ଆଞ୍ଜୁଳାଏ ଲିମେରିକ୍

  • ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡ଼ିଆ ଲଘୁ କବିତା ଯାହାର ଉନ୍ମେଷ ଇଂରାଜୀ ସାହିତ୍ୟରେ ଘଟିଥିଲା। ଏଠାରେ ଆମ ଭାଷାରେ ଚଉଦ ଗୋଟି ସୁଖପାଠ୍ୟ ଲିମେରିକ୍ ପ୍ରସ୍ତୁତ କରିଛନ୍ତି ଉଦୀୟମାନ କବି ଜ୍ୟୋତି ଶଙ୍କର ପଣ୍ଡା।
ଜ୍ୟୋତି ଶଙ୍କର ପଣ୍ଡା

‌। ୧ ।
ବାହା ହେବେ ଏବେ କବି ଚନ୍ଦ୍ରଚୂଡ
ଶୁଣି ଯା କବିତା ଶ୍ରୋତା ହୋନ୍ତି ମୂଢ
ସ୍ତ୍ରୀ ଦଶା କି ହେବ
କେଜାଣି ଦଇବ
ପଢ଼ିବେ କବିତା ଘଡ ଘଡ ଘଡ ଘଡ ।।

। ୨ ।
ଧଳା ଜହର ଅଟଇ କୋକେନ ଚରସ
ତା ଠୁଁ ଅଧିକ ମାଦକ ଗୋରୀ ତୋର ହସ
ହସେ ତୋର ଫସିଗଲି
ପ୍ରେମେ କି ପାଗଳ ହେଲି
ଶୋଇଗଲି ଯେବେ ନେଇ ଚାଲିଗଲା ପର୍ସ ।।

।୩।
କୁକୁଡ଼ାଏ କରିଛନ୍ତି ଆଜି ହରତାଳ
ଦେବେ ନାହିଁ ଅଣ୍ଡା ବୋଲି କରିଛନ୍ତି ଗୋଳ
ଫାର୍ମବାଲା ମଥା ପିଟେ
ପାଦତଳେ ତାଙ୍କ ଲୋଟେ
କହଇ କୁକ୍କୁଟୀ ମୋ ବ୍ୟୁଟି ଗଲେ ପଡିବ ଅକାଳ ।।

‌। ୪ ।
ଜନ ଜନି ଜନାର୍ଦନ ତିନି କ୍ଳାସମେଟ
ଡକ୍ଟର ହେବେ ବୋଲି ଲଗାଇଲେ ବେଟ
ମେଡିକାଲ କଲେଜରେ
ସିଟ ନ ପାଇ ଶେଷରେ
ସାହିତ୍ୟରେ କରୁଛନ୍ତି ଏବେ ଡକ୍ଟରେଟ ।।

।୫।
ଦେଖି ଦେଖି ଆଜିକାଲିକାର ଏଇ ଚଳଣି
କହୁଛନ୍ତି ଡେଲି ଡେଲି ମୋତେ ମୋର ଘରଣୀ
ନିଅ ବିଉଟି ପାର୍ଲର
କରାଅ ମେକପ୍ ମୋର
‌କେମିତି କହିବି ମଇଁଷିଟା ଗୋରୀ ହୁଏନି ।।

। ୬ ।
ରାଧାଗୋବିନ୍ଦପୁର ର ବାବୁ ରାଧେଶ୍ୟାମ
ବିକୁଥିଲେ ବୁଲି ବୁଲି ସିଏ ଝଣ୍ଡୁ ବାମ
ଦିନେ ସିଏ ପଡ଼ି ଗଲେ
ଅଣ୍ଟା ଧରି ଚାଲୁଥିଲେ
ସେତେବେଳେ ଝଣ୍ଡୁ ବାମ୍ ଦେଲା ନାହିଁ କାମ ।।

। ୭ ।
ବୀରାପ୍ପାନ ସାଥେ ଦିନେ ଭେଟ ହେଲା ଗବର
ପଚାରିଲା ଭାଇ କହ କିଶ ତୋର ଖବର
ବୀରାପ୍ପାନ କହେ ଭାଇ
ଚୋରି ଡକାୟତି ନାହିଁ
ସଂସଦରେ ଚଲେଇଛି ଏବେ ମୋର ବେପାର ।।

। ୮।
ଏକ୍ସ ଗାଆଁ ସରପଞ୍ଚ ଧେଡାନନ୍ଦ ସ୍ୱାଇଁ
ଫଟଫଟି ଧରି ବୁଲୁଥାନ୍ତି ସାଇଁ ସାଇଁ
ଦଶବର୍ଷ ହେଲା ସେ ବେକାର
କାମ ଦାମ ନାହିଁ କିଛି ତା’ର
କେଉଁଠୁ ଆଣନ୍ତି ଧନ ସେ ସଉକି ପାଇଁ ।।

। ୯ ।
ଯେଉଁ ଗ୍ରାମ୍ୟ ନାରୀଗଣ ସାଜିଥିଲେ ଷ୍ଟାର୍
ଟିକଟକ୍ ଯିବା ପରେ ସେ ହେଲେ ବେକାର
ମୋବାଇଲ କେଞ୍ଚି କେଞ୍ଚି
ଦିନଯାକ କାନ୍ଦୁଛନ୍ତି
ଏବେ ବଢିଲାଣି ତାଙ୍କ ଟକାଟକ୍ ପ୍ୟାର୍ ।।

। ୧୦।
ବଗିଚାରେ ଉଡୁଥିଲା ଗୋଟେ ପ୍ରଜାପତି
ବଳିଲା ଭ୍ରମର ମନ ସେ ରୂପସୀ ପ୍ରତି
ମିଳିଲା ମନ ତାଙ୍କର
ନ ହୋଇଲା ବାହାଘର
ଯେଣୁ ଅଲଗା ଅଲଗା ଦିହିଁଙ୍କର ଜାତି ।।

।୧୧ ।
ନିଶା ଟଳମଳ ହୋଇ ଗଙ୍ଗାରାମ କବି
ଗଟର ରେ ଗଳି ପଡ଼ି ଗଲେ ସିଏ ଡୁବି
ଦି ଦିନ ପରେ ମିଳିଲେ
କିନ୍ତୁ ପ୍ରମାଣିତ କଲେ
ନ ପହଞ୍ଚେ ରବି ଯହିଁ,ପହଞ୍ଚଇ କବି ।।

। ୧୨ ।
ବାପ ନାମେ ପୁଅ ଯେବେ ହୁଏ ପ୍ରତିଷ୍ଠିତ
ତା’ର ଗୁଣ ଗ୍ରାମ କେବେ ନୋହେ ବିକଶିତ
ହେଉ ସିଏ ରାଜନେତା
ଅବା ହେଉ ଅଭିନେତା
ମୋ ପାଇଁ ଅଟଇ ସଦା ସେ ଅସମ୍ମାନିତ ।।

। ୧୩ ।
ବର ଦେ ବୀଣାବାଦିନୀ ମାତା ବୀଣାପାଣି
ତୋ ବିନୁ କେ ଦୟାମୟୀ ଗୋ କବି ଜନନୀ
କବି ତ ଦରିଦ୍ର ଚିର
ମାତା ସନ୍ତାନ ତୋହର
କୃପା କରି ବଜ୍ର କର ମାତା ମୋ ଲେଖନୀ ।।

। ୧୪।
ହସି ହସାଇ ବିତୁ ଏ ମାନବ ଜୀବନ
ମୋ ପାଇଁ ନ ହେଉ ଦୁଃଖୀ କାହାର ବି ମନ
ବାଣ୍ଟୁଥାଏ ସଦା ହସ
ନ ହୁଏ କେବେ ହତାଶ
ଜ୍ୟୋତି ପରେ ଏଇ କୃପା କର ଭଗବାନ ।।

13 thoughts on “ଆଞ୍ଜୁଳାଏ ଲିମେରିକ୍

  1. ଜ୍ୟୋତି ଶଙ୍କର, ତୁମର ଏହିଭଳି କବିତାର ଜ୍ୟୋତି ଆସନ୍ତା ଦିନରେ ମଧ୍ୟ ଜାରି ରହୁ। ଚମତ୍କାର ବିଷୟ ଓ ପ୍ରସଙ୍ଗ ସହିତ ଚମତ୍କାର ଉପସ୍ଥାପନା। ଏହିଭଳି ଲେଖା ଜାରି ରହିଲେ ଆସନ୍ତା ଦିନରେ ତୁମର କବିତା ଅଧିକରୁ ଅଧିକ ସୁଖପାଠ୍ୟ ହେବ ବୋଲି ମୁଁ ଆଶାବାଦୀ।

  2. Welcome to the field of poetry.. Carry on young boy.. Don’t stop till the goal is achieved.. Love you

  3. ବାଃ ବାଃ ବାଃରେ ଜ୍ୟୋତି
    ଏମିତି ଲେଖିକି ନାମ ପକାନ୍ତି

    1. ନାମ ପକାଇବି କିମ୍ପାଇଁ ମୁହିଁ
      ବଢାଇବି ନାମ ନିଶ୍ଚୟ ଭାଇ ‌।

Leave a Reply

Your email address will not be published. Required fields are marked *