ମୁଁ ଗୋଟିଏ ସାକ୍ଷାତକାରରେ କହିଥିଲି, ଓଡ଼ିଆ ସାହିତ୍ୟର ସୁବର୍ଣ୍ଣ ଯୁଗ ବୋଧହୁଏ ଚାଲିଯାଇଛି।

ବରିଷ୍ଠ ସାହିତ୍ୟିକ କୃପାସାଗର ସାହୁ (ବୟସ: ୭୪ ବର୍ଷ) ଗଳ୍ପ, କବିତା, ଉପନ୍ୟାସ ଓ ଶିଶୁ ସାହିତ୍ୟ ଭଳି ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ୨୦୦୯ ମସିହାରେ ନିଜର ଉପନ୍ୟାସ ‘ଶେଷ ଶରତ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିବା ଏହି ପ୍ରତିଭାଧର ଏବେ ମଧ୍ୟ ଅନବରତ ଭାବରେ ରଚନାପ୍ରବଣ। ଚାକିରି ଜୀବନରେ ଭାରତୀୟ ରେଳବାଇର ବିଭିନ୍ନ ଉଚ୍ଚ ପଦରେ ସେବା ପ୍ରଦାନ କରିବା ଉପରାନ୍ତେ ସେ ୨୦୧୨ ମସିହାରେ ଅବସର ଗ୍ରହଣ କରିଥିଲେ। ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସହିତ ଆଳାପ କରିବାକୁ ବସିଲେ, ଆମ ମନକୁ ଆସନ୍ତି ସ୍ୱର୍ଗତ ସାତକଡ଼ି ହୋତା। କେଜାଣି କାହିଁକି, ତାଙ୍କର ସାରସ୍ୱତ ଜୀବନ ଓ ଆପଣଙ୍କ ଲେଖକୀୟ ଯାତ୍ରା ଭିତରେ ଗୋଟିଏ ସମାନ୍ତରାଳତା ଦିଶିଯାଏ; ଏମିତିରେ ତ ବୃତ୍ତିଗତ ଦୃଷ୍ଟିରୁ ଆପଣ ଦୁହେଁ ଗୋଟିଏ ପଥର ଯାତ୍ରୀ। ସେ ଆପଣଙ୍କୁ ଜଣେ ଲେଖକ ଭାବରେ ଉଦ୍ବୁଦ୍ଧ କରିଛନ୍ତି କି?
କୃପାସାଗର ସାହୁ: କରିଛନ୍ତି; କାହିଁକି ନା ମୁଁ ଯେତେବେଳେ ଚକ୍ରଧରପୁରରେ ସିନିଅର ଡିଭିଜନାଲ୍ କମର୍ସିଆଲ ମ୍ୟାନେଜର ଭାବରେ ଅବସ୍ଥାପିତ ଥିଲି, ସେ ଥିଲେ ଚିଫ୍ କମର୍ସିଆଲ ମ୍ୟାନେଜର। ସେତେବେଳେ ତାଙ୍କର ପତ୍ରିକା, ‘ଅମୃତାୟନ’ ଆରମ୍ଭ ହୋଇଯାଇଥାଏ।
ସାହିତ୍ୟ ଚର୍ଚ୍ଚା: ସେହି ପତ୍ରିକା ପାଇଁ ଆପଣ କ’ଣ ଲେଖୁଥିଲେ?
କୃପାସାଗର ସାହୁ: ହଁ, ସେ ଲେଖା ମାଗିକରି ନେଉଥିଲେ। ସେତେବେଳର ମୋର ଅଧିକାଂଶ ଲେଖା ତା’ଙ୍କ ପତ୍ରିକାରେ ପ୍ରକାଶ ପାଇଛି।
ସାହିତ୍ୟ ଚର୍ଚ୍ଚା: ସେ ଯେ ଆପଣଙ୍କୁ ଲେଖା ମାଗୁଥିଲେ, ଏହା ଆପଣଙ୍କୁ ଆଦ୍ୟ ସାହିତ୍ୟିକ ଜୀବନରେ ଅଧିକ ରଚନାପ୍ରବଣ ହେବାପାଇଁ ଉତ୍ସାହିତ କରିଥିଲା କି?
କୃପାସାଗର ସାହୁ: ଅବଶ୍ୟ; କିନ୍ତୁ ତାହା ପୂର୍ବରୁ ମଧ୍ୟ ମୁଁ ଲେଖୁଥିଲି। ରେଭେନ୍ସା କଲେଜରେ ପଢ଼ିବା ବେଳେ ଚାରିବର୍ଷ ଲଗାତାର ମୋ’ର ଗଳ୍ପ ପାଇଁ ପୁରସ୍କୃତ ହୋଇଥିଲି। ସେତେବେଳର ସୁପରିଚିତ ଇଂରାଜୀ ପତ୍ରିକା ‘ଇଲଷ୍ଟ୍ରେଟେଡ୍ ଉଇକଲି’ଠାରୁ ମଧ୍ୟ ପାଇଥିଲି ପୁରସ୍କାର। ତେଣୁ ଛାତ୍ର ଜୀବନରେ ମୋର ଲେଖାଲେଖି ବଢ଼ି ଚାଲିଥିଲା; କିନ୍ତୁ ତାହାପରେ ମଝିରେ ଏହା କିଛି ବର୍ଷ ପାଇଁ ବନ୍ଦ ହୋଇଯାଇଥିଲା। ସାତକଡ଼ି ସାର୍ ଲେଖା ମାଗିବା ପରେ ପୁଣି ତାହା ଚାଲୁ ହୋଇଗଲା।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ ଯେ ଅନ୍ୟ ଅନେକ ସାହିତ୍ୟିକଙ୍କ ଭଳି, ପିଲାଦିନେ କବିତା ଲେଖିବାରୁ ହିଁ ଆରମ୍ଭ ହୋଇଛି ଆପଣଙ୍କ ସାହିତ୍ୟ ରଚନାର ଧାରା। ପିଲାଦିନେ ଆପଣଙ୍କୁ ଏମିତି କବିତା କାହିଁକି ଘାରିଲା!
କୃପାସାଗର ସାହୁ: ଏଇଟା ସତ କଥା; ପ୍ରତ୍ୟେକ ଲେଖକ ଆରମ୍ଭ କରିଥା’ନ୍ତି କବିତାରୁ। ମୁଁ ଯେଉଁ ଗାଁ’ରେ ଜନ୍ମ ହୋଇଥିଲି, ତାହା ଏକ ବହୁତ ସୁନ୍ଦର ଗାଁ। ଏହା କବିତା ଲେଖିବାର ଏକ ପରିବେଶ ମୋ’ପାଇଁ ଆଣିଦେଇଥିଲା। ତା’ପରେ ମୋର ଜଣେ ଦାଦା ଥିଲେ; ସିଏ ଥିଲେ କବି। ତେଣୁ ତାଙ୍କଠାରୁ ପ୍ରେରଣା ମୁଁ ମୂଳରୁ ପାଇଛି। ତୃତୀୟ କି ଚତୁର୍ଥ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ କଲି।
ସାହିତ୍ୟ ଚର୍ଚ୍ଚା: ତା’ପରେ ବୋଧହୁଏ କ୍ରମାଗତ ଲେଖିଚାଲିଲେ କଲେଜଜୀବନ ପର୍ଯ୍ୟନ୍ତ।
କୃପାସାଗର ସାହୁ: ହଁ, ଲେଖିଚାଲିଲି। ମୋ’ର ଦୁଇଟି କବିତା ସଂକଳନ ପ୍ରକାଶ ପାଇଲା। ତା’ପରେ ସାଥୀମାନେ କହିଲେ, ‘ତୁମର ଗଳ୍ପଗୁଡ଼ିକ ଭଲ ହେଉଛି, କବିତା ଅପେକ୍ଷା।’ ତେଣୁ ମୁଁ ଗଳ୍ପରେ ଅଧିକ ମନୋନିବେଶ କଲି।
ସାହିତ୍ୟ ଚର୍ଚ୍ଚା: କବିତା, ଗଳ୍ପ, ଉପନ୍ୟାସ ଓ ଶିଶୁସାହିତ୍ୟ – ଆମ ସାହିତ୍ୟର ଏହି ଚାରିଗୋଟି ବିଭାଗରେ ତ ଆପଣ ସିଦ୍ଧହସ୍ତ। ତେବେ ଏହି ଚାରିଟିରୁ କେଉଁଥିରେ ଜଣେ ଲେଖକ ଭାବରେ ଆପଣ ନିଜକୁ ଅଧିକ ସହଜ ମନେକରିଛନ୍ତି?
କୃପାସାଗର ସାହୁ: ମୁଁ ନିଜକୁ ବେଶି ସ୍ୱଚ୍ଛନ୍ଦ ମନେକରେ ଗଳ୍ପରେ। ଏଣୁ ଦୁଇଶହରୁ ଅଧିକ ଗଳ୍ପ ଲେଖି ସାରିଲିଣି। ସେହି ଗଳ୍ପର ପୁଣି ଭେରାଇଟି ଅଛି। ପ୍ରଥମେ ତ ମୁଁ ରେଳବାଇର ବିଭିନ୍ନ ଘଟଣା ଉପରେ ଅନେକ ଗଳ୍ପ ଲେଖିଛି ଷାଠିଏ କି ସତୁରିଟା। ତା’ପରେ ଗାଁ’ଉପରେ। କେତେଜଣ ସମାଲୋଚକ ତ କହନ୍ତି ଯେ ଗାଁ ଉପରେ ଆଧାରିତ ମୋ’ର ଗଳ୍ପଗୁଡ଼ିକ ସେମାନଙ୍କୁ ସବୁଠାରୁ ବେଶି ଛୁଏଁ।

ସାହିତ୍ୟ ଚର୍ଚ୍ଚା: ଆପଣ ତ କହିଲେ, ରେଳବାଇ ଓ ଗାଁ’ର କଥା; ଆଉ ଗୋଟିଏ ବର୍ଗର ଗଳ୍ପ ମଧ୍ୟ ଅଛି ଆପଣଙ୍କର ଯାହା ପଶୁପକ୍ଷୀ ଓ ଜୀବଜନ୍ତୁଙ୍କ ଉପରେ ଆଧାରିତ। ଏଣୁ ଆପଣଙ୍କର ଗଳ୍ପଗୁଡ଼ିକୁ ବାଣ୍ଟି ଦେଲେ ତିନି ଭାଗ ହୋଇଯିବ।
କୃପାସାଗର ସାହୁ: (ହସି) ନା, ଚାରି ଭାଗ ହେବ।
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ ଭାଗ କ’ଣ?
କୃପାସାଗର ସାହୁ: ପୁରାକଳ୍ପ ବା ମିଥ୍ ଉପରେ ଆଧାରିତ ଗଳ୍ପ। ମୋ’ର ଗୋଟିଏ ଗଳ୍ପ ସଂକଳନ ବାହାରିଛି, ‘ଶ୍ରୀକୃଷ୍ଣ’; ଆଉ ଗୋଟିଏ ହେଲା ‘ଶ୍ରୀରାମ’; ତା’ପରେ ଏବେ ସଦ୍ୟ ଗୋଟିଏ ବାହାରିଛି ‘ଶ୍ରୀରାଧା’।
ସାହିତ୍ୟ ଚର୍ଚ୍ଚା: ଆପଣ ରେଳବାଇର ପରିବେଶ ଓ ଘଟଣାବଳୀକୁ ନେଇ ଅନେକ ଗଳ୍ପ ଲେଖିଛନ୍ତି। ଏହାର ଗୋଟିଏ ଉଦାହରଣ ହେଲା ଆପଣଙ୍କର ‘ରେଳ ଗଳ୍ପ’ ସଂକଳନ। ତେବେ ଆମର ଅନୁମାନ ଯେ ଯେହେତୁ ଆପଣ ରେଳବାଇ ଚାକିରିରେ ଥିଲେ, ତେଣୁ ଏଥିରେ ବାସ୍ତବ ଘଟଣାବଳୀର ମାତ୍ରା ଅଧିକ ଭାବରେ ଥିବ ଏବଂ କଳ୍ପନା କମ। ଏହା ଠିକ୍ କି?
କୃପାସାଗର ସାହୁ: ଏଇଟା ଠିକ୍ ଯେ ଏଥିରେ ବାସ୍ତବ ଘଟଣାର ମାତ୍ରା ବେଶି, କଳ୍ପନା କମ୍। କିନ୍ତୁ ଗଳ୍ପରେ କିଛି କଳ୍ପନାର ପୁଟ ନଥିଲେ ତାହା ସେତେ ରୋଚକ ହୋଇପାରିନଥାନ୍ତା।
ସାହିତ୍ୟ ଚର୍ଚ୍ଚା: ସେଥିମଧ୍ୟରେ ଗୋଟିଏ ଚର୍ଚ୍ଚିତ ଗଳ୍ପ ହେଲା, ରେଳ ଭିତରେ ଗୋଟିଏ ଶିଶୁ ଜନ୍ମ ହେବାର ବୃତ୍ତାନ୍ତ। ସେଇଟି ପଢ଼ିଲେ ମନେହୁଏ ଯେମିତି ଆପଣ ଗୋଟିଏ ବାସ୍ତବ ଘଟଣାକୁ ଅବିକଳ ଲେଖିପକାଇଛନ୍ତି। ଏଥିରେ କଳ୍ପନାର ପୁଟ ଦିଆଯାଇନାହିଁ ବୋଲି ଆମେ ଭାବୁ।
କୃପାସାଗର ସାହୁ: ନାଇଁ, ଏଥିରେ ବି କିଛି କଳ୍ପନା ଅଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଆଉ ଏକ ଲୋକପ୍ରିୟ ଗଳ୍ପ ହେଲା, ‘ଅରଣ୍ୟର ଅଜଗର।’ ଜୀବଜନ୍ତୁ ବା ମାନବେତର ଚରିତ୍ରକୁ ନେଇ ଲେଖାଯାଇଥିବା ଏହା ଏକ କ୍ଲାସିକ୍ ଗଳ୍ପ ବୋଲି ଆମର ମନେହୁଏ।
କୃପାସାଗର ସାହୁ: ଏହାର ନାୟକ ହେଉଛି ସାତକୋଶିଆର ଏକ ଅଜଗର ସାପ। ସେ ଦିନେ ଥିଲା ସାତକୋଶିଆର ରାଜା। କିନ୍ତୁ ନିୟତି ତା’ ପ୍ରତି ଦାଉ ସାଧିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସଦ୍ୟତମ ପ୍ରକାଶ ପାଇଥିବା ଉପନ୍ୟାସଟି କ’ଣ?
କୃପାସାଗର ସାହୁ: ସେଇଟି ଏବେ ବାହାରିଲା, ‘ଚମ୍ପାଫୁଲ’। ଏହା ଶିମିଳିପାଳର ପରିବେଶ ଉପରେ ଆଧାରିତ।
ସାହିତ୍ୟ ଚର୍ଚ୍ଚା: ଆମେ ତ ଭାବିକରି ଆସିଥିଲୁ ଯେ ଆପଣ ଗଳ୍ପ ଓ ଉପନ୍ୟାସ ଲେଖିବା କେବେଠାରୁ ବନ୍ଦ କଲେ, ସେ କଥା ପଚାରିବୁ। କିନ୍ତୁ ଏବେ ଜାଣୁଛୁ, ସେହି ପ୍ରଶ୍ନ ପଚାରିବାର କୌଣସି ଅବକାଶ ହିଁ ନାହିଁ।
କୃପାସାଗର ସାହୁ: ମୋ’ର ପରବର୍ତ୍ତୀ ଉପନ୍ୟାସର ନାଁ’ଟି ମଧ୍ୟ କହିଦିଏ। ସେଇଟି ହେଲା ‘ସାଧବ’। ମୁଁ ଏଥିପାଇଁ ଦକ୍ଷିଣ-ପୂର୍ବ ଏସିଆର କିଛି ଦେଶ ବୁଲି ତଥ୍ୟ ସଂଗ୍ରହ କରିଛି। ଉପନ୍ୟାସଟି ଉତ୍କଳର ନୌବାଣିଜ୍ୟ ଉପରେ ଆଧାରିତ ହେବ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଦୁଇଟି କବିତା ସଂକଳନର ନାମକରଣ ଦେଖିଲେ ଆମର ମନେହୁଏ ଯେ ଏଗୁଡ଼ିକ ହେଉଛି ପରସ୍ପରର ଆଣ୍ଟିଥେସିସ୍। ଗୋଟିଏ ହେଲା, ‘ଉପରେ ଫର୍ଚ୍ଚା ଆକାଶ’ ଓ ଅନ୍ୟଟି ‘ତଳେ ବସୁମାତା’। ତେବେ ପ୍ରକୃତରେ ଏଗୁଡ଼ିକର ଥିମ୍ରେ ମଧ୍ୟ ଅଛି କି ଆକାଶ ଓ ପାତାଳର ଫରକ?
କୃପାସାଗର ସାହୁ: ସେମିତି କିଛି ନୁହଁ। ମୁଁ ତ ଭାବୁଥିଲି ଏହି ଟ୍ରାୟୋଲୋଜିର ତୃତୀୟ କଡ଼ି ଭାବରେ ମୁଁ ଯେଉଁଟି ଲେଖିବି, ତାହାର ନାମ ହେବ ‘ନୀଳ ସର୍ଜନା’।
ସାହିତ୍ୟ ଚର୍ଚ୍ଚା: ଆପଣ ୨୦୦୯ ମସିହାରେ ନିଜର ସାହିତ୍ୟକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାରରେ ସମ୍ମାନିତ ହୋଇଥିଲେ।
କୃପାସାଗର ସାହୁ: ହଁ, ‘ଶେଷ ଶରତ’ ଉପନ୍ୟାସଟି ପାଇଁ।
ସାହିତ୍ୟ ଚର୍ଚ୍ଚା: ସେତେବେଳେ ତ ଓଡ଼ିଶାରେ ସାହିତ୍ୟ ଏକାଡେମୀର ପୁରସ୍କାରଟା ବଞ୍ଚିରହିଥିଲା; ତେଣୁ ଆପଣ ସେଥିରେ ସମ୍ମାନିତ ହେବାର ସୌଭାଗ୍ୟ ପାଇଲେ। ଏବେ ଓଡ଼ିଶାର ଲେଖକମାନଙ୍କ ପାଇଁ ସେହି ସୁଯୋଗଟିକକ ଆଉ ନାହିଁ। ଗତ ନଅ ବର୍ଷ ହେଲା ବନ୍ଦ ହୋଇପଡ଼ିଛି ଆମ ରାଜ୍ୟର ସାହିତ୍ୟ ଏକାଡେମୀ ପୁରସ୍କାର। ଫଳରେ ଗତ କେଇଟି ପିଢ଼ିର ସାହିତ୍ୟିକମାନେ ଏହି ପୁରସ୍କାରରୁ ଯେଉଁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ବିଷୟରେ କ’ଣ କହିବେ?
କୃପାସାଗର ସାହୁ: ସେମାନଙ୍କର ଉତ୍ସାହ ନିଶ୍ଚୟ ମରିଯିବ; ସେମାନେ ହତାଶ ହୋଇଯିବେ। ତା’ପରେ ଆମର ଏଠି ସାହିତ୍ୟ ପୁରସ୍କାର ନାମରେ ଯାହା ବା କିଛି ହେଉଛି, ସେସବୁ ତ ଫିକ୍ସିଂ ମାତ୍ର।
ସାହିତ୍ୟ ଚର୍ଚ୍ଚା: ତା’ହେଲେ ଆପଣଙ୍କ ବେଳେ କ’ଣ ଏହି ଫିକ୍ସିଂ ନ ଥିଲା?
କୃପାସାଗର ସାହୁ: ବିଲ୍କୁଲ୍ ନ ଥିଲା। ମୁଁ ତ ଜାଣି ବି ନଥିଲି ଯେ ମୋ’ ସମୟରେ କିଏ ସବୁ ଜୁରିରେ ଥିଲେ। ପୁରସ୍କାର ଘୋଷଣାର ପରଦିନ ଜଣେ ମୋତେ କହିଲେ, ‘ମୁଁ ତୁମ ଜୁରିରେ ଥିଲି।’
ସାହିତ୍ୟ ଚର୍ଚ୍ଚା: ତେବେ ସେତେବେଳ ତୁଳନାରେ ଓଡ଼ିଶା ସାହିତ୍ୟ ଏକାଡେମୀର ଅବସ୍ଥାରେ କ’ଣ ଏବେ ଅଧୋପତନ ହୋଇଛି?
କୃପାସାଗର ସାହୁ: ଧରନ୍ତୁ, ସେଇଆ ହୋଇଛି। ଗୋଟିଏ ସମୟ ପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଥିଲା। ତାହାପରେ ଅବସ୍ଥା ବିଗିଡ଼ିଗଲା।
ସାହିତ୍ୟ ଚର୍ଚ୍ଚା: ଆମେ ଗୋଟିଏ କଥା ଶୁଣିଛୁ ଯେ ଆପଣ ନିଜର ବ୍ୟକ୍ତିଗତ ଆୟରୁ କିଛି ଅଂଶ ଖର୍ଚ୍ଚକରି ପ୍ରତିବର୍ଷ ଜଣେ ଜଣେ ସାହିତ୍ୟିକଙ୍କୁ ପୁରସ୍କୃତ କରୁଛନ୍ତି। ଏହି ଭାବନା ଆପଣଙ୍କ ମନକୁ କେମିତି ଆସିଲା?
କୃପାସାଗର ସାହୁ: ମନକୁ ଆସିଲା, କାରଣ ଓଡ଼ିଶାରେ ଅନେକ ଲେଖକଙ୍କୁ ଅଣଦେଖା କରାଯାଇଛି। ଆମେ ଯେଉଁମାନଙ୍କୁ ଏହି ପୁରସ୍କାର ଦେଇଛୁ ସେମାନଙ୍କୁ ଅନ୍ୟ କୌଣସି ପୁରସ୍କାର ବା ସମ୍ମାନ କେବେ ମିଳିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ଏକଦା ‘କୁସୁମିତା’ ପତ୍ରିକାର ସମ୍ପାଦନା କରୁଥିଲେ। ଏହା ବହୁବର୍ଷ ଧରି ଚାଲିଥିଲା। ଏହାଛଡ଼ା ଆପଣ କଲିକତାରୁ ପ୍ରକାଶ ପାଉଥିବା ପ୍ରସିଦ୍ଧ ସାହିତ୍ୟ ପତ୍ରିକା ‘ପ୍ରତିବେଶୀ’ର ସମ୍ପାଦକ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
କୃପାସାଗର ସାହୁ: ‘କୁସୁମିତା’ ପୂର୍ବରୁ ‘ପ୍ରତିବେଶୀ’ର ସମ୍ପାଦନା କରୁଥିଲି; ପରବର୍ତ୍ତୀ ସମୟରେ ‘କୁସୁମିତା’ ପ୍ରକାଶିତ ହେଲା।
ସାହିତ୍ୟ ଚର୍ଚ୍ଚା: ପତ୍ରିକା ସମ୍ପାଦନା ମୋଟେ ସହଜସାଧ୍ୟ ନୁହେଁ। ତଥାପି ଆପଣ ‘କୁସୁମିତା’ ପତ୍ରିକାକୁ ୨୨ବର୍ଷ କାଳ ବଞ୍ଚାଇ ରଖିଥିଲେ। ନିଜର ଏହି ଅନୁଭୂତିକୁ ଦୃଷ୍ଟିରେ ରଖି ଆପଣ ଜଣେ ପତ୍ରିକା ସମ୍ପାଦକ ପାଇଁ ସବୁଠାରୁ କଠିନତମ ଚ୍ୟାଲେଞ୍ଜ କ’ଣ ବୋଲି ଭାବନ୍ତି?
କୃପାସାଗର ସାହୁ: ମୁଁ ତ ଭାବେ ଯେ ଜଣେ ପତ୍ରିକା ସମ୍ପାଦକର ସବୁତକ କାର୍ଯ୍ୟ କଷ୍ଟକର। ଏକରେ, ଲେଖା ସଂଗ୍ରହ। ଯେହେତୁ ମୁଁ କଲିକତାରେ ଥିଲି, ଓଡ଼ିଆ ଲେଖା ପାଇବା ମୋ’ ପାଇଁ ଏକ କାଠିକର ସମସ୍ୟା ଥିଲା। ଆଜେବାଜେ ଲେଖାସବୁ ଆସୁଥାଏ। ତେଣୁ ମୁଁ ନିଜେ ଓଡ଼ିଶା ସାରା ବୁଲି ବୁଲି ଲେଖକମାନଙ୍କଠାରୁ ଲେଖା ସଂଗ୍ରହ କରୁଥିଲି। ଦୁଇରେ, ଡି.ଟି.ପି। ସେତେବେଳେ କଲିକତାରେ ଓଡ଼ିଆ ଭାଷାରେ ଡି.ଟି.ପି କରିପାରୁଥିବା ଜଣେ ମାତ୍ର ଥିଲେ। ତା’ଙ୍କୁ ଠିକ୍ ସମୟରେ ପାଇବା ମୁସ୍କିଲ୍ ଥିଲା। ତା’ଙ୍କ ସହିତ ବସି ପ୍ରୁଫ୍ ସଂଶୋଧନ କରିବା ଥିଲା ଏକ ସମସ୍ୟା। ତୃତୀୟରେ, ବିଜ୍ଞାପନ। ପତ୍ରିକା ପାଇଁ ବିଜ୍ଞାପନ ପାଇବାଟା ଅତି କଷ୍ଟକର ଥିଲା। ଓଡ଼ିଶାର ବିଭିନ୍ନ କମ୍ପାନୀମାନଙ୍କ ପାଖକୁ ଦଉଡ଼ି ଦଉଡ଼ି ମୋ’ର ଜୋତା ଛିଣ୍ଡିଯାଇଛି।
ସାହିତ୍ୟ ଚର୍ଚ୍ଚା: ଏହା ସମ୍ପାଦକମାନଙ୍କ ପାଇଁ ଏକ ଅପମାନଜନକ ସ୍ଥିତି ନିଶ୍ଚୟ, ବିଶେଷତଃ ଯେତେବେଳେ ଅନେକ ବିଜ୍ଞାପନଦାତା ସାହିତ୍ୟର ମୂଲ୍ୟ ବୁଝନ୍ତି ନାହିଁ।
କୃପାସାଗର ସାହୁ: ମୁଁ ପୂରା ଏକମତ। ଓଡ଼ିଶାର କିଛି ବଡ଼ ବଡ଼ ସଂସ୍ଥା ଆମକୁ ବିଜ୍ଞାପନ ଦେଇଛନ୍ତି, କିନ୍ତୁ ତାହାର ପ୍ରାପ୍ୟ ଆମକୁ ଦେଇନାହାନ୍ତି। ମୁଁ ତ ସେମାନଙ୍କ ନାମ ମଧ୍ୟ କହିବାକୁ ପ୍ରସ୍ତୁତ; ଆପଣ ଲେଖିପାରନ୍ତି, ‘ଓଡ଼ିଶା ଟୁରିଜମ୍ ଡେଭେଲପ୍ମେଣ୍ଟ କର୍ପୋରେସନ’ ୨୦ ହଜାର ଟଙ୍କାର ବିଜ୍ଞାପନ ଆମକୁ ଦେଇଥିଲେ, କିନ୍ତୁ ପ୍ରାପ୍ୟ ଦେଇନାହାନ୍ତି।
ସାହିତ୍ୟ ଚର୍ଚ୍ଚା: ଏହା କେଉଁ ସମୟର କଥା?
କୃପାସାଗର ସାହୁ: ପ୍ରାୟ ୧୫ ବର୍ଷ ତଳର। ଆମକୁ କହିଲେ, ସାତଟି କପି ଦିଅ; ସେହି ଅନୁସାରେ ଆମେ ସାତଟି କପି ନେଇ ହାଜର କଲୁ। ତଥାପି ଦେଲେନାହିଁ। ମୁଁ ତ କଲିକତାରେ ରହୁଥିଲି; କେତେ ବା ଦଉଡ଼ିଥାଆନ୍ତି!
ସାହିତ୍ୟ ଚର୍ଚ୍ଚା: ସେମିତି ଅନୁଭୂତି ତ ସମସ୍ତ ପତ୍ରିକାଙ୍କର ଅଳ୍ପ ବହୁତେ ଅଛି। ବର୍ଷ ବର୍ଷ ବିତିଗଲେ ମଧ୍ୟ କେତେକ ସଂସ୍ଥାରୁ ବିଜ୍ଞାପନ ବାବଦ ପ୍ରାପ୍ୟ ମିଳେନାହିଁ।
କୃପାସାଗର ସାହୁ: ଆଉ ଚତୁର୍ଥ ସମସ୍ୟାଟିର କଥା କହୁଛି; ତା’ହେଲା ପତ୍ରିକାର ଡିଷ୍ଟ୍ରିବ୍ୟୁସନ୍। ‘ପ୍ରତିବେଶୀ’ର ସେତେବେଳେ ଯେତିକି କପି ଛପା ଯାଉଥିଲା ତାହା ବିକ୍ରି ହୋଇପାରୁନଥିଲା। ୩୦୦ରୁ ୪୦୦ ଜଣ ମେମ୍ବର ତ ପତ୍ରିକା ନେଇଯାଉଥିଲେ। ବାକି ବାହାରକୁ ମଧ୍ୟ ଆମେ ବହୁତ ସଂଖ୍ୟକ କପି ପଠାଉଥିଲୁ। କିନ୍ତୁ ବହୁତ ପଇସା ବାକି ରଖିଦେଲେ ଏଜେଣ୍ଟମାନେ। ମୋଟେ ଦେଲେ ନାହିଁ; ଆମର ସବୁ ପଇସା ବୁଡ଼ିଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ ତ ସେତେବେଳର କଥା କହୁଛନ୍ତି। ଏବେ ତ ପରିସ୍ଥିତିରେ ଆହୁରି ଅବନତି ହୋଇଛି।
କୃପାସାଗର ସାହୁ: ସେତେବେଳେ କେବଳ ଗୋଟିଏ ଭଲ ସଂସ୍ଥା ଥିଲା ଭୁବନେଶ୍ୱର ବସଷ୍ଟାଣ୍ଡରେ ଥିବା ‘ଏ.କେ.ନାୟକ’। ସେହି ଭଦ୍ରଲୋକ ଜଣକ ନିୟମିତ ଭାବରେ ଆମକୁ ବିକ୍ରି ହୋଇଥିବା ପତ୍ରିକାର ପ୍ରାପ୍ୟ ଦେଇଦିଅନ୍ତି। ସେ ଗତ କୋଭିଡ୍ ସମୟରେ ଚାଲିଗଲେ। ତା’ଙ୍କ ଭଳି ଆଉ କାହାରିକୁ ପାଇନାହୁଁ।
ସାହିତ୍ୟ ଚର୍ଚ୍ଚା: ଶେଷକୁ ଆମେ ଆପଣଙ୍କୁ ପଚାରିବୁ ଯେ ଓଡ଼ିଆ ବହିର ପାଠକୀୟତା ଏବେ କମିଯାଉଛି; ଏଥିସହିତ ଆପଣ ଏକମତ କି?
କୃପାସାଗର ସାହୁ: ପୂରା ଏକମତ। ମୁଁ ତ ଏବେ କିଛିଦିନ ତଳେ ଗୋଟିଏ ସାକ୍ଷାତକାରରେ କହିଥିଲି, ଓଡ଼ିଆ ସାହିତ୍ୟର ସୁବର୍ଣ୍ଣ ଯୁଗ ବୋଧହୁଏ ଚାଲିଯାଇଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଆଲୋଚନାଟି ପାଇଁ ସମୟ ଦେଇଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )