ନିଜ ହାତରେ ଥିବା ଚାବିଟିକୁ ବ୍ୟବହାର କରି ଆଉ ଶହେ ଜଣ ପ୍ରତିଭାଶାଳୀ ଲେଖକଙ୍କ ପାଇଁ ଦ୍ୱାର ଖୋଲିବା ହିଁ ପ୍ରକୃତ ସାହିତ୍ୟସେବା।

ଏହି ଲୋକୋକ୍ତି ପଦକ ଥରେ ପଢ଼ିଥିଲି: ‘ଖଣ୍ଡିଗଣିଆର ଦିଗୁଣ ସରେ; ଆଟିକାଚୁହାଁର ମାଇପ ମରେ।’
ଏହା ବୁଧଙ୍କୁ ବୁଝାଇବା ଆବଶ୍ୟକ ନାହିଁ। ସାହିତ୍ୟ ସଭିଙ୍କ ପାଇଁ ବତ୍ରିଶ ସିଂହାସନ ନୁହେଁ; ଆଦର୍ଶ ଚରିତ୍ର ଆବଶ୍ୟକ ଏହାର ଆରୋହଣ ନିମନ୍ତେ। ସାହିତ୍ୟର ମୂଳ ଆଧାର ହେଉଛି ସର୍ଜନଶୀଳତା, ସତ୍ୟନିଷ୍ଠା, ମୌଳିକତା ଓ ଦାୟିତ୍ୱବୋଧ। କିନ୍ତୁ ଆଜିର ସାହିତ୍ୟିକ ପରିବେଶକୁ ଦେଖିଲେ କେତେକ ପ୍ରଶ୍ନ ମନରେ ଉକୁଟିଆସେ। ସାହିତ୍ୟ ପାଇଁ ପଦବୀ ନା ପଦବୀ ପାଇଁ ସାହିତ୍ୟ!
କେତେକ ବ୍ୟକ୍ତି ଯେତେବେଳେ କୌଣସି ପତ୍ରିକା, ସମ୍ବାଦପତ୍ର, ଟେଲିଭିଜନ, ସାହିତ୍ୟିକ ଅନୁଷ୍ଠାନ କିମ୍ବା ଏକାଡେମୀରେ ଗୁରୁତ୍ୱପୂର୍ଣ୍ଣ ପଦ ପାଆନ୍ତି, ସେହି ପଦକୁ ସାହିତ୍ୟ ସେବାର ଏକ ସୁଯୋଗ ଭାବେ ନେବା ପରିବର୍ତ୍ତେ ନିଜସ୍ୱ ପ୍ରଚାର ଓ ପ୍ରତିଷ୍ଠାର ମାଧ୍ୟମ କରିବାର ପ୍ରବୃତ୍ତି ଦେଖାଯାଏ। ଯେଉଁ ମଞ୍ଚରେ ଶତାଧିକ ନବୀନ ଓ ପ୍ରତିଭାଶାଳୀ ଲେଖକଙ୍କ ପାଇଁ ସୁଯୋଗ ରହିବା କଥା, ସେଠାରେ ନିଜର ଲେଖା ପ୍ରକାଶ କରିବା, ନିଜ ପୁସ୍ତକକୁ ଆଗକୁ ଆଣିବା କିମ୍ବା ନିଜ ପରିଚିତମାନଙ୍କ ମାଧ୍ୟମରେ ନିଜ ସୃଜନର ପ୍ରଚାର କରିବା; ଏସବୁ କେବଳ ନୈତିକ ପ୍ରଶ୍ନ ନୁହେଁ, ଏହା ନୈତିକ ସଂଘାତର ଦୃଷ୍ଟାନ୍ତ।
ସମ୍ପାଦକ ନିଜର ସମ୍ପାଦକୀୟ ଲେଖିବେ; ଏହା ସ୍ୱାଭାବିକ। କିନ୍ତୁ ଯଦି ସମ୍ପାଦକୀୟ ଦାୟିତ୍ୱର ଆଳରେ ନିଜର କବିତା, ଗଳ୍ପ କିମ୍ବା ରଚନାକୁ ବାରମ୍ବାର ପ୍ରକାଶ କରି ଅନ୍ୟ ଲେଖକଙ୍କ ସୁଯୋଗକୁ ସଂକୁଚିତ କରାଯାଏ, ତେବେ ସେଠାରେ ସାହିତ୍ୟିକ ନ୍ୟାୟ କେଉଁଠି ରହିଲା? ପଦ ଯଦି ସାହିତ୍ୟର ଦ୍ୱାର ଖୋଲିବାର ଚାବି ହୁଏ, ତେବେ ସେହି ଚାବିକୁ ନିଜ ଘରର ଦ୍ୱାର ଖୋଲିବା ପାଇଁ ବ୍ୟବହାର କରିବା ନିଶ୍ଚୟ ଏକ ଗମ୍ଭୀର ଅନୈତିକତା।
ପଦପଦବୀ ଚିରସ୍ଥାୟୀ ନୁହେଁ। ଆଜି ଯିଏ ନିର୍ଣ୍ଣୟ ନେଉଛନ୍ତି, କାଲି ସେହି ନିର୍ଣ୍ଣୟର ବାହାରେ ରହିପାରନ୍ତି। ଆଜି ଯିଏ ମଞ୍ଚରେ ମୁଖ୍ୟ ଅତିଥି, କାଲି ସେ ଦର୍ଶକ ମଧ୍ୟରେ ବସିପାରନ୍ତି। ଚଉକି ଛାଡ଼ିବା ପରେ ଯଦି ଜଣେ ବ୍ୟକ୍ତିଙ୍କ ପଛରେ ରହିଯାଏ ଭଲ ସାହିତ୍ୟ, ନୂଆ ଲେଖକଙ୍କୁ ଦିଆଯାଇଥିବା ସୁଯୋଗ, ସତ୍ୟନିଷ୍ଠ ସମ୍ପାଦନା ଓ ଏକ ସୁସ୍ଥ ସାହିତ୍ୟିକ ପରିବେଶ; ତେବେ ସେହି ଅବଦାନ ଦୀର୍ଘଜୀବୀ। ମେଘମାଳା ମଝିରେ ଅଚିରତ୍ୱିଷ କ୍ଷଣକ ପାଇଁ ଆକାଶକୁ ଆଲୋକିତ କରିପାରେ; କିନ୍ତୁ ସେ ସୂର୍ଯ୍ୟ ନୁହେଁ।
କେବଳ ବ୍ୟକ୍ତିବିଶେଷଙ୍କୁ ସମାଲୋଚନା କଲେ ଏହାର ସମାଧାନ ହେବ ନାହିଁ। ସାହିତ୍ୟିକ ପ୍ରତିଷ୍ଠାନଗୁଡ଼ିକୁ କିଛି ସ୍ପଷ୍ଟ ନୈତିକ ନୀତି ଗ୍ରହଣ କରିବାକୁ ହେବ। ଯେପରିକି ସମ୍ପାଦକ, ପଦାଧିକାରୀ, ଜୁରି ସଦସ୍ୟ କିମ୍ବା ନିର୍ଣ୍ଣୟକର୍ତ୍ତା ନିଜର କିମ୍ବା ନିଜ ସଂପୃକ୍ତ ବ୍ୟକ୍ତିଙ୍କ ସୃଜନ ନେଇ ନିର୍ଣ୍ଣୟ ପ୍ରକ୍ରିୟାରୁ ଆବଶ୍ୟକ ସ୍ଥାନରେ ନିଜକୁ ପୃଥକ ରଖନ୍ତୁ। ଯେଉଁଠାରେ ଅନ୍ୟ ଲେଖକଙ୍କ ପାଇଁ ମାନଦଣ୍ଡ ଅଛି, ସେହି ମାନଦଣ୍ଡ ପଦାଧିକାରୀଙ୍କ ପାଇଁ ମଧ୍ୟ ସମାନ ହେଉ। ଚୟନ, ମୂଲ୍ୟାୟନ ପ୍ରକ୍ରିୟା ଓ ଯୋଗ୍ୟତା ମାନଦଣ୍ଡ ସମ୍ପର୍କିତ ନୀତି ସ୍ପଷ୍ଟ ହେବା ଆବଶ୍ୟକ। ନୂଆ କବି, ଗାଳ୍ପିକ, ପ୍ରବନ୍ଧକାର ଓ ଗବେଷକଙ୍କୁ ସୁଯୋଗ ଦେବା ହେଉଛି ପ୍ରତ୍ୟେକ ସାହିତ୍ୟିକ ପ୍ରତିଷ୍ଠାନର ପବିତ୍ର ଦାୟିତ୍ୱ। ନିଜ ହାତରେ ଥିବା ଚାବିଟିକୁ ବ୍ୟବହାର କରି ଆଉ ଶହେ ଜଣ ପ୍ରତିଭାଶାଳୀ ଲେଖକଙ୍କ ପାଇଁ ଦ୍ୱାର ଖୋଲିବା ହିଁ ପ୍ରକୃତ ସାହିତ୍ୟସେବା।
ସର୍ବୋପରି ସାହିତ୍ୟିକ ହେବାର ଆକାଂକ୍ଷାଠାରୁ ସାହିତ୍ୟକୁ ଭଲ ପାଇବାର ଆକାଂକ୍ଷା ବଡ଼ ହେଉ।
-ପ୍ର.ଭୂ
* ଅଚିରତ୍ୱିଷ– ବିଜୁଳି, ବା ଯାହାର ତେଜ କ୍ଷଣସ୍ଥାୟୀ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୬ ସଂଖ୍ୟାରେ ପ୍ରକାଶିତ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ।)
ଧନ୍ୟବାଦ; ସମ୍ପାଦକ ଦାୟିତ୍ଵଟି ଏକ ଗୁରୁ ଦାୟିତ୍ଵ। ଯଦି ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାହାର ଦୁରୁପଯୋଗ କରାଯାଏ, ତେବେ କାହାକୁ କହିବା, କପାଳରେ ସିନା କର ମାରିବା ଭଳି ହୋଇଯିବ।