ଯୁଦ୍ଧକୁ ଯେମିତି ଲୋଡ଼ା ଯବାନ, କବିଙ୍କୁ ସେମିତି ଲୋଡ଼ା ସମ୍ମାନ। ଆମ ପତିଦେବ, ସେମିତି କିଛି ସମ୍ମାନ ପାଇଛନ୍ତି ଆଉ କିଛି ସମ୍ମାନ କିଣିଛନ୍ତି।

କବି ହେବା ଯେତିକି କଷ୍ଟକର, କବିଙ୍କର ଘରଣୀ ହେବା ତା’ ଠାରୁ ଆହୁରି କଷ୍ଟକର! କାରଣ କବିଙ୍କ ଘରଣୀ ସାଧାରଣ ଘରଣୀ ନୁହନ୍ତି ଏବଂ ସାଧାରଣ ଘରଣୀ ତ ସାଧାରଣତଃ ପତିଙ୍କୁ ଶୁଣେଇଥାନ୍ତି, ହେଲେ କବିଙ୍କ ଘରଣୀ ଖାଲି ଶୁଣିଥାନ୍ତି। ସାଧାରଣ ପତିଙ୍କୁ ସମ୍ଭାଳିବା ତ ଅତି ସହଜ, ହେଲେ କବିଙ୍କୁ ସମ୍ଭାଳିବା ଅତି କଷ୍ଟକର। ଆପଣ କିଛି ସମୟ କବିଙ୍କ ପାଖରେ ରହି ଅନୁଭବ କରିଥିବେ କି ସେ ଅନୁଭବ କିପରି ଦୟନୀୟ, ଅତଏବ କବିଙ୍କ ଘରଣୀ, ଯିଏ ସାରାଜୀବନ ତାଙ୍କ ପାଖରେ ରହିଲା, ତା ଅବସ୍ଥା କି ଦୟନୀୟ ଭାବନ୍ତୁ!
ମୁଁ ସେଇମିତି ଜଣେ ହତଭାଗିନୀ, ଜଣେ କବିଙ୍କ ଘରଣୀ। ଅବଶ୍ୟ ବହୁବାର ଏମିତି ଅବସର ମଧ୍ୟ ଜୁଟିଚି, ଯେବେ ମୁଁ ଗର୍ବର ସହିତ ନିଜର ପରିଚୟ ଦେବାକୁ ଯାଇ କହିଛି କି ଆମର ସିଏ ଜଣେ କବି। ତେବେ ସାମନାରେ ଥିବା ମଣିଷମାନଙ୍କର ଶୁଖିଲା ମୁହଁକୁ ଦେଖି ମନ ମୋ’ର ଶୁଖି ଯାଇଛି ଏବଂ ମୁଁ ମୋ’ ପତିଦେବଙ୍କର କବିତା ଗୋଟେ ଶୁଣେଇ ଦେବି କି? ସେଇ ଆଶଙ୍କାରେ ବୋଧହୁଏ ବିଚରାମାନେ ଭୟଭୀତ ହୋଇପଡ଼ନ୍ତି!
ଖାଲି କ’ଣ ସେତିକି! ଥରେ ଆମର ଜଣେ ମଉସା ବଜାରରେ ଦେଖାହୋଇଗଲେ ଓ ପଚାରିଲେ – ଆଲୋ ଝିଅ, ଜ୍ୱାଇଁ ଆମର କ’ଣ କରନ୍ତି?
ମୁଁ କହିଲି – ମଉସା, ସିଏ ଜଣେ କବି!
ମଉସା ପୁଣି ପଚାରିଲେ – ଆରେ ବାଃ… ବହୁତ ଭଲ, ହେଲେ ସିଏ କରନ୍ତି କ’ଣ?
ମୁଁ କହିଲି – ମଉସା, ସିଏ କବିତା ଲେଖନ୍ତି!
ମଉସା ମହା ରୋକାଡ଼ିଆ, ପୁଣି ପଚାରିଲେ – ଆଲୋ ମାଆ… କବିତାରେ କ’ଣ ପେଟ ପୂରୁଥିବ?
ମଉସାଙ୍କ ପ୍ରଶ୍ନ ଶୁଣି ମୁଁ ଫୋନ ଧରି ହ୍ୟାଲୋ ହ୍ୟାଲୋ ବାହାନା କରି ସେଠାରୁ ଖସି ଆସିଲି। ତେବେ ତାଙ୍କର ପ୍ରଶ୍ନର ଉତ୍ତରଟି ହେଲା – ସିଏ କବିତା ଲେଖନ୍ତି, ଆଉ ମୁଁ ପେଟ ପାଇଁ ଟେଲରିଂ କରେ, ପାଖ ପିଲାଙ୍କୁ ଟ୍ୟୁସନ ପଢ଼ାଏ!
କବି ଯେହେତୁ ସରସ୍ୱତୀ ପୁତ୍ର, ସେହି ରାଗରେ ଲକ୍ଷ୍ମୀ ଦେବୀ ଆମଘରକୁ ଆସନ୍ତି ନାହିଁ! ଯଦି କେବେ ବା କ୍ୱଚିତ ପଶି ଆସିଥାଆନ୍ତି, ତେବେ ସମ୍ମାନ ଗ୍ରହଣ, ବହି ଛପା, ପଂଜାବୀ ସିଲେଇ ଆଦି ବାବଦରେ ସରସ୍ୱତୀ ମାତା ତାଙ୍କୁ ଠେଲି ଦେଇଥାନ୍ତି!
ଚୋର ଆଉ କବି
ମୋ’ ପାଇଁ ମୋଟ ଦୁଇଟି ବାହାଘର ପ୍ରସ୍ତାବ ଆସିଥିଲା, ଜଣେ ବରପାତ୍ର ଥିଲା ଚୋର ଆଉ ଜଣେ କବି…! ମୁଁ କବିଙ୍କୁ ପସନ୍ଦ କଲି ଓ ମୋ’ର ଜଣେ ସାଙ୍ଗ ଚୋର ବରପାତ୍ରଟିକୁ ବାହାହେଲା ଓ ବାହାଘର ପୂର୍ବରୁ ମୁଁ ଭାବିଥିଲି – ଚୋରଟିଏକୁ କିଏ ବାହା ହୁଏ କି ଭଲା? କବିଙ୍କୁ ବର କରିପାରିଲେ ଜୀବନଟା ରୋମାଣ୍ଟିକ ହୋଇଯିବ କି ନାଇଁ?
ଦୁଇ ପକ୍ଷର ସମ୍ମତିରେ ବାହାଘର ହେଲା ଏବଂ ତାଙ୍କ ନିମନ୍ତ୍ରଣ ପତ୍ର ଥିଲା କବିତା ଓ କବିଙ୍କ ବାହାଘର। ତେଣୁ ବରଯାତ୍ରୀରେ କବି ଭର୍ତ୍ତି ଥିଲେ ଓ ବାହାଘରକୁ ଆସିଥିବା ମୋ’ର ସାଙ୍ଗ ଓ ଭଉଣୀମାନଙ୍କ ଫୋନ୍ ନମ୍ବର ନେଇ କବିମାନେ କବିତା ପଠେଇଦେଲେ। ବେଦିରେ ମୋତେ ଚାହିଁ ଏମିତି କବିତା ଶୁଣେଇଲେ ଯେ… ପୁରୋହିତ ବି ଭାବିଲା ସିଏ ମନ୍ତ୍ର ନୁହଁ କବିତା ଶୁଣାଉଛି।
ତା’ ପରେ ଚତୁର୍ଥୀ ଭୋଜି। ଭୋଜି ଶେଷରେ ହାଲିଆ ହୋଇ ଉପହାର ପ୍ୟାକେଟ ସବୁ ଖୋଲିଲା ବେଳକୁ ସେଥିରେ କବିତା ଓ କବିତା ବହି ଭର୍ତ୍ତି। କବିତାର ପ୍ରାବଲ୍ୟ ସେଇଠି ସରିଲା ନାହିଁ, ଚତୁର୍ଥୀ ରାତିରେ ଓଢ଼ଣା ଖୋଲିଲାଠାରୁ ସୂର୍ଯ୍ୟ ଉଇଁବା ପର୍ଯ୍ୟନ୍ତ ମୋତେ କବିତା ଶୁଣିବାକୁ ପଡ଼ିଲା।
ତା’ପରେ ରାତି ରାତି କେତେ ଯେ କବିତା ମୁଁ ନଶୁଣିଚି! ବହୁଦିନ ପରେ ମୋର ସେଇ ସାଙ୍ଗ ଯିଏ ଚୋରକୁ ବାହା ହୋଇଥିଲା ତା’ ସହ ଦେଖାହେଲା। ମୁଁ ତାକୁ ପଚାରିଲି – ମୁଁ କବିକୁ ବାହା ହୋଇ ତ କବିତା ଶୁଣୁଛି, ତୁ ସେ ଚୋର ସହିତ କେମିତି ଅଛୁ?
ସାଙ୍ଗ କହିଲା – ଭାରି ସୁଖରେ ଅଛି, ରାତିରେ ତ ତାଙ୍କ ଡ୍ୟୁଟି, ତେଣୁ ମୁଁ ଶାନ୍ତିରେ ଶୋଉଛି, ସକାଳ ପାଇଲା ବେଳକୁ ଆମ ଘରକୁ ଲକ୍ଷ୍ମୀ ଦେବୀ ବିଜେ କରନ୍ତି!
ଅତଏବ ବାହାଘର ପରେ ଆମ ଘରେ ସରସ୍ୱତୀ, ତାଙ୍କ ଘରେ ଲକ୍ଷ୍ମୀ! ଆମର ୟେ ଚୋରି ବି ଠିକ୍ରେ କରିପାରନ୍ତିନି। ତମେ ବି ଚୋରିକର ଚୋରିକର ବୋଲି ମୁଁ ତାଙ୍କୁ ବହୁତ ବାଧ୍ୟ କରିବାରୁ ଥରେ ଚୋରି କଲେ ଯେ ତାହା ପୁଣି ଜଣେ କବିଙ୍କର କିଛି କବିତା! ଲକ୍ଷ୍ମୀ ତ ଆସିଲେନି ବରଂ ସରସ୍ୱତୀଙ୍କ ଦୁନିଆରେ ଛି ଛାକର ଶୁଣିବାକୁ ମିଳିଲା!

ଗହଣା ବିକି କବିତାଚାଷ
ସବୁ କବିଙ୍କର ଇଛା ମଝିରେ ମଝିରେ ତାଙ୍କର ଗୋଟେ ଗୋଟେ କବିତା ସଂକଳନ ପ୍ରକାଶ ପାଉ! ଆମର ୟେ ବି ସେୟା କରିଛନ୍ତି! ତାଙ୍କର ଯେତେ ବହି ବାହାରିଛି, ମୋର ସେତିକି ଗହଣା ସରିଛି। ବହି ତ ବିକ୍ରି ହୁଏନା, ବହିପାଇଁ ମୋ’ର ଗହଣା ବିକ୍ରି ହୋଇଯାଏ!
ଥରେ ୟାଙ୍କର ଜଣେ ପାଠକ ଦେଖାହେଲେ! ଖୁସି ହୋଇଯାଇ ମୋ’ ସହ ଫଟୋ ଉଠେଇଲେ ଏବଂ ଆମ କବିଙ୍କୁ ଚାହିଁ କହିଲେ – ଆପଣଙ୍କ ପ୍ରତିଟି ବହି ପଢ଼ିଲେ ମୁଁ ଆଶ୍ଚର୍ଯ୍ୟ ହୁଏ!
କବି ପଚାରିଲେ- ମାନେ ମୁଁ କେମିତି ଲେଖୁଛି ବୋଲି? ପାଠକ କହିଲେ – ନାଇଁ, କାହିଁକି ଏଗୁଡ଼ା ଲେଖୁଛନ୍ତି ବୋଲି!
ସିଏ କ’ଣ ଲେଖନ୍ତି ତାହା ମୁଁ ବୁଝି ପାରେନା। ଏଇ ଦୁଃଖଟିକୁ ମୁଁ ତାଙ୍କୁ ବହୁବାର ଜଣେଇଛି। ହେଲେ ସବୁବେଳେ ତାଙ୍କଠୁ ସେଇ ଗୋଟିଏ ଉତ୍ତର ଶୁଣିବାକୁ ମିଳିଛି କି – ତୁ ବୁଝିବା ଦରକାର ନାଇଁ! ତୁ ଯେଉଁଦିନ ବୁଝିବୁ ନିଜେ ଗୋଟେ କବି ପାଲଟି ଯିବୁ!
ତାଙ୍କର ଏଇ ଉତ୍ତରରୁ ମୁଁ ଏୟା ବୁଝେ କି କବିତା ଗୋଟେ ନିଶା… ଏଇ ଯେମିତି ମଦ ନିଶା। ଯିଏ ପିଇବ ସିଏ ଯାଇ ତା’ର ମଜା ପାଇପାରିବ, ଆଉ ଦେଖିଲା ଲୋକ ଦୂରରେ ଥାଇ ଖାଲି ଇ ହି… ଦୁର୍ଗନ୍ଧ… ଛି ଛି ବୋଲି କହୁଥିବ!
ଯୁଦ୍ଧକୁ ଯେମିତି ଲୋଡ଼ା ଯବାନ, କବିଙ୍କୁ ସେମିତି ଲୋଡ଼ା ସମ୍ମାନ! ଆମ ପତିଦେବ, ସେମିତି କିଛି ସମ୍ମାନ ପାଇଛନ୍ତି ଆଉ କିଛି ସମ୍ମାନ କିଣିଛନ୍ତି!
ଆମ ଘରେ ଯେତେଟା ରୋଷେଇ ସାମଗ୍ରୀ ଓ ମସଲା ଡବା ନଥିବ ତା’ଠୁ ଅଧିକ ଫଳକ ଓ ଟ୍ରଫି ଅଛି! ଯେତେଟା ନୋଟ ନଥିବ ତାଠୁ ଅଧିକ ମାନପତ୍ର ଅଛି! ଯେତେଟା ବାସନ ନଥିବ ତା’ଠୁ ଅଧିକ ଉତ୍ତରୀୟ ଅଛି! ଯେତେଟା ଲୁଗାପଟା ନଥିବ ତା’ଠୁ ଅଧିକ ବହିପତ୍ର ଅଛି!
ଖାସ କରି ସେଥିପାଇଁ ଆମକୁ ସହଜରେ ଭଡ଼ା ଘରଟିଏ ମିଳେନା ଓ ଯେଉଁଠିକୁ ଗଲେ ଘରମାଲିକଙ୍କର ସେଇ ଗୋଟିଏ ପ୍ରଶ୍ନ ଗୋଟିଏ କଥା – ଆପଣ କ’ଣ ଘରଭଡ଼ା ଦେଇପାରିବେ? ତା’ଛଡ଼ା ଆପଣ କାନ୍ଥରେ ଗୁଡ଼େ କଣ୍ଟା ପିଟିବେ… ନହେଲେ ପାଇଥିବା ମାନପତ୍ରଗୁଡ଼ାକ କୋଉଠି ଝୁଲେଇବେ? ଆପଣ ଡେରି ରାତିଯାଏ ଆଲୁଅ ଜାଳିବେ! ନା.. ଅନ୍ୟ କୋଉଠି ଦେଖନ୍ତୁ!
ଶାଳୀର କବିତାପ୍ରେମ
ମୋ’ ସାନଭଉଣୀ, ମାନେ ଆମ ୟାଙ୍କର ଶାଳୀ, ତାକୁ ୟେ ମୋ’ଠୁ ବେଶୀ ଭଲ ପାଆନ୍ତି। ସତ କି ମିଛ କେଜାଣି, ସିଏ ୟାଙ୍କର କବିତାଗୁଡ଼ାକୁ ଖାଲି ବୁଝେନାଇଁ ତ ଚ ଚ କରି ପିଇ ଯାଏ, ତାକୁ ଆମର ୟେ ତାଙ୍କର ଗୋଟେ କବିତା ବହି ଉତ୍ସର୍ଗ କରିଛନ୍ତି। ସେଥିରେ କାହାର କି ଲାଭ ତାହା ମୁଁ ଜାଣେନା!
ତେବେ ଶାଳୀ କଥାରେ ପଡ଼ି କବିଦେବ ଆମର ଗୋଟେ ୟୁଟ୍ୟୁବ ଚାନେଲ ଖୋଲିଲେ! ସିଏ ବୁଝେଇଲା ଭିଣେଇ ଭାଇ, ଏବେ ବହିକୁ ଆଉ କେହି ପଚାରୁ ନାହାନ୍ତି। ଏବେ ରିଲ୍ସ ଓ ସର୍ଟ୍ ଭିଡିଓର ଯୁଗ। ତମେ ଯେମିତି ସବୁ ବଢ଼ିଆ ବଢ଼ିଆ କବିତାଗୁଡ଼ାକ ଲେଖିଛ… ତାକୁ ଭିଡ଼ିଓରେ ଶୁଣେଇଲେ ନିଶ୍ଚୟ ଭାଇରଲ ହେବ… ଏହାଦ୍ୱାରା ତୁମେ ପ୍ରସିଦ୍ଧ ହେବା ସହିତ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ମଧ୍ୟ କରିବ।
ପ୍ରସିଦ୍ଧି ଲୋଭରେ ଆମର ସିଏ ଉତ୍ସାହିତ ହୋଇପଡ଼ିଲେ, ଆଉ ଲକ୍ଷାଧିକ ଟଙ୍କା ଶୁଣି ମୁଁ ବି ଉତ୍ସାହିତ ହୋଇପଡ଼ିଲି। ମୁଁ ଧରିଲି ମୋବାଇଲ୍, ସିଏ ଶୁଣେଇଲେ କବିତା। ମୁଁ କଲି ରେକର୍ଡିଙ୍ଗ, ସିଏ କଲେ ପୋଷ୍ଟିଙ୍ଗ। ଆଗ ଆଗ ଉତ୍ସାହିତ ହୋଇ ଆମେ ଦିନରାତି ଦେଖିଲୁ କେତେ ଦର୍ଶକ ହେଉଛନ୍ତି? ବିଶ୍ୱାସ କରିବେନି ଆମେ ଏଇତକ ସମୟ ଭିତରେ ଶତାଧିକ ଅନ୍ୟ ଭିଡିଓ ଦେଖିଦେଲୁ… ହେଲେ ଆମର ସର୍ବାଧିକ ଦର୍ଶକ ହେଲେ ଚଉବନ ଓ ସବ୍ସ୍କ୍ରାଇବର ତେତିଶି। ଏମିତି ଆଶାରେ ଅପ୍ଲୋଡ ହୋଇଥିବା ଭିଡିଓର ସଂଖ୍ୟା ସବ୍ସ୍କ୍ରାଇବର ସଂଖ୍ୟାକୁ ଟପିଗଲା ପରେ କବିଙ୍କର ପ୍ରସିଦ୍ଧି ଓ ରୋଜଗାର ନିଶା ଉତୁରି ଗଲା!
ଏତେ ଫ୍ୟାନ୍
ଥରେ ମୁଁ ପଡ଼ୋଶୀ ମହିଳାମାନଙ୍କ ସହିତ କଥା ହେଲା ବେଳେ କହିଲି – ଆମର ୟା’ଙ୍କର ଏତେ ଫ୍ୟାନ୍ ଯେ ଗଣି ହେଉନି।
ପଡ଼ୋଶିନୀ କହିଲେ – ଆମର ବି କେତେ ଫ୍ୟାନ ଅଛି ଯେ ଏସି ଆଣିଲା ଦିନୁ ଆଉ ଲଗା ହେଉନି!
ତେବେ ୟା’ଙ୍କର ଏଇ କବିଗୁଣ ପାଇଁ କିଛି କିଛି ଲାଭ ମଧ୍ୟ ହୋଇଛି! ଏଇ ଯେମିତି, ଥରେ ମୁଁ ଗୋଟେ ଚୋରକୁ ଧରିଥିଲି! ରାତିରେ ମୁଁ ଘରେ ଏକୁଟିଆ ଥିଲି…. କବାଟ ଖଡ଼ ଖଡ଼ ହେଲା! କାହିଁକି ଏତେ ଡେରି ହେଲା ବୋଲି ରାଗରେ ତମ ତମ ହୋଇ ମୁଁ ଝାଡ଼ୁରେ କଷିକରି ଦେଲି ପହାରଟେ। ମା’ଲୋ ମା’ଲୋ କହି ଲୋକଟା ଯେବେ ତଳେ ଗଡ଼ିଲା, କଣ୍ଠସ୍ୱରରୁ ଜାଣିଲି କି ୟେ ଅଲଗା ଲୋକ। ପାଟିତୁଣ୍ଡ ଶୁଣି ପାଖ ପଡ଼ିଶା ଲୋକ ଧାଇଁଆସି ଚୋରକୁ ଧରିଲେ। ମୋତେ ସାବାସୀ ଦେଇ ପଚାରିଲେ – ଆପଣ କେମିତି ସାହସକରି ଏ ଚୋରଟାକୁ ଧରିଲେ?
ମୁଁ ଲାଜେଇ ଯାଇ କହିଲି – ମୁଁ ଭାବିଲି ଆମର ଇଏ କବି ସମ୍ମିଳନୀ ସାରିକି ଘରକୁ ଫେରିଲେ!
ଆଉଥରେ ଗୋଟେ ଅଫିସ୍କୁ ଦରଖାସ୍ତ ନେଇ ଯାଇଥିଲି, ସେଠି ବସିଥିବା ବାବୁ ଜଣକ ଯେବେ ଜମା ଶୁଣିଲେ ନାଇଁ, ମୁଁ ପାଟିକଲି – ମୋ’ କଥା ଶୁଣିବ ନା ମୋ’ ପତିଙ୍କୁ ଡାକିକି ଆଣିବି?
ବାବୁ ପଚାରିଲେ – ତମ ପତି ଏମିତି କିଏ କି?
ମୁଁ କହିଲି – ଆମ ପତି ଜଣେ କବି!
ଏହା ଶୁଣି ବାବୁ କାହାକୁ ଡାକି କହିଲେ – ୟା’ଙ୍କ କାମଟା ଆଜି କରିଦିଅ… ନହେଲେ ମହା ମୁସ୍କିଲ ହେବ! ୟାଙ୍କ ବାବୁ ଯଦି ଆସିବେ, ଅତି କମରେ ୨୦ଟା କବିତା ଶୁଣେଇଲା ପରେ ଯିବେ!
ଆଉଥରେ ରାତିରେ ଫେରିଲା ବେଳେ ଆମ କବିଦେବଙ୍କୁ ମାଓବାଦୀମାନେ ଉଠେଇନେଇ, କ’ଣ ସବୁ ଦାବିକଲେ! ତାଙ୍କ ଦାବି ତ କିଛି ପୂରଣ ହେଲାନି ଓଲଟି କବି ତାଙ୍କୁ ଏମିତି କବିତା ଶୁଣେଇଚାଲିଲେ ଯେ ମାଓବାଦୀମାନେ ଗାଡ଼ିଭଡ଼ା କରି ତାଙ୍କୁ ଘରେ ଛାଡ଼ି ଦେଇଗଲେ!
ଅତଏବ ଆମର କବି ଓରଫ ପତିଦେବଙ୍କର ଏମିତି ବହୁତ ଭଲ ଗୁଣ ମଧ୍ୟ ରହିଛି! ତାଙ୍କୁ ମୋ’ ମୁହଁଟା କେବେ ରୁଟିପରି ଦିଶେ ତ.. କେବେ ଜହ୍ନ… ଆଉ କେବେ ସୂର୍ଯ୍ୟ ପରି! କବିତା ଲେଖିଲେ ସିଏ ଭୋକଶୋଷ ଭୁଲିଯାନ୍ତି ଆଉ ତାହା ଦେଖି ମୁଁ ସୁଖଶାନ୍ତି ଭୁଲିଯାଏ!
ବେଳେ ବେଳେ ଭାବେ, ମୁଁ କବିପତ୍ନୀ ନହୋଇ କବିଟିଏ ହୋଇଥିଲେ ମଧ୍ୟ ଆହୁରି ଭଲରେ ଥା’ନ୍ତି। ହେଲେ କବିପତ୍ନୀ ହୋଇ ଶୁଣି ଶୁଣି ଜୀବନ କାଟିଲି। କଳାକାରଙ୍କ ପରି କବିଙ୍କ ପାଇଁ ଭତ୍ତା ନାଇଁ, ମାଗଣା ଚାଉଳର ବ୍ୟବସ୍ଥା ନାଇଁ! ନାଇଁ ସେ କଥା ମୁଁ ଏଠି ଉଠେଇବିନି ଲୋ ମାଆ, କାରଣ କବିଙ୍କ ପାଇଁ ବେଶି ସରକାରୀ ସହାୟତା ପାଇଁ ଦାବି କରିବେ ତ ସରକାର ତାଙ୍କ ପାଇଁ ଗୋଟେ କବିତା ପାଠୋତ୍ସବ ସହିତ ମାନପତ୍ର ଓ ଗାମୁଛାର ବ୍ୟବସ୍ଥା କରିଦେବେ, ଯେଉଁଠିକି କବି ଧାଇଁଲେ ମୁଁ ପୁଣି ଏକୁଟିଆ ଘରେ ପଡ଼ିଥିବି!!
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି, ୨୦୨୬ ସଂଖ୍ୟାରେ ପ୍ରକାଶିତ। )
Excellent presentation!
ହସି ହସି ପେଟବଥା। କିନ୍ତୁ ପ୍ରଚ୍ଛନ୍ନ ଭୟଟିଏ ମଧ୍ୟ। ସତରେ କଣ ଆଜିର କବି ଓ କବିତାକୁ କେହି ଭଲ ପାଆନ୍ତି ନାହିଁ। ମୁଁ ତ ଆମ ପୁରୁଣା ପାଠବହିର ବଡ଼ ବଡ଼ କବିଙ୍କ କବିତା ଫେସବୁକରେ ଉଦ୍ଧାର କରୁଛି ଯେ ସମସ୍ତେ ପଢ଼ି କୃତ୍ୟ କୃତ୍ୟ ହେଇ ଯାଉଛନ୍ତି।
ରମ୍ୟରଚନାଟି ଅତ୍ୟନ୍ତ ମନୋରମ।