ବୋଉ ପାଇଁ ଚିଠିଟିଏ

ସୁଚିସ୍ମିତା ସାହୁ

ବୋଉଲୋ,
ଜାଣିଛୁ, ଆଜି କାଳେ ବିଶ୍ୱ ମାତୃ ଦିବସ। ଫେସବୁକ୍ ଆଉ ହ୍ବାଟସଆପ୍ ରେ ସମସ୍ତେ ତାଙ୍କ ମା ଙ୍କ ଛବି ଦେଉଛନ୍ତି। ମୁଁ କିନ୍ତୁ ଦେବିନି। କାରଣ ଗୋଟିଏ/ଦୁଇଟା ଛବିରେ ତୋ ପ୍ରତି ମୋ ଭଲପାଇବା ଆଉ ତୋର ମହନୀୟତା ବଖାଣିବା ଅସମ୍ଭବ। ଆଜି ମୋ ସାହିତ୍ୟ ପରିବାରରେ ସଭିଙ୍କ ଲେଖା ଦେଖି, ମତେ ବି ଟିକେ ଲେଖିବାକୁ ଇଛା ହେଲା ତୋ ବିଷୟରେ। ହେଲେ କଣ ଲେଖିବି ଯେ ! ତୋର ସ୍ନେହ, ପ୍ରେମ ଆଉ ତ୍ୟାଗ ଗୋଟେ ଛୋଟ ପୁଷ୍କରିଣୀ ହେଇନି ଯେ ମୁଁ କ୍ଷଣିକେ ପାର ହେଇଯିବି, ସେ ତ ହେଉଛି ସୀମାହୀନ ମହାସାଗର। ଜନ୍ମରୁ ୧୬ବର୍ଷ ଯାଏ ତୋ ପେଟ ତଳେ ଜାକି ଜୁକି ହେଇ ଶୋଇଛି। ଦିନବେଳେ ହସ ହସ ଆଖି ଦୁଇଟା ରାତିର ଅନ୍ଧକାରରେ ତକିଆରେ ମୁହଁ ମାଡି କେତେ ଯେ ଗୁମୁରି କାନ୍ଦେ, ମୋ ଠୁ ବଳି କିଏ ଅଧିକା ଦେଖିଛି ଲୋ। ଏତେ କୋମଳ ଦେହ ତୋର, ହେଲେ ଏତେ ବଡ ସଂସାର ର ବୋଝ କେମିତି ବୋହୁଥିଲୁ?

ଆଜିବି ମନେପଡେ, ମୋ ଦଶମ ଶ୍ରେଣୀ ପରୀକ୍ଷା ବେଳେ ତୋର ରାତି ୪ରୁ ଉଠି ଅନିଦ୍ରା ହେଇ ମତେ ଜଗି ବସିବା କଥା। ପରୀକ୍ଷା ସିନା ମୋର ଥିଲା, ହେଲେ ପରିଶ୍ରମ ତୁ ଅଧିକ କରୁଥିଲୁ ଲୋ। କେମିତି ଭୁଲିବି, ମୋ ପଢା ପାଇଁ ତୋର ଶେଷ ସୁନାଚୁଡ଼ି ବିକିଦେବା ଘଟଣା। ଆଉ ମତେ ମିଛରେ କହିଥିଲୁ ସୁନା ପ୍ରତି ମୋର ଆଲର୍ଜି, ପିନ୍ଧିଲେ ହାତ କୁଣ୍ଡେଇ ହୁଏ, ତେଣୁ କାଢି ଦେଇଛି। ଯେବେ ମାଉସୀ କହୁଥିଲା, ପୁଅକୁ ପଢା ମ, ଝିଅ କଣ ତତେ ପୋଷିବ, ସେବେ ତୁ ହସି ହସି କହିଥିଲୁ, ପୁଅ ଅପେକ୍ଷା ଝିଅ ର ପଢ଼ାରେ ଅଧିକ ଆଗ୍ରହ, ତେଣୁ ମୋ ଝିଅ ହିଁ ପଢିବ। ତୋର ସେଇ ବିଶ୍ୱାସ ଓ ସାହସ ବଳରେ, ଆଜି ମୁଁ ଜଣେ ଅଧ୍ୟାପିକା। ତୋ ପାଇଁ ହଳେ ସୁନା ଚୁଡି କିଣିବାରେ, ଆଜି ମୁଁ ସକ୍ଷମ। ସୁନାଚୁଡ଼ି କିଣିବା ଆଶାରେ କେତେ ଯେ ଦୋକାନ ବୁଲିଲିଣି, ହେଲେ ସ୍ନେହ, ପ୍ରେମ ତ୍ୟାଗ ଓ ବିଶ୍ୱାସରେ ଗଢା ସେବେର ତୋର ସେଇ ଚୁଡି ଭଳି ସୁନ୍ଦର ଆଉ ଦାମୀ ଚୁଡି କୋଉବି ଦୋକାନରେ ମିଳୁନି ଲୋ, ଲାଗୁନି  କେବେ ବି ମିଳିବ ମତେ। ଛାଡ଼ ସେସବୁ କଥା। କାହ୍ନା ଦୟାରୁ ତୁ ଭଲରେ ଥା ଲୋ, ସବୁବେଳେ ତୋ ଓଠରେ ହସ ଥାଉ। ଲେଖିବସିଲେ ବହୁତ ଲେଖିଯିବି। ଥାଉ ଆଉ କିଛି ଲେଖିବିନି। ରହୁଛି।

ଇତି
ତୋର ପାଗିଳି

15 thoughts on “ବୋଉ ପାଇଁ ଚିଠିଟିଏ

  1. ଅତି ସୁନ୍ଦର୍ ଉପସ୍ଥାପନା।
    ଭଲ ଲାଗିଲା।

  2. Among the persons who create a world of happiness around us, a mother is the one who bears maximum pain in pursuit of this cause. Yet, often she is the one who gets least credit for her unrelenting and constant efforts. This story, therefore, is a perfect tribute to this unsung hero(in). Soaked in deep emotions this story sings an ode to a mother. Kudos to the writer for such an emotional and powerful portrayal of the first superheroine of our life.

  3. ବହୁତ ସୁନ୍ଦର ହୋଇଛି,, ଲେଖିକାଙ୍କୁ ଅଭିନନ୍ଦନ.

  4. ବହୁତ ସୁନ୍ଦର ଆଉ ଭାବବିହ୍ବଳ ଲେଖା। ଆଖିରେ ଲୁହ ଆସିଗଲା। ଅଜସ୍ର ଧନ୍ୟବାଦ ଏତେ ସୁନ୍ଦର ଓ ହୃଦୟକୁ ଛୁଇଁଲା ଭଳି ଲେଖା ପାଇଁ💐💐💐

  5. Maa Tujhe Salaam. It’s an emotional story. Lots of appreciation to the esteemed author.

  6. ଅତୁଳନୀୟା ସେ ପଦବୀ ” ବୋଉ ” , ହୁଏତ କେହି ଭାବପ୍ରବଣତା କହିପାରେ !! କିନ୍ତୁ ଥରେ ଏକାକୀ ନିରୋଳା ରେ ଯଦି ” ବୋଉ ” ର ଭୂମିକା କୁ ତର୍ଜମା କରାଯାଏ…. ଛାତିରେ କୋହ ଜମାଟ ବାନ୍ଧିଯାଏ
    …!! ଲେଖିକା ଙ୍କୁ ଅଶେଷ ଧନ୍ୟବାଦ |

  7. ଚମତ୍କାର ଲେଖା। ମା’ର ସ୍ନେହ ଓ ଆଦର ଆଉ କେହି ଦେଇପାରିବେନି ଏବଂ ମା’ର ଭଲପାଇବାର ମୂଲ୍ୟ ଦେବା ଅସମ୍ଭବ।

Leave a Reply

Your email address will not be published. Required fields are marked *