ବରିଷ୍ଠ ଶିଶୁ ସାହିତ୍ୟିକ ମହେଶ୍ୱର ମହାନ୍ତିଙ୍କ ସହ ଅନ୍ତରଙ୍ଗ ଆଳାପ

ଶିଶୁ ସାହିତ୍ୟର ତିନୋଟି ପ୍ରଧାନ ଆଭିମୁଖ୍ୟ ରହିବା ଉଚିତ୍‌ : ଏଡୁକେଶନ୍‌, ଇନ୍‌ଫର୍ମେଶନ୍ ଓ ଇଣ୍ଟରଟେନ୍‌ମେଣ୍ଟ।

ବୟୋଜ୍ୟେଷ୍ଠ ଶିଶୁ ସାହିତ୍ୟିକ ମହେଶ୍ୱର ମହାନ୍ତି (ବୟସ- ୮୭ ବର୍ଷ) ଓଡ଼ିଆ ଶିଶୁସାହିତ୍ୟ ଜଗତର ଜଣେ ସୁବିଦିତ ବ୍ୟକ୍ତିତ୍ୱ। ବିଗତ ଦିନର ସୁପ୍ରସିଦ୍ଧ ଶିଶୁପତ୍ରିକା ‘ମନପବନ’ର ସମ୍ପାଦନା ସହିତ ସେ ବହୁବର୍ଷ ଧରି ଜଡ଼ିତ ଥିଲେ। କଟକସ୍ଥିତ ଖ୍ରୀଷ୍ଟ କଲେଜରେ ବହୁବର୍ଷ ଧରି ଅଧ୍ୟାପନା କରି ସେ ଅବସର ଗ୍ରହଣ କରିଛନ୍ତି। ସେ ନିଜର ଉଚ୍ଚକୋଟୀର ଶିଶୁସାହିତ୍ୟ ପାଇଁ ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ରାଜ୍ୟ ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି। କଟକଠାରେ ଥିବା ତାଙ୍କର ବାସଭବନରେ ତା’ଙ୍କ ସହିତ ସାକ୍ଷାତ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଶିଶୁ ସାହିତ୍ୟିକମାନେ ସୃଷ୍ଟି ହୁଅନ୍ତି ସମୟକ୍ରମେ ନିଜର ରୁଚି ଓ ପରିବେଶକୁ ନେଇ। କିନ୍ତୁ ମନେହୁଏ, ଆପଣ ତ ଶୈଶବରୁ ହିଁ ଥିଲେ ଜଣେ ସ୍ୱଭାବଗତ ଶିଶୁ ସାହିତ୍ୟିକ। ସ୍କୁଲ୍‌ରେ ପଢ଼ିବା ବେଳେ ମହତାବଙ୍କ ‘ମୀନାମଣ୍ଡଳୀ’ରେ ଆପଣ ଜଣେ ‘ପ୍ରଧାନମନ୍ତ୍ରୀ’ ଭାବରେ ନିଯୁକ୍ତ ହୋଇଥିଲେ। ସେହିଠାରୁ ପ୍ରବେଶ କରିଥିଲେ କି ଶିଶୁ ସାହିତ୍ୟ ଭିତରକୁ?
ମହେଶ୍ୱର ମହାନ୍ତି: ସେ ସାହିତ୍ୟ ହେଉ, ସଂଗୀତ ହେଉ, ନୃତ୍ୟ ହେଉ କି ଚିତ୍ର ହେଉ – ସବୁ ଗୋଟିଏ ଗୋଟିଏ କଳା। ମୋ’ ବିଚାରରେ ଏହା ଈଶ୍ୱରଦତ୍ତ କଳା। କେହି ଜଣେ ଚାହିଲେ ସାହିତ୍ୟ କରିପାରିବନି। ପିଲାଦିନୁଁ, ସ୍କୁଲ୍‌ରେ ପଢ଼ିବା ବେଳେ ସାହିତ୍ୟ ପ୍ରତି ମୋ’ର ଗୋଟିଏ ଶ୍ରଦ୍ଧା ଥିଲା। ସେତିକିବେଳୁ କବିତା ଲେଖୁଥିଲି।
ସାହିତ୍ୟ ଚର୍ଚ୍ଚା: ସେତେବେଳେ କେଉଁଠି ବି ଛପା ହେଉଥିଲା କି ସେହି କବିତା?
ମହେଶ୍ୱର ମହାନ୍ତି: ମୁଁ ସେତେବେଳେ ସାପ୍ତାହିକ ‘ମୀନାବଜାର’ରେ ଲେଖୁଥିଲି। ଏହି ଅନୁଷ୍ଠାନ ତରଫରୁ ଓଡ଼ିଶାର ପ୍ରାୟ ସାତ ଶହ ସ୍ଥାନରେ ‘ମୀନାମଣ୍ଡଳୀ’ ଗଢ଼ା ହୋଇଥିଲା। ହରେକୃଷ୍ଣ ମହତାବଙ୍କର ଭାରି ଉଚ୍ଚମାନର ଚିନ୍ତା ଇଏ। ସେତେବେଳେ ଆମର ବାଲିକୁଦାରେ ମଧ୍ୟ ଗୋଟିଏ ମୀନାମଣ୍ଡଳୀ ଗଠନ କରାଯାଇଥିଲା।
ସାହିତ୍ୟ ଚର୍ଚ୍ଚା: ସେଥିରେ ‘ପ୍ରଧାନମନ୍ତ୍ରୀ’ ବୋଲି ପଦଟିଏ ଥିଲା ନା କ’ଣ !
ମହେଶ୍ୱର ମହାନ୍ତି: ସେତେବେଳେ ପ୍ରତି ମୀନାମଣ୍ଡଳୀରେ ଜଣେ ଜଣେ ପିଲା ପ୍ରଧାନମନ୍ତ୍ରୀ ଭାବରେ ରହୁଥିଲେ। କେବଳ ସେତିକି ନୁହେଁ, ଶିକ୍ଷାମନ୍ତ୍ରୀ, ଅର୍ଥମନ୍ତ୍ରୀ କି ଅମୁକ ମନ୍ତ୍ରୀ, ସମୁକ ମନ୍ତ୍ରୀ ଇତ୍ୟାଦି ମଧ୍ୟ ରହୁଥିଲେ।

ସାହିତ୍ୟ ଚର୍ଚ୍ଚା: ପିଲାମାନଙ୍କୁ ଆମ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସହିତ ଅଭ୍ୟସ୍ତ କରାଇବା ପାଇଁ ବୋଧହୁଏ ଏହା ଥିଲା ମହତାବଙ୍କର ଏକ ପ୍ରୟାସ।
ମହେଶ୍ୱର ମହାନ୍ତି: ହଁ, ଠିକ୍ ସେଇଆ। ଯେଉଁମାନେ ମୀନାମଣ୍ଡଳୀରେ ସଭ୍ୟ ହେଉଥିଲେ ସାପ୍ତାହିକ ‘ମୀନାବଜାର’ରେ ସେମାନଙ୍କର ନାଁ ବାହାରୁଥିଲା। ଛପା ଅକ୍ଷରରେ ନିଜର ନାଁ’ଟି ଦେଖିଲେ ସେତେବେଳେ ଆମକୁ ଭାରି ଖୁସି ଲାଗୁଥିଲା।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ ଯେ ଆପଣ ଯେଉଁ ମୀନାମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଥିଲେ ଆଜିର ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଥିଲେ ସେଥିର ଶିକ୍ଷାମନ୍ତ୍ରୀ।
ମହେଶ୍ୱର ମହାନ୍ତି: ହଁ, ସେ ଆମର ଶିକ୍ଷାମନ୍ତ୍ରୀ ଥିଲେ। ଆମ ସମସ୍ତଙ୍କର ତ ଲେଖା ବାହାରୁଥିଲା ମୀନାବଜାରରେ। ସେତେବେଳେ ନିଜର ଶିଶୁଲେଖା ପାଇଁ ମୋତେ ଦୁଇଥର ପୁରସ୍କାର ମିଳିଥିଲା ବିଷୁବ ମଣ୍ଡପରେ।
ସାହିତ୍ୟ ଚର୍ଚ୍ଚା: ଆମେ ମଧ୍ୟ ଶୁଣିଛୁ ଯେ ଯେତେବେଳେ ହରେକୃଷ୍ଣ ମହତାବ ବମ୍ବେର ରାଜ୍ୟପାଳ ହେଲେ, ତାଙ୍କର ପ୍ରଥମ ଓଡ଼ିଶା ଆଗମନ ବେଳେ ଗୋଟିଏ ସଭାରେ ତା’ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହି ସଭାରେ ଜଣେ ସ୍କୁଲଛାତ୍ର ହୋଇଥିବା ସତ୍ତ୍ୱେ ଆପଣଙ୍କୁ ବକ୍ତୃତା ଦେବାପାଇଁ ଚୟନ କରାଯାଇଥିଲା। ଏହି କାର୍ଯ୍ୟ ତୁଲାଇବା ପାଇଁ ସେମାନଙ୍କ ନଜରକୁ ଆପଣ କେମିତି ଆସିଲେ?
ମହେଶ୍ୱର ମହାନ୍ତି: ଆପଣ ଏକଥା ଜାଣିଲେ କେମିତି?
ସାହିତ୍ୟ ଚର୍ଚ୍ଚା: ଆମେ ଗୋଟିଏ ସାକ୍ଷାତ୍‌କାର ନେବାକୁ ଆସିବା ପୂର୍ବରୁ ଏଥିପାଇଁ କିଛି ରିସର୍ଚ୍ଚ ମଧ୍ୟ କରିଥାଉ ବିଭିନ୍ନ ସୂତ୍ରରୁ।
ମହେଶ୍ୱର ମହାନ୍ତି: ମୁଁ ଆପଣଙ୍କୁ ଏ ବିଷୟରେ ସୂଚନା ଦେଉଛି; ମହତାବଙ୍କର ଗୋଟିଏ ଭାରି ଭଲ ଗୁଣ ଥିଲା, ସେ ଲୋକସମ୍ପର୍କ ରଖନ୍ତି। ମୀନାବଜାରରେ ଯେଉଁମାନେ ଟିକିଏ ବେଶି ଲେଖୁଥିଲେ ତା’ଙ୍କୁ ସେ ଚିଠି ମଧ୍ୟ ଲେଖୁଥିଲେ। ୧୯୫୬ ମସିହାରେ ଯେତେବେଳେ ମହତାବ ଆସିଲେ ବମ୍ବେରୁ, ସେତେବେଳେ ଜଗତସିଂହପୁର ହାଇସ୍କୁଲରେ ସଭା ହେଲା ଏବଂ ତାଙ୍କୁ ସମ୍ବର୍ଦ୍ଧନା ଦିଆଗଲା, ଯେଉଁଠି ମୁଁ ଭାଷଣ ଦେଇଥିଲି। କାରଣ ମୀନାମଣ୍ଡଳୀରେ ମୁଁ ଥିଲି ଟିକିଏ ଆଗୁଆ।
ସାହିତ୍ୟ ଚର୍ଚ୍ଚା: ଆପଣ କେବଳ ଜଣେ ଶିଶୁ ସାହିତ୍ୟିକ ହିଁ ନ ଥିଲେ, ସେ କାଳର ପ୍ରଖ୍ୟାତ ଶିଶୁ ପତ୍ରିକା ‘ମନପବନ’ର ସମ୍ପାଦକ ମଧ୍ୟ ଥିଲେ। ଏହି ପତ୍ରିକା ଜରିଆରେ ଆପଣ ବହୁ ଶିଶୁ ସାହିତ୍ୟିକଙ୍କୁ ସୃଷ୍ଟିକରିବା ବା ସେମାନଙ୍କୁ ଉତ୍ସାହିତ କରିବାର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେଭଳି କିଛି ଲେଖକଙ୍କ ନାମ ଏବେ ମନେପଡ଼େ କି ଆପଣଙ୍କର?
ମହେଶ୍ୱର ମହାନ୍ତି: ଗୋଟିଏ ମିନିଟ୍ ରୁହନ୍ତୁ! (ପାଖ କୋଠରୀକୁ ଯାଇ ଗୋଟିଏ ବହି ଆଣିଲେ, ଯାହାର ନାମ ଥିଲା ‘ଓଡ଼ିଆ ଶିଶୁ ସାହିତ୍ୟର ସାମାଜିକ ଇତିହାସ’।) ଦେଖନ୍ତୁ, ଏହି ବହିରେ ମୁଁ ସେମାନଙ୍କର ନାମ ଲେଖିଛି। ସେ ସମୟରେ ତ ଏତେ ସଂଖ୍ୟକ ପତ୍ରିକା ନ ଥିଲା, କି ଲେଖା ଛପାଇବା ପାଇଁ ବିଶେଷ ସୁବିଧା ନ ଥିଲା। ମନପବନ ପୃଷ୍ଠାରେ ଲେଖି ପରବର୍ତ୍ତୀ କାଳରେ ଯେଉଁମାନେ ସବୁ ବିଶିଷ୍ଟ ସାହିତ୍ୟିକ ହୋଇଛନ୍ତି, ସେମାନଙ୍କର ନାମ ଏଥିରୁ ପଢ଼ି ଶୁଣାଉଛି, ଯେମିତିକି କୁଞ୍ଜବିହାରୀ ଦାଶ, ଗୋପାଳ ମିଶ୍ର, ଜୟକୃଷ୍ଣ ମିଶ୍ର, ଶ୍ରୀରାମଚନ୍ଦ୍ର ଦାଶ, ବସନ୍ତ କୁମାର ବେହେରା, ଗୋକୁଳାନନ୍ଦ ମହାପାତ୍ର, ଜାନକୀ ବଲ୍ଲଭ ମହାନ୍ତି, ଉଦୟନାଥ ଷଡ଼ଙ୍ଗୀ, ଉପେନ୍ଦ୍ର ତ୍ରିପାଠୀ ଓ ବ୍ରଜନାଥ ରଥ ଆଦି।
ସାହିତ୍ୟ ଚର୍ଚ୍ଚା: ତେବେ ଏମାନେ ଏକଦା ‘ମନପବନ’ରେ ଲେଖୁଥିଲେ!
ମହେଶ୍ୱର ମହାନ୍ତି: ହଁ, ଏମାନେ ସେତେବେଳେ ଲେଖୁଥିଲେ।
ସାହିତ୍ୟ ଚର୍ଚ୍ଚା: ‘ଗୋଟିଏ ଘାସଫୁଲର ଜୀବନ କଥା’ ହେଉଛି ଆପଣଙ୍କର ବହୁଚର୍ଚ୍ଚିତ ଆତ୍ମକଥା। ତାହାର ପଛ ମଲାଟ ପୃଷ୍ଠାରେ ଲେଖାହୋଇଛି ଯେ ‘ଜୀବନରେ ଘଟିଥିବା ସମସ୍ତ ଅନ୍ତରଙ୍ଗ ଘଟଣାକୁ ପ୍ରକାଶ କରିବାର ନୈତିକ ସାହସ ସମସ୍ତଙ୍କର ନାହିଁ।’ ଯଦି ସମସ୍ତଙ୍କର ନୈତିକ ସାହସ ନାହିଁ, ଆପଣ ଏହାର ଜଣେ ବ୍ୟତିକ୍ରମ ହୋଇପାରିଲେ କେମିତି?
ମହେଶ୍ୱର ମହାନ୍ତି: ସେ ବହିରେ ଅଛି କି ଏହି ଧାଡ଼ି? (ବହିଟିକୁ ହାତରେ ଧରି ପଢ଼ିବାକୁ ଉଦ୍ୟତ ହେଲେ।)
ସାହିତ୍ୟ ଚର୍ଚ୍ଚା: ଆପଣ ଆଉ ଦେଖିବା ଆବଶ୍ୟକ ନାହିଁ; କାରଣ ଆମେ ପଢ଼ିଛୁ ସେଇଟା। ଏହା ବହିର ପଛପଟ ପୃଷ୍ଠାରେ ଲେଖାହୋଇଛି ପ୍ରକାଶକଙ୍କ ତରଫରୁ।
ମହେଶ୍ୱର ମହାନ୍ତି: ଅନେକଙ୍କର ନୈତିକ ସାହସ ନାହିଁ ସତକଥା କହିବାକୁ। ଏଇଆ ତ ଲେଖାହୋଇଛି ସେଠି? ଅନେକ ଆତ୍ମଜୀବନୀ ମୁଁ ପଡ଼ିଛି; ଏପରିକି ମୋ’ର ଅତି ପାଖ ଓ ଯୋଗ୍ୟ ଲୋକଙ୍କର ଜୀବନୀ ମଧ୍ୟ ପଢ଼ିଛି। ସେମାନେ ଅତ୍ୟନ୍ତ ଅତିରଞ୍ଜିତ ଭାବରେ ନିଜ କଥା କହିଛନ୍ତି; ଅନେକ ମିଛ କଥା ବି କହିଛନ୍ତି। କିନ୍ତୁ ମୁଁ ସେହି ଦିଗକୁ ଯାଇନାହିଁ। ପିଲାଟି ଦିନରୁ ମୁଁ ଟିକିଏ ସ୍ପଷ୍ଟବାଦୀ। ପଢ଼ିବାବେଳେ ଓ ଚାକିରି କରିବା ବେଳେ ଯେଉଁମାନେ ମୋ’ ସଂସ୍ପର୍ଶରେ ଆସିଛନ୍ତି, ସମସ୍ତେ କହନ୍ତି ଯେ ମୁଁ ସ୍ପଷ୍ଟବାଦୀ। ମୁଁ ଏହି ଧର୍ମରେ ଦୀକ୍ଷିତ ଏବଂ ସବୁବେଳେ ସତ କଥାଟା ହିଁ କହିବାକୁ ଚାହିଛି।

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଲେଖକୀୟ ଜୀବନର ଅନ୍ୟ ଏକ ମାଇଲ୍ ଖୁଣ୍ଟ ହେଲା, ଆପଣଙ୍କ ଦ୍ୱାରା ସମ୍ପାଦିତ ହୋଇଥିବା ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ଗ୍ରନ୍ଥାବଳୀ। ଏଥିରେ ମନୋନିବେଶ କରିବା ପାଇଁ ଆପଣ କାହିଁକି ଚିନ୍ତା କଲେ?
ମହେଶ୍ୱର ମହାନ୍ତି: ଉପେନ୍ଦ୍ର ତ୍ରିପାଠୀଙ୍କର ଜନ୍ମ ୧୯୦୩ ମସିହାରେ; ସେ ମୋ’ର ପିତୃତୁଲ୍ୟ ହେବେ। ସେ ସେତେବେଳେ ବରାବର ‘ମନପବନ’ ଅଫିସକୁ ଆସୁଥିଲେ। ଏହି କ୍ରମରେ ମୋ’ର ତା’ଙ୍କ ସହିତ ପରିଚୟ ହେଲା। ସେ ଯାହାସବୁ ଲେଖିଥିଲେ ତାହା ଆମେ ଛାପିଲୁ। ପରେ ସେହି ବହିଗୁଡ଼ିକୁ ଏକାଠି କରି ଗ୍ରନ୍ଥାବଳୀଟି ପ୍ରକାଶିତ ହେଲା।
ସାହିତ୍ୟ ଚର୍ଚ୍ଚା: ଏହା ତ ଏକ ସାମାନ୍ୟ ବହି ନୁହେଁ; ବରଂ ଏକ ବିଶାଳ ପ୍ରକାଶନ। ଏହାକୁ ସଂଗ୍ରହ କରି ସମ୍ପାଦନା କରିବା ନିଶ୍ଚୟ କାଠିକର ପାଠ।
ମହେଶ୍ୱର ମହାନ୍ତି: ମୁଁ ବହୁଦିନ ଧରି, ଅର୍ଥାତ୍ ୫୦ ବର୍ଷ କାଳ ପ୍ରେସ୍ ସହିତ ସଂପୃକ୍ତ ହୋଇ ରହିଯିବା ଫଳରେ ଏହି ବିଦ୍ୟାରେ ଅଭ୍ୟସ୍ତ ହୋଇଯାଇଥିଲି। ଏଣୁ କିଛି ଅସୁବିଧା ହେଲାନାହିଁ। ଏହାପରେ ଉପେନ୍ଦ୍ର ତ୍ରିପାଠୀଙ୍କ ଏକ ମନୋଗ୍ରାଫ୍ ମଧ୍ୟ ସମ୍ପାଦନା କଲି।
ସାହିତ୍ୟ ଚର୍ଚ୍ଚା: ଆପଣ କଟକର ଖ୍ରୀଷ୍ଟ କଲେଜରେ ଅଧ୍ୟାପନା କରୁଥିବା ବେଳେ ‘ମନପବନ’ର ସମ୍ପାଦନା କରୁଥିଲେ। ଏ ଦୃଷ୍ଟିରୁ ପତ୍ରିକା ପାଇଁ ଯଥେଷ୍ଟ ସମୟ ଦେବାକୁ ଆପଣଙ୍କୁ ଅସୁବିଧା ହେଉନଥିଲା କି!
ମହେଶ୍ୱର ମହାନ୍ତି: ମୁଁ ଯେତେବେଳେ ଖ୍ରୀଷ୍ଟ କଲେଜରେ ଯୋଗଦେଲି, ସେତେବେଳେ ଏହି କଲେଜରେ ବଦଳି ହେବାର ବ୍ୟବସ୍ଥା ନ ଥିଲା। ତେଣୁ ଗୋଟିଏ ସ୍ଥାନରେ ହିଁ ରହିଲି; ଲିଜର୍ ସମୟ ଆମର ବହୁତ ଥିଲା। ଖରାଛୁଟି ଆମେ ଦୁଇମାସ ପାଉଥିଲୁ। ତେଣୁ ପତ୍ରିକା ପାଇଁ ସମୟ ଦେବାକୁ ମୋତେ କିଛି ଅସୁବିଧା ହୋଇନାହିଁ।
ସାହିତ୍ୟ ଚର୍ଚ୍ଚା: ସେତେବେଳେ ସେହି ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଉଥିବା ଓଡ଼ିଶାର ସେତେବେଳର ଏକମାତ୍ର ଇଂରାଜୀ ସମ୍ବାଦପତ୍ରର ସମ୍ପାଦନା ବିଭାଗରେ ଆପଣଙ୍କ ସାମନାରେ ବସିଥିବା ଏହି ସାକ୍ଷାତ୍‌କର୍ତ୍ତା ମଧ୍ୟ ନିଯୁକ୍ତ ଥିଲା। ତେଣୁ ଆମେ ଜାଣୁ ଯେ ଆପଣ ସେତେବେଳେ ‘ମନପବନ’ର କେବଳ ସମ୍ପାଦନା କରିବା ବ୍ୟତୀତ ଆଉ କିଛି ଦାୟିତ୍ୱ ବୁଝୁନଥିଲେ। ସବୁ ପରିଚାଳନାଗତ ଦାୟିତ୍ୱ ମୁଣ୍ଡାଉଥିଲେ ପ୍ରକାଶକ ନବକିଶୋର ମହାପାତ୍ର। ନା, କ’ଣ!
ମହେଶ୍ୱର ମହାନ୍ତି: ଆପଣ ଠିକ୍ କଥା ଧରିଛନ୍ତି; ପତ୍ରିକାର ବିକ୍ରୟ ଓ ବ୍ୟାବସାୟିକ ଦିଗ ସବୁ ସେ ହିଁ ବୁଝୁଥିଲେ। କିନ୍ତୁ ପତ୍ରିକା ସମ୍ପାଦନାରେ ମୋ’ର ସ୍ୱାଧୀନତା ରହୁଥିଲା; ସେ ସେଥିରେ ଦଖଲ ଦିଅନ୍ତି ନାହିଁ। ପତ୍ରିକାଟି ପୂରା ପ୍ରସ୍ତୁତ କରିଦେଇ ଛାପିଦେଲା ପରେ ମୋ’ର କାମ ସରିଲା। ବାକି ସବୁ କାମ ସିଏ ବୁଝନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣ ଥରେ ଗୋଟିଏ ସମ୍ବାଦପତ୍ରକୁ ସାକ୍ଷାତକାର ଦେବାବେଳେ କହିଥିଲେ ଯେ ଆମ ଶିଶୁସାହିତ୍ୟ ବୌଦ୍ଧିକ ଅପେକ୍ଷା, ଅଧିକ ମନୋରଞ୍ଜକ ହେବା ଆବଶ୍ୟକ। ତେବେ ଶିଶୁ ସାହିତ୍ୟିକମାନେ ଏହି ବୌଦ୍ଧିକତା ଆଡ଼କୁ ଢଳିବାର ମୁଖ୍ୟ କାରଣ କ’ଣ ହୋଇଥାଇପାରେ ବୋଲି ଆପଣ ଭାବନ୍ତି?
ମହେଶ୍ୱର ମହାନ୍ତି: ଶିଶୁ ସାହିତ୍ୟର ତିନୋଟି ପ୍ରଧାନ ଆଭିମୁଖ୍ୟ ରହିବା ଉଚିତ୍‌, ଏଡୁକେଶନ୍‌, ଇନ୍‌ଫର୍ମେଶନ୍ ଓ ଇଣ୍ଟରଟେନ୍‌ମେଣ୍ଟ। ପ୍ରଥମ କଥା ହେଲା, ପିଲା ଏଥିରୁ କେମିତି କିଛି ଶିକ୍ଷା ପାଇବ, ଦୁଇରେ କିଛି ତଥ୍ୟ ପାଇବ, ତୃତୀୟତଃ ଏଥିରୁ ତା’ର ମନୋରଞ୍ଜନ ମଧ୍ୟ ହେଉଥିବ। ଅବଶ୍ୟ ଗୋଟିଏ ଉତ୍କୃଷ୍ଟ ମାନର ଶିଶୁ ସାହିତ୍ୟରେ ତିନୋଟି ଯାକ ରହିବ ବୋଲି କିଛି ବାଧ୍ୟବାଧକତା ନାହିଁ। କିନ୍ତୁ ଯେଉଁଟି ଏକାନ୍ତ ଦରକାର, ତା’ହେଲା ଇଣ୍ଟରଟେନ୍‌ମେଣ୍ଟ।
ସାହିତ୍ୟ ଚର୍ଚ୍ଚା: ଶିଶୁସାହିତ୍ୟରେ ବୌଦ୍ଧିକ ଦିଗଟା ବଢ଼ିବାର ଆଉ ଏକ କାରଣ ଏହା ହୋଇପାରେ କି ଯେ, ଏବର ତଥାକଥିତ ଓଡ଼ିଆ ଶିଶୁସାହିତ୍ୟ ଆଉ ପିଲାମାନେ ପଢ଼ୁନାହାନ୍ତି; ଏହା ପଢ଼ାହେଉଛି ବଡ଼ମାନଙ୍କ ଦ୍ୱାରା!
ମହେଶ୍ୱର ମହାନ୍ତି: ମୋ’ ମତରେ, ବୟସ୍କମାନଙ୍କ ପାଇଁ ଯେଉଁ ବହି ସବୁ ଲେଖାହେଉଛି, ତା’କୁ ମଧ୍ୟ ବୟସ୍କମାନେ ପଢ଼ୁନାହାନ୍ତି। ଆପଣ ଦେଖନ୍ତୁ ଆଧୁନିକ କବିତା ଓ ଆଧୁନିକ ଗଳ୍ପକୁ କେତେଜଣ ଅବା ପଢ଼ୁଛନ୍ତି?
ସାହିତ୍ୟ ଚର୍ଚ୍ଚା: ଆପଣ ପିଲାମାନଙ୍କର ଶିକ୍ଷା ଉପଯୋଗୀ ବହି ମଧ୍ୟ ଅନେକ ଲେଖିଛନ୍ତି। ବିଶେଷକରି ଆପଣଙ୍କର ‘ଛାତ୍ରସାଥୀ ପ୍ରବନ୍ଧ ଓ ପତ୍ରମାଳା’ ନାମକ ବହିଟି ଏକଦା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲା। ତେବେ ପିଲାଙ୍କର ପାଠବହି ଓ ଶିଶୁସାହିତ୍ୟ ମଧ୍ୟରେ ପ୍ରଭେଦଟି କ’ଣ ହେବା କଥା ବୋଲି ଆପଣ ଭାବନ୍ତି?
ମହେଶ୍ୱର ମହାନ୍ତି: ଯେଉଁ ‘ଛାତ୍ରସାଥୀ ପ୍ରବନ୍ଧମାଳା’ର କଥା ଆପଣ କହିଲେ, ମୁଁ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଚାରୋଟି ପ୍ରବନ୍ଧ ପୁସ୍ତକ ଲେଖିଛି; କଲେଜ ପିଲାଙ୍କ ପାଇଁ ମଧ୍ୟ ପ୍ରବନ୍ଧମାଳା ଲେଖିଛି। କିନ୍ତୁ ସେଇଟା ହେଉଛି ଗୋଟିଏ ଗାଇଡ୍ ବୁକ୍ ବା ହେଲ୍‌ପ୍ ବୁକ୍‌। ଆପଣ ଯେ ପାଠ୍ୟପୁସ୍ତକ ଓ ଶିଶୁସାହିତ୍ୟ ମଧ୍ୟରେ ପ୍ରଭେଦର କଥା କହିଲେ, ରବିନ୍ଦ୍ରନାଥ ମଧ୍ୟ ସ୍ୱୀକାର କରିନାହାନ୍ତି ଯେ ପାଠ୍ୟପୁସ୍ତକଟା କେବେ ନିରୋଳା ଶିଶୁ ସାହିତ୍ୟରେ ଯିବ। ପାଠ୍ୟପୁସ୍ତକ ଗୋଟିଏ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଚାହିଁ ନିର୍ଦ୍ଦିଷ୍ଟ ଫର୍ମାଟ୍ ଭିତରେ ଲେଖାଯାଏ। ପିଲାମାନେ ତାହାକୁ ପଢ଼ିବାକୁ ଓ ଘୋଷିବାକୁ ବାଧ୍ୟ। କିନ୍ତୁ ନିରୋଳା ଶିଶୁସାହିତ୍ୟ ହେଲା ତାହା, ଯାହା ପିଲା ସ୍ୱତଃ ପଢ଼ିବ; ସ୍ୱତଃ ସେଥିରୁ ଆନନ୍ଦ ପାଇବ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ‘ବେଲୁନ୍ ଗଲା ଉଡ଼ି’ ନାମକ ଯେଉଁ ବହିଟି ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା, ସେଥିରେ ଶିକ୍ଷା ଓ ମନୋରଞ୍ଜନ ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ଆପଣ କେତେଦୂର ସମର୍ଥ ହୋଇଛନ୍ତି ବୋଲି ଭାବନ୍ତି?
ମହେଶ୍ୱର ମହାନ୍ତି: ‘ବେଲୁନ୍ ଗଲା ଉଡ଼ି’ରେ ଆମ ସୋଲାର୍ ସିଷ୍ଟମ୍ ବିଷୟରେ କିଛି ଧାରଣା ଗୀତିକବିତା ଓ ଛନ୍ଦ ଆକାରରେ ଦିଆଯାଇଛି। ସେଥିରେ ବିଜ୍ଞାନ ଅଛି, ନୀତିଶିକ୍ଷା ଅଛି, ବ୍ୟଙ୍ଗ ଅଛି ଓ ହାସ୍ୟରସ ବି ଅଛି। ସେଥିରେ ଗ୍ରହଜଗତର ବିଭିନ୍ନ କଥା ମନୋରଞ୍ଜକ ଶୈଳୀରେ ପରିବେଷଣ କରାଯାଇଛି, ଯାହା ପିଲାଟିଏ ଖୁସିରେ ପଢ଼ିପାରିବ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ବୟସ ତ ଏବେ ୮୭ ବର୍ଷ ହେଲାଣି। ଏହି ବୟସରେ ବି ନୂଆ ରଚନା କିଛି ଲେଖିବାପାଇଁ ଆପଣ ସମର୍ଥ ହୋଇପାରୁଛନ୍ତି କି?
ମହେଶ୍ୱର ମହାନ୍ତି: ଲେଖିବାଟା ହେଲା ଗୋଟିଏ ‘ଇନ୍‌ଷ୍ଟିଂକ୍‌ଟ୍‌’ର କଥା। ଏହାକୁ ପ୍ରବୃତ୍ତି ବୋଲି କହିପାରନ୍ତି, କି କଳା ବା ହବି ମଧ୍ୟ କହିପାରନ୍ତି। ତେଣୁ ବୟସ ହୋଇଗଲେ ଆଉ ବାଜା ନ ବଜାଇପାରିଲେ ମଧ୍ୟ ଟେବୁଲ୍ ଉପରେ ହାତ ବାଡ଼ଉଛି। ବୃଦ୍ଧ-ଜୀବନ ହେଲା ସେଇଆ। ଯେହେତୁ ବୟସ ହେଲାଣି ଏବଂ ସ୍ୱାସ୍ଥ୍ୟ ଅନୁକୂଳ ରହୁନି, ଲେଖିବା ପାଇଁ ଆଉ ଆଗ୍ରହ ଓ ଉତ୍ସାହ ସେତେ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋରମ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *