ସାହିତ୍ୟରେ ତାଳି ଓ ଗାଳି

ଆମ ସଂପାଦକୀୟ ପାଇଁ ଏମନ୍ତ ବିଷୟଟିଏ କେବେଠାରୁ ଆମ ମନରେ ଉଙ୍କି ମାରୁଥିଲା। ସଂଯୋଗକୁ ଏବେ ଆମ ପତ୍ରିକାର ‘ଚିତ୍ରରେ ସାହିତ୍ୟ’ ପୃଷ୍ଠାରେ ବିଶିଷ୍ଟ କାର୍ଟୁନିଷ୍ଟ୍ ବିମ୍ବାଧର ମିଶ୍ର ମହାଶୟ ସେହି ଏକା ଭାବନାକୁ ଆଧାର କରି ବ୍ୟଙ୍ଗ ଚିତ୍ରଟିଏ ଆଙ୍କି ଦେଲେ। ଏଣୁ ଆମେ ଏବେ ଏହାର ଅବତାରଣା ନ କରି ରହିପାରୁନାହୁଁ।
କେବେ କେମିତି ଭାବିବସିଲେ ମନେ ହୁଏ, ସତରେ ଆମ ସାହିତ୍ୟରେ ତାଳି ଓ ଗାଳି ଅଛି କି? ଭଲ ଲେଖାଟିଏ ଲେଖିଲେ ଆମ ପାଠକେ ତାହାକୁ ପ୍ରଶଂସା କରି ଦୁଇପଦ ଲେଖିବେନାହିଁ କି ଲେଖାଟିରେ କିଛି ଭୁଲ୍ ଭଟକା ଥିଲେ ବି ତାହାର ଅର୍ଥପୂର୍ଣ୍ଣ ସମାଲୋଚନା କରି କିଛି କହିବେ ନାହିଁ। ଆମ ପାଠକମାନେ ଭାରି ନିର୍ଲିପ୍ତ। ସବୁ ଜାଣୁଥିବେ, ବୁଝୁଥିବେ, କିନ୍ତୁ ପାଟି ଖୋଲି କିଛି ହିଁ କହିବେନାହିଁ।
ଅଥଚ ‘ତାଳି’, ଅର୍ଥାତ ପ୍ରଶଂସା ସୂଚକ କେଇ ଶବ୍ଦ ଜଣେ ସାହିତ୍ୟ ସ୍ରଷ୍ଟା ପାଇଁ ଯେ କିଭଳି ଅମୃତ ତୁଲ୍ୟ ପ୍ରେରଣାଦାୟୀ ସେକଥା କେବଳ ଲେଖକଟିଏ ହିଁ ଜାଣେ। ସେହିପରି ‘ଗାଳି’ ଅର୍ଥାତ୍ ସମାଲୋଚନା ମଧ୍ୟ ଲେଖକମାନଙ୍କ ପାଇଁ ସମ ପରିମାଣରେ ମୂଲ୍ୟବାନ। ଅଥଚ ଏହି ଊଭୟର ପରିପ୍ରକାଶରେ ଆଜିର ଓଡ଼ିଆ ପାଠକଗଣ ଯେ ବେଶ୍ କୃପଣ ଏଥିରେ ସନ୍ଦେହ ନାହିଁ।
ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ ଫରାସୀ ଦାର୍ଶନିକ ଭୋଲଟାର୍ ଥରେ କହିଥିଲେ, “କୌଣସି କୃତିର ପ୍ରଶଂସା କରିବା ଏକ ମହାନ କାର୍ଯ୍ୟ। କାରଣ ଏହା ଦ୍ବାରା ଆମେ ଜଣେ ସୁଯୋଗ୍ୟ ସ୍ରଷ୍ଟାଙ୍କ ଅନୁପମ ସୃଷ୍ଟିଟିଏକୁ ନିଜସ୍ଵ ବୋଲି ମଣିବାର ସୌଭାଗ୍ୟ ପାଉ।” ବିଡ଼ମ୍ବନା ହେଲା ଏଭଳି ଦିବ୍ୟଦ୍ରଷ୍ଟା ପାଠକଙ୍କ ଆଜି ଓଡିଶାରେ ଘୋର ଅଭାବ। ଅବଶ୍ୟ ଏଥିପାଇଁ ଅନେକ କିଛି କାରଣ ଦାୟୀ, ଏବଂ ଖୋଦ୍ ଲେଖକ ମଧ୍ୟ ଏଥିମଧ୍ୟରେ ସାମିଲ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ଆମ ସାହିତ୍ୟକୁ ଗ୍ରାସିଥିବା ଏହି ପାଠକୀୟ ନିର୍ଲିପ୍ତତାକୁ କିଛି ପରିମାଣରେ ହ୍ରାସ କରିବା ମାନସରେ ଆମେ ଯୁବ ଗୋଷ୍ଠୀର ଓଡ଼ିଆ ପାଠକଙ୍କ ପାଇଁ “କେଉଁ କବିତାଟି ମୋତେ ଭଲ ଲାଗେ, ଏବଂ କାହିଁକି?” ଶୀର୍ଷକ ପ୍ରତିଯୋଗିତାଟିଏ ଆୟୋଜନ କରିଛୁ। ଏହାର ପରିଣତି କ’ଣ ହେବ ଦେଖିବାକୁ ବାକି ରହିଲା।

– ସମ୍ପାଦକ

4 thoughts on “ସାହିତ୍ୟରେ ତାଳି ଓ ଗାଳି

  1. ସୁନ୍ଦର ସମ୍ପାଦକୀୟ । ସାହିତ୍ୟ ଧୀରେ ଧୀରେ ସ୍ମାର୍ଟଫୋନକୁ ଓହ୍ଲେଇ ଆସିଲା ପରେ କେବଳ ପ୍ରତିକ୍ରିୟା ପାଇଁ ସ୍ପର୍ଶ ପଟଳ ଉପରକୁ ଆଙ୍ଗୁଳି ଯାଉନି । ତାଳି ଆଉ ଗାଳିରେ ପଇସା ଲାଗେନା କିନ୍ତୁ ମାଂସ ପେଶୀ ଉପରେ ଜୋର ଦେବାକୁ ପଡେ। କିନ୍ତୁ ଛୁଇଁବାରେ କେତେ ଶକ୍ତି ଅପଚୟ ହେବ ? ମୁଁ ତ ସେ ପଚା ଅଣ୍ଡା ଆଉ ସଢା ଟମାଟୋ ଯୁଗକୁ ସମ୍ମାନ କରିବି, ଯେଉଁଠି ଦର୍ଶକ ଆଉ ଶ୍ରୋତା ପ୍ରତିକ୍ରିୟା ବ୍ୟକ୍ତ କରିବା ପାଇଁ ପଇସା ଆଉ ମାଂସପେଶୀ ଉଭୟ ବ୍ୟବହାର କରୁଥିଲେ ।

  2. ତାଳି କି ଗାଳି ଯାହା ମିଳିଲେ ବି
    ନାହିଁ ସୁଖ କି ଦୁଃଖ
    ଶବ୍ଦ-ସାଧକ ନିଜେ ତା ପାଠକ
    ସତରେ ଲୋକ-ବିମୁଖ

  3. ସାହିତ୍ୟରେ ତାଳି ଓ ଗାଳି ଶୀର୍ଷକ ସମ୍ପାଦକୀୟଟି ରୁଚିକର ଲାଗିଲା। ଆଜିକାଲି ଵହୁ କ୍ଷେତ୍ରରେ ମୁହଁ ଦେଖା ଓ ସ୍ବାର୍ଥସିଦ୍ଧି ଲାଳସା ସାହିତ୍ୟ ସମାଲୋଚନାର ମାର୍ଗକୁ ଦିଗହରା ତଥା କଳୁଷିତ କରୁଛି। ଏଥି ନିମିତ୍ତ ସତର୍କତା ତଥା ସଂଯମ ଏକାନ୍ତ ଅପରିହାର୍ଯ୍ୟ।

Leave a Reply

Your email address will not be published. Required fields are marked *