ପକ୍ଷୀ ଦମ୍ପତ୍ତି ପରି ସେ ଦୁହେଁ ମଧ୍ୟ ହାରିଯାଇ ନାହାନ୍ତି ତଥାପି।

ଇଏ ସେଇ କାଉ ଯିଏ ମାଠିଆ ପାଣି ସ୍ତର ତଳକୁ ଖସି ଯାଇଥିଲେ ମଧ୍ୟ ଗୋଡ଼ି ପକେଇ ପାଣି ବା ଜଳ ସ୍ତର ଉପରକୁ ଉଠେଇ ପାଣି ପିଇ ତୃଷା ମେଣ୍ଟାଇପାରେ। ପୁଣି ଇଏ ସେଇ କାଉ ଯିଏ ଭାସିଯାଉଥିବା ପିମ୍ପୁଡି ଆଗରେ ପତ୍ର ପକେଇ ତାକୁ କୂଳ ଯାଏଁ ଯିବାକୁ ସାହାଯ୍ୟ କରିପାରେ। ଇଏ ସେଇ କାଉ ଯିଏ ସବୁଦିନ ସକାଳ ହେବା ମାତ୍ରେ କା’ କା’ କହି ନିଦ ଭାଙ୍ଗେ ସବୁ ମଣିଷଙ୍କର। ଆଉ ଇଏ ମଧ୍ୟ ସେହି କାଉ ଯିଏ ନିଜ ବସାରେ ନିଜ ଅଣ୍ଡା ସହ କୋଇଲିର ଅଣ୍ଡା ମଧ୍ୟ ଫୁଟେଇ ଥାଏ।
ଏଇ ଶେଷ କଥା ଭାବୁ ଭାବୁ ସୁଭଦ୍ରା ବଳ ପାଇଗଲେ। ମାନସିକ ବଳ ଦେହରେ ଆଣିଦିଏ ଅଫୁରନ୍ତ ଫୁର୍ତ୍ତି ଓ ଆଗ୍ରହ, ତ ସେ ଦେଖିଲେ ବର୍ଷକୁ ବର୍ଷ କାଉ ପକ୍ଷୀ ଯଦି ନିଜ ବସା ନିଜେ ସଜାଡି ପାରୁଛି, ତେବେ ସମୟ ଓ ବୟସକୁ ପଛରେ ପକେଇ ତାଙ୍କୁ ମଧ୍ୟ ଠିଆ ହେବାକୁ ହେବ। ଘର ଝଡ଼ାଝଡ଼ି ଓ ସଫାସଫି କରିବାକୁ ହେବ। ଯିଏ ଯେତେ ଥାଆନ୍ତୁ ବା କାହାକୁ କାମ କରିବାକୁ ରଖନ୍ତୁ, କିନ୍ତୁ ନିଜ କାମ ନିଜେ କରିବାରେ ଯୋଉ ଆନନ୍ଦ ତାହା କୋଉଠି ନାହିଁ।
ଚଳଚଞ୍ଚଳ ଲାଗିଲା ସୁଭଦ୍ରାଙ୍କୁ ତ ଓଲ୍ହେଇଲେ ଛାତରୁ; ଧରିଲେ ଘରଝଡା, ଆରମ୍ଭ କଲେ କାମ। ଆଦିକନ୍ଦ କହୁଥିଲେ, ହାଁ ହାଁ ଦେଖିକି, ପଡ଼ିବ। ଆରେ ପଡ଼ିବି କାହିଁକି? ମୋ ବୟସଠୁ ଆହୁରି ଅଧିକା ବୟସର ଲୋକ ମଧ୍ୟ ବୟସର ଚାପରେ ହାରିନଯାଇ କର୍ମଠ ରହିଛନ୍ତି, ତ ମୁଁ କାହିଁକି ନୁହଁ? ନ ଆସୁ ଫୁଲ. ମୁଁ ମୋ ନିଜ ଘର କାମ ନିଜେ କରିପାରିବି।

କାଉ ମତେ ଏକଥା ଶିଖେଇଦେଲା ବୋଲି ସୁଭଦ୍ରା କହୁଥିବା ଶୁଣିଲେ ଆଦିକନ୍ଦ। ପଚାରିଲେ, କାଉ କେମିତି କଣ ଶିଖେଇଦେଲା! କଥାରେ ନୁହଁ, କାମରେ ଅନେକ କଥା ଶିଖାନ୍ତି ପଶୁ ଓ ପକ୍ଷୀ। ବୟସକୁ ପଛରେ ପକେଇ ଡେଣା ଝାଡ଼ି ଓ ଉଡି ଉଡି କାଉ ଯଦି ଥଣ୍ଟ ସାହାଯ୍ୟରେ ନଡ଼ିଆ ଗଛ ଉପରେ କୁଟା କାଠି ସଜାଡି ନୂଆ ଘର ଗଢିପାରୁଛି, ପ୍ରତିବର୍ଷ ତେବେ ମୁଁ ମୋ ନିଜ ପୁରୁଣା ଘରଟାକୁ ସଜାଡିବାରେ କୁଣ୍ଠାବୋଧ କରି ବୟସ ଜନିତ ହାର ମାନି ଫୁଲ ଉପରେ ନିର୍ଭରଶୀଳ ହେବା ଉଚିତ ନୁହଁ ବୋଲି ବୁଝାଇ ଦେଲେ ସୁଭଦ୍ରା। ଆଦିକନ୍ଦ ବାବୁ ହସୁଥିଲେ ଆଉ ପଚାରୁଥିଲେ, ତେବେ ତୁମ ଲେଖାଲେଖି!
ସେସବୁ ଚାଲିବ ଓ ତା ସଙ୍ଗେ ଘରକାମ ମଧ୍ୟ ଚାଲିବ ବୋଲି କହି ସୁଭଦ୍ରା ମନେ ପକାଇଦେଲେ କଲିକତା ନିକୋ ପାର୍କରେ ଟୋପି ତିଆରି କରୁଥିବା ସେହି ବୁଢା ଲୋକ ଓ ତା ପାଖରେ ବସି ଫୁଲ ଗୁନ୍ଥି ମାଳ କରୁଥିବା ତାଙ୍କ ସ୍ତ୍ରୀ ସେହି ବୁଢ଼ୀ ଲୋକ କଥା। ବୟସକୁ ପଛରେ ପକେଇ, ପୁଅ ଅବା ଝିଅ କାହାର ଆଶ୍ରିତ ନହୋଇ, ନିଜ ଶ୍ରମକୁ ସାର୍ଥକ କରି ଓ କରାଇ ଆଗକୁ ବଢିବା ସେହି ବୁଢା ଲୋକଙ୍କ ଠାରୁ ଶିଖିବାର କଥା। ପୁଣି ସ୍ୱାମୀ ସଙ୍ଗେ ଦୁଃଖସୁଖରେ ସାମିଲ ହୋଇ, ମିଳିମିଶି ଚଳି ତଥା ସ୍ତ୍ରୀ ଧର୍ମ ନିଭେଇ ଫୁଲ ତୋଳି ଓ ମାଳ ଗୁନ୍ଥି ପାର୍କ ରେ ବିକୁଥିବା ସେହି ବୁଢ଼ୀ ମାଉସୀଙ୍କ ବୟସ ଖୁବ ଅଧିକ ଥିଲା ସୁଭଦ୍ରାଙ୍କ ଠାରୁ। ସେହି କଥା ମନେପକେଇ ଶ୍ରମକୁ ଦ୍ବିଗୁଣିତ କରି ସୁଭଦ୍ରା କାମ କରିଚାଲିଲେ ବିନା କାମବାଲୀ ଫୁଲର ସାହାଯ୍ୟ ସହଯୋଗରେ।
ସାତ ଦିନ ପରେ ଫୁଲ ଆସି ଘରର ବ୍ୟବସ୍ଥିତ ରୂପ ଦେଖି ଆଖି ଖୋସିଦେଲା ବେଳେ ଆଦିକନ୍ଦ କହୁଥିଲେ, ତୁ ଗୋଟେ ଟୋପି ନେ ଫୁଲ, କଲିକତି ଟୋପି; ଖରାରୁ ରକ୍ଷା ପାଇବୁ। ଆଉ ଜାଣୁ ଏଇ ଟୋପିରେ ଅନେକ କାହାଣୀ ଯାହା ବୟସକୁ ପଛକୁ ପକାଇ ଆଗକୁ ବଢିବାର ସାରଣୀ।
ଫୁଲ ଆଶ୍ଚର୍ଯ୍ୟ ହୋଇ ଚାହିଁଥିବା ବେଳେ ଛାତ ଉପରୁ ସୁଭଦ୍ରା ଡାକ ପକେଇଥିଲେ ଦେଖିବ ଆସ, ଦେଖିବ ଆସ; କାଉ ବସାରେ କୋଇଲି ଅଣ୍ଡା ଦେଉଛି। ଫୁଲ କହୁଥିଲା, ମାଆ ତୁମେ ତ ପୁରା କାଉ ପରି ନିଜ ବସା ସଜାଡ଼ିଛ; ହେଲେ ମୁଁ ଭାବୁଛି ତୁମ ବସାର କୋଇଲି କିଏ? ତୋ’ଛଡା ଆଉ କିଏ? ସୁଭଦ୍ରାଠାରୁ ଏ କଥା ଶୁଣି ଫୁଲ କହିଲା, ଆଉ କିଛି ଦିନ ପରେ ମୋ’ ବାହାଘର ମାଆ। ବାହାଘର ପରେ ମୁଁ ଏକା ନୁହଁ ଆମେ ଦୁହେଁ ଏଇଠି ରହିବୁ, ସେତେବେଳେ ମନା କରିବ ନାହିଁ। ମୋ ସ୍ୱାମୀ ଏଇ ତହସିଲ ଅଫିସରେ କାମ କରନ୍ତି ମାଆ। ଶାଶୁଘର ସମ୍ବଲପୁରରୁ ଆସି ଏଇଠି ରହିବୁ ଆମେ।
ହଉ ରହ। ତୁ ପରା ମୋ’ ବଳ ଓ ବୟସ। ତୋ ପାଇଁ ମୁଁ ହାରିନି ଏଯାଏଁ। ଏହା କହି ସୁଭଦ୍ରା ଗେଲ କରିଦେଲେ ଫୁଲକୁ। ଆଦିକନ୍ଦ ବାବୁ ନୂଆ ତୁଳସୀ ଗଛ ଲଗାଇ ସାରିଥିଲେ ଏ ଭିତରେ ଛାତ ଉପରେ, ଆଉ ଦେଖୁଥିଲେ କାଉ ବସାଟିକୁ ନଡ଼ିଆ ଗଛ ଉପରେ। ପକ୍ଷୀ ଦମ୍ପତ୍ତି ପରି ସେ ଦୁହେଁ ମଧ୍ୟ ହାରିଯାଇ ନାହାନ୍ତି ତଥାପି।