ନଣନ୍ଦ-ଭାଉଜ ଟାହୁଲି

ଡ. ତନୁଶ୍ରୀ ପତ୍ରୀ

ନଣନ୍ଦ :
କଇଁଆ କଇଁଥ କେନ୍ଦୁ
ଖାଇବା ପାଇଁ କି କେତେ ତୁ କାନ୍ଦୁ
ଭାଉଜ ଲୋ
ଭାଇ ପୀରତି କି ନିନ୍ଦୁ ।

ଭାଉଜ :
ଖଜୁରି ଗଛର କୋଳି
ତୋଳିବା ପାଇଁ କି କରୁଛୁ ଅଳି
ନଣନ୍ଦ ମୋ
ଭାଉଜ ସାଙ୍ଗରେ କଳି !

ନଣନ୍ଦ :
ସଜନା ଗଛର ଛୁଇଁ
କେତେ ଦେଖାଉଛୁ ସୁନ୍ଦରୀ ଛଇ
ସୁନ୍ଦରୀ ଛଇ ଲୋ
ପଡ଼ୁନି କି ଭାଇ ଛାଇ !

ଭାଉଜ :
ଡେଙ୍ଗା ତାଳ ଗଛ ଛାଇ
କେତେ ବା ପାରିବ ଖରାକୁ ସହି
ସହୀ ମୋର
ଦେହ ସିନା ପୋଡ଼ି ଯାଇ !

ନଣନ୍ଦ:
ପାହାଡ଼େ ଲାଗିଛି ନିଆଁ
କିଏ ଡୁଙ୍ଗୁଛୁରେ ଯୋଗିନୀଖିଆ
ଯୋଗିନୀ ଖିଆରେ
ଆଗକୁ ଆସୁନୁ କିଆଁ ?

ଭାଉଜ :
ନିମକୁ କଲି ଚନ୍ଦନ
ଦେଖିବା ପାଇଁ କି ଗୋରୀ ବଦନ
ନଣନ୍ଦ ମୋ
ଟୋକାଏ ତ ଛନଛନ ।

ନଣନ୍ଦ :
ମୁଣ୍ଡରେ ବାନ୍ଧିଲି ଠେକା
କିଏ ସେ ଅଛିରେ ମରଦ ଟୋକା
ମାଆର ପୁଅ ସେ
ଆଗକୁ ଆସୁ ମୋ ଏକା !!

ଭାଉଜ :
ଟଙ୍କାରେ ଚାଉଳ କିଲେ
ଭେଣ୍ଡିଆ ଖାଇକି ଦାଣ୍ଡରେ ବୁଲେ
ଦାଣ୍ଡରେ ବୁଲେ ଲୋ
ମରଦ ପଣିଆ ଭୁଲେ !

ନଣନ୍ଦ :
ନଈରେ ଖେଳଇ ଚେଙ୍ଗ
କେତେ ଦେଖଉଛୁ ନହୁଲି ବାଗ
ନହୁଲି ବାଗ ଲୋ
ଭାଇ ଛଡ଼ାଇବ ରଙ୍ଗ !

ଭାଉଜ :
ବିଲେ କରୁଥିଲା ହଳ
ଫେରୁଥିଲା ଘର ସଞ୍ଜର ବେଳ
ଭାଇ ତୋର
କଷୁଥିଲା ଚଷା ବଳ !

ନଣନ୍ଦ :
ପୋଖରୀ ମଝିରେ କଇଁ
ଏଡିକି ନିଲଜୀ ହେଲୁ କିମ୍ପାଇଁ
ଭାଉଜ ଲୋ
ଲାଜ ସରମ ତୋ ନାହିଁ !!

ଭାଉଜ :
ମୁଣ୍ଡରେ ଉଙ୍କୁଣୀ ଵୋଝେ
ନାରୀ ମନ କଥା କିଏ ବା ବୁଝେ
ରାଣୀ ମୋର (ଦିନ ଆସୁ)
ବୁଝିଯିବୁ ତୁ ନିଜେ !

ନଣନ୍ଦ :
ପିଆଶାଳ କାଠ ମଞ୍ଜ
ବୁଝି ପାରୁନି ମୁଁ ତୋ କଥା ଖଞ୍ଜ
ଚାଲ ଯିବା
ହେଇଗଲା ମୁହଁ ସଞ୍ଜ !!

8 thoughts on “ନଣନ୍ଦ-ଭାଉଜ ଟାହୁଲି

  1. ମୋର ଏହି ଛୋଟ ପ୍ରୟାସଟିକୁ ସାହିତ୍ୟ ଚର୍ଚାର ୱେବ ପେଜ ରେ ସ୍ଥାନ ଦେଇଥିବାରୁ ମୁଁ ଆୟୋଜକଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରୁଛି।

  2. Tanushree , ଗାଁ ଗହଳି ର ଗାଉଁଲି ଭାଷା ରେ ନଣନ୍ଦ ଭାଉଜ ଙ୍କ ଟାହୀ ଟାପରା କୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଚ। ବାଃ

  3. ସୁନ୍ଦର,ସହଜ ଓ ସୁଆଦିଆ ମନଛୁଆଁ ଗାଉଁଲି ଗୀତ।

  4. ଲୋକ ଗୀତ ଛଳରେ ଗାଉଁଲି ଭାଷା- ଭାବର ଏକ ନିଆରା ପ୍ରତିଶ୍ରୁତି । ଧନ୍ୟବାଦ।

Leave a Reply

Your email address will not be published. Required fields are marked *