ପ୍ରବନ୍ଧର ଭିତ୍ତି ଓ ଭୂତି

ନିଜର କ୍ଷୁଦ୍ର ବା ବିସ୍ତୀର୍ଣ୍ଣ କଳେବର ଭିତରେ ମୌଳିକତାର ମନ୍ତ୍ର ପାଠ କରି ପ୍ରବନ୍ଧ ଆମ ଚେତନାକୁ ନୂଆ ନୂଆ ଭାବ ଭାବନାରେ ଋଦ୍ଧିମନ୍ତ କରେ।

ମନୋରଂଜନ ମହାନ୍ତି

ପୃଥିବୀର ବିଭିନ୍ନ ଭାଷାରେ ରାଶିରାଶି ପ୍ରବନ୍ଧ ଲେଖାଯାଇଛି। ଆମ ଚାରିପଟରେ ଆମେ ଦେଖୁଥିବା ବସ୍ତୁ, ଲକ୍ଷ୍ୟ କରୁଥିବା ଅଗଣିତ ଘଟଣା ପ୍ରତି ଜଣେ ପ୍ରାବନ୍ଧିକର ଅନ୍ତଃକରଣରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୁଏ, ସେଥିରୁ ଜନ୍ମହୁଏ ପ୍ରବନ୍ଧ। କ୍ଷିତି, ଅପ୍‌, ତେଜ, ବ୍ୟୋମ, ମରୁତକୁ ଆଧାର କରି ଲେଖାଯାଇପାରେ ପ୍ରବନ୍ଧ। ସତ୍ୟ, ଶାନ୍ତି, ଶୀଳ, ଦୟା, କ୍ଷମାକୁ ଶୀର୍ଷକ କରି ସୃଷ୍ଟି କରାଯାଇପାରେ ଉନ୍ନତ ପ୍ରବନ୍ଧ-ସାହିତ୍ୟ। ପ୍ରବନ୍ଧର ପରିସର ତେଣୁ ଦେହ-ଦେବାଳୟରୁ ଦୂର ଦିଗ୍‌ବଳୟ, ମନୋମଣ୍ଡଳରୁ ନକ୍ଷତ୍ରମଣ୍ଡଳ, ବ୍ୟକ୍ତି-ପ୍ରାଣର ପ୍ରାଚୁର୍ଯ୍ୟରୁ ବିଶ୍ୱ-ସୃଷ୍ଟିର ଐଶ୍ୱର୍ଯ୍ୟ ପର୍ଯ୍ୟନ୍ତ ପ୍ରଲମ୍ବିତ।
ଜଣେ ମୌଳିକ ଦୃଷ୍ଟିସମ୍ପନ୍ନ ପ୍ରାବନ୍ଧିକ ପୃଥିବୀର ଯେକୌଣସି ବିଷୟରେ ପ୍ରବନ୍ଧ ଲେଖିପାରନ୍ତି। ଯେମିତି ଜେଓଫେରି ଚସର୍ ଇଂଲଣ୍ଡ୍‌ରେ ଚତୁର୍ଦ୍ଦଶ ଶତାବ୍ଦୀର ଭିନ୍ନଭିନ୍ନ ଲୋକଚରିତ୍ରକୁ ଦୃଷ୍ଟିରେ ରଖି ‘ଏ ପ୍ରୋଲୋଗ୍ ଟୁ କ୍ୟାଣ୍ଟର୍‌ବରୀ ଟେଲ୍ସ୍‌’ କବିତା ଲେଖନ୍ତି, ଠିକ୍ ସେମିତି ଫ୍ରାନ୍‌ସିସ୍ ବେକନ୍ ମଣିଷର ଭଲମନ୍ଦ ପ୍ରବୃତ୍ତିଗୁଡ଼ିକୁ ଭିତ୍ତିକରି ପ୍ରବନ୍ଧ ଲେଖନ୍ତି। ‘ଅଫ୍ ଏନ୍‌ଭି’ (ଈର୍ଷା ସମ୍ପର୍କରେ), ‘ଅଫ୍ ମ୍ୟାରେଡ୍ ଆଣ୍ଡ୍ ସିଙ୍ଗଲ୍ ଲାଇଫ୍‌’ (ବୈବାହିକ ଓ ଏକ୍‌ଲା ଜୀବନ ସଂପର୍କରେ) ଓ ଆହୁରି ଅନେକ ପ୍ରବନ୍ଧରେ ବେକନ୍‌ଙ୍କର ଅତି ଉନ୍ନତ ଚିନ୍ତନର ଉତ୍ତରଣ ଓ ସର୍ଜନଧର୍ମୀ ଊର୍ଜାର ଉତ୍ତୋଳନ ଲକ୍ଷ୍ୟ କରାଯାଏ। ଇଂରାଜୀ ସାହିତ୍ୟରେ ଏ.ଜି.ଗାର୍ଡିନର୍‌, ଆଡିସନ୍ ଓ ଷ୍ଟିଲି ପ୍ରମୁଖଙ୍କ ପ୍ରବନ୍ଧ ରଚନା ଏହି ପର୍ଯ୍ୟାୟର। ସେମାନଙ୍କ ପ୍ରବନ୍ଧଗୁଡ଼ିକ ଖୁବ୍ ମନନଶୀଳ, ଜୀବନଧର୍ମୀ, ମର୍ମସ୍ପର୍ଶୀ। ଜୀବନ ଓ ଜଗତକୁ ଅନ୍ତର୍ଦୃଷ୍ଟିର ସହିତ ଅଧ୍ୟୟନ, ଅନୁଶୀଳନ କରିଥିବାରୁ ସେମାନଙ୍କ ପ୍ରବନ୍ଧଗୁଡ଼ିକୁ ସାହିତ୍ୟ-ସମୁଦ୍ରର କର୍ଣ୍ଣଧାର କହିଲେ ଅତ୍ୟୁକ୍ତି ହେବନାହିଁ।

ତିନୋଟି ପର୍ଯ୍ୟାୟ
ଉଚ୍ଚକୋଟୀର ମୌଳିକ ପ୍ରବନ୍ଧ ରଚନା ପାଇଁ ତିନୋଟି ପର୍ଯ୍ୟାୟର ପ୍ରୟୋଜନୀୟତା ରହିଛି। ୧ମରେ ଜୀବନ ସହିତ ପରୀକ୍ଷଣ (ଏକ୍ସପେରିମେଣ୍ଟ୍‌), ୨ୟରେ ଜୀବନକୁ ଏକାଗ୍ରଚିତ୍ତରେ ନିରୀକ୍ଷଣ (ଅବ୍‌ଜର୍‌ଭେସନ୍‌) ଏବଂ ୩ୟରେ ଜୀବନ ସମ୍ବନ୍ଧିତ ସିଦ୍ଧାନ୍ତ ଗ୍ରହଣ (ଇନ୍‌ଫରେନ୍ସ୍‌)। ଜଗତ୍ ମଧ୍ୟରେ ଜୀବନର ସମଗ୍ରତାକୁ ଉପଲବ୍‌ଧି କରିବା, ଜୀବନ-ଜାହ୍ନବୀର ଅଗଣିତ ସ୍ରୋତକୁ ମନୋଯୋଗର ସହିତ ଲକ୍ଷ୍ୟ କରିବା, ଜୀବନ ଓ ଜଗତ୍ ମଧ୍ୟରେ ସାତ୍ତ୍ୱିକ ସମ୍ବନ୍ଧ ସଂସ୍ଥାପନ କରିବା ଦିଗରେ ଜଣେ ଉତ୍ତମ ପ୍ରାବନ୍ଧିକ ସବୁବେଳେ ଯତ୍ନଶୀଳ। ଉତ୍ତମ ପ୍ରବନ୍ଧ-ପୁସ୍ତକଟିଏ ତେଣୁ ଜୀବନକୁ ପୂର୍ଣ୍ଣ କରେ; ଜୀବନ ଓ ଜଗତ୍‌ର ସ୍ତବପାଠ କରେ ଅର୍ଥାତ୍ ଜୀବନ ମଙ୍ଗଳମୟ, ଜଗତ୍ ଅମୃତମୟ ବୋଲି ଉଦ୍‌ଘୋଷଣା କରେ; ମନୁଷ୍ୟକୁ ଶୁକ୍ଳକର୍ମା, ଶୁଚିଶୀଳ ହୋଇ ଜୀବନ ଓ ଜଗତ୍‌କୁ ମଧୁମଞ୍ଜୁଳ କରିବାର ଆହ୍ୱାନ ଦିଏ। ଉତ୍ତମ ପ୍ରବନ୍ଧ-ପୁସ୍ତକଟିଏ ସ୍ତନୟିତ୍ନୁ (ମେଘଖଣ୍ଡ) ସଦୃଶ। ବାୟୁମଣ୍ଡଳରେ ଉତ୍ତାପ ଅତ୍ୟଧିକ ଅନୁଭୂତ ହେଲେ ପରବର୍ତ୍ତୀ ସମୟରେ ମେଘ ଘନୀଭୂତ ହୋଇ ବର୍ଷା ହେଲା ପରି ଜୀବନ ଓ ଜଗତ୍‌ରେ ନୈରାଶ୍ୟ, ଅବିଶ୍ୱାସର ଉତ୍ତାପ ବୃଦ୍ଧି ପାଇଲେ ଉତ୍ତମ ପ୍ରବନ୍ଧ-ପୁସ୍ତକଟିଏ ମଣିଷର ମନୋଭୂମିରେ ଆଶା, ବିଶ୍ୱାସର ମେଘ ବର୍ଷାକରେ ଅର୍ଥାତ୍ ମଣିଷକୁ ନୈରାଶ୍ୟ ଅବିଶ୍ୱାସ ପରିହାର କରି ଆଶାବିଶ୍ୱାସର ଜଳରାଶିରେ ଅବଗାହିତ ହେବା ପାଇଁ ଅନୁପ୍ରାଣିତ, ଅନୁପ୍ରେରିତ କରେ। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ମୌଳିକ ପ୍ରବନ୍ଧ-ପୁସ୍ତକ ‘ସାଧନା’, ଯାହା ମଣିଷର ଅନ୍ତଃପ୍ରକୃତି, ବହିଃପ୍ରକୃତି ଓ ବିଶ୍ୱସ୍ରଷ୍ଟାଙ୍କ ଜାଗତିକ ଲୀଳା ଆଧାରିତ, ତାକୁ ପଢ଼ିଲେ ପାଠକର ଚିନ୍ତନ ସ୍ୱତଃସ୍ଫୂର୍ତ୍ତ ଭାବରେ ସତ୍ତ୍ୱଗୁଣର ଶୈଳ ଶିଖରରେ ସମାରୂଢ଼ ହୁଏ। ପୁସ୍ତକଟିର ସମସ୍ତ ପ୍ରବନ୍ଧ ମଣିଷ ମନରେ ଆଶା ସଂଚାରକରେ, ବିଶ୍ୱାସ ଭରିଦିଏ, ଆଶା ବିଶ୍ୱାସର ହୋମଶିଖାରେ ମଣିଷର ମନୋମଣ୍ଡଳକୁ ପ୍ରଜ୍ଜ୍ୱଳିତ କରିବାର ପ୍ରୟାସ କରେ। ଗୋଟେ ଉତ୍ତମ ପ୍ରବନ୍ଧ ଜୀବନର ଯାଜ୍ଞିକ, ଜଗତ୍‌ର ଅଗ୍ନିହୋତ୍ରୀ, ପରମାର୍ଥର ପ୍ରତିଭୂ, ପ୍ରୀତିର ଅମ୍ଳାନ ପ୍ରସୂନ, ପ୍ରତ୍ୟୟର ଅସୀମ ପାରାବାର, ପ୍ରେରଣାର ପ୍ରଜ୍ଞାଦୀପ୍ତ ପୁରୋହିତ। ‘ସାଧନା’ ପୁସ୍ତକ ଅନ୍ତର୍ଗତ ପ୍ରତ୍ୟେକଟି ପ୍ରବନ୍ଧ ପଢ଼ିଲେ ପାଠକର ଚିତ୍ତ-ଚକ୍ରବାଳ ସେହିଭଳି ସକାରାତ୍ମକତାର ସୌରରଶ୍ମିରେ ରଂଜିତ ହୋଇଉଠେ।
ଯେଉଁ ପ୍ରବନ୍ଧ-ପୁସ୍ତକ ପ୍ରାବନ୍ଧିକର ମୌଳିକ ଚିନ୍ତନ ପ୍ରସୂତ ତା’ର ସ୍ୱାଦ ସ୍ୱତନ୍ତ୍ର। ତାହା ସମ୍ପୂର୍ଣ୍ଣ ନିଜସ୍ୱ ଅନୁଭୂତି, ଅନୁଭବ ସର୍ବସ୍ୱ ; ନିଜସ୍ୱ ଜିଜ୍ଞାସା, ଜାଗୃତିର ପରିପ୍ରକାଶ; ନିଜ ଧ୍ୟାନ ଓ ଧାରଣାର ଧୀମନ୍ତ ପ୍ରକଟନ; ନିଜର ବିପୁଳ ବିଶ୍ୱଦୃଷ୍ଟିର ଉଦାତ୍ତ ଉଚ୍ଚାରଣ। ସେପରି ପ୍ରବନ୍ଧ ସ୍ୱୟଂ ଗୋଟେ ଦିଗନ୍ତସ୍ପର୍ଶୀ ଦର୍ଶନ, ଯାହା ଅବଲୀଳା କ୍ରମେ ସ୍ପର୍ଶ କରିଯାଉଥାଏ ଜୀବନର ବିବିଧ ବର୍ଣ୍ଣିଳ ଦିଗ ଦିଗନ୍ତକୁ। ବରୋଦା ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର୍ ଅରବିନ୍ଦ ଘୋଷ ସୁଦୂର ପଣ୍ଡିଚେରୀରେ ଅଧ୍ୟାତ୍ମ ସାଧନାରେ ଅଭିନିବିଷ୍ଟ ହୋଇ ରୂପାନ୍ତରିତ ହୁଅନ୍ତି ଶ୍ରୀ ଅରବିନ୍ଦରେ ଏବଂ ରଚନା କରନ୍ତି ସୁଉଚ୍ଚମାନର ପ୍ରବନ୍ଧ ପୁସ୍ତକ ‘ଦି ଫିଉଚର୍ ପୋଏଟ୍ରି’, ଯେଉଁଥିରେ କବିତାକୁ କେବଳ ଈଶ୍ୱରୀୟ ବିଭୂତି ଓ ଆନନ୍ଦର ତିଳକ ବା ଶୀର୍ଷବିନ୍ଦୁ ଭାବରେ ବିଚାର କରାଯାଏ ନାହିଁ, ବରଂ ମଣିଷର ସାଧାରଣ ମନ, ଉଚ୍ଚତର ମନ, ଆଲୋକିତ ମନ, ବୋଧିମନ, ଅଧିମାନସର ଊର୍ଦ୍ଧ୍ୱରେ ଅତିମାନସର ରମ୍ୟ ରୂପାୟଣ ଭାବରେ ଗ୍ରହଣ କରାଯାଏ।
ରସୋତ୍ତୀର୍ଣ୍ଣ ସ୍ତର
ତେଣୁ ଉଚ୍ଚମାନର ପ୍ରବନ୍ଧ ପାଠକକୁ ଜୀବନର ରସୋତ୍ତୀର୍ଣ୍ଣ ପର୍ଯ୍ୟାୟକୁ ପ୍ରେରିତକରେ। କବିବର ରାଧାନାଥ ରାୟ ‘ବିବେକୀ’ ଶୀର୍ଷକରେ ପ୍ରବନ୍ଧଟିଏ ଲେଖିଥିଲେ, ଯାହାକୁ ତାଙ୍କର ଜୀବନ ପ୍ରତି ବାସ୍ତବ ଦୃଷ୍ଟିର ବିଭୂତି କହିଲେ ଯଥାର୍ଥ ହେବ। ‘ସତ୍ୟ ସେ ଚଳାଉଛି ରବିଙ୍କି ନଭେ / ସତ୍ୟରେ ଚାଲୁଛନ୍ତି ଗ୍ରହ ସରବେ। ସତ୍ୟରେ ଦିଏ ପ୍ରଭା ଶଶି ନିଶାରେ / ବ୍ରହ୍ମାଣ୍ଡ ମାଳ ଗୁନ୍ଥା ସତ୍ୟର ତାରେ।’ ଭଳି କୋମଳ, କମନୀୟ ପଦ ସମୂହର ସ୍ରଷ୍ଟା ରାଧାନାଥ ‘ବିବେକୀ’ ପ୍ରବନ୍ଧରେ କହନ୍ତି ‘ବିବେକ’ ହେଉଛି ସତ୍ୟସ୍ୱରୂପ, ଯାହା ଆମକୁ ଭଲ-ମନ୍ଦ, ଠିକ୍‌-ଭୁଲ୍‌, ଆଲୁଅ-ଅନ୍ଧାର, ପାପ-ପୁଣ୍ୟ’ର ପ୍ରଭେଦ ସୂଚାଇଦିଏ ଏବଂ ଆମକୁ ଉଚିତ୍ ମାର୍ଗଦର୍ଶନ କରେ। ପ୍ରବନ୍ଧଟିକୁ ପଢ଼ିଲେ ଦୁଇଜଣ ସ୍ୱନାମଧନ୍ୟ ପ୍ରାବନ୍ଧିକ ମନକୁ ଆସନ୍ତି: ଜଣେ ଜର୍ମାନୀର ଇମାନୁଏଲ୍ କାଣ୍ଟ୍‌, ଆଉ ଜଣେ ଆମେରିକାର ରାଲ୍‌ଫ୍ ୱାଲ୍‌ଡୋ ଇମର୍ସନ୍। କାଣ୍ଟ୍ କହନ୍ତି, ବିବେକ ହେଉଛି ସଂସାରର ସର୍ବଶ୍ରେଷ୍ଠ ଦାର୍ଶନିକ। ଇମର୍ସନ୍ କହନ୍ତି, ଚରିତ୍ରବାନ ବ୍ୟକ୍ତି ହିଁ ବିଶ୍ୱର ବିବେକ। ଇମର୍ସନ୍‌ଙ୍କ ଶିଷ୍ୟ ହେନରୀ ଡାଭିଡ୍ ଥରୋ ମଧ୍ୟ ଥିଲେ ଜଣେ ପ୍ରାବନ୍ଧିକ, ଯାହାଙ୍କର ‘ସିଭିଲ୍ ଡିସ୍‌ଓବିଡିଏନ୍ସ୍‌’ ପ୍ରବନ୍ଧ ପଢ଼ି ମହାତ୍ମା ଗାନ୍ଧି ଏଭଳି ଉଦ୍‌ବୁଦ୍ଧ ହୋଇଥିଲେ ଯେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ତାକୁ ପ୍ରୟୋଗ କରିଥିଲେ, ଯେହେତୁ ତାହା ଥିଲା ତାଙ୍କ ବିବେକର ବାଣୀ। ଉତ୍ତମ ପ୍ରବନ୍ଧଟିଏ ପ୍ରତ୍ୟକ୍ଷରେ ସୂଚାଇଦିଏ ଓ ପ୍ରାଞ୍ଜଳ, ପରିଚ୍ଛନ୍ନ ଭାବରେ ବୁଝାଇଦିଏ ମଣିଷ, ବିବେକ, ଚରିତ୍ର, ଦର୍ଶନ, ସଂଗ୍ରାମ କିଭଳି ପରସ୍ପର ସହିତ ସଂଯୁକ୍ତ, ସମ୍ବନ୍ଧିତ। ବିବେକୀ ମଣିଷ ହିଁ ଚରିତ୍ରବାନ୍ ଓ ଦାର୍ଶନିକ, କେବଳ ସେ ହିଁ ସମୂହ ସ୍ୱାର୍ଥ ପାଇଁ ନିଜକୁ ସଂଗ୍ରାମୀ ଭୂମିକାରେ ଅବତୀର୍ଣ୍ଣ କରାଇପାରିବ, ଏହି କଥାଟିକୁ ଆମ ଆଗରେ ଉପସ୍ଥାପନ କରନ୍ତି ପ୍ରାବନ୍ଧିକ ରାଧାନାଥ, କାଣ୍ଟ୍‌, ଇମର୍ସନ୍ ଓ ଥରୋ।
ପ୍ରବନ୍ଧ ଆମକୁ ସଂସାରର ବାସ୍ତବ ସମସ୍ୟାକୁ ସମ୍ମୁଖୀନ ହେବା ପାଇଁ ସାହସ ଯୋଗାଏ, ସାମାଜିକ ସଂସ୍କାର ପାଇଁ ଆମ ଅନ୍ତଃକରଣକୁ ଜାଗ୍ରତ କରେ, ସ୍ନାୟୁଗୁଡ଼ିକୁ ସକ୍ରିୟ କରେ, ଆମ ଆତ୍ମପ୍ରତ୍ୟୟକୁ ପୁଷ୍କଳ କରେ। ପ୍ରବନ୍ଧ ତେଣୁ ସ୍ଥିତାବସ୍ଥା ବିରୋଧୀ ସ୍ୱର ଉତ୍ତୋଳନ କରିପାରେ। ନାଇଜେରିଆର ଲେଖକ ୱଲ୍ ସୋୟିଙ୍କା କବିତା, ଗଳ୍ପ, ଉପନ୍ୟାସ, ନାଟକ ରଚନା କରି ଆଫ୍ରିକୀୟ ଜନସାଧାରଣଙ୍କୁ ଶ୍ୱେତାଙ୍ଗ ଶାସନ ବିରୋଧରେ ବିଦ୍ରୋହ ପାଇଁ ଆହ୍ୱାନ ଦେଉଥିଲେ ସତ୍ୟ, ତାଙ୍କର ପ୍ରବନ୍ଧ ସଂକଳନ ‘ମିଥ୍‌, ଲିଟରେଚର୍ ଆଣ୍ଡ୍ ଦି ଆଫ୍ରିକାନ୍ ୱାର୍ଲଡ୍‌’ ମଧ୍ୟ ଆଫ୍ରିକୀୟମାନଙ୍କୁ ସେମାନଙ୍କ ପରମ୍ପରା ସଂସ୍କୃତି ସଚେତନ କରିଥିଲା ଓ ପରମ୍ପରା ସଂସ୍କୃତିର ସୁରକ୍ଷା ପାଇଁ ଶ୍ୱେତାଙ୍ଗ ଶାସନକୁ ବିରୋଧ କରିବାକୁ ସେମାନଙ୍କୁ ଉତ୍ସାହିତ, ଉଦ୍ଦୀପିତ କରିଥିଲା।
ପ୍ରବନ୍ଧର ଭାବପ୍ରବଣତା
ପ୍ରବନ୍ଧର ଏପରି ଶକ୍ତି ଅଛି ଯାହା ପାଠକକୁ ଅତିଶୟ ଭାବପ୍ରବଣ କରିଦେଇପାରେ ମଧ୍ୟ, ପାଠକର ହୃଦୟରେ ଜୀବନ-ସଙ୍ଗୀତର ମୃଦୁଳ ଝଙ୍କାର ସୃଷ୍ଟି କରିପାରେ। ଚନ୍ଦ୍ରଶେଖର ରଥଙ୍କ ‘ରଥ ସପ୍ତକ’ ପ୍ରବନ୍ଧ ସଂକଳନଟିକୁ ପଢ଼ିଲେ ଆମକୁ ବୋଧହୁଏ ସତେ ଯେପରି ଶ୍ରୀକ୍ଷେତ୍ର ପୁରୀ ସେହି ସ୍ଥାନ, ଯେଉଁଠି ରଥାରୂଢ଼ ଦେବବିଗ୍ରହମାନଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ରୋଧ ହୁଏ, ବଡ଼ଦାଣ୍ଡରେ ଠିଆହେଲେ ମଣିଷ ପ୍ରଶସ୍ତଚେତା ହୋଇଯାଏ, ଶ୍ରୀମନ୍ଦିର ଶୀର୍ଷର ନେତକୁ ଚାହିଁଲେ ବିସ୍ମୟ-ବିସ୍ଫାରିତ ନେତ୍ରରୁ ବହିଆସେ ଆନନ୍ଦର ଧାର ଧାର ଅଶ୍ରୁ, ବାଇଶି ପାହାଚରେ ପାଦ ଦେଲେ ମଣିଷ ତା’ର ସମଗ୍ର ଶରୀରରେ ଅନୁଭବ କରେ ଗୋଟେ ଜାଗତିକ ରୋମାଞ୍ଚ, ବାଇଶି ପାହାଚକୁ ଡେଇଁଗଲେ ମଣିଷ ଅହଂମୁକ୍ତ ହୋଇ ସୋଽହଂଯୁକ୍ତ ହୋଇଯାଏ, ରତ୍ନବେଦିରେ କୋଟି କୈବଲ୍ୟନାଥଙ୍କୁ ଦର୍ଶନ କରି କୋଟିତୀର୍ଥ ଭ୍ରମଣର ପରମାନନ୍ଦ ପ୍ରାପ୍ତ ହୁଏ, ମହାପ୍ରସାଦ ସେବନରେ ସାତ୍ତ୍ୱିକତାର ମହତ୍ୱ ଅନୁଭବ କରେ, ଯେଉଁଠି ଶରଧାବାଲିରେ, ସମୁଦ୍ରକୂଳରେ ମଣିଷ ଅନୁଭବ କରେ ଗୋଟେ ଚୁମ୍ବକୀୟ ସ୍ପର୍ଶ, ଚଟୁଳ ଆକର୍ଷ। ‘ରଥ ସପ୍ତକ’ ପୁସ୍ତକରେ ପ୍ରାବନ୍ଧିକଙ୍କର ଭାବବିହ୍ୱଳତା ଅଛି ନିଶ୍ଚୟ, ଯାହା ପାଠକକୁ ଗୋଟେ ମୁଗ୍ଧମଧୁର ଭାବରେ ବିଭୋର କରୁଛି। ଭକ୍ତ ନିଜ ଅନ୍ତରରେ ଅନୁଭବ କରୁଛି ଭଗବତ୍ ସତ୍ତାକୁ, ପୁନଶ୍ଚ ଭଗବତ୍ ବିଗ୍ରହରେ ଅନୁଭବ କରୁଛି ଆତ୍ମସତ୍ତାକୁ।
ଏଇଠି ଆସୁଛି ପ୍ରବନ୍ଧରେ ‘ପର୍‌ସେପ୍‌ସନ୍‌’ର ପ୍ରସଙ୍ଗ। ଅନ୍ତର୍ଜଗତରେ (ଅନ୍ତରରେ) ବହିର୍ଜଗତର ଓ ଏକତାରେ ବହୁଳତାର (ଅନେକତାର) ପ୍ରତିରୂପକୁ ଅନୁଭବ କରିବା ହେଉଛି ‘ପର୍‌ସେପ୍‌ସନ୍‌’। ଇଂଲଣ୍ଡର ଗାଳ୍ପିକ, ଔପନ୍ୟାସିକ ଆଲ୍‌ଡସ୍ ହକ୍ସଲେ ଥିଲେ ଜଣେ ପ୍ରାଚ୍ୟବିଦ୍ୟାବିଶାରଦ, ଖୁବ୍ ଉଚ୍ଚମାନର ପ୍ରାବନ୍ଧିକ। ତାଙ୍କର ମୌଳିକ ପ୍ରବନ୍ଧ ସଂକଳନ ‘ଦି ଡୋର୍‌ସ୍ ଅଫ୍ ପର୍‌ସେପ୍‌ସନ୍‌’, ‘ହେଭେନ୍‌୍ ଆଣ୍ଡ୍ ହେଲ୍‌’, ‘ଦି ପେରେନିଆଲ୍ ଫିଲୋସୋଫି’ ଇତ୍ୟାଦିରେ ବ୍ୟକ୍ତିର ବିଶ୍ୱଦୃଷ୍ଟି, ସସୀମରେ ଅସୀମର ଉପଲବ୍‌ଧି ଅତି ସୁନ୍ଦର, ସରଳ, ସାବଲୀଳ ଭାବ, ଭାଷାରେ ଅଭିବ୍ୟକ୍ତ। ମଣିଷର ମନୋଭୂମିରେ ନିରନ୍ତର ସଂଘର୍ଷ ଲାଗିରହିଛି ସତ୍ୟ ଆଉ ଅସତ୍ୟର; ପଶୁତ୍ୱ ଆଉ ଦେବତ୍ୱର; ସତ୍ୟ ସ୍ୱର୍ଗୀୟ, ଅସତ୍ୟ ନାରକୀୟ। ସତ୍ୟର ବିଜୟ ସୁନିଶ୍ଚିତ। ସୁତରାଂ ମଣିଷର ଜୀବନ ଜଘନ୍ୟ, କ୍ରୂର ପଶୁତ୍ୱରୁ ଦେବତ୍ୱ ଅଭିମୁଖେ ନିରନ୍ତର ଗତି କରୁଛି। ଶାଶ୍ୱତ ‘ସନାତନ ଦର୍ଶନ’, ମହାଭାରତୀୟ ସଂସ୍କୃତି ସେହି ବାର୍ତ୍ତା ହିଁ ସମ୍ପ୍ରସାରଣ କରୁଛି ବୋଲି ହକ୍ସ୍‌ଲେଙ୍କ ପ୍ରବନ୍ଧଗୁଡ଼ିକ ଆମ ଆଗରେ ଏକ ମହାର୍ଘ ଚିନ୍ତନ ଉପସ୍ଥାପନ କରନ୍ତି।
ବୈଶ୍ୱିକ ଅନୁଭବ
ଉଚ୍ଚମାନର ପ୍ରବନ୍ଧ ବ୍ୟକ୍ତିର ଅନ୍ତଃକରଣରେ ବୈଶ୍ୱିକ ଅନୁଭବ ଜାଗ୍ରତ କରାଇପାରେ; ବ୍ୟକ୍ତିକୁ ବୀଚିମାଳାରେ ବିହାୟସ, ସୈକତରେ ସହସ୍ରାଂଶୁ, ପାଂଶୁଳ ଧରଣୀର ଧୂଳି ଧୂମ ଭିତରେ ପୌର୍ଣ୍ଣମାସୀର ପ୍ରସୂନକୁ ଦର୍ଶନ କରାଇପାରେ ; କର୍ଦ୍ଦମରୁ କାଦମ୍ବିନୀ, ଭୂମଣ୍ଡଳରୁ ନଭୋମଣ୍ଡଳ, ଚିତ୍ତରୁ ଚନ୍ଦ୍ରାଲୋକଯାଏ ସବୁଠି ଦିବ୍ୟତାର ସ୍ପର୍ଶ ଦେଇପାରେ, ମାଟି ଓ ମହାକାଶର ସୀମାହୀନ ଦିବ୍ୟରସରେ ପାଠକର ଦୃଷ୍ଟିକୁ ଦ୍ରବୀଭୂତ କରିପାରେ। ରୋମାଣ୍ଟିକ୍ ଯୁଗର କବି ୱିଲିୟମ୍ ୱାଡ୍‌ର୍ସ୍‌ୱାର୍ଥ୍ ନିଜ କବିତା ସଂକଳନର ମୁଖବନ୍ଧଟିଏ ନିଜେ ଲେଖିବାର ପ୍ରୟୋଜନୀୟତାକୁ ଅନୁଭବ କଲେ। ‘ଦି ପ୍ରିଫେସ୍ ଟୁ ଲିରିକାଲ୍ ବାଲାଡ୍ସ୍‌’ ଶୀର୍ଷକରେ ଯେଉଁ ଦୀର୍ଘ ମୁଖବନ୍ଧ ସେ ଲେଖିଲେ ତାହା ବିଶ୍ୱର ପ୍ରବନ୍ଧ-ସାହିତ୍ୟରେ ଗୋଟେ ମାଇଲ୍ ଖୁଣ୍ଟହୋଇ ରହିଗଲା। ବୋଧହୁଏ ସେ ଅନୁଭବ କଲେ, କବିତାରେ ଯାହା କହିନାହାନ୍ତି ତାହା ପ୍ରବନ୍ଧରେ କହିବେ, କିମ୍ବା ଯାହା କହିଛନ୍ତି ତାହା ଆହୁରି ପ୍ରାଞ୍ଜଳ ଭାବରେ କହିବେ। ‘ଦି ସଲିଟାରି ରିପର୍‌’, ‘ଡାଫୋଡିଲ୍ସ୍‌’ ଭଳି ତାଙ୍କର ସମସ୍ତ କବିତାର ଭାଷା ଖୁବ୍ ସରଳ, ତରଳ, ମନୋମୁଗ୍ଧକର, ବିଶ୍ୱର ପାଠକଶ୍ରେଣୀ ତାହା ଅନୁଭବ କରନ୍ତି। ତଥାପି ନିଜ ପ୍ରବନ୍ଧରେ ସେ ପାଠକମାନଙ୍କୁ ସୂଚାଇଦେଲେ, ‘ମୁଁ ସାଧାରଣ ମଣିଷର ଅସଲି ଭାଷା ସଂଗ୍ରହକରେ, ତା’ ଉପରେ କଳ୍ପନାର ରଙ୍ଗ ଢାଳିଦିଏ, କବିତା ଲେଖେ।’ ପ୍ରବନ୍ଧର କାନ୍‌ଭାସ୍ ବୃହତ୍ତର ହୋଇଥିବାରୁ ମନର କଥାକୁ ବିସ୍ତୃତ ଭାବରେ ବୁଝାଇ କହିବା ତାଙ୍କ ପକ୍ଷରେ ସହଜ ହେଲା। ପୁନଶ୍ଚ ସେ ନିଜ ପ୍ରବନ୍ଧରେ ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ ସ୍ୱୀକାର କଲେ ଅନ୍ତରରୁ ଅନ୍ତରୀକ୍ଷ ସବୁଠି ରହିଛି ଦିବ୍ୟତାର ଗୋଟେ ସ୍ନିଗ୍ଧ ସ୍ପର୍ଶ ଏବଂ ବହିଃପ୍ରକୃତି ହେଉଛି ପ୍ରତି ମଣିଷର ଶୈଶବର ସନ୍ଦୀପନ, କୈଶୋରର କୁହରଣ, ଯୌବନର ଯାଜନ ଆଉ ବାର୍ଦ୍ଧକ୍ୟର ବିଖ୍ୟାପନ।
ୱିଲିୟମ୍ ୱାର୍ଡ୍‌ସ୍‌ୱାର୍ଥ୍‌ଙ୍କ ସତୀର୍ଥ ଥିଲେ ସାମୁଏଲ୍ ଟେଲର୍ କଲେରିଜ୍‌, ଏକାଧାରରେ ଜଣେ କବି ଓ ମୌଳିକ ପ୍ରାବନ୍ଧିକ। ଉଚ୍ଚ ମାନସମ୍ପନ୍ନ କବିତା ଓ ପ୍ରବନ୍ଧ ରଚନା ପାଇଁ ଯେଉଁ ଶକ୍ତି ଆବଶ୍ୟକ, ତାକୁ କଲେରିଜ୍ ନିଜ ‘ବାୟୋଗ୍ରାଫିଆ ଲିଟେରାରିଆ’ ପ୍ରବନ୍ଧରେ କହିଲେ, ‘ଏସେମ୍‌ପ୍ଲାଷ୍ଟିକ୍ ଇମାଜିନେସନ୍‌’ ବା କଳ୍ପନାର ରଚନାତ୍ମକ ଶକ୍ତି। ବିଂଶ ଶତାବ୍ଦୀରେ ଇଂଲଣ୍ଡ୍‌ର ପ୍ରଖ୍ୟାତ ପ୍ରାବନ୍ଧିକ ଚାଲ୍‌ର୍ସ୍ ମର୍‌ଗାନ୍ ମଧ୍ୟ ଅନୁରୂପ ଭାବରେ ତାକୁ ‘କ୍ରିଏଟିଭ୍ ଇମାଜିନେସନ୍‌’ ବା ରଚନାତ୍ମକ କଳ୍ପନା ବୋଲି କହିଲେ ଏବଂ ତତ୍ ସହିତ ମତବ୍ୟକ୍ତ କଲେ ଯେ ରଚନାତ୍ମକ କଳ୍ପନାର ଆବେଗ ବୌଦ୍ଧିକ ନୁହେଁ, ପରମାନନ୍ଦପ୍ରଦାୟକ। ସତକୁ ସତ ୱାର୍ଡ୍‌ସ୍‌ୱାର୍ଥ୍‌, କଲେରିଜ୍‌, ମର୍‌ଗାନ୍‌ଙ୍କ ପ୍ରବନ୍ଧଗୁଡ଼ିକୁ ପଢ଼ିଲେ ପାଠକ ଆନନ୍ଦର ସର୍ବୋଚ୍ଚ ସ୍ତରକୁ ସ୍ପର୍ଶ କଲାଭଳି ଅନୁଭବ କରେ, ଯେହେତୁ ସେଥିରେ ମଣିଷର ଅନ୍ତଃପ୍ରକୃତି ଓ ବହିଃପ୍ରକୃତିର ସଂଯୋଗ ସହିତ ମଣିଷର ସର୍ଜନଶୀଳ ଆବେଗ, ଆସ୍ପୃହା, ଆରୋହଣର କଥା ବେଶି କୁହାଯାଇଥାଏ।
ପ୍ରବନ୍ଧ ଆମକୁ ସବୁଠାରୁ ବେଶି ଜାଗରୂକ ବା ଜାଗ୍ରତକରେ। ନିଜର କ୍ଷୁଦ୍ର ବା ବିସ୍ତୀର୍ଣ୍ଣ କଳେବର ଭିତରେ ମୌଳିକତାର ମନ୍ତ୍ର ପାଠ କରି ପ୍ରବନ୍ଧ ଆମ ଚେତନାକୁ ନୂଆ ନୂଆ ଭାବ ଭାବନାରେ ଋଦ୍ଧିମନ୍ତ କରେ, ଆମ ଦୃଷ୍ଟିକୁ ଦୂର ଦିଗ୍‌ବଳୟ ଯାଏଁ ପ୍ରଲମ୍ବିତ କରାଇ ଆମକୁ ବ୍ରହ୍ମାଣ୍ଡ ଉପଲବ୍‌ଧିର ପର୍ଯ୍ୟାୟକୁ ଉତ୍ତୋଳନ କରିନିଏ, ନୂଆ ନୂଆ ରଚନାତ୍ମକ ସ୍ୱପ୍ନରେ ଆମକୁ ବିଭୋର କରେ ଓ ସିଦ୍ଧି ନିମିିତ୍ତ ସାଧନାପ୍ରବୃତ୍ତ, ସାଧନା ନିମିତ୍ତ ସଂକଳ୍ପବଦ୍ଧ ହବାକୁ ବିଶ୍ୱସ୍ତ ବାର୍ତ୍ତାଟିଏ ପ୍ରଦାନ କରେ। ଆଇଭାନ୍ ଇଲିଚ୍‌ଙ୍କର ପ୍ରବନ୍ଧ ପୁସ୍ତକ ‘ସେଲିବ୍ରେସନ୍ ଅଫ୍ ଆଓୟାର୍‌ନେସ୍‌’ ପଢ଼ିଲେ ବୋଧ ହୁଏ ସତରେ ଆମ ସାରସ୍ୱତ-ଜଗତରେ ପ୍ରବନ୍ଧ-ସାହିତ୍ୟ ହେଉଛି ‘ଜାଗରୂକତାର ଏକ ଉତ୍ସବ’, ଯେଉଁଠି ଜୀବନ-ବେଦିରେ ଜାଗୃତିର ଅଗ୍ନିହୋତ୍ର ସମ୍ପନ୍ନ ହୁଏ। ପ୍ରବନ୍ଧ ପଢ଼ି ଜୀବନ ଓ ଜଗତ୍ ପ୍ରତି ଆମେ ସର୍ବାଧିକ ସଚେତନ ହେଉ, ଜାଗରୂକ ହେଉ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *