
ପଣ୍ଡିତ ଗଣେଶ ମିଶ୍ର
ଉନବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ପଣ୍ଡିତ ଗଣେଶ ମିଶ୍ର ଜଣେ ବୈଷ୍ଣବ କବି ଭାବରେ ଓଡ଼ିଆ , ସଂସ୍କୃତ ,ବଂଗଳା ଓ ବ୍ରଜ ଭାଷାରେ ଅନେକ ଭଜନ କୀର୍ତ୍ତନ ଆଦି ସାହିତ୍ୟ ରଚନା କରିଯାଇଛନ୍ତି। ସେ ବାଇଶି ମୌଜା ନୀଳ ମହଲ ପାଟ ମଧ୍ୟରେ ଥିବା ଶ୍ରୀ ସିଦ୍ଧେସ୍ବର ପୀଠ ସ୍ଥିତ ମା ସିଦ୍ଧ ନାରାୟଣୀଙ୍କ କୃପା ଲାଭ କରି ସିଦ୍ଧି ପ୍ରାପ୍ତ ହୋଇଥିଲେ। ଅନେକ ଦିନ ସୁନ୍ଦରଗଡ (ଗାଂଗପୁର ଷ୍ଟେଟ୍ ) ରାଜ ସଭାରେ ପଣ୍ଡିତ ଥିଲେ। ଜ୍ୟୋତିଷ, ଆୟୁର୍ବେଦ, ଶାସ୍ତ୍ର ପୁରାଣ ଆଦିରେ ତା’ଙ୍କର ଦକ୍ଷତା ଥିଲା। ଶେଷ ଜୀବନରେ ଜଗତସିଂଗପୁର ନିକଟ ଆଳିପିଙ୍ଗଳ ଗ୍ରାମରେ ଗୋଟିଏ ଆଶ୍ରମ କରି ଜନ ସେବା କରୁଥିଲେ।
ପୁରାତନ ଓ ଅବିଦିତ କବିମାନଙ୍କ ଏଭଳି ଲେଖାମାନ ଲୋକଲୋଚନକୁ ଆଣିବା ମାନସରେ ଆମେ ଏହି କବିତା ଟି ଏଠାରେ ପ୍ରକାଶ କରୁଛୁ।

ଉଠ ବାପଧନ ରଂକୁଣୀ ରତନ
ରଜନୀ ହେଲାଣି ଶେଷ (ଘୋଷା )
ଡାକିଲେଣି କାକ କୁକୁଟ ଡାହୁକ
ଉଦେହେଲେଣି ଦିନେଶ – ୧
ଶିବାଳୟେ ଶଂଖ ଶୁଭେ ଘନ ଘନ
ଜାଗି ଉଠିଲେଣି ପୁରବାସୀ ଜନ
ଦେଖିବାକୁ ତୋର ଶ୍ରୀମୁଖ ନଳିନ
ପୂର୍ଣ୍ଣମାସୀ ପରବେଶ -୨
ଦିନଯାକ ବୁଲି ବୁଲି କଣ୍ଟା ବଣେ
ବ୍ୟଥା ପାଉଥିବୁ କୋମଳ ଚରଣେ
ବୁଝାଇଲେ ଯେତେ ନବୁଝି ସନ୍ତତେ
ମୋ ମନରେ ଦେଉ କ୍ଲେଶ -୩
ଜନମ ଦୁଖିନୀ ବାର ବ୍ରତ କରି
କାଳ ଯାକ ପୂଜି ଶଂକର ଗଉରୀ
ବୃଦ୍ଧକାଳେ ତୋତେ ପାଇଛି ମୁଁ ଏତେ
ଦେଇ ଅଛନ୍ତି ମହେଶ -୪
ଚାହିଁ ରହି ଅଛି ଭାଇ କାମପାଳ
ଉଛୁର ହେଉଛି ଗୋ ଦୋହନ କାଳ
ଆସିଲେଣି ଦାମ ସୁଦାମ ସୁବଳ
କି ରଂଗେ ହୋଇ ସୁବେଶ -୫
ଧେନୁ ବତ୍ସାବୃନ୍ଦ ନ ଦେଖିଣ ତୋତେ
ହେମା ରାବ ଛଳେ ଡାକୁଛନ୍ତି କେତେ
ଦାସ ଗଣ ସଂଗେ ଗୋ ଗୋଷ୍ଠକୁ ଆଗେ
ଗଲେଣି ଗୋପ ନରେଶ -୬
ମାତାଙ୍କ ବାତ୍ସଲ୍ୟ ସ୍ନେହ ପୂର୍ଣ ବାଣୀ
ଶ୍ରବଣେ ଶଯ୍ୟାରୁ ଉଠି ବେଣୁ ପାଣି
ସୁବାସିତ ଜଳ ଦାସେ ଦେଲେ ଆଣି
ଧୋଇଲେ ଶ୍ରୀମୁଖ ଦେଶ – ୭
ପ୍ରିୟଜନେ ତୋଷି ପ୍ରେମ ସମ୍ଭାଷଣେ
ଦୋହନ ସାମଗ୍ରୀ ଧରି ଜଣେ ଜଣେ
ଚଳିଲେ ଗୋଷ୍ଠକୁ ସଖାଙ୍କ ଗହଣେ
ସେ ପଛେ ଦୀନ ଗଣେଶ – ୮
Pandit Ganeswar Mishra was a great poet, a saint, a spiritual guru, and a devout vaishnavite. He was a great astrolger, and being an ayurvedic doctor, he served the people of Odisha by freely treating thousands of poor people.