ଜୈବିକ ସାହିତ୍ୟ ଓ ଅଜୈବିକ ସାହିତ୍ୟ

ଅର୍ଗାନିକ୍ ଲିଟରେଚର୍ ବା ଜୈବିକ ସାହିତ୍ୟ ଯେ ଭବିଷ୍ୟତରେ ବିରଳ ଏବଂ ମହାର୍ଘ ହେବ ସେ କଥା ଅବଧାରିତ।

ଦାଶ ବେନହୁର

ସାଧାରଣରେ ଜଣା ଯେ ସାହିତ୍ୟର ଦୁଇଟି ରୂପ। ମୌଖିକ ଓ ଲିଖିତ। ପୁନଶ୍ଚ ଆଉଏକ ଧାରଣା ଅଛି – ଲିଖିତ ସାହିତ୍ୟର ଜୀବନ ଲମ୍ବା ଏବଂ ମୌଖିକର କ୍ଷଣସ୍ଥାୟୀ। ଆହୁରି ମଧ୍ୟ କୁହାଯାଇପାରିବ ଯେ ସାହିତ୍ୟ ପ୍ରାକୃତିକ। ଅପ୍ରାକୃତିକ ହେଲେ ତାହା ସାହିତ୍ୟ ପଦବାଚ୍ୟ ହେବନାହିଁ।
ଏ ସମସ୍ତ ଧାରଣା ଭୁଲ୍।
ଆଗକୁ ଯେଉଁ ଜୈବିକ ଏବଂ ଅଜୈବିକ ସାହିତ୍ୟର ଯୁଗ ଆସୁଛି, ତାହା ସାହିତ୍ୟର ପରିଭାଷାକୁ ସଂପୂର୍ଣ୍ଣ ବଦଳାଇଦେବ। ବହି ଦୋକାନରେ ପରିବା ଦୋକାନ ଭଳି ଦୁଇଟି ଫଳକ ଝୁଲିବ ଏବଂ ଦରଦାମରେ ବେଶ୍ ଭିନ୍ନତା ଆସିବ। ଅଜୈବିକ ସାହିତ୍ୟ ଶସ୍ତା ହେବ ଏବଂ ଜୈବିକ ସାହିତ୍ୟ ଦର କାହିଁ କେତେଗୁଣା ଅଧିକ ହେବ।

ରଚନାର ସ୍ଥାୟିତ୍ୱ
ପ୍ରାକ୍ କଥନରେ ଥିବା ଅଭିବ୍ୟକ୍ତିଗୁଡ଼ିକୁ ପ୍ରଥମେ ତଦାରଖ କରିବା ଦରକାର। ସାହିତ୍ୟ ଲେଖି ହୋଇଗଲେ ସତରେ କ’ଣ ସ୍ଥାୟୀ ହୋଇଯାଏ ନା ତା’ର ଜୀବନ ଲମ୍ବା ହୁଏ। ବେଦ, ଉପନିଷଦ ସମୟରେ ଲିଖନ ପଦ୍ଧତି ହିଁ ନଥିଲା। ସେସବୁ ଏଯାଏ ବଞ୍ôଚଛନ୍ତି କେମିତି? ‘ସତ୍ୟମେବ ଜୟତେ’, ‘ତମସୋ ମା’ ଜ୍ୟୋତିର୍ଗମୟ’, ‘ବସୁଧୈବ କୁଟୁମ୍ବକମ୍‌’ ବା ‘ଏକମ୍ ସତ୍ ବିପ୍ରା ବହୁଧା ବଦନ୍ତି।’ ଏସବୁ ଆମ ପାଖକୁ ‘ମୁଣ୍ଡକ ଉପନିଷଦ’, ‘ବୃହଦାରଣ୍ୟକ ଉପନିଷଦ’, ‘ମହାଉପନିଷଦ’ ତଥା ‘ଋକ୍‌ବେଦ’ ଭଳି ମୌଖିକ ଧାରାରୁ ଆସିଛି। ‘ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ’ ବା “ଧୋ’ରେ ବାଇଆ ଧୋ” ଭଳି ଶିଶୁମନ ଉଲୁସା ଉଚ୍ଚାରଣ କିଏ କ’ଣ କେଉଁଠି ଲେଖିଦେଇଥିଲା କାନ୍ଥରେ? ଲିଖିତ ସାହିତ୍ୟ ହଜିଯାଇପାରେ, ମାତ୍ର ଚିରନ୍ତନତା ଆଧାରିତ ସାହିତ୍ୟ ଲେଖା ନ ହେଲେ ବି ହଜିବ ନାହିଁ। ଗଣସ୍ମୃତି ତା’କୁ ଧରିରଖିବ। ମୂଳକଥା ଭଲ ସାହିତ୍ୟ ଅଲେଖା ହେଲେ ବି ସ୍ମୃତିକୁ ଧରେ। କୀର୍ତ୍ତିଃ ଅକ୍ଷର ସମ୍ବନ୍ଧା ସ୍ଥିରଭବତି ଭୂତଳେ। ଅକ୍ଷରର ବି ମୌଳିକ ସ୍ୱରୂପ ଅଛି।
ସେମିତି ପ୍ରାକୃତିକ ସାହିତ୍ୟିକ, ଅପ୍ରାକୃତିକ ସାହିତ୍ୟ।
ପ୍ରାକୃତିକ ସାହିତ୍ୟ ତାହା ଯେଉଁଥିରେ ଅନୁକରଣ ବା ଆଉ କେଉଁ ରଚନାର ପ୍ରଭାବ ନଥାଏ। ଯାହା ଷୋଳପଣେ ମୌଳିକ। ମାତ୍ର ଦେଖିବାକୁ ଗଲେ ସେମିତି ସାହିତ୍ୟ ବିରଳ। ଅନ୍ୟର ରଚନା ଓ ବିଚାରବୋଧକୁ ଚତୁରତାର ସହ ନିଜର ସୃଷ୍ଟି ଭାବେ ସାବ୍ୟସ୍ତ କରିପାରିବା ଗୋଟେ କଳା। ଟି.ଏସ୍‌. ଏଲିଅଟ୍ କହିଥିଲେ – କଞ୍ଚା କବି ଅନୁକରଣ କରେ; ମାତ୍ର ପାକଳ କବି ଚତୁରତାର ସହ ଅନ୍ୟର ଭାବ ଅପହରଣ କରେ। (‘ଇମାଚିଉର୍ ପୋଏଟ୍ ଇମିଟେଟ୍‌ସ; ଦ ମାଚିଉର ପ୍ଲାଗିଆରାଇଜେସ୍‌’) ମାର୍କ ଟ୍ୱେନଙ୍କ କହିବାକଥା ହେଲା, ‘କେବଳ ପ୍ରଥମ ମାନବ ଆଦାମ୍ ବୋଧେ କିଛି ମୌଳିକ କଥା କହିଥିବେ କାରଣ ତାଙ୍କ ପୂର୍ବରୁ କେହିନଥିଲେ କହିବାକୁ।’ ସେ ଯାହାହେଉ, ସାହିତ୍ୟର ଅଧିକାଂଶ ଭାଗ ଅପ୍ରାକୃତିକ। ହସ କ’ଣ ସତରେ ଚୂନାଚୂନା ନା କାହାର ମୁହଁ ଚନ୍ଦ୍ର ବା ପଦ୍ମଫୁଲ ପରି? ସାହିତ୍ୟ ପ୍ରାକୃତିକକୁ ଅପ୍ରାକୃତିକ କରେ। ପ୍ରାକୃତିକ ଉପାଦାନର ଉପମା ବା ରୂପକ ପ୍ରୟୋଗକରି ମଣିଷ ଯେଉଁ ଉଚ୍ଚାଙ୍ଗ ସାହିତ୍ୟ ରଚନାକରେ ତା’ର ସ୍ୱରୂପ ଅପ୍ରାକୃତିକ, ମାତ୍ର ତାହା ହିଁ ଜୀବନକୁ ଉପଭୋଗ୍ୟ କରେ।
ଗୋଟିଏ ଉଦାହରଣ ରଖିବା। ସ୍ୱଭାବ କବି ଗାଙ୍ଗାଧରଙ୍କ ‘ତପସ୍ୱିନୀ’ କାବ୍ୟରୁ ଗୋଟିଏ ପଦ ଉଦ୍ଧାର କରିବା – ‘ମଙ୍ଗଳେ ଅଇଲା ଉଷା, ବିକଚ – ରାଜୀବ ଦୃଶା / ଜାନକୀ-ଦର୍ଶନ ତୃଷା ହୃଦୟେ ବହି / କରପଲ୍ଲବେ ନିହାର-ମୁକ୍ତା ଧରି ଉପହାର / ସତୀଙ୍କ ବାସ-ବାହାର ପ୍ରାଙ୍ଗଣେ ରହି / କଳକଣ୍ଠ କଣ୍ଠେ କହିଲା / ଦରଶନ ଦିଅ ସତୀ, ରାତି ପାହିଲା।’
ମଙ୍ଗଳକାମୀ ସକାଳ
ସକାଳର କ’ଣ ଭଲ ମନ୍ଦ ଅଛି? ମାତ୍ର ବର୍ଣ୍ଣିତ ହେଲା ଯେ ସକାଳ ମଙ୍ଗଳକାମୀ ହୋଇ ଆସିଲା। ସେମିତି କେଉଁ ସକାଳ ଫୁଟିଥିବା ପଦ୍ମଫୁଲ ପରି ଦିଶେ ନା କାହାର ହାତ ପତ୍ର ଭଳି ଓ କାକର ବୁନ୍ଦାଗୁଡ଼ିକ କେଉଁଠି ଅବା ମୁକ୍ତାପରି? ସକାଳ ପୁଣି କୋଇଲି ଭଳି ସ୍ୱରକରି କଥା କହୁଛି ଯେ ରାତି ପାହିଲାଣି, ହେ ସତୀ ମତେ ଦେଖାଦିଅ। ଏ ସମସ୍ତ କଥା ପ୍ରାକୃତିକ ଉପାଦାନର ଅପ୍ରାକୃତିକ ପ୍ରୟୋଗ।
ମନେପଡୁଛି ଗୁରୁପ୍ରସାଦ ମହାନ୍ତିଙ୍କର ‘ଛୁଟିର ଖରା କବିତା’-
“ପାଛୁଡ଼ା ଧାନର ଚୋପା ଛାଇଯାଏ ଆକାଶ ଆକାଶ
ହଳଦିଆ ସୋରିଷ କିଆରି
ଅଶ୍ୱତ୍‌ଥ ଗଛର ଖରା, ନିଛାଟିଆ ଖଜୁରି ଗଛର
ପାଛୁଡ଼ା ଧାନର ଚୋପା ଆକାଶର ଏପାରି ସେପାରି।
ନରମ ଆକାଶ ଆଉ ନାହିଁ କଇଁ ଶୂନ୍‌ଶାନ୍ ବେଣା ବାଲିରେ
ନିଛାଟିଆ ଯୋର ପାଣି ନିଛାଟିଆ ନେଳି ଶିଉଳିରେ
ହଳଦିଆ ଏ ଦି’ ପହରେ।”

କେତେ ଚମତ୍କାର ଲାଗୁଛି ପଢ଼ିବାକୁ ସବୁ। ନାନା ପ୍ରାକୃତିକ ବସ୍ତୁ ଉପମା ସାଜିଛନ୍ତି। ଦ୍ୱିପ୍ରହର ବି ହଳଦିଆ ଦେଖାଯାଉଛି।
ଅସଲକଥା ହେଲା, ସାହିତ୍ୟ, ଲୋକକଥା, ଲୋକଗୀତରୁ ଆରମ୍ଭକରି ବେଦ, ଉପନିଷଦ, ପୁରାଣ ଏବଂ ଆଧୁନିକ କାବ୍ୟ କବିତାରେ ପ୍ରକୃତିକୁ ହିଁ ସର୍ବତ୍ର ଅପ୍ରାକୃତିକ କରିଛି। ଏ ଅପ୍ରାକୃତିକ ପ୍ରକ୍ରିୟା ହିଁ ରଚନାତ୍ମକତା। ଦେହ ଫୁଙ୍ଗୁଳା। ଫୁଙ୍ଗୁଳାପଣ ହିଁ ତା’ର ପ୍ରାକୃତିକତା। ତା’କୁ ବସନ ଭୂଷଣରେ ସଜାଇବା ଅଳଙ୍କାରରେ ମଣ୍ଡାଇବା ମଣିଷର ରଚନାତ୍ମକ କାର୍ଯ୍ୟ। କାଠ, ପଥର, ଧାତୁ, ଫୁଲ, ଫଳ, ପତ୍ର ସବୁକୁ ମଣିଷ ତା’ର ସୌନ୍ଦର୍ଯ୍ୟବୋଧରେ ଭିନ୍ନ ଭିନ୍ନ ଢଙ୍ଗରେ ଉପଯୋଗ କରିଛି। ପ୍ରାକୃତିକ ବିଭବଗୁଡ଼ିକୁ ନିଜ ବିଚାରରେ ଅଧିକ ସୁନ୍ଦର କରି ବିନିଯୋଗ କରିଛି। ଏଇ ବିନିଯୋଗ ପ୍ରକ୍ରିୟା ହିଁ ସଂସ୍କୃତି। ସେଇଥିରୁ ଯେତେସବୁ ନୃତ୍ୟ, ଗୀତ, ଅଭିନୟ ଓ ସାହିତ୍ୟ।
ଅତଏବ କୁହାଯାଇପାରେ ଯେ ସାହିତ୍ୟ ଅଧିକତର ଭାବେ ଶୈକ୍ଷିକ ଏବଂ ପ୍ରାୟତଃ ଅପ୍ରାକୃତିକ।

କୃତ୍ରିମ ବୁଦ୍ଧିମତ୍ତା
ଏବେ ଗୋଟିଏ ନୂଆ ପ୍ରୟୋଗ ସାରା ପୃଥିବୀ ସାମନାକୁ ଆସିଛି ବୋଲି ଚାରିଆଡ଼େ ପ୍ରଚାର। ଇଂରାଜୀ ଭାଷାରେ ତା’କୁ କୁହାଯାଉଛି ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍‌’ ବା ‘କୃତ୍ରିମ ବୁଦ୍ଧିମତ୍ତା’। ପ୍ରକୃତି, ଜୈବିକ ଏବଂ କୃତ୍ରିମତା ଅଜୈବିକ। ଏହାଫଳରେ ମଣିଷ ଯେଉଁ କାମ କରିବା ପାଇଁ ନିଜର ବୁଦ୍ଧି ଖଟାଉଥିଲା, ଏବେ ତାହା ସେ ମାଗିବା ମାତ୍ରେ ଅନ୍ୟ ଏକ ସୂତ୍ରରୁ ମିଳିଯାଉଛି। ହେଲେ ମଣିଷକୁ କୃତ୍ରିମ ବୁଦ୍ଧି ସାହାଯ୍ୟ କରିବା କଥାଟି କ’ଣ ସତରେ ନୂଆ?
ସଭ୍ୟତା ଆରମ୍ଭରୁ ମାନବ ଯେବେ ସୃଷ୍ଟିଶୀଳ ହେଲା, ତା’ ମନକୁ ପ୍ରଥମେ ଆସିଲା ଭାବନା। ସେଇ ଭାବନା ଧୀରେ ଧୀରେ ଭାଷା ରୂପନେଲା। ଭାଷା ପୁଣି ସୃଷ୍ଟିଶୀଳ ହୋଇ ଭାବନାକୁ କେତେ ବାଗରେ ସଜେଇଲା। ସେଇ ସଜେଇବାର ଅନବଦ୍ୟ ରୂପ ‘ବେଦ’। ପ୍ରାକୃତିକ ଭାବେ ମଣିଷ ତାକୁ ସାଇତି ରଖିଥିଲା ସ୍ମୃତିରେ। ଏ ମୁହଁରୁ ସେ କାନ, ସେ ମୁହଁରୁ ଆଉ କେତେ କାନ ହୋଇ ବଞ୍ôଚ ରହିଥିଲା ଶ୍ରୁତି ଆଧାରିତ ଏଇ ଜ୍ଞାନଧାରା। ଲିଖିତ ପଦ୍ଧତି ଆସିବା ପରେ ହିଁ ତାହା ଗ୍ରଥିତ ହୋଇ ଗ୍ରନ୍ଥ ହେଲା। ପୋଥିଗତ ହୋଇ ଏକ ନୂଆ ସ୍ୱରୂପ ପାଇଲା।
ଭିତରେଇ ଦେଖିଲେ ସ୍ମୃତି ପ୍ରାକୃତିକ, ମାତ୍ର ଲିଖନ ପଦ୍ଧତି ଅପ୍ରାକୃତିକ। ତାଳପତ୍ର ପ୍ରାକୃତିକ, ହେଲେ ପୋଥି ଅପ୍ରାକୃତିକ। ଅଭିଧାନ, ବ୍ୟାକରଣ ଏ ସମସ୍ତ ଅପ୍ରାକୃତିକ। କଥାଟିଏ ଠିକ୍ ନ ଲାଗିଲେ ଆମେ ଧାଇଁଯାଉଛୁ ବ୍ୟାକରଣ ପାଖକୁ। ସେମିତି ଗୋଟିଏ ଶବ୍ଦର ଅର୍ଥ ବୁଝି ନ ପାରିଲେ ଆମେ ଫିଟେଇ ବସୁଛୁ ଅଭିଧାନର ପୃଷ୍ଠା।
ଶୁଣିବାକୁ ଅସହଜ ଲାଗିପାରେ, ମାତ୍ର ବ୍ୟାକରଣ ପ୍ରାକୃତିକ ନୁହେଁ କି ଅଭିଧାନ ପ୍ରାକୃତିକ ନୁହେଁ। ସାହିତ୍ୟ, ସଂଗୀତ, ନୃତ୍ୟ, ଅଭିନୟ, ଅଙ୍କନ ଓ ଭାସ୍କର୍ଯ୍ୟ ସବୁରେ ମିଶିଛି ମଣିଷର କୃତ୍ରିମ ବୁଦ୍ଧିମତ୍ତା।
ଅପ୍ରାକୃତିକ ପ୍ରୟୋଗ
ଏବର ଯେଉଁ ଡିଜିଟାଲ୍ ବା ସାଂଖ୍ୟିକ ପ୍ରୟୋଗ ତାହା ନୂଆ ହୋଇଥିବାରୁ ଆମେ ତା’କୁ ବୁଝିବାରେ ସହଜତା ଅନୁଭବ କରିପାରୁନାହୁଁ। ବିଦ୍ୟୁତ୍ ଶକ୍ତି ବା ଟେଲିଫୋନ୍‌, ରେଡିଓ, ଟିଭି, ସେଲଫୋନ୍ ମଧ୍ୟ ଆମକୁ ଦିନେ ହତଚକିତ କରିଥିଲା। ସବୁ ମଣିଷ କରିଛି। ପ୍ରକୃତିର ବିଭବକୁ କେତେ ନା କେତେ ନୂଆ ଢଙ୍ଗରେ କାର୍ଯ୍ୟକାରୀ କରୁଛି। ଆମେ ତାକୁ କହୁଛୁ ଅପ୍ରାକୃତିକ।
ପୁନଶ୍ଚ ଅର୍ଥ ଦିଗରୁ ଦେଖିଲେ କୌଣସି କଥା ଅପ୍ରାକୃତିକ ନୁହେଁ। ତାହା ପ୍ରକୃତିର ବା ପ୍ରାକୃତିକ ବସ୍ତୁର ମଣିଷ ତିଆରି ଏକ ଭିନ୍ନ ରୂପ। ପ୍ଲାଷ୍ଟିକ୍‌, ସିନ୍ଥେଟିକ୍ ଆଦିକୁ ଆମେ ଅପ୍ରାକୃତିକ କହୁ ମାତ୍ର ତା’ର ମୂଳ ତ ପ୍ରାକୃତିକ ଉପାଦାନ। ପଲିଥିନ୍‌କୁ ଅପ୍ରାକୃତିକ କହି ଆମେ ଗାଳିକରୁ। ତାହା ପରିବେଶକୁ ନଷ୍ଟ କରୁଛି ନିଶ୍ଚୟ ହେଲେ ତା’ର ମୂଳ ସୂତ୍ର ତ ‘କ୍ରୁଡ୍ ଅଏଲ୍‌’ ବା ଅଶୋଧିତ ତୈଳ ଓ ପ୍ରାକୃତିକ ବାଷ୍ପ! ପଲିଥିନ୍ ପ୍ଲାଷ୍ଟିକର ଅନ୍ୟ ଏକ ରୂପ ମାତ୍ର ଏବଂ ପ୍ଲାଷ୍ଟିକ୍ କୋଇଲାର ଗୋଟିଏ ରୂପାନ୍ତର କେବଳ।
ସେମିତି ସାହିତ୍ୟ। ପ୍ରାକୃତିକ ସାହିତ୍ୟ ବୋଲି କିଛି ନାହିଁ। ସବୁ ଅପ୍ରାକୃତିକ। କିନ୍ତୁ ଜୈବିକ ସାହିତ୍ୟ ଓ ଅଜୈବିକ ସାହିତ୍ୟ ଭିତରେ ଅଛି ଏକ ବିରାଟ ଫରକ। ଜୈବିକ ସାହିତ୍ୟକୁ ପ୍ରାକୃତିକ ଓ ଅଜୈବିକ ସାହିତ୍ୟକୁ ଅପ୍ରାକୃତିକ କହିଲେ ଆମେ ଭୁଲ୍ କରିବସିବା।
ଜୈବିକ ଓ ଅଜୈବିକ
ମନୁଷ୍ୟ ନିଜେ ବିଚାରକରି, ଆପଣା ବୁଦ୍ଧି ପ୍ରୟୋଗକରି ଓ ନିଜସ୍ୱ ଭାବ, ଭାବନା, ଭାଷା ଆଧାରରେ ଯେଉଁ ସାହିତ୍ୟ ସୃଷ୍ଟିକରେ, ତାହା ଜୈବିକ ବା ଜୀବନ ଆଧାରିତ, ଇଂରାଜୀରେ କହିଲେ ‘ଅର୍‌ଗାନିକ୍ ଲିଟରେଚର୍।’ ଯେଉଁ ସାହିତ୍ୟ ମେସିନ ହେଉ ବା ଇଣ୍ଟରନେଟ୍‌ର ସହଯୋଗରେ ପ୍ରସ୍ତୁତ ହୁଏ ତାହା ‘ଇନ୍‌ଅର୍ଗାନିକ୍‌’ ବା ଅଜୈବିକ ସାହିତ୍ୟ। ସେ ସୃଷ୍ଟି ପଛରେ ଜୀବ ନାହିଁ ଅଜୀବ ଅଛି। ଏଠାରେ ପ୍ରଶ୍ନ ଉଠିପାରେ, ଆଗରୁ ଅନେକ ସାହିତ୍ୟ, ପ୍ରତିନିଧିମାନଙ୍କ ମାଧ୍ୟମରେ ସୃଷ୍ଟି ହୋଇଥିଲା, ଯାହା ପଛରେ ନିଜେ ସ୍ରଷ୍ଟା ହିଁ ନଥିଲେ, ଯେମିତି ଏ.ଆଇ. ମାଧ୍ୟମରେ ଆଜି ଗପ, କବିତା, ଉପନ୍ୟାସ ସୃଷ୍ଟି ହେଉଛି। ବିଷୟବସ୍ତୁ ଦେଇଦେଲେ ଏ.ଆଇ. ବିଭିନ୍ନ ଅଧ୍ୟାୟ ବି ତିଆରି କରିଦେଉଛି। ବରାଦ ଅନୁସାରେ ଲେଖିଦେଉଛି ଗପ, ଉପନ୍ୟାସ, ନାଟକ, ପ୍ରବନ୍ଧ। ବକୃତା ପାଇଁ ଅନେକ ନେତା ଏବେ ଏ.ଆଇ.ର ସାହାଯ୍ୟ ନେଉଛନ୍ତି। ତଥ୍ୟ ଓ ତତ୍ତ୍ୱ ଆଧାରିତ ସେ ଲେଖାଗୁଡ଼ିକୁ ପଢ଼ିଲେ ମୋଟେ ଜାଣିହେବନାହିଁ ଯେ ବକ୍ତା ବା ଲେଖକ ସେସବୁ ନିଜେ ଲେଖିନାହାନ୍ତି। ପୂର୍ବରୁ ରାଜା, ମହାରାଜା, ଜମିଦାରଙ୍କ ନାମରେ ଭଣତି ହୋଇ ପ୍ରକାଶ ପାଇଥିବା ଅନେକ ଲେଖା ପ୍ରତିନିଧିମୂଳକ। ଲେଖକ ଅଲଗା କିନ୍ତୁ ଲେଖି ନଥିବା ସୃଷ୍ଟିର ମାଲିକ ସାଜେ ଆଉଜଣେ। ଠିକ୍ ଯେମିତି ବରାଦ ଦେଲେ ଆଜି ଏ.ଆଇ. ଆମ ପାଇଁ ଲେଖାଟିଏ ତିଆରି କରିଦେଉଛି; ଗୀତର ଭିନ୍ନ ଭିନ୍ନ ସ୍ୱର କରିଦେଉଛି। ଏତିକି ଫରକ ଯେ ସେତେବେଳେ ମଣିଷର ପ୍ରତିନିଧି ଥିଲା ଆଉ ଜଣେ ମଣିଷ। ଏବେ ପ୍ରତିନିଧି ସାଜିଛି ଏ.ଆଇ. ମାଇକ୍ରୋଚିପ୍। ସମସ୍ତଙ୍କ ପାଇଁ, ସାରା ଦୁନିଆ ପାଇଁ। ଏ.ଆଇ. ‘ଇନ୍‌ଅର୍‌ଗାନିକ୍‌’ ବା ଅଜୈବିକ।
ଜୈବିକ ହିଁ ମୌଳିକ
ବୁଝିବା ଆବଶ୍ୟକ ଯେ ମଣିଷ ନିଜ ବୁଦ୍ଧି ପ୍ରୟୋଗ କରି ସୃଷ୍ଟି କରିଥିବା ସାହିତ୍ୟ ହିଁ ଜୈବିକ। କାରଣ ଆପଣାର ବିଚାର, ଅବବୋଧ ଓ ସାମାଜିକ ଚେତନାର ଭିନ୍ନତା ଆଧାରରେ ତାହା ଗଢ଼ା। ତାହା ମୌଳିକ। ମାତ୍ର ଏ.ଆଇ.କୁ ବରାଦ କରି ଯେଉଁ ସାହିତ୍ୟ ଏବେ ଲେଖାଚାଲିଛି ତାହା ଅଜୈବିକ। କାରଣ ସେଭଳି ସୃଷ୍ଟି ପଛରେ ଯେଉଁ ବୁଦ୍ଧି ପ୍ରୟୋଗ କରାଯାଉଛି, ତାହା ମୂଳରେ ମଣିଷ ଥିଲେ ବି ସେସବୁ ଜୀବନ ସହ ଅଙ୍ଗାଙ୍ଗୀ ନୁହେଁ। ଏକ କୃତ୍ରିମ ସୂତ୍ରରୁ ତା’ର ଜନ୍ମ।
ମଣିଷ ତିଆରି ସାହିତ୍ୟ ଅପ୍ରାକୃତିକ ହୋଇପାରେ ମାତ୍ର ଜୈବିକ ହେବାକୁ ବାଧ୍ୟ। ତେଣୁ ତାହା ଅର୍‌ଗାନିକ୍। ଏ.ଆଇ. ସୃଷ୍ଟ ସାହିତ୍ୟ ଅପ୍ରାକୃତିକ ହେଲେ ବି ଅଜୈବିକ। ତା’ ପଛରେ ଜୀବନ ନାହିଁ। ଭାବରେ ଭିନ୍ନତା, ପରିବେଷଣ ଶୈଳୀରେ ନୂତନତ୍ୱ ସାଙ୍ଗକୁ ସାହିତ୍ୟର ଯେ ସୂକ୍ଷ୍ମ ନବଚେତନା, ତାହା ଏ.ଆଇ. ସୃଷ୍ଟି କରିପାରିବନାହିଁ। ‘ଯାହା ଶିଖାଇଛି ଜଟାଧାରୀରେ ବରାଙ୍ଗୀ’ ଭଳି ମଣିଷ ଯେତିକି ଭାବବସ୍ତୁ ଓ ଭାଷା ଆଧାର ଦେଇ କୃତ୍ରିମ ବୁଦ୍ଧି ତିଆରି କରିଛି ସେତିକିର ସୀମା ଭିତରେ ଏ.ଆଇ. କାମ କରିବ। ଏ.ଆଇ. ସସୀମ ମାତ୍ର ମଣିଷର ବୁଦ୍ଧି ବା ଜୈବିକ ବୁଦ୍ଧି ଅସୀମ।
ଯୁଗେ ଯୁଗେ ମଣିଷ ନିଜେ ଆବିଷ୍କାର ଓ ଉଦ୍ଭାବନ କରିଥିବା ବିଷୟ ଓ ପଦାର୍ଥକୁ ନିଜ କବଳରେ ରଖିଆସିଛି। ସ୍ରଷ୍ଟାକୁ ତା’ ନିଜର ସୃଷ୍ଟି ଡେଇଁଯିବା ଅସମ୍ଭବ। ଆଗକୁ ଗବେଷଣା, ସଂଗ୍ରହ, ସଂରକ୍ଷଣ ଓ ସଜେଇବା କ୍ଷେତ୍ରରେ ଏ.ଆଇ. ମଣିଷ ସମାଜକୁ ଉପକୃତ କରିବ ନିଶ୍ଚୟ ମାତ୍ର କୌଣସି ମୌଳିକ ଆଧାର ଦେଇପାରିବନାହିଁ। ମୌଳିକତା ମଣିଷ ପାଖରେ ହିଁ ରହିବ।
‘ଅର୍ଗାନିକ୍ ଲିଟରେଚର୍ ବା ଜୈବିକ ସାହିତ୍ୟ’ ଯେ ଭବିଷ୍ୟତରେ ବିରଳ ଏବଂ ମହାର୍ଘ ହେବ ସେ କଥା ଅବଧାରିତ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *