ଦିଙ୍ମୂଢ଼ *

ସାହିତ୍ୟ ହେଉଛି ଏକ ଜାତିର ସ୍ମୃତି, ସ୍ୱପ୍ନ, ସଂଘର୍ଷ ଓ ଚେତନାର ଦର୍ପଣ।

ଦିଗହରା ସାହିତ୍ୟରୁ ଦିଗଦର୍ଶୀ ସାହିତ୍ୟ ଆଡ଼କୁ ସାହିତ୍ୟପ୍ରେମୀଙ୍କୁ ଆବାହନ କଲାବେଳେ, ଦୁଇପଦ ମନେପଡ଼େ;
‘ଅଇଲେଣି ବଡ଼ ଘରଣୀ; ତାଙ୍କୁ ଦିଅ ପୀଢ଼ା ପାଣି।
ଅଇଲାଣି ଦୁଃଖୀ ରାଣ୍ଡୀ; ତାକୁ ଦିଅ ଅରଟଖଣ୍ଡି।।’

ଶାରଦୀୟ ମହୋତ୍ସବର ସ୍ୱାଗତ ବେଳ ଇଏ। ଏଣୁ ଦିଙ୍ମୂଢ଼ ସେଇ ସାହିତ୍ୟକାରଙ୍କୁ ମନେ ପକାଇଦେବାର ବେଳ ଇଏ ଯେ ଆମେ କିଏ, କେଉଁଠୁ ଆସିଛୁ, ଆମର ମାଟି କେମିତି କଥା କହେ, ଆମର ପୂର୍ବପୁରୁଷ କେଉଁ ସ୍ୱପ୍ନ ଦେଖିଥିଲେ; ଏ ସବୁର ଉତ୍ତର ଆମ ଭାଷାର ଭିତରେ ହିଁ ଲୁଚିରହିଛି। ଭାଷା ଆମର ଜୀବନରେଖା, ଆମ ସଂସ୍କୃତିର ଧ୍ରୁବତାରା ଏବଂ ଆମ ଐତିହ୍ୟର ଜୀବନ୍ତ ମାଦଳାପାଞ୍ଜି। ସାହିତ୍ୟ ହେଉଛି ଏକ ଜାତିର ସ୍ମୃତି, ସ୍ୱପ୍ନ, ସଂଘର୍ଷ ଓ ଚେତନାର ଦର୍ପଣ। ସାହିତ୍ୟିକ ସେହି ଦର୍ପଣକୁ ନିର୍ମଳ ରଖିବାର ଦାୟିତ୍ୱ ନେଇଥାଏ। ତାଙ୍କର ଚିନ୍ତା, ମେଧା ଓ ସୃଜନଶୀଳତା ଏକ ରଥର ସାରଥୀ ଭଳି ସମାଜକୁ ଆଗକୁ ନେଇଯାଏ।
ଆମର ପୂର୍ବଜ ସାହିତ୍ୟିକମାନେ ସେହି ଦାୟିତ୍ୱକୁ ଗଭୀରତାର ସହ ନିର୍ବାହ କରିଥିଲେ। ସେମାନେ ଏମିତି କାଳଜୟୀ କୃତି ଛାଡ଼ି ଯାଇଛନ୍ତି, ଯାହା କେବଳ ଏକ ପିଢ଼ି ପାଇଁ ନୁହେଁ, ପରବର୍ତ୍ତୀ ଅନେକ ପିଢ଼ି ପାଇଁ ମଧ୍ୟ ଆଦର୍ଶ ଓ ଦିଗଦର୍ଶକ ହୋଇ ରହିଛି।
କିନ୍ତୁ ଆଜି ଆମେ ନିଜକୁ ଏକ ପ୍ରଶ୍ନ ପଚାରିବାର ସମୟ ଆସିଛି; ଆମର ଆଗାମୀ ପିଢ଼ି ପାଇଁ ଆମେ କ’ଣ ଛାଡ଼ିଯାଉଛୁ? ଆମେ କେଉଁ ଦିଗରେ ଯାଉଛୁ?
ଆଜିର ପିଢ଼ି ଅନେକ ସମୟରେ ନିଜ ସାଂସ୍କୃତିକ ଦିଗ ନେଇ ବିଭ୍ରାନ୍ତ। ଆଗକୁ ଦିଶୁଥିବା ଦଶଗୋଟି ଦିଗରୁ କେଉଁଟି ଆମର ଗନ୍ତବ୍ୟ, ତାହା ନୁହେଁ; ବରଂ ଆମର ନିଜ ସାଂସ୍କୃତିକ ଦିଗ କ’ଣ, ଆମର ସାହିତ୍ୟ କେଉଁ ପଥରେ ଯିବା ଉଚିତ, ସେହି ପ୍ରଶ୍ନରେ ଆମେ ଏବେ ବିଭ୍ରାନ୍ତ। ଆଜି ଆମ ପାଖରେ ପୁସ୍ତକ ଅଛି, ପ୍ରକାଶନ ଅଛି, ପୁସ୍ତକମେଳା ଅଛି, ପ୍ରଦର୍ଶନୀ ଅଛି, ଡିଜିଟାଲ ମୁଦ୍ରଣର ସୁବିଧା ଅଛି। କିନ୍ତୁ ଏସବୁ ଥାଇ କ’ଣ ଆମର ସାହିତ୍ୟ ସମୃଦ୍ଧ ହୋଇପାରିଛି?
ପୁସ୍ତକ ଛପାହେବା ଓ କାଳଜୟୀ ସାହିତ୍ୟ ସୃଷ୍ଟି ହେବା, ଏ ଦୁଇଟି ଏକା କଥା ନୁହେଁ।
କେବଳ ଦଶଟି ପୁସ୍ତକ ଛପାଇ ଦେଲେ ତାହା ବିଶ୍ୱପାଠକ ପର୍ଯ୍ୟନ୍ତ ପହଞ୍ଚିଯାଏ ନାହିଁ। କେତେକ ପୁସ୍ତକ ବଡ଼ବଡ଼ ପ୍ରଦର୍ଶନୀରେ ସ୍ଥାନ ପାଇପାରେ; କିନ୍ତୁ ପ୍ରଦର୍ଶନୀର ଆଲୋକ ଓ ଓଡ଼ିଆ ସାହିତ୍ୟର ଦୀର୍ଘଜୀବନ ଏକା କଥା ନୁହେଁ।
ସାହିତ୍ୟର ଆଦର୍ଶ ପରୀକ୍ଷା ହେଉଛି, ପାଠକ ତାହାକୁ ପଢ଼ିବାକୁ ଚାହେଁ କି? ପରବର୍ତ୍ତୀ ପିଢ଼ି ତାହାକୁ ମନେରଖିବ କି? ସମୟ ତାହାକୁ ଯୁଗ ଯୁଗ ଧରି ଆଦରିନେବ କି?
ଶାରଦୀୟ ଋତୁ ଆଗମନୀରେ, ମା’ଙ୍କ ଚରଣ ତଳେ ଏକ ପ୍ରାର୍ଥନା:
ହେ ମା! ଆମ ସାହିତ୍ୟିକମାନଙ୍କୁ ସୃଜନର ଶକ୍ତି ଦିଅ; ପ୍ରକାଶକମାନଙ୍କୁ ଦୂରଦୃଷ୍ଟି ଦିଅ; ସମୀକ୍ଷକମାନଙ୍କୁ ନିର୍ଭୀକ ଓ ନିର୍ମୋହ ବିବେକ ଦିଅ; ପାଠକମାନଙ୍କୁ ଭଲ ଓ ମନ୍ଦ ସାହିତ୍ୟ ମଧ୍ୟରେ ପାର୍ଥକ୍ୟ କରିବାର ବୁଦ୍ଧି ଦିଅ; ଶିଶୁମାନଙ୍କ ହାତରେ ଏମିତି ପୁସ୍ତକ ଦିଅ, ଯାହା ସେମାନଙ୍କ କଳ୍ପନାକୁ ଆକାଶ ଦେବ ଏବଂ ଆମ ଓଡ଼ିଆ ଭାଷାକୁ ଏମିତି ସ୍ରଷ୍ଟା ଦିଅ, ଯେଉଁମାନେ କେବଳ ଆଜି ପାଇଁ ନୁହେଁ, ଆଗାମୀ ଶତାବ୍ଦୀ ପାଇଁ ଲେଖିବେ ତଥା ଓଡ଼ିଆ ସାହିତ୍ୟର ନୂଆ ଦିଗ ଖୋଜିବାର ଏକ ସଙ୍କଳ୍ପ ନେବେ।

-ପ୍ର.ଭୂ

* ଦିଙ୍ମୂଢ଼– ଦିଗ ସମ୍ବନ୍ଧରେ ବିଭ୍ରାନ୍ତ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୬ ସଂଖ୍ୟାରେ ପ୍ରକାଶିତ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ।)

Leave a Reply

Your email address will not be published. Required fields are marked *