ମଧୁରାଷ୍ଟକ

ଜାନକୀ ବଲ୍ଲଭ ଦାଶ

ମଧୁର ମଧୁର ମଧୁରୁ ମଧୁର
ମଧୁର ସମ୍ପର୍କ ମୋହ
ମଧୁମିଶା ହସ ମଧୁର ଆଶ୍ଳେଷ
ମଧୁର ଲାଜେଇ ସ୍ନେହ॥୧॥


ମଧୁର ଗୋପନ ପ୍ରଣୟ ମିଳନ
ପ୍ରଥମ ପ୍ରେମର ସ୍ପର୍ଶ
ମଧୁର ପ୍ରେମିକ ପ୍ରେମ ନିବେଦନ
ଦେହର ନିବିଡ଼ କର୍ଷ ॥୨॥
ମଧୁର ବାସନା ବସନ୍ତେ ମଧୁର
ମଧୁରିମା ଭରା ଜ୍ୟୋସ୍ନା
ମଧୁରୁ ମଧୁର ପ୍ରିୟାର ଅଧର
ଗଭାର ବଉଳ ବାସ୍ନା ॥୩॥
ମଧୁର ପ୍ରଭାତ ଶୀତର ସକାଳ
ମଧୁର ଗ୍ରୀଷମ ରାତି
ଚନ୍ଦନ ଜାତରେ ମଧୁସୂଦନଙ୍କ
ଚାପରେ ମିଳନ ସ୍ମୃତି॥୪॥


ମଧୁର ଶିଶୁର ପ୍ରଥମ କ୍ରନ୍ଦନ
ପ୍ରଥମ ମାଆର ହସ
ମଧୁର ପ୍ରଥମ ରାଜଗାର ମୁଦ୍ରା
ବାପାଙ୍କ ଧରା ସନ୍ତୋଷ ॥୫॥
ମଧୁର ଶାଳୀର ଥଟ୍ଟା ପରିହାସ
ଶାଳୀ ଯେଵେ ଥଟ୍ଟା ସହେ
ଶ୍ୱଶୁର ଘରଟା ସ୍ୱର୍ଗ ବନିଯାଏ
ବାଡୁଅ ଶାଳୀର ମୋହେ॥୬॥


ମଧୁର ଋତୁ୍ର ମଧୁର କାକଳୀ
କୋଇଲିଟା ଯେବେ ଗାଏ
ମଧୁର ଲାଗଇ ଶ୍ରାବଣ ବରଷା
ପ୍ରିୟା ଯେବେ କୋଳେ ଥାଏ ॥୭॥
ମଧୁର ଲାଗଇ ବଣ ଭୋଜି ମଜା
ସାଙ୍ଗସାଥିଙ୍କର ମେଳେ
ମଧୁର ଲାଗଇ କାନି ପଣତଟା
ଥିଲେ ମାଆଙ୍କର କୋଳେ ॥୮॥

2 thoughts on “ମଧୁରାଷ୍ଟକ

  1. ଅଭିନନ୍ଦନ ଜାନକୀ ବାବୁ , ଆପଣଙ୍କ ରଚିତ ମଧୁରାଷ୍ଟକ ମାଧୁର୍ଯ୍ୟ ରେ ଭରପୂର କବିତା ଟିଏ । ବହୁତ ଭଲଲାଗିଲା ।

  2. ଜୟ ଜଗନ୍ନାଥ। ବହୁତ ସୁନ୍ଦର ହେଇଛି।

Leave a Reply

Your email address will not be published. Required fields are marked *