ଖବରଭକ୍ଷୀ

ନିଜର ସ୍ବାର୍ଥ ସାଧନ ସକାଶେ / ଯାହା ବି ଦିଅଂତି ଲେଖି / ତାହା ପଢ଼ି କେବେ କୌଣସି ପାଠକ / ସତ୍ୟ ପାରେନାହିଁ ଦେଖି

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ବିଜ୍ଞାପନ-ପୁଷ୍ଟ ଖବର ବେପାରୀ
କହଂତି ଯାହା ସଂବାଦ
ଅନ୍ୟ କିଛି ନୁହେ, ତାହା ତ ତୁଚ୍ଛ
ବିବାଦ ଓ ପ୍ରତିବାଦ

ଅଳପ ମୂଲ୍ୟରେ ନିତି ବିତରିତ
ହୁଏ ଖବର କାଗଜ
ସେହି କାଗଜର ନିର୍ମାତାଗଣ
ଖାଆଂତି ଆମ ମଗଜ

ନିଜର ସ୍ବାର୍ଥ ସାଧନ ସକାଶେ
ଯାହା ବି ଦିଅଂତି ଲେଖି
ତାହା ପଢ଼ି କେବେ କୌଣସି ପାଠକ
ସତ୍ୟ ପାରେନାହିଁ ଦେଖି

କେବଳ ମୁଦ୍ରିତ ପୃଷ୍ଠାରେ ଜଣେ
ବୁଲାଇଦେଇ ତା ଆଖି
ନୁହେ ସଂଭବ ହୋଇପାରିବ ସେ
ନିଜ ସମୟର ସାକ୍ଷୀ
ନିଜ ସଂସ୍କୃତିର ରକ୍ଷୀ

ଖୁବ୍‌ ବେଶି ହେଲେ ନିତିଦିନ ହୁଏ
ଅଯଥା ଖବରଭକ୍ଷୀ
ଏତେ ବାଜେ କଥା ମଥାରେ ପୂରାଇ
ହୁଏନାହିଁ କେହି ସୁଖୀ

ବୃଥା ବିଚଳନ ସୃଷ୍ଟିକାରୀଂକୁ
କହୁଛୁଁ ଚତୁର୍ଥ ସ୍ତଂଭ
ତେଣୁ ତ ଦେଶର ନାଗରିକଗଣ
ହରାଇଲେ ସବୁ ଦଂଭ

ଅଧ ଘଂଟା ପରେ ଯେଉଁ କାଗଜଟି
ହୋଇଯାଇଥାଏ ବାସି
ତହିଁର ଗୁରୁତ୍ବ ନ ଥିଲେ ବି ଲୋକେ
ପାରୁଛଂତି ପେଟ ପୋଷି
ତେଣୁ ହେଉଁ ସର୍ବେ ଖୁସି

ଉତ୍ତମ କାମ ହୁଏ ଅବିରାମ
ସେଆଡ଼େ ନ ଦେଲେ ଦୃଷ୍ଟି
ମଣିଷର ମନ ହୁଏ ଅପ୍ରସନ୍ନ
ଭୋଗୁଥାଏ ଅପପୁଷ୍ଟି

‘ଦୁଃ’ ଭରା ଏହି ଦେଶ ହୋଇଛି
ବୋଲି ଲେଖି ବାରଂବାର
ଗଣମାଧ୍ୟମ କରି ଚାଲିଥାଏ
ଅଯଥା ମିଛ ପ୍ରଚାର

ଦୁର୍ନୀତି, ଦୁଷ୍କର୍ମ, ଦୁର୍ଘଟନା ଛଡ଼ା
ସତେ କିଛି ଘଟୁନାହିଁ ?
ଏପରି ପ୍ରଶ୍ନ ସଂବାଦଦାତାଂକୁ
କେବେ ପଚାରିବ ଯାଇ ?

ଏବର ପାଠକ, ଦର୍ଶକ ଓ ଶ୍ରୋତା
ଏମାନଂକ ପାଲେ ପଡ଼ି
ସ୍ବାଧୀନ ଚିଂତା କରିବା ଅଭ୍ୟାସ
ଏବେ ତ ଦେଲେଣି ଛାଡ଼ି

ଏତେ ବଶଂବଦ ହୋଇଥାଇ କେହି
ସତେ କି ପାରିଛି ବଢ଼ି ?
ଅଭ୍ୟାସର ଦାସ ହୋଇଲେ ମଣିଷ
ମିଛ ସହ ହୁଏ ଯୋଡ଼ି

ପ୍ରଚାରସର୍ବସ୍ବ ହୋଇଲେ ବିକାଶ
ହୁଏ କଥାର ପ୍ରସଂଗ
କାହାର ବି କିଛି ଯାଏଆସେନାହିଁ
ହୋଇଲେ ବିଶ୍ବାସଭଂଗ

Leave a Reply

Your email address will not be published. Required fields are marked *