ଶପଥ ବୁଣିଛି ସୁନା କୋଇଲି …

  • ସୁଗାୟିକା ତପୁ ମିଶ୍ର ଯେ ଏତେ ଶୀଘ୍ର ଆମ ଗହଣରୁ ଚାଲିଯିବେ, ଜଣା ନଥିଲା। ତାଙ୍କର ଅକାଳ ବିୟୋଗରେ ସ୍ମୃତି ତର୍ପଣ କରିଛନ୍ତି କବି ବିନୟ ପଟ୍ଟନାୟକ।
ବିନୟ ପଟ୍ଟନାୟକ

କୋଇଲି ରେ, ତୁ ଟିକେ ଅଟକି ଯାଆ …

ମୋ ଛାତି ଭିତରୁ … ଉତୁରି ଚାଲିଛି …
ସୁନା କୋଇଲିର ରାହା,
ଅଳପ ଦିନରେ ସବୁରି ହୁରଦେ
ଯିଏ ଭରିଥିଲା ଆହା!
ମତେ ଏବେ ଖାଲି ଦିଶୁଛି ତା’ ମୁହଁ,
ଶୁଭୁଛି ତା ସୁର, ଝୁରୁଛି ତା’ରି ରାହା!

କୋଇଲି ରେ, ତୁ ଟିକେ ଅଟକି ଯାଆ … (୦)

କିଛି ବାଡ଼ ବତା ତାହାରି ନଥିଲା,
ସଭିଙ୍କୁ ସିନିହେ ଆପଣାଇନେଲା।
ହସିଲା, ନାଚିଲା, ରାଖି ବି ବାନ୍ଧିଲା
ଉଲ୍ଲାସେ ଉଡି କି ସୁରେ ଗାଇଲା!

ସଭିଙ୍କ ମନରେ ଖୁସି ଆଶା ଭରି
ସିନିହେଁ ଖୁସିର ବୀଜ ବୁଣିଗଲା।
କୋଇଲି ମନରେ ସପନ ଜାଗିଲା,
ରକମ ରକମ କୁହୁ ତାନ ଦେଲା।

ଅଙ୍କୁରିଲେ ଯେବେ ଅସରା ସପନ,
ଖୋଜିଲେ ସଭିଏଁ ଯେବେ ତା’ ତାନ,
କଥା ଦେଇଥିଲା ଆସିବ ସେ ଦିନ,
ହସିବ, ଗାଇବ, ଶିତଳିବ ମନ,

ହେଲେ,
ସାହା ଭାଜିଗଲା ସପନ ହଜିଲା
ସିଏ ତ ଉଭେଇଗଲା …
ନଚାହିଁ ବି ଚାଲିଗଲା …
ସଭିଙ୍କ ଛାତିରେ କୋହ …
ଆଖିରେ ଅସରା ଲୁହ …
ଓଠରେ ମନରେ ଆହା!

କୋଇଲି ରେ, ତୁ ଟିକେ ଅଟକି ଯାଆ … (୧)

ଲାଗୁଛି ତ କୁହୁ ନଈ ଶୁଖିଗଲା,
ବେହେଲାର ମୂଳ ତାର ଛିଡ଼ିଗଲା।
ଆଶାର ଶତ ଜୁଆର ଶୋଇଗଲା,
ହସ, ଆଶା, ରାଖି, ଇଚ୍ଛା ମରିଗଲା!

ନା .. ନା .. ନା .. ଏହା କେବେ ହୋଇ ପାରେନା,
ହସ, ଆଶା, ସୁର କେବେ ଶୋଇ ପାରେନା।
ସୁନା କୋଇଲି ସେ ଯା’ ବୀଜ ବୁଣିଗଲା,
ଗଜେଇ ଚାଲିବ ଅସରା ସୁରର ରାହା।

ସାଇତା ବଳରେ ନୂଆ ରଙ୍ଗ ତୋଳି,
ସୁନା କୋଇଲିର ଶପଥ ଆବୋରି,
କୋଇଲି ସୁରରେ ଇନ୍ଦ୍ରଧନୁ ତୋଳି,
ଶୁଖିଲା ନଈରେ ଲହଡି ଛୁଟାଇ,

ପୁଣି,
ଖୁସି-ଆଶା-ରାଖି ତରଙ୍ଗ ତୋଳିବ,
ସପନଙ୍କୁ ଜଗାଇବ …
ନୂଆ ରାଗିଣୀ ତୋଳିବ …
ସଭିଙ୍କ ଛାତିରେ ସୁଅ …
ଆଖିରେ ଅସରା ମୋହ …
ଓଠରେ ମନରେ ଆହା!

କୋଇଲି ରେ, ଏଥର ତୁ ଗାଇ ଯାଆ … (୨)
ମନରେ ସାଇତି ଥାଆ …
ସୁନା କୋଇଲିର ରାହା …
କୋଇଲି ରେ, ମନ ଭରି ଗାଇ ଯାଆ …

4 thoughts on “ଶପଥ ବୁଣିଛି ସୁନା କୋଇଲି …

  1. ପରଲୋକଗତା ଗାୟିକା ତପୁଙ୍କ ପ୍ରତି ଆମର ଗଭୀର ଶ୍ରଦ୍ଧାଂଜଳି। ଜୟ ଜଗନ୍ନାଥ।

  2. ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି, ଓଡ଼ିଆ ସଂଗୀତ ଦୁନିଆ ପାଇଁ ଅପୂରଣୀୟ କ୍ଷତି. 🙏 ଶାନ୍ତି ଭବ

  3. କୋକଳକଣ୍ଠୀ ତପୁ ମିଶ୍ର ଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦ। ତାଙ୍କ ଅମର ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

  4. ଶ୍ରଦ୍ଧାଞ୍ଜଳି ଏହି ଛୋଟ ଭଉଣୀକୁ । ତାକୁ ଭଗବାନ ତାଙ୍କ କୃପାଛାୟା ତଳେ ରଖିବେ ।

Leave a Reply

Your email address will not be published. Required fields are marked *