କେହି ଜଣେ ମୁଣ୍ଡ ବୁଲା କବି ଲେଖିଦେଲେ, ବିନାଶ୍ରୟେ ନବର୍ତ୍ତନ୍ତେ କବିତା ଲେଡିଜ୍ ଲତା।

ଆମ ଓଡିଶାରେ ସାହିତ୍ୟ ଚାଷ ଏମିତି ଜୋରରେ ଚାଲିଛି ନିଜେ ନ ଦେଖି ବିଶ୍ୱାସ କରି ହୁଏନି। ଏ ଖବରକାଗଜ, ସୋସିଆଲ ମିଡିଆ, ଇଲେକ୍ଟ୍ରୋନିକ୍ ବା ଯାନ୍ତ୍ରିକ ମିଡିଆ ଉପରେ କେଉଁ ବିଶ୍ୱାସ ? ଆଜିକାଲି ୟା’ ଭିତରକୁ କୃତ୍ରିମବୁଦ୍ଧି ବି ପଶିଆସିଲାଣି। ଆମ ପିଲାଦିନେ ଯେବେ ପ୍ରଥମକରି ରେଡିଓ ଦେଖିଲୁ, ଆଖି ଖୋସି ହୋଇଯାଇଥିଲା। ଗୋଟାଏ ବାକ୍ସ କେତେକଥା କହୁଛି ? ତା’ ଦିହକୁ ଆଉ ଗୋଟାଏ ବାକ୍ସ ଲାଗିଛି, ଦୁଇଟା ବଡ଼ ବାଉଁଶ ପୋତାହୋଇ ତାର ବନ୍ଧା ହୋଇ, ସେ ତାରରୁ ଆଉ ଗୋଟାଏ ତାର ଆସି ରେଡିଓରେ ଲାଗିଛି। ସେ ରେଡିଓ କଥା, କହୁଛି। ତାକୁ କଥା କୁହାଉଛି ସେ ବିରାଡ଼ି ମାର୍କା ବାକ୍ସଟା, ଯାହାକୁ ବେଟାରି କହୁଥିଲେ। ବେଟାରି ମାନେ ପାୱାର। ଜୀବାତ୍ମା। ସେ ବେଟାରିଟା ଟେକିବାକୁ ଗୋଟାଏ ମୂଲିଆ ଲାଗୁଥିଲା। କଟକରୁ ମୁଣ୍ଡେଇକରି ଆଣିବ ଝାଳ ନାଳ ଆଣ୍ଠୁଏ ହୋଇ। ଦି’ଘଡ଼ି ଥକାମାରି କଂସାଏ ପଖାଳ ତେଣ୍ଡିଦେଲାପରେ ତା’ର ହୋସ୍ ଆସେ। ତା’ ପରେ ରେଡୁଅ ଗୀତ ଶୁଣାଏ, “ଥକାମନ ଚାଲ ଯିବା, ଚକା ନୟନ ଦେଖିବା। ଶଂଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା।” ସଜଫୁଲ, କୃଷି ସଂସାର, ମଙ୍ଗୁଳି ମଉସା କାର୍ଯ୍ୟକ୍ରମ ସବୁ ଶୁଣି ଆମେ ବଡ଼ ହୋଇଛୁ। ଏସବୁକୁ ଆମେ ସାହିତ୍ୟର ଏକ ରଞ୍ଜା ବୋଲି କହିପାରିବା।
ବିନାଶ୍ରୟେ ନବର୍ତ୍ତନ୍ତେ
ଆମ ଗାଁରେ ଜହ୍ନି କି କଖାରୁ କାକୁଡ଼ି ପାଣିକଖାରୁ ମନ୍ଦାଏ ଲଗାଇ ଚାଳ ଉପରକୁ ମଡ଼ାଇବାକୁ ହେଲେ ରଞ୍ଜା ଦେବାକୁ ହୁଏ। ଇ଼ଂରେଜିରେ ସେ ଝାଟି ବତା ବାଉଁଶକୁ ସପୋର୍ଟ୍ କହିପାରନ୍ତି। ସେଥିପାଇଁ ବୋଧେ କେହି ମୁଣ୍ଡ ବୁଲା କବି ଲେଖି ଦେଲେ, ବିନାଶ୍ରୟେ ନବର୍ତ୍ତନ୍ତେ କବିତା ଲେଡିଜ୍ ଲତା। ସେ ଯୁଗକୁ ସେ ପଦକ ଫିଟ୍ ଥିଲା ସିନା, ଆଜି ହୋଇଥିଲେ ମାନହାନି ମକଦ୍ଦମା। ‘କ୍ଷମା ମାଗ ହାଏ ହାଏ’ କେତେ କ’ଣ ଶୁଣିବାକୁ ହୋଇଥାଆନ୍ତା। ଯାହାହେଉ ସେ ଲେଖକ ମରିଯାଇନି ଯେ ତରି ଯାଇଛି ! ସେ ପଦକ ବି ସେତେବେଳେ ସାହିତ୍ୟର ରଙ୍ଗ ଥିଲା। ଆଜିକାଲି ସେ ସବୁ ଅଚଳ ଦୋ’ଅଣି। ସେପରି ଭାବଧାରାକୁ ପ୍ରୋତ୍ସାହନ ଦେବା ଆତ୍ମଘାତୀ ଚିନ୍ତାଧାରା ହୋଇପାରେ। ବେଶି ଗୁଡ଼ାଏ ଫେଣେଇବା ହିତକର ନୁହେଁ। ବର୍ତ୍ତମାନ ସମୟରେ ଟିକିଏ ଜିଭରୁ ଖସିଗଲା ମାନେ ସାହିତ୍ୟ ବେପାରର ଧୁରନ୍ଧରମାନେ କେଳେଇ ପକେଇବେ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଘାଣ୍ଟିପକେଇବେ। ଭୁଲ୍ ମାଗିବାକୁ ହିଁ ପଡ଼ିବ।

ଆମ ପିଲାଦିନେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ନାଁ ଶୁଣିଥିଲୁ। ଆମ ସ୍କୁଲରେ ନଥିଲା ସେ ଗ୍ରନ୍ଥ। ବଡ଼ ହୋଇ କଲେଜ ଯିବା ପରେ ଥରେ ଗୋଟିଏ ବିଜ୍ଞାପନ ଦେଖିଥିଲୁ, କେହି ଜଣେ ଲେଖିଥିଲେ ତାଙ୍କ ପାଖରେ ଥିବା ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଚାରିହଜାର ପାଞ୍ଚଶହ ଟଙ୍କାରେ ବିକ୍ରି କରିବାକୁ ଚାହୁଛନ୍ତି। ସଂପୂର୍ଣ୍ଣ ଓରିଜିନାଲ୍ ଚମଡ଼ା ବନ୍ଧେଇ ଆଦି ଲେଖାଥିବା ଆମର ମନେଅଛି। ଉଣେଇଶ ଷାଠିଏ ପଞ୍ଚଷଠି କଥା ଇଏ। ସେତେବେଳେ ଚାରିହଜାର ପାଞ୍ଚଶହ, ଆଖି ପାଏନାହିଁ। ପରେ ଦୁଇ ହଜାର ପାଞ୍ଚ ମସିହାରେ ଦେଖିଲି ଯେବେ ଆମ ମହେନ୍ଦ୍ର ଭାଇନା ତାହା ପୁନରୁଦ୍ଧାର କରି ମୋତେ ଖଣ୍ଡିଏ ସୌଜନ୍ୟମୂଳକ ପ୍ରତି ଦେଇଥିଲେ। ଭୁବନେଶ୍ୱର ପୁସ୍ତକ ମେଳାରେ ଦେଖି କିଣିବାରୁ ବିରତ ହେଲି। ନେବି ଯେ, ରଖିବି କେଉଁଠି ? ଆପାର୍ଟମେଣ୍ଟ ଘରକୁ ଏତେ ବହି ? ହେଲା ନାହିଁ। ଆଉ ସିଆଡ଼େ ମନ ଦେଇନି। ଡ଼ାକ୍ତରୀ ପାଠକୁ ସମ୍ଭାଳି ପାରୁନି, ସାହିତ୍ୟ ଚଷିବି କେଉଁଠି ? ଆଜିକାଲି କମ୍ପ୍ୟୁଟରର ଡିଜିଟାଲ ବୋତାମ ଦାବିଲେ ଭାଷାକୋଷ କ’ଣ, ସ୍କନ୍ଦ ପୁରାଣ କ’ଣ, ସବୁ ଆପଣମାନଙ୍କ ଆଙ୍ଗୁଠି ଅଗରେ ନାଚୁଛନ୍ତି। ତା’ ସାଙ୍ଗକୁ କୃତ୍ରିମବୁଦ୍ଧି ଆସିଗଲାଣି। ଯାହା ପଚାରିଲେ ସବୁ କହିବ। ସାରେ ଖାଲି ଶାସ୍ତ୍ର ପୁରାଣ ନାଁ କହି ଅମୁକ ପୃଷ୍ଠା ଅମୁକ ଅଧ୍ୟାୟ ଅମୁକ ଶ୍ଳୋକ କହି ବାହା ବାହା ନେବେ। ସଭାମଣ୍ଡପରେ ହେଉ କି ସେଠୁ ଓହ୍ଲାଇ ଆସିଲେ ହେଉ, ପଚାରିଲେ ସନ୍ତୋଷଜନକ ଉତ୍ତର ଯେ ମିଳିବ, ସେମିତି କିଛି ଗ୍ୟାରେଣ୍ଟି ନାହିଁ। ରାଗିଯାଇ ପାରନ୍ତି ? ରାଗିଗଲେ କ’ଣ ଯେ କହିବେ, ସେମିତି କିଛି ନିୟମ ନାହିଁ।
ସାହିତ୍ୟ ହାଟରେ ଅଭୟ ଦାଶ
ଦିନକର ଘଟଣା, ଅଭୟ ଦାଶ ଗୋଟାଏ ସାହିତ୍ୟ ହାଟରେ ପଶିଗଲା। ଭଲ କୁର୍ତ୍ତା ପାଇଜାମା ଜ୍ୟାକେଟ୍ ପିନ୍ଧି ଛାତିରେ ଗୋଟାଏ ଗୋଲ ବ୍ୟାଜ୍ ଲଗାଇ ଉପର ତଳ ହେଉଥିବା ବାବୁମାନଙ୍କୁ ଦେଖିଲା। କେତେଜଣ ଆଗଧାଡ଼ିରେ ଟାଇଟ୍ ହୋଇ ବସି ଥାଆନ୍ତି। ଇଏ ତ ସିଏ ? ହଁ ସେଇ ମ! ଦୁଇଟା ଗଣ୍ଡାଏ ପୁରସ୍କାର ପାଇଛନ୍ତି। ଯିବ କି ତାଙ୍କ ପାଖକୁ? କହିବ, ସାରେ ନମସ୍କାର। ଚିହ୍ନିଲେ? ସିଏ କାହିଁକି ଚିହ୍ନିବେ? ହଁ କହିବାକୁ କିଏ ମନା କରୁଛି? ଛାଡ଼ ହେ। ଦେଖିବା କ’ଣ ହେଉଛି। ସଭାମଣ୍ଡପକୁ ଉଠିବାକୁ ଡକରା ଶୁଭିଲା, ସେ ଅମୁକ ବାବୁଙ୍କୁ ଫଲଣା ବାବୁ, ସମୁକ ବାବୁଙ୍କୁ ସେ ଆର ବାବୁ, କି ସେ ମାଡାମ୍ମାନେ ବାଟେଇ ନେବାକୁ ଅନୁରୋଧ ହେଲା। ସମସ୍ତେ ଯାଇ ବସିଗଲେ। କେହି ହଲୁନଥାନ୍ତି। କଥା କ’ଣ? ଅସଲ ସାରେ ଆସିନାହାନ୍ତି। ଆସେମ୍ଲିରେ କାମ ପଡ଼ିଗଲା। ଆସିବେ ନାହିଁ, କହୁନାହାନ୍ତି। ମଞ୍ଚ କୋଣରେ ବସିଛନ୍ତି ପତିତପାବନ ଓଡ଼ିଆ ଜାତିର ଗର୍ବ ଗୌରବ ମଉଡ଼ମଣି। ତାଙ୍କ ଆଗରେ ଗଛଦୀପ ଜଳିଲେ ସିନା କାର୍ଯ୍ୟକ୍ରମ ଆରମ୍ଭ ହେବ? ସାରେ ନ ଆସିଲେ କିଏ କରିବ ସେ କାମ? କିଏ ସେ ମୁଦିରଥ? ଏଠି ସେସବୁ ଚଳେନାହିଁ। ସେଇ ସାରେ ଆସିଲେ ହିଁ କାର୍ଯ୍ୟ ସମ୍ପାଦନ ହେବ। ନ ହେଲେ ପାଣି ବିଜୁଳିକୁ ସାବଧାନ! ଆମଭଳିଆ କେତେଟା ପଛଆଡ଼କୁ ଚାହିଁ ଥାଆନ୍ତି। ବେବର୍ତ୍ତା, ଟହଲିଆ, କାର୍ପଟଦାରମାନେ ଚଞ୍ଚଳ ହୋଇ ଉଠିଲେ, ସାର୍ ଆସିଗଲେ। ଦିଆସିଲି ମହମବତୀ ଖୋଜାପଡ଼ିଲା, ଫଟୋବାଲାଏ ତାଙ୍କ ଆଗେ ଆଗେ ଚାଲିଛନ୍ତି ସାରଙ୍କୁ ମଞ୍ଚ ଉପରେ ଛାଡ଼ି କ୍ୟାମେରାର ଦୃଷ୍ଟି ପଡ଼ିଲା ଆମଆଡ଼େ। ସାରେ ଦୀପ ଜଳେଇସାରିବା ପରେ କାର୍ଯ୍ୟକ୍ରମକୁ ଆଗକୁ ଠେଲିଲେ ଉଦ୍ଘୋଷକ। ସାରେ ଡେରିରେ ଆସିଥିବାରୁ ଦୁଃଖ ପ୍ରକାଶ କଲେ। କାମର କଥା, ଜନତାଙ୍କ ଦୁଃଖହରଣ କାର୍ଯ୍ୟକ୍ରମ ଥିବାରୁ ବିଧାନସଭାରେ ଡେରି ହୋଇଗଲା। ଏପରି କୈଫିୟତ କେହି ମାଗିନଥିଲେ ମଧ୍ୟ ସାର୍ ତାଙ୍କଆଡୁ ଏମିତି କହିବାକୁ ନିଜର କର୍ତ୍ତବ୍ୟ ମନେକରନ୍ତି। ଏହା ଆମେ ଜାଣୁ। ସାର୍ ବି ଜାଣନ୍ତି, ଆମେ ଜାଣୁ।
ସାହିତ୍ୟ ପ୍ରସୂତି ଗୃହରେ ଛଟପଟ ହେଉଥାଏ କେତେବେଳେ ଆସିବ? ଆସିଲା। ଉଦ୍ଘୋଷକ ଘୋଷଣାକଲେ। ବଡ଼ ବଡ଼ ପୁରସ୍କାରପ୍ରାପ୍ତ କବି ସାହିତ୍ୟିକମାନେ ନିଜର ଅଭିଭାଷଣ ଶୁଣାଇଲେ। ଏମାନେ ଯାହାକୁ କହନ୍ତି ୟା’ଙ୍କ କାନ୍ଧରେ ଲକ୍ଷ୍ମୀ ସରସ୍ୱତୀ ଦୁହେଁ ବସିଛନ୍ତି। ଅଭୟ ଦାଶ ଚାହିଁ ତାଟେଙ୍ଗା! ଆହା ହା, କି ସରଳ କି ସାଧାରଣ ବ୍ୟକ୍ତିତ୍ୱ ! ପେଟରେ କେତେ ବିଦ୍ୟା! ଅଳ୍ପସମୟ ଯାଇଛି କି ନାହିଁ, ହଠାତ୍ ଜଣେ ସାର୍ ଗର୍ଜି ଉଠିଲେ ଉଦ୍ଘୋଷକଙ୍କ ଉପରେ। ଦୋଷ? ସାର୍ଙ୍କ ନାଁ ଆଗରେ ପ୍ରଫେସର ଡକ୍ଟର ଦୁଇଟା ଶବ୍ଦ ଛାଡ଼ି ଦେଇଛନ୍ତି। ଗଲା ନା ପ୍ରଣବ ଅଶୁଦ୍ଧ। ଓଁ ନ ଲାଗି କେଉଁ ମନ୍ତ୍ରରେ ଦମ୍ ଆସିଲାଣି ? ଯେମିତି ମହାମହୋପାଧ୍ୟାୟ, ରାଏବାହାଦୁର, ସେମିତି ଏ ଡକ୍ଟର ପ୍ରଫେସର, ଗୋଟାଏ ପତିଆରା ! ମାନେ ସେମାନେ ଗୋଟାଏ ଅଲଗା ପ୍ରକାର, ଡିଫରେଣ୍ଟ୍। ତୁମ ଆମ ଭଳିଆ ନୁହନ୍ତି। ସେଥିପାଇଁ ତ ତାଙ୍କୁ ଡାକିନେଇ ମଞ୍ଚ ଉପରେ ବସାନ୍ତି, ନ ହେଲେ ପ୍ରଥମ ଧାଡ଼ିର ସୋଫା ଉପରେ ବସାନ୍ତି। ସଭା ସରିଲା ବେଳକୁ ରାତି ନ’ ବାଜିବ। ଛୋଟ ଛୋଟ କାଗଜ ଡବା ଗୋଟିଏ ଗୋଟିଏ ମିଳିଲା। ସମସ୍ତେ ଖୋଲିଲେ, ଆମେ ବି ଖୋଲିଲୁ। ତା’ ଭିତରେ ଗୋଟିଏ ସିଙ୍ଗଡ଼ା, ଗୋଟିଏ ଆଳୁଚପ୍, ଗୋଟିଏ ବରା ଓ ଗୋଟିଏ ଗୋଲାପଜାମୁ ମିଳିଲା। ସେଇ ପାଖରେ କଲିକତା ମଡେଲ ଛୋଟ କାଗଜ କପ୍ରେ ଚାହା। ଅଭୟ ଦାଶ ଏକା ସୁଡ଼କାରେ ସାରିଦେଇ ଯିବାକୁ ବାହାରୁଛି, ଦେଖିଲା ଜଣେ ଦି’ଜଣ ମଧ୍ୟମ ବୟସ୍କା ମହିଳା ଡାକ ଛାଡୁଛନ୍ତି, ହେ ସୋନି ମୋନି, ଆସ ସାର୍ଙ୍କ ସାଙ୍ଗେ ସେଲ୍ଫି ନେବା। ସାର୍ ଆଉ ଗୋଟାଏ। ଏ ସେଲ୍ଫି ପର୍ବ ଏମିତି ଚାଲିଥାଏ। ଜଣେ ସାର୍ଙ୍କୁ ପଚାରିବାରୁ ଶୁଣିବାକୁ ମିଳିଲା, “ସେଇଟା କ’ଣ ଜାଣିଛି? ତାକୁ ପୁରସ୍କାର କେମିତି ମିଳିଛି କ’ଣ ଆମେ ଜାଣିନୁ?”
ସାହିତ୍ୟର ଭବିଷ୍ୟତ
ଅଭୟ ଦାଶ ଫେରିବା ବାଟରେ ଭାବୁଥାଏ, ଓଡ଼ିଆ ସାହିତ୍ୟର ଭବିଷ୍ୟତ କିଛି ଖରାପ ନୁହେଁ। ଏମିତି ଚାଲିଥାଉ। କେବେ ତ ଭଲଦିନ ଆସିବ ? ଆସିବ ଯେ କେମିତି ଆସିବ? ଆସିନି ଆଉ କ’ଣ? ଦେଖିଲେ, ଆମ ଭୁବନେଶ୍ୱର-କଟକରେ ଖାଲି ଏଇଠି କାହିଁକି, ଜଗତସିଂହପୁର, ପାରାଦ୍ୱୀପ ମାଲକାନଗିରି, ନବରଙ୍ଗପୁର କେଉଁଠି ସାହିତ୍ୟ ସଭା ନ ହେଉଛି, ନା କବିତା ପାଠ ନ ହେଉଛି? ପୁସ୍ତକମେଳା, ପୁସ୍ତକ ଉନ୍ମୋଚନ କ’ଣ କମ୍? ହଲ୍ ଗୋଟେ ପାଇବା କ’ଣ ସହଜ କଥା ହେଇଛି? କେତେ ଲୋକଙ୍କୁ ହାତ ଯୋଡ଼ିବାକୁ ପଡୁଛି, ଖାଲି ନାହିଁ, ଦୁଇମାସ ପାଇଁ ପୁରା ବୁକ୍! ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଯୋଗାଡ଼ କରିବା ବି ସହଜ ନୁହେଁ, ତଥାପି ବେପାର ଚାଲିଛି!
କ’ଣ କହିଲେ? ତାଙ୍କୁ ଡ଼ାକିବେନି? ଭୁଲି ଯାଆନ୍ତୁ, ତାଙ୍କ ବିନା ଏ ସାହିତ୍ୟ ହାଟ ଚାଲିବଟି? ପାଣି, ଇଲେକ୍ଟ୍ରି କଟିଗଲେ ଆମକୁ କହିବେନି। ଆଉ ସେମାନେ? ସିଏ ନ ଆସିଲେ କିଏ ତୁମ ଫଟୋ ଉଠେଇବ? କିଏ ତୁମ ବିଷୟରେ ବଢ଼େଇ କରି ଦୁଇ ଧାଡ଼ି ଲେଖିବ? ତୁମ ବହି ବିଷୟରେ ଲେଖିବ? ଏସବୁ କରିବାକୁ ହୁଏ। ନ ହେଲେ, ଏ ସାହିତ୍ୟ ହାଟ ଚାଲିବ କେମିତି? ସବୁଦିନ ଶୁଣିବାକୁ ମିଳୁଛି, “ପାଠକ ନାହାନ୍ତି, ଲେଖକ ବହୁତ, ପାଠକ ଅଳପ। ଏକାଡେମୀ ପୁରସ୍କାର ଘୋଷଣା ହୋଇନି ନଅ ବର୍ଷ ହେଲା।” ତଥାପି କ’ଣ ହାଟ ବସୁନି? ଅଭୟ ଦାଶ ଆସିଲାବେଳେ ଭାବୁଥାଏ ଏ ପୁରସ୍କାରକୁ ଲଟକାଇ ରଖିବା ପଛରେ ବୋଧହୁଏ ଗୋଟାଏ ଅଭିପ୍ରାୟ କି ରାଜନୀତି ଅଛି। ଯାହାକୁ ଗୋଟେ ଦି’ଇଟା ପୁରସ୍କାର ମିଳିଯାଉଛି ସିଏ ଆଉ ଧରାଛୁଆଁ ଦେଉନି, ସଭା ମଞ୍ଚରେ ଆଗକୁ ନ ବସାଇଲେ ଦୂରେଇ କରି ଟାଇଟ୍ ହୋଇ ବସୁଛି, ସେଇଠୁ ଜାଣିବ ଏଇଟା ହେଲା ପୁରସ୍କାରର ପାର୍ଶ୍ୱ ପ୍ରଭାବ ବା ସାଇଡ୍ ଇଫେକ୍ଟ୍। ସେଥିପାଇଁ ଆମେ ଭାବୁ ଏ ପୁରସ୍କାର ଡେରିରେ ଦେଲେ ଲେଖକମାନେ ଖୁବ୍ ଲେଖିବେ! ଫଳରେ ଏକାବେଳେ ପୁଳାଏ ସାହିତ୍ୟ ବାହାରିବ, ପୁଳାଏ ସାହିତ୍ୟିକ ସୃଷ୍ଟିହେବେ। ଏହା ଆମର ନିଜ ମତ, କହନ୍ତି ଅଭୟ ଦାଶ। ଚାଲୁ କେତେଦିନ ଏମିତି ଚାଲୁଛି।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )