ଶିଳ୍ପୀ ତୁମେ ଉତ୍କଳର

ଡ. କୁଳମଣି ଓଝା

  • ଓଡିଶାର ସ୍ବନାମଧନ୍ୟ ସ୍ଥପତି ଏବଂ ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଗତ ମଇ ୯ ତାରିଖ ଦିନ ମହାପ୍ରୟାଣ ଘଟିଛି। ଦିବଂଗତ ମହାନ କଳାକାରଙ୍କ ସ୍ମୃତିରେ ଏହି କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କବି ଡ଼. କୁଳମଣି ଓଝା।

ନିହାଣ ମୁନରେ ଉତ୍କଳ କୀରତି
ଫୁଟାଇଲ କେତେ ଗଢ଼ି ଦିନରାତି
ତମାମ୍ ଜୀବନ ପଥରେ ପଥର
ଲେଖିଗଲ ପ୍ରତି ପ୍ରସ୍ତରେ ଅକ୍ଷର
ଶିଳାରେ ଶିଳାରେ ଭରିଦେଲ ତୁମେ ନୂଆ ଜୀବନ,
ତୁମେଇ ତ ରମ୍ୟ ସ୍ଥାପତ୍ୟ-କଳାର ଉତ୍କଳ-ପ୍ରାଣ !

ପ୍ରାଣର ପ୍ରଣତି ଅର୍ପିଲ ସଧୀରେ
ଜନମିଲ ଦାରୁ ଦେବତା ଧାମରେ
ସବୁଠୁଁ ଫେରିଛ ଶୂନ୍ୟ ହୃଦୟରେ
ଏଇ ସିଂହଦ୍ୱାରେ କିଏ ଆସି ଧୀରେ
କି ମନ୍ତ୍ର ଫୁଙ୍କିଲେ ତୁମରି ପରାଣେ, ମଜ୍ଜିଲ ମଗ୍ନେ,
ଜନମିଥିଲ ତ ବିଶ୍ଵକର୍ମା ବଂଶେ କି ଶୁଭ ଲଗ୍ନେ ?

ପ୍ରସ୍ତର-ଶିଳ୍ପକୁ ଦେଇ ଉଚ୍ଚାସନ
ରଖିଗଲ କାଳ ବକ୍ଷରେ ଅମ୍ଳାନ
ପଥରେ ରଚିଲ ସରଗ ସୋପାନ
ଅମରାବତୀ କି ନନ୍ଦନ ବନ !
ସାଧିଲ ଶାସ୍ତ୍ର, ଖୋଜିଲ ପୋଥି, ଲଭିଲ ଦିବ୍ୟ ଜ୍ଞାନ,
ଶିଳ୍ପଶାସ୍ତ୍ର ସୂତ୍ରେ ଗଢ଼ିଲ ଦେଉଳ-ଜଗମୋହନ l

ନାମ ରଘୁନାଥ ମହାପାତ୍ର ତୁମ
ଶିଳ୍ପୀକୁଳେ ଜନ୍ମି ତୁମେ ଅପ୍ରତିମ
ଅଷ୍ଟମ ଶ୍ରେଣୀରୁ ପାଠେ ବନ୍ଧା ଡୋରି
ପଥର ଖୋଦେଇ କର୍ମ ଅନୁସରି
ରଚିଲ ଲଳିତ ଲାବଣ୍ୟ ମୂରତି କେତେ ଦେଉଳ
ଓଡ଼ିଶା ମୁଲକେ ତୁମ କର ସ୍ପର୍ଶେ ସେ ଅବିରଳ l

ଦେଶ ବିଦେଶରେ ଉତ୍କର୍ଷ ଉତ୍କଳେ
କଳା ସୁପ୍ରକାଶ ତୁମ କୀର୍ତ୍ତିମାଳେ
ତୁମେଇ ଗଢ଼ିଲ ରାଶି ରାଶି କୀର୍ତ୍ତି
ପଥର ଦେହରେ ଅପରୂପ ଦ୍ୟୁତି
ନିଷ୍ପ୍ରାଣ ଓଠେ ହାସ୍ୟ ଫୁଟିଲା କାରୁକୃତି-ପ୍ରତିମା
ଲାସ୍ୟ ଚପଳ ଛନ୍ଦେ ବିହ୍ଵଳ ଅନନ୍ୟା ଅନୁପମା l

ଗୁରୁଦତ୍ତ ଜ୍ଞାନେ ତୁମେ ମହୀୟାନ୍
ସାଧିଲ ତପସ୍ୱୀ ପରାୟେ ଜୀବନ
କୈଶୋର କାଳରୁ କେଉଁ ଅଭିଳାଷେ
ପ୍ରସ୍ତରେ ସର୍ଜିଲ କି ଭାସ୍କର୍ଯ୍ୟ ଶେଷେ
ଗଢ଼ିଦେଲ କେତେ ଲଳିତ ମୂରତି ମଠ ମନ୍ଦିର
ଦେଶ ବିଦେଶରେ ରଖିଲ କୀରତି କାରୁକଳାର l

ସଂସଦ ଭବନେ, ଫ୍ରାନ୍ସ, ଜାପାନରେ
ତୁମ ସେ ସ୍ଥାପତ୍ୟ ଅଙ୍ଗୁ ଲାସ୍ୟ ଝରେ
ସ୍ୱପ୍ନ ଥିଲା ରଚି କୋଣାର୍କ ଦ୍ଵିତୀୟ
ଭାସ୍କର୍ଯ୍ୟ କଳାର ହୋଇଥା’ନ୍ତା ଜୟ
ସଂକଳ୍ପ ତୁମର ରହିଲା ଅଧୁରା ଅବର୍ତ୍ତମାନ
କେଉଁ ଅଭିମାନେ ବାହୁଡ଼ିଲ ଛାଡ଼ି ମର୍ତ୍ତ୍ୟ-ଭୁବନ ?

ପଦ୍ମଶ୍ରୀ ତୁମେ ପଦ୍ମଭୂଷଣ ଶିଳ୍ପୀ !
ରଚିଲ ରମ୍ୟ ଶିଳ୍ପ ଚାତୁରୀ କଳ୍ପି
ପଦ୍ମ ବିଭୂଷଣ ହେ ଶିଳ୍ପୀ ମହାନ୍
ବିଶୁ ମହାରଣା ସୁଯୋଗ୍ୟ ସନ୍ତାନ
ଯଶୋଦେହେ ଚିର ଆୟୁଷ୍ମାନ ତୁମ ସ୍ଥାପତ୍ୟ କଳା
ସଂସାରେ ଅତୁଲ୍ୟ ଉତ୍କଳ-ଭାସ୍କର୍ଯ୍ୟ ସୌନ୍ଦର୍ଯ୍ୟ ଲୀଳା l

4 thoughts on “ଶିଳ୍ପୀ ତୁମେ ଉତ୍କଳର

  1. ଜୟ ଜଗନ୍ନାଥ। ହୃଦୟସ୍ପର୍ଶୀ କବିତା।

  2. Raghu math Mohapatra is a rare personality. We can’t imagine a profound sculptor like him will born again or not ! Anyway the way you try to pay your heartfelt obeisance through your poem is worth noting.
    👍👍🙏

  3. କବିତା ମାଧ୍ୟମରେ ଏକ ସାର୍ଥକ ଶ୍ରଦ୍ଧାଞ୍ଜଳି । ଶିଳ୍ପୀଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା । ମୋ ପିତାଙ୍କୁ ଗୁରୁ ଜ୍ଞାନ କରୁଥିଲେ । ସେ ଦେବୀ ଭକ୍ତ ଥିଲେ । ତାଙ୍କ ସୁନ୍ଦର ପଦା ବାସଭବନରେ ଥିବା କାଳି ମନ୍ଦିର ରେ ପ୍ରତିବର୍ଷ କାଳିପୂଜାକୁ ଯଜ୍ଞ କରୁଥିଲେ । ସେ ଯଞ୍ଜରେ ମୃତ୍ୟୁ ପର୍ଯ୍ୟନ୍ତ ମୋର ପିତା ପୁରୋଧା ହେଉଥିଲେ ।

Leave a Reply

Your email address will not be published. Required fields are marked *