ସେମାନେ

ଡ଼. ଅଭୟ ଦାଶ

ରଘୁନାଥ ମହାପାତ୍ର

ରଘୁନାଥ ମହାପାତ୍ର ପୁରୀର
ମନୋନୀତ ରାଜ୍ୟ ସଭା ମେମ୍ବର
କଥାକହିପାରେ ପଥର ଯେପରି ତାଙ୍କରି ନିହାଣ ମୁନରେ
କୋଣାର୍କ ଗୋଟିଏ ଗଢ଼ିବା ନିଶାରେ ଲାଗିଛନ୍ତି ତନୁମନରେ

ହରେକୃଷ୍ଣ ମହତାବ

ହରେକୃଷ୍ଣ ମହତାବ
ଥିଲେସେ ମହାନୁଭବ
ରାଜନୀତିର ପୁରୁଖା ବିନ୍ଧାଣୀ
ସଭିଙ୍କୁ ପିଆଇ ଦିଅନ୍ତି ପାଣି

କୁଞ୍ଜବିହାରୀ ତ୍ରିପାଠୀ

କୁଞ୍ଜବିହାରୀ ତ୍ରିପାଠୀ
ଜନ୍ମ ସ୍ଥାନ ତାଙ୍କ ବାଙ୍କୀ
ସଂସ୍କୃତ ଓଡ଼ିଆ ଭାଷା ପ୍ରଫେସର ଅଶେଷ ଜ୍ଞାନର ଭଣ୍ଡାର
ଶିଳାଲିପି ପଢ଼ି ଲେଖିଲେ ସନ୍ଦର୍ଭ ବିକାଶ ଓଡ଼ିଆ ଲିପିର

ଗୋପବନ୍ଧୁ ଦାସ

ଥିଲେ ଗୋପବନ୍ଧୁ ଦାସ
ନୀଳାଚଳ ଧାମେ ବାସ
ବଢି ମରୁଡିରେ ପହଞ୍ଚି ଯାଆନ୍ତି ଦୁଆରେ
ଚୁଡାଚାଉଳକୁ ଗଣ୍ଠିଲିରେ ବାନ୍ଧି ସାଙ୍ଗରେ

ସାରଙ୍ଗ ଧର ଦାସ

ବାବୁ ସାରଙ୍ଗଧର ଦାସ
ଢେଙ୍କାନାଳରେ ନିଜ ବାସ
ବିଦେଶରେ ପଢ଼ି ଚିନିକାରଖାନା ଗଢିଲେ ଜନମ ମାଟିରେ
ପ୍ରଜାମଣ୍ଡଳର ପୁରୋଧା ସାଜିଲେ ସମାଜବାଦର ଛାୟାରେ

ଡାକ୍ତର କବି ପ୍ରସାଦ ମିଶ୍ର

କବିବାବୁ ହୃଦରୋଗ ଡାକ୍ତର
ଥିଲେ ଜଗନ୍ନାଥଙ୍କର କିଙ୍କର
ଭଞ୍ଜସାହିତ୍ୟରେ ପ୍ରବଳପ୍ରବକ୍ତା ସେ ଚେନ୍ନାଇରେ ରହୁଥିଲେ
ଜଗନ୍ନାଥ ଙ୍କର ମନ୍ଦିର ଗଢ଼ିଲେ ବାଈଶିପାହାଚ ରଚିଲେ

ଜୟୀ ରାଜଗୁରୁ

ଥିଲେ ଜୟକୃଷ୍ଣ ରାଜଗୁରୁ
ଘର ବୀରହରେକୃଷ୍ଣ ପୁରୁ
ରାଜଗୁରୁପଣେ ରାଜାମୁକୁନ୍ଦଦେବଙ୍କ ଥିଲେସେ ଅବିଭାବକ
ଘୋଡ଼ାଚଢାଠାରୁ ଚଣ୍ଡୀପାଠଯାଏ ପାଇକବିଦ୍ରୋହ ସଞ୍ଚାଳକ

ଲାଲ ବାହାଦୁର ଶାସ୍ତ୍ରୀ

ଶାସ୍ତ୍ରୀ ଲାଲ ବାହାଦୁର
ସତରେ ସେ ବାହାଦୁର
ଭାରତ ମାତାର ସୁଯୋଗ୍ୟ ସନ୍ତାନ ଶାନ୍ତ ସରଳ ସେ ଅନ୍ତରେ
ତାଙ୍କରି କଥାରେ ଛାଡିଥିଲୁ ଆମେ ଖାଦ୍ୟ ସୋମବାର ସନ୍ଧ୍ୟାରେ

ଡା. ପି ତେଜେଶ୍ୱର ରାଓ

ପି ତେଜେଶ୍ୱର ରାଓ ଥିଲେ
ବିଲାତ ରୁ ପଢ଼ି ଆସିଲେ
ପ୍ରଥମ ଅର୍ଥୋପେଡିକ୍ ସର୍ଜନ ଜଣେଥିଲେ ସିଏ ଓଡ଼ିଶାର
ତାଙ୍କ ହାତ ବାଜିଗଲେ ହାଡ଼ ଯୋଡିଯାଏ ହେଉଥିଲା ପ୍ରଚାର

ଡୋନାଲ୍ଡ୍ ଟ୍ରମ୍ପ

ଡୋନାଲ୍ଡ୍ ଟ୍ରମ୍ପ ରାଷ୍ଟ୍ରପତି
ଭାବିନେଲେ ବାପ ସମ୍ପତ୍ତି
ଏତେବଡ଼ଘର ଥାଟବାଟ ସବୁ ଛାଡ଼ିବାକୁ ମନହେଉନି
ଈର୍ଷାପରାୟଣେ ମିଛରେ କହନ୍ତି ଟ୍ରମ୍ପ ଭୋଟରେ ଜିତିନି

ଭୁବନେଶ୍ୱର ବେହେରା

ବାସ୍ତୁବିତ୍ ଭୁବନେଶ୍ୱର ବେହେରା
ସାହିତ୍ୟକୁ ଦେଇଗଲେ ଯଶୋଧାରା
ପ୍ରଶାସକ ପଣେ ଦକ୍ଷତାରେ ଜଣେ ନାହିଁ ସମକକ୍ଷ ତାଙ୍କର
ବାଗ୍ଦେବୀଙ୍କଥିଲେ ବରପୁତ୍ରସିଏ ଲେଖନୀ ସଦାଚଳଚଞ୍ଚଳ

ନବୀନ ବାବୁ

ନବୀନ ବାବୁ ଯେ ଆମର
ମୁଖ୍ୟମନ୍ତ୍ରୀ ଏକ ନମ୍ବର
ପାଞ୍ଚଟି ଟଙ୍କାରେ ଭାତଡାଲମା ନ ମାଗିଲେ ଦେଇ ଦିଅନ୍ତି
ଭୋଟଖଣ୍ଡିଏ ଦେଇଦେଉ ଆମେ ଯେତେବେଳେ ସିଏ ମାଗନ୍ତି

ଉପେନ୍ଦ୍ର ପାହାଡ ସିଂ

ପାହାଡ ସିଂ ଉପେନ୍ଦ୍ର କୁମାର
ପଢ଼ୁଥିଲେ ରେଡ଼ିଓ ଖବର
ଶୁଦ୍ଧ ଓଡ଼ିଆର ଉଚ୍ଚାରଣ ଥିଲା ତାଙ୍କର
ଭୁଲିହୁଏ ନାହିଁ ସେଦିନ ଆଉ ସେ ଖବର

  • କ୍ଲରିହ୍ୟୁ ହେଉଛି ଏକ ଚାରି ଧାଡ଼ିଆ ଖିଆଲି ବା ହାଲୁକା କବିତା ଯାହାକି ସାଧାରଣତଃ ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ର କରି ଲେଖା ଯାଇଥାଏ। ଏଥିରେ କିଛି କୌତୁକ ଓ ବ୍ୟଂଗର ଉପାଦାନ ମଧ୍ୟ ଥାଏ। ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଇଂରାଜୀ ସାହିତ୍ୟରେ ଏହି ଧରଣର କବିତାର ଉଦ୍ଭବ ଘଟାଇଥିଲେ ଏଡ଼ମଣ୍ଡ୍ କ୍ଲରିହ୍ୟୁ ବେଣ୍ଟଲେ।

5 thoughts on “ସେମାନେ”

  1. ଅତି ସୁନ୍ଦର ଲେଖା। ଅଭୟ ବାବୁ ପେଷାରେ ଡାକ୍ତର ହୋଇ ମଧ୍ୟ ଗଳ୍ପ, କବିତା ଓ ନାଟକ ଲେଖିବା ରେ ସିଦ୍ଧହସ୍ତ।
    “ଡାକ୍ତର ଅଭୟ ଦାଶ
    ଓଡ଼ିଶା ଛାଡି ଦିଲ୍ଲୀ ରେ ବାସ।
    ଲେଖନ୍ତି କବିତା, ନାଟକ, ଗପ
    ପୂଜା, ପାଠରେ ସେ ପୁରା ଓସ୍ତାଦ।”

  2. ସାହିତ୍ୟ ଚର୍ଚ୍ଚା ବଢ଼ିଆ କଥା
    ସବୁରି ମନର ହେଉ ଭରସା
    କହୁଥାଉ ନିତି ମାଟିର କଥା

Leave a Reply

Your email address will not be published. Required fields are marked *