ବହୁତ ଜଣ ଗାଳ୍ପିକ ମିଛରେ ବୌଦ୍ଧିକତାର ଦ୍ୱାହିଦେଇ ଗଳ୍ପର ମୋଡ଼ରେ ଯେଉଁ ପରିବର୍ତ୍ତନ ଆଣିଲେ, ତାହା ସ୍ପୃହଣୀୟ ନ ଥିଲା ।

ଆର୍ଯ୍ୟ ଯଜ୍ଞଦତ୍ତ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପ୍ରବୀଣ କଥାକାର ଭାବରେ ସୁପରିଚିତ। ବର୍ତ୍ତମାନ ତାଙ୍କର ବୟସ ୭୭ ବର୍ଷ। ତାଙ୍କର ଏ ଯାବତ୍ ୧୧ଟି ଗଳ୍ପ ସଂକଳନ ସହିତ ଅନ୍ୟ କେତେକ ପୁସ୍ତକ ମଧ୍ୟ ପ୍ରକାଶିତ। ସେ ସିଣ୍ଡିକେଟ୍ ବ୍ୟାଙ୍କରେ ବହୁ ବର୍ଷ ଧରି କାର୍ଯ୍ୟ କରିବାପରେ ୨୦୦୯ ମସିହାରେ ଅବସର ଗ୍ରହଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲାର ଗୋହଳ ଗ୍ରାମରେ ଥିବା ତାଙ୍କର ବାସଭବନରେ ତା’ଙ୍କୁ ଭେଟିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: କିଛିଦିନ ତଳେ ଫେସବୁକ୍ରେ ଆପଣ ଭର୍ତ୍ତୃହରିଙ୍କର ଗୋଟିଏ କଥନ ଉଦ୍ଧାର କରିଥିବାର ଦେଖିଲୁ, “ଏହି ସଂସାରରେ ଘାସ, ଜଳ ଓ ସନ୍ତୋଷ ଉପରେ ନିର୍ଭର କରି ଚଳୁଥିବା ହରିଣ, ମାଛ ଓ ସଜ୍ଜନଙ୍କ ପ୍ରତି ଶିକାରୀ, ଧୀବର, ଦୁର୍ଜନ ବିନା କାରଣରେ ବୈରଭାବ ପୋଷଣ କରିଥାଆନ୍ତି।” ଆପଣ ମଧ୍ୟ ସେହି ସଜ୍ଜନଙ୍କ ମଧ୍ୟରୁ ଜଣେ ବୋଲି ଆମର ଧାରଣା; ଅବଶ୍ୟ ଆପଣଙ୍କର କେହି ବଇରି ନ ଥିବେ।
ଆର୍ଯ୍ୟ ଯଜ୍ଞଦତ୍ତ: ଏ ତିନୋଟି ନିରୀହ ପ୍ରାଣୀ; ଏମାନଙ୍କ ଉପରେ ସବୁବେଳେ ଅତ୍ୟାଚାର ହେଉଥାଏ। ମାଛର ମିତ୍ର ମଣିଷ ନୁହେଁ; ସେ ତାକୁ ମାରି ଖାଇବ ହିଁ ଖାଇବ। ଆଉ ହରିଣ ଓ ସିଂହଙ୍କ କଥା; ସିଂହ ତା’କୁ ମାରି ଖାଇବ। ସେମିତି ଜଣେ ସାଧାରଣ, ସରଳ ପ୍ରକୃତିର ମଣିଷର ବି ଶତ୍ରୁ ଅଛନ୍ତି। ତେଣୁ ସମସ୍ତଙ୍କର ଶତ୍ରୁ ଅଛନ୍ତି। କେହି ଅଜାତଶତ୍ରୁ ନୁହଁ; ବରଂ ସମସ୍ତେ ଜାତଶତ୍ରୁ। ମୁଁ ବା କେମିତି ବ୍ୟତିକ୍ରମ ହେବି!
ସାହିତ୍ୟ ଚର୍ଚ୍ଚା: ଗୋଟିଏ କଥା ମନକୁ ଆସେ; ଓଡ଼ିଆ ସାହିତ୍ୟ ପ୍ରତି ଆପଣଙ୍କର ଏତେ ମୂଲ୍ୟବାନ ଅବଦାନ ଥିବା ସତ୍ତ୍ୱେ ଆପଣ କାହିଁକି କୌଣସି ଆଖିଦୃଶିଆ ସରକାରୀ ପୁରସ୍କାର ଏ ଯାବତ୍ ପାଇନାହାନ୍ତି, ବିଭିନ୍ନ ସଭା ଓ ସମିତିରେ କେତୋଟି ସମ୍ବର୍ଦ୍ଧନା ଓ ପୁରସ୍କାରକୁ ଛାଡ଼ି?
ଆର୍ଯ୍ୟ ଯଜ୍ଞଦତ୍ତ: ସରକାରୀ ପୁରସ୍କାର ପାଇଁ ମୋ’ର ଯୋଗ୍ୟତା ଆସିନାହିଁ, ଯେଉଁ ରକମ ଯୋଗ୍ୟତା ପାଇଁ ଆଜିକାଲି ଏସବୁ ସ୍ୱୀକୃତି ମିଳିବାର ଦେଖାଯାଏ; ସେହି ଯୋଗ୍ୟତା ମଧ୍ୟ ମୁଁ ଆବଶ୍ୟକ କରେନାହିଁ।
ସାହିତ୍ୟ ଚର୍ଚ୍ଚା: କୁହାଯାଏ ଯେ ଲବି ନ କଲେ ଆମ ରାଜ୍ୟରେ ପୁରସ୍କାର ମିଳେନାହିଁ। ଏହିଭଳି ଚେଷ୍ଟା ଆପଣ କେବେ କରିନାହାନ୍ତି କି?
ଆର୍ଯ୍ୟ ଯଜ୍ଞଦତ୍ତ: ମୋ’ ଜୀବନରେ ମୁଁ ଏ ପର୍ଯ୍ୟନ୍ତ କୌଣସି ଲବି କରିନାହିଁ। କୌଣସି ଗୋଷ୍ଠୀରେ ମିଶିନାହିଁ, କି ସଭାସମିତି ଆଦିକୁ ମଧ୍ୟ ବେଶି ଯାଏନାହିଁ।
ସାହିତ୍ୟ ଚର୍ଚ୍ଚା: ପୁରସ୍କାରମାନଙ୍କର ସୁଦୃଷ୍ଟିରୁ ବଞ୍ଚିତ ହେଉଥିବା ଯୋଗ୍ୟ ଲେଖକମାନଙ୍କ ପାଇଁ ପ୍ରତିବର୍ଷ ବିଶିଷ୍ଟ କଥାକାର କୃପାସାଗର ସାହୁ ନିଜର ବ୍ୟକ୍ତିଗତ ଉଦ୍ୟମ ଓ ସମ୍ବଳରେ ଏକ ଲକ୍ଷ ଟଙ୍କା ମୂଲ୍ୟର ଯେଉଁ ପୁରସ୍କାର ଦିଅନ୍ତି, ଆପଣ ଥରେ ସେଥିରେ ସମ୍ମାନିତ ହୋଇଥିବା ଆମେ ଜାଣୁ।
ଆର୍ଯ୍ୟ ଯଜ୍ଞଦତ୍ତ: ହଁ, ୨୦୨୪ ମସିହାରେ।

ସାହିତ୍ୟ ଚର୍ଚ୍ଚା: ଏହା ଆପଣଙ୍କ ପ୍ରତି ହୋଇଥିବା ଅବିଚାରର ଏକ ଆଂଶିକ ଉପଶମ ବୋଲି ଆମେ ଭାବୁ।
ଆର୍ଯ୍ୟ ଯଜ୍ଞଦତ୍ତ: ଯେଉଁଦିନ ଏହି ପୁରସ୍କାରଟି ଦିଆଗଲା, ସେଦିନର କଥା କହୁଛି। ସେଦିନ ସୌମ୍ୟ ରଞ୍ଜନ ପଟ୍ଟନାୟକ ଥାଆନ୍ତି ମୁଖ୍ୟବକ୍ତା। କୃପାସାଗର ସାହୁ ମହାଶୟ ପ୍ରଥମେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆର୍ଯ୍ୟ ବାବୁଙ୍କୁ କିଏ ପୁରସ୍କାର ଦେବେ କି ନ ଦେବେ ତାହା ଆମେ ଜାଣିନୁ; କିନ୍ତୁ ତାଙ୍କୁ ଆଜି ଯୋଗ୍ୟ ବୋଲି ଭାବିଲୁ, ଏଣୁ ପୁରସ୍କାରଟି ଦେଲୁ। ଏହି ଭାଷଣର ପ୍ରତିକ୍ରିୟାରେ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଲେ ଯେ ଆମେ କେବେ ସରକାରୀ ପୁରସ୍କାରକୁ ଆଶା କରିବା ଉଚିତ ନୁହେଁ, କାରଣ ତାହା ଚାପମୁକ୍ତ ହୋଇନ ଥାଏ। ସେଭଳି ପୁରସ୍କାର ନ ପାଇଥିବା ପାଇଁ ଆମେ ଦୁଃଖିତ ହେବା କଥା ମଧ୍ୟ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆଜିକାଲିର କଥାସାହିତ୍ୟ ଉପରେ ମତ ଦେଇ ଆପଣ ଥରେ କହିଥିଲେ ଯେ ସେଥିରେ ଚିତ୍ର, ଚରିତ୍ର ଓ ଚିତ୍ରାୟନ ନକାରାତ୍ମକତାରେ ପରିପୂର୍ଣ୍ଣ, କାହାଣୀ ଭାଗ କପୋଳକଳ୍ପିତ ଏବଂ ଜନଜୀବନଠାରୁ ଯୋଜନ ଦୂରରେ। କାହିଁକି ଏମିତି ମନେକରନ୍ତି ଆପଣ?
ଆର୍ଯ୍ୟ ଯଜ୍ଞଦତ୍ତ: ସତ କହିବି; ଫକୀର ମୋହନଙ୍କଠାରୁ ଆରମ୍ଭ କରି ଗୋଦାବରୀଶ ମହାପାତ୍ରଙ୍କ ପର୍ଯ୍ୟନ୍ତ ଗଳ୍ପସାହିତ୍ୟର ଯେଉଁ ଧାରା ଥିଲା, ସେଥିରେ ଅଙ୍କିତ ଥିଲା ଆମ ସମାଜର ଏକ ନିଚ୍ଛକ ଚିତ୍ର। ତା’ପରେ ବହୁତ ଜଣ ଗାଳ୍ପିକ ମିଛରେ ବୌଦ୍ଧିକତାର ଦ୍ୱାହିଦେଇ ଗଳ୍ପର ମୋଡ଼ରେ ଯେଉଁ ପରିବର୍ତ୍ତନ ଆଣିଲେ, ତାହା ସ୍ପୃହଣୀୟ ନ ଥିଲା। ସେମାନେ ସମାଜଠାରୁ ଦୂରେଇଗଲେ। ତା’ପରେ, ଚାକିରିଆ ବର୍ଗରେ ରହି ଯେଉଁମାନେ ସାହିତ୍ୟସେବା କଲେ, ସେମାନେ ମଧ୍ୟ ସମାଜର ପ୍ରକୃତ ଚିତ୍ର ଦେବାକୁ କୁଣ୍ଠିତ ହେଲେ; ଏବଂ ସାହିତ୍ୟକୁ ସମାଜଠାରୁ ଦୂରେଇ ନେଲେ। କେବଳ ପ୍ରେମ ଓ ଉଦ୍ଭଟତା ଉପରେ ସେମାନେ ଅଧିକ ଭରସା କଲେ। ସେମାନଙ୍କର ସାହିତ୍ୟ ଯେମିତି କାହାରିକୁ ବାଧିବ ନାହିଁ, ସେଥିପ୍ରତି ସତର୍କ ମଧ୍ୟ ହେଲେ; କାରଣ ସେମାନେ ସରକାରୀ ଚାକିରିରେ ଥିଲେ। ବିଭିନ୍ନ ପୁରସ୍କାର-କମିଟି ଓ ଅନୁଷ୍ଠାନ ମଧ୍ୟ ସେମାନଙ୍କର ତତ୍ତ୍ୱାବଧାନରେ ରହିଲା। ସେମାନଙ୍କ ରଚିତ ଦର୍ଶନକୁ ଯେଉଁମାନେ ଗ୍ରହଣ କଲେ ଏବଂ ପ୍ରଚାର, ପ୍ରସାର କଲେ ସେଇମାନେ ହିଁ ସାହିତ୍ୟିକ ବୋଲାଇଲେ।
ସାହିତ୍ୟ ଚର୍ଚ୍ଚା: ସମାଲୋଚକମାନଙ୍କର ମତ ଯେ ଆପଣ କୌଣସି ଗାଳ୍ପିକଙ୍କ ଦ୍ୱାରା ପ୍ରଭାବିତ ହୋଇନାହାନ୍ତି। ଆପଣ ନିଜେ ହିଁ ନିଜର ଆଦର୍ଶ, ଏହା ସତ କି?
ଆର୍ଯ୍ୟ ଯଜ୍ଞଦତ୍ତ: ଏଇଟା ସତ ନୁହେଁ; କାରଣ ମୁଁ ଯେତେବେଳେ ପଢ଼ୁଥିଲି ଅଷ୍ଟମ କି ନବମ ଶ୍ରେଣୀରେ, ଆମ ବହିରେ ରବି ଠାକୁରଙ୍କର ଗଳ୍ପ ଥିଲା। ମୁଁ ସେଇ ବୟସରେ ତାଙ୍କର ପ୍ରତ୍ୟେକଟି କାହାଣୀ ପଢ଼ିବା ଆରମ୍ଭ କଲି ଏବଂ ଏହା ମୋ’ର ଛାତି ଭିତରଟା ରୁନ୍ଧି ଦେଉଥିଲା। ଅଜାଣତରେ ମୋ’ର ତାଙ୍କର ଗଳ୍ପ ପ୍ରତି ଗୋଟିଏ ଦୁର୍ବାର ଅନୁରକ୍ତି ଆସିଗଲା। ତା’ପରେ କଲେଜ ଜୀବନରେ ପଢ଼ିଲି ଓସ୍କାର ୱାଇଲ୍ଡଙ୍କର ‘ହାପି ପ୍ରିନ୍ସ୍’। ସେହି ଉଚ୍ଚମାନର ଗଳ୍ପଟି ମୋ’ ମନରେ ଛାପିହୋଇ ରହିଗଲା। ଏସବୁ ଦ୍ୱାରା ମୁଁ ଅନେକ ମାତ୍ରାରେ ପ୍ରଭାବିତ ହେଲି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଆଦର୍ଶର କଥା ଯେହେତୁ ପଡ଼ିଛି, ଆପଣଙ୍କର ନିଜ ନାମଟିରେ ଆର୍ଯ୍ୟ ସମାଜ ଜନିତ ଶବ୍ଦ ଜଡ଼ିତ ଥିବାର ଦେଖି ଆମର ମନେହୁଏ ଯେ ସେହି ଆର୍ଯ୍ୟ ସମାଜୀୟ ଆଦର୍ଶର କିଛିଟା ପ୍ରତିଫଳନ ମଧ୍ୟ ଆପଣଙ୍କ ଗଳ୍ପରେ ମଧ୍ୟ ପଡ଼ିଥିବ।
ଆର୍ଯ୍ୟ ଯଜ୍ଞଦତ୍ତ: ନିଜର ଜ୍ଞାତସାରରେ ମୋ’ର କୌଣସି ଗଳ୍ପ ଏହି ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇଛି ବୋଲି ମୁଁ ଭାବେ ନାହିଁ; ହୁଏତ ଅଚେତନ ଭାବରେ କେଉଁଥିରେ କେମିତି ପଡ଼ିଥାଇପାରେ।
ସାହିତ୍ୟ ଚର୍ଚ୍ଚା: ଆର୍ଯ୍ୟ ସମାଜ ସହିତ ଆପଣ କିଭଳି ଭାବରେ ସଂପୃକ୍ତ ହେଲେ?
ଆର୍ଯ୍ୟ ଯଜ୍ଞଦତ୍ତ: ବାପା ଜଣେ ଶୁଦ୍ଧ ଆର୍ଯ୍ୟସମାଜୀ ଥିଲେ। ଏଣୁ ତାଙ୍କର ଏହି ପ୍ରଭାବ ମୋ’ ଉପରେ ପଡ଼ିଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଗୋଟିଏ ଚର୍ଚ୍ଚିତ ଗଳ୍ପ ହେଉଛି, ‘ଦୂତ’। ଏଇଟି ଆପଣ କେବେ ଲେଖିଥିଲେ?
ଆର୍ଯ୍ୟ ଯଜ୍ଞଦତ୍ତ: ଏହା ଲେଖା ହୋଇଥିଲା ୧୯୯୦ ମସିହାର ପାଖାପାଖି।
ସାହିତ୍ୟ ଚର୍ଚ୍ଚା: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏହାର ଉଭୟ, ନାୟକ ଓ ନାୟିକା ହେଉଛନ୍ତି ମାନବେତର ଚରିତ୍ର। ଯୋଡ଼ିଏ ପାରା ଓ ସେମାନଙ୍କ ପରିବାରକୁ ନେଇ ଗଳ୍ପଟି ଗଢ଼ିଉଠିଛି। ଏମାନଙ୍କୁ ନେଇ ଗଳ୍ପଟିଏ ଲେଖିବାର ଭାବନା ଆପଣଙ୍କ ମନକୁ କେମିତି ଆସିଲା?
ଆର୍ଯ୍ୟ ଯଜ୍ଞଦତ୍ତ: ଏହା ପଛରେ ଗୋଟିଏ କାହାଣୀ ଅଛି। କେନ୍ଦ୍ରାପଡ଼ା ସହରରେ ସେତେବେଳେ ଦଙ୍ଗା ହୋଇଥାଏ। ସେତିକିବେଳେ ସେ କାଳର ଜଣେ ସୁବିଦିତ ଲେଖକ ଓ ପ୍ରକାଶକ ଜଣେ ଝିଅଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ନେଇ ଚାଲିଆସିଲେ। ତା’ଙ୍କ ଭାଇଙ୍କ ସହିତ ମୋ’ର ପରିଚୟ ଥାଏ। ସେ ମୋ’ ପାଖକୁ ଆସି କହିଲେ, “ଭାଇ ଜଣେ ଝିଅକୁ ଧରି ପଳାଇଆସିଛି। ଟିକିଏ ଆସ, କେମିତି ରେଜିଷ୍ଟ୍ରି ଅଫିସକୁ ଯାଇ ସେମାନଙ୍କର ବିବାହ କରାଇଦେବା।” ମୁଁ ସେତେବେଳେ ସେହି ରେଜିଷ୍ଟ୍ରି ବିବାହର ଜଣେ ସାକ୍ଷୀ ଭାବରେ ଦସ୍ତଖତ କରିବାକୁ ଯାଇଥିଲି। ସେଠି ଦେଖିଲି ଯେ ପାଖରେ ଥିବା ମନ୍ଦିରରୁ ପାରାଟିଏ ଉଡ଼ିଯାଇ ମସଜିଦ୍ ଉପରେ ବସିପଡ଼ିଲା।
ସାହିତ୍ୟ ଚର୍ଚ୍ଚା: ଏହା ଦେଖି ଆପଣ ତେବେ ନିଜର ଗଳ୍ପ ପାଇଁ ଗୋଟିଏ ପ୍ରଭାବଶାଳୀ ଥିମ୍ ପାଇଗଲେ।
ଆର୍ଯ୍ୟ ଯଜ୍ଞଦତ୍ତ: ମୁଁ ଭାବିଲି, ଧର୍ମ ତ ଆମ ମଣିଷଙ୍କ ଭିତରେ ଅଛି। ପାରାଟିର ଘର କେଉଁଠି, ତା’ର ଧର୍ମ ବା କ’ଣ? ଏହା ମୋତେ ଗଭୀର ଭାବରେ ସ୍ପର୍ଶକଲା।
ସାହିତ୍ୟ ଚର୍ଚ୍ଚା: ଆପଣ ଏହି ଗଳ୍ପରେ ସର୍ବଧର୍ମ ସମଭାବର ବାର୍ତ୍ତା ଦେଇଛନ୍ତି। ଗଳ୍ପଟିର ଗଢ଼ଣଗତ ଚମତ୍କାରିତା ମଧ୍ୟ ଏହାର ଆଉ ଏକ ଲକ୍ଷଣୀୟ ଦିଗ। ଏଇଟିକୁ ବୋଧହୁଏ ଆମେ ତୁଳନା କରିପାରିବା ଅଚ୍ୟୁତାନନ୍ଦ ପତିଙ୍କ ‘ଅଶୁଭ ପୁତ୍ରର କାହାଣୀ’ ସହିତ; ଯଦିଓ ଏହାର ଥିମ୍ ଟିକିଏ ଅଲଗା।
ଆର୍ଯ୍ୟ ଯଜ୍ଞଦତ୍ତ: ଏଇଟି ବହୁ ପାଠକଙ୍କୁ ସ୍ପର୍ଶ କରିପାରିଥିବା ମୁଁ ଅନୁଭବ କରିଛି ଏବଂ ଏହା ହିନ୍ଦୀ, ମାଲୟାଲାମ ଓ ଇଂରାଜୀ ଆଦି କିଛି ଭାଷାରେ ଅନୂଦିତ ହୋଇଛି ମଧ୍ୟ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସାହିତ୍ୟରେ, ସାହିତ୍ୟିକମାନଙ୍କ ଭିତରେ ଗୋଷ୍ଠୀବାଦ ମୁଣ୍ଡ ଟେକିଥିବାର ଅଭିଯୋଗ ହୁଏ। କିଏ କେଉଁ ଗୋଷ୍ଠୀର, ତାହାରି ଉପରେ ନିର୍ଭର କରୁଛି ସାହିତ୍ୟିକମାନଙ୍କର ସ୍ୱୀକୃତି। ଏ ବିଷୟରେ ଆପଣଙ୍କର ମତ କ’ଣ?
ଆର୍ଯ୍ୟ ଯଜ୍ଞଦତ୍ତ: ମୋ’ର ବିଶ୍ୱାସ ଯେ ସାହିତ୍ୟିକଟିଏ କାହାର ଅନୁଗତ ନୁହେଁ ବା ହେବା ଉଚିତ ନୁହଁ। ଆଉ ଅନୁଗତଟିଏ ମଧ୍ୟ କସ୍ମିନ୍ କାଳେ ସାହିତ୍ୟିକ ହୋଇପାରିବ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ବୟସ ବର୍ତ୍ତମାନ ୭୭ ବର୍ଷ। ‘ବିଶ୍ୱାସର ଗାର’ ନାମକ ଆପଣଙ୍କର ଶେଷ ବହିଟି ପ୍ରକାଶିତ ହୋଇଥିଲା ୨୦୨୦ ମସିହାରେ। ଏହାପରେ ଆପଣ ଲେଖାଲେଖି ବନ୍ଦ କରିଦେଇଛନ୍ତି କି?
ଆର୍ଯ୍ୟ ଯଜ୍ଞଦତ୍ତ: କରୋନା କାଳରେ ମୋ’ର ମଝିଆ ପୁଅର ଦେହାନ୍ତ ହୋଇଗଲା। କରୋନା କଟକଣା ଯୋଗୁଁ ବାପା-ମାଆ ହିସାବରେ ବାଙ୍ଗାଲୋରରେ ଆମେ ତା’ର ଶେଷ ଦର୍ଶନ ଟିକିଏ ବି ପାଇଲୁ ନାହିଁ। ପୁତ୍ରଶୋକ ମୋ’ ଉପରେ ଦାରୁଣ ମାନସିକ ପ୍ରଭାବ ପକାଇଲା, ଯାହା ଫଳରେ ମୁଁ ଆଉ ଲେଖିପାରିଲି ନାହିଁ। ଏଇଟା ତ ପ୍ରଥମ କାରଣ; ଦ୍ୱିତୀୟଟି ହେଲା ବୟସଜନିତ କଷ୍ଟ। ବାର୍ଦ୍ଧକ୍ୟ ସଂପର୍କିତ ଅସୁସ୍ଥତା ହେତୁ ଲେଖିବା ପାଇଁ ଆଉ ସ୍ପୃହା ଆସୁନାହିଁ। ଆଉ ଗୋଟିଏ କାରଣ ହେଲା, ଆମ ସାହିତ୍ୟରେ ଲେଖକ ଜଣେ ଏବେ ଆଉ ଲେଖିବା ପାଇଁ ଉତ୍ସାହବର୍ଦ୍ଧକ ପରିବେଶ ପାଇପାରୁ ନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ମୁଖ୍ୟତଃ ପୁତ୍ରଶୋକରେ ଆପଣଙ୍କ କଲମ ଯେ ଥମିଯାଇଛି, ଏହି ଶୋକକୁ ସାମନା କରିଥିବା ଆପଣଙ୍କ ଧର୍ମପତ୍ନୀ ଶ୍ରୀମତୀ ଗାୟତ୍ରୀ ଆର୍ଯ୍ୟ କିନ୍ତୁ ସେହି ବିଷାଦକୁ ଲାଘବ କରିବା ପାଇଁ କଲମ ଚାଳନା କରିବା ଆରମ୍ଭ କରିଛନ୍ତି ଏବଂ ଫଳରେ ଉଚ୍ଚମାନର ଉପନ୍ୟାସଟିଏ ଲେଖିପାରିଛନ୍ତି। ଆପଣ ମଧ୍ୟ ତାଙ୍କ ଭଳି ରଚନାପ୍ରବଣ ରହିପାରିଲେ ଭଲହୁଅନ୍ତା।
ଆର୍ଯ୍ୟ ଯଜ୍ଞଦତ୍ତ: ଲେଖିବା ପାଇଁ ମାନସିକ ଧୈର୍ଯ୍ୟ ମୋ’ର ଆଉ ନାହିଁ। ଅବଶ୍ୟ ପୁତ୍ରଶୋକର ସାମ୍ନା କରିବା ପାଇଁ ସାହିତ୍ୟର ରଚନା ମୋ’ର ପତ୍ନୀଙ୍କୁ ଅନେକ ବଳ ଯୋଗାଇଛି।
ସାହିତ୍ୟ ଚର୍ଚ୍ଚା: ୧୯୮୦ ମସିହାରୁ ଆପଣ ଲେଖାଲେଖି କରିଆସୁଛନ୍ତି। ସେହି ଅଶୀ ଦଶକର ପାଠକ, ଆଉ ଏବର ପାଠକଙ୍କ ମଧ୍ୟରେ ତୁଳନା କଲେ ଆପଣ ବିଶେଷ କିଛି ଫରକ ଅନୁଭବ କରନ୍ତି କି?
ଆର୍ଯ୍ୟ ଯଜ୍ଞଦତ୍ତ: ମୁଁ ଯେତେବେଳେ ୧୯୮୦ରେ ନୂଆ ନୂଆ ଗପ ଲେଖିଲି, ସେତେବେଳେ ‘ଝଙ୍କାର’ରେ ମୋ’ର ଗପ ପ୍ରକାଶିତ ହେଲା; ତା’ପରେ ମଧ୍ୟ ସେଥିରେ ମୋ’ର ଆହୁରି କେତେକ ଗପ ବାହାରିଲା। ପ୍ରତ୍ୟେକ ଗପ ପାଇଁ ପାଠକମାନଙ୍କଠାରୁ ସେତେବେଳେ ୧୫ରୁ ୨୦ଟି ପର୍ଯ୍ୟନ୍ତ ଚିଠି ପାଉଥିଲି। ଚିଠି ପାଇଲେ ମୁଁ ଏମିତି ଉଦ୍ବୁଦ୍ଧ ହୋଇଯାଏ ଯେ ପ୍ରତିଦିନ ଅପେକ୍ଷା କରି ରହିଥାଏ ଡ଼ାକବାଲାକୁ। ନିୟମିତ ଭାବରେ ପାଠକୀୟ ମତାମତ ପାଇବାର ସୌଭାଗ୍ୟ ମୋ’ର ରହିଥିଲା। ସେହି ପ୍ରଥାଟା ଚାଲିଥିଲା ଥିଲା ୨୦୦୦, ଏପରିକି ୨୦୦୫ ମସିହା ପର୍ଯ୍ୟନ୍ତ ମଧ୍ୟ। ତାପରେ ଯେଉଁ ମୋବାଇଲ୍ ଯୁଗ ଆସିଲା, ସେଥି ଜରିଆରେ ଆସୁଥିବା ମତାମତ ସବୁ କ୍ଷଣିକ ହୋଇଗଲା।
ସାହିତ୍ୟ ଚର୍ଚ୍ଚା: ତା’ହେଲେ ଆଜିକାଲି ପାଠକମାନେ ଲେଖାଟିଏ ପଢ଼ିବା ପରେ ବେଶି ଭାବରେ ନିରବତା ଅବଲମ୍ବନ କରୁଛନ୍ତି।
ଆର୍ଯ୍ୟ ଯଜ୍ଞଦତ୍ତ: ମୋ’ର ହୃଦ୍ବୋଧ ହେଉଛି ଯେ ଏବେ ସମସ୍ତେ ପଲ୍ଲବଗ୍ରାହୀ ହୋଇଗଲେ; ସମସ୍ତଙ୍କର ପାପୁଲିରେ ଗୋଟିଏ ଗୋଟିଏ ମୋବାଇଲ୍ ଫୋନ୍। ଏହା ହେଉଛି ପରିବର୍ତ୍ତନର ଗୋଟିଏ ମୁଖ୍ୟ କାରଣ।
ସାହିତ୍ୟ ଚର୍ଚ୍ଚା: ତେବେ ଗପର ସ୍ତର ଓ ପ୍ରକୃତି ଉପରେ ମଧ୍ୟ ପାଠକୀୟ ପ୍ରତିକ୍ରିୟା ନିର୍ଭରଶୀଳ ବୋଲି ଆମେ କହିପାରିବା କି?
ଆର୍ଯ୍ୟ ଯଜ୍ଞଦତ୍ତ: ଆପଣଙ୍କୁ ଏ ବିଷୟରେ କହୁଛି; ନିକଟରେ ଗୋଟିଏ ପତ୍ରିକାରେ ବାହାରିଥିବା ଗୋଟିଏ ଗପ ପଢ଼ି ମୋତେ ବାର ଜଣ ପାଠକ ଫୋନ୍ କରିଥିଲେ। ରୋଚକ କଥା ହେଲା, ମୋତେ ଫୋନ୍ କରିଥିବା ସେହି ୧୨ ଜଣ ଯାକ ପାଠକ ଥିଲେ ଅବସରପ୍ରାପ୍ତ ହେଡମାଷ୍ଟର।
ସାହିତ୍ୟ ଚର୍ଚ୍ଚା: ତେବେ ସେହି ଗଳ୍ପଟି ଅବସରପ୍ରାପ୍ତ ହେଡମାଷ୍ଟରଙ୍କ ଜୀବନ ଉପରେ ଆଧାରିତ ଥିଲା, ବୋଧହୁଏ!
ଆର୍ଯ୍ୟ ଯଜ୍ଞଦତ୍ତ: ହଁ, ଆପଣ ଠିକ୍ ଅନୁମାନ କରିଛନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣ ବ୍ୟାଙ୍କ୍ରେ ନିଜର ଚାକିରି କାଳରେ ଦେଶର ବିଭିନ୍ନ ବଡ଼ ବଡ଼ ସହରରେ ସମୟ କଟାଇଛନ୍ତି। ଆପଣଙ୍କର ଅବସର ଜୀବନ କିନ୍ତୁ ଏହି ଛୋଟିଆ ଗୋହଳ ଗ୍ରାମର ପ୍ରକୃତିଘେରା ପରିବେଶ ଭିତରେ କଟାଇବାକୁ କାହିଁକି ପସନ୍ଦ କଲେ?
ଆର୍ଯ୍ୟ ଯଜ୍ଞଦତ୍ତ: ମୁଁ ମଫସଲିଆ ଲୋକ; ଗ୍ରାମୀଣ ଚିନ୍ତାଧାରା ମୋ’ର। ମାଟିତଳୁ ବାହାରୁଥିବା ପାଣିରେ ମୋ’ର ସନ୍ତୋଷ; ଭୁବନେଶ୍ୱରର ଟେକା ପାଣିରେ ମୁଁ ଚଳିପାରିବି ନାହିଁ। ଏଠି ବାଡ଼ିରେ ଶାଗ, ପରିବା ହେଉଛି; ଶୁଦ୍ଧ କ୍ଷୀର ଟିକିଏ ମିଳୁଛି। ଏଣୁ ଏଇ ପରିବେଶ ମୋ’ ପାଇଁ ବେଶ୍ ଅନୁକୂଳ।
ସାହିତ୍ୟ ଚର୍ଚ୍ଚା: ଶେଷରେ ପଚାରିବାକୁ ଚାହିବୁ, ଓଡ଼ିଆ କଥାସାହିତ୍ୟର ଭବିଷ୍ୟତକୁ ଆପଣ କେମିତି ଦେଖନ୍ତି?
ଆର୍ଯ୍ୟ ଯଜ୍ଞଦତ୍ତ:ଏବେ ଛପା ପୃଷ୍ଠାରେ ଦିଶୁଥିବା ଗପରେ ହୁଏତ କିଛି ପରିବର୍ତ୍ତନ ଆସିପାରେ; କିନ୍ତୁ ଏହା ଅନ୍ୟ କେତେକ ରୂପରେ ତିଷ୍ଠିଯିବ; ଯେମିତିକି ଇ-ବୁକ୍, ଅଡିଓ ବୁକ୍, ଟି.ଭି ତଥା ଭିଡିଓ ଇତ୍ୟାଦି। ଅର୍ଥାତ୍ ଗଳ୍ପ ନିଜ ପାଇଁ ଗୋଟିଏ ନୂଆ ମାଧ୍ୟମ ଖୋଜିନେବ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋରମ ବାର୍ତ୍ତାଳାପ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )