ଆ କା ମା ବୈ (ଭୈ?)

ଯେତେବେଳେ ଲିଖିତ ଇତିହାସର ଅଭାବ ଥିଲା, ସେତେବେଳେ ଏହି ଲୋକଗୀତଟି ଉତ୍କଳୀୟ ନୌବାଣିଜ୍ୟର ଗୌରବଗାଥାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିଲା।

ଗୋପାଳକୃଷ୍ଣ ଆଚାର୍ଯ୍ୟ

ଏବେ ବି ଆମର ମନରେ ସନ୍ଦେହ ଅଛି: ଆ କା ମା ବୈ, ନା ଆ କା ମା ଭୈ?
କାହିଁକି ପାନଗୁଆ ଖାଇ…?
ଦୁଇଟାଯାକ ଆଜିକାଲି ପ୍ରଚଳିତ। କିନ୍ତୁ ଆ କା ମା ଭୈ ସର୍ବପ୍ରାଚୀନ ବୋଲି ସାରଳା ମହାଭାରତରୁ ଜଣାଯାଏ।
ଆ କା ମା ଭୈ:
କାର୍ତ୍ତିକ ଓ ଆଷାଢ଼ ମାସରେ ପ୍ରବେଶ ତଥା ପ୍ରସ୍ଥାନ ପର୍ବ ବଣିଜାର ସାଧବଙ୍କର। ସମୁଦ୍ରରେ ଢେଉ, ଝଡ଼ ଓ ବୋମ୍ବାଟିଆ ଦାଉରୁ ମା ମଙ୍ଗଳା ଅଭୟ ପ୍ରଦାନ କରନ୍ତୁ।
“କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୁଧବାର ଯେ ପୂର୍ଣ୍ଣିମୀ
ଆ କା ମା ଭୈ ସ୍ନାହାନ ଦିନ ଗଙ୍ଗାକୁ ଗଲେ କୁନ୍ତଭୋଜ ସ୍ବାମୀ।
ସେହି ଗଙ୍ଗା ସ୍ନାହାନକୁ ଭୀଷ୍ମ ଯେ ଅଇଲେ,
କୁନ୍ତଭୋଜ ରଜା ସଙ୍ଗେ ମଇତ୍ର ହୋଇଲେ।”

(ଆଦିପର୍ବ: କୁନ୍ତୀ ଓ ପାଣ୍ଡୁଙ୍କ ବିବାହ ପ୍ରସଙ୍ଗ,ସାରଳା ଦାସ) ପରବର୍ତ୍ତୀ ପର୍ଯ୍ୟାୟରେ ଏହା ପ୍ରକ୍ଷିପ୍ତ ହୋଇ ଆ କା ମା ବୈ ହୋଇ ଥାଇପାରେ। ଯାହାର ଅର୍ଥ ନିମ୍ନମତେ କରାଯାଇପାରେ।
ଆ କା ମା ବୈ: ଆଷାଢ଼, କାର୍ତ୍ତିକ,ମାଘ ଓ ବୈଶାଖ। ଏସବୁ ପୁଣ୍ୟମାସ। ଆଷାଢ଼ ଛଡ଼ା ବାକି ମାସରେ ଦାଣ୍ଡଦୁଆରକୁ ଚକୁଳିଆ ପଣ୍ଡା ଆସନ୍ତି। ଏମାନଙ୍କର ମଧ୍ୟରେ ମହାକାର୍ତ୍ତିକ ସାର। ଏଣୁ ଏହି ପୂର୍ଣ୍ଣିମାଟି ମହତ୍ତ୍ୱପୂର୍ଣ୍ଣ।
ପୁଣି ସାଧବପୁଅ ଆ-ଆନାମ ବା ଭିଏତନାମ, କା-କାମ୍ବୋଡ଼ିଆ, ମା-ମାଲେସିଆ(ମାଳୟ) ଓ ବୈ-ବୈବସ୍ବାନ ବା ବୋର୍ଣିଓ ଓ ବାଲି ଆଦି ସ୍ଥାନକୁ ବାଣିଜ୍ୟ କରି ଯାଉଥିଲେ।

ଓଡ଼ିଶାର ପାନ ଓ ଗୁଆ କେଉଁଠି ମିଳେନା। ଏଣୁ ସାଙ୍ଗରେ ପାନଗୁଆ ନେଇ ଯାଉଥିଲେ। ଆବଶ୍ୟକ ଶିଳ, ଚକି, ବିରି ଆଦି ମଧ୍ୟ ନେଉଥିଲେ। ଏହାକୁ ଓଡ଼ିଶାର କିଛି ଅଞ୍ଚଳରେ ଆକାମାକା ବୋଲି କୁହନ୍ତି। ଏବେ ପାନଗୁଆ ସହିତ ମାଟିରେ ତିଆରି ଶିଳ, ଚକି ଓ ବିରି ଆଦି ଏହି ନକଲିବୋଇତରେ ପଠା ଯାଉଥିବ ନିଶ୍ଚୟ।
ଯେତେବେଳେ ଲିଖିତ ଇତିହାସର ଅଭାବ ଥିଲା, ସେତେବେଳେ ଏହି ଲୋକଗୀତଟି ଉତ୍କଳୀୟ ନୌବାଣିଜ୍ୟର ଗୌରବଗାଥାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିଲା। ସାଧବବୋହୂ ଓ ପରିବାରବର୍ଗଙ୍କ ବିରହ, ଆଶା ଓ ଆଶୀର୍ବାଦର ଜୀବନ୍ତ ଚିତ୍ର ଏହି ପଦଟିରେ ପ୍ରତିଫଳିତ ହୋଇଛି। ଏହା ପରବର୍ତ୍ତୀ ସମୟରେ ଅନେକ ଆଧୁନିକ ଓଡ଼ିଆ କବି ଓ ଲେଖକଙ୍କୁ (ଯେପରିକି କବିବର ରାଧାନାଥ ରାୟ, ଗୋଦାବରୀଶ ମିଶ୍ର ପ୍ରମୁଖ) ଉତ୍କଳର ଗୌରବମୟ ଅତୀତ ନେଇ ସାହିତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେଇଛି।
“ଆ-କା-ମା-ଭୈ” କେବଳ ଏକ ଧାର୍ମିକ ମନ୍ତ୍ର ନୁହେଁ, ବରଂ ଏହା ଓଡ଼ିଆ ଜାତିର ସାଂସ୍କୃତିକ ଅସ୍ମିତା ଓ ଲୋକସାହିତ୍ୟର ଏକ କାଳଜୟୀ ନିଦର୍ଶନ।
“ପାନ ଗୁଆ ତୋର, ମାସକ ଧରମ ମୋର”—ଏହି ପଂକ୍ତିରେ ଭକ୍ତ ଓ ଭଗବାନ (ବା ପ୍ରକୃତି) ମଧ୍ୟରେ ଏକ ସରଳ, ନିଷ୍କପଟ ଓ ଆତ୍ମୀୟ ସମ୍ପର୍କର ବାର୍ତ୍ତା ରହିଛି।
ଏଇ ପରିପ୍ରେକ୍ଷୀରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସମ୍ମାନ ଜଣାଇ କବିବର ଲେଖିଛନ୍ତି, ‘ଚିଲିକା’ କାବ୍ୟ। ନୀଳ ଜଳରାଶିରେ ଶ୍ୱେତ ପାଲଟଣା ନାଆଗୁଡ଼ିକର ଗତିକୁ କବି ଅତ୍ୟନ୍ତ କାବ୍ୟିକ ଢଙ୍ଗରେ ବର୍ଣ୍ଣନା କରିଛନ୍ତି:
“ଶୁଭ୍ର-ପକ୍ଷ-ଧାରୀ ତରଣୀ-ନିଚୟ
ନୀଳ-ଜଳେ ଭାସେ ଅତି ଶୋଭାମୟ,
ଉଡ଼ଇ ପବନେ ଶ୍ୱେତ-ବସ୍ତ୍ର-ଚୟ,
ମରାଳ-ସମୂହ ପ୍ରାୟେ ପ୍ରତୀୟୟ।”
ନୌକା ପୁଣି ଧର୍ମର ବାହକ।
ଆଦିଗୁରୁ ଶଙ୍କରଙ୍କର ‘ବିବେକଚୂଡ଼ାମଣି’ ବା ସୁଭାଷିତରେ ରହିଛି ଚମତ୍କାର ପଦଟିଏ:
କ୍ଷଣମିହ ସଜ୍ଜନସଙ୍ଗତିରେକା
ଭବତି ଭବାର୍ଣ୍ଣବତରଣେ ନୌକା॥

ଓଁ କାର୍ତ୍ତିକେଶ୍ବରାୟ ନମଃ

40 thoughts on “ଆ କା ମା ବୈ (ଭୈ?)”

  1. ଅତି ସୁନ୍ଦର ଉପସ୍ଥାପନା। ଆ କା ମା ବୈ ର ବିଭିନ୍ନ ମାସ ସହିତ ସମ୍ପର୍କ ଏବଂ ବିଭିନ୍ନ ଦେଶ ସହିତ ସମ୍ପର୍କ ଏକ ଗବେଷଣାତ୍ମକ ଅନୁସନ୍ଧାନ।

  2. ସୁନ୍ଦର ବ୍ୟାଖାନ ।
    Needs non-Indian sources for corroboration

  3. ସଂସ୍କୃତି, ସାହିତ୍ୟ, ଇତିହାସ ପରିପ୍ରେକ୍ଷୀରେ ଉପଯୁକ୍ତ ଉଦାହରଣ ସହ ଆଲୋଚ୍ୟ ପ୍ରସଙ୍ଗଟିରେ ମୌଳିକତା ପରିଲକ୍ଷିତ ହେଉଛି। ସୁନ୍ଦର ଭାବରେ ବୁଝେଇ ଦେଇଥିବାରୁ ଲେଖକଙ୍କୁ ଅଶେଷ ଧନ୍ୟବାଦ ଓ ଅନେକ ଅନେକ ଶୁଭକାମନା 🙏💐

  4. ବହୁତ ସୁନ୍ଦର ତଥ୍ୟ l ଧନ୍ୟବାଦ l ଅହୁରି ଅନେକ ଲୋକକଥା ର ମର୍ମ ଜାଣିବାକୁ ଆଗ୍ରହୀ.

  5. ସେ ସମୟରେ ଯେତେବେଳେ ଆଧୁନିକ ଦିଗସୂଚକ ଯନ୍ତ୍ର (Compass) କିମ୍ବା ପାଣିପାଗ ପୂର୍ବାନୁମାନର ବ୍ୟବସ୍ଥା ନଥିଲା, ସେତେବେଳେ ସମୁଦ୍ରର ଗତି, ସ୍ରୋତ ଏବଂ ପବନର ଦିଗ ବୁଝିବା ଏକ ବିରଳ ଓ ବୈଜ୍ଞାନିକ ଦକ୍ଷତା ଥିଲା । ଏହି ବିଦ୍ଯାରେ କଳିଙ୍ଗର ବଣିକମାନେ ଅଗ୍ରଗଣ୍ଯ ଥିଲେ। ସମୁଦ୍ର ଯାତ୍ରାରେ ପବନର ଦିଗ ବୁଝିବା ଥିଲା ସବୁଠାରୁ ବଡ଼ କଳା । ଉତ୍କଳର ବଣିକ ଓ ନାବିକମାନେ ପ୍ରକୃତିର ଏହି ନିୟମକୁ ବେଶ୍ ଭଲଭାବେ ପରଖି ପାରୁଥିଲେ ।
    ଯିବା ସମୟ:ବର୍ଷା ଋତୁ ସରିବା ପରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ବହିବା ଆରମ୍ଭ କରେ । ଏହି ସମୟରେ (କାର୍ତ୍ତିକ-ମାର୍ଗଶିର) ବଙ୍ଗୋପସାଗରରେ ବଡ଼ ଝଡ଼ତୋଫାନର ଆଶଙ୍କା କମ୍ ରହେ ଏବଂ ପବନର ଗତି ଦକ୍ଷିଣ-ପୂର୍ବ ଏସିଆ (ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି) ଆଡ଼କୁ ଯିବା ପାଇଁ ଅନୁକୂଳ ଥାଏ ।
    ଫେରିବା ସମୟ: ପରବର୍ତ୍ତୀ ଋତୁରେ ପବନର ଦିଗ ପରିବର୍ତ୍ତନ ହେବା ସହିତ ସେହି ଅନୁକୂଳ ବାୟୁକୁ ଭରସା କରି ବଣିକମାନେ ସାମଗ୍ରୀ ଧରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିଲେ ।
    ଏହିପରି ଅଭିଜ୍ଞତା, ଋତୁଜ୍ଞାନ ଏବଂ ସାହସ ବଳରେ ସମୁଦ୍ରକୁ ନିଜ କର୍ମକ୍ଷେତ୍ର କରିପାରିଥିବା ଜାତିକୁ ଇତିହାସ ଉପଯୁକ୍ତ ସ୍ଥାନ ଦେଇନାହିଁ । “ଆ କା ମା ବୈ” ଏବଂ କାର୍ତ୍ତିକ ପୂର୍ଣ୍ଣିମାର ବୋଇତ ବନ୍ଦାଣ ଆଜି ମଧ୍ୟ ସେହି ଗୌରବମୟ ଅତୀତର କାହାଣୀ କହେ ।

  6. ଗୁରୁଜୀ ଆପଣଙ୍କ ଲେଖାଟି ଅତି ଚମତ୍କାର ହୋଇଛି ।

  7. କେତେ ସୁନ୍ଦର ଉପସ୍ଥାପନା, କେତେ ଜ୍ଞାନଗର୍ଭକ, ଅନେକ ଧନ୍ୟବାଦ ଆମ ସଂସ୍କୃତି ର ସୁନ୍ଦର ବିନ୍ୟାସ ପାଇଁ

  8. ସୁନ୍ଦର ଲେଖା ଧର୍ମ ଓ ଇତିହାସର।

  9. କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରାସଙ୍ଗିକ ଆଲେଖ୍ୟଟିଏ। ଗତାନୁଗତିକ ଧାରାକୁ ଅନୁସରଣ କରି ଯନ୍ତ୍ରବତ
    ମଣିଷ ପାଇଁ ଉପାଦେୟ ତଥ୍ୟ।ସୁନ୍ଦର ପ୍ରୟାସ ପାଇଁ କୃତଜ୍ଞତା ସାର୍।

  10. ବହୁତ ବଢିଆ ତଥ୍ୟ ଉପସ୍ଥାପନା ଆଜ୍ଞା, ପୁରୁଣା ପରମ୍ପରା ଧୀରେ ଧୀରେ ଲୁପ୍ତ ହେଉଛି, ଆମ ପର ପିଢ଼ି ଇଂରାଜୀ ମାଧ୍ୟମ ପିଲା, ପୁରା ଭୁଲିଗଲେ, ସବୁ ବେକାର କହି। କିଛି ଞାନୀ ବ୍ୟକ୍ତି ମଧ୍ୟ ଏସବୁକୁ ଫାଲତୁ କଥା, କିଛି ଜଣ ତ ଏସବୁ କିଛି ହେଉନଥିଲା ବୋଲି କହୁଛନ୍ତି, ସେ ଭିତରେ ଆପଣ ଆମମାନଙ୍କ ପାଇଁ ଏପରି ତଥ୍ୟ ପ୍ରଦାନ କରିଥିବାରୁ ଧନ୍ୟବାଦ 🙏🙏

  11. Quite informative and interesting as well. It throws light on our maritime glory.

  12. ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି।👌👌👌

  13. ପ୍ରଣାମ ସାର୍ 🙏 ଅତି ସୁନ୍ଦର ତଥା ରୋଚକପୂର୍ଣ୍ଣ ତଥ୍ୟ 😊

  14. ଗବେଷଣା ଯୁକ୍ତ ଅତି ସୁନ୍ଦର ଉପସ୍ଥାପନା, ଆଶା କରୁଛି ଲେଖା ପଢିବା ପରେ କାର୍ତିକ ପୁର୍ଣିମା ଉପରେ ଥିବା ଆଜିର ଯୁବ ପିଢ଼ି ର ସନ୍ଦେହ ଦୂର ହବ ଓ ପିଲାମାନଙ୍କର ଓଡ଼ିଆ ଅସ୍ମିତା ଉପରେ କିଛି ଜ୍ଞାନ ବି ହବ, ଜୟ କଳା, ଜୟ ସାହିତ୍ୟ l

  15. ଓଡ଼ିଆ ଜାତିର ପରମ୍ପରା ଓ ସାହିତ୍ୟର ସମ୍ମେଳନ ⛵

Leave a Reply

Your email address will not be published. Required fields are marked *