
ନାରୀ କଥାକାର ବନାମ ପୁରୁଷ କଥାକାର – ଏହା ଥିଲା ଭୁବନେଶ୍ୱରରେ ‘ସମ୍ବାଦ’ ପରିବାର ପକ୍ଷରୁ କିଛି ଦିନ ତଳେ ଆୟୋଜିତ ହୋଇଥିବା ‘ସାହିତ୍ୟ ପକ୍ଷ’ କାର୍ଯ୍ୟକ୍ରମରେ ଆଲୋଚନାର ଏକ ବିଷୟ। ମଞ୍ଚ ଉପରେ ଚାଲିଥିବା ଏହି ବିତର୍କରେ ସେଦିନ ଭାଗ ନେଇଥିଲେ ଦୁଇଜଣ ପ୍ରବୀଣ କଥାକାର, ସରୋଜିନୀ ସାହୁ ଓ ଗୋଲାପ ମଞ୍ଜରୀ କର। ଆଲୋଚନାଟି କେନ୍ଦ୍ରୀଭୂତ ହୋଇଥିଲା ଗୋଟିଏ ମୂଳ ପ୍ରଶ୍ନ ଉପରେ, ନାରୀର ମନସ୍ତତ୍ତ୍ୱକୁ ନିଜର ଗଳ୍ପରେ ଯଥାର୍ଥ ଭାବରେ ଚିତ୍ରଣ କରିବା ପାଇଁ ସ୍ରଷ୍ଟା ଜଣକ ନିଜେ ଜଣେ ନାରୀ ହୋଇଥିବା ଜରୁରି କି?
କୌତୁହଳଜନକ ଭାବରେ ସରୋଜିନୀ ସାହୁ ଏହି ପ୍ରଶ୍ନର ଏକ ଆସ୍ତିବାଚକ ଉତ୍ତର ଦେଇଥିଲେ; ଅର୍ଥାତ୍ ତାଙ୍କ ମତରେ କଥାକାର ସ୍ୱୟଂ ନାରୀଟିଏ ନ ହୋଇଥିଲେ ଅନ୍ୟ ଜଣେ ନାରୀର ହର୍ଷ-ଉଲ୍ଲାସ, ବେଦନା ଅବା ସମ୍ବେଦନାକୁ ନିଜର ଗଳ୍ପରେ ସାର୍ଥକ ଭାବରେ ଫୁଟାଇପାରିବ ନାହିଁ।
ଏହି ପ୍ରସଙ୍ଗରେ ଆମେ ସରୋଜିନୀଙ୍କର ଗୋଟିଏ ଗଳ୍ପ ‘ଅମୃତ ପ୍ରତୀକ୍ଷା’କୁ ଉଦାହରଣ ଭାବରେ ନେଇପାରୁ। ଏଥିରେ ଜଣେ ଗର୍ଭବତୀ ନାରୀର ଗର୍ଭସ୍ଥ ଶିଶୁ ନିଜ ମାଆର ପେଟକୁ ଲାତ ମାରୁଥିବାର ଅନୁଭବକୁ ମର୍ମସ୍ପର୍ଶୀ ଭାବରେ ବର୍ଣ୍ଣନା କରାଯାଇଛି। କଥା ହେଲା, ଏଭଳି ଏକ ନାରୀସୁଲଭ ଅନୁଭୂତିକୁ ରୂପ ଦେବା କ’ଣ କେବଳ ଜଣେ ନାରୀ କଥାକାରର ଏକାଧିକାର? ଜଣେ ପୁରୁଷ କଥାକାର କ’ଣ ସେହି ଅନୁଭୂତିକୁ ନିଜ ରଚନାରେ ସମାନ ଭାବରେ ରୂପାୟନ କରିବାପାଇଁ ଅକ୍ଷମ?
ଯଦି ଆମେ ଲେଖିକାଙ୍କର ଉପରୋକ୍ତ ଯୁକ୍ତିକୁ ଗ୍ରହଣ କରିନେଉ, ତେବେ ତ ଦଳିତ ବର୍ଗର ଗୋଟିଏ ଚରିତ୍ରର କଷଣ କେବଳ ଦଳିତ କଥାକାରଟିଏ, କିମ୍ବା ଜଣେ ମଦ୍ୟପ ବ୍ୟକ୍ତିର ମନୋଦଶା ଜଣେ ମଦ୍ୟପ ପ୍ରବୃତ୍ତିର ଲେଖକ ହିଁ ଲେଖିପାରିବ, ଆଉ କେହି ନୁହଁ। ଏହି ସନ୍ଦର୍ଭ ଆମକୁ ଏକ ବୃହତ୍ତର ପ୍ରଶ୍ନକୁ ମଧ୍ୟ ଘେନିଯାଏ; ଲେଖକ ବା ଲେଖିକାମାନେ ନିଜର ରଚନାରେ କ’ଣ ସତରେ ନିଜର ସୀମିତ ପରିଧି ଭିତରେ ସର୍ବଦା ବନ୍ଦିହୋଇ ରହିଥାଆନ୍ତି?
ସାହିତ୍ୟ ସର୍ଜନାର ପ୍ରକ୍ରିୟାରେ ଲେଖକମାନେ ବିବିଧ ଭୂମିକା ନିର୍ବାହ କରିବା ବା ସେମାନଙ୍କର ‘ରୋଲ୍-ପ୍ଲେ’ ହେଉଛି ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟ ତ କଳ୍ପନାର କ୍ରୀଡ଼ାଭୂମି। ଏହି କଳ୍ପନାର କଳାରେ ନିପୁଣ ନ ହେଲେ ଜଣେ ସାର୍ଥକ ଲେଖକଟିଏ ହୋଇପାରେ ନାହିଁ। ଗଳ୍ପଟିଏ ଲେଖିବା ବେଳେ ‘ପରସନ୍’ (ବ୍ୟକ୍ତି)ରୁ ‘ପରସୋନା’ (ଅଭିନୀତ ବ୍ୟକ୍ତିତ୍ୱ)କୁ ଉତ୍ତରଣ ଘଟିଥାଏ ଲେଖକର। ସେହି ଅଭିନୟ କାଳରେ ଲେଖକ ପୁରୁଷଟିଏ ହୋଇଥିଲେ ମଧ୍ୟ, ଗଳ୍ପର ଆବଶ୍ୟକତାକୁ ଦେଖି ଜଣେ ନାରୀର ଭୂମିକା ନିର୍ବାହ କରୁଥାଏ ମନେ ମନେ। ଏହାକୁ ଇଂରାଜୀ ସମାଲୋଚନା ସାହିତ୍ୟରେ ‘କ୍ରସିଙ୍ଗ୍ ଦି ଜେଣ୍ଡର୍ ଲାଇନ୍’ (ଲିଙ୍ଗଗତ ସୀମାରେଖାକୁ ଅତିକ୍ରମ କରିବା) ବୋଲି ମଧ୍ୟ କୁହାଯାଏ। ଏହି ସୀମାରେଖାକୁ ଡେଇଁବା ଲେଖକ ବା ଲେଖିକାମାନଙ୍କ ପକ୍ଷରେ ଏକ ଅତି କଷ୍ଟକର କାର୍ଯ୍ୟ ବୋଲି କହନ୍ତି ସାହିତ୍ୟ ସମାଲୋଚକ ଆଲାନ୍ ଉଇଲିଆମ୍ସନ୍। କିନ୍ତୁ ଏହି ଆୟାସସାଧ୍ୟ କାର୍ଯ୍ୟଟି କରିବାପାଇଁ ଟିକିଏ କଷ୍ଟ ସ୍ୱୀକାର କରିବାକୁ ପଛଘୁଞ୍ଚା ଦେବା ଉଚିତ ନୁହେଁ ଜଣେ ବାସ୍ତବ ସ୍ରଷ୍ଟା।
ସେଥିପାଇଁ ବୋଧହୁଏ ସେଦିନର ବିତର୍କରେ ଏକ ପ୍ରଣିଧାନଯୋଗ୍ୟ ମନ୍ତବ୍ୟ ଦେଇଥିଲେ ଗାଳ୍ପିକା ଗୋଲାପ ମଞ୍ଜରୀ କର, “କଥାକାରମାନେ ଗଳ୍ପ ଲେଖିବା ବେଳେ ନିଜକୁ ନର ବା ନାରୀ ବୋଲି ନ ଭାବି, ବରଂ ହୁଅନ୍ତୁ ଜଣେ ଜଣେ ଅର୍ଦ୍ଧନାରୀଶ୍ୱର।’ ତେବେ ଆମର କଥାସାଧକମାନେ ଏହି ଆୟାସସାଧ୍ୟ ଭୂମିକା ନିର୍ବାହ କରିବା ପାଇଁ କେତେଦୂର ସମର୍ଥ, ତାହା ଆମେ ବିଚାର କରିବାର କଥା।
ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ଜାନୁଆରୀ,୨୦୨୬ ସଂଖ୍ୟାରେ ପ୍ରକାଶିତ।)