
ଏଇ ଶତାବ୍ଦୀର ଆରମ୍ଭ ବେଳକୁ ଇତିହାସର କୌଣସି ଏକ ଛୋଟ ଉତ୍ସାହିତ କାଳଖଣ୍ଡରେ କିଛି ସମନ୍ୱିତ ସଂଗ୍ରାମ ସଂଘଟିତ ହେଇପାରିଥିଲା ଆମ ରାଜ୍ୟର ଅନ୍ଧାରୀ ମୂଲକ ଆଉ ଶୋଷଣ କଷଣର ପ୍ରତୀକ ଭାବରେ ପରିଚିତ କୋରାପୁଟ ଜିଲ୍ଲାରେ ପ୍ରବାହିତ ଝଞ୍ଜାବତୀ ଏବଂ ଚମ୍ପାବତୀ ନଦୀ କୂଳେ କୂଳେ ବନ୍ଧୁଗାଁ ଆଉ ନାରାୟଣପାଟଣା ବ୍ଲକରେ। ଇତିହାସର ପ୍ରତ୍ୟେକ ସଂଗ୍ରାମ ଭଳି ଅନେକ ଧାରା-ଉପଧାରା, ମତ-ମତାନ୍ତରକୁ ନେଇ ସଞ୍ଚାଳିତ ହେଇଥିଲା ସେ ସଂଗ୍ରାମ।
କ୍ଷେତ୍ର-ଭ୍ରମଣ ସହିତ ସେ ଆଲୋଚିତ କାଳଖଣ୍ଡର ଏସବୁ ବିନ୍ୟାସ, ବିଭାବ ଓ ପ୍ରଭାବକୁ ଅନ୍ତରଙ୍ଗ ଭାବରେ ପର୍ଯ୍ୟବେକ୍ଷଣ କରି ଲିପିବଦ୍ଧ କରିଯିବାକୁ ପ୍ରୟାସ କରିଛନ୍ତି ତୃଣମୂଳ ମଣିଷର ସଂଗ୍ରାମୀ ଜୀବନରେ ଗଭୀର ରୁଚି ରଖୁଥିବା ଆମ ସମୟର ଜଣେ ସକ୍ରିୟ ଏବଂ ସମ୍ପୃକ୍ତ ସମାଜିକ କର୍ମୀ ନିଗମାନନ୍ଦ ଷଡ଼ଙ୍ଗୀ। ବହିଟି ପାହାଚ ତଳର ପ୍ରତାରିତ ମଣିଷମାନଙ୍କ ଜୀବନ-ସଂଗ୍ରାମର କଥାକୁହା ଦସ୍ତାବିଜ।
ଚାଳିଶ ଦଶକ ବେଳକୁ ଚହଳ ପକେଇଥିବା ସାମାଜିକ ବାସ୍ତବତାର ଅନ୍ତର୍ଦାହୀ ଆଲେଖ୍ୟ ଗୋପୀନାଥ ମହାନ୍ତିଙ୍କ ‘ପରଜା’ ଉପନ୍ୟାସରେ ଆମେ ଭେଟିଥିଲେ କୋରାପୁଟର ଅଦିବାସୀ ଜୀବନର ଶୋଷଣ, କଷଣର ବାସ୍ତବତାକୁ। ନିଗମାନନ୍ଦଙ୍କ ‘ଉଜାଣି ଝଞ୍ଜାବତୀ’ରେ ଆମେ କିନ୍ତୁ ସାକ୍ଷାତ କରିପାରିବା ବାସ୍ତବତାର ବିବରଣୀ ଭିତରେ ଉପନ୍ୟାସକୁ।
ବର୍ଣ୍ଣନାଶୈଳୀରେ ନିଗମଙ୍କ ତଟସ୍ଥ ଦୃଷ୍ଟିଭଙ୍ଗୀ ତାଙ୍କ ବକ୍ତବ୍ୟକୁ ଅଧିକ ବିଶ୍ୱସନୀୟ କରିବାରେ ସହାୟତା କରିଛି। ଘଟିଥିବା ଘଟଣା ଉପରେ ନିଜ ମତ ଓ ମନ୍ତବ୍ୟ ଲଦି ନଦେଇ ଲେଖକ ନିରାସକ୍ତ ଭାବରେ କ୍ଷେତ୍ରରେ ଉପସ୍ଥିତ ଭୁକ୍ତଭୋଗୀ ପାତ୍ରପାତ୍ରୀଙ୍କ ମୁହଁରେ ଘଟଣାଗୁଡ଼ିକର ବିବରଣୀ କୁହେଇ ଅନୁଭବୀମାନଙ୍କର କଥା ଓ ବ୍ୟଥାକୁ ଲିପିବଦ୍ଧ କରେଇଛନ୍ତି। କିନ୍ତୁ, ତା’ ସତ୍ତ୍ୱେ ଲେଖକଙ୍କ ବର୍ଣ୍ଣନା ସାମ୍ବାଦିକ ବିବରଣୀ ଭଳି ନିରପେକ୍ଷ ହେବାର ପ୍ରୟାସୀ ହୋଇଥିଲେ ବି ନିରସ କି ନିରାସକ୍ତ ହୋଇନାହିଁ କି ବହିର ପଠନକୁ କ୍ଳାନ୍ତିକର କରିନାହିଁ। ଜଣେ ଲୋକ-ପକ୍ଷଧର ଲେଖକ ହିସାବରେ ସୂତ୍ରଧର ଭୂମିକାରେ ବିଷୟବସ୍ତୁର ପ୍ରବହମାନତା ପାଇଁ ସେ ତାଙ୍କର ମତ ଓ ମନ୍ତବ୍ୟ ରଖିଛନ୍ତି ଏବଂ ସେ ସବୁ ମନ୍ତବ୍ୟଗୁଡ଼ିକରେ ଗଭୀର ଭାବବ୍ୟଞ୍ଜନା, ସୂକ୍ଷ୍ମ ଚିନ୍ତନ ଏବଂ କଳ୍ପନାର କାରୁକାର୍ଯ୍ୟ ସେସବୁଥିରେ ସୁଖପାଠ୍ୟ ଉଚ୍ଚାଙ୍ଗ ସାହିତ୍ୟର ଝଲକ ରଖିଯାଇଛି, ଯେଉଁଠି ଆମେ ପରଜାର ଗୋପୀ ମହାନ୍ତୀୟ ଭାବୁକତାକୁ ଭେଟିପାରିବା।
-“ଠାଏ ପାହାଡ଼ ଚୂଡ଼ାରେ ଝୋ ଝୋ ବର୍ଷା ଓ ମେଘଅନ୍ଧାର ତ ଦୂରରୁ ଦିଶୁଥିବା ଆର ପାହାଡ଼ ଚୂଡ଼ାରେ ଝଲମଲ ସୂର୍ଯ୍ୟ କିରଣ। ….ସମ୍ଭବତଃ, ସମସ୍ତ ଝଡ଼ ଝଞ୍ଜାରେ, ନାନା ବିଷମ ପରିସ୍ଥିତିରେ ସାଧାରଣ ମଣିଷର ଅସୀମ ଧୈର୍ଯ୍ୟ, ଜୀବନ ବୋଧ ଓ ସମଷ୍ଟିଗତ ଉଦ୍ୟମ ହିଁ ତାକୁ ବଞ୍ଚେଇ ରଖେ, ପ୍ରେରଣା ଦିଏ ନୂଆ କିଛି ସୃଷ୍ଟି କରିବା ପାଇଁ।” (ପୃ- ୨୪୬)
ଘଟଣାବଳୀର ବହୁବର୍ଣ୍ଣୀ ମାନବୀୟ କାହାଣୀମାନଙ୍କ ବିଭିନ୍ନ ବାଙ୍କ ଆଉ ବୁଲାଣିରେ ଲୁଚି ରହିଛି ଏକ ବର୍ଣ୍ଣାଢ୍ୟ ଉପନ୍ୟାସର ସମ୍ଭାବନା – ହୁଏତ ସାମାଜିକ ବାସ୍ତବବାଦର ଆଉ ଏକ ‘ପରଜା’ କି ‘ଛ ମାଣ ଆଠଗୁଣ୍ଠ’, ଯଦି ସକ୍ଷମ ହାତର କଲମର ସାହାରା ମିଳିଯାଏ ତ। ଓଡ଼ିଶାର ସୃଜନଶୀଳ ଲେଖକମାନେ ସେଆଡ଼େ ଦୃଷ୍ଟି ଫେରେଇବେ କି?
ପ୍ରତାରିତ ବର୍ଗଙ୍କୁ ଶୋଷଣ କରିବାରେ ପ୍ରଭାବୀ ଶୋଷକ ବର୍ଗଙ୍କ ସହିତ ସରକାରୀ କଳ ଏବଂ ରାଜନେତିକ ନେତୃତ୍ୱର ସଲାସୁତର ରହିଥିବାର ବହିରେ ଅଭିଯୋଗ ରହିଛି। ଳେଖକ କ୍ଷେତ୍ର ପରିଦର୍ଶନ ସମୟରେ ସେମାନଙ୍କ ମତାମତ ନେବା ସହିତ ସେମାନଙ୍କୁ ଜନ ଦରବାରକୁ ଟାଣିବାର ଥିଲା। ବହିରେ ଏହି ଅଭାବଟି ଅନୁଭୁତ ହେଲା।
– ଯଦୁନାଥ ପଣ୍ଡା
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )