ପାଠକର କବି

କବିଟିଏ କବିତାର ଜନ୍ମଦାତା ସତ, କିନ୍ତୁ କବିତାଟିଏ ଜନ୍ମ ନେଲାପରେ ସେ ଆଉ କବିର ହୋଇ ରହେନି।

ସେନାପତି ପ୍ରଦ୍ୟୁମ୍ନ କେଶରୀ

“କବିତା କାହାର ? କବିର ନା ପାଠକର?” ଏଭଳି ଏକ ପ୍ରଶ୍ନ ଆଜି କାହିଁକି ମନକୁ ଆନ୍ଦୋଳିତ କରେ ? କବି କ’ଣ ସତରେ ତା’ର ବେଦନା ବା ଆନନ୍ଦ ଭିତରୁ ଭୂମିଷ୍ଠ ଆତ୍ମଜକୁ ଆଉ କାହାପାଇଁ ଜନ୍ମ ଦିଏ ? ଯଦି ଏ କଥା ସତ, ତେବେ କେତେକ ବରିଷ୍ଠ କବି ଏପରି କାହିଁକି କହନ୍ତି ଯେ, “ମୋ’ କବିତା କେହି ପଢ଼ୁ କି ନ ପଢ଼ୁ; ମୁଁ ନିଜ ପାଇଁ କବିତା ଲେଖେ।” ଆପଣା ଅନ୍ତର ଭିତରର ଅନନ୍ତ ପୀଡ଼ାରୁ ସାମୟିକ ମୁକ୍ତି ପାଇବାଲାଗି ସେମାନେ କବିତାକୁ ଜନ୍ମ ଦେଇଥା’ନ୍ତି ବୋଲି ଯେଉଁ ସଫେଇ ଦିଅନ୍ତି ତା’ର ସତ୍ୟତା ପରୀକ୍ଷା ସାପେକ୍ଷ। ଏଇଠି ପ୍ରଶ୍ନ ଉଠେ, କୌଣସି କବିତା ପାଠକ ବିନା କ’ଣ ବଞ୍ଚି ରହିପାରେ ? କବିଟିଏ କବିତାର ଜନ୍ମଦାତା ସତ, କିନ୍ତୁ କବିତାଟିଏ ଜନ୍ମ ନେଲାପରେ ସେ ଆଉ କବିର ହୋଇ ରହେନି; ସେ ଏକ ବୃହତ୍ତର ଆତ୍ମିକ ଗୋଷ୍ଠୀର ସମ୍ପତ୍ତି ପାଲଟିଯାଏ। କବିତା ତ ସେଇ ‘ଆର ଜଣକ’ ପାଇଁ ଲେଖାଯାଏ, ଯିଏ କବିର ପ୍ରଶ୍ନାକୁଳ ମନ, ଅପାରଗତା-ଅବବୋଧର ଅସହନୀୟ ଦୁଃଖ ଓ କବିତାର ଅନ୍ତିମ ଶବ୍ଦାୟନର ଅସୀମ ଆନନ୍ଦକୁ ବୁଝେ, ଆପଣାର କରିନିଏ।” ସେଇ ‘ଆର ଜଣକ’କୁ ଶାସ୍ତ୍ରରେ ‘ସମଧର୍ମା’ ବୋଲି କୁହାଯାଇଛି। ରସଗ୍ରାହୀ, ବିଦଗ୍‌ଧ ପାଠକ ସମ୍ପର୍କରେ କୁହାଯାଇଛି-
“ବିବେକୀ ଗ୍ରାହକ କୋଟି କବି ଆୟୁ ଘେନି
ବଞ୍ଚିଥିଲେ କବି କବିତ୍ୱ କି ହେବ ମ୍ଲାନି ହେ।”
(ବିଦଗ୍‌ଧ ଚିନ୍ତାମଣି, ଅଭିମନ୍ୟୁ ସାମନ୍ତସିଂହାର)
ମଣିଷ ଜୀବନ ପାଇଁ କବିତା କେତେ ଉପଯୋଗୀ, ଏହା କୌଣସି କାଳରେ ବି ଏକ ତର୍କ ସମ୍ମତ ବିଷୟ ନଥିଲା। କାରଣ କବିତାକୁ କୌଣସି ନିତିଦିନିଆ ବସ୍ତୁ, କୌଣସି ପ୍ରାପ୍ତି କିମ୍ବା ପ୍ରବୃତ୍ତି ସହ ତୁଳନା କରାଯାଇନପାରେ।
କବିତା କ୍ଷୁଧାର୍ତ୍ତର ଜଠରାଗ୍ନିକୁ ନିର୍ବାପିତ କରିନପାରେ, ଆହତର ଶିରାପ୍ରଶିରାରୁ ଯନ୍ତ୍ରଣା ଉପଶମ କରିନପାରେ, ସୁନାମି, ଭୂକମ୍ପ, ଦୁର୍ଘଟଣା, ମହାବାତ୍ୟାର କରାଳ ବିଭୀଷିକାକୁ ପ୍ରଶମିତ କରିବାର ସାମର୍ଥ୍ୟ କବିତାର ନଥାଇପାରେ – ତେବେ ଏକଥା ସତ ଯେ କବିତାରେ ଏକ ଚନ୍ଦନ-ଶୀତଳ ସମଦୁଃଖୀପଣ ଭରପୂର ହୋଇ ରହିଥାଏ, ଯାହା ପାଠକର କ୍ଲାନ୍ତି, ଅବସାଦକୁ ଭୁଲାଇଦିଏ। ହୃଦୟରେ ଏକ ଅଲଗାପ୍ରକାର ପ୍ରଶାନ୍ତି ସର୍ଜନା କରେ।
ଏହି ପ୍ରସଙ୍ଗରେ ଗୋଟିଏ ବୌଦ୍ଧଗଳ୍ପ ମନେପଡ଼ୁଛି-ବୋଧିସତ୍ତ୍ୱଙ୍କର ନିର୍ବାଣ ଲଭିବାର ସମୟ ଆଗତ ହେଉଥାଏ; ତା’ପରେ ମୋକ୍ଷ। ଆଉ ଥରକୁଥର ଜନ୍ମ ନେବାର ନାହିଁ କି ଦୁଃଖଯନ୍ତ୍ରଣାପୂର୍ଣ୍ଣ ଜୀବନର ଯାବତୀୟ ଦହଗଞ୍ଜ ଭୋଗିବାର ଆଶଙ୍କା ନାହିଁ।
ଦିନେ ପ୍ରାତଃକାଳରେ କାହାର ବିକଳ କ୍ରନ୍ଦନ ଧ୍ୱନି ବୋଧିସତ୍ତ୍ୱଙ୍କର ଶ୍ରୁତିଗୋଚର ହେଲା। ସେହି କ୍ରନ୍ଦନର ପ୍ରଭାବ ଏତେ କରୁଣ ଥିଲା ଯେ, ବୋଧିସତ୍ତ୍ୱ ଥୟ ଧରି ଧ୍ୟାନରେ ବସି ପାରିଲେ ନାହିଁ। ଆଖି ଖୋଲି ଦେଖିଲେ ପାହାଡ଼, ପର୍ବତ, ବୃକ୍ଷଲତା, ନଦୀ, ନାଳ, ସମୁଦ୍ର ଏବଂ ସୃଷ୍ଟିର ସମସ୍ତ ପ୍ରାଣୀ ଏକତ୍ର କ୍ରନ୍ଦନରତ। ସେମାନଙ୍କର ଏହି ହୃଦୟ ବିଦାରକ କ୍ରନ୍ଦନର କାରଣ ସମ୍ପର୍କରେ ବୋଧିସତ୍ତ୍ୱ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତେ ସେମାନେ କହିଲେ- “ଆପଣ ମୂର୍ତ୍ତିମନ୍ତ କରୁଣାର ଅବତାର। ଆପଣ ଥିଲେ ବୋଲି ଆମେ ଏ ସଂସାରର ଯାବତୀୟ ପରିସ୍ଥିତିକୁ ସହିଯାଉଥିଲୁ। ନିର୍ବାଣ ପ୍ରାପ୍ତିପରେ ଆପଣ ତ ଏ ସଂସାର ତ୍ୟାଗ କରିବେ; ଆଉ କଦାପି ଫେରିବେ ନାହିଁ। ତା’ପରେ ଆମେ କାହାଠାରୁ କରୁଣା, ସମଦୁଃଖୀଭାବ ଟିକିଏ ପାଇବୁ ?”
ସଂସାରର ପ୍ରାଣୀମାନଙ୍କର ଏଭଳି ଆକୁଳ ପ୍ରାର୍ଥନା ଶୁଣି ବୋଧିସତ୍ତ୍ୱଙ୍କର ହୃଦୟ କରୁଣାରେ ବିଗଳିତ ହେଲା। ତା’ପରେ ସେ ତାଙ୍କର ସେଇ କଠୋର ନିଷ୍ପତ୍ତି ନେଇଥିଲେ ଯେ ସଂସାରର ସମସ୍ତଙ୍କ ସାଥିରେ ସେ ରହିବେ। ତେଣୁ ସେ ‘ମୋକ୍ଷ’ ବା ‘ନିର୍ବାଣ’କୁ ପ୍ରତ୍ୟାଖ୍ୟାନ କଲେ।
ବୋଧିସତ୍ତ୍ୱଙ୍କ କବିତ୍ୱ
କବି ମାତ୍ରେ ଇ ବୋଧିସତ୍ତ୍ୱ- ସେ କଥା ମୁଁ ଆଦୌ କହୁନାହିଁ। କିନ୍ତୁ ଏକଥା ଅସତ୍ୟ ହୋଇନପାରେ ଯେ ବୋଧିସତ୍ତ୍ୱ ନିଃସନ୍ଦେହରେ ଜଣେ କବିଥିଲେ। ସେଇ ଦୁର୍ଲଭ କରୁଣା, ସେଇ ସ୍ୱସ୍ତିଦାୟୀ ସମଦୁଃଖୀପଣଟି ହିଁ କବିତା-ଯାହା ଅଗଣିତ ପାଠକମାନଙ୍କ ପାଇଁ କବିର ଅନ୍ତର ଭିତରେ ଶ୍ରାବଣର ନଦୀଧାର ପରି ଉତ୍‌କୂଳିତ ହେଉଥାଏ; ଯହିଁରେ କବିର ନୁହେଁ ସାରା ସୃଷ୍ଟିର ସବୁ ପ୍ରାଣୀଙ୍କର ଅଧିକାର ଥାଏ। ମଣିଷ ଜାତିର ଯାବତୀୟ ଦୁଃଖ ସମାହିତ ହେବାର ଏକ କଲ୍ୟାଣକର ଶକ୍ତି ଏଇ କବିତା ଭିତରେ କୋଉଠି ନା’କୋଉଠି ଛପି ରହିଥାଏ। କବିତା ଆଉ କିଛି କରୁ କି ନକରୁ ଏହା ମଣିଷ ଭିତରେ ତଥାପି ଅନୁଦ୍‌ଘାଟିତ ତା’ର ଅକଳନ୍ତି ଆତ୍ମପ୍ରତ୍ୟୟକୁ ଉଦ୍‌ଘାଟିତ କରି ସକଳ ପାର୍ଥିବ ପ୍ରତିକୂଳତାର ମୁକାବିଲା ପାଇଁ ସାମର୍ଥ୍ୟ ଯୋଗାଏ।
କବିତାଟିଏ କଲମ କାଳିକୁ ଆସିବା ଆଗରୁ ଏହା କବିର ଶ୍ୱାସପ୍ରଶ୍ୱାସ ଓ ଛାତିର ସ୍ପନ୍ଦନରେ ତିଆରି ହୁଏ। ମାତ୍ର ଲେଖା ସରିବା ପରେ କବିତା କବିଠାରୁ ମୁକ୍ତ ହୋଇ ସମୟର ଅନନ୍ତ ଯାତ୍ରାରେ ନିଜକୁ ମିଶାଇଦିଏ। ତାହା ଯେତିକି ଯେତିକି ପାଠକର ରସଚେତନାରେ ଭେଦିବାରେ ଲାଗିଥାଏ, କବିର କୃତିତ୍ୱ ସେତିକି ସେତିକି ଲୁପ୍ତ ହେଉଥାଏ। ପାଠକ ସେଠି ନିଜର ବ୍ୟକ୍ତିଗତ ଦୁଃଖ, ଯନ୍ତ୍ରଣା, ଆନନ୍ଦ, ବିସ୍ମୟ ଇତ୍ୟାଦି ଅବିକଳ ଅନୁଭୂତିକୁ ଆବିଷ୍କାର କରେ; ଯେମିତି ସେ କେଉଁ କବିର ହାତଲେଖା କବିତା ନୁହେଁ, ତା’ନିଜ ହାତରେ ଲେଖା, ନିଜର ଅଙ୍ଗେନିଭା। କବିତାର ଶବ୍ଦ ଭିତରେ ସେଇ ସାର୍ବଜନୀନ ପ୍ରଭାବ ଲୁକ୍‌କାୟିତ ହୋଇ ରହିଥାଏ। ସେଇଥିପାଇଁ ଶବ୍ଦକୁ ‘ବ୍ରହ୍ମ’ ବୋଲି କୁହାଯାଇଛି। ଶବ୍ଦ ଶାଶ୍ୱତ, ସନାତନ, ଅକ୍ଷୟ, ଅମର। କବି ସୀତାକାନ୍ତ ମହାପାତ୍ର ତାଙ୍କର ‘ନୀରବତା ଓ କବି’ ପ୍ରବନ୍ଧରେ କହନ୍ତି- “ଶବ୍ଦଟିଏ ଗଢ଼ା ହେବ/ ଏଇଥିପାଇଁ ଆକାଶ ହଜାରେ ରଙ୍ଗ ବଦଳାଏ/ପବନ କେତେ ବାଗରେ ଗୀତ ଗାଏ/ ସମୁଦ୍ର କାନ୍ଦେ, ହସେ, ଘୁଂଗା ବାଲିରେ ପିଟିହୁଏ/ ସର୍ବଂସହା ବସୁନ୍ଧରା ଚାତକ ପରି ଚାହିଁରହେ/ ଶବ୍ଦଟିଏ ଗଢ଼ା ହେବ/ ଏଇଥିପାଇଁ ଶହେ ଜନ୍ମ, ଶହେ ମୃତ୍ୟୁ ଲୋଡ଼ା ହୁଏ।”


ଶବ୍ଦ ହିଁ ଶକ୍ତି
ଶବ୍ଦ ହିଁ କବିତାର ପ୍ରାଣଶକ୍ତି। ଶବ୍ଦର କୁଶଳୀ ପ୍ରୟୋଗ କବିତାକୁ କାଳାତିକ୍ରମଣର ଶକ୍ତି ଦିଏ। ଅନନ୍ୟ ଦୀପ୍ତି ଦିଏ। ଭାବଭୂମିକୁ ଉଜ୍ଜ୍ୱଳତାରେ ଭରିଦିଏ। ମାତ୍ର ଅଣକୁଶଳୀ କଞ୍ଚା ଶବ୍ଦର ପ୍ରୟୋଗ କବିତାକୁ ସମ୍ପୂର୍ଣ୍ଣରୂପେ ନଷ୍ଟ କରିଦିଏ, ଯେଉଁଥିପାଇଁ ସଚ୍ଚି ରାଉତରାୟ ଏକଦା କହିଲେ- “ଅଚଞ୍ଛା ଶବ୍ଦ ପ୍ରୟୋଗ ଦେଖିଲେ, ମୁଁ ଓଡ଼ିଆରେ ଜଣେ ଆଧୁନିକ କବି ବୋଲି ଲଜ୍ଜାବୋଧ କରେ।” ‘ଶବ୍ଦର ଯାଚ୍ଛାତା’ ପ୍ରୟୋଗ କବିତାର ସବୁଠୁ ବଡ଼ ବିଡ଼ମ୍ବନା।
କବିତା ଲେଖିବା ଓ କବିତାରେ ବଞ୍ଚିବା ଏକା କଥା ନୁହେଁ। ନିଜକୁ ଗୋଟାପଣେ ଦେଇଦେବା ଓ ଆର ଜଣକର ହୋଇଯିବା-ୟା’କୁ ଇ କହନ୍ତି ସହିତତା, ଯାହାକି ବିଶୁଦ୍ଧ ଆତ୍ମୀୟତା ଏବଂ ଅନ୍ୟ ଭାଷାରେ କହିଲେ ତାହା ହିଁ କବିତା। ଯେଉଁ କବିମାନେ କେବଳ କବିତା ଲେଖନ୍ତି, କିନ୍ତୁ ଏଇ ପବିତ୍ର ଆତ୍ମୀୟତା ଟିକକ ଅନ୍ୟକୁ ଦେଇପାରନ୍ତି ନାହିଁ ଅଥଚ ଅନ୍ୟମାନଙ୍କଠାରୁ ଆତ୍ମୀୟତା ସବୁବେଳେ ଦାବି କରୁଥା’ନ୍ତି, ସେମାନେ ଯେତେ କବିତା ଲେଖିଲେ ବି ତାହା ପାଠକର ପ୍ରାଣକୁ ଚହଲାଇ ପାରେନି। ସେମାନେ ପାଠକର କବି ହେବାର ସୁଯୋଗ କେବେ ବି ପାଆନ୍ତି ନାହିଁ। ଏକଦା ସାହିତ୍ୟିକ ପ୍ରଫେସର ଗଣେଶ୍ୱର ମିଶ୍ର ରାଜଧାନୀର ଏକ ସାହିତ୍ୟ ସଭାରେ ଏଭଳି ବ୍ୟକ୍ତିଙ୍କୁ ଆକ୍ଷେପ କରି ‘ଅଶିକ୍ଷିତ’ ବୋଲି କହିଥିଲେ। ତାଙ୍କ ମତରେ “ପ୍ରସ୍ତୁତି ଓ ସଂସ୍କାର ନଥାଇ କବିତା ଲେଖୁଥିବା, ପଢ଼ୁଥିବା ବ୍ୟକ୍ତି ଅଶିକ୍ଷିତ ! କାବ୍ୟ ରସିକ (ବ୍ୟକ୍ତି)ର ଚେତନା ଓ ରୁଚିବୋଧ ସରସ ତଥା ଶାଣିତ ହେବା ବିଧେୟ।”
କବିତାର ଦୀର୍ଘସ୍ଥାୟୀ ସଂପର୍କ ସବୁକାଳରେ ପାଠକ ସହିତ; କବି ସହିତ ନୁହେଁ। ଏଠି ଆଉ ଏକ ଚରିତ୍ରର ଆବିର୍ଭାବ ଘଟେ। ଯିଏ କବି ସହିତ ପାଠକକୁ ଯୋଡ଼ିଦେବାର ସଫଳ ସେତୁଟିଏ ପାଲଟିଯାଏ, ତାକୁ ଆମେ କହିବା ‘ସମାଲୋଚକ’। ଅନ୍ୟ ପ୍ରକାରେ କହିଲେ, ସେ କବିତାର ସେବକ। ସେ କବିତାର ହତ୍ୟାକାରୀ ନୁହେଁ, ତା’ର ରକ୍ଷକ। ସେ କବିତାର ନିନ୍ଦୁକ ବା ପ୍ରଶଂସକ ନୁହେଁ, ଜଣେ ପ୍ରକୃତ ସତ୍ୟଦ୍ରଷ୍ଟା, କବିତାର ପ୍ରକୃତ ପ୍ରେମିକ; ସେ କବିତାର ଜଣେ ବିଦ୍‌ଗଧ ପାଠକ। ଏହା ପାଠକର ଏକ ବିକଶିତ ଓ ଉତ୍ତରିତ ପରିଚୟ କହିବାଟା ସମୀଚୀନ ହେବ।
କବି ତଥା କବିତା ସମାଲୋଚକ ଡକ୍ଟର ସୌରୀନ୍ଦ୍ର ବାରିକଙ୍କ ମତରେ “ରସିକପଣ ଅଳ୍ପ ବହୁତ ସବୁରି ପାଖରେ ଥାଏ। ଏହା ଜନ୍ମଗତ। ତେବେ ଏହି ରସିକପଣକୁ ଋଦ୍ଧିମନ୍ତ ଓ ଶାଣିତ କରିବା ପାଇଁ ପ୍ରସ୍ତୁତି ରହିବା ଦରକାର। ଏହା ଏକପ୍ରକାର କଠୋର ସାଧନା। ଏହି ସାଧନା ଅବ୍ୟାହତ ନ ରହିଲେ ଜଣେ ଦରଦୀ ପାଠକଟିଏ ହେବା କଷ୍ଟକର।”
ଆଜି କବିତା ଯେତେ ଲେଖାଯାଉଛି, ସେହି ପରିମାଣରେ ତାହା ପଢ଼ାହେଉନାହିଁ। ଆଜି ସମସ୍ତେ କବି ହେବାପାଇଁ ଇଚ୍ଛୁକ, ମାତ୍ର ରସଗ୍ରାହୀ ପାଠକଟିଏ ହେବାକୁ କାହାର ଇଚ୍ଛା ନାହିଁ। ଯିଏ କାବ୍ୟ ରସିକ ସେ କେବଳ କବିତା ପଢ଼େନାହିଁ ବା ରସ ଆସ୍ୱାଦନ କରି ସେହିଠାରେ ରହିଯାଏନି; ସେ କବିତାକୁ ଆଦର କରି ତା’ର ନିତିଦିନିଆ ଜୀବନ ସହିତ ତାକୁ ସାମିଲ୍ କରିନିଏ। କବିତା ସହ ଗୋଟାପଣେ ଲହଡ଼େଇ ଯାଇ ନିଜକୁ ହଜେଇ ଦିଏ ଏବଂ ନୂଆ ଭାବରେ ନିଜକୁ ପାଏ। “କବିତାକୁ ପାଇବାକୁ ହେଲେ ନିଜକୁ ସେହି କବିତା ହେବାକୁ ପଡ଼ିବ।” (ଡକ୍ଟର ସୌରୀନ୍ଦ୍ର ବାରିକ)
ସଂପ୍ରତି ଦେଖିବାକୁ ମିଳୁଛି ଯେ, ଦରଦୀ ପାଠକ ଅପେକ୍ଷା କବିତା-ପଣ୍ଡିତମାନଙ୍କୁ ଅଧିକ ଖୋଜାଲୋଡ଼ା ହେଉଛି। ଜଣେ କବିତା ପଣ୍ଡିତ ଯେ ରସିକ ପାଠକ ହେବନାହିଁ-ଏପରି ନୁହେଁ। ମାତ୍ର ଆଜି କବିତାରେ ଏହି ପାଣ୍ଡିତ୍ୟ ଓ ପ୍ରଜ୍ଞାର ପ୍ରବଣତା ଅଧିକ; କବିତାର ରସ ନୁହେଁ ବା ତା’ର ରହସ୍ୟମୟୀ ପ୍ରଭାବ ନୁହେଁ। ଗୋଟିଏ ଭଲ କବିତାରେ ଶବ୍ଦ ନୀରବରେ, ସରଳଭାବେ ନିର୍ଭୀକ ହୋଇ କଥା କହେ। ସୋପାନ ପରେ ସୋପାନ ଅତିକ୍ରମ କରି ଆର ଜଣକ ସହ ଏକାତ୍ମ ହୁଏ। କବିତାର ଧର୍ମ ଦୂରେଇଯିବା ନୁହେଁ ବରଂ ଅଧିକରୁ ଅଧିକ ନିକଟେଇ ଆସିବା। ଭଲ କବିତା ପାଠକର ଅନୁଭବର ଜଗତକୁ ଏକ ବିସ୍ତାର ଆଣିଦେଇଥାଏ। ତା’ର ଅସ୍ତିତ୍ୱ ସଂପର୍କରେ ତାକୁ ସଚେତନ କରେ। ସେଇ ଅସ୍ତିତ୍ୱକୁ ଏକ ବିସ୍ତୃତି ମଧ୍ୟ ଦିଏ। ଅସ୍ତିତ୍ୱର ରହସ୍ୟମୟତାକୁ ଶବ୍ଦର ଯାଦୁକରୀ ଶକ୍ତି ସାହାଯ୍ୟରେ ଚିହ୍ନେଇ ଦିଏ। ଭଲ କବିତା ମାନବ ସମ୍ବେଦନାର ସମ୍ପୂର୍ଣ୍ଣ ଇତିହାସରୁ କୌଣସି କଟୁତା ଗ୍ରହଣ କରେ ନାହିଁ, ବରଂ ସେ ବାଛିନିଏ, କରୁଣା ତଥା ଆଶାରେ ବଞ୍ଚିବାର ଦୃଢ଼ ସଂକଳ୍ପ। ସେ ଚାହେ, ପୃଥିବୀର ସବୁ ମଣିଷ, ସବୁପାଠକ, କବି ହୋଇଯାଆନ୍ତୁ।
ଶବ୍ଦ ହିଁ ଆକାଶ। ଶବ୍ଦକୁ ଚିହ୍ନିଲେ ମାଟି-ଆକାଶର ସମ୍ପର୍କକୁ ବୁଝିହୁଏ। ଜୀବନ-ମୃତ୍ୟୁର ଅଭିନ୍ନତାକୁ ଜାଣି ହୁଏ। ସେହି ଶବ୍ଦ ମାଧ୍ୟମରେ କବିଟିଏ ଯେତେବେଳେ ଦ୍ରୁତ ପ୍ରବହମାନ ସମୟ ସ୍ରୋତରେ ଖୋଦିତ ଅନୁଭବଗୁଡ଼ିକୁ ଛୁଇଁବାଲାଗି ପ୍ରୟାସ କରେ, ତାହା କବିତା ପାଲଟିଯାଏ। ଏଥିଲାଗି କବିଟିଏ ନିଜର ସ୍ୱାତନ୍ତ୍ର‌୍ୟ ପ୍ରତି ସଚେତନ ହେଲେ ନିଜ ଭିତରେ ଏକ ଉତ୍ତରଣବୋଧ ଖୋଜିପାଏ, ଯାହା ସାହାଯ୍ୟରେ ସେ ପାଠକମାନଙ୍କର ହୃଦୟ ଭିତରକୁ ପ୍ରବେଶ କରିପାରେ, ଅଫୁରନ୍ତ ଆତ୍ମୀୟତାରେ ବିଚରଣ କରିପାରେ।
କବିତାରେ ଅନ୍ତରଙ୍ଗତା
କବିତା ହେଉଛି, ଅନ୍ତରଙ୍ଗତାର ପ୍ରତୀକ। କିନ୍ତୁ ଦେଖାଯାଉଛି, ଆଜିର କବିତା ଅନେକାଂଶରେ ଅନ୍ତରଙ୍ଗତାହୀନ ଏକ ବୌଦ୍ଧିକ ବିଳାସ ହୋଇପଡ଼ୁଛି। ଏପରି ହେବାର କାରଣ ଅନେକ। ମୁଖ୍ୟ କାରଣ ହେଉଛି, କବିର ଛଦ୍ମବେଶରେ ଅକବିମାନଙ୍କର ସାହିତ୍ୟ ରାଜ୍ୟରେ ଅନୁପ୍ରବେଶ। ସେଥିପାଇଁ ଆଜିର କବିତା ପ୍ରତି ଅଧିକାଂଶ ପାଠକ ବୀତସ୍ପୃହ! କାରଣ ଅନେକ ଅକବିତା ଭିତରୁ ପ୍ରକୃତ କବିତାଟିଏ ଖୋଜିବାକୁ ତା’ର ବେଳ କାହିଁ? ତେଣୁ ସାହିତ୍ୟର ବଡ଼ଦାଣ୍ଡରୁ ଏଭଳି ଆବର୍ଜନାକୁ ହଟାଇବାକୁ ହେଲେ ସମାଲୋଚକମାନଙ୍କୁୁ କଠୋର ହେବାକୁ ପଡ଼ିବ। ବ୍ୟକ୍ତିକୁ ନଦେଖି କବିତାକୁ ଦେଖିବାକୁ ପଡ଼ିବ ନଚେତ୍ କବିତାର ଭବିଷ୍ୟତ ବିପଦାପନ୍ନ ହେବ।
କବିତାର ଚାହିଦା ହ୍ରାସ ପାଇବାର ଆଉ ଗୋଟେ ପ୍ରମୁଖ କାରଣ ହେଲା, ଆଜି ସାଧାରଣ ମନରୁ ରସିକପଣଟି ଧୀରେଧୀରେ ମରିଆସୁଛି। ରସିକତା କହିଲେ, ସମ୍ବେଦନଶୀଳ ସଚେତନତା, ଅନୁଭବିବାର ସୂକ୍ଷ୍ମତାକୁ ବୁଝାଏ। ରସିକତା ହେଉଛି-ମାର୍ମିକତା, ଗ୍ରହଣଶୀଳତାର ଉଷ୍ମ ଆତ୍ମୀୟତା। କବିତାର ରସାସ୍ୱାଦନ ନିର୍ଭର କରେ, ଏହି ରସିକପଣ ଉପରେ। ଏହା ମଧ୍ୟ ତା’ର ରସିକପଣକୁ ଶାଣିତ କରିଥାଏ। ତହିଁରେ ବ୍ୟାପକତା ଆଣିଥାଏ। ତେଣୁ କବିତା ଏବଂ ରସିକ ମନ ଉଭୟେ ଉଭୟଙ୍କ ଭିତରେ ଅତି ନିବିଡ଼ ଘେନାଘେନି ସମ୍ପର୍କ। ବିଲ୍‌କୁଲ୍ କେହି କାହାକୁ ନ ଛାଡ଼ି ପାରିବାର ଇହକାଳ-ପରକାଳର ନିବିଡ଼ତା।
କବିତାର ଆବେଦନ
କବିତା ଓ ତା’ର ଆବେଦନ ରସରୁ ଆରମ୍ଭ ହୋଇ ରସଜ ଅନୁଭବରେ ଶେଷ ହୁଏ। ଏଥିପାଇଁ ଲୋଡ଼ା ରସିକ ମନଟିଏ। “କବିତା କ’ଣ ?” ଏହାକୁ ଯଦି କବି ଦୀପକ ମିଶ୍ରଙ୍କ ଭାଷାରେ କହିବା, ତେବେ ଏହିପରି ହେବ- “କବିତା ହୁଏନି ଗଢ଼ା/ କୋଣାର୍କ ବା ତାଜମହଲ ପରି/ ସେ ଫୁଟଇ ତା’ ଇଚ୍ଛାରେ ଆମ ହାତେ/ ନାମହୀନ ତାଜାଫୁଲ ଭଳି।”
ସେ କୋଣାର୍କ ହେଉ କି ତାଜମହଲ ହେଉ ଅବା ହେଉ ସଦ୍ୟମୁକୁଳିତ ପୁଷ୍ପଟିଏ, ସବୁପାଇଁ ଲୋଡ଼ା-ରସିକ ମନଟିଏ। ଆଜି ଏହି ମନଟିର ଏକାନ୍ତ ଅଭାବ। ରସିକର ମନ ସମନ୍ୱୟର ମନ। କଳାର ଆବେଦନ ଏହିପରି ରସିକ ପାଖରେ ପୂର୍ଣ୍ଣତା ଲାଭ କରିଥାଏ।
ଏକଥା ମଧ୍ୟ ଜାଣିରଖିବା ଉଚିତ ଯେ, ପାଠକମାନଙ୍କ ଚାହିଦା ପୂରଣ କରିବା ପାଇଁ କବିତା ଲେଖାଯାଏ ନାହିଁ। ଅପର ପକ୍ଷରେ, କବି ନିଜେ ମଧ୍ୟ ତା’ ନିଜର ଚାହିଦା ପୂରଣ ପାଇଁ କବିତା ଲେଖେନାହିଁ; ଏହା ଉଚିତ ମଧ୍ୟ ନୁହେଁ। ସତ୍ୟ ଓ ସୌନ୍ଦର୍ଯ୍ୟ କାହାର ଇଚ୍ଛା, ଅନିଚ୍ଛାକୁ ଜଗି ଅବତରଣ କରେନାହିଁ। ଯାହା ଠିକ୍‌, ସେମିତି ଶବ୍ଦରୂପ ଧାରଣ କରି ଉପଯୁକ୍ତ ମାଧ୍ୟମରେ ଅବତରଣ କରେ। କବିତା କେଉଁ ରୂପରେ କେମିତି ଓହ୍ଲାଇବ, ସେ ନିର୍ଦ୍ଦେଶ ଦେବା ପାଇଁ ନା’ କବିର କ୍ଷମତା ଅଛି ନା’ପାଠକର ! ତେଣୁ କବିତାକୁ ଜନ୍ମ ଦେବାପାଇଁ କବିକୁ ଏବଂ କବିତାର ରସ ଉପଭୋଗ କରିବା ପାଇଁ ପାଠକକୁ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ରସିକ ମନଟିଏ ଉଭୟଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଉଭୟ ସୌନ୍ଦର୍ଯ୍ୟର ପୂଜାରୀ। ଏହା ସବୁ ମଣିଷଙ୍କ ଭିତରେ ରହିଛି। ସୌନ୍ଦର୍ଯ୍ୟବୋଧ ଯେପରି ସ୍ରଷ୍ଟାର ଅନ୍ତର୍ନିହିତ ଗୁଣ; ସେପରି କଳା ବା କବିତାର ରସୋପଲବ୍‌ଧି ପାଇଁ ପାଠକର ସର୍ବନିମ୍ନ ଯୋଗ୍ୟତା ହେଉଛି-ସୌନ୍ଦର୍ଯ୍ୟବୋଧ। ଏହା ନହେଲେ ସେ ହୃଦୟ ଦେଇ କବିତାକୁ ଉପଲବ୍‌ଧ କରିପାରିବ ନାହିଁ; କବିତାର ରସରେ ଆପଣାକୁ ରୂପାନ୍ତରିତ କରିପାରିବ ନାହିଁ। ଏହି ରୂପାନ୍ତରିତ ହେବାର କ୍ଷମତା ପାଠକର ଏକ ପ୍ରଧାନ ଗୁଣ। ନଚେତ୍ ସେ ଗୋଟାପଣେ କବିତାର ଏବଂ କବିତା ତା’ର ହୋଇପାରିବ ନାହିଁ। ଆଗରୁ କୁହାଯାଇଛି ଯେ, କବିତାଠାରୁ କବିକୁ ଅଲଗା କରିହେବ ନାହିଁ। କବିତାକୁ ବାଦ୍ ଦେଇ କବିର ଯେଉଁ ସ୍ୱତନ୍ତ୍ର ନାମ, ପରିଚୟ ବା ଠିକଣା ରହିଛି ତାହା ବସ୍ତୁତଃ ନିରର୍ଥକ। କାରଣ ଏସବୁ କବିର ନୁହେଁ, ବ୍ୟକ୍ତିର। ଏହାହିଁ ସବୁ ସଂଶୟ, ଛଳନା, ଈର୍ଷା, ଅହଙ୍କାର ଓ ଦୂଷିତ ଅବସ୍ଥାର କାରଣ।
ପ୍ରତ୍ୟେକ ମଣିଷ ଭିତରେ ସୃଜନ ଶକ୍ତି ରହିଛି। ସଂସାରରେ ଏମିତି ମଣିଷଟିଏ ନାହିଁ ଯାହାକୁ ସୌନ୍ଦର୍ଯ୍ୟ ଆକର୍ଷିତ କରେନାହିଁ। କିନ୍ତୁ ଦୃଷ୍ଟିର ଅପରିପକ୍ୱତା ଯୋଗୁଁ ଏହି ସୌନ୍ଦର୍ଯ୍ୟ ଖଣ୍ଡିତ ବା ଆଂଶିକ ଦେଖାଯାଏ। ପ୍ରକୃତ ଓ ସଂପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଗୋଟେ ମୁକ୍ତ ଦୃଷ୍ଟିର ଆବଶ୍ୟକତା ରହିଛି। କବି ଓ ପାଠକ ସମସ୍ତଙ୍କ ଏହା ଜରୁରି। ଏତକ ଯାହା ପାଖରେ ନାହିଁ, ସେ କବିତା ସହ ଯେତେ ସମ୍ପର୍କ ଯୋଡ଼ିଲେ ମଧ୍ୟ କବିତାର କରୁଣା ଲାଭ କରିବା ଲାଗି ନିଜକୁ କଦାପି ଭାଜନ କରିପାରିବ ନାହିଁ।
ସବୁଠୁ କଷ୍ଟାର୍ଜିତ ଶିଳ୍ପ ହେଉଛି, କବିତା। ଶବ୍ଦ ହେଉଛି, ତା’ର ଆଧାରଶିଳା। ଶବ୍ଦକୁ ଶୃଙ୍ଖଳାରେ ସଜେଇଦେଲେ, ବୌଦ୍ଧିକ ସମୀକରଣରେ ଥୋଇଦେଲେ କବିତା ହୋଇଯାଏନି। ଭିଜା ମାଟିରେ କଅଁଳି ଉଠୁଥିବା ଭ୍ରୂଣର ଅନୁଭବ ପରି ଆଲୁଅର ଆଲିଙ୍ଗନରେ ଜନ୍ମନିଏ କବିତା। ମୁକୁଳିଯିବାର ସାବ୍‌ଜା ଆକୁଳତା ପଥର ଛାତି ଫଟେଇ ଉହୁଙ୍କି ଉଠିଲା ପରି ଆତ୍ମପ୍ରକାଶ କରେ କବିତା। କେବଳ ଶବ୍ଦର ସୌନ୍ଦର୍ଯ୍ୟରେ ନୁହେଁ, ନିବିଡ଼ ଉଚ୍ଚାରଣରେ ହିଁ କବିତାର ଉପାସନା ସମ୍ଭବ ହୁଏ। ଭଲପାଇବା ଭିତରେ କବିମଣିଷ ତା’ର ନନ୍ଦନବନ ତିଆରି କରେ। ପ୍ରଜାପତି ଆକୃଷ୍ଟ ହୁଏ। ପୋଡ଼ିହୁଏ ନିଆଁରେ। ଦିହ ଭିତରେ ଫୋଟକା ସୃଷ୍ଟି ହୁଏ। ଯନ୍ତ୍ରଣାରେ ଆନନ୍ଦ ପାଏ ସେ। ଦୁଃଖ, ଯନ୍ତ୍ରଣା ତାକୁ ପ୍ରେମପରି ମଧୁର ଲାଗେ। କିନ୍ତୁ ଛଳନାକୁ ସେ ତୀବ୍ର ଘୃଣାକରେ। ପ୍ରକୃତ ପାଠକଟି କବିର ମନକୁ ଠିକ୍ ପଢ଼ିପାରେ। କବିର ବ୍ୟଥା, ବେଦନାକୁ ପ୍ରାଣ ଦେଇ ଅନୁଭବ କରିପାରେ। ତେଣୁ ସମ୍ବେଦନଶୀଳ ପାଠକଟିର ସାନ୍ନିଧ୍ୟ ପାଇବା ପାଇଁ ଯୁଗେ ଯୁଗେ କବିଟିଏ ଝୁରି ହେଉଥାଏ। କବି ବିଶ୍ୱକର୍ମା, ପୁଣି କବି ଜଣେ ସଂସାରୀ ମଣିଷ। ସ୍ନେହ, ଲୁହର ଅଛିଣ୍ଡା ଡୋରରେ ତା’ର ପ୍ରାଣ ବନ୍ଧା ହୋଇଥାଏ। ଅପତ୍ୟ ବନ୍ଧୁତ୍ୱ ସବୁ ସ୍ମୃତି, ବର୍ତ୍ତମାନ ଓ ବାସ୍ତବତା ଭିତରେ ବୃତ୍ତାକାରରେ ଘୂରୁଥାଆନ୍ତି।
କବି ଓ ପାଠକ
କବିଟିଏ ସତ୍ ପାଠକକୁ ଯେପରି ଆଜୀବନ ଝୁରିହେଉଥାଏ, ଦରାଣ୍ଡି ହେଉଥାଏ, ସତ୍ ପାଠକଟିଏ କବିକୁ ମଧ୍ୟ ସେହିପରି ଭାଳି ହେଉଥାଏ। ଦୁହେଁ ଦୁହିଁଙ୍କ ଭିତରେ ହଜିଯିବାର, ମଜ୍ଜିଯିବାର ଆଗ୍ରହ ନେଇ ପରସ୍ପର ଆଡ଼କୁ ଅଗ୍ରସର ହେବାରେ ଲାଗିଥା’ନ୍ତି। କବି ରମାକାନ୍ତ ରଥ ତାଙ୍କର ‘କବି ଓ କବିତା’ରେ କହନ୍ତି, “ତାଙ୍କ ବିନା ଦେଶ ଚାଲିବ ନାହିଁ, ରସାତଳକୁ ଚାଲିଯିବ।” ଏପରି ଭାବୁଥିବା ନେତାମାନଙ୍କଠାରୁ କବି ଅଲଗା। କବି ଜାଣେ ଯେ, ତା’ର ବା ତା’ କବିତାର ଥିବା ନଥିବାରେ କିଛି ଯାଏ ଆସେ ନାହିଁ। କବିତା ଲେଖି ସେ ଗୋଟାଏ ବିରାଟ କର୍ତ୍ତବ୍ୟ କରୁଛି ବୋଲି କଦାପି ଭାବେ ନାହିଁ। ବରଂ ପାରିପାଶ୍ୱିର୍କ ଜୀବନର ଅସ୍ଥିରତାକୁ ଛାତି ପତେଇଦିଏ। ବିକ୍ଷୁବ୍‌ଧ ବିତ୍‌ପାତକୁ ଅଙ୍ଗେ ନିଭାଏ। ବଡ଼ ବଡ଼ ଗୁମର ସବୁର ଗଣ୍ଠି ଖୋଲିଦିଏ। ଜୀବନର ସହଜ ସ୍ୱାଭାବିକତା ଖୋଜେ। ଖୋଜିଚାଲିଥାଏ।
ଯିଏ କବି ତା’ ପାଇଁ କବିତା ଲେଖିବା ବଡ଼ କଥା ନୁହେଁ। ବଡ଼ କଥାଟି ହେଲା, କବିତାର ନିକଟତର ହେବା। ଯେଉଁ କବି କବିତାର ସ୍ୱର ଶୁଣିପାରେ, ସେ ତ ନିଜର କବିତା ପ୍ରତି ରହିଥିବା ମୋହରୁ ମୁକୁଳିଯାଏ। ତାକୁ ସାରା ଜଗତର ସବୁ ପ୍ରାଣୀ, ସବୁ ଜୀବନର ଦୁଃଖର ରାଗିଣୀ ନିଜର ଦୁଃଖଠାରୁ ଆହୁରି ନିବିଡ଼ ଲାଗେ। କବିର କବିତା ଓ ଜୀବନ ଯେତେବେଳେ ଏକାତ୍ମ ହୋଇଯା’ନ୍ତି, ସେତେବେଳେ ସେମାନେ ଆଉ ପାଠକକୁ ଅଦ୍ଭୁତ ଲାଗନ୍ତି ନାହିଁ। ପର ଅପେକ୍ଷା ବେଶି ଆପଣାର ବୋଧ ହୁଅନ୍ତି। ଦୂର ଅପେକ୍ଷା ଅଧିକ ନିକଟତର ଲାଗନ୍ତି। ଏତେ ନିକଟରେ ଯେ, ଯେତେବେଳେ ପାଠକଟିଏ ନିରୋଳାରେ ବସିଥାଏ, ତା’କୁ କବିର ସ୍ୱର ନିଜ ସ୍ୱର ପରି ଶୁଭୁଥାଏ। ବାହାରୁ ନୁହେଁ, ନିଜ ଭିତରୁ। ଆପଣା ହୃଦୟର ଅଭ୍ୟନ୍ତରରୁ। ଏମିତି ଗୋଟେ ଗୋଟେ କପାଳିଆ କବି ଥାଆନ୍ତି, ଯେଉଁମାନେ ଜୀବନକାଳ ଭିତରେ ହେଉ ବା ଜୀବନ ପରେ ହେଉ, ସବୁଦିନ ପାଇଁ ସବୁ କାଳକୁ ପାଠକର ହୋଇଯାଆନ୍ତି। ସେମାନେ ସମୟର ସ୍ୱର ଭିତରେ ଯୁଗର ଆହ୍ୱାନ ଶୁଣିପାରନ୍ତି। ତେଣୁ ଯୁଗର ଆବର୍ତ୍ତରେ ହଜିଯାଆନ୍ତି ନାହିଁ, ବରଂ ନୂଆ ଯୁଗର ନିର୍ମାଣ କରନ୍ତି।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

One thought on “ପାଠକର କବି

  1. ସେନାପତି, କାହିଁ କୋଉ କାଳରୁ, ଶବ୍ଦର ସମ୍ରାଟ୍ ।
    ତାଙ୍କର ସାମ୍ରାଜ୍ଯ ବ୍ଯାପିଯିବାପାଇଁ, ଅବଶିଷ୍ଟ ଆଉ ଜାଗା ନରହୁ ;
    ରାଜତ୍ବ ଦୀର୍ଘତର ହେଉ ଏବଂ କେବଳ ସେଇଥିପାଇଁ, ସବୁତକ ସମୟ ବି, କମ୍ ମନେହେଉ ।

    କବିଙ୍କୁ ନମସ୍କାର କରୁଛି ।

Leave a Reply

Your email address will not be published. Required fields are marked *