
ଆଫତାବ ହୋସେନ୍
ଆଫତାବ ହୋସେନ୍ ଆଜି ଓଡିଶାରେ ଏକ ସୁପରିଚିତ ନାମ। ଏ ବର୍ଷ ଯେତେବେଳେ ଉଚ୍ଚତମ ନ୍ୟାୟାଳୟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ନାସ୍ତି କରିଦେଲେ ନୟାଗଡ଼ ଜିଲ୍ଲା ଇଟାମାଟି ଅଂଚଳରେ ରହୁଥିବା ଜଗନ୍ନାଥ ମହାପ୍ରଭୁଙ୍କ ଏହି ୨୦ ବର୍ଷ ବୟସ୍କ ମୁସଲିମ୍ ଧର୍ମାବଲମ୍ବୀ ଭକ୍ତ ଆଫତାବ ହୋସେନ୍ ଏହାର ପୁନର୍ବିଚାର ପାଇଁ ଏକ ଯାଚିକା ସହ ସୁପ୍ରିମ୍ କୋର୍ଟ୍ ର ଦ୍ବାରସ୍ଥ ହୋଇଥିଲେ। ପରିଣାମରେ ଶ୍ରୀ ଜଗନ୍ନାଥଙ୍କ ମହିମା ସାକାର ହେଲା ଏବଂ ପୁରୀ ବଡ଼ଦାଣ୍ଡରେ ଗଡିଲା ତିନି ରଥ। ଏ ଦୃଷ୍ଟିରୁ କେହିକେହି ମଧ୍ୟ ଆଫତାବ୍ ଙ୍କୁ ଓଡିଶାର ଦ୍ବିତୀୟ ସାଲବେଗ ଭାବରେ ଅଭିହିତ କରନ୍ତି; ଅବଶ୍ୟ ବିନମ୍ରତା ଗୁଣରେ ଧନୀ ଆଫତାବ୍ ଏହା ସ୍ବୀକାର କରନ୍ତି ନାହିଁ। ପ୍ରତିଦିନ ସେ କାଗଜ କଲମ ଧରି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କିଛି ନା କିଛି ଲେଖନ୍ତି।
ଆସନ୍ତୁ, ପଢିବା ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଆଫତାବ ହୋସେନ୍ ଙ୍କ ଦ୍ଵାରା ରଚିତ ଏହି ଜଣାଣଟି।
ରାସ ରାସେଶ୍ବର ଶ୍ରୀମୁଖ ସୁନ୍ଦର ପଦ୍ମ ପଳାଶ ନୟନ
ସଖା ସଙ୍ଗତରେ ଗୋପୀଙ୍କ ସାଥିରେ ରହି ଯମୁନା ପୂଳିନ
ଅଧରାମୃତରେ ହୃଦୟ ବିପିନେ କରିଲ ବଂଶୀ ବାଦନ
ପ୍ରଭୂ ଜଗନ୍ନାଥ! ସେ ଅପୂର୍ବ ମୂରତି ଦେଖିବ କି ମୋ ନୟନ?

ରମ୍ୟ ବିପିନରେ ରଘୁକୁଳନାଥ କରିଲ ମୁନୀ ଦର୍ଶନ
ସତସଙ୍ଗ କରି ମର୍ଯ୍ୟାଦା ପୁରୁଷ ମୁନୀ ହୃଦେ ନେଲ ସ୍ଥାନ
ସୀତୟା ଲକ୍ଷ୍ମଣ ବେନି ପାର୍ଶ୍ବେ ବିଜେ ପଦେ ବୀର ହନୁମାନ
ପ୍ରଭୁ ଜଗନ୍ନାଥ! ସେ ଅପୂର୍ବ ମୂର୍ତ୍ତି ଦେଖିବ କି ମୋ ନୟନ?

ଭକ୍ତ ଭାବନାରେ ଭକ୍ତ ହୃଦୟରେ ସର୍ବତ୍ର ଦେଲ ଦର୍ଶନ
ରାଜ ପ୍ରାସାଦର ସୁରମ୍ୟ ସ୍ତମ୍ଭରେ ନରସିଂହ ଭଗବାନ
ଦର୍ଶନ ଦେଇଣ ଭକ୍ତ ପ୍ରହ୍ଲାଦରେ କଲ ପ୍ରେମ ଆଲିଙ୍ଗନ
ପ୍ରଭୁ ଜଗନ୍ନାଥ! ସେ ଅପୂର୍ବ ମୂର୍ତ୍ତି ଦେଖିବ କି ମୋ ନୟନ?

ବାମନାବତାରେ ବଳି ଦର୍ପ ହରି ତ୍ରିତାପ ଘେନିଲ ଦାନ
ପର୍ଶୁରାମଙ୍କର ପ୍ରବଳ ପ୍ରତାପେ କ୍ଷତ୍ରିବଂଶ ହେଲା ଶୂନ୍ୟ
ଦଶାବତାରର ସ୍ରଷ୍ଟା ଜଗନ୍ନାଥ ନୀଳାଦ୍ରୀଶ ନାରାୟଣ
ହେବକି ସୁଦୟା ଦର୍ଶନ ମିଳିବ ପଦ୍ମ ପଳାଶ ଲୋଚନ?

Aftaf ji proved the truth, Ekam Sat, Bipra bahudha badanti.
ଆଫତାବ ଆଗକୁ ଏଭଳି ଆହୁରି ଅନେକ ଭକ୍ତିଭାବ ଭରା ସୃଷ୍ଟି କରିଚାଲିଥାନ୍ତୁ। ଶ୍ରୀ ଜଗନ୍ନାଥଙ୍କ କୃପା ବାରି ତାଙ୍କ ଉପରେ ବରଷୁଥାଉ।