ଆମର ସାହିତ୍ୟ ଓ ପରମ୍ପରା ଆଧାରରେ ଆମ ପାଣି ପବନକୁ ଭିତ୍ତିକରି କବିମାନେ ଆମଭଳି ମଣିଷଙ୍କ କଥା କୁହନ୍ତୁ ବୋଲି ସେ ଚାହୁଁଥିଲେ।

ପୁରୀ ଜିଲ୍ଲା ସ୍କୁଲର ଠିକ ସାମ୍ନାରେ ଥାଏ କ୍ୟାବିନଟି। ସେଇଟା ଥିଲା ସେଣ୍ଟ୍ରାଲ ସ୍କୁଲ ଲାଇବ୍ରେରୀ ଇନ-ଚାର୍ଜଙ୍କ ଅସ୍ଥାୟୀ ଅଫିସ ଗୃହ। ନିଜର ସ୍ଥାୟୀ ସ୍କୁଲ ଗୃହ ନିର୍ମାଣ ପୂର୍ବରୁ ଏଇ ଜିଲ୍ଲା ସ୍କୁଲରେ ହିଁ ସେଣ୍ଟ୍ରାଲ ସ୍କୁଲଟି ଅସ୍ଥାୟୀ ଭାବେ ଚାଲୁଥାଏ। ସେତେବେଳେ ମୁଁ ରେଭେନ୍ସା କଲେଜରେ ବି.ଏ. (ଅନର୍ସ) ପଢୁଥାଏ। କଟକରୁ ଏକ ଟ୍ରେନ ଚଢ଼ି ସକାଳୁ ସକାଳୁ ପୁରୀରେ ପହଂଚି ଯାଇଥାଏ। ଉଦ୍ଦେଶ୍ୟଥିଲା କୁମାର ମହାନ୍ତିଙ୍କୁ ଭେଟି “ଉତ୍ତରାୟଣ’ର କପିଟିଏ ଦେବା। ‘ଉତ୍ତରାୟଣ’ ଥିଲା ଏକ ତ୍ରୟମାସିକ ସାହିତ୍ୟ ପତ୍ରିକା, ଯାହାକୁ ମୁଁ ସମ୍ପାଦନା କରୁଥାଏ।
ଜିଲ୍ଲା ସ୍କୁଲ ସାମ୍ନା କ୍ୟାବିନ ଭିତର ଏକ ଚେୟାରରେ ବସିଥାନ୍ତି କୁମାର ମହାନ୍ତି। ମତେ ଦେଖୁଦେଖୁ ତାଙ୍କ ମୁହଁ ସାରା କେମିତି ଏକ ଖୁସିର ଲହରୀ ଖେଳିଯିବାର ଲକ୍ଷ୍ୟକଲି। ଚେୟାରରୁ ଉଠିପଡ଼ି ମତେ ଆଲିଙ୍ଗନପୂର୍ବକ ତାଙ୍କ ସାମ୍ନାର ଏକ ଚେୟାରରେ ବସିବାକୁ ଇଙ୍ଗିତକଲେ।
“ସକାଳୁସକାଳୁ ଆସିଛୁ ବୋଇଲେ ତୁ କିଛି ଖାଇନଥିବୁ, କ’ଣ ଖାଇବୁ କହ ମଗେଇ ଦେବି”, ମତେ ଲକ୍ଷ୍ୟକରି କହିଲେ କୁମାର ଭାଇ। “ନାଇଁ ଭାଇ, ମୁଁ ପୁରୀରେ ପହଂଚି ଷ୍ଟେସନ ପାଖର ଏକ ଝୋପଡ଼ି ହୋଟେଲରେ ଖାଇସାରିଛି, ଆଉ ଦର୍କାର ନାହିଁ, ଧନ୍ୟବାଦ।” ତଥାପି ପିଅନକୁ ଦି’ କପ ଚା’ ଆଣିବାକୁ ନିର୍ଦ୍ଦେଶ ଦେଲେ କୁମାରଭାଇ।
ଜ୍ୱଳନ୍ତ ଜ୍ୱାଳାମୁଖୀ
ଚା’ ପିଉପିଉ ‘ଉତ୍ତରାୟଣ’ ପତ୍ରିକାଟି ତାଙ୍କୁ ବଢ଼େଇଦେଲି। ସେ ପତ୍ରିକାରେ କୁମାରଭାଇ ଆଗରୁ ଦେଇଥିବା କେତୋଟି ଅନାମ କବିତା ପ୍ରକାଶ କରିଥିଲି। ପତ୍ରିକାଟି ପାଉପାଉ ତାକୁ ଓଲଟାଇବାକୁ ଲାଗିଲେ କୁମାରଭାଇ। ତା’ପରେ କେମିତି ହଠାତ ଗମ୍ଭୀର ହୋଇଉଠିବାର ଲକ୍ଷ୍ୟକଲି, ପୂର୍ବର କେତୋଟି ମୁହୂର୍ତ୍ତରେ ଖୁସି ଯେମିତି ଉଭେଇ ଯାଇଥିଲା। ହଠାତ କ୍ରୋଧ ଓ ବିରକ୍ତିର ଏକ ମିଶ୍ର ସ୍ୱରରେ ଗର୍ଜି ଉଠିଲେ। ତାଙ୍କ ଆଖିକୁ ଚାହିଁଲି, ଯେମିତି ଏକ ଜ୍ୱଳନ୍ତ ଜ୍ୱାଳାମୁଖୀର ଉତ୍ତପ୍ତ ଲାଭା ଖସିଆସୁଛନ୍ତି ତାଙ୍କ ଆଖିରୁ।
“ତୁ ଏ କ’ଣ କରିଛୁ ଭଗବାନ, ନିଜକୁ କ’ଣ ଭାବୁଛୁ?” ତାପରେ ଇଂରାଜୀରେ ବର୍ଷିଲେ, “ୟୁ ଆର୍ ମିଅର୍ଲି ଆନ୍ ଏଡିଟର୍। ଆନ୍ ଏଡିଟର୍ ଇଜ୍ ଜଷ୍ଟ୍ ଏ କମ୍ପାଇଲର୍, ନଥିଙ୍ଗ୍ ମୋର୍ ଦ୍ୟାନ୍ ଦ୍ୟାଟ୍। ମୋ’ ଦେଇଥିବା କବିତାଗୁଡ଼ିକୁ ଚେଞ୍ଜ୍ କରିବାକୁ ତୋତେ କିଏ ପର୍ମିଶନ୍ ଦେଲା?”
ତେବେ ମୁଁ କିଛି ନିଜ ସପକ୍ଷରେ କହିବା ପୂର୍ବରୁ ମୋ’ ସାମ୍ନାରେ ସେ ମୋ’ ପତ୍ରିକାଟିକୁ ଫିଙ୍ଗିଦେଲେ। ମୁଁ ସେଇ ପରିସ୍ଥିତିରେ କ’ଣ କହିବି କ’ଣ କହିବିନି ଭାବିବା ପୂର୍ବରୁ ଆକସ୍ମିକ ଯନ୍ତ୍ରଣାରେ ଭର୍ତ୍ତି ହୃଦୟର ଅନିୟନ୍ତ୍ରିତ କୋହକୁ ଚାପି ତାଙ୍କ କ୍ୟାବିନରୁ ବାହାରି ଆସିଲି। ତାଙ୍କ କ୍ୟାବିନରୁ ଏକ ପ୍ରକାର ଅସହାୟ ଭାବରେ ଆସିଲା ବେଳେ ମତେ ଅଟକେଇବାକୁ ଚେଷ୍ଟା କଲେନି କୁମାରଭାଇ। ଚାଲିଚାଲି ଷ୍ଟେସନରେ ପହଞ୍ଚି କଟକ ଅଭିମୁଖେ ଯାତ୍ରା କରୁଥିବା ଏକ ଟ୍ରେନରେ ଚଢ଼ିଲି।

ବାଟସାରା ଭାବିଲି, ମୋ’ର ଭୁଲ୍ କେଉଁଠି? ମତେ କୁମାରଭାଇ ‘ଉତ୍ତରାୟଣ’ ପାଇଁ ନିଜ କବିତା ସହ ଆଉ ଚାରିଜଣ ‘ଅନାମ’ କବିଙ୍କ କବିତା ଦେଇଥିଲେ। ପ୍ରତ୍ୟେକ କବିତାର ଶୀର୍ଷକ ଜାଗାରେ ଗୋଟିଏଗୋଟିଏ ‘ବିନ୍ଦୁ’ ଥିଲା। ବହୁ ଆଗରୁ ଶୀର୍ଷକହୀନ କବିତାକୁ ନେଇ କୁମାରଭାଇଙ୍କ ଯୁକ୍ତିକୁ ମୁଁ ପସନ୍ଦ କରିନଥିଲି, ଅନେକ ସମୟରେ ଏହା ନେଇ ଆମ ଭିତରେ ଅନେକ ବାଦାନୁବାଦ ଘଟିଥିଲା। କୌଣସି କବିତାର ଶୀର୍ଷକ ବଦଳରେ ବିନ୍ଦୁଟିଏ ରଖିବା ମୋ’ର ପସନ୍ଦ ନଥିଲା। ସେଥିପାଇଁ ‘ବିନ୍ଦୁ’ ଜାଗାରେ ଶୀର୍ଷକ ଯୋଡ଼ିବା ହିଁ ଥିଲା ତାଙ୍କ ବିଚାରରେ ମୋ’ର ଭୁଲ। କୁମାରଭାଇଙ୍କ ଅନାମ ଅଣାକ୍ଷର ଦର୍ଶନ ସହ ନାଁ ନ ଯୋଡ଼ିବାର ପ୍ରାସଙ୍ଗିକତାକୁ ମୁଁ କେବେବି ଗ୍ରହଣ କରିନଥିଲି, ଆଜିବି ନୁହେଁ। ପରବର୍ତ୍ତୀ କାଳରେ ଅନାମ ଏକ ଆନ୍ଦୋଳନର ରୂପ ନେଲାବେଳେ ତାଙ୍କ ସହ ମୋ’ର ଭାବଗତ ପ୍ରଭେଦ ସେଇଭଳି ଅପରିବର୍ତ୍ତିତ ରହିଥିଲା। ସେଇଥିପାଇଁ ବୋଧହୁଏ ମୁଁ ଅନାମ ସହ ରହି ମଧ୍ୟ ରହିନଥିଲି।
ଏ ଘଟଣା ଘଟିବାର ମାତ୍ର ଦୁଇଟି ବର୍ଷ ପୂର୍ବରୁ କୁମାରଭାଇଙ୍କ ସହ ମୋ’ର ପରିଚୟ ହୋଇଥିଲା। ସେଦିନ ଥିଲା ପୁରୀର ଏକ ସୁନ୍ଦର ସନ୍ଧ୍ୟା। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥାଏ। କଲେଜ ସାମ୍ନାର ଏକ ମୁକ୍ତ ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ଏଇ ଉତ୍ସବକୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ସଦାଶିବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତି। ସେଇବର୍ଷ ଅର୍ଥାତ୍ କଲେଜ ଜୀବନର ପ୍ରଥମ ବର୍ଷରେ ହିଁ ମୁଁ କଲେଜର ଲିଟେରାରୀ ଚାମ୍ପିଅନ୍ ହେବାର ସୌଭାଗ୍ୟ ଅର୍ଜନ କରିଥାଏ। ଉତ୍ସବ ଶେଷରେ ଟ୍ରଫି ଓ ସାର୍ଟିଫିକେଟ ସବୁକୁ ଧରି ହଷ୍ଟେଲ ଫେରିଲା ବାଟରେ ମୋତେ କେହି ଜଣେ ପଛରୁ ଡାକିବାର ଶୁଣିଲି। ପଛକୁ ଫେରି ଚାହିଁଲା ବେଳେ ଭଦ୍ରବ୍ୟକ୍ତି ମୋତେ ଅଭିନନ୍ଦନ ଜଣାଇବା ସହ ତାଙ୍କର ପରିଚୟ ଦେଲେ। କହିଲେ, ମୁଁ କୁମାର ମହାନ୍ତି। ମୁଁ ତାଙ୍କୁ ନମସ୍କାର ଜଣେଇଲି। ଅବଶ୍ୟ ଏହା ପୂର୍ବରୁ ମୁଁ ତାଙ୍କୁ କେବେ ଦେଖିନଥିଲି। ସେଦିନ ୫-୧୦ ମିନଟ୍ କଥାବାର୍ତ୍ତା ଭିତରେ ତାଙ୍କ ଘରକୁ ଯିବା ପାଇଁ ନିମନ୍ତ୍ରଣ ଜଣେଇଲେ ଏବଂ ଗଲାବେଳେ କବିତାଟିଏ ନେଇଯିବାକୁ କହିଲେ।
ନବାନ୍ୱେଷୀ ପତ୍ରିକା
ସେତେବେଳେ କୁମାରଭାଇ ‘ନବାନ୍ୱେଷୀ’ ନାମକ ଏକ ପତ୍ରିକା ସମ୍ପାଦନା କରିବାର ପ୍ରସ୍ତୁତିରେ ଥାଆନ୍ତି। ସେଥିରେ ସେ ମୋ’ କବିତାଟିକୁ ପ୍ରକାଶ କରିଥିଲେ। ଅବଶ୍ୟ ସେ ସଂକଳନରେ ସ୍ଥାନିତ ହେଇଥିବା କବିତାର ନାଁ କ’ଣ ଥିଲା ମୋ’ର ମନେନାହିଁ। ତେବେ ମୋ’ର ଯାହା ମନେପଡ଼ୁଛି, ଏ ପତ୍ରିକାରେ ପ୍ରକାଶିତ କବିତାଟି ମୋ’ର କୌଣସି କବିତା ସଂକଳନରେ ପ୍ରକାଶିତ ହୋଇନାହିଁ। ‘ନବାନ୍ୱେଷୀ’ ପରେ କୁମାରଭାଇ କିଛି ନୂଆ ଓ ରୋମାଞ୍ଚକର କରିବା ଚକ୍କରରେ ଏହାର ପରବର୍ତ୍ତୀ ସଂଖ୍ୟା ପ୍ରକାଶ କରିବାକୁ ଠିକ ମନେକରି ନଥିଲେ।
ଏହାର କିଛି ଦିନ ଭିତରେ ପ୍ରକାଶ ପାଇଲା ‘ଅନାମ’ର ପ୍ରଥମ ସଂଖ୍ୟା, ‘ଅନାମ – ୧’। ପୁରୀ ଭଳି ଏକ ବହୁ ପ୍ରାଚୀନ ସଂସ୍କୃତିର ଅବକ୍ଷୟ ବା ଅପସଂସ୍କୃତି ବିଷୟରେ ପାଠକଙ୍କୁ ଅବଗତ କରେଇବାର ନିଷ୍ଠା ବା ଉଦ୍ୟମ ଭିତରୁ ଏହାର ଜନ୍ମ ହୋଇଥିଲା ବୋଲି କୁହାଯାଏ। ପତ୍ରିକାଟିର ଆବିର୍ଭାବଜନିତ ପରିଣତି ଥିଲା ଅତୀବ କରୁଣ ଓ ଭୟଙ୍କର। ପୁରୀର ବିଭିନ୍ନ ସ୍ଥାନରେ ପତ୍ରିକାକୁ ପୋଡ଼ାଯିବା ସହ ଲେଖକଲେଖିକାମାନଙ୍କୁ ଜୀବନରେ ମାରିଦେବାର ଧମକ ବି ଆସିଥିଲା। କୁମାର ମହାନ୍ତିଙ୍କ ନାଁରେ ଥାନାରେ ଏଫ୍.ଆଇ.ଆର୍ ମଧ୍ୟ ଦିଆଯାଇଥିଲା। ପୁରୀ ଭଳି ଏକ ସଂସ୍କୃତିସଂପନ୍ନ ସହରର ସଂସ୍କୃତିର ଅବକ୍ଷୟକୁ ଦେଖେଇବାକୁ ଯାଇ କବିମାନେ ଯେଉଁ ଅପସଂସ୍କୃତିଗତ ଶବ୍ଦ ପ୍ରୟୋଗ କରିଥିଲେ, ତାହାହିଁ ଥିଲା ସେମାନଙ୍କ ପ୍ରତିକ୍ରିୟାର କାରଣ। ତେବେ ସମାଜର ଭୟଙ୍କର ପ୍ରତିକୂଳ ପ୍ରତିକ୍ରିୟା ସତ୍ତ୍ୱେ କୁମାର ମହାନ୍ତି ଡରିଯାଇ ନଥିଲେ କି ଅନାମ ସଂକଳନ ପ୍ରକାଶନ ବନ୍ଦ ହେଇନଥିଲା, ଯଦିଓ ‘ଅନାମ -୨’ରେ ଜଗନ୍ନାଥଙ୍କ ମୈତ୍ରୀ ଚେତନାକୁ ଆବୋରି ନେଇ ଅନାମ ଏକ ବିଶ୍ୱ ଭାତୃତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲା।
ରେଭେନ୍ସାରୁ ବି.ଏ. ପାସ୍କରି ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲି। ଅନାମ ସହ ସମ୍ପର୍କ ଏକ ଦୁଃସ୍ୱପ୍ନ ଭାବି ଭୁଲି ବି ଯାଇଥାଏ। ଦିନେ ହଠାତ କୁମାର ଭାଇଙ୍କଠାରୁ ଚିଠିଟିଏ ପାଇଲି, ପୋଷ୍ଟକାର୍ଡଟିଏ। ଚିଠିଟିରେ ମୋ’ ସହ କୁମାରଭାଇଙ୍କ ସମ୍ପର୍କର ଏକ ଛୋଟ ଆବେଗାତ୍ମକ ବିବରଣୀ ସହ ପଛକୁ ନ ଫେରି ଆଗକୁ ବଢ଼ିବାର ଆଶ୍ଚର୍ଯ୍ୟ ପରାମର୍ଶ ଥିଲା। ଆସନ୍ତା ଲମ୍ବା ଛୁଟିରେ ଓଡ଼ିଶା ଫେରିଲେ ପୁରୀରେ ତାଙ୍କ ସହ କେତୋଟି ଦିନ କଟେଇବାର ଅନୁରୋଧ, ଅନୁରୋଧ ତ ନୁହେଁ ଏକପ୍ରକାର ନିର୍ଦ୍ଦେଶଟିଏ ଥିଲା। ଏଣୁ ଏହାପରେ ଯେତେଥର ପୁରୀ ଯାଇଛି, ତାଙ୍କରି ଘରେ ହିଁ ରହିଛି ଏବଂ ବେଳେବେଳେ ତାଙ୍କରି ଘରେ ହିଁ ମଧୁ ମହାନ୍ତି, ଗୋକୁଳାନନ୍ଦ ମହାନ୍ତି, ରାଜେନ୍ଦ୍ର କିଶୋର ପଣ୍ଡା ଓ ଫନୀ ମହାନ୍ତିଙ୍କ ଭଳି ବହୁ ସାରସ୍ୱତ ସାଧକଙ୍କୁ ଭେଟିବାର ସୁଯୋଗ ପାଇଛି।
ଏହାପରେ ଗ୍ରୀଷ୍ମ ଛୁଟିରେ ଓଡ଼ିଶା ଆସି କୁମାରଭାଇଙ୍କ ଘରକୁ ଗଲି। ତାଙ୍କର ଚମତ୍କାର ଆତିଥ୍ୟରେ କେମିତି ଚାରି/ ପାଞ୍ଚ ଦିନ କଟିଗଲା ମୁଁ ଜାଣିପାରିଲି ନାହିଁ। ଅବଶ୍ୟ ସେଇ ସମୟରେ କୁମାରଭାଇ ଅନାମର ଏକ ରାଜ୍ୟସ୍ତରୀୟ ସାହିତ୍ୟ ସମାବେଶର ଆୟୋଜନ କରୁଥାନ୍ତି ପୁରୀ ଜ଼ିଲ୍ଲା ସ୍କୁଲରେ। ସମାବେଶର ମୁଖ୍ୟ ଫୋକସ୍ ଥାଏ ଅନାମ କବିତା। ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗର ପ୍ରାକ୍ତନ ପ୍ରଫେସର ଲକ୍ଷ୍ମଣ ମହାପାତ୍ର ଅନାମ ଆନ୍ଦୋଳନର ପୃଷ୍ଠଭାଗରେ ଗଣ ଓ ଜନ ଚେତନାର ଗୁରୁତ୍ୱ ଉପରେ ଏକ ଦୀର୍ଘ ବକ୍ତବ୍ୟ ରଖିଥିଲେ। କୁମାରଭାଇ କବିତାକୁ ଗାଁ’ଗାଁ ବୁଲି ଗାଇବା ମାଧ୍ୟମରେ ଓଡ଼ିଆ କବିତାର ପୂର୍ବ ଲୋକପ୍ରିୟତା ଫେରେଇ ଆଣିବାକୁ ଆହ୍ୱାନ ଦେଇଥିଲେ।
ଅନୁଷ୍ଠାନ ନୁହେଁ, ଆନ୍ଦୋଳନ
ସେତେବେଳେ ଅନାମ କେବଳ ଏକ ଅନୁଷ୍ଠାନ ରୂପେ ପରିଗଣିତ ହେଉ ନ ଥିଲା, ଏହା ଏକ ଆନ୍ଦୋଳନର ରୂପ ନେଇସାରିଥିଲା। ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ସହ ମଧୁ ମହାନ୍ତି, ଗୋକୁଳି ମହାନ୍ତି, କବି ହରିହର ମିଶ୍ର ଏବଂ ପରବର୍ତ୍ତୀ କାଳରେ କବି ରାଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ ଏହି ଆନ୍ଦୋଳନ ସହ ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ ଯୋଗ ଦେଇସାରିଥାନ୍ତି। ଏମାନଙ୍କ ବ୍ୟତୀତ ଯେଉଁମାନେ ଅନାମର ପ୍ରାୟ ଅଧିକାଂଶ ସଂଖ୍ୟାରେ ଲେଖୁଥିଲେ ସେମାନଙ୍କ ଭିତରେ ପ୍ରମୁଖ ଥିଲେ ତରୁଣ ତପନ ମହାନ୍ତି, ନିର୍ମଳ ଚନ୍ଦ୍ର ମିଶ୍ର, ଦୀନବନ୍ଧୁ ମିଶ୍ର, ନାରୀକବିମାନଙ୍କ ଭିତରେ ଥିଲେ ସରୋଜିନୀ ପଟ୍ଟନାୟକ, ଚିତ୍ରଲେଖା ରଥ। ତେବେ ଏମାନେ ଅନାମ କବିତା ଲେଖିଲା ବେଳେ ଅନାମର କାବ୍ୟାଦର୍ଶକୁ କେତେଦୂର ବୁଝିଥିଲେ, ତା’ର ଆଲୋଚନା ଦରକାର। ଏଇଠି ଗୋଟିଏ କଥା ମନେ ରଖିବାକୁ ହେବ, କୌଣସି କାବ୍ୟ ଆନ୍ଦୋଳନ କେବଳ ତତ୍ତ୍ୱ ବା ଆଦର୍ଶ ଉପରେ ନିର୍ଭର କରେନାହିଁ, ସେସବୁ ତତ୍ତ୍ୱ ବା ଆଦର୍ଶକୁ ପାଠକଙ୍କ ନିକଟରେ ସହଜ ଶୈଳୀରେ ପରିବେଷଣ କରିବା ପାଇଁ କବିମାନଙ୍କ କାବ୍ୟିକ ପ୍ରତିଭା ଉପରେ ନିର୍ଭର କରିଥାଏ। କିନ୍ତୁ ଅନାମ ସହ ସମ୍ପର୍କିତ କବିମାନଙ୍କ ମଧ୍ୟରୁ ଯେଉଁମାନେ ବେଶି ପ୍ରତିଭାଶୀଳ ଥିଲେ ଏବଂ ଅନାମ ଆଦର୍ଶକୁ ଊଣାଅଧିକେ ବୁଝିଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଏ ଆନ୍ଦୋଳନ ସହ ବେଶି ଦିନ ତତ୍ତ୍ୱଭିତ୍ତିକ ସମ୍ପର୍କ ଯୋଡ଼ିପାରି ନଥିଲେ।
କୁମାର ମହାନ୍ତିଙ୍କ ଦ୍ୱାରା ଆୟୋଜିତ ପ୍ରାୟ ସମସ୍ତ ସାହିତ୍ୟ ଆସରରେ ଆଧୁନିକ କବିତା କେମିତି ତା’ର ମୌଳିକ ସତ୍ତା ହରେଇ କେବଳ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଚାରିକାନ୍ଥ ଭିତରେ ସୀମିତ ହୋଇ ରହିଛି, ତା’ର ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା କରୁଥିଲେ।
ମୁଁ ଯେଉଁଠି ଥାଏ ନାଁ କାହିଁକି କୁମାରଭାଇ ଚିଠି ଲେଖିବାକୁ ଭୁଲୁନଥିଲେ, ୧୫- ୨୦ ଦିନ ବ୍ୟବଧାନରେ ମୋ’ ଚିଠି ପାଆନ୍ତୁ ନ ପାଆନ୍ତୁ, ପୋଷ୍ଟକାର୍ଡ ଚିଠିଟିଏ ଲେଖୁଥିଲେ ନିଶ୍ଚୟ। ପ୍ରତ୍ୟେକ ଚିଠିର ଆରମ୍ଭରେ ସେ “ଆଦରର ଭଗବାନ” ଲେଖି ସମ୍ବୋଧନ କରୁଥିଲେ। କେବେକେବେ ମୁଁ ରହୁଥିବା ଜାଗାକୁ, ସୋର ହେଉକି ଭବାନୀପାଟଣା, ଅଚାନକ ପରିଦର୍ଶନକରି ମତେ ଚମକେଇ ଦେଉଥିଲେ ସେ।
ଏମିତି ଦିନକର ଘଟଣା।
ସେତେବେଳେ ମୁଁ କଳାହାଣ୍ଡିର ଭବାନୀପାଟଣା ସରକାରୀ କଲେଜରେ ଅଧ୍ୟାପନା କରୁଥାଏ। ସେଦିନ ମଧ୍ୟାହ୍ନ ଭୋଜନ ପାଇଁ କଲେଜରୁ ଘରକୁ ଫେରି ଦେଖେ ତ, କୁମାରଭାଇ ମୋ’ ଡ୍ରଇଂ ରୁମ୍ରେ ବସିଛନ୍ତି। “ହାଓ ଷ୍ଟ୍ରେଞ୍ଜ୍!” କେମିତି କେଜାଣି ମୋ’ ପାଟିରୁ ବାହାରି ଆସିଲା। ଉଭୟ ଉଭୟଙ୍କୁ ଦେଖି ଯେଉଁ ଖୁସି ଅନୁଭବ କଲୁ ତାହା ଥିଲା ଅବର୍ଣ୍ଣନୀୟ। ଭବାନୀପାଟଣାର କୌଣସି ଏକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଆମନ୍ତ୍ରିତ ହୋଇ ଆସିଛନ୍ତି ବୋଲି କହିଲେ। ସେଦିନ ସନ୍ଧ୍ୟାର ସାହିତ୍ୟ ସଭାରେ ସେ ସମ୍ମିଳିତ କବିମାନଙ୍କୁ ଯେଉଁ ଆହ୍ୱାନ ଦେଇଥିଲେ ତା’ର ସାରାଂଶ ଥିଲା: ବ୍ୟାକ୍ ଟୁ ଦି ରୁଟ୍ସ୍। ଆମର ସାହିତ୍ୟ ଓ ପରମ୍ପରା ଆଧାରରେ ଆମ ପାଣି ପବନକୁ ଭିତ୍ତିକରି କବିମାନେ ଆମଭଳି ମଣିଷଙ୍କ କଥା କହନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ଆଧୁନିକ ଓଡ଼ିଆ କବିତାର ପଶ୍ଚିମ ଅନୁପ୍ରେରିତ ଦୁର୍ବୋଧ୍ୟତା ଓ ବୌଦ୍ଧିକତାରୁ ମୁକ୍ତ ରହିବା ସହ ଏକ ନିର୍ମଳ ଭାବମୟ ସୃଷ୍ଟିରେ ନିଜକୁ ନିୟୋଜିତ ରଖିବାକୁ ସେ ଯେଉଁ ଆହ୍ୱାନ ଦେଇଥିଲେ। ସେଇ ଆହ୍ୱାନ କବିମାନଙ୍କୁ ବେଶ ଛୁଇଁବାର ଲକ୍ଷ୍ୟକଲି।

ଜୟପୁରରେ କବି ସମ୍ମେଳନ
ଏହାର କିଛି ମାସ ପର, ଅର୍ଥାତ୍ ସେପ୍ଟେମ୍ବର ୨୯, ୧୯୮୧ ଦିନର କଥା।
ଆକାଶବାଣୀ ଜୟପୁରଙ୍କ ଆନୁକୂଲ୍ୟରେ ଏକ ଓଡ଼ିଆ କବି ସମ୍ମେଳନ ଜୟପୁର ସହରର ଟାଉନ୍ ହଲ୍ରେ ଅନୁଷ୍ଠିତ ହେଉଥାଏ। ଏକ ଆମନ୍ତ୍ରିତ କବି ଭାବେ ମୁଁ ସଭାରେ ଯୋଗ ଦେଇଥାଏ। ଆକାଶବାଣୀର ତତ୍କାଳୀନ ନିର୍ଦ୍ଦେଶକ ବୀଣା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତି। କବିତା ପାଠୋତ୍ସବ ସରିଲା ପରେ ପରେ ମୁଁ ବାହାରକୁ ଆସି ଦେଖେ ତ ଟାଉନ ହଲର ବାହାର ଗେଟ୍ ପାଖରେ ଠିଆ ହେଇଛନ୍ତି କୁମାରଭାଇ। ସେତେବେଳେ ସେ କୋରାପୁଟରେ ଡି.ଏସ୍.ପି ଭାବରେ ନିୟୋଜିତ ଥାଆନ୍ତି। ମୋତେ ଦେଖୁଦେଖୁ ଭାବବିହ୍ୱଳ ହୋଇଗଲେ। କହିଲେ, “ମୁଁ ଶୁଣିଲି ତୁ ଆସୁଛୁ, ତତେ କେବଳ ଦେଖିବା ପାଇଁ କୋରାପୁଟରୁ ଆସିଛି। ଚାଲ, କୋରାପୁଟ ଯିବା, ରାତିଟା ସେଇଠି ମୋ’ ଘରେ କଟେଇବା।” ମୁଁ କିନ୍ତୁ ମନାକଲି, ମନାକଲି ଏଇଥିପାଇଁ ଯେ, ମତେ ଜୟପୁରରୁ ବଡ଼ି ଭୋର ବସରେ ଭବାନୀପାଟଣା ଯିବାକୁ ପଡିବ, କାରଣ ମତେ ତା’ ପରଦିନ ରେଭେନ୍ସା କଲେଜରେ ଜଏନ କରିବାକୁ ଥାଏ। ମୁଁ ଭବାନୀପାଟଣା କଲେଜରୁ ରେଭେନ୍ସା କଲେଜକୁ ବଦଳି ହେଇଥାଏ। କୁମାରଭାଇ କହିଲେ, “ନୋ ପ୍ରବ୍ଲେମ୍, ତତେ ମୁଁ ଜୟପୁରରୁ ଯାଉଥିବା ଫାଷ୍ଟ ବସରେ ବସେଇଦେବି।” ତା’ପରେ ଆମେ ଦୁହେଁ ତାଙ୍କ ଜିପରେ କୋରାପୁଟ ଅଭିମୁଖେ ବାହାରିଲୁ।
ସେଦିନ ବିଳମ୍ବିତ ନୈଶ ଭୋଜନ ସରିଲା ପରେ କୁମାରଭାଇ ମତେ ଜଗନ୍ନାଥ ମନ୍ଦିର ନେଇଗଲେ। ସେଇଠି ପହଞ୍ଚିଲା ବେଳକୁ ରାତି ୧୨ ଅତିକ୍ରମ କରିସାରିଥାଏ। ଅଳ୍ପଅଳ୍ପ ଜହ୍ନ କିରଣରେ ମନ୍ଦିର ପ୍ରାଙ୍ଗଣ ରହସ୍ୟାତ୍ମକ ଭାବେ ନିରବ, ନିଃଶବ୍ଦ ମନେ ହେଉଥାଏ। କୁମାରଭାଇ କହିବା ଆରମ୍ଭ କଲେ। ତାଙ୍କ ବକ୍ତବ୍ୟରେ ସେ ଆଧୁନିକ ୟୁରୋପୀୟ ସାହିତ୍ୟିକ ବିଶେଷ ଭାବେ ଟି.ଏସ. ଏଲିଅଟ୍ ଓ ତାଙ୍କର କିଛି ସମସାମୟିକ କବି ଯଥା: ପଲ୍ ଭାଲେରୀ, ବଦଲେୟର, କବାସି ମୋଦୋ, ତଥା ସେଫାରିସ୍ ଓ ନିରୁଦା କିପରି ଖାଲି ଓଡ଼ିଆ କବିଙ୍କୁ କାହିଁକି, ସାରା ପୃଥିବୀର କବିମାନଙ୍କ କାବ୍ୟିକ ଚେତନାକୁ ସଂକ୍ରମିତକରି ଆମ ଓଡ଼ିଶା କାହିଁକି, ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ କିପରି ଧ୍ୱଂସ କରିଦେଇଛନ୍ତି ତା’ର ଏକ ବିସ୍ତୃତ ବିବରଣୀ ଦେଲେ।
ଜଣ ଓ ଗଣ
ଏହି କ୍ରମରେ ସେ ସଚ୍ଚି ରାଉତରାୟ, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ସୌଭାଗ୍ୟ ମିଶ୍ରଙ୍କ ପର୍ଯ୍ୟନ୍ତ ସମସ୍ତ କବିଙ୍କୁ ସେ କବି ଭାବେ ଗ୍ରହଣ କରୁନଥିଲେ। ମୋ’ ସହ ଆଲୋଚନା ବେଳେ ସେମାନଙ୍କୁ କବି ନ କହି ପୋଏଟ୍ରୀ-ମେକର୍ସ୍ ବୋଲି କହୁଥିଲେ। ନିଜର ଜାତି ଓ ସଂସ୍କୃତିକୁ ଭୁଲି ଯଦି କୌଣସି କବି ସର୍ଜନଶୀଳ ହୁଏ ତା’ହେଲେ ସେ ଜାତି ଏମାନଙ୍କୁ କେବେହେଲେ କ୍ଷମା କରିବ ନାହିଁ, ଏହାଥିଲା ତାଙ୍କର ସତର୍କ ବାଣୀ। ସେଥିପାଇଁ କବିତାକୁ ଲୋକାଭିମୁଖୀ କରି ଏହାକୁ “ଜଣ’ ଓ “ଗଣ’ମାନଙ୍କ ଭିତରେ ସ୍ଥାପନ କରି ଓଡ଼ିଆ ଅସ୍ମିତା ଆଧାରରେ ଏହାର ବହୁଳ ପ୍ରସାର କରିବାକୁ ସବୁବେଳେ ଆହ୍ୱାନ ଦେଉଥିଲେ କୁମାର ମହାନ୍ତି। ଏପରିକି କବିତାର ପଦ ଲାଳିତ୍ୟ ରକ୍ଷାକରି ନିଜର କବିତାକୁ କେଉଁଭଳି ଭାବେ ଗାଇ ପାଠକଙ୍କ ହୃଦୟକୁ ଛୁଇଁ ହେବ ସେଥିପାଇଁ ସେ ଅନେକ ପ୍ରୟାସ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଆରୋପିତ ଜରୁରୀକାଳୀନ ପରିସ୍ଥିତିରେ “ଜଗତି ଉପରେ ବସିଛି ହନୁ/ ଦେଖୁଚି ସାରା ଟାଉନ” ଭଳି କବିତା ଲେଖି ଜରୁରୀକାଳୀନ ବ୍ୟବସ୍ଥାକୁ କଟାକ୍ଷ କରିଥିଲେ କୁମାରଭାଇ। ଅବଶ୍ୟ ଏହି କ୍ରମରେ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଏକ ବହୁ ଚର୍ଚ୍ଚିତ କବିତା “ଅନାମ ଦାସ୍…ଅଧମ ଦାସ୍…ପହିଲା ଗୁଳି ମତେ ମାର୍…” ସ୍ମରଣୀୟ।
ଏମିତି ଆଲୋଚନା ଭିତରେ କୁମାରଭାଇଙ୍କ ସହ ତାଙ୍କ ସରକାରୀ ବଙ୍ଗଳାରେ ପହଞ୍ଚିଗଲୁ। ସକାଳ ହେବା ଉପରେ। ଗେଟ ବାହାରେ ପୁଲିସ ଡ୍ରାଇଭର ରେଡି ଅଛି। କପେ ଚା’ ପିଇ କୁମାର ଭାଇଙ୍କଠାରୁ ବିଦାୟ ନେଇ ଗାଡ଼ିରେ ବସିଲି।
ଅବକ୍ଷୟର କାରଣ
ଆଧୁନିକ କବିତାର ଐତିହାସିକମାନେ ଆଧୁନିକ କବିତାର ଇତିହାସ ଲେଖିଲା ବେଳେ ପ୍ରାୟତଃ ଅନାମ କାବ୍ୟ ଆନ୍ଦୋଳନର ଅବଦାନ ବିଷୟରେ ପର୍ଯ୍ୟାପ୍ତ ଆଲୋଚନା କରିନଥାନ୍ତି। ଏହା ସତ୍ୟ, ପୃଥିବୀର ସମସ୍ତ ସାହିତ୍ୟିକ ଆନ୍ଦୋଳନ ସମୟାନ୍ତରରେ ଅବକ୍ଷୟ ଓ ପତନର ସମ୍ମୁଖୀନ ହୋଇଥାଏ। ସେହିପରି ଅନାମ ଆନ୍ଦୋଳନର ପ୍ରାରମ୍ଭରୁ ମାତ୍ର କେତୋଟି ଦଶକ ମଧରେ ଏହାର ଅବକ୍ଷୟ ଓ ଶେଷଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାର ଅନେକ କାରଣ ଭିତରୁ କେତୋଟି ପ୍ରମୁଖ କାରଣ ଥିଲା:
ପ୍ରଥମ, ଅନାମ ବିଶେଷାଙ୍କରେ ବହୁଳ ଭାବେ ପ୍ରକାଶିତ କବି ଯଥା ଦୀନବନ୍ଧୁ ମିଶ୍ର, ତରୁଣ ତପନ ମହାନ୍ତି, ସରୋଜିନୀ ପଟନାୟକ ଓ ଚିତ୍ରଲେଖା ରଥ ଇତ୍ୟାଦି ଆନ୍ଦୋଳନକୁ ବୋହିନେବାରେ ଏତେ ବେଶି ସମର୍ଥ ନଥିଲେ।
ଦ୍ୱିତୀୟ, ଯେଉଁ ଅଳ୍ପକେତେକ ପ୍ରମୁଖ କବି ଯଥା ରାଜେନ୍ଦ୍ର କିଶୋର ପଣ୍ଡା, ହରିହର ମିଶ୍ର କିମ୍ବା ଫନୀ ମହାନ୍ତି ଏହି ଆନ୍ଦୋଳନ ସହ ସ୍ୱଳ୍ପ କାଳ ପାଇଁ ସାମିଲ ହୋଇଥିଲେ, ସେମାନଙ୍କ ଭିତରେ କେବଳ ହରିହର ମିଶ୍ରଙ୍କ ବ୍ୟତୀତ ଅନ୍ୟମାନେ ଏତେ ବେଶୀ ଦିନ ତାଙ୍କର ଆନୁଗତ୍ୟ ଜାହିର କରିପାରିନଥିଲେ।
ତୃତୀୟ, କୁମାର ମହାନ୍ତିଙ୍କ ଅସୁସ୍ଥତା ଓ ଅଳ୍ପ ବୟସରେ ମୃତ୍ୟୁ ଆନ୍ଦୋଳନକୁ ସକ୍ରିୟ ରଖିବାରେ ସହାୟକ ହୋଇ ପାରିନଥିଲା।
ଚତୁର୍ଥ ଏବଂ ଶେଷରେ, କୁମାର ମହାନ୍ତିଙ୍କ ପରେ ଏତେ ବିଶାଳ ଆନ୍ଦୋଳନକୁ ନେତୃତ୍ୱ ଦେବାରେ ପ୍ରକୃତ ପ୍ରତିଭାର ଅନୁପସ୍ଥିତି।
ଇତିମଧ୍ୟରେ ଅନେକ ବର୍ଷ ବିତି ଯାଇଛି। ସମୟ ଆସିଛି, ଅନାମ କବି ଓ କବିତାର ପର୍ଯ୍ୟାପ୍ତ ଆଲୋଚନା କରାଯାଉ, ଓଡ଼ିଆ କବିତାର ଇତିହାସ ଓ ପରମ୍ପରା ଆଧାରରେ ତା’ର ପ୍ରକୃତ ସ୍ଥାନ ନିରୂପଣ କରାଯାଉ ଏବଂ ଓଡ଼ିଆଙ୍କ ଅସ୍ମିତାର ପୁନରୁଦ୍ଧାର କରିବାରେ କୁମାର ମହାନ୍ତିଙ୍କ ସାହିତ୍ୟିକ ଓ ସାଂସ୍କୃତିକ ସହଯୋଗ ଓ ଅବଦାନ ଉପରେ ଗବେଷଣା କରି ତାଙ୍କର ସାହିତ୍ୟିକ କୃତିର ପ୍ରକୃତ ମୂଲ୍ୟାଙ୍କନ କରାଯାଉ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)