ସ୍ୱତଃସ୍ଫୂର୍ତ୍ତ ପ୍ରେରଣା ଓ କାଳଜୟୀ ସାହିତ୍ୟ

କବି, ଲେଖକ, ସଂଗୀତଜ୍ଞ, ଚିତ୍ରଶିଳ୍ପୀ- ଏମାନେ ସମସ୍ତେ ପ୍ରେରଣାଚାଳିତ। ଏମାନେ ସମ୍ମାନ, ସମ୍ବର୍ଦ୍ଧନା ବା ପୁରସ୍କାର ଆଶାରେ ସାଧନା କରନ୍ତି ନାହିଁ।

ଛାୟାକାନ୍ତ ଷଡଙ୍ଗୀ

ସମ୍ପ୍ରତି ଉନ୍ନତମାନର ସାହିତ୍ୟ ସୃଷ୍ଟି ପାଇଁ ଦିଆଯାଉଥିବା ପୁରସ୍କାରର ଅର୍ଥରାଶି ଏକ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ହେଲାଣି। ସରକାର ବୋଧହୁଏ ଭାବୁଛନ୍ତି ପୁରସ୍କାର ଅର୍ଥରାଶି ବଢ଼ିଲେ ଲେଖକମାନେ ଉନ୍ନତମାନର ସାହିତ୍ୟ ସୃଷ୍ଟି କରିବେ। ମାତ୍ର ପୁରସ୍କାର ସହ ଅର୍ଥରାଶି ସଂଯୁକ୍ତ ହେବା ଦିନଠାରୁ ସାହିତ୍ୟ ଏକ ପ୍ରତିଯୋଗିତାର କ୍ଷେତ୍ର ହୋଇଗଲାଣି। କିଛି ସାହିତ୍ୟିକ ପୁରସ୍କାର ଅମଳ କରିବା ପାଇଁ ସାହିତ୍ୟଚାଷ ଆରମ୍ଭ କରିଛନ୍ତି। ପ୍ରାବନ୍ଧିକ, କବି, ଗାଳ୍ପିକମାନଙ୍କ ସଂଖ୍ୟା ବଢ଼ୁଛି। ମାତ୍ର ସାହିତ୍ୟ ସୃଷ୍ଟି ଅନ୍ତରାଳରେ ସ୍ୱତଃସ୍ଫୂର୍ତ୍ତ ପ୍ରେରଣା ନାହିଁ। ଚାକିରି, ବ୍ୟବସାୟ, ରାଜନୀତି କ୍ଷେତ୍ରରେ ଯେପରି ଉଚ୍ଚାଭିଳାଷ ଥାଏ, ସାହିତ୍ୟ କ୍ଷେତ୍ରରେ ବି ତାହା ପରିଲକ୍ଷିତ ହେଉଛି। ଜଣେ ପ୍ରତିଭାବାନ ବ୍ୟକ୍ତି ଉଚ୍ଚାଭିଳାଷୀ ହୋଇପାରେ, ମାତ୍ର ଉଚ୍ଚାଭିଳାଷୀ ପ୍ରତିଭାବାନ ନ ହୋଇପାରେ। ଆଜି ପ୍ରତିଭା ନ ଥାଇ ଉଚ୍ଚାଭିଳାଷୀ ହେଉଥିବା ସାହିତ୍ୟିକମାନଙ୍କର ସଂଖ୍ୟା ଅନେକ। ଅରଣ୍ୟ ମଧ୍ୟରେ ବ୍ୟାଧ ଦ୍ୱାରା କ୍ରୌଞ୍ଚ ପକ୍ଷୀର ନିଧନ ମହାକବି ବାଲ୍ମିକୀଙ୍କୁ ଆଲୋଡ଼ିତ କରିଥିଲା। ସେ ଏକ ମହତ୍ତର ପ୍ରେରଣା ଅନୁଭବ କରନ୍ତେ ସ୍ୱତଃ ତାଙ୍କ ମୁଖରୁ ଝରିପଡ଼ିଲା ରାମାୟଣର ପ୍ରଥମ ଶ୍ଳୋକ- ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀ ସମାଃ/ ଯତ୍‌କ୍ରୌଞ୍ଚମିଥୁନାଦେକମ୍ ଅବଧୀଃ କାମମୋହିତମ୍‌। ଦିନେ ମହର୍ଷି ବ୍ୟାସଦେବ ବଦ୍ରିକାଶ୍ରମର ଅଦୂରରେ ଏକ ଗୁମ୍ଫାରେ ରଚନା କରିଥିଲେ ମହାକାବ୍ୟ ମହାଭାରତ। ପ୍ରେରଣା ନିମଜ୍ଜିତ କବି ଆବୃତ୍ତି କରିଯାଉଥିଲେ ଓ ଦେବଶିଶୁ ଗଣେଶ ତାକୁ ଲିପିବଦ୍ଧ କରୁଥିଲେ। ସେତେବେଳେ ଗ୍ରନ୍ଥର ପ୍ରସାର ପାଇଁ ମୁଦ୍ରଣ ଯନ୍ତ୍ର ନଥିଲା କି ପ୍ରକାଶକ ନଥିଲେ। କ୍ରେତା ନ ଥିଲେ କି ରଚକପ୍ରାପ୍ୟର ବ୍ୟବସ୍ଥା ନ ଥିଲା। ତଥାପି ବ୍ୟାସଦେବ ଏକ ମହତ୍ତର ପ୍ରେରଣାଚାଳିତ ହୋଇ ଉଚ୍ଚାରଣ କରିଗଲେ ଶହ ଶହ ଶ୍ଳୋକ। ଆଜି ଏହି ଦୁଇଟି ମହାକାବ୍ୟ ସମଗ୍ର ଭାରତବର୍ଷରେ କାଳଜୟୀ ମହାକାବ୍ୟର ମର୍ଯ୍ୟାଦା ଲାଭ କରିଛି।

ଅଭିବ୍ୟକ୍ତିର ମହତ୍ତ୍ୱ
ମହତ ସାହିତ୍ୟର ଉତ୍ସ ହେଉଛି ପ୍ରେରଣା। ସମଗ୍ର ସୃଷ୍ଟି ହେଉଛି ଏକ ଅଭିବ୍ୟକ୍ତି। ସୂର୍ଯ୍ୟ, ଚନ୍ଦ୍ର, ତାରା, ନଦୀ, ବୃକ୍ଷ ସବୁକିଛି ସୃଷ୍ଟିନିହିତ ଅଭିବ୍ୟକ୍ତି ଶକ୍ତିର ଏକ ଏକ ସ୍ଫୁରଣ। କୌଣସି ଏକ ରଚନା ଯେପରି ଲେଖକର ଅଭିବ୍ୟକ୍ତି, ପଠନ ମଧ୍ୟ ସେପରି ପାଠକର ଅଭିବ୍ୟକ୍ତି। ଏହି ଅଭିବ୍ୟକ୍ତି ଶକ୍ତି ଜଣକ ଭିତରେ ସଂଗୀତ, ଚିତ୍ରକଳା, ସାହିତ୍ୟ ଆଦି ଭାବରେ ପ୍ରକାଶ ପାଇପାରେ। ଏହି ଅଭିବ୍ୟକ୍ତି ସକାଶେ ନିଜ ଭିତରେ ଆଲୋଡ଼ନ ଓ ଅଭିବ୍ୟକ୍ତି ପାଇଁ ବ୍ୟାକୁଳତା ଅନୁଭବ କରିବାକୁ ପ୍ରେରଣା କୁହାଯାଏ। ସେଥିପାଇଁ ଇଂରେଜ କବି ୱାର୍ଡସୱାର୍ଥ କହିଥିଲେ, କବିତା ହେଉଛି କବିହୃଦୟର ସ୍ୱତଃସ୍ଫୂର୍ତ୍ତ ଭାବାବେଗର ପ୍ରକଟନ। ଅବଶ୍ୟ ବାହ୍ୟବ୍ୟାପାର ପ୍ରେରଣାର ଉଦ୍ଦୀପନ ବିଭାବ ହୋଇପାରେ। ଚିଲିର କବୟିତ୍ରୀ ଗାବ୍ରିଏଲ୍ ମିଷ୍ଟାଲ୍ ଦିନେ ସୂର୍ଯ୍ୟାସ୍ତ ସମୟରେ ଗହମ କ୍ଷେତ ବାଟରେ ଘରକୁ ଫେରୁଥିଲେ। ଜଣେ ଗର୍ଭବତୀ ନାରୀ-ଶ୍ରମିକକୁ କେତେକ ପୁରଷ ରୂଢ଼ ମନ୍ତବ୍ୟ ଦେଇ ଉପହାସ କରୁଥିବାର ଦୃଶ୍ୟ ତାଙ୍କୁ ଏତେ ଆଘାତ ଦେଲା ଯେ ସେ ରାତିସାରା ଶୋଇପାରି ନଥିଲେ। ସେ ଅନୁଭବ କରିଥିଲେ ମାତୃତ୍ୱର ଅସହାୟତା ଏବଂ ସେହି ରାତିରେ ଲେଖିଲେ ମାତୃତ୍ୱର ଗରିମା ଉପରେ ତାଙ୍କର ପ୍ରଥମ କବିତା। ପରବର୍ତ୍ତୀ ସମୟରେ ସେ ଯେତେ କବିତା ଲେଖିଲେ ସବୁଥିରେ ମୂଳ ବିଷୟବସ୍ତୁ ଥିଲା ମା’ ଓ ଶିଶୁ ଏବଂ ସେ ତାଙ୍କର ସାହିତ୍ୟିକ କୃତି ପାଇଁ ପାଇଥିଲେ ନୋବେଲ ପୁରସ୍କାର।
ଏହି ସ୍ୱତଃସ୍ଫୂର୍ତ୍ତ ପ୍ରେରଣାରୁ ଜନ୍ମ ନେଇଥିଲା ବେବି ହାଲଦାରଙ୍କ ପୁସ୍ତକ ‘ଆଲୋ ଅନ୍ଧାରୀ’ ଓ ମନୋରଞ୍ଜନ ବ୍ୟାପାରୀଙ୍କ ପୁସ୍ତକ ‘ଇତିବୃତ୍ତେ ଚଣ୍ଡାଳ ଜୀବନ।’ ବେବି ହାଲଦାରଙ୍କୁ ଯେତେବେଳେ ଚାରିବର୍ଷ ବୟସ, ସେତେବେଳେ ତାଙ୍କ ମାଆ ତାଙ୍କ ମଦ୍ୟପ ବାପାଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ଅନ୍ୟତ୍ର ପଳାୟନ କଲେ। ବାପା ଦ୍ୱିତୀୟ ବିବାହ କଲେ। ଘଟଣାକ୍ରମେ ଜନ୍ମସ୍ଥାନ କାଶ୍ମୀରରୁ ସେମାନେ ପଶ୍ଚିମବଙ୍ଗର ଦୁର୍ଗାପୁରକୁ ଚାଲିଆସିଲେ। ବେବି ସାବତ ମାଆଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇଲେ ନାହିଁ। ଷଷ୍ଠ ଶ୍ରେଣୀ ପରେ ତାଙ୍କ ପାଠପଢ଼ା ବନ୍ଦ ହେଲା। ବାରବର୍ଷ ବୟସରେ ତାଙ୍କୁ ଛବିଶ ବର୍ଷୀୟ ବ୍ୟକ୍ତିଙ୍କ ସହ ବିବାହ କରିଦିଆଗଲା। ବେବିଙ୍କୁ ୨୦ ବର୍ଷ ବୟସ ହେବା ବେଳକୁ ସେ ତିନୋଟି ସନ୍ତାନର ଜନନୀ ହୋଇସାରିଥିଲେ। ସ୍ୱାମୀଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ପଚିଶ ବର୍ଷ ବୟସରେ ସେ ପିଲାମାନଙ୍କ ସହ ଦିଲ୍ଲୀ ଚାଲିଆସିଲେ। ମୁନସୀ ପ୍ରେମଚାନ୍ଦଙ୍କ ନାତି ପ୍ରଫେସର ପ୍ରବୋଧ କୁମାରଙ୍କ ଘରେ ସେ ଚାକରାଣୀ ଭାବରେ କାମକଲେ। ଦିନେ ସେ ତାଙ୍କର ବହିଥାକ ଝାଡ଼ିବା ସମୟରେ ତସଲିମାଙ୍କ ଆତ୍ମଜୀବନୀ ‘ଆମାର ମେୟେବେଲା’ ତାଙ୍କର ଦୃଷ୍ଟି ଆକର୍ଷଣ କଲା। ବଙ୍ଗଳା ଭାଷାରେ ତାଙ୍କର ଦକ୍ଷତା ନଥିଲେ ମଧ୍ୟ ସେ ପଢ଼ିପାରୁଥିଲେ। ବହିଟି ପଢ଼ି ସେ ଅଭିଭୂତ ହେଉଥିଲେ। ଏକଥା ଲକ୍ଷ୍ୟ କରୁଥିଲେ ପ୍ରବୋଧ କୁମାର। ସେ ବେବିଙ୍କୁ ପଚାରିଲେ, “ତୁମକୁ କଣ ବହିଟି ପଢ଼ିବାକୁ ଭଲ ଲାଗୁଛି?” ବେବି କହିଲେ, “ତସଲିମାଙ୍କ ଜୀବନ କାହାଣୀଟି ମୋ’ ନିଜ ଜୀବନ କାହାଣୀ ଭଳି ଅନୁଭବ ହେଉଛି।” ପ୍ରବୋଧ କୁମାର ଅନୁଭବ କଲେ ବେବିଙ୍କ ହୃଦୟ ଆଲୋଡ଼ିତ ହୋଇଛି ମାତ୍ର ଅଭିବ୍ୟକ୍ତି ପାଇଁ ସୁଯୋଗ ପାଉନାହିଁ।
ସେ ବେବିଙ୍କୁ ଗୋଟିଏ ନୋଟ୍‌ବୁକ୍ ଓ କଲମ ଦେଇ କହିଲେ, “ମୁଁ ଗୋଟିଏ ମାସ ପାଇଁ ଦକ୍ଷିଣ ଭାରତ ପରିଭ୍ରମଣରେ ଯିବି। ଏହାରି ଭିତରେ ତୁମେ ଯାହା ଭାବୁଛ ତାକୁ ଏହି ନୋଟ୍ ବୁକ୍‌ରେ ଲେଖିପାରିବ।” ଗୋଟିଏ ମାସର ଭ୍ରମଣପରେ ପ୍ରବୋଧ କୁମାର ଫେରିଲେ ଓ ଦେଖିଲେ ବେବି ୧୦୦ ପୃଷ୍ଠା ଲେଖି ସାରିଛନ୍ତି। ସେ ପୃଷ୍ଠା ପରେ ପୃଷ୍ଠା ପଢ଼ିଚାଲିଲେ ଓ ଅଭିଭୂତ ହେଲେ। ତାକୁ “ଆଲୋ ଅନ୍ଧାରୀ” ଶୀର୍ଷକରେ ନାମିତ କଲେ, ରୋଶନି ପବ୍ଲିସର୍ସ, କଲିକତା ତାକୁ ୨୦୦୨ରେ ପ୍ରକାଶ କଲା। ବହିଟି ଏତେ ଆଦୃତ ହେଲା ଯେ, ୨୦୦୩ରେ ତା’ର ହିନ୍ଦୀ ଅନୁବାଦ ଓ ୨୦୦୬ରେ ଉର୍ବଶୀ ବୁଟାଲିଆଙ୍କ ଦ୍ୱାରା ତା’ର ଇଂରାଜୀ ଅନୁବାଦ ପ୍ରକାଶ ପାଇଲା। ପରବର୍ତ୍ତୀ ସମୟରେ ୨୧ଟି ଭାଷାରେ ଏହି ପୁସ୍ତକଟି ଅନୂଦିତ ହୋଇ ସମଗ୍ର ବିଶ୍ୱରେ ଆଦୃତ ହେଲା। ବହିଟିର ସଫଳତା ପଛରେ ଥିଲା ଲେଖିକାଙ୍କ ପ୍ରେରଣା। ତା’ ପଛରେ ନଥିଲା କୌଣସି ପୁରସ୍କାର ବା ସମ୍ବର୍ଦ୍ଧନା ପାଇବାର ଇଚ୍ଛା।
ଜିଜୀବିଷାର ଅର୍ଥ
୧୯୮୧ ମସିହାର ଘଟଣା। ଗ୍ରୀଷ୍ମଋତୁର ଦ୍ୱିପ୍ରହରରେ ରିକ୍‌ସାବାଲାଟିଏ ଜ୍ୟୋତିଷ ରାୟ କଲେଜ ସମ୍ମୁଖରେ ଯାତ୍ରୀ ପାଇଁ ଅପେକ୍ଷା କରିଥାଏ। ତନ୍ମୟହୋଇ ପଢୁଥାଏ ମହାଶ୍ୱେତା ଦେବୀଙ୍କ ‘ଅଗ୍ନିଗର୍ଭ’ ଗଳ୍ପ ସଂକଳନ। ଜଣେ ମହିଳା ଯାତ୍ରୀ ଭାବରେ ତା’ର ରିକ୍ସାରେ ବସିଲେ। ରିକ୍ସାବାଲାଟି ପଚାରିଲା, “ମାଡାମ୍‌! ଜିଜୀବିଷା ଶବ୍ଦର ଅର୍ଥ କଣ?” ମହାଶୟା ପଚାରିଲେ, “ତୁମେ ଏହି ଶବ୍ଦଟି କେଉଁଠୁ ପାଇଲ? କେତେ ପାଠ ପଢିଛ?” ରିକ୍ସାବାଲା ଉତ୍ତର ଦେଲା, “ମୁଁ ଆଦୌ ସ୍କୁଲରେ ପାଦ ପକାଇନାହିଁ। ଜେଲ୍‌ରେ ଥିଲି। ସେଠାରେ ଜଣେ ଶିକ୍ଷିତ ବନ୍ଦିଙ୍କଠାରୁ ଅକ୍ଷର ଶିଖିଲି ଓ ମୁଁ ଏବେ ପଢ଼ିପାରୁଛି।” ସିଟ୍ ତଳୁ ‘ଅଗ୍ନିଗର୍ଭ’ ବହିଟି କାଢ଼଼ି ତାକୁ ଦେଖାଇ କହିଲା, “ମୁଁ ଆପଣଙ୍କ ବହି ହିଁ ପଢ଼ୁଥିଲି।” ସେ ମହିଳା ଜଣକ ଥିଲେ ବଙ୍ଗଳା ଭାଷାର ବିଶିଷ୍ଟ ଲେଖିକା ମହାଶ୍ୱେତା ଦେବୀ। ରିକ୍ସାବାଲାର ଜିଜ୍ଞାସା ଓ ପଢ଼ିବାର ଆଗ୍ରହ ଦେଖି ସେ ଏତେ ଅଭିଭୂତ ହେଲେ ଯେ ସେ ତାକୁ ନିଜ ଘରକୁ ଆମନ୍ତ୍ରଣ କଲେ ଓ ତା’ଠାରୁ ତା’ର ଜୀବନ କାହାଣୀ ଶୁଣିଲେ। ସେହି ରିକ୍ସାବାଲାଙ୍କ ନାମ ଥିଲା ମନୋରଞ୍ଜନ ବ୍ୟାପାରୀ। ସେ କହିଗଲେ ତାଙ୍କ ଜୀବନ କାହାଣୀ। ବଙ୍ଗ ବିଭାଜନ ସମୟରେ ସେ ପୂର୍ବବଙ୍ଗରୁ ଆସି କଲିକତାର ଏକ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଥିଲେ। ପାଞ୍ଚବର୍ଷ ବୟସରେ ସେ ଗୋରୁ ଚରାଇ ଜୀବିକା ନିର୍ବାହ କରୁଥିଲେ। ତା’ପରେ ସେ ହୋଟେଲ୍‌ରେ କପ୍‌ପ୍ଲେଟ୍ ଧୋଇ, କାଠକାଟି ବିକ୍ରିକରି, ମେହେନ୍ତର କାମକରି ଓ ଶେଷରେ ଯାଦବପୁର ରେଳଷ୍ଟେସନରେ କୁଲି କାମକରି ଜୀବନଧାରଣ କଲେ। ଘଟଣାକ୍ରମେ ସେ ଯୋଗଦେଲେ ନକ୍ସଲ ଆନ୍ଦୋଳନରେ ଓ ଶେଷରେ ଗଲେ ଜେଲ୍‌, ଯେଉଁଠି ସେ ଅକ୍ଷର ଶିକ୍ଷା କରିଥିଲେ। ମହାଶ୍ୱେତା ଦେବୀ ତାଙ୍କ ଜୀବନ କାହାଣୀ ଶୁଣି ଏତେ ଅଭିଭୂତ ହେଲେ ଯେ ସେ ତାଙ୍କୁ ନିଜ ଭାଷାରେ ଲେଖିବାକୁ ଉତ୍ସାହିତ କଲେ। ସେ ଲେଖିଲେ ଓ ତାହା ମହାଶ୍ୱେତା ଦେବୀଙ୍କ ଦ୍ୱାରା ସଂପାଦିତ ‘ବର୍ତ୍ତିକା’ ପତ୍ରିକାରେ ନିୟମିତ ଭାବରେ ପ୍ରକାଶ ପାଇଲା। ବହିଟିର ବିଷୟ ଓ ବର୍ଣ୍ଣନା ଏତେ ପ୍ରଭାବଶାଳୀ ହେଲା ଯେ ପରବର୍ତ୍ତୀ ସମୟରେ ତାହା ସଂକଳିତ ହୋଇ “ଇତିବୃତ୍ତେ ଚଣ୍ଡାଳ ଜୀବନ” ନାମରେ ପ୍ରକାଶ ପାଇଲା ଓ ପଶ୍ଚିମବଙ୍ଗ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହେଲା। ଆଜି ତାହା ୨୦ରୁ ଅଧିକ ଭାଷାରେ ଅନୂଦିତ ହୋଇ ସମଗ୍ର ବିଶ୍ୱରେ ଆଦୃତ ହୋଇଛି। ବହିଟିର ସଫଳତା ପଛରେ ଥିଲା ମନୋରଞ୍ଜନ ବ୍ୟାପାରୀଙ୍କ ହୃଦୟର ଭାବାବେଗ ଯାହା ଭାଷା ଅଭାବରୁ ପ୍ରକାଶ ପାଇପାରୁ ନ ଥିଲା। ଭାଷାଶିକ୍ଷା ପରେ ଓ ମହାଶ୍ୱେତା ଦେବୀଙ୍କ ପ୍ରେରଣାରେ ଲେଖକଙ୍କ ଭାବାବେଗ ଅଭିବ୍ୟକ୍ତ ହୋଇ ଅସଂଖ୍ୟ ପାଠକଙ୍କ ହୃଦୟକୁ ଛୁଇଁଲା ଓ କାଳଜୟୀ ହେଲା।

ଲେଖକ ହେବାର ତାଲିମ
କିଛିବର୍ଷ ତଳେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ‘ମୁଁ ବି ଲେଖକ ହେବି’ ନାମରେ କାର୍ଯ୍ୟକ୍ରମ ଆୟୋଜନ କରି ଗଳ୍ପ, କବିତା, ଉପନ୍ୟାସ ଆଦି କିପରି ଲେଖିହେବ ସେ ସଂପର୍କରେ ତାଲିମ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଜୀବନକୁ ଅନ୍ତରଙ୍ଗ ଭାବରେ ଅନୁଭବ ନ କଲେ ଅନ୍ତର୍ଦୃଷ୍ଟି ସ୍ୱତଃସ୍ଫୂର୍ତ୍ତତା ଓ ଅଭିବ୍ୟକ୍ତି ପାଇଁ ଆବେଗ ନଥିଲେ ସାହିତ୍ୟ ସୃଷ୍ଟି ସମ୍ଭବ ନୁହେଁ। ଫକୀରମୋହନ, ରାଧାନାଥ, ଗଙ୍ଗାଧର ଆଦି କବି ଲେଖିବା କଳା ଶିଖିବା ପାଇଁ ତାଲିମ ନେଇନଥିଲେ। ସେମାନେ ସ୍ୱତଃସ୍ଫୂର୍ତ୍ତ ପ୍ରେରଣା ଓ ଆବେଗ ଚାଳିତ ହୋଇ ଲେଖୁଥିଲେ। ଅଭିମନ୍ୟୁ ସାମନ୍ତସିଂହାର ପିଲା ଥିବାବେଳେ କରମଙ୍ଗା ଗଛତଳେ ବସିଥିବା ବେଳେ ଏଭଳି ଭାବପ୍ରବଣ ହୋଇଥିଲେ ଯେ ତାଙ୍କ ମୁହଁରୁ ହଠାତ ନିଃସୃତ ହୋଇଥିଲା, ‘କରମଙ୍ଗା ଗଛର ଛାଇ ଗୋ / କରମ ଯାହାର ସଫଳ ହୋଇଛି କୃଷ୍ଣକୁ ପାଇବ ସେହି ଗୋ।’ ଏହି ଆବେଗ ପରବର୍ତ୍ତୀ ସମୟରେ ତାଙ୍କ ଲେଖନୀରୁ ସୃଷ୍ଟିକଲା ‘ବିଦଗ୍ଧ ଚିନ୍ତାମଣି’ ଓ ‘ପ୍ରେମ ଚିନ୍ତାମଣି’ ନାମରେ ଦୁଇଟି ରସମୟ କାବ୍ୟ।
ଅକ୍ଷର ଲେଖି ଶିଖିବା ପୂର୍ବରୁ ମନୋଜ ଦାସଙ୍କ ମୁହଁରୁ ନିଃସୃତ ହୋଇଥିଲା କବିତା। ଦିନେ ସେ ଗାଁ ଦାଣ୍ଡରେ ମାଆଙ୍କ ସହ ଚାଲୁଥାନ୍ତି। ସେ ଦେଖିଲେ, ଜଣେ ମାଆ ତାଙ୍କ ବୟସର ପୁଅକୁ ବାଡ଼ୋଉଛି। ଦୃଶ୍ୟଟି ମନୋଜ ଦାସଙ୍କୁ ଆଲୋଡ଼ିତ କଲା। ସେ ତାଙ୍କ ନିଜ ମାଆଙ୍କ କଥା ଭାବିଲେ ଓ ତାଙ୍କ ମୁହଁରୁ ସ୍ୱତଃପ୍ରବୃତ୍ତ ଭାବରେ ନିଃସୃତ ହେଲା, ଜୀବନର ପ୍ରଥମ କାବ୍ୟିକ ଉଚ୍ଚାରଣ : ‘ମୋ ମା’ଟି କେତେ ଭଲ/ ଯେତେ ଭଲ ପଦ୍ମଫୁଲ।’ ଆଉ ଏକ ଘଟଣା। ମନୋଜ ଦାସଙ୍କ ପୈତୃକ ଗୃହରେ ରାଧା ନାମ୍ନୀ ଜଣେ ପରିଚାରିକା ଥିଲେ। ମନୋଜ ଥିଲେ ମିଠାପ୍ରିୟ। ଦିନେ ଜଳଖିଆ ସମୟରେ ରାଧା ଗୋଟିଏ ମାତ୍ର ମିଠା ଦିଅନ୍ତେ, ମନୋଜ ଆହୁରି ମିଠା ଦାବି କରିବାରୁ ବେଶି ମିଠା ଦାନ୍ତ ନଷ୍ଟ କରିବ କହି ରାଧା ତାଙ୍କୁ ଆଉ ଅଧିକ ମିଠା ଦେଲେନାହିଁ। ମନୋଜ ଦାସଙ୍କ ମୁହଁରୁ ହଠାତ୍ ବାହାରିପଡ଼ିଲା, “ରାଧା ନାନୀ ଦୁଷ୍ଟ ଶିରୋମଣି / ତୋ’ ମୁଣ୍ଡ ଖାଉଥାଉ ଅଜସ୍ର ଉକୁଣି।” ମନୋଜ ଦାସ ନିଜେ ସ୍ୱୀକାର କରିଛନ୍ତି, ସଚେତନ ଭାବରେ କବିତା ଲେଖିବା ପୂର୍ବରୁ ଏହାଥିଲା ତାଙ୍କର ସ୍ୱତଃସ୍ଫୂର୍ତ୍ତ ଉଚ୍ଚାରଣ। ତାଙ୍କର ଏହି ଅନ୍ତଃପ୍ରେରଣା ପରବର୍ତ୍ତୀ କାଳରେ ଅନେକ କବିତା ଲେଖିବା ପାଇଁ ପ୍ରେରିତ କରିଥିଲା। ସେଗୁଡ଼ିକ ପ୍ରକାଶ ପାଇଲା ‘ତୁମ ଗାଁ ଓ ଅନ୍ୟାନ୍ୟ କବିତା’, ‘କବିତା ଉତ୍କଳ’, ‘ଶତାବ୍ଦୀର ଆର୍ତ୍ତନାଦ’ ଓ ‘ପଦଧ୍ୱନି’ ନାମରେ। ମନୋଜ ଦାସଙ୍କ ଜୀବନର ଆଉ ଏକ ଘଟଣା। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ଗ୍ରୀଷ୍ମଋତୁର ଗୋଟିଏ ସକାଳେ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସେ ଛାତ୍ରାବାସ ନିକଟରେ ଥିବା ଗୋଟିଏ ଘରୋଇ ପୋଖରୀରେ ଗାଧୋଇ ପକାଇଲେ। ଏହାଥିଲା ତାଙ୍କ ଅନଧିକାର ପ୍ରବେଶ। ଏଣୁ ସେହି ପୋଖରୀର ମାଲିକାଣୀ ତାଙ୍କୁ ଗାଳିଦେଇ ଆଉ କେବେ ନ ଆସିବାକୁ ତାଗିଦ୍ କଲେ। ମାତ୍ର ପରଦିନ ମନୋଜ ତା’ର ପୁନରାବୃତ୍ତି କରି ଧରାପଡ଼ନ୍ତେ, ମାଲିକାଣୀକୁ କହିଲେ, “ମାଉସୀ! ଗତକାଲି ମୁଁ ଆସିନଥିଲି। ମୋର ଜଣେ ଜାଆଁଳା ଭାଇ ଅଛି। ବୋଧହୁଏ ସେ ଆସିଥିବ। ସେ ଦେଖିବାକୁ ଠିକ୍ ମୋ’ପରି।” ମାଲିକାଣୀ ବୁଝିଗଲେ। ମନୋଜ ମିଛ କହି ଖସି ଆସିଲେ ସିନା, ପରେ ସେ ମିଛକଥା କହିଥିବାରୁ ଅନୁତାପ କଲେ। କିଛିମାସ ପରେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଲା। ସେ ସେହି ମାଲିକାଣୀଙ୍କୁ ସାକ୍ଷାତକରି କହିଲେ, “ମାଉସୀ। ପ୍ରକୃତରେ ମୁଁ ହିଁ ଦ୍ୱିତୀୟଥର ବି ଆସିଥିଲି। ମୁଁ ଆପଣଙ୍କୁ ମିଛ କହିଥିଲି। ମୋ’ର କେହି ଜାଆଁଳା ଭାଇ ନାହିଁ। ମୋତେ ଆପଣ କ୍ଷମା କରିବେ।” ମନୋଜ ବାବୁଙ୍କ ଏହି ସ୍ୱୀକାରୋକ୍ତି ସେହି ମାଉସୀଙ୍କୁ ଉତ୍ତ୍ୟକ୍ତ କରିନାହିଁ। ବରଂ ସେ ମନୋଜଙ୍କ ଚିବୁକକୁ ସ୍ପର୍ଶକରି କୋମଳ କଣ୍ଠରେ କହିଲେ, “ଆରେ ତା’ହେଲେ ତୁ ତ ବଡ଼ ବୁଦ୍ଧିମାନ।” ମାଉସୀଙ୍କ ଏହି କଥା ପଦକ ମନୋଜ ଦାସଙ୍କ ହୃଦୟକୁ ଆଲୋଡ଼ିତ କରିଥିଲା। ସେଥିରେ ସେ ଆବିଷ୍କାର କରିଥିଲେ, ଭାରତୀୟ ମାତୃତ୍ୱର ସ୍ପନ୍ଦନ। ପୁଅ ଯେତେ ଦୁଷ୍ଟ ହେଲେ ମଧ୍ୟ ମା’ ଆଖିରେ ତାହା ନିନ୍ଦନୀୟ ହୋଇନପାରେ। ଏହି ଘଟଣାଟି ମନୋଜ ଦାସଙ୍କୁ ଏତେ ପ୍ରେରଣା ଦେଇଥିଲା ଯେ ପରବର୍ତ୍ତୀ ସମୟରେ ତାଙ୍କ ଗଳ୍ପ ଓ ଉପନ୍ୟାସଗୁଡ଼ିକରେ ସ୍ଥାନ ପାଇଥିବା ଅଧିକାଂଶ ମାତୃ ଚରିତ୍ରରେ ଭାରତୀୟ ମାତୃତ୍ୱର ଏହି ଦିଗଟି ପ୍ରତିପାଦିତ ହୋଇଛି। ଗୋଟିଏ ଅଭିଭାଷଣରେ ଏହା ଥିଲା ସ୍ୱୟଂ ମନୋଜ ଦାସଙ୍କ ସ୍ୱୀକାରୋକ୍ତି।
ଲେଖକୀୟ ପ୍ରେରଣା
କବି, ଲେଖକ, ସଂଗୀତଜ୍ଞ, ଚିତ୍ରଶିଳ୍ପୀ- ଏମାନେ ସମସ୍ତେ ପ୍ରେରଣାଚାଳିତ। ଏମାନେ ସମ୍ମାନ, ସମ୍ବର୍ଦ୍ଧନା ବା ପୁରସ୍କାର ଆଶାରେ ସାଧନା କରନ୍ତି ନାହିଁ। ଏମାନଙ୍କ ସଂସାର ହେଉଛି ଅନ୍ତରଙ୍ଗ ହେବାର ସଂସାର, ଶ୍ରଦ୍ଧାର ସଂସାର। ତାନ୍‌ସେନ୍‌ଙ୍କ ସଂଗୀତ ଶୁଣି ମହାରାଜ ଆକବର ଅଭିଭୂତ ହୋଇ କହନ୍ତି, “ତୁମେ ହେଉଛ ଅପ୍ରତିଦ୍ୱନ୍ଦୀ ସଂଗୀତଜ୍ଞ।” ମାତ୍ର ଦିନେ ତାନ୍‌ସେନ୍ କହିଲେ, “ମହାରାଜ! ମୁଁ ଅପ୍ରତିଦ୍ୱନ୍ଦୀ ନୁହେଁ। ମୋ’ ଗୁରୁ ହରିଦାସ ହେଉଛନ୍ତି ଅପ୍ରତିଦ୍ୱନ୍ଦୀ ସର୍ବଶ୍ରେଷ୍ଠ ସଂଗୀତଜ୍ଞ।” ଆକବର ହରିଦାସଙ୍କ କଣ୍ଠରୁ ସଂଗୀତ ଶୁଣିବାକୁ ବ୍ୟାକୁଳ ହେଲେ। ଦିନେ ସେ ଛଦ୍ମବେଶରେ ତାନ୍‌ସେନ୍‌ଙ୍କ ସହ ହରିଦାସଙ୍କ ଆଶ୍ରମରେ ପହଞ୍ଚିଲେ। ଜହ୍ନରାତି ହୋଇଥାଏ। ଶିଷ୍ୟ ତାନ୍‌ସେନ୍ ଗୁରୁଙ୍କ ପାଖରେ ବସିଥାନ୍ତି। ହରିଦାସ ଆରମ୍ଭ କଲେ ଏକ ଆବେଗଭରା ସଂଗୀତ। ସେ ସଂଗୀତ ଗାନ କରୁ କରୁ ଏତେ ତନ୍ମୟ ହୋଇଗଲେ ଯେ ଶେଷରେ ସମାଧିସ୍ଥ ହୋଇଗଲେ। ସକାଳ ହେଲା। ଛଦ୍ମବେଶୀ ରାଜା ଅଭିଭୂତ ହୋଇ ତାନ୍‌ସେନ୍‌ଙ୍କ ସହ ଫେରିବା ସମୟରେ କହିଲେ, “ବାସ୍ତବିକ ତୁମର ସଂଗୀତ ମୁଗ୍ଧକର, କିନ୍ତୁ ତୁମ ଗୁରୁ ହରିଦାସଙ୍କ ସଂଗୀତ ଆହୁରି ହୃଦୟସ୍ପର୍ଶୀ ଓ ଅକଳ୍ପନୀୟ। ଏହାର କାରଣ କ’ଣ?” ତାନ୍‌ସେନ୍ ଉତ୍ତର ଦେଲେ, “ମହାରାଜ! ଆପଣ ମୋ’ଠାରୁ ଆପଣଙ୍କ ଚିତ୍ତବିନୋଦନ ନିମନ୍ତେ ସଂଗୀତ ଦାବି କରନ୍ତି ଓ ମୁଁ ଆପଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ସଂଗୀତ ଗାନ କରେ। ଆପଣଙ୍କ ଠାରୁ ମୋର ପୁରସ୍କାର ଓ ପ୍ରଶଂସା ପାଇବାର ପ୍ରତ୍ୟାଶା ଥାଏ। ମାତ୍ର ମୋର ଗୁରୁ ତାଙ୍କ ପ୍ରଭୁ ଶ୍ରୀକୃଷ୍ଣ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବରେ ଗାଆନ୍ତି। ପ୍ରଭୁଙ୍କର କିଛି ଦାବି ନଥାଏ, କି ଗୁରୁଙ୍କର କିଛି ପ୍ରତ୍ୟାଶା ନଥାଏ। ସେ ଥାଆନ୍ତି ନିଷ୍କାମ ଓ ପ୍ରେରଣାଚାଳିତ।” ଏହି ସ୍ୱତଃସ୍ଫୂର୍ତ୍ତ ପ୍ରେରଣା ହେଉଛି କାଳଜୟୀ ସାହିତ୍ୟ ଓ ସଂଗୀତର ମୂଳଉତ୍ସ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

One thought on “ସ୍ୱତଃସ୍ଫୂର୍ତ୍ତ ପ୍ରେରଣା ଓ କାଳଜୟୀ ସାହିତ୍ୟ

  1. ବହୁତ ଭଲ ହୋଇଛି ଏହି ଲେଖା ଟି | ପ୍ରକୃତରେ ସ୍ରଷ୍ଟା ର ମନରେ ଅହରହ ସଂଘଟିତ ହେଉଥାଏ ଏକ ପ୍ରକ୍ରିୟା ଯାହା ବାହ୍ୟ କ୍ରିୟା ଅନୁରୂପ ଏକ କାବ୍ୟିକ ପ୍ରକାଶ ଆପଣା ଛାଏଁ ସୃଷ୍ଟି କରିଦିଏ, ଏଭଳି ଏକ ମୁହୂର୍ତ୍ତରେ ଯେତେବେଳେ ସ୍ରଷ୍ଟା ନିଜେ ସଚତନା ଭାବେ ସେକଥା ଚିନ୍ତା ବି କରୁନଥାଏ | ଅନେକ ସମୟରେ ଗଳ୍ପ ଲେଖିଲା ବେଳେ ମନ ପୁରା ଫାଙ୍କା ହୋଇଯାଏ ଓ କାହାଣୀ ସେଇଠି ଅଟକି ଯାଏ | କିନ୍ତୁ ରାତ୍ରିର କୌଣସି ଏକ ପ୍ରହରରେ ଚୌଂ କିଣା ନିଦ ଭାଙ୍ଗିବା ସହ କାହାଣରେ ସେଇ ଅଂଶ ପାଇଁ ଆଶ୍ଚର୍ଯ୍ୟ ଜନକ ଭାବେ ଖଞ୍ଜି ହୋଇଯାଏ ଏକ ନୂଆ ମୋଡ |

Leave a Reply

Your email address will not be published. Required fields are marked *