ଅଟଇ କି ଫାଲତୁ?

  • କବି ସିନା ଏହାକୁ କହନ୍ତି ‘ଫାଲତୁ କଥା’ । ଆମେ କିନ୍ତୁ ମାନିବାକୁ ରାଜି ନୁହଁ । ବରଂ ଏହା ଏକ ଅମୁଲ୍ୟ ପ୍ରତିବେଦନ ।
ଡ. ଗୁରୁପ୍ରସାଦ ମହାପାତ୍ର

ଫାଲତୁ କଥା – ୧
ଜୀବନର ମାନେ ଜାଣିବା ପାଇଁକି
ଜୀବନଟା ଭାରି ଛୋଟ ।
ଜଣାପଡେ ନାହିଁ ଦିନ ସରିଯାଏ
ସରିଯାଏ ଚଲାବାଟ ।
କେବେ ଲାଗେ ଗୋଟେ ବହି ।
ପୃଷ୍ଠା ଖୋଲୁଖୋଲୁ କେବେ ହସଲାଗେ
କେବେ ଲୁହ ଯାଏ ବହି ।

ଫାଲତୁ କଥା – ୨
ସଂସାର ହାଟରୁ ସୁଖ ଓ ଶାନ୍ତିର
ସଉଦା କରିବା ପାଇଁ ।
ସପନ ଟୋକେଇ ମୁଣ୍ଡରେ ମୁଣ୍ଡେଇ
ଆବେଗରେ ଥାଏ ଧାଇଁ ।
ବାଟତ ଅନେକ ବାକି ।
ହାଟ ସରିବକି ବାଟ ସରିଯିବ
ଭାବିଲେ ପଡୁଛି ଥକି ।

ଫାଲତୁ କଥା – ୩
ଦାମି ଲୁଗା କିଣି ପିନ୍ଧି ନ ଜାଣିଲେ
ଲୁଗାର ମହତ ଗଲା,
ବହୁ ପାଠ ପଢି ବୋକାପରି ହେଲେ
କି ଲାଭ ତ କହ ଭଲା?
ବ୍ୟବହାରିକତା ମୂଳ
ପୋଥି ବାଇଗଣ ହୋଇ ପାରିବ କି
ବାଡ଼ି ବାଇଗଣ ତୁଲ
ଜୀବନକୁ ନେଇ ଅନେକ ପ୍ରଶ୍ନ
ନିଜକୁ ପଚାରେ ଯେବେ ।
କେବେ କେବେ ଲାଗେ ଜଟିଳ ଜ୍ୟାମିତି
ବୁଦ୍ଧି ହଜିଯାଏ ସେବେ
କେବେ ଲାଗେ ଗୀତଟିଏ ।
ଗାଇହେବ ତାକୁ ଶୁଣି ହେବ ତାକୁ
ହେତୁ ଠାରୁ ମୃତ୍ୟୁ ଯାଏ ।

ଫାଲତୁ କଥା – ୫
ଦିନ ପରେ ରାତି, ରାତି ପରେ ଦିନ
ନିୟତି ଇଚ୍ଛାରେ ଗଢ଼ା
ସୁଖ ଦୁଃଖ ଦୁହେଁ ସଂସାର ନଈର
ଦୁଇ ଧାର ରୁପେ ଛିଡ଼ା ।
ଦୁଇଟି ବନ୍ଧନି ଏହି ।
ଶତ ଚେଷ୍ଟା କରି ଏହାଙ୍କ କବଳୁ
ମୁକ୍ତି ପାଇଛି କେ କାହିଁ?

ଫାଲତୁ କଥା-୬
ଏମିତି ବି ହୁଏ କିଛି ଘଟିଯାଏ
ଜାଣିହୁଏ ନାହିଁ କାହିଁକି ହେଲା ।
ସପନ ସାଥିରେ ବାଟ ଚାଲୁ ଚାଲୁ
ସୁଯୋଗ ଦୁଆରେ ଦୁର୍ଯୋଗ ତାଲା ।
ଜୀବନର ଲୁଡୁପାଲି ।
ନିୟତି ଇଚ୍ଛାରେ କେବେ ସିଡ଼ି ପଡ଼େ
କେବେ ସାପ ଦିଏ ଗିଳି ।

ଫାଲତୁ କଥା – ୭
ସମୟ ହାତରେ ବନ୍ଧାପଡ଼ିଛି
ଜୀବନ ରସି ।
କେତେବେଳେ ସିଏ ଟାଣୁଛି ଛାଡ଼ୁଛି
ନପାରେ ଖସି ।
ସୁଖ ଦୁଃଖ ତା’ର ଖେଳ ।
ଖେଳଣା ସାଜିବା ଛଡ଼ା ଏଇ ଛାର
ମଣିଷର କିବା ବଳ ?

ଫାଲତୁ କଥା – ୮
କବିତା ମୋ ପାଇଁ ଛୋଟ ଛବିଟିଏ
ଅନୁଭବୀ ଜୀବନର ।
ସପନ ଦେଖିବା ସପନେ ଦେଖିନି
ଦେଖିବାକୁ ନାହିଁ ତର
ବ୍ୟସ୍ତତା ଭିତରେ ରହି ।
ବାସ୍ତବ କଥାଟେ ଛାତିକୁ ଛୁଇଁଲେ
କିଛି ଲେଖି ଦେଉଥାଇ ।

ଫାଲତୁ କଥା – ୯
କାଲି ଯାହାଥିଲା ଆଜି ଏଠି ନାହିଁ
ଆସନ୍ତା କାଲିକି ନୂଆ ଦୁନିଆଁ
ଦେଖିବାକୁ ଆମେ ଥିବା କି ନଥିବା
କହିବ କିଏ ସେ ଅଛି ବୁଦ୍ଧିଆ ?
କଥାରେ ରଖିଥା ଧ୍ୟାନ।
ବେଙ୍ଗ କହୁଥାଇ ଶୁଣ୍ ବେଙ୍ଗୁଲି
ପୃଥ୍ୱୀ କ୍ଷଣେ କ୍ଷଣେ ଆନ ।

ଫାଲତୁ କଥା – ୧୦
ମଣିଷ ମୁଖାରେ ଅମଣିଷ ସଂଖ୍ୟା
ଦିନୁ ଦିନ ଯାଏ ବଢ଼ି ।
ନିଖୋଜ ହେଲାଣି ଶାନ୍ତି ସଂହତି
ମୈତ୍ରୀ ଗଲାଣି ଉଡ଼ି ।
କହିବା କାହାକୁ ଆଉ?
ଉଠ୍ ପୁତା ଉଠ୍ ପୁରିଲାଣି ମାଣ
ଉଠ୍ ବେଳ ଥାଉ ଥାଉ ।

ଫାଲତୁ କଥା – ୧୧
ଅହଂକାର ଏକ ଏମିତି ଜୀବାଣୁ
ଚେତନାରେ ପଶେ ଯଦି ।
ସାମାଜିକତାକୁ ହରାଇ ମଣିଷ
ଅସୂୟାରେ ହୁଏ ଛନ୍ଦି ।
ସ୍ୱାର୍ଥ ନିକିତି ଧରି ।
ଲାଭ କ୍ଷତି ନିତି ତଉଲୁ ତଉଲୁ
ଜୀବନଟା ଯାଏ ସରି ।

ଫାଲତୁ କଥା – ୧୨
ଅହଂକାରିତାର ଅନ୍ଧଗଳିରେ
ବାଟବଣା ହେଲେ ଥରେ ।
ଈର୍ଷା, ଦୁରାଶା, ଦ୍ୱେଷ, କ୍ରୋଧ ଆଦି
ପହଂଚିବେ ଅକ୍ଳେଶରେ ।
ବିବେକ ହୋଇବ ଚୋରି ।
ମଣିଷ ପଣିଆ ଚୁଲିରେ ପଶିବ
ପାରିବୁ କି କିଛି କରି?

ଫାଲତୁ କଥା – ୧୩
ଗୋଟିଏ ହାତରେ ତାଳି ବାଜେ ନାହିଁ
ଗୋଟିଏ ପକ୍ଷରେ ହୁଏନି ମାସ
ଗୋଟିଏ ଚପଲ କିଣନ୍ତିନି କେହି
ଗୋଟେ ବଳଦରେ ହୁଏନି ଚାଷ
ଯୋଡ଼ିଏ ହୁଅନ୍ତି ଲୋଡ଼ା ।
ଖାଲି ସୁଖ କିମ୍ବା ଖାଲି ଦୁଃଖ ନେଇ
ଜୀବନ ହୋଇନି ଗଢ଼ା ।

One thought on “ଅଟଇ କି ଫାଲତୁ?

  1. ଭଲଲାଗିଲା । ଦୁନିଆରେ କିଛି ଫାଲତୁ ନୁହେଁ , ନହେଲେ କି ନେକଚାନ୍ଦ ନିର୍ମାଣ କରି ଥାଆନ୍ତେ ମନଲୋଭା ରକଗାର୍ଡନ ଚଣ୍ଡିଗଡରେ ?

Leave a Reply

Your email address will not be published. Required fields are marked *