ସ୍ମୃତିର ସନ୍ଧାନରେ

ଏବେ ସବୁ ରାସ୍ତା ତାକୁ ଆପଣାର ମନେ ହେଉଥିଲା, ଯାହା କୁଆଡ଼େ ବି ଯାଉନଥିଲା।

ମୂଳ ଉର୍ଦ୍ଦୂ: ମହମ୍ମଦ ଜମୀଲ ଅଖତର
ଅନୁବାଦ: ସୁକୋମଳ ଦାଶ

ଲଫାପା ଉପରେ ଅଠା ଟିକେଟ ମାରୁମାରୁ ତା’ ସ୍ମୃତି ହଜିଗଲା ଓ ସେ ସବୁକିଛି ବିସ୍ମୃତ ହେଲା। ଏପରିକି, ଲଫାପା ଉପରେ ଚପା ହୋଇଥିବା ଟିକେଟ ଦୁଇଟିର ଅର୍ଥ କ’ଣ, ସେ ବୁଝୁନଥିଲା – ଯେମିତି ବଲବ୍ ଜଳୁଥିବ, ଆଲୁଅ ହୋଇଥିବ, ଲିଭିଯିବ ଓ ହଠାତ୍ ଅଂଧକାର ଛାଇଯିବ। ଥରେ ଲଫାପାକୁ ଥରେ ନିଜ ହାତକୁ ସେ ଅନାଇଲା। କିନ୍ତୁ, ମନେପକାଇ ପାରିଲାନି ଯେ କି ଉଦ୍ଦେଶ୍ୟ ନେଇ ସେ ଏଠିକି ଆସିଥିଲା। ଜଳାକବାଟ ପାଖକୁ ସେ ଆସିଲା ଯେଉଁଠି ଡାକ କର୍ମଚାରୀ ଲଫାପା ଉପରେ ମୋହର ମାରୁଥିଲା।
“ଶୁଣିବେ, ଏପଟେ ଟିକେ ଦେଖିବେ।’ କର୍ମଚାରୀ ଆଗରେ ଲଫାପାଟିକୁ ସେ ଥୋଇଦେଲା।
କର୍ମଚାରୀ ଜଣକ ଲଫାପାକୁ ଚାହିଁଦେଇ କହିଲା, “ମୁଁ ଆପଣଙ୍କୁ ତିନୋଟି ଟିକଟ ଦେଇଥିଲି, ଦୁଇଟି ପନ୍ଦର ଟଙ୍କିଆ ଓ ଗୋଟିଏ ଦଶ ଟଙ୍କିଆ। ଆପଣ ତିନୋଟି ଯାକ ଏଇ ଲଫାପା ଉପରେ ଲଗାନ୍ତୁ। ତୃତୀୟ ଟିକେଟଟା ଏଯାଏ ଆପଣ ଧରିଛନ୍ତି। ତାକୁ ବି ଏଇ ଲଫାପା ଉପରେ ମାରନ୍ତୁ। ଅନ୍ୟ ସହରକୁ ଡାକ ଖର୍ଚ୍ଚ ଚାଳିଶ ଟଙ୍କା ଆସେ।”
“ଚାଳିଶ ଟଙ୍କା?” କଥାଟା ସେ ଦୋହରାଇଲା। ସେ ଭୁଲିଯାଇଥିଲା, ଚାଳିଶ ଟଙ୍କାଟା କେତେ ହୁଏ। ହାତରେ ଧରିଥିବା ଟିକଟକୁ ଦେଖାଇ ପଚାରିଲା, “ଏଇଟା କେତେ ଟଙ୍କାର ଟିକେଟ୍‌?”
“ମହାଶୟ, ଏବେ କହିଲି ପରା, ଏଇ ଗୋଟିକ ଦଶ ଟଙ୍କାର ଟିକଟ ବୋଲି, ଏଇ ଗୋଟିକ ବି ଲଫାପା ଉପରେ ଲଗାନ୍ତୁ।”
“ଆଜ୍ଞା ହଁ, ତା’ପରେ ଏଇଟା ଅନ୍ୟ ସହରକୁ ପହଞ୍ଚିଯିବ?” ସେ ଈଷତ୍ ବିସ୍ମିତହୋଇ ପଚାରିଲା।
“ଆଜ୍ଞା ହଁ, ଏବେ ଶୀଘ୍ର କରନ୍ତୁ, ଟିକଟ ମାରି ଲଫାପାଟା ମତେ ଦିଅନ୍ତୁ, ତେବେ ଯାଇ ଆଜିର ସମସ୍ତ ଡାକ ପଠେଇ ଦିଆଯିବ।”
ସେ ଲଫାପା ଉପରେ ଟିକଟ ଲଗାଇ ଏଥର କର୍ମଚାରୀକୁ ଦେଲା ଓ ପୋଷ୍ଟ ଅଫିସରୁ ବାହାରିଆସିଲା। ସେ ବିଚଳିତ। ତା’ର ସମସ୍ତ ସଂଖ୍ୟାଜ୍ଞାନ ବିଲୁପ୍ତ; ଦଶ, କୋଡ଼ିଏ, ଚାଳିଶ ଏସବୁ କ’ଣ, ସେ ବୁଝିବାକୁ ଅସମର୍ଥ। ସେ ଏଠିକି କାହିଁକି ଆସିଥିଲା ଓ ସେ ଏବେ କେଉଁଠିକି ଫେରିଯିବା କଥା, ତା’ ବି ସେ ବିସ୍ମୃତ।

ଆଗରୁ କେତେଥର, କେତୋଟି ମୁହୂର୍ତ୍ତ ଲାଗି ତା’ର ଏଭଳି ହୋଇଛି, ସେ ସବୁକିଛି ଭୁଲିଯାଏ। କିନ୍ତୁ, ଏଥର ଏଇ ଆକ୍ରାନ୍ତି ତାକୁ ଦୀର୍ଘତର ମନେ ହେଉଥିଲା।
ଗତଥର, ରିକ୍ସାରୁ ଓହ୍ଲାଇ ସେ ଭଡ଼ା ତୁଟାଇଲା ବେଳକୁ ଫକୀରମୋହନ ସାହୁର ଭିତରୁ ‘କୁଆଡ଼େ, କୁଆଡ଼େ, କୁଆଡ଼େ’ ବୋଲି କ୍ଷୀଣ ସ୍ୱରଟେ ପଚାରିବସିଲା। କ୍ଷଣିକ ପାଇଁ ସେ ଫୁଟପାଥରେ ଅଟକି ରହି ନିଜକୁ ପଚାରିଲା, ସେ କୁଆଡ଼େ ଯାଉଛି? ପୁଣି ପକେଟରେ ହାତ ପୂରାଇ ପୁଳାଏ କାଗଜପତ୍ର କାଢ଼ିଲା। ବଜାର ସଉଦାର ଲମ୍ବା ତାଲିକାଟିଏ, ବିଜୁଳି ଓ ଗ୍ୟାସ ବିଲ୍‌, ପିଲାଙ୍କ ସ୍କୁଲ ଫିଜ୍ କାର୍ଡ଼୍‌… ଇତ୍ୟାଦି ଓ ସହସା ସବୁକିଛି ତା’ର ପୁଣି ମନେପଡ଼ିଗଲା।
ଏଥର କିନ୍ତୁ, ତାର କିଛି ବି ମନେପଡ଼ୁନଥିଲା।
ସେ ଲୋକଟା ସାତ ନମ୍ବର ଗଳିରୁ ମେନ୍ ରୋଡ଼ ଯାକେ ଆଠ କିଲୋମିଟର ପ୍ରତିଦିନ ଚାଲିଚାଲି କାହିଁକି ଯାଏ? କାହିଁକି ନା, ତା’ର ପାଦରେ ଫୋଟକା ହୋଇଯାଇଥିଲେ ବି ସେ ଦି’ପଇସା ସଞ୍ଚୟ କରିନେଇଥାଏ। ରାତିରେ, ଉଷୁମ ପାଣିରେ ଗୋଡ଼ ବୁଡ଼ାଇ ତା’ ସ୍ତ୍ରୀ ଓ ପିଲାଛୁଆଙ୍କୁ ମୁଟ୍‌-ମୁଟ୍ ଦେଖୁଥାଏ ଯେଉଁମାନେ ତା’ ଉପରେ ଖପା ହୋଇଥାଆନ୍ତି କାରଣ, ସେମାନଙ୍କ ଅଳିଅର୍ଦ୍ଦଳି ସେ ପୂରଣ କରିପାରୁନଥାଏ। ତଥାପି, ସେମାନଙ୍କୁ ଖୁସିରେ ରଖିବାକୁ ଚାହୁଁଥିବାରୁ ସେ ଚାଲିଚାଲି ଯା’ଆସ କରୁଥାଏ। ଚାକିରିର ଅନେକ ବର୍ଷପରେ ବି ତା’ ପଦୋନ୍ନତି ହୋଇନଥିଲା, ଆଉ ତା’ ପରିବାର ବଢ଼ିବଢ଼ି ଚାଲିଥିଲା। ତା’ ସ୍ତ୍ରୀ ପ୍ରତିଦିନ ତା’ ସହ କଳିକଜିଆ କରୁଥିଲା। ସେ ବିବାହ ପୂର୍ବରୁ ବି ଗରିବ ଥିଲା ଓ ବିବାହ ପରେ ବି ଗରିବ ଅଛି। ତାକୁ ଖୁସି ରଖିବାକୁ ସେ ଟଙ୍କା କେତୋଟି ସଞ୍ଚୟ କରୁଥିଲା।
ଦି’ପହରେ ସେ ଖାଉନଥିଲା। କହୁଥିଲା, ମୋଟାପା କମେଇବାକୁ ପଡ଼ିବ, ଯଦିଓ ମୁଣ୍ଡରୁ ଚୁଟି ପତଳା ହୋଇଆସୁଥିଲା ଭଳି କ୍ରମଶଃ ତା’ର ଓଜନ କମିବାରେ ଲାଗିଥିଲା। କିନ୍ତୁ, ସେ ଜାଣିପାରୁ ନଥିଲା, କାରଣ ଆଇନା ଆଗରେ ସେ କ୍ୱଚିତ୍ ଛିଡ଼ାହେଉଥିଲା। ମାସକୁ ଥରେ ସେ ଟାଇ ବାନ୍ଧୁଥିଲା ଓ ତା’ର ଗଣ୍ଠି ଖୋଲୁନଥିଲା। ସକାଳୁ ସ୍ତ୍ରୀ ଉଠିବାରେ ବିଳମ୍ବ କରୁଥିବାରୁ ଜଳଖିଆ ତିଆରି ଓ ପୋଷାକ ଇସ୍ତ୍ରୀ କରିବା ତା’ ଭାଗର କାମ। କିନ୍ତୁ, ପ୍ରାୟତଃ ଉଭୟ କାମ ସେ କରିପାରୁନଥିଲା। କାରଣ, ଅଫିସକୁ ତା’ର ଡେରି ହେଉଥିଲା ଓ ସାତ ନମ୍ବର ଗଳିରୁ ତାକୁ ମେନ୍ ରୋଡ଼୍ ଯାକେ ଆଠ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡ଼ୁଥିଲା। ସେତିକିରେ ସେ ପୂରା ପନ୍ଦର ଟଙ୍କା ସଞ୍ଚୟ କରିନେଉଥିଲା ଏବଂ ପନ୍ଦର ଟଙ୍କାରେ ଛୋଟିଆ ଖିର ପ୍ୟାକେଟ ଗୋଟେ ଆସେ।
ପାଞ୍ଚୋଟିଯାକ ସନ୍ତାନଙ୍କ ଜନ୍ମ ସିଜରିଆନ୍ ହୋଇଥିବାରୁ ତା’କୁ କିଛି ଋଣ କରିବାକୁ ପଡ଼ିଥିଲା ଓ ଦରମା ଟଙ୍କାରୁ ତିନି ହଜାର କରି ପ୍ରତି ମାସରେ କିସ୍ତି ଶୁଝାହେଉଥିଲା, ଯାହାକି ଗତ ଦୁଇମାସ ଧରି ବାକିଆ ପଡ଼ିଥିଲା। ବିଗତ ତିନିମାସରୁ ରାସନ ଦୋକାନୀର ବାକିଆ ପଡ଼ିରହିଥିବାରୁ ଆଜିକାଲି ଗଳି ମୁହଁର ସଳଖ ବାଟ ସେ ଏଡ଼ାଇ ଚାଲୁଥିଲା। କାରଣ, ପିଲାଙ୍କ ସ୍କୁଲ ଫିଜ୍ ବଢ଼ିଯାଇଥିଲା, ଖାତାକଲମ, ବହିପତ୍ର, ବ୍ୟାଗ ୟୁନିଫର୍ମ୍ ଯୋଗାଡ଼ କଲାପରେ ଆଉ କେତେ ଅବା ବଳୁଥିଲା? ସେ ଆଶା କରୁଥିଲା, ସେ ବର୍ଷ ତା’ ଦରମା ଟିକକ ଯଦି ବଢ଼ିଯାଆନ୍ତା, ତା’ହେଲେ ପରିସ୍ଥିତି ସୁଧୁରି ଯାଆନ୍ତା।
କିନ୍ତୁ, ଏଭଳି ଦିନଟେ ଆସିଗଲା ଯେ ସେ ସବୁକିଛି ବିସ୍ମୃତ ହୋଇଗଲା।
ରାସ୍ତାକଡ଼ରେ ଛିଡ଼ାହୋଇ ସେ ହେଜିହେଲା, ଏବେ ସେ କୁଆଡ଼େ ଯିବ। ସୁନିଶ୍ଚିତ ସେ କୁଆଡ଼ୁ ଗୋଟେ ଆସିଥିଲା କିନ୍ତୁ, ଏବେ କେତୋଟି ମୁହୂର୍ତ୍ତରେ ତାର ସମସ୍ତ ସ୍ମୃତି ପୋଛି ହୋଇଯାଇଥିଲା। ଏବେ ସବୁ ରାସ୍ତା ତାକୁ ଆପଣାର ମନେ ହେଉଥିଲା, ଯାହା କୁଆଡ଼େ ବି ଯାଉନଥିଲା ଓ ତା’ ପାଦମାନଙ୍କରେ ପ୍ରବଳ ପୀଡ଼ା ହେଉଥିଲା।
ରାସ୍ତା କଡ଼ରେ ଛିଡ଼ାହୋଇ, ସେ ତା’ର ମଗଜ ଉପରେ ଆହୁରି ଚାପ ପକେଇ ଚିନ୍ତା କଲା – ସେ କିଏ? ଏଇ ବେଳକୁ ରିକ୍ସାଟିଏ ତା’ ପାଖରେ ରହିଲା।
“ବାବୁ, ଯିବେ?” ରିକ୍ସାବାଲା ପଚାରିଲା।
“ହଁ, ହଁ, ମୁଁ ଯିବି, ମୁଁ ଘରକୁ ଯିବି,” ସେ ଉତ୍ତର ଦେଲା।
“ଚାଲନ୍ତୁ ବାବୁ, ନେଇଯିବି, କୋଉଠି ଆପଣଙ୍କ ଘର?”
“ଜଣା ନାହିଁ, ଆଗରୁ ମତେ ଜଣାଥିଲା, ଏବେ କିନ୍ତୁ, ଘର ମୋଠୁ ହଜିଯାଇଛି।”
“କୌଣସି ଚିହ୍ନ ମନେଅଛି?”
“ଗଳିଟିଏ ଅଛି, ଯେଉଁଠି ନୀଳ ରଂଗର ଫାଟକଟିଏ ଲାଗିଛି।”
“ଗଳି ତ ବାବୁ ଲକ୍ଷେ ଆଉ, ନୀଳ ରଙ୍ଗର ଫାଟକ ବି ହଜାରେ। ଗଳି ଓ ଘର ନମ୍ବର କୁହନ୍ତୁ।”
“ନମ୍ବର?”
“ଆଜ୍ଞା ବାବୁ, ନମ୍ବର।”
ସେ ତା’ ମଗଜରେ ପୁଣି ଚାପଦେଲା, ଘାଣ୍ଟି ପକେଇଲା, କିନ୍ତୁ କୌଣସି ନମ୍ବରଟିଏ ତା’ର ମନେପଡ଼ିଲାନି।
“ଓଃ, ଦୁଃଖିତ, କୌଣସି ନମ୍ବର ମୋ’ର ମନେପଡ଼ୁନି,” ହତାଶ ସ୍ୱରରେ ସେ କହିଲା।
“ତେବେ, ଏଇଲାଗେ ଆପଣ ଯିବେ କୁଆଡ଼େ?” ରିକ୍ସାବାଲା ପଚାରିଲା।
“ଘରକୁ ଯିବି, ଯାହାକି କୋଉଠି ଅଛି ମତେ ଜଣାନାହିଁ।”
“ଏଇଠି କୋଉଠି ରହିଯାଇଥିବ, ଖୋଜିନିଅନ୍ତୁ ବାବୁ,” କହି ରିକ୍ସାବାଲା ଚାଲିଗଲା।
ସେ ରାସ୍ତାକଡ଼ରେ ହତାଶ ଓ ନିରାଶ ହୋଇ ଛିଡ଼ା ହୋଇଥିଲା, ତାର କିଛି ବି ମନେ ପଡ଼ୁନଥିଲା।
“ଏବେ ମୁଁ ଯିବି କୁଆଡ଼େ?’ ଉଗ୍ର ଶୋକାକୁଳ ଲହଡ଼ିର ଉଚ୍ଛ୍ୱାସଟିଏ ତା’ ଅନ୍ତରରୁ ଉଦ୍‌ଗାରିଆସିଲା ଓ ସେ କାନ୍ଦିପକେଇଲା। ପାଖ ଦେଇ ଯାଉଥିବା ଜଣେ ତାକୁ କାନ୍ଦୁଥିବା ଦେଖି ପଚାରିଲା, “କଥା କ’ଣ ମହାଶୟ, କୁଶଳ ମଙ୍ଗଳ ତ? ଆପଣ କାନ୍ଦୁଛନ୍ତି କାହିଁକି, କିଛି ଅସୁବିଧା?”
“ମୋ’ ଘର ମୋ’ଠୁ ହଜିଯାଇଛି,” ସେ କାନ୍ଦିକାନ୍ଦି କହିଲା।
“ଘର ହଜିଯାଇଛି? ମାନେ? ଆପଣ ଠିକଣା କୁହନ୍ତୁ, ମୁଁ ସାହାଯ୍ୟ କରିବି।”
“ଠିକଣା ହିଁ ହଜିଯାଇଛି,” କାନ୍ଦିକାନ୍ଦି ସେ କହିଲା।
“କିଛି ଅସୁବିଧା ନାଇଁ, ଆପଣ ଏ ସହରକୁ ନୂଆକରି ଆସିଛନ୍ତି କି? କୋଉ ସାଙ୍ଗ ସମ୍ପର୍କୀୟକୁ ଫୋନ୍ କରିନିଅନ୍ତୁ,” କହି ଲୋକଟା ଚାଲିଗଲା।
ସେ ତା’ ମୋବାଇଲ କାଢ଼ିଲା। ସବୁ ନମ୍ବର ତାକୁ ସମାନ ଦିଶୁଥିଲା। କିଂକର୍ତ୍ତବ୍ୟବିମୂଢ଼ ହୋଇ ସେ ଏଥର ରାସ୍ତା କଡ଼େକଡ଼େ ଚାଲିବସିଲା।


ଅନ୍ୟ ଗୋଟିଏ ରିକ୍ସାବାଲା ପୁଣି କହିଲା,
“ବସନ୍ତୁ ବାବୁ, ଯଦି ମେନ୍ ରୋଡ଼୍ ଆଡ଼େ ଯିବେ ଚାଲନ୍ତୁ, ଟଙ୍କା ପଚାଶଟି ଦେବେ, ଛାଡ଼ିଦେବି, ଏତେ ଗରମରେ ଚାଲିଚାଲି ଯିବା ବଡ଼ କଷ୍ଟକର ବାବୁ।”
“ପଚାଶ ଟଙ୍କା?” ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା।
“ହଁ ପଚାଶ, ଅଧିକା କିଛି ନୁହେଁ, ଚାଲନ୍ତୁ ନା ଆପଣ, ଚାଳିଶ ଦେଇଦେବେ,” ରିକ୍ସାବାଲା କହିଲା।
“ଚାଳିଶ?” ସେ ପୁଣି ଥରେ କହିଲା।
“କ’ଣ, ଏଇଟା ବି ବେଶି ହେଲା?”
“ଚାଳିଶ କହିଲେ କେତେ ହୁଏ?” ସେ ପଚାରିଲା।
“ଚାଳିଶ କହିଲେ ଚାଳିଶ ହୁଏ, ଆଉ କେତେ ହୁଏ?”
ପୁଣି ତା’ ମସ୍ତିଷ୍କରେ ସେ ଚାପଦେଲା। କିନ୍ତୁ, ସଂଖ୍ୟାଜ୍ଞାନ ସେ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଥିଲା ଓ ପାଖ ଗଳିକୁ ସେ ଦଉଡ଼ି ପଳେଇଲା।
ରିକ୍ସାବାଲା ତାକୁ ପଛରୁ ଚିଲ୍ଲୋଉଥିଲା, “ତିରିଶ ଦେଇଦେବେ ବାବୁ, ଆସନ୍ତୁ…”
କିନ୍ତୁ, ସେ ଦଉଡ଼ୁଥିଲା, ଦଉଡ଼ୁଥିଲା, କେଜାଣି କେତେ କାଳ ସେ ଦଉଡ଼ିଲା…। ତା’ ପାଦମାନଙ୍କରେ ପ୍ରବଳ ପୀଡ଼ା ହେଉଥିବା ସତ୍ତ୍ୱେ ବି ସେ ଅଟକିନି ଯେତେବେଳ ଯାକେ ନୀଳ ଫାଟକବାଲା ନିଜ ଘରକୁ ସେ ପହଞ୍ଚିଯାଇନି, ଯେଉଁ ଫାଟକର ରଂଗ ଏବେ ଛାଡ଼ିଯାଇଥିଲା।
ତା’ ସ୍ତ୍ରୀ ତାକୁ ଦେଖୁଦେଖୁ କହିଲା, “ଏତେ ଡେରି କୋଉଠି କରିଦେଲ? ଚିଠି ଖଣ୍ଡେ ତ କେବଳ ପୋଷ୍ଟ କରିବା ଥିଲା! କେତେ ଟଙ୍କା ଖର୍ଚ୍ଚକଲ?”
“ଜଣାନାହିଁ” ସେ କହିଲା।
“ଜଣାନାହିଁ ମାନେ କ’ଣ? କେଜାଣି ତୁମେ ତ ଟଙ୍କାପଇସା ହିସାବ ରଖନି। ଜାଣିଛନା, ବିଜୁଳି ବିଲ୍ ଏଥର ପୂରା ତିନିହଜାର ଆସିଛି, ତା’ ଉପରେ ପିଲାଙ୍କ ଫିଜ୍ ପାଞ୍ଚହଜାର ବାକି। ଆଉ ତୁମର ଦରମାଟା ଯୋଉଠି କି ସେଇଠି ରହିଛି! ଛାଡ଼, ଆଚ୍ଛା ଏବେ କେତେ ରଖିଛ ଦିଅ, ମୋର କିଛି ସପିଙ୍ଗ୍ ଅଛି।”
ସେ ପକେଟରୁ ପର୍ସ କାଢ଼ିଲା, ଟଙ୍କାତକ ଦେଖିଲା। କିନ୍ତୁ, ସେ ତ ଗଣିବା ପାସୋରି ଯାଇଥିଲା। ଏଣୁ, ହତଚକିତ ହୋଇ ତା’ ପୂରା ପର୍ସଟା ତା’ ସ୍ତ୍ରୀକୁ ଧରେଇଦେଲା।
ପର୍ସଟା ତା’ ହାତରୁ ନେଇ ସ୍ତ୍ରୀ ଟଙ୍କାତକ ଗଣିନେଲା ଓ କହିଲା, “କେବଳ ଟଙ୍କା ପନ୍ଦର ଶହ, ବାସ୍‌? ଏଥିରେ ଭଲା ମଣିଷ କ’ଣ ସପିଙ୍ଗ୍ କରିବ? ମନସୂର ସାହେବଙ୍କୁ ଦେଖ, ତୁମରି ଅଫିସରେ ହିଁ ତ କାମ କରନ୍ତି, ନୂଆ ଘର ଖଣ୍ଡେ କରିସାରିଲେଣି। ଆଉ ତୁମେ ଜଣେ ଅଛ ଯେ ପକେଟରେ ଟଙ୍କା ପନ୍ଦର ଶହ ନେଇ ବୁଲୁଛ। ଛିଃ… ତମକୁ ବାହା ହୋଇ ମୋ’ ଜୀବନଟା ମାଟି ହୋଇଗଲା। ଛୋଟଛୋଟ ଇଚ୍ଛା ବି ମଣିଷ ପୂରଣ କରିପାରିଲାନି। ଆଉ, ମତେ ଠିକ୍ ଜଣା, ଏ ପିଲାଛୁଆଙ୍କ ସାଧାରଣ ଇଚ୍ଛା ବି ପୂରଣ ହେବନି।”
ବିଷଣ୍ଣ ଦୃଷ୍ଟିରେ ସେ ନିଜ ପିଲାଛୁଆଙ୍କ ଆଡ଼କୁ ଅନାଇଲା। ସେମାନଙ୍କୁ ସେ କହିବାକୁ ଚାହୁଁଥିଲା ଯେ ତା’ ସ୍ମୃତିଶକ୍ତି ସମ୍ପୂର୍ଣ୍ଣ ଲୋପ ପାଇଯାଇଛି। ତା’ ପାଦରେ ପ୍ରବଳ ପୀଡ଼ା ହେଉଛି ଏବଂ ଉଷୁମ ପାଣିରେ ବୁଡ଼େଇ ରଖିଲେ ବି ସେ ପୀଡ଼ାର ଉପଶମ ହେଉନି। କିନ୍ତୁ ଘୃଣା ସହକାରେ ପିଲାଏ ମୁହଁମୋଡ଼ି ଘରୁ ବାହାରିଗଲେ।
ତା’ ସ୍ତ୍ରୀ ଅନବରତ ଚିଲ୍ଲୋଉଥିଲା ଯାହାର ଖିଅ ଟିକକ ବି ସେ ଧରିପାରୁନଥିଲା। ସେ ହିସାବକିତାବରୁ ମୁକ୍ତି ପାଇଯାଇଥିଲା।
ପଚାରିଲା, “ପନ୍ଦର ଶହ କଣ କମ୍ ହୁଏକି?”
“ନାଇଁ ନାଇଁ, ଢେର ହୁଏ, ଉଆସଟିଏ ତ ଏତିକିରେ ହିଁ ତୋଳାହୁଏ ନା!”
“ଢେର୍‌ଟା କେତେ ହୁଏ?”
“ଢେର… ଯେତେ ଇଚ୍ଛା ତେତେ… କମ୍ ହୁଏ?”
କାନ୍ଥକୁ ଆଉଜି ସେ ବସିଗଲା। ଗୋଡ଼ହଳକ ଲମ୍ବେଇଦେଲା। ମୁହଁକୁ ପାପୁଲିରେ ଲୁଚେଇ ଧରି ଭୋ’ଭୋ’ କାନ୍ଦିବାରେ ଲାଗିଲା।
“କଣ ହେଲା? ତୁମେ କାନ୍ଦୁଛ କାହିଁକି?” ବିସ୍ମିତ ହୋଇ ସ୍ତ୍ରୀ ତା’ ଆଡ଼କୁ ଅନାଇ ପଚାରିଲା।
ଅଚାନକ୍ ସ୍ତ୍ରୀର ଆଖି ତା’ ଜୋତାରେ ପଡ଼ିଗଲାରୁ ସେ ପଚାରିଲା, “କେବେଠୁ ତୁମ ଜୋତାର ସୋଲ୍ ନାଇଁ…?”

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *