ପୌଷ ସଂଜର ସନେଟ୍

ସତ୍ୟ ପଟ୍ଟନାୟକ

ସଂଜର କୁଆଁରୀ ଦେହେ ମାଡ଼ିଆସେ ଜ୍ୟୋତ୍ସ୍ନାର ଜୁଆର
ଆଖିରେ ମହୁଲି ସ୍ବପ୍ନ ମନତଳେ ଫାଲଗୁନୀ ଫୁଆର
ପଞ୍ଚମ ତାନରେ ଗାଏ ବେପରୁଆ ପୁବେଇ ପବନ
ପୌଷର ଶୀତୁଆ ସ୍ପର୍ଶେ ଅଂଗେ ତାର ମିଠା ଶିହରଣ।

ନଈ କୂଳେ କୂଳେ କେତେ ବସିଅଛି କାଶତଣ୍ଡୀ ମେଳା
ସ୍ବପ୍ନିଳ ଏ ସଂଜବେଳ ବରଷଇ ପ୍ରୀତି ଫଲଗୁ ଧାରା
ବାହୁରେ ବାହୁକୁ ଛନ୍ଦି ତାରାମାନେ ଆସନ୍ତି ଓହ୍ଲାଇ
ଜହ୍ନର ରୋଷଣୀ ସାଥେ ବାଦଲଙ୍କ ପଟୁଆର ନେଇ।

ଅସଂଖ୍ୟ ବାଲୁକା ରାଶି ଏକ ଏକ ଦର୍ପଣର ପ୍ରାୟେ
ପ୍ରତିଟି ଦର୍ପଣ ଦେହେ ତୁମ ମୁହଁ ଖାଲି ଦିଶୁଥାଏ
ତୁମର ଅସ୍ତିତ୍ବ ଥିବ ତୁମେ ଯେବେ ପାଖରେ ନଥିବ
ଏମିତି ଏ ପୌଷସଂଜ ଲାଗେ ସତେ କେବେ ନସରିବ।

ନିଶବ୍ଦ ନଦୀର ଧାର ରାତ୍ରୀ ଧିରେ ହୋଇଆସେ ଶେଷ
ଜହ୍ନର ଶିଥିଳ ଦେହ ଆଖିରେ ତା ତନ୍ଦ୍ରା ଓ ଅଳସ।

One thought on “ପୌଷ ସଂଜର ସନେଟ୍

  1. ଜୟ ଜଗନ୍ନାଥ। ଅତି ସୁନ୍ଦର କବିତା।

Leave a Reply

Your email address will not be published. Required fields are marked *