ସିଧାସଳଖ ଭାବେ କିନ୍ନର, ସମକାମୀ ଆଦି ମଣିଷଙ୍କ ଯନ୍ତ୍ରଣା, ସାମାଜିକ ସ୍ଥିତି ଓ ପ୍ରତିବାଦ ରୂପପାଇଛି ଆଧୁନିକ କବିତାରେ।

ଟ୍ରାନ୍ସଜେଣ୍ଡର, କିନ୍ନର, ତୃତୀୟଲିଙ୍ଗ ବା ଥାର୍ଡଜେଣ୍ଡର ଇତ୍ୟାଦିଙ୍କ ଜୀବନ ସମସ୍ୟା, ସାମାଜିକ ଅଧିକାର ଓ ଲିଙ୍ଗରୂପାନ୍ତରଣ ପ୍ରସଙ୍ଗକୁ ନେଇ ଓଡ଼ିଆରେ କବିତା ଲେଖିବାର ପ୍ରୟାସ ଆରମ୍ଭ ହୁଏ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ବେଳକୁ। ଯଦିଓ ଓଡ଼ିଆ କଥାସାହିତ୍ୟରେ ଟ୍ରାନ୍ସଜେଣ୍ଡର ଚରିତ୍ରମାନଙ୍କ ଉଲ୍ଲେଖ ଆମେ ପାଇଥାଉ ସ୍ୱାଧୀନତା ପରବର୍ତ୍ତୀ ସମୟରୁ, ତେବେ ତାହା ସ୍ୱଳ୍ପ। କଥା ସାହିତ୍ୟ ହେଉ ବା କବିତା, ଏକବିଂଶ ଶତାବ୍ଦୀରେ ହିଁ ଲିଙ୍ଗବୈଷମ୍ୟ, ଲିଙ୍ଗ ରୂପାନ୍ତରଣ ସମସ୍ୟା ଓ ଟ୍ରାନ୍ସଜେଣ୍ଡରମାନଙ୍କ ମୌଳିକ ଅଧିକାର କଥା ବିଶେଷ ଭାବେ ପ୍ରତିଫଳିତ ହୋଇଛି ଓଡ଼ିଆ ସାହିତ୍ୟରେ।
ପୁରାତନ ରଚନାରେ ଟ୍ରାନ୍ସଜେଣ୍ଡର
ଏପରି ନୁହେଁ ଯେ ଏକବିଂଶ ଶତାବ୍ଦୀ ପୂର୍ବରୁ ଓଡ଼ିଆ କାବ୍ୟ ଧାରାରେ ଏହି ଲିଙ୍ଗ ରୂପାନ୍ତରଣ ପ୍ରସଙ୍ଗଟିର ଉଲ୍ଲେଖ ହୋଇନାହିଁ। ଖୋଜି ବସିଲେ ପ୍ରାଚୀନ କାବ୍ୟ, ପୁରାଣ ଓ ବିଭିନ୍ନ କିଂବଦନ୍ତୀ ଓ ଲୋକକାହାଣୀରେ ଆମେ ଏପରି ଉଦାହରଣ ପାଇପାରିବା ଯେଉଁଥିରେ ପୁରୁଷଟିଏ ନାରୀରେ କିମ୍ବା ନାରୀଟିଏ ପୁରୁଷରେ ପରିଣତ ହେଉଛି। ସାରଳା ମହାଭାରତର ଶିଖଣ୍ଡୀ, ବୃହନ୍ନଳା, ଦୀନକୃଷ୍ଣ ଦାସଙ୍କ ପ୍ରସ୍ତାବ ସିନ୍ଧୁ କାବ୍ୟର ଗୁପତେଶ୍ୱର, ପ୍ରତାପ ରାୟଙ୍କ ଶଶିସେଣା କାବ୍ୟର ଶଶିସେଣା, ଦିବାକର ଦାସଙ୍କ ଜଗନ୍ନାଥ ଚରିତାମୃତରେ ଭକ୍ତକବି ଜଗନ୍ନାଥ ଦାସ ଓ ରାଧାନାଥ ରାୟଙ୍କ ଯଯାତି କେଶରୀ କାବ୍ୟର ବିମଳା ଆଦି ଚରିତ୍ରମାନେ ପ୍ରାଚୀନ କାବ୍ୟଧାରାରେ ଲିଙ୍ଗ ରୂପାନ୍ତରଣର ଉଦାହରଣ। ତେବେ ଏ କାହାଣୀ ସବୁ ସଂଯୋଜନା କରାଯାଇଥିଲା ଘଟଣା ପ୍ରବାହର ଗୁରୁତ୍ୱକୁ ନେଇ। ଏଥିରେ ଅଲୌକିକତା, ଦେବତାନୁଗ୍ରହ, ତନ୍ତ୍ର ମନ୍ତ୍ର ଆଦିର ଚମତ୍କାରିତା ଥିଲା, ମାତ୍ର ଲିଙ୍ଗ ରୂପାନ୍ତରଣ ପ୍ରସଙ୍ଗର ଗୁରୁତ୍ୱ ନଥିଲା।
ସେହିପରି ସ୍ୱାଧୀନତା ପରବର୍ତ୍ତୀ ସମୟର କବିତାରେ ବୃହନ୍ନଳା, ଶିଖଣ୍ଡୀ ପରି ଚରିତ୍ରମାନେ ପ୍ରତୀକ ହିସାବରେ ବ୍ୟବହୃତ ହେଲେ। ସେମାନଙ୍କ ଅଭିଶପ୍ତ ଜୀବନ ଆଧୁନିକ ମଣିଷର ଭୟ, ପାପବୋଧ, ମୁକ୍ତି, ପରାଜୟ ଆଦିର ପ୍ରତୀକ ରୂପେ ରୂପାୟିତ ହେଲା। ମାତ୍ର ସେମାନଙ୍କ ଲୈଙ୍ଗିକ ଅଧିକାର ଓ ମନସ୍ତତ୍ତ୍ୱର କଥା ପ୍ରତିଫଳିତ ହେଲାନାହିଁ କବିତାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛି କବି ବେଣୁଧର ରାଉତଙ୍କ ‘ବୃହନ୍ନଳା’ କବିତା। ପ୍ରାଚୀନ କଥାରେ ଯେପରି ଅଜ୍ଞାତବାସ କାଳରେ ଅର୍ଜୁନ ନିଜକୁ ବୃହନ୍ନଳାର ଛଦ୍ମ ପରିଚୟରେ ଲୁଚେଇ ରଖିଥିଲା ଠିକ୍ ସେଇଭଳି ଆଧୁନିକ ମଣିଷ କିଭଳି ଧର୍ମ ଧାରଣା ଓ ଈଶ୍ୱର ବିଶ୍ୱାସର ଖୋଳପା ଭିତରେ ନିଜର ମାନବିକତାକୁ ଲୁଚେଇ ଦେଇଛି ଏହାକୁ ପ୍ରତିକୀତ କରି କବି କହୁଛନ୍ତି-

“ହେ ମଣିଷ ଭାଇ, ଆଜିର ବୃହନ୍ନଳା,
ମଣିଷପଣ ତୁ ହୁଏ ତ ପାଇବୁ ଫେରି,
ଅର୍ଜୁନପଣ ପାଇବୁ, ନାଇଁ ବି ଡେରି,–
ବିରାଟ ଗୋଧନ ଚୋରି ଯଦି ହୁଏ କାଳେ
କ୍ଳୀବର ତିଆରି ଗାନ ଓ ନୃତ୍ୟକଳା
ଶମୀତରୁ ଦିହୁ ସେ ଦି’ହାତେ ଆଣି
ତୋ ଗୋପିତ ଧନୁଶର
ପୁଣି ହବୁ ତୁଇ ଅର୍ଜୁନ ଅବା ନିଜରୂପ ମଣିଷର।”
ଏ କବିତା ବୃହନ୍ନଳା ଆଳରେ ଆଧୁନିକ ମଣିଷର ଧର୍ମଭୀରୁତାକୁ ବ୍ୟଙ୍ଗ କଲା ସତ ତେବେ ବୃହନ୍ନଳାର ଦୁଃଖ, ତା’ର ଜୀବନ ସଂଘର୍ଷ କଥା କହି ପାରିଲାନାହିଁ। ସଚ୍ଚି ରାଉତରାୟଙ୍କ କେତୋଟି କବିତାରେ ଅନୁରୂପ ଭାବେ ତୃତୀୟ ସତ୍ତାର ଚେତନାଟି ପ୍ରତୀକ ଭାବେ ବ୍ୟବହାର ହେଲା, ମାତ୍ର କହି ପାରିଲାନାହିଁ ତାର ନିଜର ମୌଳିକ ଅଧିକାରର କଥା। ଏହି ତୃତୀୟ ସତ୍ତାଟିର ନିଜସ୍ୱ ଅଭିବ୍ୟକ୍ତି, ଦେହ ଓ ଦହନର ଜ୍ୱାଳା, ସମାଜରେ ସମ୍ମାନର ସହ ବଞ୍ଚିବାର ନ୍ୟାଯ୍ୟ ଦାବି ସମାନ୍ତରାଳ ଭାବେ ସମାଜ ଓ ସାହିତ୍ୟରେ ଅବହେଳିତ ହୋଇଛି ନିରବରେ, ଶତାବ୍ଦୀ ଶତାବ୍ଦୀ ଧରି। ପରିଶେଷରେ ଦୀର୍ଘ ଶତାବ୍ଦୀର ନିରବତା ଭାଙ୍ଗି ଏହା ଗୁଞ୍ଜରିତ ହୋଇଛି ଏକବିଂଶ ଶତାବ୍ଦୀର ଓଡ଼ିଆ କବିତାରେ।
ଏକବିଂଶ ଶତାବ୍ଦୀର ଚିତ୍ର
ତେବେ ମନରେ ପ୍ରଶ୍ନ ଆସେ, ଏତେ ବର୍ଷ ଧରି ଅବହେଳିତ ଏହି ଚେତନାଟି ହଠାତ୍ ଏକବିଂଶ ଶତାବ୍ଦୀରେ ହିଁ କିପରି ଜାଗୃତ ହେଲା ? ଏହା ପଛରେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ନ୍ୟାୟିକ ଘଟଣାର ପ୍ରଭାବ ରହିଛି। ଟ୍ରାନ୍ସଜେଣ୍ଡରମାନେ ସମାଜରେ ନିଜ ସ୍ଥିତିକୁ ଜାହିର କରିବା ନେଇ ଯେଉଁ ସଂଘର୍ଷ କରି ଆସିଥିଲେ; ସେଇ ଧାରାରେ ଗତ ଶତାବ୍ଦୀର ଶେଷ ଦଶକ ଏବଂ ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧି ଆଡ଼କୁ କେତେକ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ନେଇ ଉଭୟ ସରକାର ଓ ଲୋକ ସଚେତନତା କ୍ଷେତ୍ରରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିଲା। ସମାଜର ଏହି ଅବହେଳିତ ସମୁଦାୟ ନିଜକୁ ସ୍ୱତନ୍ତ୍ର ତୃତୀୟ ଲିଙ୍ଗ (ଥାର୍ଡ ଜେଣ୍ଡର୍ / ଟ୍ରାନ୍ସ୍-ଜେଣ୍ଡର୍)ରେ ଚିହ୍ନିତ କଲେ। ସାମାଜିକ ସ୍ୱୀକୃତି କ୍ଷେତ୍ରରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନାଗରିକତ୍ୱର ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିବା ସହିତ କେତେକ ସାମାଜିକ ଓ ସଚେତନତାଗତ ଦାବିକୁ ସ୍ୱୀକାର କରି କିନ୍ନର ବା ‘ଟ୍ରାନ୍ସ ଜେଣ୍ଡର’ ଭାବେ କେତେକ ସ୍ୱତନ୍ତ୍ର ଆଇନ୍ର ପ୍ରଣୟନ ସେମାନଙ୍କୁ ଆଣିଦେଲା ନୂତନ ପରିଚିତି। ଏକ ସୁରକ୍ଷିତ ସାମାଜିକ ଜୀବନ ନିର୍ବାହ କରିବାର ଅଧିକାର ନେଇ ସେମାନଙ୍କର ଦୀର୍ଘଦିନର ସଂଗ୍ରାମ ଓ ସଂଘର୍ଷ କେତେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଦେଲା। ଏହି ଘଟଣାଗୁଡ଼ିକ ଲିଙ୍ଗୀୟ ପରିଚୟ, ଅଧିକାର, ସମାନତା ଓ ସାମାଜିକ ସ୍ୱୀକୃତିକୁ ନେଇ ଆଲୋଚନାକୁ ଆହୁରି ବ୍ୟାପକ କରିଥିଲା।
ଏକବିଂଶ ଶତାବ୍ଦୀର ଆଧୁନିକ ଓଡ଼ିଆ କବିତାରେ ନୂଆ ରୂପରେ ଲିଙ୍ଗ ସମସ୍ୟା ସ୍ୱର ଉତ୍ତୋଳନ କଲା। ଆଧୁନିକ ଓଡ଼ିଆ ଲେଖକମାନେ ସଚେତନ ଭାବେ ଏହି ପ୍ରସଙ୍ଗକୁ ନିଜ ସାହିତ୍ୟରେ ରୂପ ଦେଲେ। ତେଣୁ କୋଉଠି ଶିଖଣ୍ଡୀ, ବୃହନ୍ନଳା ପରି ପୌରାଣିକ ଚରିତ୍ରମାନେ ମିଥ୍ ରୂପରେ ଆଧୁନିକ ଯୁଗ ଯନ୍ତ୍ରଣାର ପ୍ରତୀକ ସାଜି କବିତାରେ ରୂପ ପାଇଛନ୍ତି ତ ପୁଣି କୋଉଠି ସିଧା ସଳଖ ଭାବେ କିନ୍ନର, ସମକାମୀ ଆଦି ମଣିଷଙ୍କ ଯନ୍ତ୍ରଣା, ସାମାଜିକ ସ୍ଥିତି ଓ ପ୍ରତିବାଦ ରୂପ ପାଇଛି ଆଧୁନିକ କବିତାରେ। ବିଶେଷ କରି ଏକ ବିଂଶ ଶତାବ୍ଦୀରେ ମୁକ୍ତ ଓ ଦୃଢ଼ କଣ୍ଠରେ ଲୈଙ୍ଗିକ ଅସ୍ମିତା ପ୍ରସଙ୍ଗ କବିତାର ଭାବ ରୂପକୁ ଆଚ୍ଛାଦିତ କରିଥିବାର ଲକ୍ଷ୍ୟ କରାଯାଏ।
ଏ କ୍ଷେତ୍ରରେ ଅପର୍ଣ୍ଣା ମହାନ୍ତି, ପାରମିତା ଶତପଥୀ, ବିଜୟଲକ୍ଷ୍ମୀ ପରିଡ଼ା, ସୁଚେତା ମିଶ୍ର, ହିରଣ୍ମୟୀ ମିଶ୍ର, ଚିରଶ୍ରୀ ଇନ୍ଦ୍ରସିଂ, ସଞ୍ଜୟ କୁମାର ସାହୁ, ସୁବ୍ରତ କୁମାର ସେନାପତି, ସୂର୍ଯ୍ୟସ୍ନାତ ତ୍ରିପାଠୀ, ସୁଶାନ୍ତ ଦାସ, ବିନତୀ ଶତପଥୀ, ଦିଲୀପ ସ୍ୱାଇଁ, ପ୍ରମୁଖ କବିଙ୍କ କବିତା ଉଲ୍ଳେଖଯୋଗ୍ୟ। ତେବେ, କେବଳ ପ୍ରସିଦ୍ଧି ଲାଭ କରିଥିବା କବିମାନେ ନୁହନ୍ତି, ଏକ ନୂତନ ବିପ୍ଳବ ଭାବେ କବିତା କ୍ଷେତ୍ରରେ ଯୋଗ ଦେଇଛନ୍ତି, ଏଲ୍.ଜି.ବି.ଟି.କ୍ୟୁ ସମୁଦାୟର କିଛି କିଛି ଲେଖକ/ ଲେଖିକା। ନିଜେ ନିଜର ସମସ୍ୟାକୁ କବିତାରେ ରୂପ ଦେବାକୁ ଚେଷ୍ଟା କରିଛନ୍ତି ଏମାନେ। ଓଡ଼ିଶାର ବହୁ ଚର୍ଚ୍ଚିତ କିନ୍ନର ମୀରା ପରିଡ଼ା, ସାଧନା ମିଶ୍ର ପଭୃତି ମଧ୍ୟ କବିତା ଲେଖିବାରେ ପ୍ରୟାସୀ ହୋଇଥିବାର ଲକ୍ଷ୍ୟ କରାଯାଏ। ଏଥିସହିତ ଭୀଷ୍ମଦେବ ବାଗ ଓ ଜିଜ୍ଞାସାଙ୍କ ପରି ତରୁଣ ଲେଖକ ମଧ୍ୟ ନିଜ ଲିଙ୍ଗ ପରିଚୟର ଅସ୍ମିତାର ଗାଥା ଓ ନିଜ ଜୀବନର ସମସ୍ୟାକୁ ତୋଳି ଧରିଛନ୍ତି କବିତାରେ। ଏ ଓଡ଼ିଆ ସାହିତ୍ୟରେ ନୂତନ ଏକ ପର୍ଯ୍ୟାୟ। ନୂତନ ଏକ ଆରମ୍ଭ।
ଲିଙ୍ଗଗତ ସୀମିତ ଦୃଷ୍ଟିଭଙ୍ଗୀ
ଏଇ ନୂଆ ଆରମ୍ଭ ଲିଙ୍ଗଗତ ସୀମିତ ଦୃଷ୍ଟିଭଙ୍ଗୀକୁ ପ୍ରସାରିତ କଲା। ପ୍ରସାରିତ କଲା ଓଡ଼ିଆ କବିତାରେ ବୈଷମ୍ୟ ବିରୋଧର ଭାବଧାରାକୁ। ନାରୀ ଓ ପୁରୁଷର ସମସ୍ୟା ବାହାରେ, ନାରୀତ୍ୱ ଓ ପୁରୁଷତ୍ୱର ଖୋଳପା ବାହାରେ ଯେ କେତେ କେତେ ଏକାକୀତ୍ୱବୋଧ, ପରାଧୀନତାବୋଧ, ମୁକ୍ତି କାମନା, ପ୍ରେମ, ଅପ୍ରାପ୍ତି, ଯୌନତାର ନୂଆ ପରିଭାଷା ଓଡ଼ିଆ କବିତାକୁ ଆହୁରି ଆହୁରି ସମ୍ବେଦନଶୀଳ କରାଇଲା। ଏହି ସମ୍ବେଦନଶୀଳତାର ରାସ୍ତାରେ ଯେଉଁ ପ୍ରମୁଖ ଉପାଦାନ ସବୁ କବିତାର ଭାବବସ୍ତୁ ହୋଇ ଉଭାହେଲା ସେଗୁଡ଼ିକ ନିମ୍ନରେ ବିନ୍ଦୁ ମାଧ୍ୟମରେ ଦର୍ଶାଇ ଦିଆଯାଇଛି।
ପରାଧୀନତାବୋଧ
ପାରିବାରିକ ଅସଂହତି ଓ ସମାଜର ଯାବତୀୟ ପ୍ରତିକୂଳତା ଯେତେବେଳ କୌଣସି ବ୍ୟକ୍ତିର ବ୍ୟକ୍ତି- ସ୍ୱାଧୀନତା, ଆତ୍ମିକ ଅଭିବ୍ୟକ୍ତି, ସ୍ୱପ୍ନ, ଇଚ୍ଛା ଓ ଭଲପାଇବାର ରାସ୍ତାରେ ପ୍ରତିବନ୍ଧକ ହୋଇ ଛିଡ଼ା ହୁଏ, ସେତେବେଳେ ପାରମ୍ପରିକ ଲୈଙ୍ଗିକତାରୁ ଭିନ୍ନ ମଣିଷଟି ଭିତରେ ଜାତ ହୁଏ ପରାଧୀନତାର ଭାବାବେଗ। ସେତେବେଳେ ନିଜ ଚାରି ପାଖର ପ୍ରିୟ ପରିଜନ ଓ ନିଜ ଲୋକମାନେ ହିଁ ବେଶି ବେଶି ଅଚିହ୍ନା ଓ ଅଜଣା ହେଇ ଯାଆନ୍ତି ତା’ ନିକଟରେ। କେହି ବୁଝି ପାରନ୍ତିନାହିଁ ତାକୁ। ତା’ର ଦେହ ଓ ମନ ଉଭୟ ଅବୁଝା ରହିଯାଏ ଚିରକାଳ। ତେଣୁ ମୁକୁଳିବାକୁ ଚାହେଁ ବ୍ୟକ୍ତିସତ୍ତାଟି, ‘ସତ ଆଉ ମିଛ ମଝିରେ କବିତା’ରେ ଓ କବି ହିରଣ୍ମୟୀ ମିଶ୍ର କହନ୍ତି-
“ଏବେ ମୁକୁଳିବାକୁ ଚାହେଁ କେହିଜଣେ
ଏ ଦେହ ଭିତରୁ
କେହିଜଣେ ଗାଇବାକୁ ଚାହେଁ
ତା’ ନିଜ ସ୍ୱରରେ ପ୍ରେମର ଗଜଲ
ବର୍ଷାରେ ଭିଜିଭିଜି
ଗତାନୁଗତିକ ପୋଷାକକୁ ଫିଙ୍ଗିଦେଇ
କେହିଜଣେ ସଜାଡ଼ିବାକୁ ଚାହେଁ
ଗୋଲାପି ରଙ୍ଗର ଚୋଲିରେ ତାରାଫୁଲ।”
ସେହିପରି ଦିଲୀପ ସ୍ୱାଇଁଙ୍କ ‘ରାଜଧାନୀରେ ରଙ୍ଗବତୀ’ କବିତାରେ ମୁକ୍ତି ଲୋଡିଛି ରଙ୍ଗବତୀ। ମୁକ୍ତି ଲୋଡ଼ିଛି ଗାଁ ଟୋକାଙ୍କ ଟାହିଟାପରା, ମାଇଚିଆ ଡାକରୁ, ସାମାଜିକ ତାଡ଼ନାରୁ ଓ ଶେଷରେ ଗାଁ ଛାଡ଼ି ପଳାଇ ଆସିଛି ଭୁବନେଶ୍ୱର। କାରଣ –
“ରଙ୍ଗବତୀ ବୁଝି ସାରିଥିଲା ଯେ
ଛାତିରେ ଗାମୁଛା ପକେଇ ଗାଁ ଦାଣ୍ଡରେ ବୁଲିବା ଠୁଁ
ଢେର୍ ଭଲ ଅଚିହ୍ନା ସହର।”
କେମିତି ସମବେଦନାର ଆହା ପଦ, ସ୍ନେହ, ପ୍ରେମ, ଭଲପାଇବା ପରି ମାନବୀୟ ଉପାଦାନ ସବୁ ଅପହଞ୍ଚ ହୋଇଯାଏ ସାମାନ୍ୟ ଲୈଙ୍ଗିକତାର ଦାୟରେ ଏହା ପ୍ରତିଫଳିତ ହୋଇଛି ଭୀଷ୍ମଦେବ ବାଗଙ୍କ ‘ପରିଚୟ’, ମୀରା ପରିଡ଼ାଙ୍କ ‘କିନ୍ନର: ପେଟ ଓ ପେଟତଳ’, ସୁବ୍ରତ ସେନାପତିଙ୍କ ‘ରୋଗୀ’ ପ୍ରଭୃତି କବିତାରେ।

ଅପ୍ରାପ୍ତି ଓ ଅଧିକାରବୋଧ
ଅଭିଭାବକଙ୍କ ଘୃଣା, ସାମାଜିକ ଅଗ୍ରାହ୍ୟ, ତିରସ୍କାର, ଏକାକୀତ୍ୱବୋଧ, ନୈରାଶ୍ୟ, ଗ୍ଲାନି ଆଦି ପୁଞ୍ଜୀଭୂତ ହୋଇ ତିଆରି ହୁଏ ନିଜର ଅଧିକାର ପାଇଁ ପ୍ରଶ୍ନ କରିବାର ପ୍ରବଣତା। ଏହି ପ୍ରଶ୍ନ ପ୍ରବଣତାରୁ ସୃଷ୍ଟି ହୁଏ ବିପ୍ଳବ। ନିଜର ଅଧିକାର ପ୍ରାପ୍ତିପାଇଁ ପ୍ରଶ୍ନବାଚୀ। ସାଧାରଣ ମଣିଷଟିଏ ପରି ସମ୍ମାନ ସହ ବଞ୍ଚିବାର ଅଧିକାର, ପ୍ରେମ ଓ ଯୌନତାର ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ କର୍ମ ନିଯୁକ୍ତିର ଅଧିକାର ପରି ଯାବତୀୟ ଅଧିକାର ଓ ଅପ୍ରାପ୍ତି ପ୍ରତିଫଳିତ ହୋଇଛି ଏହି ପ୍ରସଙ୍ଗ ଆଧାରିତ କବିତାରେ। ସମାଜସେବୀ ମୀରା ପରିଡ଼ାଙ୍କ କବିତାରେ ସମାଜ ପ୍ରତି ଜଣେ କିନ୍ନରର ଅଭିମାନ ଓ ଅଧିକାର ବୋଧ କିପରି ପ୍ରକାଶ ପାଇଛି ଲକ୍ଷ୍ୟ କରାଯାଇପାରେ-
“ମୁଁ ମଧ୍ୟ ତୁମ ଭଳି ମା, ବାପାଙ୍କର ସୃଷ୍ଟି
ତେବେ ମୋ’ ଅସ୍ତିତ୍ୱକୁ ନେଇ କାହିଁ ଏତେ ଯୁକ୍ତି?
ସୂର୍ଯ୍ୟ କେବେ ଭତ୍ତାପ ଦେବାରେ କରିନାହିଁ ହେଳା,
ଜହ୍ନ କେବେ ଜ୍ୟୋତ୍ସ୍ନା ପାଇଁ କରିନାହିଁ ମନା,
ପିଇବାକୁ ପାଣି କେବେ କରିନି ବାରଣ,
ବାଟ ଭାଙ୍ଗି ଯାଏ ନାହିଁ କେବେ ବି ପବନ,
ତୁମ ଭଳି ମୋତେ ଚାଲିବାକୁ ଦେଇଛି ବସୁଧା !
ତେବେ ମୋ’ ଅସ୍ତିତ୍ୱକୁ ନେଇ କାହିଁ ଏତେ ଯୁକ୍ତି?”
କବି ଅପର୍ଣ୍ଣା ମହାନ୍ତିଙ୍କ ‘ପରିଚୟ’ କବିତାରେ ପୁରୁଷର ଦେହ ଭିତରେ ନାରୀର ମନ ନେଇ ନିଜକୁ କିନ୍ନର ବୋଲି ପରିଚିତ କରୁଥିବା ବ୍ୟକ୍ତିସତ୍ତାର ମାତୃତ୍ୱର ଦାବି ଓ ଅପ୍ରାପ୍ତିର ଗ୍ଳାନି ବଡ଼ କରୁଣ ଭାବେ ଚିତ୍ରିତ ହୋଇଛି-
“ମାଆର ମର୍ଯ୍ୟାଦା ମାଗେ
ନ ଥାଉ ପଛକେ ଗର୍ଭାଶୟ
ସେତିକିରେ ସାର୍ଥକ ହୋଇଯାଏ
ପୁରୁଷ ନାରୀର ଊର୍ଦ୍ଧ୍ୱରେ
ମୋ’ ମଣିଷପଣର ପରିଚୟ।”
ବିଜୟଲକ୍ଷ୍ମୀ ପରିଡ଼ାଙ୍କ ‘ଏଇ ଠିକଣାରେ ଘର ନାହିଁ’, ହିରଣ୍ମୟୀ ମିଶ୍ରଙ୍କ ‘ସତ ଆଉ ମିଛର ମଝିରେ’, ଚିରଶ୍ରୀ ଇନ୍ଦ୍ରସିଂଙ୍କ ‘ଶାଢ଼ି-୨୩’, ସୁଚେତା ମିଶ୍ରଙ୍କ ‘କିନ୍ନର’ ଇତ୍ୟାଦି କବିତାରେ ଏଇ ଅଧିକାରବୋଧ, ଅପ୍ରାପ୍ତି ଓ ସମାଜପ୍ରତି ପ୍ରଶ୍ନବାଚୀ ଲକ୍ଷାଣୀୟ।
ଯୌନତା ଓ ପ୍ରେମ ପ୍ରସଙ୍ଗ
ଯୌନତା ଓ ପ୍ରେମ ଏକ ପ୍ରାକୃତିକ ଓ ସ୍ୱାଭାବିକ ପ୍ରକ୍ରିୟା। ତେବେ ନାରୀ ପୁରୁଷଗତ ଯୌନ ସଂପର୍କ ଓ ପ୍ରେମର ରୂପାୟନ ସାମାଜିକ ଗ୍ରହଣଶୀଳତା ଲାଭ କରିଥିବା ବେଳେ ଟ୍ରାନ୍ସଜେଣ୍ଡରମାନେ ନିଜର ପ୍ରେମ ଓ ଯୌନତାକୁ ନେଇ ସମାଜ ଆଗରେ ନିନ୍ଦିତ ଓ ଘୃଣ୍ୟ ବିବେଚିତ ହୁଅନ୍ତି। ଏମାନଙ୍କ ପ୍ରେମରେ ତେଣୁ ପ୍ରାପ୍ତି ଅପେକ୍ଷା ବିଫଳତା ଅଧିକ। ପାଇବା ଅପେକ୍ଷା ହରେଇବା ବେଶି। ଏହି ପ୍ରେମ, ଯୌନତା, ଅପ୍ରାପ୍ତି ଓ ବିଫଳତା ଆଦି ମାର୍ମିକ ଭାବେ ପ୍ରକାଶ ପାଇଛି ଓଡ଼ିଆ କବିତାରେ। ପାରମିତା ଶତପଥୀଙ୍କ “ଅଦେହ ଅମନ’ କବିତାରେ ନିଜର ସମକାମୀ ପ୍ରେମ ଆକର୍ଷଣ ପାଇଁ, ପୁରୁଷ ହୋଇ ସୁଦ୍ଧା ନାରୀର ମନ ନେଇ ଆଉ ଏକ ପୁରୁଷପ୍ରତି ଆକର୍ଷିତ ହେବାକୁ ନେଇ କିପରି ଘୃଣାର ଶିକାର ହେବାକୁ ହୁଏ ତାହାର ବର୍ଣ୍ଣନା ଦେବାକୁ ଯାଇ ଲେଖାଅଛି –
“ମୋଟର ସାଇକେଲ ଉପରୁ
ସିଗାରେଟ ଜଳାଇବା ଠାଣି ତୁମର
ବିଜୟ, କି ସୁନ୍ଦର !
ମୋ’ ଆଖି ଲାଖିଯାଏ
ଆଉ ତୁମେ ଘୃଣାରେ ମୁହଁ ବୁଲେଇ ନିଅ
ତୁମେ ଝାଡ଼ି ଦେଇଥିବା ସିଗାରେଟ ଝୁଲ
ମୋ’ ଚାରିକଡ଼େ ବୁଲିବୁଲି କୁହେ,
ପ୍ରେମ ତୋ ପାଇଁ ନୁହେଁ ପରା।”
କବି ଦିଲୀପ ସ୍ୱାଇଁଙ୍କ ‘ରଙ୍ଗବତୀର ଦୁଃଖ’ କବିତାରେ ରଙ୍ଗବତୀ ବସ୍ ଭିତରେ ଦେଖୁଚି ଏକ ସୌମ୍ୟକାନ୍ତ ପୁରୁଷକୁ। ତାଳିମାରିବା, ଟଙ୍କା ଆଦାୟ କରି ବ୍ଲାଉଜ ଭିତରେ ଆଣି ଗୁଞ୍ଜିଦେବା ସବୁ ଭୁଲି ଯାଉଚି କ୍ଷଣକ ପାଇଁ ଓ ମନେ ମନେ କହୁଚି-
“ଥରୁଟିଏ ଛୁଇଁ ଦେ ତୁ କାଣି ଆଙ୍ଗୁଠିରେ
ସତ କହୁଛି, ପହ୍ନେଇ ଯିବି ମୁଁ,
ମେଘେଇ ଯିବି, ମାଆ ହୋଇଯିବି ତୋରି ଛୁଆଁରେ
ମୋତେ ଛୁଇଁ ଦେରେ ଧନ
ଓହ୍ଲେଇ ପଡ଼ିବା ଆମେ କଟକରେ
ମୟୂରଚନ୍ଦ୍ରିକାରେ ତୋ’ ଦେହକୁ ଝାଡ଼ିଦେବି
ବୋହୂ ବୋହୂକା ଖେଳିବା ମହାନଦୀ ପଠାରେ।”
ସେହିପରି ଭୀଷ୍ମଦେବ ବାଗଙ୍କ ‘ରେଶ୍ମା’ କବିତାରେ ରମେଶ ଭିତରେ ନାରୀର ଆବେଗ ରେଶ୍ମାର ନାଁ ନେଇଛି ଓ ନିଜର ପୁରୁଷ ବନ୍ଧୁକୁ ଭଲପାଇବାର ପ୍ରେମ ଗୀତ ଶୁଣେଇଛି। ତେବେ ଏସବୁ ପ୍ରେମରେ ଅପ୍ରାପ୍ତି ଓ ବିଫଳତା ହିଁ ବେଶି ଭାବରେ ପ୍ରତିଫଳିତ ହୋଇଛି।
ଏହିପରି ଅନେକ ସମ୍ବେଦନଶୀଳ ଉପାଦାନକୁ ଆଧାର କରି ଓଡ଼ିଆ କବିତାରେ ଟ୍ରାନ୍ସଜେଣ୍ଡର ପ୍ରସଙ୍ଗ ରୂପ ପାଇଛି। ତେବେ ସେମାନଙ୍କ ଜୀବନର ଆହୁରି ଅନେକ କଥା, ଆହୁରି ଅନେକ ଅଧ୍ୟାୟ ଏବେବି ଅଲେଖା ଓ ଅପଢ଼ା ହେଇ ଅଛି ଓଡ଼ିଆ ସାହିତ୍ୟରେ। ଟ୍ରାନ୍ସଜେଣ୍ଡର କହିଲେ କେବଳ ପୁରୁଷରୁ ନାରୀତ୍ୱକୁ ବରଣ କରିଥିବା ମଣିଷମାନେ ନୁହନ୍ତି, ନାରୀ ହୋଇ ଜନ୍ମ ହୋଇ ପୁରୁଷଟିଏ ହେବାର ପ୍ରଚେଷ୍ଟା ଓ ସଂଘର୍ଷ କରୁଥିବା ମଣିଷମାନେ ମଧ୍ୟ ଟ୍ରାନ୍ସଜେଣ୍ଡର ପର୍ଯ୍ୟାୟଭୁକ୍ତ। କିନ୍ତୁ ସେମାନଙ୍କ କଥା ଏବେ ସୁଦ୍ଧା ଓଡ଼ିଆ କବିତାରେ କୁହାଯାଇପାରିନାହିଁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ।)