ମୁଁ ଯେମିତି ଦେଖେ

କ୍ଲରିହ୍ୟୁ ହେଉଛି ଏକ ଚାରି ଧାଡ଼ିଆ ଖିଆଲି ବା ହାଲୁକା କବିତା ଯାହାକି ଜଣେ ବ୍ୟକ୍ତିବିଶେଷଙ୍କୁ ଆଧାର କରି ଲେଖା ଯାଇଥାଏ।

ଜାକିର୍ ଖାନ୍

|| ଅରବିନ୍ଦ ବେହେରା ||
ବାବୁ ଅରବିନ୍ଦ ବେହେରା
ଲୁଚାଇ ନିଜର ଚେହେରା
ଲେଖାଟିଏ ସିଏ ଲେଖିଦେବେ
ଅଜଣା ବାଣଟେ ପେସି ଦେବେ।

|| ରାଜେନ୍ଦ୍ର ପଣ୍ଡା ||
ବାବୁ ରାଜେନ୍ଦ୍ର ପଣ୍ଡା
ମୁଣ୍ଡଟି ସବୁ ବେଳେ ଥଣ୍ଡା
ସାଦା ପୃଷ୍ଠା ନେଇ ବସିଗଲେ
ତାରି ଭିତରେ ଭାସିଗଲେ।

|| ଜେ ପି ଦାସ ||
ସାର୍ ଜେପି ଦାସ
କରିବାକୁ ପରିହାସ
ଅକ୍ଷରକୁ କଲେ ଠିକ୍
ଲେଖିଦେଲେ ଲିମେରିକ୍।

|| ପଠାଣି ସାମନ୍ତ ||
ଆମ ବାବୁ ପଠାଣି ସାମନ୍ତ
କାମଟି ତାଙ୍କର ଏମନ୍ତ
ଗ୍ରହ ତାରା ମାପି ବସିଯିବେ କାଠିରେ
ଆଖିରେ ନିଦ ନଥିବ ତାଙ୍କ ରାତିରେ।

|| ଜୟନ୍ତ ମହାପାତ୍ର ||
ଜୟନ୍ତ ମହାପାତ୍ର କବି
ଆଖିରେ ତାଙ୍କର ଛବି
ହୋଇ ବାୟା ରାଜା ଦିନେ
ଛାଇ ବାଣ୍ଟିଲେ ସେ ଜନେ।

|| ଇତି ସାମନ୍ତ ||
ରାଣୀ ଇତି ସାମନ୍ତ
କାମଟି ତାଙ୍କର ଏମନ୍ତ
କାଦମ୍ବିନୀ, କୁନିକଥାକୁ କାଖେ ଧରି
ବନି ଯିବେ ଗୋଟେ ଧଳା ପରୀ।

|| ହିମାଂଶୁ ଖଟୁଆ ||
ଡାଇରେକ୍ଟର୍ ହିମାଂଶୁ ଖଟୁଆ
ଧରି କରି ଗୋଟେ ଫିଲିମ ବଟୁଆ
ଶୂନ୍ୟ ସ୍ୱରୂପ ଆଙ୍କି ଦେବେ
କ୍ୟାମେରାକୁ ପୁରା ଫାଙ୍କି ଦେବେ।

|| ହରପ୍ରସାଦ ଦାସ ||
ସାହିତ୍ୟିକ ହରପ୍ରସାଦ ଦାସ
ନଦେଖି କହିବେ ଆସ, ବସ
ସାହିତ୍ୟର ଯେତକ ଥିଓରୀ
ପେଇ ଦେବେ ସିଏ ବାଟି କରି।

|| ଅକ୍ଷୟ ମହାନ୍ତି ||
ଗାୟକ ଅକ୍ଷୟ ମହାନ୍ତି
ଯିଏ ଆଉ ଏବେ ନାହାନ୍ତି
କଟକ ଗଳିକନ୍ଦିରେ ତାଙ୍କ ଅଲିଭା ଛାଇ
ଗୀତ ବନିଗଲେ ନିଜେ ଖୋକା ଭାଇ।

|| ସେକ୍ ମତଲୁବ ଅଲ୍ଲୀ ||
ମାହାଙ୍ଗାର ସେକ୍ ମତଲୁବ ଅଲ୍ଲୀ
ଚାଲିଗଲେ ଦିନେ ଅଜଣା ଏକ ପଲ୍ଲୀ
କିଛି ଗୀତିନାଟ୍ୟ ଧରି ଫେରିଲେ
ବସି ବୈଷ୍ଣବ ପାଣିଙ୍କୁ ଖାଲି ଝୁରିଲେ।

|| ବିଷ୍ଣୁପଦ ସେଠୀ ||
ବାବୁ ବିଷ୍ଣୁପଦ ସେଠୀ
ନ ଥାଇ ଜମାରୁ ଏଠି
କହିବେ ‘ହୋୟାର୍ ସାଲ୍ ଆଇ ଗୋ’
ପଢୁଥିବେ ବସି ‘ଦାରିଓ ଫୋ’।

  • କ୍ଲରିହ୍ୟୁ ହେଉଛି ଏକ ଚାରି ଧାଡ଼ିଆ ଖିଆଲି ବା ହାଲୁକା କବିତା ଯାହାକି ଜଣେ ବ୍ୟକ୍ତିବିଶେଷଙ୍କୁ ଆଧାର କରି ଲେଖା ଯାଇଥାଏ। ଏଥିରେ କିଛି କୌତୁକ ଓ ବ୍ୟଂଗର ଉପାଦାନ ମଧ୍ୟ ଥାଏ। ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଇଂରାଜୀ ସାହିତ୍ୟରେ ଏହି ଧରଣର କବିତାର ଉଦ୍ଭବ ଘଟାଇଥିଲେ ଏଡ଼ମଣ୍ଡ୍ କ୍ଲରିହ୍ୟୁ ବେଣ୍ଟଲେ।

28 thoughts on “ମୁଁ ଯେମିତି ଦେଖେ

  1. ଭବିଷ୍ୟତର ବହି
    ଫୋନ୍‌ ପର୍ଦାରେ ରହି
    ନେଉଅଛି ମନ ମୋହି
    ଅନ୍ୟତ୍ର ମିଳଇନାହିଁ
    *କ୍ଲରିହ୍ୟୁ* ଚାଲୁ ରଂଗ ଓ ରସ ବୋହି

  2. Your innovative approach enriches and widens the domain of odia literature. Thank you for your endeavor.

  3. As I have always observed, you are a pure soul whose passion for literature can’t be trivialised by the weighing scale of words. Carry on the good work.

  4. ଫକୀର ପରି ଫିକର ନାହିଁ
    କଥା କଥାରେ ନେଉଛି ମୋହି
    ମିଠା ବଚନ ତାହାର ନାଁ
    ଜାକିର ନୁହେଁ ଶକ୍କର ଖାଁ

  5. ଭାଇ ଜାକିର ଖାନ
    ତୁମ ପାଇଁ ଗୋଟେ କ୍ଲିରିହିଉ
    କିମିତି ଲାଗିଲା
    ଦିଅ ଧ୍ୟାନ

    #ଜାକିର ଖାନ
    #clerihew02

    ଜାକିର ଖାନ
    ତାଙ୍କର ଶିଙ୍ଗ ଉପରେ ଦୁଇ କାନ
    ଲେଖନ୍ତି ଗଧ ଉପାଖ୍ୟାନ
    ହସି ହସି ଯାଏ ଜାନ

  6. ପଢିବାକୁ ଭାରି ଭଲ ଲାଗୁଛି l ପୁରା ମଜାଦାର ଷ୍ଟାଇଲ ରେ ଲେଖା ହେଇଛି

  7. ଜାକିର୍ ଖାନ୍ ଙ୍କ ଏଇ କେତେଟା କ୍ଲରିହ୍ଯୁ ପଢ଼ିଲାପରେ ମନେହେଉଛି, ଆଶ୍ଚର୍ଯ୍ୟରେ ଉବୁଟୁବୁ ହେବା ଏବଂ ଆନନ୍ଦରେ ବୁଡିଯିବା, ଖୁବ୍ ସଂଭବତଃ ଏକା ପ୍ରକାରର ଅନୁଭୂତି ।
    ତାଂକଠାରୁ ଆହୁରି ପ୍ରାୟ କୋଟିଏ କ୍ଲରିହ୍ଯୁ ଅପେକ୍ଷାରେ ରହିବି ନିଶ୍ଚେ ।
    ରହିବୁ ବୋଧେ, ଆମେ ସମସ୍ତେ ।।

  8. କ୍ଲରିହ୍ୟୁ ସହ ମୋର ପ୍ରଥମ ପରିଚୟ ଜାକୀର ବାବୁଙ୍କ ଠାରୁ । ବହୁତ ଭଲ ହୋଇଛି ଏ ଲେଖା ଗୁଡିକ ।
    ଶୁଭେଚ୍ଛା ସହ
    ଅଭୟ ଦାଶ

  9. କ୍ଲରିହ୍ୟୁ ବିଷୟ ରେ କଛି ଜାଣି ନ ଥିଲି।ଧନ୍ୟବାଦ ଓ ଆଶୀର୍ବାଦ।

Leave a Reply

Your email address will not be published. Required fields are marked *