
ଏକ ଅନିର୍ଦ୍ଦିଷ୍ଟ ଐତିହାସିକ କାଳରୁ ନେଇ ଆଜି ପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିରରେ ଲେଖାହୋଇ ଆସୁଥିବା ମାଦଳାପାଞ୍ଜିକୁ ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା ଓ ସାହିତ୍ୟକୁ ପ୍ରତିଫଳନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଭାବରେ ବିଚାର କରାଯାଏ। ଏହା କେବେଠାରୁ ଆରମ୍ଭ ହେଲା ତା’କୁ ନେଇ ଗବେଷକମାନଙ୍କ ମଧ୍ୟରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଥାଏ। ସେମାନଙ୍କ ମଧ୍ୟରୁ କେତେଜଣ ବିଶ୍ୱାସ କରନ୍ତି ଯେ ଷୋଡ଼ଶ ଶତାବ୍ଦୀରେ କଳାପାହାଡ଼ର ଆକ୍ରମଣ କାଳରେ ପୁରୀରେ ସଂରକ୍ଷିତ ଥିବା ମାଦଳାପାଞ୍ଜିର ତତ୍କାଳୀନ ପୋଥିଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା ଏବଂ ତାହାପରେ ମହାରାଜା ରାମଚନ୍ଦ୍ର ଦେବ (ପ୍ରଥମ)ଙ୍କ ଶାସନ କାଳରେ ଏହାର ପୁନର୍ଲିଖନ ହୋଇଥିଲା। ତେବେ ସେ ଯାହାହେଉ ନା କାହିଁକି, ଏହି ପୁନର୍ଲିଖିତ ମାଦଳାପାଞ୍ଜିରେ ରାମଚନ୍ଦ୍ର ଦେବ ଓ ତାଙ୍କ ଶାସନତନ୍ତ୍ରର ମାତ୍ରାଧିକ ପ୍ରଶସ୍ତି କରାଯାଇଥିବା ଲକ୍ଷ୍ୟ କରଯାଏ। ଏହି ପାଞ୍ଜି ପ୍ରତିବର୍ଷ ବିଜୟା ଦଶମୀ ଦିନ ପ୍ରଣୀତ ହେଉଥିଲା ଏବଂ ଶ୍ରୀମନ୍ଦିର ସେବାରେ ନିଯୁକ୍ତ ଦେଉଳକରଣ, ତଡ଼ପକରଣ ଓ କୋଷ୍ଠକରଣ ଆଦି ସେବକମାନେ ଏହାର ଲିଖନ ଓ ସଂରକ୍ଷଣର ଦାୟିତ୍ୱରେ ଥିଲେ।
ତେବେ ପରୋକ୍ଷରେ ଏହି କରଣ-ସେବକମାନେ ଯେହେତୁ ପୁରୀର ରାଜାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ, ସେମାନେ ତାଙ୍କୁ ସୁହାଇଲା ଭଳି ପ୍ରକରଣମାନ ପାଞ୍ଜିରେ ଲିପିବଦ୍ଧ କରିଥିବା ଅସମ୍ଭବ ନୁହେଁ। ରାଜା ରାମଚନ୍ଦ୍ର ଦେବଙ୍କୁ ସେଥିରେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବରେ ଆଖ୍ୟାୟିତ କରାଯାଇଛି ଏବଂ ପୂର୍ବବର୍ତ୍ତୀ କତିପୟ ଶାସକଙ୍କ ଛବିରେ ଆଞ୍ଚ ଆଣୁଥିବା ଭଳି କିଛି ତଥ୍ୟ ମଧ୍ୟ ସେଥିରେ ସ୍ଥାନ ପାଇଛି।
ମାଦଳା ପାଞ୍ଜିରେ ମୁଖ୍ୟତଃ ତିନି ପ୍ରକାର ସୂଚନା ଲିପିବଦ୍ଧ ହେଉଥିଲା; ଶ୍ରୀମନ୍ଦିରର ବିଧିବ୍ୟବସ୍ଥା, ସମକାଳୀନ ରାଜନୈତିକ ସ୍ଥିତି ତଥା ସାମାଜିକ ଘଟଣାବଳୀ। ଏହି କ୍ରମରେ ଆମ ଭାଷା ଓ ସାହିତ୍ୟର ଏକ ମୂଲ୍ୟବାନ ସୂଚକ ଭାବରେ ନିଜର ଭୂମିକା ନିଭାଉଥିଲା ମାଦଳାପାଞ୍ଜି। ତଥାପି ଏହାର ପ୍ରକୃତ ସ୍ୱରୂପକୁ ନେଇ ଆଲୋଚକମାନଙ୍କ ମଧ୍ୟରେ ମତଦ୍ୱୈଧ ରହିଛି। ବିଶିଷ୍ଟ ଗବେଷକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ‘ମାଦଳାପାଞ୍ଜି’ ବହିର ଅଗ୍ରଲେଖରେ ଏ ସମ୍ପର୍କରେ ମତ ଦେଇ ଆଲୋଚକ ପଠାଣି ପଟ୍ଟନାୟକ କହିଛନ୍ତି, “ମାଦଳାପାଞ୍ଜିର ପୂର୍ଣ୍ଣାଙ୍ଗ ଉଦ୍ଧାରକାର୍ଯ୍ୟ ସହିତ ବୈଜ୍ଞାନିକ ରୀତିରେ ଅନୁଶୀଳନ ଓ ସମ୍ପାଦନା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ।”
ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଓଡ଼ିଶାରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେବାପରେ କରଣ ସେବକମାନଙ୍କ ଦ୍ୱାରା ପ୍ରତିବର୍ଷ ଧାରାବାହିକ ଭାବରେ ଏଥିରେ କିଛି ନୂଆ ଅଧ୍ୟାୟ ଯୋଡ଼ାଯିବାର ବ୍ୟବସ୍ଥା ଆଉ ରହିଲା ନାହିଁ। ଯାହା ଜଣାଯାଏ, ଗତ ପ୍ରାୟ ୮୦ ବର୍ଷ ଧରି ଶ୍ରୀମନ୍ଦିରରେ ମାଦଳାପାଞ୍ଜି ଲେଖାହେବାର ପ୍ରଥା ବନ୍ଦ ରହିଛି। ଏହା ପରିବର୍ତ୍ତେ ଶ୍ରୀମନ୍ଦିରର କାର୍ଯ୍ୟାଳୟରେ ଦୈନିକ ଡାଏରୀ ଭାବରେ ମନ୍ଦିରରେ ସମ୍ପନ୍ନ ହେଉଥିବା ରୀତିନୀତି ବିଷୟରେ ଯତ୍ସାମାନ୍ୟ ତଥ୍ୟ ଲିପିବଦ୍ଧ ହେଉଛି। ଅବଶ୍ୟ ବର୍ତ୍ତମାନର ତଡ଼ଉକରଣ ନିଜର ବାସଗୃହରେ ସଂରକ୍ଷିତ କରି ରଖିଥିବା ମାଦଳାପାଞ୍ଜିରେ କେବଳ ବିଧିରକ୍ଷା ପାଇଁ ଅନୌପଚାରିକ ଭାବରେ ଅଳ୍ପ କିଛି ଲେଖୁଥିବାର ଜଣାଯାଏ। ତେବେ ସେଥିରେ ବର୍ତ୍ତମାନ କ’ଣ ଲେଖାଯାଉଛି ତାହାର କୌଣସି ସୂଚନା ସର୍ବସାଧାରଣରେ ଉପଲବ୍ଧ ନାହିଁ।
ଯେହେତୁ କାଳକାଳ ଧରି ଏହି ପାଞ୍ଜି ଆମ ରାଜ୍ୟର ଧର୍ମ, ସଂସ୍କୃତି ଓ ସାହିତ୍ୟର ଏକ ନିର୍ଭରଯୋଗ୍ୟ ଇତିବୃତ୍ତ ଭାବରେ କାର୍ଯ୍ୟ କରିଆସିଛି, ପାଞ୍ଜିଲିଖନର ଏହି ପରମ୍ପରାକୁ ଶ୍ରୀମନ୍ଦିରରେ ପୁଣିଥରେ ଉଜ୍ଜୀବିତ କରାଯିବାର ଆବଶ୍ୟକତା ଅଛି କି? ଓଡ଼ିଶାର ଚିନ୍ତାଶୀଳବର୍ଗ ଓ ରାଜ୍ୟସରକାର ଏହି ବିଷୟରେ ଚିନ୍ତା କରିବାର ସମୟ ଆସିଛି।
ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ,୨୦୨୬ ସଂଖ୍ୟାରେ ପ୍ରକାଶିତ।)