁଛନ୍ତି। ଭୟ ରେ ମୂର୍ଚ୍ଛା ଗଲେ ମା’ ମହାମାୟା। ଚେତା ଫେରିଲା ବେଳକୁ ଦେଖିଲେ ବଳି ଆରାମରେ ଖେଳୁଛନ୍ତି, ଘରେ ସମସ୍ତଙ୍କୁ ସେଇ କଥା କହିଲେ। ବାପା ସୋମନାଥ କହିଲେ ସେ ଶିବକୃପାରୁ ଜନ୍ମ ନେଇଛି, ତା’ର କିଛି ହେବନାହିଁ। ସେଇ ଶିବ ତା’ର ରକ୍ଷକ।

ଶିଶୁ ବଳରାମ ପିଲାଦିନେ ଖୁବ୍ ଦୁଷ୍ଟ ଏବଂ କ୍ଷଣକୋପୀ ଥିଲେ। ପିତା ସୋମନାଥ ଗଜପତି ମହାରାଜାଙ୍କର ମନ୍ତ୍ରୀ ହୋଇଥିବା ହେତୁ ସେ ପୁରୀରେ ରହୁଥିଲେ। ବାଳକ ବଳରାମ ମାଆଙ୍କ ପାଖରେ ଗ୍ରାମରେ ରହୁଥିଲେ।ବାଳକ ବଳି ସାଙ୍ଗସାଥୀଙ୍କ ସହିତ ଖେଳରେ ମାତି ପାଠ ପଢାରେ ମୋଟେ ଧ୍ୟାନ ଦେଲେ ନାହିଁ। ତେଣୁ ତାଙ୍କ ବାପା ତାଙ୍କୁ ନିଜ ପାଖକୁ ନେଇଗଲେ ପୁରୀ। ସେଇଠି ରହି ସଂସ୍କୃତ ଟୋଲ୍‌ରେ ପାଠପଢା ଆରମ୍ଭ କଲେ ବଳରାମ। ଖୁବ୍ ଶୀଘ୍ର ସେ ବେଦବେଦାନ୍ତ, ଉପନିଷଦ, ଶାସ୍ତ୍ର ଇତ୍ୟାଦିରେ ପାରଙ୍ଗମ ହୋଇ ଉଠିଲେ। ଜାତସ୍ମର ହୋଇଥିବା ହେତୁ ପିଲାଟି ବେଳୁ ସେ ଜାଣି ପାରିଥିଲେ ଯେ ସେ ସତ୍ୟଯୁଗରେ ମାର୍କଣ୍ଡେୟ, ଦ୍ୱାପର ଯୁଗରେ ସୁଦାମ, ତ୍ରେତୟା ଯୁଗରେ ସୁଷେଣ ନାମରେ ଜନ୍ମ ନେଇ ସଖା ରୂପେ ପ୍ରଭୁଙ୍କ ସହିତ ଲୀଳାଖେଳା କରିଥିଲେ ଏବଂ ସହି ନିମନ୍ତେ କଳିଯୁଗରେ ସେ ବଳରାମ ରୂପେ ଅବତୀର୍ଣ୍ଣ ହୋଇଥିଲେ। ହରିଭକ୍ତିରେ ସଦା ଲୀନ ରହୁଥିଲେ ବାଳକ ବଳି। ନଅ ବର୍ଷ ବୟସରେ ସେ ନିଜକୁ ବୈଷ୍ଣବ ବୋଲି କହୁଥିଲେ। ସେ ଲେଖିଲେ … “ମାଳା ତିଳକ ଯା’ର ନାହିଁ, ସେ ପୁଣି ବୈଷ୍ଣବ ବୋଲାଇ”।

ମାତ୍ର ତେର ବର୍ଷ ବୟସରେ ସେ ଗୃହତ୍ୟାଗ କରି ବିଧିବଦ୍ଧ ଭାବେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ଶ୍ରୀଜଗନ୍ନାଥଙ୍କ ପାଖରେ ରହି ନାମ ସଂକୀର୍ତ୍ତନ କରିବା ସହିତ ଅନେକ ଭଜନ, ଜଣାଣ, ଚଉତିଶା ରଚନା କରିଥିଲେ। ପନ୍ଦରଶହ ଦଶ ମସିହା ରେ ଶ୍ରୀଚୈତନ୍ୟଙ୍କ ଓଡିଶା ଆଗମନ କାଳରେ ତାଙ୍କର ଭାବଧାରାରେ ଅନୁପ୍ରାଣିତ ହୋଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ବଳରାମ ଦାସ। ସେତେବେଳକୁ ପନ୍ଦରଶହ ସାତ ମସିହାରେ ସେ ଲେଖି ସାରିଥିଲେ ତାଙ୍କ ଜୀବନର ଶ୍ରେଷ୍ଠ ଗ୍ରନ୍ଥ “ଜଗମୋହନ ରାମାୟଣ” ଯାହା ଦାଣ୍ଡି ବୃତ୍ତ ରେ ଲେଖା ହୋଇଥିବା ହେତୁ “ଦାଣ୍ଡି ରାମାୟଣ” ନାମରେ ଓଡିଶାର କୋଣ ଅନୁକୋଣରେ ପ୍ରସିଦ୍ଧି ଲାଭ କରିଥିଲା। ସେ ପର୍ଯ୍ୟନ୍ତ ବାଲ୍ମିକୀଙ୍କର ସଂସ୍କୃତ ରାମାୟଣ କୁ ଅନ୍ୟ କୌଣସି ଭାଷାରେ ଅନୁବାଦ କରିବା ପାଇଁ କେହି ସାହସ କରି ନଥିଲେ। ସେଥିପାଇଁ ତାଙ୍କୁ ଓଡିଶାର ବାଲ୍ମିକୀ ବୋଲି ଆଖ୍ୟା ଦିଆଯାଏ।

ଶ୍ରୀ ଚୈତନ୍ୟଙ୍କର ଅନୁଗାମୀ ହୋଇ ସେ ତାଙ୍କର ଅନ୍ୟ ଚାରି ସଖାଙ୍କ ସହିତ ମିଳିତ ହୋଇଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ସେମାନେ ପଞ୍ଚସଖା ନାମରେ ନାମିତ ହୋଇ ସାରା ଭାରତ ଭ୍ରମଣ କରି ଓଡିଶାର କୋଣ ଅନୁକୋଣରେ ମଠ ବା ଟୁଙ୍ଗୀ ସ୍ଥାପନ କରି ଅନେକ ଶିଷ୍ୟ ଗ୍ରହଣ କରିଥିଲେ। ସେଇ ଶିଷ୍ୟ ମାନଙ୍କ ମାଧ୍ୟମରେ ସେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିଲେ। କଥିତ ଅଛି ଯେ ବଳରାମ ଦାସଙ୍କର ଷୋହଳ ଜଣ ପ୍ରମୁଖ ଶିଷ୍ୟ ରହିଥିଲେ। ତନ୍ମଧ୍ୟ ରୁ ତାଙ୍କର ପ୍ରିୟ ଶିଷ୍ୟ ଥିଲେ ହରିଦାସ ଏବଂ ମଲ୍ଲ।

ସବୁ ସଦଗୁଣ ଥିବା ସତ୍ତ୍ୱେ ମଧ୍ୟ କ୍ଷଣକୋପୀ ଏବଂ ସ୍ପଷ୍ଟବାଦୀ ହୋଇଥିବାରୁ ପୁରୀ ର କିଛି ପଣ୍ଡା ପଢିହାରୀ ମାନେ ତାଙ୍କୁ ପସନ୍ଦ କରୁନଥିଲେ। କେହି କେହି କହନ୍ତି ତାଙ୍କର ଲୋକପ୍ରିୟତା ରେ ଅସହିଷ୍ଣୁ ହୋଇ ଅନେକେ ତାଙ୍କ ନାମରେ ଅନେକ କୁତ୍ସାରଟନା କରୁଥିଲେ। ନିଜେ ହରି ନାମ ରେ ସର୍ବଦା ମଗ୍ନ ରହି ସେ ନିଜକୁ “ମତ୍ତ ବଳରାମ ଦାସ” ବୋଲି କହୁଥିଲେ। ପୁରୀ ଚୂଡଙ୍ଗ ସାହିର ଜଣେ ମହିଳା ଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିବା ହେତୁ ସେ ଅଧିକାଂଶ ସମୟରେ ତାଙ୍କ ପାଖରେ ବିତାଉଥିଲେ। ନିନ୍ଦୁକ ମାନଙ୍କ ମୁଖରେ ସେ ଜଣେ ମଦ୍ୟପ ଏବଂ ବେଶ୍ୟାଶକ୍ତ ବୋଲି ଖୁବ୍ ପ୍ରଚାରିତ ହେଉଥିଲା। ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ କାନରେ ଏ କଥା ପକାଇ ତାଙ୍କୁ ଶ୍ରୀମନ୍ଦିର ଭିତରେ ପୁରେଇ ନ ଦେବା ପାଇଁ ଷଡଯନ୍ତ୍ର ଚାଲିଥିଲା। ଦିନେ ବଳରାମ ଦାସ ଲୁଚି ଲୁଚି ମନ୍ଦିର ଭିତରେ ପଶିଲେ ଏବଂ ରାତି ପହୁଡ ପରେ ପ୍ରଭୁ ଜଗନ୍ନାଥ ଏବଂ ମାଆ ମହାଲକ୍ଷ୍ମୀଙ୍କ ଲୀଳା ଖେଳା ଦେଖିବା ପାଇଁ ଗରୁଡ ସ୍ତମ୍ଭ ପଛ ପଟରେ ଲୁଚି ରହିଲେ। କଥିତ ଅଛି ଯେ ତହିଁଆର ଦିନ ସ୍ୱୟଂ ମହାଲକ୍ଷ୍ମୀ ରୁଷ୍ଟ ହୋଇ ବଳରାମ ଦାସ ଙ୍କୁ ତାଙ୍କ ଜୀବଦ୍ଦଶାରେ ଶ୍ରୀମନ୍ଦିର ନମାଡିବା ଲାଗି ଆଦେଶ ଦେଇଥିଲେ।

ଥରେ ରଥଯାତ୍ରା ସମୟରେ ସେ ଅଶୌଚ ଭାବରେ ନନ୍ଦିଘୋଷ ରଥରେ ଚଢିବା ପାଇଁ ଚେଷ୍ଟା କରୁଥିଲା ବେଳେ ପଣ୍ଡା ମାନଙ୍କ ହାତରେ ଧରାପଡିଲେ। ସେମାନେ ଘୋଷାଡି ଓଟାରି ତାଙ୍କୁ ମାଡମାରି ବାହାର କରିଦେଲେ ସେଠାରୁ। ସେବାୟତମାନଙ୍କ ଦ୍ୱାରା ଲାଞ୍ଛିତ ଅପମାନିତ ହୋଇ କାନ୍ଦି କାନ୍ଦି ସେ ପହଞ୍ଚିଥିଲେ ବାଙ୍କୀ ମୁହାଁଣ ରେ। ସେଇଠି ବାଲୁକା ଶଯ୍ୟା ରେ ଭକ୍ତି ସହକାରେ ଗଢିଥିଲେ ତିନୋଟି ରଥ ଏବଂ ତାଙ୍କ ରଥରେ ବିଜେ କରିବା ଲାଗି ଆକୁଳ ପ୍ରାର୍ଥନା କରିଥିଲେ ଶ୍ରୀଜଗନ୍ନାଥଙ୍କୁ। ଭକ୍ତ ର ଅଚଳା ଭକ୍ତି ରେ ସନ୍ତୁଷ୍ଟ ହୋଇ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ଛାଡି ବଳରାମ ଦାସଙ୍କ ବାଲି ରଥରେ ବିଜେ ହୋଇଥିଲେ। ଏପଟେ ବଡଦାଣ୍ଡ ରେ ନନ୍ଦିଘୋଷ ରଥ ନଚଳିବାରୁ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମେତ ସମସ୍ତ ସେବାୟତମାନେ ବିଚଳିତ ହୋଇ ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରନ୍ତେ ପ୍ରଭୁ ଶୂନ୍ୟବାଣୀ କରିଥିଲେ “ମୋ’ ଭକ୍ତ ବଳରାମ ଦାସଙ୍କୁ ତୁମ ପଣ୍ଡାଏ ମାଡମାରି ଅପମାନିତ କରିଛନ୍ତି, ତାଙ୍କୁ କ୍ଷମା ପ୍ରାର୍ଥନା କରି ନନ୍ଦିଘୋଷ କୁ ଆଣିଲେ ଯାଇ ରଥ ଚଳିବ, ନହେଲେ ନାହିଁ।” ଗଜପତି ମହାରାଜା ନିଜର ଦୋଷ ସ୍ୱୀକାର କରି ବାଙ୍କୀ ମୁହାଁଣକୁ ଯାଇ ବଳରାମ ଦାସଙ୍କୁ କ୍ଷମା ଯାଚନା କରି ସସମ୍ମାନେ ନିମନ୍ତ୍ରଣ କରି ଆଣିଥିଲେ ନନ୍ଦିଘୋଷକୁ। ତାଙ୍କୁ ଶ୍ରୀମନ୍ଦିର ରେ ସେବା କରିବାର ଅଧିକାର ଦେଲେ।

ବଳରାମ ଦାସ ଙ୍କୁ ସିନା ଗଜପତି ମହାରାଜା ନିମନ୍ତ୍ରଣ କରିଦେଲେ ଶ୍ରୀମନ୍ଦିର କୁ, ହେଲେ ମହା ଅଭିମାନୀ ବଳରାମ ଦାସ ଆଉ ପୁରୀରେ ନିବାସ କଲେନାହିଁ। ସେ ପୁରୀ ତ୍ୟାଗ କରି ନିଜ ଗ୍ରାମ ଏରବଙ୍ଗ ଠାରେ ତୁଳସୀ ଚଉରା ବୋଲି ମଠ ଟିଏ ସ୍ଥାପନ କରି ସେଇଠି ରହି ଜଗନ୍ନାଥଙ୍କ ଆରାଧନା କରିଥିଲେ। ଶେଷଜୀବନ ପର୍ଯ୍ୟନ୍ତ ସେ ସେହିଠାରେ ଶିଷ୍ୟ ମାନଙ୍କ ସହିତ ଅବସ୍ଥାନ କରି ଜଗନ୍ନାଥ ସଂସ୍କୃତିର ମହାନତା ବୃଦ୍ଧି କରିବାର ପ୍ରଚେଷ୍ଟା ରତ ହେଲେ। ସଖାମାନଙ୍କ ସହ ଧର୍ମ ପ୍ରଚାର କରିବାକୁ ଗ୍ରାମ ଗ୍ରାମ, ନଗର ନଗର ପରିକ୍ରମା କରି ଭାଗବତ ଟୁଙ୍ଗୀମାନ ସ୍ଥାପନ କଲେ। ଶୁଣାଯାଏ ନିଜ ସଖାମାନଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା ଏବଂ ପ୍ରତିଦିନ ରାତିରେ ସେମାନଙ୍କର ଅଶରୀରୀ ସାକ୍ଷାତ ହେଉଥିଲା। ସେହି ମଠରେ ଥିବା ପଞ୍ଚଶାଖାଯୁକ୍ତ ନିମ୍ୱ ଗଛଟିଏ ଆଜି ମଧ୍ୟ ତା’ର ମୂକ ସାକ୍ଷୀ ହୋଇ ରହିଛି।

କଥିତ ଅଛି ଯେ ବଳରାମ ଦାସଙ୍କ ଶେଷ ସମୟ ଉପସ୍ଥିତ ହେବା ପୂର୍ବରୁ ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ଥରେ ମାତ୍ର ଆସି ତାଙ୍କୁ ସେଇଠି ଦର୍ଶନ ଦେବା ଲାଗି। ଭକ୍ତର ଗୁହାରି ଶୁଣି ଶ୍ରୀଜଗନ୍ନାଥ, ମା’ ଲକ୍ଷ୍ମୀଙ୍କୁ ସାଥିରେ ନେଇ ଆସି ସେହି ମଠରେ ଦର୍ଶନ ଦେଇଥିଲେ ବଳରାମ ଦାସ ଙ୍କୁ। ମା’ ଲକ୍ଷ୍ମୀ ତାଙ୍କୁ କହିଥିଲେ “ଦେଖିଲୁ ତ ବଳି, ମୋ ଅଭିଶାପରୁ ମୃତ୍ୟୁ ପର୍ଯ୍ୟନ୍ତ ପୁରୀକୁ ଯାଇ ପାରିଲୁନି।” ବଳରାମ ଉତ୍ତର ଦେଇଥିଲେ “ଦେଖି ପାରୁନୁ କି ଟେରି ! ପୁରୀ ପରା ସ୍ୱୟଂ ମୋ ପାଖରେ ହାଜର ହୋଇଛି, ତୁ ଆସିଛୁ, ମୋ ପ୍ରଭୁ ଆସିଛନ୍ତି ଏଠିକି, ଇଏ ପୁରୀ ନୁହେଁ ତ ଆଉ କ’ଣ?” ଏମିତି ଥିଲା ତାଙ୍କର ଭକ୍ତିର ଶକ୍ତି।

ଶେଷରେ ଆଷାଢ ଶୁକ୍ଳ ତ୍ରୟୋଦଶୀ (ଅନଙ୍ଗ ତ୍ରୟୋଦଶୀ) ଦିନ ବ୍ରହ୍ମସମାଧିରେ ବସି ବ୍ରହ୍ମଲୀନ ହୋଇଥିଲେ ଭାବ ଭକ୍ତିରେ ପ୍ରମତ୍ତ ଭକ୍ତ ବଳରାମ ଦାସ। ତାଙ୍କ ଭକ୍ତିର ସ୍ୱାକ୍ଷର ଚିରକାଳ ପାଇଁ ଜାଜ୍ଜ୍ୱଲ୍ୟମାନ ହୋଇ ରହିଛି ପୁରୀ ଜିଲ୍ଲାର ସମଗରା ଶାସନ ଏରବଙ୍ଗ ଗ୍ରାମରେ।

  • ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ମୁଦ୍ରିତ ସଂସ୍କରଣ, ଡିସେମ୍ବର ୨୦୨୧ ସଂଖ୍ୟାରେ ପ୍ରକାଶିତ ।

2 thoughts on “ପ୍ରମତ୍ତ ସନ୍ଥ ବଳରାମ ଦାସ

  1. ପ୍ରମତ୍ତ ସନ୍ଥ ବଳରାମ ଦାସ – ବାସ୍ତବରେ ଏହା ଏକ ସୁନ୍ଦର ପ୍ରବନ୍ଧ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *