ମାତୃ ରୂପେଣ ସଂସ୍ଥିତା

ଶାରଦୀୟ ପାର୍ବଣ ଋତୁରେ ଦେବୀ ଆବାହନର ପ୍ରଥାକୁ ଏକ ଭାବମୟ ରୂପଦେବାକୁ ଯାଇ ଆମ ପତ୍ରିକାର ଚଳିତ ସଂଖ୍ୟାର ମଲାଟରେ ବିଶିଷ୍ଟ ଶିଳ୍ପୀ ବଳଦେବ ମହାରଥା ଦୁର୍ଗାଙ୍କର ମାତୃରୂପକୁ ଏକ ଅଭିନବ ଉଚ୍ଚତାକୁ ନେଇଯାଇଛନ୍ତି। କେବଳ ମହାମାୟାଙ୍କର ପ୍ରତିମାରେ ହିଁ ନୁହେଁ, ଏ ଯୁଗର ଜଣେ ନାରୀ ବା ମାଆଠାରେ ମଧ୍ୟ ଯେ ପ୍ରତ୍ୟକ୍ଷ କରାଯାଇପାରେ ଦୁର୍ଗାଙ୍କ ଅନୁରୂପ ଲକ୍ଷଣମାନ, ତାହା ପ୍ରାଞ୍ଜଳ ହୋଇଉଠିଛି ଏହି ଚିତ୍ରରେ। ଆସୁରିକ ଶକ୍ତିର ବିନାଶ ପାଇଁ ଯୁଦ୍ଧରେ ଲିପ୍ତ ଥିବା ଦେବୀଙ୍କ ସହିତ ମଧ୍ୟ ଥାଏ ଗୋଟିଏ ମହାପ୍ରତାପୀ ସିଂହ। ସେହି ସିଂହତ୍ୱର ଏକ ସମାନ୍ତରାଳ ପ୍ରତୀକ ଭାବରେ ଶିଳ୍ପୀଙ୍କ ଦ୍ୱାରା ଏଠାରେ ଚିତ୍ରିତ ହୋଇଥିବା ଜଣେ ମାନବଦେହଧାରିଣୀ ମାଆଙ୍କର ମୁହଁରେ ମଧ୍ୟ ହିଂସ୍ର ବଣ୍ୟପଶୁର ଚର୍ମ ତୁଲ୍ୟ ପଟାଳିଆ ଚିହ୍ନ ଆମେ ଦେଖିବାକୁ ପାଉଁ। ଏହା ଇଙ୍ଗିତ କରେ ଯେ ପ୍ରତ୍ୟେକ ନାରୀ ମଧ୍ୟରେ ମାତୃସୁଲଭ ଗୁଣ ତ ଥାଏ ନିଶ୍ଚୟ; କିନ୍ତୁ ତା’ ସହିତ ବହୁବିଧ ଅନ୍ୟାୟ ଓ ଅତ୍ୟାଚାରର ମୁକାବିଲା କରିବା ପାଇଁ ମହାଶକ୍ତିମୟୀ ଦୁର୍ଗାଙ୍କ ଭଳି ଉଗ୍ରରୂପ ଧାରଣ କରିବାକୁ ମଧ୍ୟ ସେ ହୋଇଥାଏ ପ୍ରସ୍ତୁତ। ତେଣୁ ଦେବୀ ମାହାତ୍ମ୍ୟର ଏକ ମନ୍ତ୍ରରେ କୁହାଯାଇଛି, ‘ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା।’
ମା’ ଦୁର୍ଗାଙ୍କର ଏହି ରହସ୍ୟମୟ ସ୍ୱରୂପର ଏକ ସାର୍ଥକ ଚିତ୍ରଣ ମଧ୍ୟ ଆମେ ପାଉ ଆଦିକବି ସାରଳା ଦାସଙ୍କର ‘ଚଣ୍ଡୀ ପୁରାଣ’ରେ। ସେଥିରେ ସେ ମହିଷାସୁରର ସଂହାର ପାଇଁ ମହାଶକ୍ତିଙ୍କର ଶ୍ରୀଦୁର୍ଗା-ଅବତାର ବିଷୟରେ ବର୍ଣ୍ଣନା କରିବାକୁ ଯାଇ ତା’ଙ୍କ ଉପରେ ଅନେକ ମାନବୀୟ ଗୁଣ ଆରୋପ କରିଛନ୍ତି, ଯାହା ପ୍ରତିପାଦିତ କରିଛି ନାରୀ ଜାତିର ଗରିମା। ସେ ଲେଖିଛନ୍ତି,
“ନାରାୟଣୀ ବୋଇଲେ ଶୁଣ ହେ ଦେବଅରି,
ଆମ୍ଭେରେ ସ୍ତିରୀ ଉତ୍ତମି ନୋହୁରେ ପାମେରୀ।”
(ଚଣ୍ଡୀ ପୁରାଣ, ପଦ ସଂଖ୍ୟା- ୨୮୩୭)
କେବଳ ପ୍ରାଚୀନ କାବ୍ୟକବିତାରେ ହିଁ ନୁହେଁ, ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ଜଣେ ମାନବ ଦେହଧାରିଣୀ ମଧ୍ୟରେ ଥିବା ଦେବୀତୁଲ୍ୟ ମହାଶକ୍ତିର ବିଷୟ ସ୍ଥାନ ପାଇଛି। ସମକାଳୀନ ଓଡ଼ିଆ ସାହିତ୍ୟରେ ତ ଏହାର ଦୃଷ୍ଟାନ୍ତ ବହୁଳ; ସେମିତି ଏକ ଉଦାହରଣ ହେଲା, ବୀଣାପାଣି ମହାନ୍ତିଙ୍କ “ଅଶ୍ରୁ ଅନଳ’ ନାମକ ଗଳ୍ପ। ସେଥିରେ ମୁଖ୍ୟ ଚରିତ୍ରର ଭୂମିକାରେ ଥିବା କେତକୀ ନାମ୍ନୀ ଜଣେ ସାଧାରଣ ପରିବା ବିକାଳୀ ସ୍ତ୍ରୀଲୋକ, ତା’ ଆଖପାଖର କେତେଜଣ ଅସାମାଜିକ ତତ୍ତ୍ୱଙ୍କର ସାହିଝିଅମାନଙ୍କ ପ୍ରତି କ୍ରୂର ଓ ପାଶବିକ ଅତ୍ୟାଚାର ଦେଖି ନିଜ ମନ ଭିତରେ ସଂଚାର କରିଛି ଶତସିଂହର ବଳ। ଘରେ ଥିବା ପନିକି, କଟୁରୀ ଓ ଦାଆ ଇତ୍ୟାଦି ଗୋଟିଏ ଟୋକେଇରେ ଆଣି ରାତିଅଧରେ ବୀରତ୍ୱର ସହ ଆକ୍ରମଣ କରିଛି ସେହି ଦୁଷ୍କର୍ମ-ଲିପ୍ତ ଯୁବକମାନଙ୍କ ଉପରେ ଏବଂ ତାହାର ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଆମ ସମୟର କେତେଜଣ ମହିଷାସୁର। ପରିଣାମରେ ଅବଶ୍ୟ ସେ ହାତକଡ଼ି ପିନ୍ଧି ଶେଷକୁ ଜେଲ୍ ଯାଇଛି, କିନ୍ତୁ ପଶ୍ଚାତ୍ତାପ କରିନାହିଁ ସାଧାରଣ ମାନବୀଟିଏ ହୋଇ ସୁଦ୍ଧା ଦୁର୍ଗାଙ୍କ ଭଳି ଦୁଷ୍ଟଙ୍କୁ ସଂହାର କରିବାର ଗୁରୁଦାୟିତ୍ୱ ନିଜ ହାତକୁ ନେଇଥିବାରୁ।
ଆମର ପ୍ରଚ୍ଛଦପଟରେ ଯେମିତି ଦେବୀ ଦୁର୍ଗାଙ୍କର ପୌରାଣିକ ସତ୍ତାର ସମାନାନ୍ତରରେ ଜଣେ ମାନବୀଙ୍କ ସାମର୍ଥ୍ୟକୁ ଦର୍ଶାଯାଇଛି, ସାହିତ୍ୟରେ ମଧ୍ୟ ଘଟିଛି ସେମିତି। ସାରଳାଦାସଙ୍କ “ଚଣ୍ଡୀପୁରାଣ’ରେ ମହିଷାସୁରକୁ ରଣହୁଙ୍କାର ଦେଉଥିବା ଦେବୀଦୁର୍ଗାଙ୍କ ଭଳି ଆଧୁନିକ ସାହିତ୍ୟରେ ମଧ୍ୟ ଚିତ୍ରିତ ହୋଇଛି ସମକାଳୀନ ନାରୀର ଅଗ୍ନିବର୍ଷୀ ରୂପ। ଶାରଦୀୟ ଦୁର୍ଗୋତ୍ସବ ତେଣୁ ନାରୀର ସେହି ଅତିମାନବୀୟ ଭୂମିକାକୁ ସ୍ମରଣ କରିବାର ଏକ ମହାର୍ଘ ସୁଯୋଗ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *