ବିଦେଶରେ ସାରଳା ମହାଭାରତ: ଗବେଷଣା ଓ ସମ୍ଭାବନା

ଆଜି ସାରଳା ଦାସଙ୍କ ମହାଭାରତ ସମଗ୍ର ବିଶ୍ୱରେ ପରିଚିତ। ପ୍ରାୟ ୩୫ବର୍ଷ ପୂର୍ବେ ଜାପାନରେ ସାରଳା ମହାଭାରତର ତାଳପତ୍ର ପୋଥିର ଅସ୍ତିତ୍ୱ ପ୍ରକାଶ ପାଇଥିଲା। ସେହିପରି ଚୀନ୍‌ରେ ମଧ୍ୟ ଏହାର ତାଳପତ୍ର ପୋଥି ଆବିଷ୍କୃତ ହୋଇଛି।

Udaya Nath Sahoo
ଉଦୟନାଥ ସାହୁ

ମହାଭାରତ ହେଉଛି ଭାରତୀୟ ସଂସ୍କୃତିର ଆଦିଉତ୍ସ। ଏହାର କଥା ଓ ଚରିତ୍ର ଭାରତବର୍ଷର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର ବାହକ। ଏହା ଭାରତବର୍ଷର ଜାତୀୟ ମହାକାବ୍ୟ। ଏଥିରେ ସମଗ୍ର ଭାରତବର୍ଷର ଜନଜୀବନର ଚିତ୍ର ପ୍ରତିଫଳିତ। ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ଗୋଷ୍ଠୀର ଲୋକମାନେ ଭାରତବର୍ଷରେ ପ୍ରାଗ୍ ଐତିହାସିକ ଯୁଗରୁ ଏକତ୍ର ବସବାସ କରିଆସୁଛନ୍ତି। ସମସ୍ତଙ୍କୁ ଏହି ବିଶାଳ ଭୂଖଣ୍ଡରେ ବିବିଧତା ସତ୍ତ୍ୱେ ଏକତାର ସୂତ୍ରରେ ବାନ୍ଧି ରଖିବାରେ ଏହି ଜାତୀୟ ମହାକାବ୍ୟ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଭାରତୀୟମାନଙ୍କର ଜାତୀୟ ଚରିତ୍ର ଗଠନ କରିବାରେ ମହାଭାରତ ଗ୍ରନ୍ଥ ପ୍ରଚୁର ପ୍ରେରଣା ଯୋଗାଇଛି। ତେଣୁ ମହାଭାରତୀୟ ଜାତୀୟ ସଂହତି ଗଠନ କରିବାରେ ସଂସ୍କୃତ ମୂଳ ମହାଭାରତ ସହିତ ଭାରତବର୍ଷର ପ୍ରାଦେଶିକ ଭାଷାରେ ରଚିତ ମହାଭାରତଗୁଡ଼ିକ ବହୁ ଭାବରେ ସହାୟତା କରିଛନ୍ତି। ଭାରତୀୟ ଧର୍ମ, ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସମାଜ, ନୃତ୍ୟ, ଗୀତ, ନାଟକ ଓ କାବ୍ୟ ପ୍ରଭୃତିକୁ ସମୃଦ୍ଧ କରିବାରେ ମହାଭାରତ ଯଥେଷ୍ଟ ପ୍ରେରଣା ଦେଇଆସିଛି। ତେବେ ଏହି ଗ୍ରନ୍ଥର ଅନ୍ତଃସ୍ୱର ହେଉଛି ବିବିଧତା ମଧ୍ୟରେ ଏକତା। ଏହି ଗ୍ରନ୍ଥ ମଧ୍ୟରେ ସାରା ଭାରତବର୍ଷର ଆତ୍ମା।
ବୌଦ୍ଧିକ ପ୍ରଭାବ
ରାମାୟଣ ଓ ମହାଭାରତ ଭାରତୀୟ ଆର୍ଯ୍ୟ ସଭ୍ୟତାର କ୍ରମବିକାଶ ଧାରାରେ ଦୁଇଟି ମାଇଲଖୁଣ୍ଟ। ନୈତିକ ଓ ବୌଦ୍ଧିକ ପ୍ରଭାବ ଦୃଷ୍ଟିରୁ ବିଚାରକଲେ ଭାରତୀୟ ସମାଜ ଓ ସଭ୍ୟତା ଏହି ଦୁଇଟିଯାକ ମହାକାବ୍ୟ ଦ୍ୱାରା ପ୍ରଭାବିତ ହୋଇ ସଭ୍ୟ ଶିକ୍ଷିତ ହୋଇଛନ୍ତି। କିନ୍ତୁ ଭାରତୀୟମାନଙ୍କର ଜୀବନକୁ ଏକତା ଓ ସଂପ୍ରୀତି ଭାବରେ ବାନ୍ଧି ରଖିବାରେ ଏଇ ଦୁଇ ମହାକାବ୍ୟର ଯଥେଷ୍ଟ ଭୂମିକା ରହିଛି। ଭାରତୀୟମାନଙ୍କର ସ୍ୱତନ୍ତ୍ର ଆତ୍ମପରିଚିତି ସୃଷ୍ଟି କରିବାରେ ମହାଭାରତ ମହାକାବ୍ୟର ଯଥେଷ୍ଟ ଅବଦାନ ରହିଛି।

ବିଦେଶରେ ମହାଭାରତର ଅଧ୍ୟୟନ ବିଶ୍ୱ ସାହିତ୍ୟିକ, ସାଂସ୍କୃତିକ, ଧାର୍ମିକ ଓ ତୁଳନାତ୍ମକ ଅଧ୍ୟୟନର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଲଟିଛି। ୟୁରୋପ, ଆମେରିକା, ରୁଷ୍ ଓ ଏସିଆର ବିଦ୍ୱାନମାନେ ପୌରାଣିକ, ଦର୍ଶନ, ଭାଷାବିଜ୍ଞାନ, ନୃତତ୍ତ୍ୱ, ନୀତିଶାସ୍ତ୍ର, ନାରୀବାଦ ଓ ତୁଳନାତ୍ମକ ସାହିତ୍ୟ ଦୃଷ୍ଟିରୁ ଏହି ମହାକାବ୍ୟ ଉପରେ ଗବେଷଣା କରୁଅଛନ୍ତି। ୟୁରୋପରେ ଉପନିବେଶବାଦୀ ଯୁଗର ପ୍ରାରମ୍ଭରେ ପ୍ରାଚ୍ୟବିଦ୍ ବିଦ୍ୱାନମାନେ ସଂସ୍କୃତ ପାଠ୍ୟ ଅନୁବାଦ କରିବା ଆରମ୍ଭ କରିଥିଲେ। ଫଳରେ ମହାଭାରତ ପ୍ରତି ପ୍ରାରମ୍ଭିକ ୟୁରୋପୀୟ ଆଗ୍ରହ ପ୍ରକାଶ ପାଇଥିଲା। ଚାର୍ଲ୍ସ ୱିଲକିନ୍ସ, ପ୍ରେଡିଚ୍ ମ୍ୟାକ୍ସ ଓ ମୋନିଅର୍ ୱିଲିୟମ୍‌ସ ଏହି ମହାକାବ୍ୟର ବ୍ୟାପକ ଅଧ୍ୟୟନ କରିଥିଲେ। ସେହିଭଳି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଚିକାଗୋ ବିଶ୍ୱବିଦ୍ୟାଳୟ, କଲମ୍ବିଆ ବିଶ୍ୱବିଦ୍ୟାଳୟ ପ୍ରଭୃତିରେ ପ୍ରସିଦ୍ଧ ବିଦ୍ୱାନମାନଙ୍କ ଦ୍ୱାରା ପୁନାର ଭଣ୍ଡାରକର ପ୍ରାଚ୍ୟ ଗବେଷଣାରେ ପ୍ରସ୍ତୁତ ମହାଭାରତର ସମାଲୋଚନାମୂଳକ ସଂସ୍କରଣ ବହୁଳ ଭାବରେ ବ୍ୟବହୃତ ହୁଏ। ଏଠାରେ ଯେଉଁ ଦିଗଗୁଡ଼ିକ ପ୍ରତି ଗବେଷଣାର ପ୍ରମୁଖ କ୍ଷେତ୍ର ଅଲୋଚିତ ହୋଇଛି, ସେଗୁଡ଼ିକ ହେଲା, ଦ୍ରୌପଦୀଙ୍କ ନାରୀବାଦୀ ପାଠ, କୁରୁକ୍ଷେତ୍ର ଯୁଦ୍ଧରେ ରାଜନୈତିକ ନୀତିଶାସ୍ତ୍ର, ଆଖ୍ୟାନ ଗଠନ, ମୌଖିକ ପରମ୍ପରା ଓ ପ୍ରଦର୍ଶନ ପ୍ରଭୃତି। ଫ୍ରାନ୍‌ସରେ ମାଡେଲିନ୍ ବିଆର୍ଡୋ ନୃବିଜ୍ଞାନ ଓ ପୌରାଣିକ କାହାଣୀ ମାଧ୍ୟମରେ ମହାଭାରତକୁ ପର୍ଯ୍ୟାଲୋଚନା କରି ମହାଭାରତରେ ସାମାଜିକ ଗଠନ ସଂପର୍କରେ ଅନୁସନ୍ଧାନ କରିଥିଲେ। ରୁଷୀୟ ଭାରତ ବିଜ୍ଞାନୀମାନେ ମହାଭାରତର ଅନୁବାଦ ଓ ବିଶ୍ଳେଷଣ କରିଥିଲେ। ଜର୍ମାନ ବିଦ୍ୱାନମାନେ ମୁଖ୍ୟତଃ ହାଇଡେଲବର୍ଗ ବିଶ୍ୱବିଦ୍ୟାଳୟ ଓ ହାମବର୍ଗ ବିଶ୍ୱବିଦ୍ୟାଳୟରେ ତୁଳନାତ୍ମକ ପୌରାଣିକ କଥା, ଧର୍ମ ଓ ନୀତିଶାସ୍ତ୍ର, ରାଜନୀତିରେ କୃଷ୍ଣଙ୍କ ଭୂମିକା, ଯୁଦ୍ଧର ପ୍ରତୀକ ପ୍ରଭୃତି ବିଷୟରେ ଅଧ୍ୟୟନ ଓ ଗବେଷଣା କରିଥିଲେ। ପ୍ରମୁଖ ବିଶ୍ୱଭାଷାରେ ମହାଭାରତ ମହାକାବ୍ୟର ଅଧ୍ୟୟନ ଓ ଗବେଷଣା ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଧରି ଚାଲିଆସିଛି। ଏହାର ଏକ ସ୍ୱତନ୍ତ୍ର ଇତିହାସ ରହିଛି। ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ଲଣ୍ଡନ ବିଶ୍ୱବିଦ୍ୟାଳୟରେ ମହାଭାରତ ଗବେଷଣାର ଆଧୁନିକ କ୍ଷେତ୍ର ଯଥା – ନାରୀବାଦୀ ଅଧ୍ୟୟନ, ଦ୍ରୌପଦୀ, କୁନ୍ତୀ, ଗାନ୍ଧାରୀ ପ୍ରଭୃତି ଚରିତ୍ରଗୁଡ଼ିକର ବିଶ୍ଳେଷଣ, ପିତୃସତ୍ତ୍ୱ, ଲିଙ୍ଗ ରାଜନୀତି, କ୍ଷମତା ଓ ଅପମାନ ପ୍ରଭୃତି ଉନ୍ମୋଚିତ ହୋଇଛି। ମହାଭାରତକୁ ଗ୍ରୀକ୍ ମହାକାବ୍ୟ, ସେକ୍‌ସପିଅରଙ୍କ ସୃଷ୍ଟି, ଆଧୁନିକ ଯୁଦ୍ଧ ସାହିତ୍ୟ ସହିତ ତୁଳନା କରାଯାଇଛି। ତତ୍‌ସହିତ ଭଗବତ୍ ଗୀତା, ଧର୍ମ, କର୍ମ, ଭାଗ୍ୟ ଏବଂ ସ୍ୱାଧୀନ ଇଚ୍ଛା, ଯୁଦ୍ଧର ନୀତିଶାସ୍ତ୍ର ପ୍ରଭୃତି ବିଷୟରେ ବିଶେଷ ଧ୍ୟାନ ଦିଆଯାଇଛି। ଭାରତୀୟ ସଭ୍ୟତାର ଏହି ଭିତ୍ତିଭୂମି ଦକ୍ଷିଣ-ପୂର୍ବ ଏସିଆରୁ ଆରମ୍ଭକରି ପାଶ୍ଚାତ୍ୟ ଦେଶ ପର୍ଯ୍ୟନ୍ତ ଗଭୀର ପ୍ରଭାବ ପକାଇଛି।
ଭାରତ ବାହାରେ ଦକ୍ଷିଣ-ପୂର୍ବ ଏସିଆରେ ମହାଭାରତର ପ୍ରଭାବ ଅତି ଅଧିକ। ଇଣ୍ଡୋନେସିଆରେ ମହାଭାରତର ଜାଭାନିଜ୍ ସଂସ୍କରଣକୁ ‘ଭାରତ ଯୁଦ୍ଧ (ଏହା ୯୯୦-୧୦୦୬ ଖ୍ରୀଷ୍ଟାବ୍ଦ ପୂର୍ବରୁ ପୁରୁଣା ଜାଭାନିଜ୍ ଭାଷାରେ ଅନୁବାଦ କରାଯାଇଥିଲା) ବୋଲି କୁହାଯାଏ। ଗବେଷକମାନେ ‘ୱାୟାଙ୍ଗ କୁଲିଟ୍‌’ (ଛାୟା ପୁତ୍ତଳିକା ନାଚ)ରେ ମହାଭାରତର ପ୍ରଭାବ ଅନୁଧ୍ୟାନ କରିଥାନ୍ତି। କାମ୍ବୋଡିଆର ବିଶ୍ୱପ୍ରସିଦ୍ଧ ଅଙ୍କୋର ୱାଟ୍ ମନ୍ଦିରର କାନ୍ଥରେ କୁରୁକ୍ଷେତ୍ର ଯୁଦ୍ଧର ଅନେକ ଦୃଶ୍ୟ ଖୋଦିତ ହୋଇଛି। କେତେକ ବିଦ୍ୱାନ ମହାଭାରତର ଯୁଦ୍ଧକୁ ଗ୍ରୀକ୍‌ର ଟ୍ରୋଜାନ୍ ଯୁଦ୍ଧ ସହିତ ତୁଳନାକରି ଗବେଷଣା କରୁଅଛନ୍ତି। ଚୀନ୍ ଓ ଜାପାନ୍‌ରେ ୧୯ଶ ଏବଂ ୨୦ଶ ଶତାବ୍ଦୀରେ ମହାଭାରତ କିଭଳି ସେମାନଙ୍କର ବୌଦ୍ଧିକ ଚିନ୍ତାଧାରାକୁ ପ୍ରଭାବିତ କରିଥିଲା, ସେ ନେଇ ଗବେଷଣା ପୁସ୍ତକ ପ୍ରକାଶ ପାଇଛି। ଇଣ୍ଡୋନେସିଆରେ ମହାଭାରତ ଏତେ ଲୋକପ୍ରିୟ ଯେ ସେଠାରେ ନକୁଳ ଓ ସହଦେବ ନାମରେ ଯମଜ ସନ୍ତାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଫାଉଣ୍ଡେସନ ମଧ୍ୟ ରହିଛି। ମହାଭାରତ ଆଧାରିତ ବିଶ୍ୱସ୍ତରୀୟ ଗବେଷଣାର ଏ ହେଉଛି ସାମାନ୍ୟ ସୂଚନା ମାତ୍ର।
ମାଟିର କବି
ସାରଳା ଦାସ ଓଡ଼ିଶା ମାଟିର ଆଦି ମହାକବି। ମହାଭାରତ ପରି ଏକ ବିରାଟ ଗ୍ରନ୍ଥ ରଚନାକରି ଓଡ଼ିଆ ଜାତିର ଐତିହ୍ୟକୁ ସେ ଯେପରି ଭାବରେ ସ୍ପର୍ଶ କରିଯାଇଛନ୍ତି, ତାହା ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏକ ବିସ୍ମୟୋଦ୍ଦୀପକ ଘଟଣା। ସାରଳା ଦାସ ସୂର୍ଯ୍ୟବଂଶୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ସମକାଳୀନ କବି। କପିଳେନ୍ଦ୍ର ଦେବଙ୍କ ଯୁଗ, ଓଡ଼ିଶା ଇତିହାସରେ ଯଥାର୍ଥତଃ ସୁବର୍ଣ୍ଣଯୁଗ। ଏହି ଯୁଗରେ ଓଡ଼ିଆଜାତି ପ୍ରଥମଥର ପାଇଁ ତା’ ନିଜ ଦେଶର ଓ ନିଜ ଭାଷାର ଜଣେ ମହିମାନ୍ୱିତ ସମ୍ରାଟଙ୍କୁ ପାଇଲା। ଏହି ଯୁଗର ଶ୍ରେଷ୍ଠ ସୃଷ୍ଟି ପୁରୁଷ ହେଉଛନ୍ତି ମହାକବି ସାରଳା ଦାସ। ସାରଳା ମହାଭାରତ ଏକ ସାହିତ୍ୟିକ ଗ୍ରନ୍ଥ। ପୌରାଣିକ ପରିବେଶ ମଧ୍ୟରେ ଏହା ଗଢ଼ି ଉଠିଥିଲେ ହେଁ, ଏହା କିନ୍ତୁ ଯଥାର୍ଥରେ ଓଡ଼ିଶା ରାଜନୈତିକ ଇତିହାସ, ଆଧ୍ୟାତ୍ମିକ ଭାବନା ଓ ସାଂସ୍କୃତିକ ଚେତନାର ଏକ ବିରାଟ ଗନ୍ତାଘର। ସଂସ୍କୃତ ମହାଭାରତରେ ଧାର୍ମିକ, ନୈତିକ ଓ ଆଧ୍ୟାତ୍ମିକ ତତ୍ତ୍ୱର ଗଭୀର ବ୍ୟାଖ୍ୟା କରାଯାଇଛି। କିନ୍ତୁ ସାରଳାଙ୍କ ମହାଭାରତ ଏକ ସ୍ୱତନ୍ତ୍ର ସୃଷ୍ଟି। ସାରଳା ଦାସ ଓଡ଼ିଶାର ସାମାଜିକ ପୃଷ୍ଠଭୂମିକୁ ଆଧାରକରି ମହାଭାରତ ସୃଷ୍ଟି କରିଛନ୍ତି। ପ୍ରାନ୍ତୀୟ ଭାଷାରେ ବିରାଟ ମହାଭାରତ ରଚନାକରି ପ୍ରାନ୍ତୀୟ ଭାଷା ଯେ ଉଚ୍ଚକୋଟୀର ଗ୍ରନ୍ଥ ରଚନା କରିବା ପାଇଁ ଉପଯୁକ୍ତ ମାଧ୍ୟମ ତାହା ସାରଳା ଦାସ ପ୍ରମାଣ କରିଦେଲେ। ଓଡ଼ିଆମାନଙ୍କର ସ୍ୱତନ୍ତ୍ର ଆତ୍ମପରିଚିତି ସୃଷ୍ଟି କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି।

ଆଜି ସାରଳା ମହାଭାରତ ସହ ତାଙ୍କ ସାହିତ୍ୟ ସମଗ୍ର ବିଶ୍ୱରେ ପରିଚିତ। ବିଭିନ୍ନ ଦେଶରେ ସାରଳା ମହାଭାରତରେ ତାଳପତ୍ର ପାଣ୍ଡୁଲିପି ଆବିଷ୍କୃତ ହୋଇଛି। ପ୍ରାୟ ୩୫ବର୍ଷ ପୂର୍ବେ ଜାପାନରେ ସାରଳା ମହାଭାରତର ତାଳପତ୍ର ପୋଥିର ଅସ୍ତିତ୍ୱ ପ୍ରକାଶ ପାଇଥିଲା। ଏହାକୁ ‘ସୁଶିମା ବାୟୋ’ (ସୁଶିମା ତାଳପତ୍ର ପାଣ୍ଡୁଲିପି) ବୋଲି ନାମକରଣ କରାଯାଇଛି। କାରଣ ଯେଉଁଠାରେ ଏହା ଆବିଷ୍କୃତ ହୋଇଥିଲା, ସେହି ଗ୍ରାମର ନାମ ଅନୁସାରେ ଏହା ସୃଷ୍ଟି ହୋଇଛି। ୧୯୯୮ ମସିହାରେ ପ୍ରଫେସର ହୋଜୁନ୍ ନାଗାସାକି (ଓଟାନି ବିଶ୍ୱବିଦ୍ୟାଳୟ, କିଟୋ), ଅଧ୍ୟାପକ ନୋବୁୟୁକି କାଶିୱାଭାରା ଓ ପ୍ରଫେସର ଶୋଭାରାଣୀ ଦାଶ ବ୍ୟାପକ ଗବେଷଣା କରିଥିଲେ। ଏହି ବିଷୟରେ ମାର୍ଚ୍ଚ ୨୦୦୧ରେ ଓଡ଼ିଶାରେ କ୍ଷେତ୍ର ଅଧ୍ୟୟନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏ ସଂପର୍କରେ ଜଣାଯାଏ ଯେ ୧୯୪୧ ମସିହାରେ ସୁଶିମୋ-ଚୋ ଗ୍ରାମର ଟୋମ୍ପିୟୋସି ମୋରିତୋ ନାମକ ଜଣେ ବ୍ୟକ୍ତି ଏହି ପାଣ୍ଡୁଲିପିକୁ ଉୱାଜମା ସହରର ଏକ ପୂଜା ଦୋକାନରୁ କିଛି ପୁରୁଣା ଦଲିଲ ସହ କିଣିଥିଲେ। ସେ ଏହାକୁ ଏକ ବୌଦ୍ଧ ଗ୍ରନ୍ଥ ବୋଲି ଭାବି ତାଙ୍କ ଘରେ ବୁଦ୍ଧଙ୍କ ସହିତ ପୂଜା କରୁଥିଲେ ଏବଂ ପ୍ରତିଦିନ ଧୂପ ଅର୍ପଣ କରୁଥିଲେ। ଏହି ଧୂପ ଅର୍ପଣ ପାଣ୍ଡୁଲିପିକୁ କୀଟପତଙ୍ଗରୁ ରକ୍ଷା କରିଥିଲା। ସେ ଓଟାନି ବିଶ୍ୱବିଦ୍ୟାଳୟ ଓ ଅନ୍ୟ କିଛି ବିଶ୍ୱବିଦ୍ୟାଳୟକୁ ଏହା ଉପରେ ଅଧ୍ୟୟନ ପାଇଁ ଅନୁରୋଧ କରିଥିଲେ ହେଁ କୌଣସି ବିଶ୍ୱବିଦ୍ୟାଳୟ ଆଗ୍ରହୀ ନଥିଲେ। ତା’ପରେ ୧୩ ଜାନୁଆରୀ ୧୯୯୩ ମସିହାରେ ଶ୍ରୀ ମୋରିତା ପାଣ୍ଡୁଲିପିକୁ ସୁଶିମା-ଚୋ’ର ସାମାଜିକ ଶିକ୍ଷା ବିଭାଗକୁ ଦାନ କରିଥିଲେ। ପରେ ଏହାକୁ ସହରର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ବିଭବ ଭାବରେ ଘୋଷିତ ପୂର୍ବକ ଏହାକୁ ଯତ୍ନର ସହିତ ସଂରକ୍ଷିତ ରଖାଯାଇଥିଲା।
କରଣୀ ଲିପିରେ ମହାଭାରତ
ଏହା ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ଲିପିବଦ୍ଧ ହୋଇଥାଇପାରେ ବୋଲି ମତପ୍ରକାଶ ପାଇଛି। ଏହା ମଧ୍ୟଯୁଗୀୟ ଓଡ଼ିଆ ଭାଷାରେ କରଣୀ ଲିପିରେ ଲେଖାଯାଇଛି। ଆରମ୍ଭରେ ଭଗବାନ ଗଣେଶଙ୍କୁ ସଂସ୍କୃତ ଭାଷାରେ କରଣୀ ଲିପିରେ ଆହ୍ୱାନ କରାଯାଇଛି। ଏହା ହେଉଛି ସାରଳା ଦାସଙ୍କ ଲୋକପ୍ରିୟ ମହାଭାରତର ଅଂଶବିଶେଷ। କେବଳ ସେତିକି ନୁହେଁ, ପାଣ୍ଡୁଲିପି ଫୋଲିଓ ୧ର ବାମ ପାଶ୍ୱର୍ରେ ‘ଶ୍ରୀ ମହାଭାରତ ଆରଣ୍ୟକ ପର୍ବ ପ୍ରଥମ ଖଣ୍ଡ, ଲେଖନଃ’ ଶୀର୍ଷକ ସହିତ ଆରମ୍ଭହୋଇ ‘ଶ୍ରୀ ଆରଣ୍ୟକ ପର୍ବ’ ପ୍ରଥମ ଖଣ୍ଡ ସଂପୂର୍ଣ୍ଣ ବାକ୍ୟ ସହିତ ଶେଷ ହୋଇଛି। ପାଣ୍ଡୁଲିପିରେ ଶ୍ରୀ ସାରଳା ଦାସ ନାମକୁ ଅନେକଥର ବ୍ୟବହାର କରାଯାଇଛି। ଏଥିରୁ ପ୍ରମାଣିତ ହୁଏ ଯେ ‘ସୁଶିମୋ ବାୟୋ’ ହେଉଛି ସାରଳା ଦାସଙ୍କ ଦ୍ୱାରା ଲିଖିତ ଓଡ଼ିଆ ମହାଭାରତର ଲିପିବଦ୍ଧ ପାଣ୍ଡୁଲିପି ମଧ୍ୟରୁ ଅନ୍ୟତମ ଏବଂ ଜାପାନରେ ଆବିଷ୍କୃତ ପ୍ରଥମ ଏବଂ ଏକମାତ୍ର ତାଳପତ୍ର ପାଣ୍ଡୁଲିପି ଯାହା କରଣୀ ଲିପି ବ୍ୟବହୃତ ଓଡ଼ିଆ ଭାଷାରେ ଲିଖିତ ହୋଇଛି। ପର୍ବ ବିଭାଜନ ଦୃଷ୍ଟିରୁ ବିଚାରକଲେ ଜଣାଯାଏ ଯେ ସଂସ୍କୃତ ମହାଭାରତ ଓ ସାରଳା ମହାଭାରତରେ ‘ବନପର୍ବ’ ରହିଛି। କିନ୍ତୁ ଭଣ୍ଡାରକର ପ୍ରାଚ୍ୟ ଗବେଷଣା ପ୍ରତିଷ୍ଠାନ, ପୁନେ ଦ୍ୱାରା ପ୍ରକାଶିତ ସଂସ୍କୃତ ଭାଷାରେ ‘ଆରଣ୍ୟକ ପର୍ବ’ରେ ହିଁ ରହିଛି। ‘ସୁଶିମୋ ବାୟୋ’ରେ ବର୍ଣ୍ଣିତ ସମସ୍ତ ଚରିତ୍ର ଓ ସ୍ଥାନ ଓଡ଼ିଶାର। ପ୍ରଭୁ ଜଗନ୍ନାଥଙ୍କୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ହାତ ଓ ପାଦ ବିନା ଏବଂ ସୁରକ୍ଷା ଦେବତା ଭାବରେ ଚିତ୍ରଣ କରାଯାଇଛି। ସାରଳା ଦାସ ଓଡ଼ିଶାର ପରମ୍ପରା ଏବଂ ଐତିହ୍ୟକୁ ପ୍ରାଧାନ୍ୟ ଦେଇଅଛନ୍ତି। ଏହା ସଂସ୍କୃତ ମହାଭାରତର ଓଡ଼ିଆ ଅନୁବାଦ ନୁହେଁ, ବରଂ ଏହା ମହାଭାରତର ଓଡ଼ିଆ ସଂସ୍କରଣ ବୋଲି ଏହି ‘ସୁଶିମୋ ବାୟୋ’ରେ ପ୍ରମାଣିତ ହୋଇଛି। ପ୍ରଫେସର ଶୋଭାରାଣୀ ଦାଶ ଏହି ‘ସୁଶିମୋ ବାୟୋ’ ଉପରେ ଗବେଷଣା କରିଥିଲେ। ଗବେଷଣାର ବିଷୟ ଥିଲା। “ଜାପାନରେ ଆବିଷ୍କୃତ ଓଡ଼ିଆ ମହାଭାରତର ଏକ ଅଧ୍ୟୟନ।” ଏ ପ୍ରବନ୍ଧର ଲେଖକ ମଧ୍ୟ ଏହି ଗବେଷଣାରେ ସଂପୃକ୍ତ।
ଏପ୍ରିଲ୍ ୨୦୧୧ରୁ ମାର୍ଚ୍ଚ ୨୦୧୫ ପର୍ଯ୍ୟନ୍ତ ପୁଣି ‘ସୁଶିମୋ ବାୟୋ’ ସଂପର୍କରେ ଗବେଷଣା ଚାଲୁରହିଲା ପାଣ୍ଡୁଲିପିର ଜାପାନୀ ଓ ଇଂରାଜୀ ଅନୁବାଦ ପ୍ରସ୍ତୁତ କରିବା ପାଇଁ। କାରଣ ଜାପାନୀ ବିଦ୍ୱାନମାନେ ଏହାର ବିଷୟବସ୍ତୁ ସଂପର୍କରେ ଅବଗତ ହୋଇପାରିବେ। ଏହାର ଏକ ସମାଲୋଚନାତ୍ମକ ସଂସ୍କରଣ ପ୍ରସ୍ତୁତ ହୋଇଛି। ‘ସୁଶିମୋ ବାୟୋ’ କିପରି ଜାପାନକୁ ସ୍ଥାନାନ୍ତରିତ ହୋଇଥିଲା, ତାହା ଏପର୍ଯ୍ୟନ୍ତ ରହସ୍ୟମୟ। ଓଡ଼ିଶାରୁ ସମୁଦ୍ର ପଥରେ ଯାତ୍ରା କରିବାର ସମ୍ଭାବନା ଅଧିକ। ଏହା ସର୍ବଜନବିଦିତ ଯେ ଓଡ଼ିଶାର ଦକ୍ଷିଣ-ପୂର୍ବ ଏସିଆ ସହିତ ବାଣିଜ୍ୟିକ ସଂପର୍କଥିଲା। ବିଶେଷକରି ଇଣ୍ଡୋନେସିଆର ବାଲି, ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓ ଦ୍ୱୀପପୁଞ୍ଜ ସହିତ। ତେଣୁ ଏହା ସମ୍ଭବ ହୋଇପାରେ ଯେ ‘ସୁଶିମୋ ବାୟୋ’ ସମୁଦ୍ର ପଥରେ ଓଡ଼ିଶାରୁ ଇଣ୍ଡୋନେସିଆ ଏବଂ ତା’ପରେ ଇଣ୍ଡୋନେସିଆରୁ ଜାପାନ୍ ଯାତ୍ରା କରିଥିଲେ।
(ସୂଚନା: ‘ଅନ୍ ଦି ପାମ୍‌-ଲିଫ୍ ମାନୁସ୍କ୍ରିପ୍ଟ ଅଫ୍ ଦି ସାରଳା ମହାଭାରତ ଦି କଭର୍‌ଡ୍ ଇନ୍ ଜାପାନ୍‌’ – ଶୋଭାରାଣୀ ଦାଶ – ସମ୍ପାଦନା- ଉଦୟନାଥ ସାହୁ ଓ ଶୋଭାରାଣୀ ଦାଶ – ଗ୍ରେଟ୍ ଇଣ୍ଡିଆନ୍ ଏପିକ୍‌ସ୍ – ଇଣ୍ଟରନ୍ୟାସନାଲ୍ ପର୍‌ସ୍‌ପେକ୍ଟିଭ୍‌ସ୍ – ପୃ-୬୩-୭୬, ପ୍ରକାଶକ – ଜେଏନ୍‌ୟୁ ଓ ମନୋହର, ନୂଆଦିଲ୍ଲୀ-୨୦୨୧)


ପ୍ରାଚୀନ ଓଡ଼ିଆ ଜାତି ଜାଭା-ସୁମାତ୍ରା-ବାଲି-ବୋର୍ଣ୍ଣିଓରେ ଉପନିବେଶ ସ୍ଥାପନ କରିବା ଇତିହାସ ସମ୍ମତ। କଳିଙ୍ଗର ନୌବାଣିଜ୍ୟିକ କାହାଣୀ ବିଶ୍ୱ ଇତିହାସରେ ପ୍ରସିଦ୍ଧ। ଖ୍ରୀଷ୍ଟପୂର୍ବ ସମୟରୁ କଳିଙ୍ଗ ଅଧିବାସୀମାନଙ୍କର ବାଣିଜ୍ୟ ନିମିତ୍ତ ବିଦେଶ ଯାତ୍ରା ବହୁ ପୁରାତନ ଗ୍ରନ୍ଥରେ ମଧ୍ୟ ଲିପିବଦ୍ଧ। ନୌବାଣିଜ୍ୟ ମାଧ୍ୟମରେ ବ୍ରହ୍ମଦେଶ, ଥାଇଲାଣ୍ଡ, କାମ୍ବୋଡିଆ, ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ଚୀନ, ରୋମ୍‌, ଜାପାନ ତଥା ଆଫ୍ରିକା ସହିତ ଓଡ଼ିଶାର ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କ ରହିଥିଲା। କେତେଜଣ କଳିଙ୍ଗ ନାବିକ ଜାଭା ଉପକୂଳରେ ଉପନିବେଶ ସ୍ଥାପନ କରିଥିଲେ ଏବଂ ସେହିବର୍ଷଠାରୁ ସେଠାରେ ଏକ ନୂତନ ଅଙ୍କ ଚଳିଆସୁଛି। ସେମାନେ କଳିଙ୍ଗ ଉପାଧି ଦ୍ୱାରା ଜାଭା ଦ୍ୱୀପର ଅନ୍ୟାନ୍ୟ ବାସିନ୍ଦାଙ୍କଠାରୁ ଚିହ୍ନିତ ହେଉଛନ୍ତି। ଚୀନ୍ ଓ ଓଡ଼ିଶାର ରାଜାମାନଙ୍କ ମଧ୍ୟରେ ଉପଢ଼ୌକନ ଆଦିର ଆଦାନପ୍ରଦାନ ଚଳୁଥିଲା, ଯାହା ଦଇବଂଶ, ଲଳିତବିସ୍ତର ଓ ସିଭଙ୍କି ପ୍ରଭୃତି ବୌଦ୍ଧ ଗ୍ରନ୍ଥରେ ଏହାର ପ୍ରମାଣ ମିଳେ।
ଜାଭାରେ ଓଡ଼ିଆ ପୋଥି
ଉତ୍କଳୀୟ ଲୋକମାନେ ଯେତେବେଳେ ଜାଭାକୁ ଆସିଲେ, ସ୍ୱାଭାବିକ ଭାବେ ନେଇଆସିଥିଲେ ସେମାନଙ୍କ ଧର୍ମଗ୍ରନ୍ଥ ସବୁ ପୋଥି ଆକାରରେ କିମ୍ବା ସ୍ମୃତିରେ। ଏସବୁ ମଧ୍ୟରେ ମହାଭାରତ ହିଁ ଜାଭାର ଲୋକମାନଙ୍କର ପ୍ରିୟତମ ହୋଇଉଠିଥିଲା। ମହାଭାରତର ୧୮ଟି ପର୍ବ ମଧ୍ୟ ଜାଭାରୁ ଲୋକନାଟକରେ ରୂପାନ୍ୱିତ ହୋଇଗଲା। ଜାଭାର ଏକାଦଶ ଶତାବ୍ଦୀର ରାଜା ଐରଲଙ୍ଗ (୧୦୧୯-୪୨ ଖ୍ରୀ)ଙ୍କ ଶାସନକାଳରେ ଏହି ନାଟକାୟିତ କଥାସବୁ ରାଜ୍ୟରେ ରଚିତ ହୋଇଥିଲା, ଯାହା ନିକଟ ଅତୀତରେ ଆବିଷ୍କୃତ ହୋଇଛି ଏବଂ ଡଚ୍ ବିଦ୍ୱାନମାନଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ପ୍ରାଚୀନ ଜାଭା ଭାଷାରେ ମହାଭାରତର କଥା ସମୂହକୁ ନେଇ ରଚିତ ଅନେକ ‘କାକୀବିନ୍‌’ ମଧ୍ୟରୁ ୩୬ ଅଧ୍ୟାୟ ବିଶିଷ୍ଟ ‘ଅର୍ଜ୍ଜୁନ ବିବାହ’, କବି କଣ୍ୱଙ୍କ ଦ୍ୱାରା ରାଜା ଐରଲଙ୍ଗଙ୍କ ଶାସନ କାଳରେ ରଚିତ ହୋଇଥିଲା। ‘ହରିବିଜୟ’, ‘ରତ୍ନବିଜୟ’ ‘ଘଟୋତ୍କଚାଶ୍ରୟ’, ‘ଇନ୍ଦ୍ରବିଜୟ’, ‘କୃଷ୍ଣାନ୍ତକ’ ପ୍ରଭୃତି ବହୁକଥା ପ୍ରମାଣିତ କରେ ଯେ ମହାଭାରତର ଏସବୁ କଥା ଜାଭାକୁ ଦ୍ୱୀପାନ୍ତରିତ ହୋଇଥିଲା ଭାରତରୁ ଏବଂ ଏହାର ପ୍ରଧାନ ସୂତ୍ରଧର ଥିଲେ କଳିଙ୍ଗର ଅଧିବାସୀମାନେ। କାରଣ କଳିଙ୍ଗ ବ୍ୟତୀତ ଅନ୍ୟ କୌଣସି ଭାରତୀୟଙ୍କ ଉପନିବେଶ ସ୍ଥାପନ ଏସବୁ ଦ୍ୱୀପାଞ୍ଚଳରେ ଏପର୍ଯ୍ୟନ୍ତ ସାବ୍ୟସ୍ତ ହୋଇନାହିଁ। ମହାଭାରତର ସ୍ଥାନ ଓ ପାତ୍ର ଜାଭାର ଲୋକମାନଙ୍କ ପାଇଁ ପରିଚିତ ଥିଲା, ଯେପରିକି ଜାଭାରେ ଘଟିତ ଘଟଣା। ଜାଭାର ରାଜପୁରୁଷଗଣ ପାଣ୍ଡବ ଓ ଯାଦବ ବଂଶର ବୋଲି ମଧ୍ୟ ଦାବି କରିଥିଲେ, ଯେପରି ସାରଳା ମହାଭାରତରେ ‘ପୁରୁ ମହୀପତି’ଙ୍କୁ କୁହାଯାଇଛି ‘ଓଡ଼ିଆଣୀ ଭାରିଜାର ଅଟଇ ସନ୍ତତି’ ବୋଲି।
ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଜାଭାରେ ଦେଖାଦେଇଥିଲା ଏକ ପୁନର୍ଜାଗରଣ ବା ରେନେସାଁ ଯାହା ଓଡ଼ିଶାରେ ପରବର୍ତ୍ତୀ ଶତାବ୍ଦୀ ଅର୍ଥାତ୍ ଊନବିଂଶ ଶତାବ୍ଦୀରେ ଘଟିଥିଲା। ଏହି ସମୟରେ ପ୍ରାଚୀନ ଯୁଗ ସମ୍ବନ୍ଧରେ ଏକ ଅନୁସନ୍ଧିତ୍ସା ଦେଖାଦେଇଥିଲା ଏବଂ ପ୍ରାଚୀନ ସାହିତ୍ୟର ପୁନରୁଦ୍ଧାର ପାଇଁ ମୂଳପୋଥି ଅନ୍ତତଃ ଉପଲବ୍‌ଧି ଥିଲା, କିନ୍ତୁ ସାରଳା ମହାଭାରତର ମୂଳପୋଥି ବୋଲି କିଛିନାହିଁ। ଜାଭାର ଲକୋନ୍‌ଗୁଡ଼ିକ ମୂଳ ମହାଭାରତକୁ ଅବିକଳ ଅନୁସରଣ କରିନାହିଁ, ଯେପରି ସାରଳା ମହାଭାରତରେ ମଧ୍ୟ ତାହା ହିଁ ହୋଇଅଛି। ସାରଳା ମହାଭାରତ ଏକ ସ୍ୱତନ୍ତ୍ର ସୃଷ୍ଟି। ସେ ମୂଳଗ୍ରନ୍ଥର କ୍ରମକୁ ଭାଙ୍ଗି ଅନେକ ନୂତନ କଥାବସ୍ତୁ ଯୋଗ କରିଅଛନ୍ତି। ଯଥା – ସିଂହ ଶୃଗାଳ କଥା, ତୁଳସୀବଣ ବାଘ, ତୁଳାମୁହାଁ କାଙ୍କ, ବାବନାଭୂତ ପ୍ରସଙ୍ଗ, ଅଳସୁଆ ବିବରଣ ପ୍ରଭୃତି। ସତ୍ୟଆମ୍ବକଥା, ନବଗୁଂଜର କଥା, ରକ୍ତନଦୀ ସନ୍ତରଣ ପ୍ରଭୃତିକୁ ସାରଳା ଦାସଙ୍କ ମୌଳିକ ସୃଷ୍ଟି ରୂପେ ଗ୍ରହଣ କରିନେବା ଅପେକ୍ଷା ସେସବୁ ବିଷୟରେ ଅଧିକ ଅନୁସନ୍ଧାନ କରାଯାଇ ତାଙ୍କ ପୂର୍ବକାଳୀନ ଓଡ଼ିଶାର ଲୋକସମାଜର ସୃଷ୍ଟି ବୋଲି ଗ୍ରହଣ କରାଯାଇପାରେ। ତେବେ ସାରଳା ମହାଭାରତର ଲୋକକଥା ସହିତ ଜାଭାର ଲୋକକଥାଗୁଡ଼ିକର ସାମଞ୍ଜସ୍ୟ ରହିଛି। ଏସବୁ ବିଷୟ ଗବେଷଣାର ଅପେକ୍ଷା ରଖେ।
ଚୀନ୍‌ରେ ଓଡ଼ିଆ ପୋଥି
ସେହିପରି ନିକଟରେ ଚୀନ୍‌ରେ ପ୍ରାୟ ଏକ ହଜାର ଓଡ଼ିଆ ତାଳପତ୍ର ପୋଥି ଆବିଷ୍କୃତ ହୋଇଛି। ତନ୍ମଧ୍ୟରେ ରହିଛି, ସାରଳା ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ପ୍ରଭୃତି ଅନେକ ପ୍ରାଚୀନ ଗ୍ରନ୍ଥ। ସେସବୁର ପୁନରୁଦ୍ଧାର ସହ ଭ୍ରମ ପ୍ରମାଦପୂର୍ଣ୍ଣ ସମ୍ପାଦନାରୁ ସାରଳା ଦାସଙ୍କ ମହାଭାରତକୁ ମୁକ୍ତକରି ତା’ର ଶୁଦ୍ଧ ସମ୍ପାଦନା ଓ ଶୁଦ୍ଧ ସଂସ୍କରଣ ପ୍ରକାଶ କରିବା ଆମର କର୍ତ୍ତବ୍ୟ। ଏବେ ଆମେରିକାର ଚିକାଗୋରେ ସାରଳା ମହାଭାରତ ସଂପର୍କରେ ସୁଚିତ୍ରା ଦାସ ଗବେଷଣା କାର୍ଯ୍ୟ ଆରମ୍ଭ କରିଅଛନ୍ତି। ଏହାସହିତ ୩୦ ଅଗଷ୍ଟ, ୨୦୨୫ ମସିହାଠାରୁ ସାରଳା ମହାଭାରତ ଆଲୋଚନା ସିରିଜ୍ ଆରମ୍ଭ କରିଅଛନ୍ତି। ଏହି ସିରିଜ୍ ଆମରଐତିହ୍ୟ ଓ ସାହିତ୍ୟକୁ ସଂରକ୍ଷଣ କରିବ ଏବଂ ଓଡ଼ିଆ ସାଧାରଣ ଲୋକଙ୍କ ମଧ୍ୟରେ ଏ ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ପରିଶେଷରେ କୁହାଯାଇପାରେ ଯେ ସାରଳା ଦାସଙ୍କ ମହାଭାରତ ଓ ସାହିତ୍ୟ ସଂପର୍କରେ ବିଦେଶରେ ଯେଉଁସବୁ ବିଶେଷ ଗବେଷଣା ଜାରି ରହିଛି, ସେସବୁ କେବଳ ସାହିତ୍ୟିକ ଅଧ୍ୟୟନ ନ ହୋଇ ଏକ ସାଂସ୍କୃତିକ ଅଧ୍ୟୟନ ହେବା ଆବଶ୍ୟକ। ବିଦେଶୀ ବିଦ୍ୱାନମାନେ ସାରଳା ଦାସଙ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରନ୍ତି, କାରଣ ସଂସ୍କୃତ ମହାଭାରତଠାରୁ ଏହା ଅନେକ ଦୃଷ୍ଟିରୁ ଭିନ୍ନ। ଯଥା – ସ୍ଥାନୀୟ ଓଡ଼ିଆ ସଂସ୍କୃତିର ସଂପର୍କ, ମାନବୀୟ ଚରିତ୍ର, ଲୋକ କାହାଣୀ ପ୍ରକାଶରେ ନୂତନ ଶୈଳୀ, ସାମାଜିକ ଓ ନୀତିଗତ ଆଲୋଚନା ଏବଂ ଦୃଢ଼ ଆଞ୍ଚଳିକତା ବା ଆଞ୍ଚଳିକ ପରିଚୟ। ତେଣୁ ବିଦ୍ୱାନମାନେ ଭାରତୀୟ ସଂସ୍କୃତିର ମୂଳଉତ୍ସ, ଭାଷାଗତ ବିବିଧତା, ମୌଖିକ ପରମ୍ପରା, ସାମାଜିକ ବାସ୍ତବବାଦିତା, ଭକ୍ତି ପରମ୍ପରା ଓ ସ୍ଥାନୀୟ ଦର୍ଶନର ଗୁରୁତ୍ୱ ସଂପର୍କରେ ଅଧିକ ଗବେଷଣା ନିମିତ୍ତ ସାରଳା ମହାଭାରତ ପ୍ରତି ବିଶେଷ ଆଗ୍ରହ ପ୍ରଦର୍ଶନ କରନ୍ତି। ବିଦେଶୀ ରାଷ୍ଟ୍ରଗୁଡ଼ିକରେ ସାରଳା ମହାଭାରତକୁ ଯେଉଁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିଛି, ସେଥିପାଇଁ ଆମେ ଗର୍ବିତ ଏବଂ ଏହାର ସମ୍ଭାବନା ମଧ୍ୟ ବେଶ୍ ଉଜ୍ଜ୍ୱଳ। ଏହାହିଁ ଆମର ପ୍ରକୃତ ଅସ୍ମିତା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

One thought on “ବିଦେଶରେ ସାରଳା ମହାଭାରତ: ଗବେଷଣା ଓ ସମ୍ଭାବନା

  1. ସାରଳା ମହାଭାରତର ଗବେଷଣା ଆହୁରି ଆଗକୁ ଯାଉ।

Leave a Reply

Your email address will not be published. Required fields are marked *